Skip to main content

ଚୀନର ‘ଶୂନ କୋଭିଡ଼’ ନୀତି ଓ ତା’ର ପ୍ରଭାବ

ଚୀନର ସିନଜିଆଙ୍ଗ ଅଞ୍ଚଳର ରାଜଧାନୀ ଉରୁମକିର ଏକ ବହୁତାଲା ଅଟ୍ଟାଳିକାରେ ନିଆଁ ଲାଗି ୧୦ ଜଣ ମ଼ତ୍ୟୁବରଣ କରିବା ପରେ ଏହି ମୃତ୍ୟୁ ଅତ୍ୟଧିକ କୋଭିଡ କଟକଣା ଯୋଗୁଁ ଅଗ୍ନିଶମ କର୍ମଚାରୀଙ୍କ ପଥରୋଧ କରାଯାଇଥିବାରୁ ଓ ଅନ୍ତେବାସୀଙ୍କ ବାହାରକୁ ବାହାରିବାର ବାଟକୁ ଓଗାଳିଥିବା କାରଣରୁ ହୋଇଥିଲା ବୋଲି ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା । ଫଳରେ ଜନ ଅସନ୍ତୋଷ ତୀବ୍ର ହୋଇ ଦେଶବ୍ୟାପୀ ବିଭିନ୍ନ ସହରରେ ପ୍ରଦର୍ଶନମାନ ଆୟୋଜିତ ହେବାକୁ ଲାଗିଲା । ଏହା ଅସନ୍ତୋଷ ପରିପ୍ରକାଶର ତାତ୍କାଳିକ କାରଣ ହୋଇଥିଲେ ବି ଚୀନ ସରକାରଙ୍କ ‘ଶୂନ କୋଭିଡ ନୀତି’ (ଜିରୋ କୋଭିଡ଼ ପଲିସି) ଯୋଗୁଁ ସେଠାକାର ଲୋକେ ଦୀର୍ଘ ଦିନରୁ ଅତିଷ୍ଠ ହୋଇ ରହିଥିଲେ । କୋଭିଡ଼କୁ ନିୟନ୍ତ୍ରଣ ଭିତରେ ରଖିବା ପାଇଁ ଚୀନ ସରକାରଙ୍କ ଦ୍ୱାରା ଲଗାଯାଉଥିବା ଲମ୍ୱା ସମୟର ଲକଡ଼ାଉନ, ବ୍ୟାପକ ଟେଷ୍ଟିଂ ଓ ଅନ୍ୟାନ୍ୟ ମାତ୍ରାଧିକ ପ୍ରତିବନ୍ଧ ବିରୁଦ୍ଧରେ ସେଠାକାର ବିଭିନ୍ନ ସହରରେ ବିକ୍ଷୋଭ, ପ୍ରଦର୍ଶନମାନ ହେବା ଚୀନ ଭଳି ଦେଶରେ କଳ୍ପନାତୀତ । ଚୀନରେ ୧୯୮୯ରେ ହୋଇଥିବା ‘ତିଆନାନମେନ ସ୍କୋୟାର’ ପ୍ରତିବାଦ ପରେ ଏହା ସବୁଠାରୁ ବଡ଼ ପ୍ରତିବାଦର ଢେଉ ବୋଲି କୁହାଯାଉଛି । ଜନସାଧାରଣଙ୍କ ଚାପରେ ଏହି ନୀତିକୁ କେତେକାଂଶରେ କୋହଳ କରାଯାଇଥିବାରୁ ସେହି ନୀତିର କାର୍ଯ୍ୟକାରିତା ନେଇ ଏବେ ପ୍ରଶ୍ନ ଉଠୁଛି । ଚୀନରେ କୋଭିଡ଼ର ନୂତନ ଲହର ସାଂଘାତିକ ରୂପ ଧାରଣ କରିଥିବାରୁ ସେଠାକାର ଶୂନ କୋଭିଡ଼ ନୀତି ଓ ଏହାର ଅସଫଳତା ପଛର କାରଣ ସମ୍ପର୍କରେ ଜାଣି ସେଥିରୁ ଉଚିତ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି ।

‘ଶୂନ କୋଭିଡ଼’ ନୀତିରେ ସଂକ୍ରମଣର ସ୍ତରକୁ ଶୂନ ବା ତା’ ଆଖପାଖରେ ରଖିବା ପାଇଁ ଚୀନରେ ଗଣ ପରୀକ୍ଷା (ମାସ୍ ଚେଷ୍ଟିଂ), ସରକାରୀ ସଙ୍ଗରୋଧ ବ୍ୟବସ୍ଥା, ସହରବ୍ୟାପି କଠୋର ଲକଡ଼ାଉନ ଲାଗୁ କରିବା ଉପରେ ଗୁରୁତ୍ୱ ଦିଆଗଲା । ୨୦୧୯ରେ ଉହାନଠାରେ କୋଭିଡ଼ ଭାଇରସର ସଂକ୍ରମଣ ଆରମ୍ଭ ହେବା ମାତ୍ରେ ସେଠାକାର ପ୍ରାୟ କୋଟିଏ ଲୋକଙ୍କୁ ଚାନ ପ୍ରଥମ କରି ଲକଡ଼ାଉନରେ ବନ୍ଦ କରି ରଖିଦେଇ ବିଶ୍ୱବାସୀଙ୍କୁ ଚକିତ କରିଥିଲା । ଆମେରିକା ଭଳି ଦେଶରେ କୋଭିଡ ଯୋଗୁଁ ୧୦ ଲକ୍ଷରୁ ଅଧିକ ଲୋକ ମରିଥିବା ବେଳେ ଉପରୋକ୍ତ ନୀତିର ଅନୁସରଣ କରି ଚୀନ କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟାକୁ ମାତ୍ର ୧୬୦୦୦ ମଧ୍ୟରେ ସୀମିତ କରିପାରିଥିବାର ଦାବି କରୁଥିଲା । ପ୍ରାଥମିକ ସ୍ତରରେ ସରକାରଙ୍କ ପଦକ୍ଷେପକୁ ଲୋକମାନେ ଗ୍ରହଣ କରିଥିଲେ ବି ଭାଇରସ ଅଧିକ ସଂକ୍ରମଣଯୋଗ୍ୟ ହେଲା । ଏହାର ସଂକ୍ରମଣକୁ ରୋକି ହେଲାନାହିଁ ଓ ଚୀନର ବିଭିନ୍ନ ଅଞ୍ଚଳକୁ ଏହା ବ୍ୟାପିବାକୁ ଲାଗିଲା । ଫଳରେ ସରକାର ମଧ୍ୟ ଅଧିକ ସଂଖ୍ୟାରେ ଆହୁରି କଡ଼ାକଡ଼ି ଭାବେ ଲକଡ଼ାଉନ ଲାଗୁ କରିବାକୁ ଲାଗିଲେ । ‘ଶୂନ କୋଭିଡ’ ନୀତିରେ ଅଞ୍ଚଳ ଭିତ୍ତିରେ ପଦକ୍ଷେପଗୁଡ଼ିକ ଭିନ୍ନ ଭିନ୍ନ ହୋଇଥିଲେ ବି ମୋଟାମୋଟି ଲକଡ଼ାଉନ, ଟ୍ରେସିଂ, ଗଣ ପରୀକ୍ଷା ଓ ସଙ୍ଗରୋଧ ଭଳି ପଦକ୍ଷେପଗୁଡ଼ିକୁ ବ୍ୟାପକ ଭାବେ କାର୍ୟ୍ୟକାରୀ କରାଯାଇଥିଲା । ଏହି ନୀତି ଯୋଗୁଁ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ କମ ହୋଇଥିଲେ ବି ତା’ର ଅନେକ କୁପରିଣାମ ମଧ୍ୟ ଦେଖିବାକୁ ମିଳିଥିଲା । ଚୀନରେ କୋଭିଡ଼ ସଂକ୍ରମଣ ବ୍ୟାପକ ହୋଇ ନ ପାରିବାରୁ ଅନ୍ୟ ଦେଶଗୁଡ଼ିକ ପରି ସେଠାକାର ଲୋକଙ୍କ ମଧ୍ୟରେ ସ୍ୱାଭାବିକ ପ୍ରତିରୋଧ ଶକ୍ତି (ନାଚୁରାଲ ଇମ୍ୟୁନିଟି) ବୃଦ୍ଧି ପାଇପାରିଲା ନାହିଁ । ଲକଡ଼ାଉନ ଯୋଗୁଁ ଚୀନର ଉତ୍ତର-ପଶ୍ଚିମରେ ଅବସ୍ଥିତ ୟିନିଙ୍ଗ ଭଳି କେତେକ ସହରରେ ଖାଦ୍ୟ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଉତ୍କଟ ଅଭାବ ଦେଖା ଦେଇଥିଲା । ବିଭିନ୍ନ ସ୍ଥାନକୁ ଯିବା ପାଇଁ ଓ ଯାତ୍ରା କରିବା ପାଇଁ ଲୋକମାନଙ୍କୁ ବାରମ୍ୱାର ପରୀକ୍ଷାର ସମ୍ମୁଖୀନ ହେବାକୁ ହେଲା, ଯଦ୍ଦ୍ୱାରା ଦୈନନ୍ଦିନ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇ ଲୋକେ ଅତିଷ୍ଠ ହୋଇଉଠିଲେ । ଚୀନରେ ପ୍ରସ୍ତୁତ ଭ୍ୟାକସିନଗୁଡ଼ିକ ଏମଆରଏନଏ ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ହୋଇ ନଥିବାରୁ ଅନ୍ୟ ବିଦେଶୀ ଭ୍ୟାକସିନ ତୁଳନାରେ ସେଗୁଡ଼ିକର କାର୍ୟ୍ୟକାରିତା ଅପେକ୍ଷାକୃତ କମ । ଏହା ସତ୍ତ୍ୱେ ଚୀନ କୌଣସି ବିଦେଶୀ ଭ୍ୟାକସିନକୁ ସେଠାରେ ଅନୁମତି ପ୍ରଦାନ କରି ନଥିବାରୁ ଚୀନବାସୀ ଉନ୍ନତ ମାନର ଟୀକା ପାଇବାରୁ ବଞ୍ଚିତ ହେଲେ ।    

ଚୀନରେ କୋଭିଡ଼ ସଂକ୍ରମଣ ବଢ଼ିବା ଓ ସେଥିଯୋଗୁଁ ବିଭିନ୍ନ ସ୍ଥାନରେ ବ୍ୟାପକ ଲକଡ଼ାଉନ ଜାରି ହୋଇ କଳକାରଖାନାଗୁଡ଼ିକୁ ବନ୍ଦ ରଖିବା ଦ୍ୱାରା ସେଠାରେ ଉତ୍ପାଦନ ସାଂଘାତିକ ଭାବେ ବାଧାପ୍ରାପ୍ତ ହୋଇଛି । ଏହି ନୀତି ଯୋଗୁଁ ଗମନାଗମନ ଉପରେ ବ୍ୟାପକ କଟକଣା ଲାଗି ଆମଦାନି ଓ ରପ୍ତାନି ଉପରେ କଟକଣା ଲାଗିଲା । ଏଥି ସହ ଦେଶ ଭିତରକୁ ଓ ବାହାରକୁ ଲୋକଙ୍କ ଗମନାଗମନ ଉପରେ ମଧ୍ୟ କଟକଣା ଲାଗି ଅର୍ଥନୀତି ଉପରେ ତା’ର ପ୍ରତିକୂଳ ପ୍ରଭାବ ପଡ଼ୁଛି । ୨୦୨୨ରେ ଚୀନର ମୋଟ ଘରୋଇ ଉତ୍ପାଦର ବିକାଶ ହାର ୩.୨ ପ୍ରତିଶତ ହେଲା ଯାହା ଗତ ୪୦ ବର୍ଷ ମଧ୍ୟରେ ସର୍ବନିମ୍ନ । କଳକାରଖାନାରେ ଉତ୍ପାଦନ ହ୍ରାସ ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ) ବାଧାପ୍ରାପ୍ତ ହୋଇଛି, ଯାହାର ପ୍ରଭାବ କେବଳ ଚୀନ ନୁହେଁ ବରଂ ସାରା ବିଶ୍ୱର ଅର୍ଥନୀତି ଉପରେ ପଡ଼ୁଛି । ଉଲ୍ଲେଖଯୋଗ୍ୟ ଯେ ମୋବାଇଲର ଯନ୍ତ୍ରାଂଶ ହେଉ ବା ଔଷଧ ପ୍ରସ୍ତୁତି ପାଇଁ ଆବଶ୍ୟକ କେମିକାଲ କମ୍ପାଉଣ୍ଡ ହେଉ, ବିଶ୍ୱର ପ୍ରାୟ ଏକ-ତୃତୀୟାଂଶ ମଧ୍ୟବର୍ତ୍ତୀ ପଣ୍ୟ (ଇଣ୍ଟରମିଡ଼ିଏଟ ଗୁଡସ୍)ର ଉତ୍ପାଦନ ଚୀନରେ ହୋଇଥାଏ । ଏହି ମଧ୍ୟବର୍ତ୍ତୀ ପଣ୍ୟ ଅନେକ କଳକାରଖାନାରେ କଞ୍ଚାମାଲ ରୂପେ ବ୍ୟବହାର ହୋଇଥାଏ । ଭାରତ ସମେତ ଅନେକ ଦେଶର କଳକାରଖାନା ଏଥିପାଇଁ ଚୀନ ଉପରେ ନିର୍ଭରଶୀଳ ହୋଇଥିବାରୁ ଏହି ପଣ୍ୟଗୁଡ଼ିକର ଉତ୍ପାଦନ ହ୍ରାସ ଯୋଗୁଁ ଅନ୍ୟାନ୍ୟ ଦେଶରେ ମଧ୍ୟ କଳକାରଖାନାଗୁଡ଼ିକରେ ଉତ୍ପାଦନ ଅତ୍ୟଧିକ ପ୍ରଭାବିତ ହୋଇଛି । ଅର୍ଥନୀତିଜ୍ଞ ଆଲିସିଆ ଗାର୍ସିଆ ହେରେରୋଙ୍କ ମତରେ ବିଶ୍ୱ ଅର୍ଥନୀତି ଉପରେ ୟୁକ୍ରେନ ଯୁଦ୍ଧର ଯେତିକି କୁପ୍ରଭାବ ପଡ଼ୁଛି ତା’ଠାରୁ ଯଥେଷ୍ଟ ଅଧିକ କୁପ୍ରଭାବ ଚୀନର ଶୂନ କୋଭିଡ଼ ନୀତି ଯୋଗୁଁ ପଡ଼ୁଛି । ଚୀନ ବିଶ୍ୱର ସର୍ବାଧିକ ପେଟ୍ରୋଲିଅମ ଆମଦାନିକାରୀ ଦେଶ ହୋଇଥିବାରୁ ସେଠାରେ ଶୂନ କୋଭିଡ଼ ନୀତି ଯୋଗୁଁ ପେଟ୍ରୋଲିଅମର ଚାହିଦା ହ୍ରାସ ପାଇ ଆମଦାନି ଯଥେଷ୍ଟ କମ ହୋଇଛି । ବିଶ୍ୱ ବଜାରରେ ପେଟ୍ରୋଲିଅମର ଦର ହ୍ରାସ ପାଇବାର ଏହା ଏକ ପ୍ରମୁଖ କାରଣ । ଅବଶ୍ୟ ଏହାଦ୍ୱାରା ଭାରତ ପରି ଅନ୍ୟ ପେଟ୍ରୋଲିଅମ ଆମଦାନିକାରୀ ଦେଶଗୁଡ଼ିକ ପରୋକ୍ଷରେ ଲାଭବାନ ହୋଇଛନ୍ତି ।

ଚୀନରେ ସଂକ୍ରମଣ ହାର ଆଖିଦୃଶିଆ ଭାବେ କମି ନ ଥିଲେ ବି ସାଧାରଣ ପରିବହନ ବ୍ୟବସ୍ଥାରେ ଗମନାଗମନ, ବାର, ରେସ୍ତୋରାଁ ଆଦିକୁ ପ୍ରବେଶ କରିବା ଲାଗି ଆବଶ୍ୟକ ହେଉଥିବା ପିସିଆର ଟେଷ୍ଟ ରିପୋର୍ଟ ଏବେ ଅନାବଶ୍ୟକ ହୋଇପଡ଼ିଛି । ବିଭିନ୍ନ ସହରରେ ପ୍ରତିବାଦ ପରେ ଚୀନ ତା’ର ଶୂନ କୋଭିଡ଼ ନୀତିକୁ କୋହଳ କରିବାକୁ ଏକପ୍ରକାର ବାଧ୍ୟହୋଇଛି । ତଦନୁଯାୟୀ କୋଭିଡ଼ ଆକ୍ରାନ୍ତ ଲୋକଙ୍କୁ ବାଧ୍ୟତାମୂଳକ ଭାବେ ସଙ୍ଗରୋଧ କେନ୍ଦ୍ରରେ ରଖିବା ନୀତିକୁ କୋହଳ କରାଯାଇଛି । ଯେଉଁମାନଙ୍କର କୋଭିଡ଼ର ସ୍ୱଳ୍ପ ବା ଆଦୌ ଲକ୍ଷଣ ନ ଥିବ ସେମାନଙ୍କୁ ଘରେ ନିଃସଙ୍ଗ ଭାବେ ରହିବାର ଅନୁମତି ଦିଆଯାଉଛି । ଚୀନ ତା'ର ‘ଶୂନ କୋଭିଡ଼’ ନୀତିର ସଫଳତାର ଡିଣ୍ଡିମ ପିଟି ଏହି ନୀତି ପାଇଁ ପଶ୍ଚିମୀ ଦେଶଙ୍କ ତୁଳନାରେ ଚୀନରେ କୋଭିଡ଼କୁ ନିୟନ୍ତ୍ରଣ ଭିତରେ ରଖାଯାଇପାରିଛି ବୋଲି କହୁଥିଲା । ‘ଶୂନ କୋଭିଡ’ ନୀତିର ଲକ୍ଷ୍ୟ ଥିଲା ପ୍ରତି ସଂକ୍ରମଣର ଲହରୀରେ ନୂଆ ସଂକ୍ରମଣକୁ ଶୂନ ବା ତା’ ଆଖପାଖ ସ୍ତରରେ ରଖିବା । କିନ୍ତୁ କଡ଼ା କଟକଣା ସତ୍ତ୍ୱେ ସେହି ଲକ୍ଷ୍ୟ ହାସଲ ହୋଇପାରିଲା ନାହିଁ । ତେଣୁ ରୋଗ ଉନ୍ମୁଳନର ଲକ୍ଷ୍ୟକୁ ପରିହାର କରି ଚୀନର ଏବେ ନୂଆ ଲକ୍ଷ୍ୟ ହୋଇଛି ଭାଇରସ ସଂକ୍ରମଣକୁ ମନ୍ଥର କରିବା । ସେଥିଲାଗି ଭାଇରସ ସଂକ୍ରମଣ ଉପରେ ନଜର ରଖି ଗୁରୁତର ଅସୁସ୍ଥତା ଓ ମୃତ୍ୟୁକୁ ହ୍ରାସ କରିବା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବାକୁ ହେବ । ଆବଶ୍ୟକ ସ୍ଥଳେ କଟକଣା ଲାଗିବ, କିନ୍ତୁ ଏଣିକି ସହରଗୁଡ଼ିକୁ ଖୋଲା ରହିବା ପାଇଁ ଆଉ କୋଭିଡ଼ ସଂକ୍ରମଣକୁ ଶୂନ ସ୍ତରକୁ ଆଣିବା ଦରକାର ହେବ ନାହିଁ । ତେବେ ନୀତିରେ ଏହି ପରିବର୍ତ୍ତନକୁ ମନ୍ଥର ଭାବେ ଲାଗୁ କରା ନ ଗଲେ ଚୀନରେ ସଂକ୍ରମଣରେ ହଠାତ୍ ବୃଦ୍ଧି ପାଇ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇପାରେ ବୋଲି ବିଶେଷଜ୍ଞଙ୍କ ମତ । ‘ଶୂନ କୋଭିଡ଼’ ନୀତିରେ ଲାଗୁ ହୋଇଥିବା କଡ଼ା କଟକଣା ଯୋଗୁଁ ଚୀନର ଅର୍ଥନୀତି ଗୁରୁତର ଭାବେ ବାଧାପ୍ରାପ୍ତ ହେବା ସହ ଅସଂଖ୍ୟ ଲୋକ ସେମାନଙ୍କ ଜୀବିକା ହରାଇଥିବାର ଅଜସ୍ର ପ୍ରମାଣ ସତ୍ତ୍ୱେ ସି ଜିନପିଙ୍ଗ ଏହି ନୀତିକୁ ତାଙ୍କ ନିଜସ୍ୱ ନୀତି ବୋଲି ଗର୍ବ ଅନୁଭବ କରି ତାକୁ ଏକ ପ୍ରତିଷ୍ଠାର ପ୍ରଶ୍ନ କରି ସାରିଥିବାରୁ ସେଥିରୁ ଓହରିବାର କୌଣସି ସମ୍ଭାବନା ନାହିଁ ବୋଲି କହି ଆସୁଥିଲେ । ହେଲେ ଦେଶବ୍ୟାପି ପ୍ରତିବାଦ ଓ ଜନ ଅସନ୍ତୋଷ ତାଙ୍କୁ ଶେଷରେ ତାଙ୍କ ନୀତିରୁ ଓହରି ଆସିବାକୁ ବାଧ୍ୟ କଲା । ଶୂନ କୋଭିଡ ନୀତି ଯୋଗୁଁ ହତାଶାର ସ୍ତର ବୃଦ୍ଧି ପାଇ ରାଜନୈତିକ ସଂସ୍କାର ପାଇଁ ଦାବି ଉଠିଲାଣି । ଏହା ସି ଜିନପିଙ୍ଗଙ୍କ ଲୋକପ୍ରିୟତା ପ୍ରତି ଆଞ୍ଚ ଆଣିବା ସହ କିଛି ଲୋକ ତାଙ୍କ କ୍ଷମତାରୁ ଅପସାରଣ କଥା କହିଲେଣି ।

