ଜାତିସଂଘ ତରଫରୁ ପ୍ରକାଶିତ ‘ୱାର୍ଲଡ଼ ପପୁଲେସନ ପ୍ରୋସପେକ୍ଟସ ୨୦୨୨’ ଅନୁଯାୟୀ ଆଜି ଅର୍ଥାତ୍ ନଭେମ୍ୱର ୧୫, ୨୦୨୨ରେ ବିଶ୍ୱର ଜନସଂଖ୍ୟା ୮୦୦ କୋଟି ଛୁଇଁବ । ବିଶ୍ୱ ଜନସଂଖ୍ୟା ୨୦୮୦ରେ ୧୦୪୦ କୋଟିର ସର୍ବାଧିକ ସ୍ତରରେ ପହଞ୍ଚିବା ପରେ ୨୧୦୦ ଯାଏଁ ଅପରିବର୍ତ୍ତିତ ରହିବ । ଅନ୍ୟପକ୍ଷରେ ୨୦୨୩ ସୁଦ୍ଧା ଭାରତର ଜନସଂଖ୍ୟା ଚୀନର ଜନସଂଖ୍ୟାକୁ ଟପି ଏହା ବିଶ୍ୱର ସର୍ବାଧିକ ଜନବହୁଳ ଦେଶରେ ପରିଣତ ହେବ । ଜନସଂଖ୍ୟାରେ ସାମ୍ପ୍ରଦାୟିକ ଅସନ୍ତୁଳନ ଭୌଗୋଳିକ ସୀମାର ପରିବର୍ତ୍ତନର କାରଣ ହେଉଥିବାରୁ ‘ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ’ର ମୁଖ୍ୟ ମୋହନ ଭାଗବତଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଦେଶରେ ବିଭିନ୍ନ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଏକ ଜନସଂଖ୍ୟା ନୀତି ପ୍ରଣୟନ ସପକ୍ଷରେ ମତ ଦେଇଆସୁଛନ୍ତି । ତେଣୁ ଭାରତରେ ଜନସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ସାଂପ୍ରଦାୟିକ ସନ୍ତୁଳନ ରକ୍ଷା ହୋଇ ନ ପାରିବାର କାରଣଗୁଡ଼ିକ ସମ୍ପର୍କରେ ତର୍ଜମା ହେବାର ଆବଶ୍ୟକତା ରହିଛି ।
୧୮୦୪ରେ ପ୍ରଥମ ଥର ପାଇଁ ୧୦୦ କୋଟି ଛୁଇଁଥିବା ବିଶ୍ୱ ଜନସଂଖ୍ୟା ୨୦୦ କୋଟିରେ ପହଞ୍ଚିବାକୁ ଆଉ ୧୨୩ ବର୍ଷ ଲାଗିଗଲା । ୧୯୬୦ରେ ଜନସଂଖ୍ୟା ୩୦୦ କୋଟିରେ ପହଞ୍ଚିବା ପରେ ପ୍ରତି ୧୨ରୁ ୧୪ ବର୍ଷ ବ୍ୟବଧାନରେ ଏହା ୧୦୦ କୋଟି ଲେଖାଏଁ ବଢି ଚାଲିଲା । ବିଶ୍ୱ ଜନସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ବୃଦ୍ଧି ହାର ୨୦୨୦ରେ ପ୍ରଥମ ଥର ପାଇଁ ୧ ପ୍ରତିଶତରୁ କମ ହୋଇଥିବାରୁ ୨୦୫୦ରେ ଏହା ୯୭୦ କୋଟିରେ ପହଞ୍ଚିବା ପରେ ଆଉ ୭୦ କୋଟି ବଢି ସର୍ବାଧିକ ୧୦୪୦ କୋଟିରେ ପହଞ୍ଚିବାକୁ ଆହୁରି ୩୦ ବର୍ଷ ଲାଗିଯିବ । ତା’ପରେ ଅଧିକାଂଶ ଦେଶରେ ଜନସଂଖ୍ୟା ବୃଦ୍ଧି ଆଉ ଏକ ସମସ୍ୟା ହୋଇ ରହି ନ ପାରେ ।
