Skip to main content

କ୍ଷୁଧା ସୂଚକାଙ୍କରେ ଭାରତ ତଳେ କାହିଁକି

“ଭାରତରେ କୋଭିଡ ଆରମ୍ଭରୁ ଆଜି ଯାଏଁ କେନ୍ଦ୍ର ସରକାର ପରା ୮୦ କୋଟି ଲୋକଙ୍କୁ ପ୍ରତି ମାସ ଡାଲି ଚାଉଳ ମାଗଣାରେ ବାଣ୍ଟି ଚାଲିଛନ୍ତି ! ଏଣେ ଟଙ୍କିକିଆ ଚାଉଳ ଯାହାକୁ ଯେତେ । ଲୋକେ ନିଜ ଖାଦ୍ୟାଭାବ ମେଣ୍ଟାଇ ପୁଣି ବାହାରେ ବିକୁଛନ୍ତି ! ତଥାପି ଦେଶରେ କ’ଣ ଆହୁରି ଭୋକିଲା ଲୋକ ଅଛନ୍ତି ? ଭାରତକୁ ବଦନାମ କରିବା ପାଇଁ ଓ ତା’ର ଛବି ମଳିନ କରିବା ପାଇଁ କିଛି ବିଦେଶୀ ସଂସ୍ଥାଙ୍କ ଦ୍ୱାରା ୟେ ରୀତିମତ ଗୋଟେ ଷଡଯନ୍ତ୍ର ।” 

ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୦୭ତମ ସ୍ଥାନକୁ ଖସି ଆସିବା ପରେ ଏହାକୁ ଗ୍ରହଣ କରି ପାରୁ ନ ଥିବା କିଛି ବ୍ୟକ୍ତି ଏପରି ମନ୍ତବ୍ୟ ଦେଉଥିବା ଦେଖାଯାଉଛି । ଭୋକ ଓ କ୍ଷୁଧା ଶବ୍ଦ ଦ୍ୱୟ ସମାନାର୍ଥକ ହୋଇଥିଲେ ବି ଭୋକରେ ନ ଥିବା ଲୋକ ଯେ ସେ କ୍ଷୁଧାଗ୍ରସ୍ତ ନୁହେଁ, ତାହା କହି ହେବନାହିଁ । ଭୋକରେ ରହିବା କ୍ଷୁଧାର ଏକ ସୂଚକ ହୋଇପାରେ, କିନ୍ତୁ ଏକମାତ୍ର ସୂଚକ ନୁହେଁ । କ୍ଷୁଧା ନିବାରଣର ଅର୍ଥ ଯାହିତାହି ଦୁଇ ମୁଠା ଖାଇ ଭୋକ ମେଣ୍ଟାଇବା ନୁହେଁ, ଆବଶ୍ୟକ ପରିମାଣର ପୁଷ୍ଟିକର ଖାଦ୍ୟ ଖାଇବା ମଧ୍ୟ ଏହାର ଅନ୍ତର୍ଭୁକ୍ତ । ଲଗାତାର ଭାବେ ସେହି ପରିମାଣର ପୁଷ୍ଟିକର ଖାଦ୍ୟ ଗ୍ରହଣ କରି ନପାରିଲେ ଜଣେ ଅପୁଷ୍ଟି ଓ ଅପପୁଷ୍ଟିରେ ଆକ୍ରାନ୍ତ ହୋଇ ନାନାଦି ଶାରୀରିକ ଦୁର୍ବଳତା ଓ ଅକ୍ଷମତାର ଶିକାର ହୋଇଥାଏ, ଯାହା କ୍ଷୁଧାର ବିଭିନ୍ନ ପରିପ୍ରକାଶ ମାତ୍ର । ଉଲ୍ଲେଖଯୋଗ୍ୟ ଯେ ଡାଲି ଚାଉଳ ଭଳି ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବା ଲାଗି ଲୋକଙ୍କ ନିକଟରେ କ୍ରୟ ଶକ୍ତିର ଅଭାବକୁ ହୃଦୟଙ୍ଗମ କରି ସରକାର ମାସ ମାସ ଧରି ୮୦ କୋଟି ଲୋକଙ୍କୁ ସେସବୁ ମାଗଣାରେ ଦେଇ ଚାଲିଛନ୍ତି, ତେଣୁ ଏଭଳି ଲୋକେ ଯେ ଆବଶ୍ୟକ ପରିମାଣର ପୁଷ୍ଟିକର ଖାଦ୍ୟ ଯେ ପାଉ ନ ଥିବେ, ତାହା ସ୍ୱୀକାର କରିବାକୁ ହେବ । ତେଣୁ ଭାରତରେ ଯେ ଅନେକ ଲୋକ କ୍ଷୁଧାର ଶିକାର, ତାକୁ ଅବିଶ୍ୱାସ କରିବାର ଅବକାଶ ନାହିଁ ।         

ଜର୍ମାନୀର ବନସ୍ଥିତ ଅନ୍ତର୍ଜାତୀୟ ସଂସ୍ଥା ‘ୱେଲ୍ଟ ହଙ୍ଗର ହିଲ୍ଫ’ ଓ ଆୟର୍ଲାଣ୍ଡର ଡବଲିନସ୍ଥିତ ଅନ୍ତର୍ଜାତୀୟ ମାନବବାଦୀ ସଂଗଠନ ‘କନସର୍ନ ୱାର୍ଲଡୱାଇଡ’ଙ୍କ ମିଳିତ ଉଦ୍ୟମରେ ୨୦୦୦ ମସିହାରୁ ନିୟମିତ ଭାବେ ବିଶ୍ୱ କ୍ଷୁଧା ସୂଚକାଙ୍କ ପ୍ରକାଶ ପାଇଆସୁଛି । ଅକ୍ଟୋବର ୨୦୨୨ରେ ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୨୦୨୧ ତୁଳନାରେ ୬ଟି ସ୍ଥାନ ତଳକୁ ଖସି ୧୨୧ଟି ଦେଶ ମଧ୍ୟରେ ୧୦୭ମ ସ୍ଥାନରେ ରହିଛି; ଯାହା ଅନେକଙ୍କୁ ବିଚଳିତ କରିଛି । ଏପରିକି ଏ କ୍ଷେତ୍ରରେ ପାକିସ୍ତାନ, ବଙ୍ଗଳାଦେଶ, ନେପାଳ, ଶ୍ରୀଲଙ୍କା ତୁଳନାରେ ଭାରତର ପ୍ରଦର୍ଶନ ନିରାଶାଜନକ ହୋଇଛି । ଏହି ସୂଚକାଙ୍କରେ ଭାରତର ସ୍ଥିତିକୁ ଗ୍ରହଣ କରିପାରୁ ନ ଥିବା କେହି କେହି ତାଚ୍ଛଲ୍ୟପୂର୍ଣ୍ଣ ମତ ଦିଅନ୍ତି ଯେ ବୋଧହୁଏ ନବରାତ୍ରି ସମୟରେ ଉପବାସ ବେଳେ ଭାରତରୁ ତଥ୍ୟ ସଂଗୃହୀତ ହୋଇଛି ! ପାଠକେ ଜାଣି ରଖିବା ଉଚିତ ଯେ ସାମୟିକ ଭାବେ ଉପବାସରେ ରହି ଜଣେ ହୁଏତ ଭୋକିଲା ହୋଇପାରେ, କ୍ଷୁଧାଗ୍ରସ୍ତ ନୁହେଁ । କ୍ରମାଗତ ଭାବେ ଦୀର୍ଘ ଦିନ ଧରି ଖାଦ୍ୟାଭାବର ଶିକାର ହେଲେ ଜଣେ କ୍ଷୁଧାଗ୍ରସ୍ତ ହୋଇଥାଏ । ତେଣୁ ଏହି ସୂଚକାଙ୍କ ନିର୍ଣ୍ଣୟ ପ୍ରକରଣଟି ଏତେ ହାଲୁକା ନୁହେଁ । କ୍ଷୁଧା ସମସ୍ୟାଟି ଅତି ଜଟିଳ ଓ ଏହାକୁ ବର୍ଣ୍ଣନା କରିବା ପାଇଁ ଭିନ୍ନ ଭିନ୍ନ ମାପକର ସହାୟତା ନିଆଯାଇଥାଏ । ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ଅନୁଯାୟୀ ଯଥେଷ୍ଟ ପରିମାଣର କ୍ୟାଲୋରି ଗ୍ରହଣର ଅଭାବ ହିଁ କ୍ଷୁଧାକୁ ବୁଝାଇଥାଏ । ଏଫଏଓ ନିର୍ଦ୍ଧାରିତ ‘କ୍ଷୁଧା’ର ସଂଜ୍ଞା ହେଉଛି “ଖାଦ୍ୟରୁ ବଞ୍ଚିତ ହେବା, ବା ଅପୁଷ୍ଟି (ଅଣ୍ଡରନରିଶମେଣ୍ଟ)ର ଶିକାର ହେବା; ଯଦ୍ଦ୍ୱାରା ଜଣେ ବ୍ୟକ୍ତି ସୁସ୍ଥ ସବଳ ଭାବେ ଜୀବନ ଧାରଣ କରିବା ଲାଗି ଲିଙ୍ଗ, ବୟସ, ଆକୃତି ଓ ଶାରୀରିକ ଶ୍ରମ ଆଧାରରେ ଆବଶ୍ୟକ ସର୍ବନିମ୍ନ କ୍ୟାଲୋରି, ଅଭ୍ୟାସଗତ ଭାବେ ସେ ଗ୍ରହଣ କରୁଥିବା ଖାଦ୍ୟରୁ ପାଇ ପାରୁ ନ ଥିବ ।“ କିନ୍ତୁ ‘ଅପୁଷ୍ଟି’ କହିଲେ ତାହା କେବଳ କ୍ୟାଲୋରି ଆବଶ୍ୟକତା ପୂରଣରେ ସୀମିତ ହୋଇ ରହି ନଥାଏ ; ଏହା ପ୍ରୋଟିନ, ଭିଟାମିନ ଓ ଖଣିଜ ଭଳି ଖାଦ୍ୟସାରର ଅଭାବକୁ ମଧ୍ୟ ବୁଝାଇଥାଏ । ପୁଣି କେତେକ ସ୍ଥଳରେ ଖାଦ୍ୟର ନିମ୍ନମାନ, ଅସୁସ୍ଥତା କାରଣରୁ ପୁଷ୍ଟି ଉପାଦାନଗୁଡିକୁ ଶରୀର ଠିକ ଭାବେ ଉପଯୋଗ କରି ନ ପାରିବା ମଧ୍ୟ ଏହାର କାରଣ ହୋଇପାରେ । ଏହା ପୁଣି ପରିବାରରେ ଖାଦ୍ୟ ଅସୁରକ୍ଷା, ମାଆର ସ୍ୱାସ୍ଥ୍ୟ, ଶିଶୁର ଉଚିତ ସେବାଯତ୍ନ, ସ୍ୱାସ୍ଥ୍ୟ ସେବାର ଅନୁପଲବ୍ଧତା, ନିରାପଦ ଜଳ ଓ ପରିମଳ ବ୍ୟବସ୍ଥା ଆଦି ଉପରେ ମଧ୍ୟ ନିର୍ଭର କରିଥାଏ । ଅନ୍ୟ ପକ୍ଷରେ ଅପପୁଷ୍ଟି (ମାଲନ୍ୟୁଟ୍ରିସନ) କହିଲେ ତାହା ଉଭୟ ‘ଅପୁଷ୍ଟି’ (ଖାଦ୍ୟାଭାବ ଜନିତ) ଓ ‘ଅତିପୁଷ୍ଟି’ (ଓଭର ନ୍ୟୁଟ୍ରିସନ – ଅସନ୍ତୁଳିତ ଖାଦ୍ୟ ଗ୍ରହଣ ଯୋଗୁଁ) ସମସ୍ୟାକୁ ଦର୍ଶାଇଥାଏ । ତେବେ କ୍ଷୁଧା ନିରୂପଣ ପାଇଁ ଅତିପୁଷ୍ଟି ସମସ୍ୟାକୁ ବାଦ ଦେଇ କେବଳ ଅପୁଷ୍ଟିଜନିତ ପୁଷ୍ଟିହୀନତାକୁ ବିଚାରକୁ ନିଆଯାଇଥାଏ । ଖାଦ୍ୟାଭାବ, ଅପୁଷ୍ଟି ଓ ଅପପୁଷ୍ଟି ସାମଗ୍ରିକ ଭାବେ କ୍ଷୁଧାର କାରଣ ହୋଇଥିବାରୁ ଏଗୁଡିକୁ ବିଜ୍ଞାନସମ୍ମତ ଭାବେ ଉପଯୁକ୍ତ ଗୁରୁତ୍ୱ ଦିଆଯାଇ ବିଶ୍ୱ କ୍ଷୁଧା ସୂଚକାଙ୍କରେ ସୂଚକଗୁଡିକ ପ୍ରସ୍ତୁତ ହୋଇଥାଏ । ଏଥି ଲାଗି କ୍ଷୁଧାର ବହୁବିଧ ପ୍ରକୃତିକୁ ଧରି ରଖିବା ପାଇଁ ଚାରିଟି ସୂଚକକୁ ଏକା ସାଙ୍ଗରେ ବିବେଚନାକୁ ନେଇ ପ୍ରସ୍ତୁତ ହୋଇଥିବା ଏକ ଫର୍ମୁଲାର ସହାୟତା ନିଆଯାଇଥାଏ । ପ୍ରଥମ, ଆବଶ୍ୟକ କ୍ୟାଲୋରିର ଖାଦ୍ୟ ପାଉ ନ ଥିବା ବ୍ୟକ୍ତିଙ୍କ ହାର (ଏଥିରେ ଉଭୟ ବୟସ୍କ ଓ ଶିଶୁଙ୍କୁ ବିଚାରକୁ ନିଆଯାଇଥାଏ); ଦ୍ୱିତୀୟ, ପାଞ୍ଚ ବର୍ଷ ବୟସ ମଧ୍ୟରେ ବୟସ ତୁଳନାରେ କମ ଉଚ୍ଚତା (ଷ୍ଟଣ୍ଟିଂ) ବିଶିଷ୍ଟ ଶିଶୁଙ୍କ ହାର; ତୃତୀୟ, ସେହି ବୟସ ବର୍ଗରେ ଉଚ୍ଚତା ତୁଳନାରେ କମ ଓଜନ (ୱେଷ୍ଟିଂ) ବିଶିଷ୍ଟ ଶିଶୁଙ୍କ ହାର; ଚତୁର୍ଥ, ପାଞ୍ଚ ବର୍ଷ ପୂରିବା ଆଗରୁ ମୃତ୍ୟୁବରଣ କରୁଥିବା ଶିଶୁଙ୍କ ହାର । କ୍ଷୁଧାର ସବୁଠାରୁ ଦୁଃଖଦ ପରିଣତି ହେଉଛି ମୃତ୍ୟୁ । କ୍ଷୁଧା ଯୋଗୁଁ ଶିଶୁମାନେ ହିଁ ସର୍ବପ୍ରଥମେ ମୃତ୍ୟୁର ଶିକାର ହୋଇଥାଆନ୍ତି । କ୍ଷୁଧା ସୂଚକାଙ୍କରେ ସବୁ ବର୍ଗର ଅପୁଷ୍ଟି ଓ ଶିଶୁ ମୃତ୍ୟୁହାରକୁ ଏବଂ ଶିଶୁ ଷ୍ଟଣ୍ଟିଂ ଓ ଶିଶୁ ୱେଷ୍ଟିଂକୁ ଏକ ତୃତୀୟାଂଶ ଲେଖାଏଁ ଗୁରୁତ୍ୱ ଦିଆଯାଏ ।

୨୦୦୦ ମସିହାରେ ବିଶ୍ୱ କ୍ଷୁଧା ସୂଚକାଙ୍କର ପ୍ରଥମ ରିପୋର୍ଟରେ ଭାରତ ୩୮.୮ ଅଙ୍କ ସହ ‘ଉଦବେଗଜନକ’ ବର୍ଗରେ ଥିବା ବେଳେ ୨୦୨୨ରେ ପ୍ରକାଶିତ ରିପୋର୍ଟରେ ୨୯.୧ ଅଙ୍କ ପାଇ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥିଲେ ମଧ୍ୟ ଏବେ ବି ଏହା ‘ଗୁରୁତର’ ବର୍ଗରେ ସ୍ଥାନିତ । ତେବେ ୨୦୧୪ରେ ୨୮.୨ ଅଙ୍କ ସହିତ ଭାରତର ସ୍ଥିତି ଅପେକ୍ଷାକୃତ ଭଲ ଥିଲା । ଇତିମଧ୍ୟରେ ଭାରତ କ୍ଷୁଧା ନିବାରଣର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରିଥିଲେ ବି ଶିଶୁ ପୁଷ୍ଟି ଆହାରରେ ସ୍ଥିତି ଚିନ୍ତାଜନକ ରହିଛି । ଏଠାରେ ଶିଶୁ ୱେଷ୍ଟିଂ ୧୯.୩ ପ୍ରତିଶତ ରହିଛି, ଯାହା ସବୁ ଦେଶଙ୍କ ମଧ୍ୟରେ ସର୍ବାଧିକ ।   

ଏହି ବିଶ୍ୱ କ୍ଷୁଧା ସୂଚକାଙ୍କ ପ୍ରକାଶ ପାଇବା ପରେ ଭାରତ ସରକାରଙ୍କ ତରଫରୁ ସୂଚକାଙ୍କ ପରିମାପରେ ଥିବା ଗୁରୁତର ପଦ୍ଧତିଗତ ତ୍ରୁଟିକୁ ଦର୍ଶାଇ ଏହା ଭୁଲ ବୋଲି ପ୍ରମାଣ କରିବାକୁ ତୁରନ୍ତ ଚେଷ୍ଟା କରାଯାଇଥିଲା । ସୂଚକାଙ୍କରେ ବ୍ୟବହୃତ ୪ଟି ସୂଚକ ମଧ୍ୟରୁ ତିନିଟି ଶିଶୁଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତ ହୋଇଥିବାରୁ ତାହା ସମ୍ପୂର୍ଣ୍ଣ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁନାହିଁ ବୋଲି କୁହାଗଲା । ଚତୁର୍ଥ ସୂଚକ ପାଇଁ ତଥ୍ୟ ମାତ୍ର ୩୦୦୦ ଲୋକଙ୍କଠାରୁ ଜନମତ ସଂଗ୍ରହ ଆଧାରରେ କରାଯାଇଛି ବୋଲି ଅଭିଯୋଗ କରାଗଲା । ତେବେ ଶିଶୁମାନେ ହିଁ ସହଜରେ ପୁଷ୍ଟି ଅଭାବର ଶିକାର ହେଉଥିବାରୁ ଏବଂ ଏହା ସେମାନଙ୍କ ସର୍ବାଙ୍ଗୀନ ବିକାଶରେ ଅନ୍ତରାୟ ସୃଷ୍ଟି କରି ପରବର୍ତ୍ତୀ ସମୟରେ ମାନବ ସମ୍ୱଳର କ୍ଷତି ସାଧନ କରୁଥିବାରୁ ଶିଶୁ ସ୍ୱାସ୍ଥ୍ୟକୁ ସୂଚକାଙ୍କରେ ଗୁରୁତ୍ୱ ଦିଆଯାଇଥାଏ । ସୂଚକାଙ୍କଟି ଜନମତ ଆଧାରରେ ନୁହେଁ ବରଂ ଭାରତ ସରକାରଙ୍କ ଏନଏଫଏଚଏସ-୫ (୨୦୧୯-୨୧) ରିପୋର୍ଟ, ବିଶ୍ୱ ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ୨୦୨୨ରେ ପ୍ରକାଶିତ ଖାଦ୍ୟ ନିରାପତ୍ତା ସୂଚକ ଓ ୨୦୨୧ରେ ଜାତିସଂଘର ଆଇଜିଏମଇ ଦ୍ୱାରା ପ୍ରକାଶିତ ଶିଶୁ ମୃତ୍ୟୁହାର ଆକଳନ ଭଳି ନିର୍ଭରଯୋଗ୍ୟ ତଥ୍ୟ ଆଧାରରେ ପ୍ରସ୍ତୁତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ବିଶ୍ୱ କ୍ଷୁଧା ସୂଚକାଙ୍କରେ ବ୍ୟବହୃତ ଅପୁଷ୍ଟି, ଶିଶୁ ଗେଡାପଣ (ଷ୍ଟଣ୍ଟିଂ), ଶିଶୁ ଓଜନହୀନତା (ୱେଷ୍ଟିଂ) ଓ ଶିଶୁ ମୃତ୍ୟୁହାର ଭଳି ଚାରିଟି ସୂଚକକୁ ଜାତିସଂଘର ସତତ ବିକାଶ ଲକ୍ଷ୍ୟ (ଏସଡିଜି)ରେ ସମ୍ପୃକ୍ତ ଲକ୍ଷ୍ୟର ଅଗ୍ରଗତିକୁ ମାପିବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ତା’ଛଡା ସୂଚକାଙ୍କରେ ବ୍ୟବହୃତ ମାପକାଠିଟି ବର୍ଷ ବର୍ଷ ଧରି ବ୍ୟବହାର ହୋଇଆସୁଛି । ସବୁ ଦେଶରେ କ୍ଷୁଧାର ସ୍ଥିତି ସେହି ଏକା ମାପକାଠିରେ ମପା ଯାଇଥାଏ । ତେଣୁ ଏପରି କ୍ଷେତ୍ରରେ ମାପକାଠିରେ ତ୍ରୁଟି ବାହାର କରିବା ଭାରତରେ କ୍ଷୁଧାର ବାସ୍ତବ ସ୍ଥିତିରେ କୌଣସି ପରିବର୍ତ୍ତନ ଆଣିବ ନାହିଁ । ତେବେ ବିଶ୍ୱ କ୍ଷୁଧା ସୂଚକାଙ୍କ ସନ୍ଦର୍ଭରେ ସରକାର ଆକ୍ରାମକ ହେବାର ଏକ ବଡ କାରଣ ହେଉଛି ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ୍ ଅର୍ଥନୀତିରେ ପରିଣତ ହେବା ପରେ ବିଶ୍ୱ କ୍ଷୁଧା ସୂଚକାଙ୍କରେ ୧୦୭ତମ ସ୍ଥାନକୁ ଖସି ଆସିବା ଭାବମୂର୍ତ୍ତିଗତ ମଳିନତା ବୋଲି ବିଚାର କରାଯାଉଛି ।

ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ସରକାରୀ ଭାବେ ମାଗଣା ଖାଦ୍ୟାନ୍ନ ବଣ୍ଟନଠାରୁ ଆରମ୍ଭ କରି ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିଲେ ବି ତାହା କ୍ଷୁଧା ନିବାରଣ ପାଇଁ ଯଥେଷ୍ଟ ଫଳପ୍ରଦ ନ ହେବାର ବଡ କାରଣ ହେଲା ଲୋକଙ୍କ ଉତ୍କଟ ଦାରିଦ୍ର୍ୟ । ସରକାରୀ ଯୋଜନା ମାଧ୍ୟମରେ କେବଳ ଭୋକକୁ ଲାଘବ କରିବା ପାଇଁ ପ୍ରୟାସ କରାଯାଉଛି;  କିନ୍ତୁ ଅପୁଷ୍ଟି ଓ ଅପପୁଷ୍ଟି ହ୍ରାସ ଲାଗି ପରିବାରର