Skip to main content

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା: ରାଜ୍ୟ ଓ ଚାଷୀଙ୍କ ଅଧିକ ହିତ କିଭଳି ସମ୍ଭବ

ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ହେଉଥିବା ଉପ-ନିର୍ବାଚନରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀମାନେ ସେମାନଙ୍କ ଖରିଫ ୨୦୨୧ର ପ୍ରାପ୍ୟ ବୀମା ଦେୟ ଦୀର୍ଘ କାଳ ପରେ ମଧ୍ୟ ନ ପାଇବା, କୌଣସି ଯୁକ୍ତିଯୁକ୍ତ କାରଣ ନ ଦର୍ଶାଇ ସେମାନଙ୍କୁ ବୀମା ଦେୟ ପାଇବାରୁ ବଞ୍ଚିତ କରିବା ଆଦି ପ୍ରସଙ୍ଗ ଚାଷୀମାନଙ୍କ ଗଣ ଅସନ୍ତୋଷର କାରଣ ପାଲଟି ଏକ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ହୋଇଥିବା ବେଳେ ଏଥିପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପରସ୍ପରକୁ ଦୋଷାରୋପ କରିବା ଭଳି ସ୍ଥିତି ଯୋଜନାର ଉଦ୍ଦେଶ୍ୟ ସାଧନ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର କାର୍ଯ୍ୟକାରିତାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଚାଷୀ ଅସନ୍ତୋଷ ଦେଖା ଦେଉଛି । ରାଜ୍ୟ ସରକାରଙ୍କ ଅନୁସାରେ ଖରିଫ ୨୦୨୧ରେ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ ଓ ୧୫ଟି ପୌରାଞ୍ଚଳର ୨୬୩୫୬୦ ହେକ୍ଟର ଜମିରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିଲେ ମଧ୍ୟ ଅନେକ କ୍ଷତିଗ୍ରସ୍ତ ଚାଷୀ ବୀମା ଦେୟ ପାଇ ନଥିବାରୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାର ଉଦ୍ୟମ କରି ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁତରାଂ ଏଭଳି ସମସ୍ୟାର ସମୀକ୍ଷା ଓ ପୁନର୍ବିବେଚନାର ଆବଶ୍ୟକତା ରହିଛି ବୋଲି ମନେ ହୋଇଥାଏ ।

    ଖରିଫ ୨୦୧୬ରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ୟ୍ୟକାରୀ ହେବାଠାରୁ ଦେଶର ପ୍ରାୟ ୧୪ କୋଟି ଚାଷୀ ପରିବାର ମଧ୍ୟରୁ ଏ ପର୍ୟ୍ୟନ୍ତ ଫସଲବୀମାଭୁକ୍ତ ଚାଷୀ ପରିବାରଙ୍କ ସଂଖ୍ୟା ୨ କୋଟି ଟପି ପାରିନାହିଁ, ଯାହା ବାସ୍ତବରେ ଏକ ପରିତାପର ବିଷୟ । ଏହି ଯୋଜନାକୁ ନେଇ ମୁଖ୍ୟତଃ ତିନିଟି ସମାଲୋଚନା ହୋଇଆସିଛି । ପ୍ରଥମତଃ, ବୀମା କମ୍ପାନୀଗୁଡ଼ିକ ଯେତିକି ପରିମାଣର ବୀମା ପ୍ରିମିଅମ ରାଶି ପାଉଛନ୍ତି ତା’ଠାରୁ ଯଥେଷ୍ଟ କମ ରାଶି ବୀମା ଦେୟ ଭାବେ ପ୍ରଦାନ କରୁଥିବାରୁ ସେମାନେ ଅଯଥାରେ ଲାଭବାନ ହେଉଛନ୍ତି । ବିଗତ ବର୍ଷମାନଙ୍କରେ ବୀମା ପ୍ରିମିଅମ ଅନୁପାତରେ ବୀମା ଦେୟ ରାଶିର ଏକ ତୁଳନାତ୍ମକ ଚିତ୍ର ଦେଖିବା । ରବି ୨୦୧୭ରୁ ରବି ୨୦୨୧ ମଧ୍ୟରେ ଏହା ୧୦୬.