ଭବିଷ୍ୟତରେ ମହାମାରୀ ପରିଚାଳନା ପାଇଁ ଚୀନର ‘ଶୂନ କୋଭିଡ଼ ନୀତି’ର ଅସଫଳତାରୁ ଅନ୍ତତଃ କେତୋଟି ଶିକ୍ଷା ମିଳିପାରିଲା । ମହାମାରୀ ପରିଚାଳନାର ସମସ୍ତ ଦାୟିତ୍ୱ କେବଳ ରାଷ୍ଟ୍ର କୈନ୍ଦ୍ରିକ ହୋଇ ସମସ୍ତ କଟକଣା ଲୋକଙ୍କ ଉପରେ ଜୋର ଜବରଦସ୍ତ ଲଦି ଦେବା ଉଚିତ ନୁହେଁ । ଏଥିପାଇଁ ବ୍ୟକ୍ତି ଓ ସମାଜକୁ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବା ଲାଗି ପ୍ରେରିତ କରାଯିବା ଆବଶ୍ୟକ । ମାସ୍କ ପିନ୍ଧିବା, ହାତ ଧୋଇବା, ବାୟୁ ଚଳାଚଳକୁ ସୁନିଶ୍ଚିତ କରିବା, ଗହଳି କମ କରିବା ଓ ଗହଳି ସ୍ଥାନକୁ ନଯିବା ଭଳି ବ୍ୟକ୍ତିର ଉଚ୍ଚତର କର୍ତ୍ତବ୍ୟକୁ ସୁନିଶ୍ଚିତ କରିବା ପାଇଁ ଜନ ସଚେତନତା ସୃଷ୍ଟି କରିବାରେ ସାମାଜିକ ଅନୁଷ୍ଠାନଗୁଡ଼ିକ ଏକ ବଡ଼ ଭୂମିକା ନିର୍ବାହ କରିପାରିବେ । କୋଭିଡ଼ ଭାଇରସ ତ ରହିବ, ତେଣୁ ସଂକ୍ରମଣର ବିପଦ ବି ରହିବ । ଆମକୁ ଭାଇରସଙ୍କ ସହ ବଞ୍ଚି ଶିଖିବାକୁ ହେବ । ସୁଚିନ୍ତିତ ଭାବେ ପରିଚାଳନା କରି କୋଭିଡ ସଂକ୍ରମଣକୁ ସୀମିତ କରାଯାଇ ପାରିବ । ଯେହେତୁ ବିପଦର ସୁପରିଚାଳନା କରିବା ସମ୍ଭବ, ତେଣୁ ଲକଡ଼ାଉନ ଭଳି ପରିଚାଳନାଯୋଗ୍ୟ ସବୁ କିଛି କଟକଣା ଓ ପଦକ୍ଷେପକୁ ଠିକ୍ ରୂପେ ଉଚିତ ଢଙ୍ଗରେ ପରିଚାଳନା କରାଯିବା ଦରକାର । ସାଧାରଣ ନାଗରିକଙ୍କୁ ଅସୀମ କଟକଣା ମଧ୍ୟରେ ଦୀର୍ଘ ଦିନ ଧରି ରହିବାକୁ ବାଧ୍ୟ କରାଗଲେ, ତା’ର ଫଳ ମଧ୍ୟ ଓଲଟା ହୋଇପାରେ । ଆବଶ୍ୟକ ଓ ଉପଯୁକ୍ତ ସ୍ଥଳରେ ତାହା ଉଚିତ ମାତ୍ରାରେ କୋହଳ କରା ନ ଗଲେ ଜନ ଅସନ୍ତୋଷ କୁହୁଳି ବିପଜ୍ଜନକ ରୂପ ନେବା ଅବଶ୍ୟମ୍ଭାବୀ  । 


Published in Odisha Reporter on December 29, 2022       


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