ଆର୍ଥିକ ସ୍ୱଚ୍ଛଳତା ନିହାତି ଆବଶ୍ୟକ । ଯେ ପର୍ଯ୍ୟନ୍ତ ଲୋକଙ୍କ ଆୟରେ ବୃଦ୍ଧି ହେଉ ନ ଥିବ, ସେ ପର୍ଯ୍ୟନ୍ତ ସ୍ଥିତିରେ ଉନ୍ନତି ଆସିବ ନାହିଁ । ସୁତରାଂ, ଦରିଦ୍ର ବର୍ଗଙ୍କୁ ଅଧିକ ରୋଜଗାରକ୍ଷମ କରାଯାଇ ସେମାନଙ୍କ କ୍ରୟଶକ୍ତି ବୃଦ୍ଧି କରାଯିବା ଦରକାର । ତାହା ହେଲେ ସେମାନେ ନିଜ ପରିବାରର ଖାଦ୍ୟ ଚିନ୍ତା ନିଜେ ବହନ କରିବାକୁ ସମର୍ଥ ହେବେ । ଅଧିକନ୍ତୁ, ଦରଦାମ ବୃଦ୍ଧି ଲାଗି ରହିଲେ ସୀମିତ ରୋଜଗାରରେ ଲୋକଙ୍କ ପାଇଁ ପୌଷ୍ଟିକ ଖାଦ୍ୟାନ୍ନ ଲାଭ କରିବା ଏକ ପ୍ରକାର ଅସମ୍ଭବ ହୋଇ ଅଧିକରୁ ଅଧିକ ଲୋକ କ୍ଷୁଧାର ବିଷ ଚକ୍ରକୁ ଠେଲି ହୋଇଯିବାକୁ ବାଧ୍ୟ ହେବେ । କହିବା ବାହୁଲ୍ୟ ଯେ ଗରିବ ଲୋକଙ୍କ ଆୟର ସିଂହଭାଗ ଖାଦ୍ୟ ବାବଦରେ ବ୍ୟୟ ହୋଇଥାଏ । ତେଣୁ କେବଳ ଖାଦ୍ୟାନ୍ନ ବଣ୍ଟନ ମାଧ୍ୟମରେ ନୁହେଁ ବରଂ ପ୍ରଭାବୀ ସମନ୍ୱିତ ପଦକ୍ଷେପ ନେଇ ପୁଷ୍ଟିହୀନତା ଦୂର କରିବାକୁ ହେବ । ଏହାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରାଗଲେ ଏକ କ୍ଷୁଧାମୁକ୍ତ ଭାରତର ନିର୍ମାଣ ହୋଇ ସାରା ବିଶ୍ୱରେ ଦେଶର ଛବି ପ୍ରକୃତ ଅର୍ଥରେ ଉଜ୍ଜ୍ୱଳ ହୋଇପାରିବ ।


Published in Sambad on November 01, 2022

 

Comments

  1. Nice one and true differentiation

    ReplyDelete
  2. We have to accept the reality . Let's not forget , if a family is earning Rs10000 per month , it falls under the bracket of 90 % rich Indians. That speaks the volume of sharp Inequality in our country.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...