୯ ପ୍ରତିଶତରୁ ୪୭.୧ ପ୍ରତିଶତକୁ ଖସି ଆସିଥିବା ବେଳେ ଖରିଫ ୨୦୧୮ରୁ ଖରିଫ ୨୦୨୧ ମଧ୍ୟରେ ତାହା ୯୩.୯ ପ୍ରତିଶତରୁ ୪୧.୯ ପ୍ରତିଶତକୁ ହ୍ରାସ ପାଇଛି । ଅବଶ୍ୟ ଓଡ଼ିଶା କ୍ଷେତ୍ରରେ ଏହି ଅନୁପାତ ଅପେକ୍ଷାକୃତ ଭଲ । ଦ୍ୱିତୀୟତଃ, ଏହା ସବୁ ଋଣୀ ଚାଷୀଙ୍କ ପାଇଁ ବାଧ୍ୟତାମୂଳକ ହୋଇଥିବାରୁ ନିଜ ଫସଲକୁ ବୀମାଭୁକ୍ତ କରିବା ଲାଗି ଅନାଗ୍ରହୀ ଚାଷୀମାନେ ପ୍ରିମିଅମ ଦେବାକୁ ବାଧ୍ୟ ହେଉଛନ୍ତି । ତୃତୀୟତଃ, ଫସଲ କ୍ଷତିର ପରିମାଣ ନିର୍ଦ୍ଧାରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପୁରୁଣା ପଦ୍ଧତିରେ ହେଉଥିବା ସଂଖ୍ୟାଧିକ ଫସଲ କଟା ପରୀକ୍ଷା (କ୍ରପ କଟିଂ ଏକ୍ସପେରିମେଣ୍ଟ) ପାଇଁ ଅନେକ ସମୟ ଲାଗିଥାଏ । ଅନେକ କ୍ଷେତ୍ରରେ ଏଥିରେ ପ୍ରଦତ୍ତ ଅମଳ ସମ୍ପର୍କିତ ତଥ୍ୟ ଉଭୟ ଚାଷୀ ଓ ବୀମା କମ୍ପାନୀଙ୍କ ଦ୍ୱାରା ଗ୍ରହଣୀୟ ହୋଇନଥାଏ । ଏହା ବିବାଦର କାରଣ ହୋଇ ବୀମା ଦେୟ ମିଳିବାରେ ଅହେତୁକ ବିଳମ୍ୱ ଘଟିଥାଏ । ଏହି ସମାଲୋଚନାଗୁଡ଼ିକୁ ଧ୍ୟାନରେ ରଖି ଖରିଫ ୨୦୨୦ରୁ ଯୋଜନାରେ ଆବଶ୍ୟକ ସଂଶୋଧନ କରାଯାଇଛି, ଯାହା ଅନୁଯାୟୀ ଏଣିକି ଋଣୀ ଚାଷୀଙ୍କ ପାଇଁ ଫସଲବୀମା ଯୋଜନାରେ ସାମିଲ ହେବା ବାଧ୍ୟତାମୂଳକ ନ ହୋଇ ଇଚ୍ଛାଧୀନ ହୋଇଛି । 

    ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଏକ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଯୋଜନା ଯେଉଁଥିରେ ଚାଷୀଙ୍କଠାରୁ ରବି ଓ ଖରିଫ ଋତୁରେ ପ୍ରିମିଅମ ରାଶିର ଯଥାକ୍ରମେ ୧.୫ ଓ ୨ ପ୍ରତିଶତ ଆଦାୟ ହେଉଥିବା ବେଳେ ବ୍ୟାବସାୟିକ ଫସଲ ପାଇଁ ୫ ପ୍ରତିଶତ ଆଦାୟ ହୋଇଥାଏ । ଅବଶିଷ୍ଟ ପ୍ରିମିଅମ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧା ଅଧା ବହନ କରୁଥିବାରୁ ଏହା ଏକ ଅତିମାତ୍ରାରେ ସବସିଡ଼ି ଆଧାରିତ ଯୋଜନା । ଗତ ୬ ବର୍ଷ ମଧ୍ୟରେ ଫସଲବୀମା ପ୍ରିମିଅମ ଦେୟ ପ୍ରାୟ ୬ ଗୁଣ ବଢିସାରିଛି । ଫଳରେ ରାଜ୍ୟ ସରକାରଗୁଡ଼ିକଙ୍କ ଉପରେ ବୀମା