ଗୋଟିଏ ଦେଶରେ ଜଣେ ମହିଳା ତା’ ଜୀବଦ୍ଦଶାରେ ହାରାହାରି କେତେ ଗୋଟି ଶିଶୁଙ୍କୁ ଜନ୍ମ ଦେଉଛନ୍ତି, ତାହା ସୂଚାଉଥିବା ଉତ୍ପାଦିକା ହାର ବା ଟିଏଫଆର ସେହି ଦେଶର ଜନସଂଖ୍ୟା ବୃଦ୍ଧିର ସ୍ଥିତିକୁ ଦର୍ଶାଇଥାଏ । ସାରା ବିଶ୍ୱରେ ୧୯୫୦ରେ ଉତ୍ପାଦିକା ହାର ୫ ଥିଲାବେଳେ ତାହା ୨୦୨୧ରେ ହ୍ରାସ ପାଇ ୨.୩ରେ ପହଞ୍ଚିଛି । ଅପରପକ୍ଷରେ ଭାରତରେ ୧୯୫୦ରେ ଏହି ହାର ୬ ଥିବାବେଳେ ତାହା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ ଅନୁଯାୟୀ ୨୦୨୧ରେ ୨କୁ ଖସି ଆସିଲାଣି, ଯାହା ୨.୧ର ଅନୁମୋଦିତ ପରିପୂରଣ ସ୍ତର (ରିପ୍ଲେସମେଣ୍ଟ ଲେଭଲ)ଠାରୁ ବି କମ୍ । ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ କେବଳ ବିହାର, ମେଘାଳୟ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ମଣିପୁରକୁ ବାଦ ଦେଲେ ଅନ୍ୟ ସବୁଠି ଏହା ପରିପୂରଣ ସ୍ତରରେ ପହଞ୍ଚିସାରିଲାଣି । ଉପରୋକ୍ତ ରାଜ୍ୟଗୁଡ଼ିକରେ ବି କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ବାଦ ଦେଲେ ମହିଳାଙ୍କ ଉତ୍ପାଦିକା ହାର ଉଦବେଗଜନକ ସ୍ତରରେ ନାହିଁ । ତେଣୁ ଜନସଂଖ୍ୟାକୁ ଆହୁରି ହ୍ରାସ କରିବା ଲାଗି ଜାତୀୟ ସ୍ତରରେ ଜନସଂଖ୍ୟା ନୀତି ପ୍ରଣୟନର କୌଣସି ଆବଶ୍ୟକତା ଅନୁଭୂତ ହେଉନାହିଁ । ଅର୍ଥାତ୍, ଭାରତର ଉତ୍ପାଦିକା ହାର ଦ୍ରୁତ ହ୍ରାସ ପାଇଥିବାରୁ ଭାରତର ଜନସଂଖ୍ୟା ୨୦୪୭ ସୁଦ୍ଧା ୧୬୧ କୋଟିର ସର୍ବାଧିକ ସ୍ତରକୁ ଛୁଇଁବା ପରେ କମିବା ଆରମ୍ଭ କରିବ । ଆକଳନ ଅନୁସାରେ ୨୦୨୨ରେ ଭାରତର ଜନସଂଖ୍ୟା ୧୪୧ କୋଟି ଥିବାବେଳେ ଆଗାମୀ ୭୮ ବର୍ଷ ମଧ୍ୟରେ ୨୧୦୦ରେ ଏହା ବର୍ତ୍ତମାନର ଜନସଂଖ୍ୟା ତୁଳନାରେ ୪୧ କୋଟି କମ୍ ହୋଇ ୧୦୦ କୋଟିରେ ପହଞ୍ଚିବ, ଯାହା ଚିନ୍ତାଜନକ ହୋଇପାରେ ।
ମୃତ୍ୟୁହାର ହ୍ରାସ ପାଉଛି ଜନସଂଖ୍ୟା ବୃଦ୍ଧିର ଅନ୍ୟ ଏକ ବଡ଼ କାରଣ । ଫଳରେ ଭାରତରେ ଲୋକମାନଙ୍କର ହାରାହାରି ପ୍ରତ୍ୟାଶିତ ଆୟୁ ବୃଦ୍ଧି ପାଇ ୭୦.୪ ବର୍ଷରେ ପହଞ୍ଚିଲାଣି । ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଏବେ ଏହା ସମଗ୍ର ବିଶ୍ୱରେ ହାରାହାରି ୧୦ ପ୍ରତିଶତରେ ପହଞ୍ଚିଥିବା ବେଳେ ଭାରତରେ ତାହା ପ୍ରାୟ ୭ ପ୍ରତିଶତ ଅଛି । ତେବେ ମହିଳାଙ୍କ ଉତ୍ପାଦିକା ହାର ଯଥେଷ୍ଟ ହ୍ରାସ ପାଇଥିବାରୁ ୨୦୫୦ ସୁଦ୍ଧା ବୃଦ୍ଧଙ୍କ ସଂଖ୍ୟା ପ୍ରାୟ ୧୬ ପ୍ରତିଶତରେ ପହଞ୍ଚିବାର ପୂର୍ବାନୁମାନ କରାଯାଉଛି, ଯାହା ୧୨ ବର୍ଷ ଯାଏଁ ପିଲାଙ୍କ ସଂଖ୍ୟାର ପ୍ରତିଶତ ସହ ସମାନ ହେବ । ଅର୍ଥାତ୍ ଉତ୍ପାଦନକ୍ଷମ ଲୋକଙ୍କ ତୁଳନାରେ ନିର୍ଭରଶୀଳ ଲୋକଙ୍କ ସଂଖ୍ୟା ବୃଦ୍ଧିପାଇବ, ଯାହା ଚିନ୍ତାର କାରଣ ହେବ ।
ଅଧିକ ଶିଶୁ ଜନ୍ମ ହେଲେ ଜନସଂଖ୍ୟା ବୃଦ୍ଧି ପାଇ ଦେଶର ସମ୍ୱଳ ଉପରେ ଅତ୍ୟଧିକ ବୋଝ ପଡିବାର ଆଶଙ୍କା ବୃଦ୍ଧିପାଇଥାଏ । ତେବେ କିଛି ଦେଶରେ ଦେଶାନ୍ତରଣ ଏକ ସ୍ୱାଭାବିକ ପ୍ରକ୍ରିୟା ଭାବେ ଗୃହୀତ ହୋଇସାରିଲାଣି, ଯାହା ଜନସଂଖ୍ୟା ବୃଦ୍ଧି ବା ହ୍ରାସର ମଧ୍ୟ କାରଣ ପାଲଟିଛି । ଅନୁମାନ କରାଯାଉଛି ଯେ ଭବିଷ୍ୟତରେ କିଛି ବିକଶିତ ଦେଶରେ ଜନ୍ମ-ମୃତ୍ୟୁହାର ଅପେକ୍ଷା ଦେଶାନ୍ତରଣ ହିଁ ଜନସଂଖ୍ୟା ବୃଦ୍ଧିର ପ୍ରମୁଖ କାରଣ ହେବ । ଅପରପକ୍ଷରେ ଭାରତ, ପାକିସ୍ତାନ, ବଙ୍ଗଳାଦେଶ, ନେପାଳ, ଶ୍ରୀଲଙ୍କା ଆଦି ଦେଶମାନଙ୍କରୁ ଶ୍ରମବଳର ଦେଶାନ୍ତରଣ, ଓ ଅସୁରକ୍ଷା, ସଂଘାତ ବା ଦ୍ୱନ୍ଦ୍ୱ ଯୋଗୁଁ ସିରିଆ, ଭେନେଜୁଏଲା, ମ୍ୟାନମାର ଆଦି ଦେଶଗୁଡିକରୁ ଗତ ୧୦ ବର୍ଷ ମଧ୍ୟରେ ଦେଶାନ୍ତରିତ ହୋଇଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୩.୫ କୋଟି ହୋଇଥିଲା । ଏହି ସମୟରେ କେବଳ ଭାରତରୁ ଦେଶାନ୍ତରିତ ହୋଇଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୩୫ ଲକ୍ଷ । ସୁତରାଂ, ଭବିଷ୍ୟତରେ ଭାରତରୁ ଅଧିକ ସଂଖ୍ୟକ ଦକ୍ଷ ଶ୍ରମିକ ଦେଶାନ୍ତରିତ ହେଲେ ସେମାନେ ଦେଶ ଉପରେ ବୋଝ ନ ହୋଇ ବରଂ ସେମାନଙ୍କ ପ୍ରେରିତ ବିଦେଶୀ ମୁଦ୍ରାରେ ଦେଶ ଅଧିକ ସମୃଦ୍ଧ ହେବ ।
“ଆମେ ପାଞ୍ଚ, ଆମର ପଚିଶ”, “ଚାରି ସ୍ତ୍ରୀ ଓ ଚାଳିଶ ପିଲା” ଭଳି ଅଶାଳୀନ ମନ୍ତବ୍ୟମାନ ଦେଇ ଏକ ବିଭ୍ରାନ୍ତି ସ଼ୃଷ୍ଟି କରାଯାଉଛି ଯେ ମୁସଲମାନମାନେ ସେମାନଙ୍କ ସଂଖ୍ୟା ବୃଦ୍ଧି ଲାଗି ପ୍ରୟାସରତ । ସ୍ୱାଧୀନତା ପରେ ସବୁ ଧର୍ମାବଲମ୍ୱୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ହିନ୍ଦୁଙ୍କ ସଂଖ୍ୟା ୧୯୫୧ରେ ୩୦.୪ କୋଟିରୁ ବଢି ୨୦୧୧ ଜନଗଣନାରେ ୯୬.୬ କୋଟି ହୋଇଥିଲା ବେଳେ, ମୁସଲମାନଙ୍କ ସଂଖ୍ୟା ୩.୫କୋଟିରୁ ୧୭.୨ କୋଟି ଓ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୦.୮ କୋଟିରୁ ୨.୮ କୋଟିକୁ ବଢ଼ିଛି । ତେବେ ଏହି ସମୟ ମଧ୍ୟରେ ମୁସଲମାନଙ୍କ ସଂଖ୍ୟା ୪.୪ ପ୍ରତିଶତ ବୃଦ୍ଧି ପାଇ ୧୪.୨ ପ୍ରତିଶତ ହୋଇଥିବା ବେଳେ ହିନ୍ଦୁଙ୍କ ସଂଖ୍ୟା ୪.୩ ପ୍ରତିଶତ ହ୍ରାସ ପାଇ ୭୯.୮ ପ୍ରତିଶତ ହୋଇଛି । ହିନ୍ଦୁଙ୍କ ପ୍ରତିଶତ ହ୍ରାସ ଧର୍ମାନ୍ତରଣଜନିତ କି ବୋଲି ମନରେ ସନ୍ଦେହ ଉପୁଜିପାରେ । ପୂର୍ବରୁ ହିନ୍ଦୁ ଭାବେ ପରିଗଣିତ ହେଉଥିବା କିଛି ଆଦିବାସୀ ନିଜର ଅଲଗା ଧର୍ମ ବୋଲି ଘୋଷଣା କରିବା ଦ୍ୱାରା ହିନ୍ଦୁଙ୍କ ପ୍ରତିଶତ କିଛିଟା ହ୍ରାସ ପାଇଛି । ତା’ଛଡା ସ୍ୱାଧୀନ ଭାରତରେ ବଡ ଧରଣର ଧର୍ମାନ୍ତରଣ ହୋଇ କୋଟି କୋଟି ଲୋକ ଧର୍ମ ପରିବର୍ତ୍ତନ କରିଥିବାର ସେଭଳି କୌଣସି ନଜିର ନାହିଁ । ସେହିପରି ମୁସଲମାନଙ୍କ ଏକାଧିକ ପତ୍ନୀ ଗ୍ରହଣ ବା ଅଧିକ ପିଲା ଜନ୍ମ ହେବା ସହ ଜନସଂଖ୍ୟା ବୃଦ୍ଧିର କୌଣସି ସିଧାସଳଖ ସମ୍ପର୍କ ଥିଲା ପରି ଜଣାପଡ଼ୁ ନାହିଁ । କାରଣ ୧୯୯୨-୯୩ରେ ହୋଇଥିବା ଏନଏଫଏଚଏସ-୧ ସର୍ଭେ ଅନୁଯାୟୀ ମୁସଲମାନ ମହିଳାଙ୍କ ଉତ୍ପାଦିକା ହାର ୪.୪ ଥିଲାବେଳେ ୨୦୧୯-୨୧(ଏନଏଫଏଚଏସ-୫)ରେ ତାହା ହ୍ରାସ ପାଇ ୨.୩ରେ ପହଞ୍ଚି ପରିପୂରଣ ସ୍ତରର ନିକଟତର ହୋଇସାରିଲାଣି । ଏଥିରୁ ମୁସଲମାନମାନେ ଯେ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଗ୍ରହଣ କରିବାରେ ଆଗ୍ରହ ଦେଖାଉଛନ୍ତି, ତାହା ସୁସ୍ପଷ୍ଟ । ଏହି ସମୟରେ ହିନ୍ଦୁ ମହିଳାଙ୍କ ଉତ୍ପାଦିକା ହାର ୩.୩ରୁ ହ୍ରାସ ପାଇ ୧.୯୪ ହୋଇଛି । ଅର୍ଥାତ୍ ମୁସଲମାନଙ୍କ ଉତ୍ପାଦିକା ହାର ସର୍ବାଧିକ ୪୬.୫ ପ୍ରତିଶତ ହ୍ରାସ ପାଇଥିବା ବେଳେ ହିନ୍ଦୁଙ୍କର ୪୧.୨ ପ୍ରତିଶତ ହ୍ରାସ ପାଇଛି । ତେଣୁ, ମୁସଲମାନଙ୍କ ସଂଖ୍ୟା ବୃଦ୍ଧିର କାରଣ ସମ୍ପର୍କିତ ଆଲୋଚନା ମୁସଲମାନ ମହିଳାଙ୍କ ଉଚ୍ଚ ଉତ୍ପାଦିକା ହାର ଉପରେ କେନ୍ଦ୍ରିତ ହେଉଥିବାରୁ ଏହାର ଅନ୍ୟ କେତୋଟି ଦିଗ ପ୍ରତି ଧ୍ୟାନ ଆକର୍ଷିତ ହୋଇନଥାଏ । ଅଧ୍ୟୟନ ଅନୁଯାୟୀ ଜନ୍ମଲାଭ କରିବା ପରେ ଯେତେ ସଂଖ୍ୟକ ହିନ୍ଦୁ ଶିଶୁ ପାଞ୍ଚ ବର୍ଷ ଯାଏଁ ବଞ୍ଚି ରହନ୍ତି ତା’ ଅପେକ୍ଷା ୧୮ ପ୍ରତିଶତ ଅଧିକ ମୁସଲମାନ ଶିଶୁ ବଞ୍ଚି ରହନ୍ତି । ଟେକ୍ସାସ ବିଶ୍ୱବିଦ୍ୟାଳୟର ମାଇକେଲ ଜେରୁସୋଙ୍କ ଏକ ଅଧ୍ୟୟନ ଅନୁସାରେ ଗ୍ରାମାଞ୍ଚଳରେ ମୁସଲମାନଙ୍କ ତୁଳନାରେ ୪୦ ପ୍ରତିଶତ ଅଧିକ ହିନ୍ଦୁ ଖୋଲାରେ ଶୌଚ କରିଥାଆନ୍ତି । ଏହି ଏକମାତ୍ର ପରିମଳ ଅଭ୍ୟାସଗତ ପାର୍ଥକ୍ୟ ରୋଗ ସଂକ୍ରମଣକୁ ଆମନ୍ତ୍ରଣ ଜଣାଇ ହିନ୍ଦୁ ଶିଶୁ ମୃତ୍ୟୁହାର ବୃଦ୍ଧିର ଏକ ବଡ଼ କାରଣ ପାଲଟିଥାଏ । ହିନ୍ଦୁ ଶିଶୁ ମୃତ୍ୟୁହାର ହ୍ରାସ ପାଇ ମୁସଲମାନ ଶିଶୁ ମୃତ୍ୟୁହାରର ସମତୁଲ ହେଲେ ବାର୍ଷିକ ୩୭୦୦୦୦ ଶିଶୁଙ୍କ ଜୀବନରକ୍ଷା ହୋଇପାରନ୍ତା । କେବଳ ଶିଶୁ ମୃତ୍ୟୁହାର ନୁହେଁ ବରଂ ପ୍ରତି ବୟସ ବର୍ଗରେ ମୁସଲମାନଙ୍କ ମୃତ୍ୟୁହାର ହିନ୍ଦୁଙ୍କ ତୁଳନାରେ କମ୍ ହୋଇ ସାମଗ୍ରିକ ଭାବେ ତାହା ହାରାହାରି ୧୩ ପ୍ରତିଶତ କମ୍ ହୋଇଥାଏ । ଦିନରେ ୫ ଥର ନମାଜ ପଢିବା ପୂର୍ବରୁ ହାତ ମୁହଁ ଧୋଇବା ମୁସଲମାନଙ୍କ ଲାଗି ଏକ ଧାର୍ମିକ ଆବଶ୍ୟକତା ହୋଇଥିବାରୁ ସେମାନଙ୍କ ବ୍ୟକ୍ତିଗତ ପରିଚ୍ଛନ୍ନତା ଅଧିକ ହୋଇ ରୋଗ ସଂକ୍ରମଣର ଆଶଙ୍କାକୁ କମ୍ କରିଥାଏ । ଭାରତରେ ବାର୍ଷିକ ପ୍ରାୟ ୫ ଲକ୍ଷ କନ୍ୟାଭ୍ରୁଣ ହତ୍ୟା ହେଉଛି । ହିନ୍ଦୁ ସମାଜରେ ପୁତ୍ର ସନ୍ତାନ ପ୍ରତି ଥିବା ଅତ୍ୟଧିକ ମୋହ ଏହାର ଏକ ପ୍ରମୁଖ କାରଣ ବୋଲି ଦର୍ଶାଯାଇଥାଏ । ସମାନ କାରଣ ଯୋଗୁଁ ଝିଅର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଅବହେଳା କରାଯାଇଥାଏ । ଫଳରେ ହିନ୍ଦୁମାନଙ୍କ ମଧ୍ୟରେ ଲିଙ୍ଗଗତ ଅସମାନତା ଅଧିକ ଦେଖା ଦେଇଥାଏ, ଯାହାର କୁପ୍ରଭାବ ଝିଅଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ି ପରବର୍ତ୍ତୀ ସମୟରେ ତାହା ଶିଶୁ ମୃତ୍ୟହାର ବୃଦ୍ଧିର କାରଣ ପାଲଟିଥାଏ । ଅନ୍ୟ ପକ୍ଷରେ ମୁସଲମାନମାନଙ୍କ ମଧ୍ୟରେ ଲିଙ୍ଗଗତ ସମାନତା ଅପେକ୍ଷାକୃତ ଉନ୍ନତ ହୋଇଥିବାରୁ ଲିଙ୍ଗ ଅନୁପାତ ମଧ୍ୟ ଅପେକ୍ଷାକୃତ ଭଲ । ୨୦୧୧ ଜନଗଣନା ଅନୁଯାୟୀ ପ୍ରତି ୧୦୦୦ ହିନ୍ଦୁ ଓ ମୁସଲମାନ ପୁରୁଷଙ୍କ ଅନୁପାତରେ ମହିଳାଙ୍କ ସଂଖ୍ୟା ଯଥାକ୍ରମେ ୯୪୦ ଓ ୯୫୧ । କେବଳ ସେତିକି ନୁହେଁ, ହିନ୍ଦୁମାନଙ୍କ ମଧ୍ୟରେ ବିଧବା ଓ ପରିତ୍ୟକ୍ତା ମହିଳାଙ୍କ ପୁନଃବିବାହ ସାମାଜିକ ସ୍ୱୀକୃତି ଲାଭ କରି ନ ଥିବାରୁ ପ୍ରଜନନକ୍ଷମ ମହିଳାଙ୍କ ସଂଖ୍ୟା ହ୍ରାସ ପାଉଛି, ଯାହାର ପ୍ରଭାବରେ ଉତ୍ପାଦିକା ହାର ହ୍ରାସ ପାଇ କମ୍ ଶିଶୁ ଜନ୍ମ ହେଉଛନ୍ତି । ମୁସଲମାନ ମହିଳାଙ୍କ ହାରାହାରି ଉଚ୍ଚତା ଓ ବିଏମଆଇ (ବଡ଼ି ମାସ ଇଣ୍ଡେକ୍ସ) ହିନ୍ଦୁ ମହିଳାଙ୍କ ଅପେକ୍ଷା ଅଧିକ ହୋଇଥାଏ । ଉଚ୍ଚତା ଅଧିକ ହେବା କ୍ରମସଞ୍ଚିତ ପୁଷ୍ଟିର ନିଦର୍ଶନ । ଫଳରେ ମୁସଲମାନ ଶିଶୁମୃତ୍ୟୁ ହାର କମ୍ ହେବା ସହ ସେମାନଙ୍କ ମଧ୍ୟରେ ୱେଷ୍ଟିଂ (ଉଚ୍ଚତା ତୁଳନାରେ କମ ଓଜନ) ପ୍ରାୟତଃ କମ୍ ହୋଇଥାଏ । ଉପରୋକ୍ତ କାରଣଗୁଡିକ ହିନ୍ଦୁଙ୍କ ତୁଳନାରେ ମୁସଲମାନଙ୍କ ସଂଖ୍ୟା ବୃଦ୍ଧିରେ ସହାୟକ ହେଉଥିବା ଜଣାପଡ଼େ । ତଥାପି ମୁସଲମାନଙ୍କ ଅନୁନ୍ନତ ସାମାଜିକ ଓ ଅର୍ଥନୈତିକ ସ୍ତର, ମହିଳାଙ୍କ ଉଚ୍ଚ ଉତ୍ପାଦିକା ହାର, କମ୍ ସମୟ ବ୍ୟବଧାନରେ ପ୍ରସବ ଆଦି ମୃତ୍ୟୁହାର ବୃଦ୍ଧିକାରୀ କାରଣଗୁଡିକ ସତ୍ତ୍ୱେ ସେମାନଙ୍କ ଶିଶୁ ମୃତ୍ୟୁହାର ଅପେକ୍ଷାକୃତ କମ୍ ହେବାର କାରଣ ଖୋଜିବା ଲାଗି ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି ।
କେନ୍ଦ୍ର ସରକାର ଜାତୀୟ ଜନସଂଖ୍ୟା ନୀତି, ୨୦୦୦ ଓ ଜାତୀୟ ସ୍ୱାସ୍ଥ୍ୟ ନୀତି, ୨୦୧୭କୁ କାର୍ଯ୍ୟକାରୀ କରି ୨୦୪୫ ସୁଦ୍ଧା ଜନସଂଖ୍ୟାକୁ ସ୍ଥିର ରଖିବାକୁ ପ୍ରୟାସ କରୁଥିବାରୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଉ କୌଣସି ଆଇନ ପ୍ରଣୟନ କରିବାର ପ୍ରସ୍ତାବ ନାହିଁ ବୋଲି ସଂସଦରେ ଜଣାଇସାରିଛନ୍ତି । ତେଣୁ ଜନସଂଖ୍ୟା ବୃଦ୍ଧି ହୁଏତ ଭାରତ ପାଇଁ ୨୦୪୭ ପର୍ଯ୍ୟନ୍ତ ଆହ୍ୱାନ ସୃଷ୍ଟି କରିପାରେ, କିନ୍ତୁ ପରବର୍ତ୍ତୀ ସମୟରେ ଜନସଂଖ୍ୟା ହ୍ରାସ ପାଇବାକୁ ଲାଗିଲେ ଏହା ନୂତନ ସମସ୍ୟା ବା ସମ୍ଭାବନାକୁ ଜନ୍ମ ଦେଇପାରେ, ଯାହାର ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିପାରେ । ଜନସଂଖ୍ୟା ହ୍ରାସ ତୁଳନାରେ ଯଦି ଶ୍ରମବଳର ଉତ୍ପାଦିକା ବୃଦ୍ଧି ପାଏ ତେବେ ମୁଣ୍ଡପିଛା ଆୟ ବୃଦ୍ଧି ପାଇ ଜୀବନ ଧାରଣର ମାନ ଉନ୍ନତ ହେବ ଓ ଦେଶର ଅର୍ଥନୈତିକ ପ୍ରଗତି ହେବ, ଯାହା ଜାପାନ କ୍ଷେତ୍ରରେ ହୋଇଛି । ମାତ୍ର ଶ୍ରମବଳର ଉତ୍ପାଦିକା ବୃଦ୍ଧି ନ ପାଇଲେ ତାହା ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ତେଣୁ ଏହାକୁ ଧ୍ୟାନରେ ରଖି ଭବିଷ୍ୟତର ଶ୍ରମବଳର ଉତ୍ପାଦିକା ବୃଦ୍ଧି ପାଇଁ ମାନବ ସମ୍ୱଳକୁ ଦକ୍ଷ ଓ କର୍ମଠ କରିବାକୁ ଜାତୀୟ ନୀତି ପ୍ରସ୍ତୁତ ହେବା ସହ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ଜନସଂଖ୍ୟା ନୀତି ପ୍ରଣୟନ କରି ହୁଏତ ଶିଶୁଜନ୍ମକୁ ନିୟନ୍ତ୍ରଣ କରିହେବ, କିନ୍ତୁ ଶିଶୁ ମୃତ୍ୟୁହାରକୁ ନୁହେଁ । ବିଭିନ୍ନ ସମ୍ପ୍ରଦାୟର ଉତ୍ପାଦିକା ହାର ସମାନ ହୋଇ ଶିଶୁମୃତ୍ୟୁ ହାରରେ ଭିନ୍ନତା ରହିଲେ ଜନସଂଖ୍ୟାରେ ସାଂପ୍ରଦାୟିକ ତାରତମ୍ୟ ଦେଖାଦେବ । ତେଣୁ ଜନସଂଖ୍ୟାରେ ସାଂପ୍ରଦାୟିକ ସନ୍ତୁଳନ ରକ୍ଷା ନିମନ୍ତେ ଜାତୀୟ ଜନସଂଖ୍ୟା ନୀତିର ପ୍ରଣୟନ ଅପେକ୍ଷା ହିନ୍ଦୁମାନଙ୍କୁ ଆତ୍ମନୀରିକ୍ଷଣ କରି ସମାଜରେ ଥିବା କୁରୀତିଗୁଡିକ ଦୂର କରିବା ଲାଗି ସାମାଜିକ ସ୍ତରରେ ପ୍ରୟାସ ହେବା ଉଚିତ । ଏ ସଂଦର୍ଭରେ ଅଧିକ ସଚେତନତା ଏବଂ ଏ ସମ୍ପର୍କିତ ଆଲୋଚନା ବେଳେ ଅଧିକ ଚିନ୍ତନର ଆବଶ୍ୟକତା ରହିଛି ।
Published in Sambad on November 15, 2022
Comments
Post a Comment