Skip to main content

‘କିନାରା ଲୋକ’ଙ୍କ ଆଚରଣ

ଏକ ଟେଲିଭିଜନ ଆଲୋଚନାରେ ଭାଗ ନେଇ ବିଜେପିର ପ୍ରାକ୍ତନ ଜାତୀୟ ପ୍ରବକ୍ତା ନୂପୁର ଶର୍ମାଙ୍କ ଦ୍ୱାରା ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଦିଆଯାଇଥିବା ଆପତ୍ତିଜନକ ଟିପ୍ପଣୀ ଯୋଗୁଁ ଦେଶ ଭିତରେ ଓ ଦେଶ ବାହାରେ ଲାଗି ରହିଥିବା ଅସ୍ଥିରତା ଉଦବେଗର କାରଣ ପାଲଟିଛି । ଅନ୍ତର୍ଜାତୀୟ ଚାପର ବଶବର୍ତ୍ତୀ ହୋଇ ଏହା ଭାରତ ସରକାରଙ୍କ ମତ ବା ଆଭିମୁଖ୍ୟ ନୁହେଁ ଓ ଏହା କିଛି ‘ଫ୍ରିନଜ୍ ଏଲିମେଣ୍ଟସ୍’ ବା ‘କିନାରା ଲୋକ’ଙ୍କ ମତ ଯାହା ସହ ସରକାରଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସରକାରଙ୍କୁ କହିବାକୁ ହୋଇଛି । ତୁରନ୍ତ ଆନୁଶାସନିକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ବିଜେପି କେବଳ ଯେ ସମ୍ପୃକ୍ତ ପ୍ରବକ୍ତାଙ୍କୁ କିନାରା କରିଛି ତାହା ନୁହେଁ ବରଂ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ୱିତ କରିବା ସହ ପ୍ରଫେଟଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଦିଲ୍ଲୀ ମିଡିଆ ସେଲର ମୁଖ୍ୟ ନବୀନ ଜିନ୍ଦଲଙ୍କୁ ଦଳରୁ ନିଷ୍କାସିତ କରିଛନ୍ତି । ଇତିମଧ୍ୟରେ ଉଭୟଙ୍କ ବିରୁଦ୍ଧରେ ଏଫଆଇଆର ମଧ୍ୟ ଦାଖଲ ହୋଇଛି । ସରକାର ଓ ସରକାରୀ ଦଳର ଏହି କାର୍ୟ୍ୟାନୁଷ୍ଠାନ ଅନେକ ଦକ୍ଷିଣପନ୍ଥୀ ସମର୍ଥକଙ୍କୁ ବିଚଳିତ ଓ ବିକ୍ଷୁବ୍ଧ କରିଥିଲେ ବି ଦେଶର ସ୍ୱାର୍ଥ ଦୃଷ୍ଟିରୁ ବିଳମ୍ୱରେ ହେଲେ ବି ଏମାନଙ୍କୁ ‘କିନାରା ଲୋକ’ ବୋଲି ଘୋଷଣା କରି ଏହି  ସର୍ବନିମ୍ନ ପଦକ୍ଷେପ ଗ୍ରହଣ କରିବା ବ୍ୟତୀତ ସେମାନଙ୍କ ପକ୍ଷରେ ଗତ୍ୟନ୍ତର ଥିଲା ଭଳି ମନେ ହୁଏନାହିଁ ।

ଶାସକ ଦଳର ଜାତୀୟ ପ୍ରବକ୍ତାଙ୍କୁ ସରକାର ‘କିନାରା ଲୋକ’ ବୋଲି ଘୋଷଣା କରିବା କିଛି ଛୋଟ ଘଟଣା ନୁହେଁ, କାରଣ ଏଥି ପୂର୍ବରୁ ଏ ଭଳି ଘଟିଥିବାର ଦୃଷ୍ଟାନ୍ତ ନାହିଁ । ଇଂରାଜୀ କଲିନସ୍ ଡିକସନାରୀ ଅନୁଯାୟୀ ଚରମ ବା ଧର୍ମାନ୍ଧ ମତକୁ ଗ୍ରହଣ ବା ସମର୍ଥନ କରୁଥିବା ସମାଜ ବା ଏକ ଗୋଷ୍ଠୀର କିଛି ବ୍ୟକ୍ତି ବିଶେଷଙ୍କୁ ‘ଫ୍ରିଞ୍ଜ ଏଲିମେଣ୍ଟସ୍’ ବା ‘କିନାରା ଲୋକ’ ବୋଲି କୁହାଯାଇପାରେ । ଅର୍ଥାତ୍ ଏମାନଙ୍କର ମତାଦର୍ଶର ସମାଜର ମୁଖ୍ୟସ୍ରୋତର ମତାଦର୍ଶ ସହ ତାଳମେଳ ନ ଥାଏ । ତେଣୁ କିନାରା ଲୋକଟି ନଈ ମଝିରେ ମୁଖ୍ୟସ୍ରୋତରେ କ’ଣ ଘଟୁଛି ସେ ସମ୍ପର୍କରେ ଅବଗତ ନ ଥିବାରୁ ତା’ କଥାକୁ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ ।  ବସ୍ତୁତଃ ତା’ର ଆଚରଣ ଓ ଉଚ୍ଚାରଣକୁ ଖୁବ ବେଶିରେ ନାଟକର ‘ନେପଥ୍ୟରେ କୋଳାହଳ’ ସହ ତୁଳନା କରାଯାଇପାରେ ‘ଅଭିନେତାଙ୍କ ସଂଳାପ’ ସହ ନୁହେଁ । କାହାରି ଆଚରଣ ବା ଉଚ୍ଚାରଣ ଅସୁବିଧାଜନକ ହେଲେ ତା’ ସହ କୌଣସି ସମ୍ପର୍କ ନାହିଁ ବୋଲି ସୂଚାଇବାକୁ ତା’ର ହାତ ଛାଡି କିନାରା କରିବାର ବିଧିଟିଏ ବି ପ୍ରଚଳିତ ଅଛି । ଏବେ ଚର୍ଚ୍ଚିତ ପ୍ରସଙ୍ଗଟି ସରକାର ଓ ଶାସକ ଦଳକୁ କିପରି ଅଡୁଆରେ ପକାଇଲା ଓ ଦେଶର କି କ୍ଷତି ହେବାର ଆଶଙ୍କା ସୃଷ୍ଟି କଲା ; ଯେଉଁଥିପାଇଁ ସରକାରଙ୍କୁ ଏ ଭଳି ଏକ କଡା ନିଷ୍ପତ୍ତି ନେବାକୁ ହେଲା, ତାହା ତର୍ଜମା କରିବାର ଆବଶ୍ୟକତା ରହିଛି । 

ମେ ୨୭, ୨୦୨୨ରେ ଏକ ଟେଲିଭିଜନ ଆଲୋଚନାରେ ନୂପୁର ଶର୍ମାଙ୍କ ଆପତ୍ତିଜନକ ଟିପ୍ପଣୀ ପରେ ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଲାଗି ଦେଶ ଭିତରେ କିଛି ଲୋକଙ୍କ ଦାବି ସତ୍ତ୍ୱେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । ତେବେ ଏହି ଘଟଣାର ଉପସାଗରୀୟ ଅଞ୍ଚଳର ଦେଶମାନଙ୍କରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ସେତେବେଳେ କାତାର ଗସ୍ତରେ ଯାଇଥିବା ଭାରତୀୟ ଉପରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆୟୋଜିତ ଭୋଜି ଓ ପ୍ରେସ ବାର୍ତ୍ତାଳାପକୁ ବାତିଲ କରି ଦିଆଗଲା । ସେଠାକାର ଭାରତୀୟ ରାଷ୍ଟ୍ରଦୂତଙ୍କୁ ହାଜର ହେବା ଲାଗି ଡାକରା ପଠାଗଲା । ଏଥି ସହିତ କୁଏତ୍, ଇରାନ ଓ ପାକିସ୍ତାନରେ ମଧ୍ୟ ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ ଡକାଇ ପଠାଗଲା । ମଧ୍ୟପ୍ରାଚ୍ୟରେ ଭାରତୀୟ ଦ୍ରବ୍ୟଗୁଡିକୁ ବହିଷ୍କାର କରିବାକୁ ଓମାନର ମୁଖ୍ୟ ମୁଫତି ଡାକରା ଦେଲେ । ଫଳସ୍ୱରୂପ ସାଉଦି ଆରବ, ଓମାନ, କାତାର, କୁଏତ୍, ବାହାରିନ ଆଦି ଦେଶର ଦୋକାନଗୁଡିକରୁ ଭାରତୀୟ ଦ୍ରବ୍ୟଗୁଡିକ ଅପସାରିତ ହେବା ଆରମ୍ଭ ହୋଇଗଲା । ପରିସ୍ଥିତିର ଗମ୍ଭୀରତାକୁ ଆକଳନ କରି ଉତ୍ତେଜନାକୁ ପ୍ରଶମିତ କରିବା ଲାଗି ଭାରତ ସରକାର ଓ ବିଜେପି ଦଳ ଉପରୋକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲେ । ଏହା ପରେ ୫୭ ସଦସ୍ୟ ବିଶିଷ୍ଟ ଓଆଇସି (ମୁସଲିମ ଦେଶ ସଙ୍ଗଠନ) ତରଫରୁ ଭାରତ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ପାରିତ ହେଲା ଯାହାକୁ ଭାରତ ଦୃଢତାର ସହ ବିରୋଧ କଲା । ଓଆଇସିର ଆଚରଣର ବିରୋଧ କରିଥିବା ଭାରତ, ଉପସାଗରୀୟ ଦେଶମାନଙ୍କରେ ରାଷ୍ଟ୍ରଦୂତମାନଙ୍କ ଡାକରା ପଡିଥିବା ବେଳେ ନୀରବ ରହିବାର କାରଣ ହେଉଛି ଏହି ଦେଶଗୁଡିକ ସହ ସୁସମ୍ପର୍କ ବଜାୟ ରଖିବା ଭାରତ ପାଇଁ ଏକ ପ୍ରକାର ଅପରିହାର୍ୟ୍ୟ ।

ଉଭୟ ଅର୍ଥନୈତିକ ଓ କୌଶଳଗତ କାରଣରୁ ଭାରତ ପାଇଁ ସାଉଦି ଆରବ, ୟୁଏଇ, କାତାର, ଓମାନ, କୁଏତ୍ ଓ ବାହାରିନ ଭଳି ମଧ୍ୟପ୍ରାଚ୍ୟର ୬ଟି ଦେଶଙ୍କୁ ନେଇ ଗଠିତ ଉପସାଗରୀୟ ସହଯୋଗ ସମିତି ( ଗଲ୍ଫ କୋଅପରେସନ କାଉନସିଲ ବା ଜିସିସି)ର ଗୁରୁତ୍ୱ ଯଥେଷ୍ଟ ଅଧିକ । ଗତ କିଛି ଦଶକ ଧରି ଏହି ଅଞ୍ଚଳର ଦେଶଗୁଡିକ ସହ ଭାରତର ସୁସମ୍ପର୍କ ରହି ଆସିଛି ଓ ତଦ୍ଦ୍ୱାରା ଭାରତକୁ ସୁଫଳ ମିଳିଛି ମଧ୍ୟ । ସମଗ୍ର ବିଶ୍ୱର ମୁସଲମାନ ଜନସଂଖ୍ୟାର ୨୦ ପ୍ରତିଶତ ଏହି ଦେଶମାନଙ୍କରେ ବସବାସ କରନ୍ତି । ଜିସିସି ଦେଶ ସମୂହ ସହ ଭାରତର ଉଲ୍ଲେଖନୀୟ ବାଣିଜ୍ୟିକ ସମ୍ପର୍କ ରହିଛି ଓ ଏହା ବର୍ଷ ପରେ ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଭାରତ ସେହି ଦେଶମାନଙ୍କରୁ ମୁଖ୍ୟତଃ ଅଶୋଧିତ ତେଲ ଓ ପ୍ରାକୃତିକ ଗ୍ୟାସ ଆମଦାନୀ କରୁଥିବା ବେଳେ ସେଠାକୁ ମୁକ୍ତା, ମୂଲ୍ୟବାନ ପଥର, ଗହଣା, ଧାତବ ସାମଗ୍ରୀ, ବୈଦ୍ୟୁତିକ ଯନ୍ତ୍ରପାତି, ରସାୟନ ଓ ଖାଦ୍ୟ ପଦାର୍ଥ ଆଦି ରପ୍ତାନୀ କରିଥାଏ । ବାଣିଜ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ୨୦୨୦-୨୧ରେ ଜିସିସି ଦେଶଙ୍କ ସହ ଭାରତର ରପ୍ତାନୀ ପ୍ରାୟ ୨୭୮୦ କୋଟି ଡଲାର ଥିଲା ବେଳେ ୨୦୨୧-୨୨ରେ ତାହା ୪୪୦୦ କୋଟି ଡଲାର ବା ପ୍ରାୟ ୫୮ ପ୍ରତିଶତ ବୃଦ୍ଧି ପାଇଛି । ଏହା ଭାରତର ସମୁଦାୟ ରପ୍ତାନୀର ପ୍ରାୟ ୧୦ ପ୍ରତିଶତ ।  ସେହିପରି ଏହି ସମୟ ମଧ୍ୟରେ ସେହି ଅଞ୍ଚଳରୁ ଆମଦାନୀ ୮୫ ପ୍ରତିଶତ ବୃଦ୍ଧି ପାଇ ପ୍ରାୟ ୧୧୦୭୩ କୋଟି ଡଲାରରେ ପହଞ୍ଚିଛି, ଯାହା ଭାରତର ସମୁଦାୟ ଆମଦାନୀର ୧୮ ପ୍ରତିଶତ । ବସ୍ତୁତଃ, ବାଣିଜ୍ୟ ବୃଦ୍ଧି ପାଇଁ ଭାରତ ଏହି ଦେଶଗୁଡିକ ସହ ମୁକ୍ତ ବାଣିଜ୍ୟ ଅଞ୍ଚଳ ଚୁକ୍ତିରେ ଅନୁବନ୍ଧିତ ହେବାର ମସୁଧା କରୁଛି । ଭାରତ ତାର ସମଗ୍ର ଅଶୋଧିତ ତୈଳ ଆବଶ୍ୟକତାର ପ୍ରାୟ ୮୫ ପ୍ରତିଶତ ଆମଦାନୀ ଉପରେ ନିର୍ଭର କରୁଥିବା ବେଳେ ଏହାର ସିଂହଭାଗ ଜିସିସି ଓ ଇରାକରୁ ଆସିଥାଏ । ସମୁଦାୟ ଆମଦାନୀର ୨୨ ପ୍ରତିଶତ ଇରାକରୁ ଆସୁଥିବା ବେଳେ ତା ପଛକୁ ଥିବା ଦେଶଗୁଡିକ ହେଲେ ସାଉଦି ଆରବ, ୟୁଏଇ ଓ କୁଏତ୍ । ନିକଟରେ ରୁଷିଆରୁ ଶସ୍ତା ତେଲ ଉପଲବ୍ଧ ହେଉଥିବା ସତ୍ତ୍ୱେ ପ୍ରତିଶତ ଦୃଷ୍ଟିରୁ ତାର ପରିମାଣ ଏତେ ନଗଣ୍ୟ ଯେ ଭାରତକୁ ତାର ତୈଳ ଆବଶ୍ୟକତା ଲାଗି ଜିସିସି ଓ ଇରାନରୁ ଆମଦାନୀ ଉପରେ ନିର୍ଭର ରହିବାକୁ ହେବ । ସେହିପରି ଭାରତ ଆମଦାନୀ କରୁଥିବା ପ୍ରାକୃତିକ ଗ୍ୟାସର ୫୦ ପ୍ରତିଶତ କେବଳ କାତାରରୁ ଆସିଥାଏ । ବିଦେଶରେ ଥିବା ପ୍ରାୟ ୧.୩୫ କୋଟି ଅପ୍ରବାସୀ ଭାରତୀୟଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଏହି ଦେଶଗୁଡିକରେ ରହି ଜୀବିକାର୍ଜନ କରୁଛନ୍ତି । ବିଶ୍ୱ ବ୍ୟାଙ୍କର ତଥ୍ୟ ଅନୁଯାୟୀ ବିଦେଶରେ ରହୁଥିବା ଭାରତୀୟମାନେ ୨୦୨୦ରେ ପ୍ରାୟ ୮୩୧୫ କୋଟି ଡଲାର ରାଶି ସ୍ୱଦେଶକୁ ପ୍ରେରଣ କରିଥିଲେ । ରିଜର୍ଭ ବ୍ୟାଙ୍କ ଅନୁଯାୟୀ ଏଥିରୁ ପ୍ରାୟ ୫୦ ପ୍ରତିଶତରୁ ଅଧିକ ରାଶି ଜିସିସି ଦେଶମାନଙ୍କରୁ ଆସିଥାଏ । ଏତଦଭିନ୍ନ ଭାରତର ଶହ ଶହ କମ୍ପାନୀ ସେହି ଦେଶଗୁଡିକରେ କାର୍ୟ୍ୟରତ ଥିବା ବେଳେ ସେହି ଦେଶଗୁଡିକରୁ ଭାରତରେ ବିପୁଳ ପରିମାଣର ଅର୍ଥ ଆରାମକୋ, ସାବିକ, ଜାମିଲ ଆଦି କମ୍ପାନୀଗୁଡିକ ମାଧ୍ୟମରେ ବିନିଯୋଗ ହୋଇଛି । ଏହି ସମସ୍ତ କାରଣରୁ ସେହି ଦେଶମାନଙ୍କ ସହ ସୁସମ୍ପର୍କ ରକ୍ଷା କରିବା ଯେ ଭାରତର ସ୍ୱାର୍ଥରେ, ସେଥିରେ ସନ୍ଦେହ ନାହିଁ ।             

ଉପରୋକ୍ତ ଘଟଣା ପରେ ବିଜେପି ତରଫରୁ ଏହାର ପ୍ରବକ୍ତାମାନଙ୍କ ଅନୁସରଣାର୍ଥେ ମାର୍ଗଦର୍ଶିକା ଜାରି କରାଯାଇଛି, ଯାହା ସ୍ୱାଗତଯୋଗ୍ୟ । ସେମାନେ ଟିଭି ଆଲୋଚନାରେ କୌଣସି ଧର୍ମ, ତାହାର ଚିହ୍ନ ବା ଧର୍ମୀୟ ବ୍ୟକ୍ତିବିଶେଷଙ୍କର ସମାଲୋଚନା କରିବେ ନାହିଁ । ଟିଭି ଆଲୋଚନାର ଉତ୍ତେଜନାରେ ସେମାନେ ସୀମା ଉଲ୍ଲଂଘନ କରିବେ ନାହିଁ । ସେମାନଙ୍କ ଭାଷାକୁ ନିୟନ୍ତ୍ରିତ ରଖିବା ସହ ଉନ୍ମାଦନା ବା ଉତ୍ତେଜନାର ବଶବର୍ତ୍ତୀ ହେବେ ନାହିଁ । କୌଣସି ପ୍ରସଙ୍ଗରେ ଦଳର ମତ କଣ ତାହା ସୁନିଶ୍ଚିତ କରି ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଆଲୋଚନାରେ ଭାଗ ନେବେ । ଆଲୋଚନାର ବିଷୟବସ୍ତୁ ଉପରେ କେନ୍ଦ୍ରିତ ରହିବା ସହିତ ସେଥିରୁ ବିଚ୍ୟୁତ ନ ହେବା ପ୍ରତି ଧ୍ୟାନ ଦେବେ । କେବଳ ବିଜେପି ପ୍ରବକ୍ତା ନୁହନ୍ତି, ସବୁ ଅଂଶଗ୍ରହଣକାରୀ ଯଦି ଉପରୋକ୍ତ ମାର୍ଗଦର୍ଶିକାର ଅନୁସରଣ ପୂର୍ବକ ସୁସଂହତ ଭାବେ ଆଲୋଚନାରେ ଭାଗ ନେବା ଆରମ୍ଭ କରିବେ ତେବେ ପ୍ରତି ସଂଧ୍ୟାରେ ହିନ୍ଦୁ-ମୁସଲମାନ, ମନ୍ଦିର-ମସଜିଦ, ଭାରତ-ପାକିସ୍ତାନ ଭଳି ଦ୍ୱେଷପୂର୍ଣ୍ଣ ଟିଭି ଡିବେଟମାନ ଶୁଣି ଶୁଣି ମସ୍ତିଷ୍କ କଳୁଷିତ ହେଉଥିବା ଦର୍ଶକମାନଙ୍କୁ ଅନ୍ତତଃ କିଛିଟା ନିସ୍ତାର ମିଳି ଦେଶର ଅର୍ଥନୀତି, ଦରବୃଦ୍ଧି, ବେକାରୀ ସମସ୍ୟା ଭଳି ପ୍ରସଙ୍ଗରେ କିଛି ଅର୍ଥପୂର୍ଣ୍ଣ ଆଲୋଚନା ଶୁଣିବାର ସୁଯୋଗ ମିଳିବ । 

ଇତି ମଧ୍ୟରେ ନୂପୁର ଶର୍ମାଙ୍କୁ ଦୁଷ୍କର୍ମ ଓ ହତ୍ୟାର ଧମକମାନ ଦିଆଯାଉଛି, ଯାହା ଅତ୍ୟନ୍ତ ନିନ୍ଦନୀୟ ।  ଏହି ଧମକ ଦେଉଥିବା ବ୍ୟକ୍ତିମାନଙ୍କୁ ବି ସେହି କିନାରା ଶ୍ରେଣୀରେ ଗଣିବାକୁ ହେବ, ମୁଖ୍ୟସ୍ରୋତରେ ନୁହେଁ । ଏବେ ପ୍ରଶ୍ନ ଉଠୁଛି ଏହି କିନାରା ଶ୍ରେଣୀର ଲୋକଙ୍କ ସଂଖ୍ୟାରେ ଅଚାନକ ବୃଦ୍ଧି ଘଟିଲା କେମିତି ? ସତେ ଯେମିତି ପ୍ରତି ଦଳ ଓ ଗୋଷ୍ଠୀରେ କିନାରା ଶ୍ରେଣୀର ଲୋକଙ୍କ ଉପସ୍ଥିତି ଅପରିହାର୍ୟ୍ୟ ହୋଇ ପଡିଲାଣି । କେତେକ କ୍ଷେତ୍ରରେ ମୁଖ୍ୟସ୍ରୋତର ନେତାମାନେ ଅବାଞ୍ଛିତ କାର୍ୟ୍ୟଗୁଡିକୁ ନିଜେ ନ କରି ଏହି ଧରଣର ଲୋକଙ୍କ ଜରିଆରେ କରାଇଥାଆନ୍ତି । ତେବେ କିନାରା ଲୋକଙ୍କ ବେଆଇନ କାର୍ୟ୍ୟ ବିରୁଦ୍ଧରେ ଉଚିତ ସମୟରେ ଆଇନାନୁମୋଦିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସେମାନେ ମୁଣ୍ଡବ୍ୟଥାର କାରଣ ପାଲଟିଥାଆନ୍ତି । ସେମାନଙ୍କୁ ପ୍ରତ୍ୟକ୍ଷ ଅଥବା ପରୋକ୍ଷରେ ପୁରସ୍କୃତ ବା ସମ୍ବର୍ଦ୍ଧିତ କରାଗଲେ ଏହି ଶ୍ରେଣୀର ଲୋକମାନେ ସେହିଭଳି ଆଚରଣ କରିବାକୁ ପ୍ରୋତ୍ସାହିତ ହୋଇଥାଆନ୍ତି । ‘ଦେଶ କେ ଗଦ୍ଦାରୋଁ କୋ ଗୋଲି ମାରୋ ... କୋ‘ ଭଳି ସ୍ଳୋଗାନ ଦେଉଥିବା ବ୍ୟକ୍ତି ବିଶେଷ ଉଚ୍ଚ ପଦାସୀନ ହୋଇପାରୁଥିବାରୁ କିନାରା ଶ୍ରେଣୀର ଲୋକଙ୍କ ମଧ୍ୟରେ ତାକୁ ଟପି ଅଧିକ ଲଗାମଛଡା ଆଚରଣ ପ୍ରଦର୍ଶନ କରିବା ଲାଗି ସତେ ଯେମିତି ପ୍ରତିଯୋଗିତା ଲାଗିଯାଏ । ସେମାନଙ୍କଠାରେ ପ୍ରତ୍ୟୟ ସୃଷ୍ଟି ହୋଇଯାଏ ଯେ ଗର୍ହିତ କାର୍ୟ୍ୟଟିଏ ମାଧ୍ୟମରେ ହେଉ ପଛେ ନିଜ ପ୍ରତି ସମସ୍ତଙ୍କ ଧ୍ୟାନ ଆକୃଷ୍ଟ କରାଇ ପାରିଲେ ଭବିଷ୍ୟତରେ ନେତୃତ୍ୱର ଶିଡି ଚଢି ମୁଖ୍ୟସ୍ରୋତର ନେତା ହେବା ସହଜ ହୋଇଥାଏ । ତେବେ କିନାରା ଲୋକଙ୍କ ଅନିୟନ୍ତ୍ରିତ ଆଚରଣ ଓ ଉଚ୍ଚାରଣ ସମାଜରେ ଦ୍ୱେଷ ସୃଷ୍ଟି କରିବା ସହ ଦେଶର ପ୍ରଭୁତ କ୍ଷତିସାଧନ କରିଥାଏ । ସ୍ଥଳ ବିଶେଷରେ ସେହି ଆଚରଣ ଓ ଉଚ୍ଚାରଣ ଆଉ ଦେଶର ଆଭ୍ୟନ୍ତରୀଣ ବ୍ୟାପାର ହୋଇ ନ ରହି ସୀମା ସରହଦ ଡେଇଁ ଯେ ଦେଶସ୍ୱାର୍ଥ ହାନିର କାରଣ ପାଲଟିପାରେ, ତାହା ଏହି ଘଟଣାରୁ ପ୍ରମାଣିତ ହେଲା । ଯେଉଁ ଦେଶଗୁଡିକ ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ପାଇଁ ଭାରତ ଆଡକୁ ଅନାଇ ରହୁଥିଲେ, ସେମାନେ ଭାରତକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ପରିତାପର ବିଷୟ । କାତାର ଭଳି ଛୋଟ ଛୋଟ ଦେଶରେ ଭାରତର ରାଷ୍ଟ୍ରଦୂତମାନଙ୍କୁ ଅପମାନଜନକ ଭାବେ ହାଜର ହେବାକୁ ହେଲା, ଯାହା ଆଜି ଯାଏଁ କେବେ ଘଟି ନଥିଲା । ଜଣେ ଦଳୀୟ ପ୍ରବକ୍ତାଙ୍କ ଉଚ୍ଚାରଣ ଦେଶର ସ୍ୱାର୍ଥ ଓ ସମ୍ମାନହାନିର କାରଣ ପାଲଟିବା କେତେ ଦୂର ଗ୍ରହଣୀୟ ? ଦେଶର ସ୍ୱାର୍ଥ ଓ ସମ୍ମାନରକ୍ଷା ସର୍ବୋପରି ହୋଇଥିବାରୁ କୌଣସି ପରିସ୍ଥିତିରେ ସେଥିପ୍ରତି ବିପଦ ସୃଷ୍ଟି କରୁଥିବା କିନାରା ଲୋକଙ୍କ ଆଚରଣ ଓ ଉଚ୍ଚାରଣକୁ ପ୍ରଶ୍ରୟ ଦେବା ଉଚିତ ନୁହେଁ । ଏହା ଆତ୍ମଘାତୀ ହୋଇପାରେ ।            


(Published in Sambad on June 14, 2022) 

Comments

  1. ସମୟପୋଯୋଗୀ , ସଠିକ୍ ଆକଳନର ଆଲେଖ୍ୟ ଟି ।🙏

    ReplyDelete
  2. Irrespective of religion and political affiliation all should exercise restraint of speech.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