ପ୍ରିମିଅମ ସବସିଡ଼ିର ବୋଝ ମଧ୍ୟ ଯଥେଷ୍ଟ ବଢ଼ିଯାଇଛି । ଏହା କିଛି ରାଜ୍ୟର କୃଷି ବଜେଟର ଏକ ବଡ ଅଂଶ ହେଉଥିବାରୁ ସେମାନେ ଏଥିରେ ଅଂଶଗ୍ରହଣ କରିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି । ମୂଳରୁ ପଞ୍ଜାବ ଏଥିରେ ଭାଗ ନେଉନାହିଁ । ପରବର୍ତ୍ତୀ ସମୟରେ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ପରି ରାଜ୍ୟଗୁଡିକ ମଧ୍ୟ ଏହି ଯୋଜନାରୁ ଓହରି ଯାଇଛନ୍ତି । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏହି ଯୋଜନାରୁ ଓହରି ଆସିଥିଲେ ବି ଖରିଫ ୨୦୨୨ରେ ପୁଣି ଥରେ ଯୋଗଦାନ କରିଛନ୍ତି । କେବଳ ବିରୋଧୀ ଶାସିତ ରାଜ୍ୟ ନୁହନ୍ତି, ଏପରିକି ବିଜେପି ଶାସିତ ଗୁଜରାଟ ଏଥିରୁ ଓହରି ଆସିଥିବା ବେଳେ ହରିଆଣା ଓ ଅନ୍ୟ କେତେକ ରାଜ୍ୟ ମଧ୍ୟ ସେ ନେଇ ଗମ୍ଭୀରତାର ସହ ବିମର୍ଶ କରୁଥିବାର ଜଣାପଡ଼େ । ଏହି ରାଜ୍ୟଗୁଡ଼ିକ ଚାଷୀଙ୍କ ଫସଲ କ୍ଷତିକୁ ଭରଣା କରିବା ପାଇଁ ଭିନ୍ନ ଭିନ୍ନ ବାଟକୁ ଅକ୍ତିଆର କରିଛନ୍ତି । ଏଥିପାଇଁ ବିହାର ଓ ଝାଡ଼ଖଣ୍ଡ ରାଜ୍ୟଦ୍ୱୟ ନିଜସ୍ୱ ଫସଲ ବୀମା ଯୋଜନାର ପ୍ରଚଳନ କରିଛନ୍ତି, ଯେଉଁଥିରେ ଚାଷୀଙ୍କୁ କୌଣସି ପ୍ରିମିଅମ ଦେବାକୁ ହେଉ ନ ଥିବାବେଳେ ସେମାନଙ୍କର ୫ ଏକର ଯାଏଁ ଜମିରେ ଫସଲ ସୀମାନ୍ତ ଅମଳ (ଥ୍ରେସହୋଲ୍ଡ ୟିଲଡ୍)ଠାରୁ ୨୦ ପ୍ରତିଶତରୁ ଅଧିକ ନଷ୍ଟ ହୋଇଥିଲେ ସେମାନେ ଆର୍ଥିକ ସହାୟତା ପାଇଥାଆନ୍ତି । ପଶ୍ଚିମବଙ୍ଗ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କଠାରୁ କୌଣସି ପ୍ରିମିଅମ ସବସିଡ଼ି ନ ନେଇ ‘ବାଙ୍ଗଲା ଶସ୍ୟ ବୀମା’ ଯୋଜନାର ପ୍ରଚଳନ କରି ଟେଣ୍ଡର ଜରିଆରେ ବୀମା କମ୍ପାନୀଙ୍କୁ ବାଛୁଛନ୍ତି । ଏଠାରେ ମଧ୍ୟ ସମସ୍ତ ଖାଦ୍ୟଶସ୍ୟ ଓ ତୈଳବୀଜ ଚାଷ ଉପରେ ଚାଷୀଙ୍କଠାରୁ କୌଣସି ପ୍ରିମିଅମ ଆଦାୟ ହେଉନାହିଁ । ଗୁଜରାଟରେ ‘ମୁଖ୍ୟମନ୍ତ୍ରୀ କିସାନ ସହାୟ ଯୋଜନା’ର ପ୍ରଚଳନ ହୋଇଛି, ଯେଉଁଥିରେ ମରୁଡ଼ି, ଅତ୍ୟଧିକ ବର୍ଷା ଓ ଅସମୟରେ ବର୍ଷା ଜନିତ ପ୍ରାକୃତିକ ଦୁର୍ବିପାକରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଚାଷୀମାନଙ୍କୁ ସେମାନଙ୍କ ୪ ହେକ୍ଟର ପର୍ୟ୍ୟନ୍ତ ଜମିରେ ଫସଲ ନଷ୍ଟ ପାଇଁ ହେକ୍ଟର ପିଛା ୨୦ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି । ଖରିଫ ଋତୁରେ ଚାଷ ହେଉଥିବା ସବୁ ଫସଲ ଏହି ଯୋଜନା ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏଥିପାଇଁ ଚାଷୀଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ି ନଥାଏ । ଯୋଜନାରୁ ଓହରି ଆସିବା ପରେ ଆନ୍ଧ୍ରପ୍ରଦେଶ ଏକ ବୀମା କମ୍ପାନୀ ପ୍ରତିଷ୍ଠା କରି ତା’ ଜରିଆରେ ଫସଲବୀମା କରିବାକୁ ପଦକ୍ଷେପ ଗ୍ରହଣ କରିଥିଲା । ନିୟମ ଅନୁଯାୟୀ କୌଣସି ରାଜ୍ୟ ନିଜସ୍ୱ ବୀମା କମ୍ପାନୀ ପ୍ରତିଷ୍ଠା କରି ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ସ୍ୱଚ୍ଛ ଭାବେ ବୀମାଙ୍କିକ ଦର (ଆକଚୁଆରିଆଲ ରେଟ) ନିର୍ଦ୍ଧାରଣ କଲେ ସେହି ରାଜ୍ୟକୁ ମଧ୍ୟ କେନ୍ଦ୍ର ସରକାରଙ୍କ ପ୍ରିମିଅମ ସବସିଡ଼ି ମିଳିଥାଏ ।

    ଓଡ଼ିଶାର ଚାଷୀମାନଙ୍କୁ ଠିକ୍ ସମୟରେ ଉଚିତ କ୍ଷତିପୂରଣ ପ୍ରଦାନ ଲାଗି ସରକାର ଦୁଇଟି ବିକଳ୍ପ କଥା ଚିନ୍ତା କରିପାରନ୍ତି । ପ୍ରଥମଟି ହେଲା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ କିପରି ଅଧିକ ସଂଖ୍ୟକ କ୍ଷତିଗ୍ରସ୍ତ ଚାଷୀ କ୍ଷତିପୂରଣ ରାଶି ପାଇପାରିବେ ଓ ରାଜକୋଷ ଉପରେ ପଡ଼ୁଥିବା ପ୍ରିମିଅମ ସବସିଡ଼ି ବୋଝକୁ ହ୍ରାସ କରି ହେବ, ସେ ନେଇ ଚିନ୍ତା କରିବା । ସେ କ୍ଷେତ୍ରରେ ଫସଲ କଟା ପରୀକ୍ଷା ସମୟକୁ କମ କରାଯିବା ଆବଶ୍ୟକ । ସେଥି ଲାଗି ଅଧିକ ସମୟ ଲାଗୁଥିବା ପାରମ୍ପରିକ ପଦ୍ଧତି ବଦଳରେ ଅତ୍ୟନ୍ତ ଆଧୁନିକ  ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରିବାକୁ ହେବ, ଯେମିତି କି  ରିମୋଟ ସେନସିଙ୍ଗ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡ୍ରୋନ, ମୋବାଇଲ ଫୋନ ଇତ୍ୟାଦି । ଏହାଦ୍ୱାରା ଫସଲ କଟା ପରୀକ୍ଷାର ବିଶ୍ୱସନୀୟତାକୁ ମଧ୍ୟ ବଢ଼ାଇ ହେବ ଓ ବିବାଦ ସଂଖ୍ୟା କମିବ, ଯାହା ଠିକ୍ ସମୟରେ ବୀମା ଦେୟ ପଇଠର ବାଟ ପରିଷ୍କାର କରିବ । ବିଭିନ୍ନ ଜିଲ୍ଲାର ଫସଲ ଋଣ ମାପକାଠି (ସ୍କେଲ ଅଫ୍ ଫାଇନାନ୍ସ)ରେ ବିଭିନ୍ନ ଫସଲ ଚାଷ ପାଇଁ ଉଦ୍ଦିଷ୍ଟ ଋଣରାଶିରେ ବ୍ୟାପକ ତାରତମ୍ୟ ରହିଛି । ଉଦାହରଣ ସ୍ୱରୂପ ଖରିଫ ୨୦୨୨ରେ ଅଧିକାଂଶ ଜିଲ୍ଲାରେ ଧାନ ଫସଲ ପାଇଁ ଏକର ପିଛା ୨୭୩୦୦ ଟଙ୍କାର ଋଣ ପ୍ରାବଧାନ ଥିଲାବେଳେ ବରଗଡ଼ ଜିଲ୍ଲାରେ ଏହା ସର୍ବାଧିକ ୩୦୮୦୦ ଟଙ୍କା ବା ୩୫୦୦ ଟଙ୍କା ଅଧିକ ରହିଛି । ଫସଲ ଋଣ ମାପକାଠିରେ ପ୍ରତି ଫସଲ ପାଇଁ ସର୍ବାଧିକ ଋଣ ରାଶି ଉପରେ ଅଙ୍କୁଶ ଲଗାଇ ଏହି ତାରତମ୍ୟକୁ ହ୍ରାସ କରାଯାଇ ପାରିଲେ ରାଜ୍ୟ ସରକାରଙ୍କ ପ୍ରିମିଅମ ସବସିଡ଼ି ବାବଦ ଦେୟ ଅନେକ ଅଂଶରେ କମିଯିବ । ଋଣୀ ଚାଷୀଙ୍କ ପାଇଁ ଫସଲବୀମା କରିବା ଏବେ ଇଚ୍ଛାଧୀନ ହୋଇଥିଲେ ବି ସଚେତନତା ଅଭାବରୁ ଅନେକ ବ୍ୟାଙ୍କ ଏବେ ମଧ୍ୟ ବୀମା ପାଇଁ ରାଜି ନ ଥିବା ଚାଷୀଙ୍କ ଫସଲର ଜବରଦସ୍ତ ବୀମାଭୁକ୍ତ କରିବା ଲକ୍ଷ୍ୟ କରାଯାଉଛି । ଅନିଚ୍ଛୁକ ଋଣୀ ଚାଷୀ ଲିଖିତ ଭାବେ ବ୍ୟାଙ୍କକୁ ଅନୁରୋଧ କଲେ ତାଙ୍କ ଫସଲ ବୀମା ନ କରିବାର ପ୍ରାବଧାନ ରହିଛି । ଜଳସେଚନ ସୁବିଧା ଥିବା ବା ଅନ୍ୟ କାରଣରୁ ଫସଲବୀମା ପ୍ରତି ଅନାଗ୍ରହୀ ଋଣୀ ଚାଷୀ ବୀମା ପ୍ରକ୍ରିୟାରୁ ଓହରିଗଲେ ସେମାନଙ୍କ ଋଣ ବୋଝ କମ ହେବା ସହ ସେମାନଙ୍କ ପାଇଁ ରାଜ୍ୟ ସରକାର ବହନ କରୁଥିବା ବୀମା ପ୍ରିମିଅମ ସବସିଡ଼ି ରାଶି ମଧ୍ୟ କମ ହୋଇ ରାଜକୋଷ ଉପରେ ବୋଝ ହ୍ରାସ ପାଇବ । ଦ୍ୱିତୀୟରେ, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରୁ ଓହରି ଆସିଥିବା ରାଜ୍ୟଗୁଡ଼ିକ ପରି ଓଡ଼ିଶା ମଧ୍ୟ ଯୋଜନାରୁ ଓହରି ଆସି ନିଜସ୍ୱ କ୍ଷତିପୂରଣ ଯୋଜନା ମାଧ୍ୟମରେ କିପରି ଅଧିକ ଚାଷୀଙ୍କୁ ସହାୟତା ପ୍ରଦାନ କରିପାରିବ, ସେ ନେଇ ସରକାର ଚିନ୍ତା କରିପାରନ୍ତି । ଉଲ୍ଲେଖଯୋଗ୍ୟ ଯେ ୨୦୧୬-୧୭ରୁ ୨୦୧୯-୨୦ ମଧ୍ୟରେ ବୀମା ପ୍ରିମିଅମ ବାବଦକୁ ଓଡ଼ିଶା ଚାଷୀଙ୍କଠାରୁ ପ୍ରାୟ ୭୦୨ କୋଟି ଟଙ୍କା ଆଦାୟ ହୋଇଥିଲା ବେଳେ ରାଜ୍ୟ ସରକାର ପ୍ରିମିଅମ ସବସିଡ଼ି ବାବଦକୁ ପ୍ରାୟ ୨୩୦୭ କୋଟି ଟଙ୍କା ବହନ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ବୀମା ସବସିଡ଼ି ପାଇଁ ଉଦ୍ଦିଷ୍ଟ ରାଶିକୁ ଉପଯୋଗ କରି ରାଜ୍ୟରେ ନିଜସ୍ୱ ଫସଲ କ୍ଷତିପୂରଣ ଯୋଜନା କାର୍ୟ୍ୟକାରୀ କରିବା ସମ୍ଭବ ହୋଇପାରେ । ଯଦିଓ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଖରିଫ ଓ ରବି ଋତୁରେ ମାତ୍ର ୮ଟି ଓ ୯ଟି ଲେଖାଏଁ ଫସଲକୁ ବୀମା ଅନ୍ତର୍ଭୁକ୍ତ କରାଯାଇଛି, ତଥାପି କେବଳ ଧାନକୁ ବାଦ ଦେଲେ ଅନ୍ୟ ସବୁ ଫସଲ ପାଇଁ ବୀମା ସୁବିଧା କେବଳ ସୀମିତ ସଂଖ୍ୟକ ଜିଲ୍ଲାର ଅଳ୍ପ କିଛି ଚାଷୀଙ୍କ ପାଇଁ ଉପଲବ୍ଧ । ତେଣୁ ଅନ୍ୟ ଜିଲ୍ଲାରେ ସେହି ସବୁ ଫସଲ ଚାଷ କରୁଥିବା ଚାଷୀମାନେ ମଧ୍ୟ ସେମାନଙ୍କ ଫସଲର ବୀମା କରିପାରନ୍ତି ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ମାଣ୍ଡିଆ ଚାଷୀମାନେ । ଖରିଫ ୨୦୨୧ରେ ରାଜ୍ୟ ସରକାରଙ୍କ ଦ୍ୱାରା ୧୫ଟି ଜିଲ୍ଲାରେ ‘ମିଲେଟ ମିସନ’ କାର୍ଯ୍ୟକାରୀ ହୋଇଥିଲେ ବି ଏହି ଫସଲ ମାତ୍ର ୬ଟି ଜିଲ୍ଲାରେ ବୀମାଭୁକ୍ତ ହୋଇଥିଲା । ଏହିପରି ଭାବେ ପ୍ରତିବର୍ଷ ହାରାହାରି ମାତ୍ର ୭-୮ ଲକ୍ଷ ବା ୧୫-୨୦ ପ୍ରତିଶତ ଚାଷୀ ବୀମା ଦେୟ ପାଇ ପାରୁଛନ୍ତି । କହିବା ଅନାବଶ୍ୟକ ଯେ ଅଧିକ ଚାଷୀଙ୍କ ଅଧିକାଧିକ ଫସଲ ବୀମାଭୁକ୍ତ ହେବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଫସଲନଷ୍ଟ ହେଉଥିବା ପ୍ରତିଟି ଚାଷୀ ବୀମାଦେୟ ପାଇବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ତେଣୁ ରାଜ୍ୟର ନିଜସ୍ୱ ଯୋଜନା ରହିଲେ ସବୁ ଫସଲ ପାଇଁ ଭାଗ ଚାଷୀଙ୍କ ସମେତ ଅଧିକାଂଶ ଚାଷୀ ଉପକୃତ ହୁଅନ୍ତେ ଓ ସେମାନଙ୍କୁ କୌଣସି ପ୍ରିମିଅମ ଦେବାକୁ ପଡ଼ନ୍ତା ନାହିଁ । ଏଥିସହିତ କ୍ଷତିପୂରଣ ପ୍ରଦାନ ଲାଗି ଆଉ ବୀମା କମ୍ପାନୀ ବା କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରିବାକୁ ହୁଅନ୍ତା ନାହିଁ ।

    ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଦୀର୍ଘ ଦିନରୁ କାର୍ଯ୍ୟ କରିଆସୁଥିବାରୁ ରାଜ୍ୟରେ ଏହାର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ଲାଗି ଏକ ଗମ୍ଭୀର ଅଧ୍ୟୟନର ଆବଶ୍ୟକତା ରହିଛି । ତେବେ ଚାଷୀ ତଥା ରାଜ୍ୟର ସ୍ୱାର୍ଥକୁ ସୁରକ୍ଷିତ ରଖିବା ଲାଗି ରାଜ୍ୟ ପାଇଁ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ରହିବା ବା ସେଥିରୁ ଓହରି ଆସିବା ଭଳି ବିକଳ୍ପ ଦୁଇଟି ମଧ୍ୟରୁ କେଉଁଟି ଅଧିକ ଗ୍ରହଣୀୟ, ତାହାର ଟିକିନିଖି ଅନୁଶୀଳନ କରାଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବା ଉଚିତ ।


Published in Sambad on November 29, 2022


Comments

  1. Good Analysis. Govt of Odishs Should follow West Bengal Model to cover all share croppers, Oral lessees and Tenant farmers under Crop Insurance.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...