ଭାରତୀୟ ସେନାବାହିନୀରେ ଭର୍ତ୍ତି ପାଇଁ ନୂତନ ଭାବେ ଘୋଷିତ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ହିଂସାତ୍ମକ ଓ ଉଗ୍ର ଆକାର ଧାରଣ କରିଥିବା ବେଳେ ବିଶ୍ୱର କେତେକ ଦେଶରେ ପ୍ରଚଳିତ ବାଧ୍ୟତାମୂଳକ ସେନାଭର୍ତ୍ତି ବିରୁଦ୍ଧରେ ମଧ୍ୟ ଏକ ଭିନ୍ନ ଧରଣର ଅହିଂସାତ୍ମକ ଆନ୍ଦୋଳନ ଜାରି ରହିଛି । ନିକଟରେ ଊଣେଇଶ ବର୍ଷୀୟା ୟୁହୁଦୀ ଯୁବତୀ ହଲେଲ ରବିନ ବାଧ୍ୟତାମୂଳକ ସେନାଭର୍ତ୍ତିକୁ ବିରୋଧ କରି ୫୬ ଦିନ ଜେଲରେ ରହିବା ଘଟଣା ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
୧୯୪୮ରେ ଇସ୍ରାଏଲ ଏକ ସ୍ୱାଧୀନ ଦେଶ ଭାବେ ପ୍ରତିଷ୍ଠିତ ହେବା ପରେ ଏହାର ପ୍ରଥମ ପ୍ରଧାନମନ୍ତ୍ରୀ ଡେଭିଡ ବେନ-ଗୁରିଅନ ମନେ କରୁଥିଲେ ଯେ ‘ଇସ୍ରାଏଲ ଡିଫେନ୍ସ ଫୋର୍ସେସ’ ବା ‘ଆଇଡିଏଫ’ ଆଧିକାରିକ ଭାବେ ଦେଶର ସେନାବାହିନୀ ହୋଇଥିଲେ ବି ସମଗ୍ର ଇସ୍ରାଏଲବାସୀ ହିଁ ସେନାବାହିନୀର ଅଂଶବିଶେଷ । ସେଥିପାଇଁ ଇସ୍ରାଏଲରେ ରହୁଥିବା ୨୦ ପ୍ରତିଶତ ଆରବ ଅଧିବାସୀଙ୍କୁ ବାଦ ଦେଇ ସବୁ ଇସ୍ରାଏଲୀ ନାଗରିକଙ୍କୁ ୧୮ ବର୍ଷ ହେଲା ମାତ୍ରେ ସେନାବାହିନୀରେ ଯୋଗ ଦେବାକୁ ହୋଇଥାଏ । ଝିଅମାନେ ସେନାବାହିନୀରେ ୨ ବର୍ଷ କାର୍ୟ୍ୟ କରୁଥିବା ବେଳେ ପୁଅମାନଙ୍କୁ ୩୨ ମାସ କାର୍ୟ୍ୟ କରିଥାଆନ୍ତି । ତେବେ ଏହା ବି ସତ ଯେ ଅନେକେ ମିଛ ଆଳ ଦେଖାଇ ସେଥିରୁ ନିସ୍ତାର ପାଇଥାଆନ୍ତି । ମିଛର ଆଶ୍ରୟ ନ ନେଇ ରବିନ ଖୋଲାଖୋଲି ଭାବେ ନିଜକୁ ‘ଶାନ୍ତିବାଦୀ’ ବୋଲି ଘୋଷଣା କରି ସେନାବାହିନୀରେ ଯୋଗ ଦେବାକୁ ମନା କରିଦେଲେ । ଏପରି ଲୋକମାନଙ୍କୁ ବିବେକୀ ପ୍ରତିବାଦୀ (କନସାଇନସସ୍ ଅବଜେକ୍ଟର) ବୋଲି କୁହାଯାଇଥାଏ । ସେଠାକାର ଆଇନ ଅନୁଯାୟୀ ଏପରି ଆଚରଣ ପାଇଁ ଜଣକୁ ଜେଲଦଣ୍ଡ ଭୋଗିବାକୁ ହୋଇଥାଏ । ତେଣୁ ରବିନଙ୍କୁ ଅଗଷ୍ଟ ୨୦୨୦ରୁ ଜେଲରେ ରହିବାକୁ ପଡିଥିଲା । ତେବେ ବିଚାର ସମୟରେ ସେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ତାଙ୍କ ‘ଶାନ୍ତିବାଦ’ ନିଷ୍କପଟ ଓ କୌଣସି ରାଜନୈତିକ ମତାଦର୍ଶ ଦ୍ୱାରା ପ୍ରଭାବିତ ନୁହେଁ ବୋଲି ସେନା ବୋର୍ଡ ଗ୍ରହଣ କରି ତାଙ୍କୁ ମୁକ୍ତି ପ୍ରଦାନ କରିଥିଲେ । ବିଡମ୍ୱନା ଏହି ଯେ ‘ଆଇଡିଏଫ’କୁ ଆଦର୍ଶଗତ, ନୀତିଗତ ଓ ରାଜନୈତିକ ଦୃଷ୍ଟିରୁ ବିରୋଧ କରିଥିବାରୁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଦେଶଦ୍ରୋହୀ ଭାବେ ଚିତ୍ରଣ କରାଯିବା ସହ ହତ୍ୟା ଧମକ ପର୍ୟ୍ୟନ୍ତ ମିଳିବାକୁ ଲାଗିଲା । କିନ୍ତୁ ତାଙ୍କ ଶାନ୍ତିବାଦର ମତାଦର୍ଶ କାରଣରୁ ତାଙ୍କ ସଂଗ୍ରାମର କାହାଣୀ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସେନାବାହିନୀର ଶକ୍ତି ବୃଦ୍ଧି ଓ ଯୁଦ୍ଧର ଉପଯୋଗିତାକୁ ନେଇ ଭିନ୍ନ ଏକ ବିତର୍କ ଆରମ୍ଭ କରିଦେଲା ।
ନିଜ ମତ, ବିବେକ ବା ଧର୍ମର ସ୍ୱାଧୀନତା ଆଧାରରେ ସେନାବାହିନୀରେ ଅସ୍ତ୍ରଧାରଣ କରିବା, ତାଲିମ ନେବା ବା କୌଣସି ସେବା ପ୍ରଦାନ କରିବାକୁ ମନା କରିବାକୁ ନିଜର ଅଧିକାର ବୋଲି ମନେ କରୁଥିବା ବ୍ୟକ୍ତିଙ୍କୁ ‘ବିବେକୀ ପ୍ରତିବାଦୀ’ ବୋଲି କୁହାଯାଇଥାଏ । ଶାସକ ଓ ସମାଜ ଦ୍ୱାରା ଅତୀତରେ ଅନେକ ବିବେକୀ ପ୍ରତିବାଦୀଙ୍କୁ ଶାସ୍ତି ପ୍ରଦାନ ସହ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଖ୍ରୀଷ୍ଟ ଧର୍ମାବଲମ୍ୱୀ ମାକ୍ସିମିଲିଆନସ ନିଜ ଧାର୍ମିକ ବିଶ୍ୱାସ ପାଇଁ ରୋମ ସେନାବାହିନୀରେ କାର୍ୟ୍ୟ କରିବାକୁ ମନା କରି ଦେଇଥିବାରୁ ୨୯୫ ଖ୍ରୀଷ୍ଟାବ୍ଦରେ ତାଙ୍କୁ ହତ୍ୟା କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ସନ୍ଥତ୍ୱ ପ୍ରାପ୍ତ ହୋଇ ସେଣ୍ଟ ମାକ୍ସିମିଲାନ ଭାବେ ବିଦିତ ହୋଇଥିଲେ । ଷୋଡଷ ଶତାବ୍ଦୀରେ ନେଦରଲାଣ୍ଡସରେ ମେନନାଇଟସ ନାମକ ଖ୍ରୀଷ୍ଟ ଗୋଷ୍ଠୀକୁ ଅର୍ଥ ବିନିମୟରେ ସେନାବାହିନୀରେ ଯୋଗ ନ ଦେବାର ଅଧିକାର ପ୍ରଦାନ କରାଯାଇଥିଲେ ବି ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ ବ୍ରିଟେନରେ ଆଇନଗତ ଭାବେ ପ୍ରୋଟେଷ୍ଟାଣ୍ଟ ଖ୍ରୀଷ୍ଟିଆନଙ୍କ କ୍ୱେକର ଗୋଷ୍ଠୀର ସଦସ୍ୟମାନଙ୍କୁ ବ୍ରିଟିଶ ସେନାବାହିନୀରେ ଯୋଗ ଦେବାରୁ ନିସ୍ତାର ମିଳିଥିଲା । ୧୯୧୭ରେ ମୟୂରଭଞ୍ଜଠାରେ ପ୍ରଥମ ବିଶ୍ୱଯୁଦ୍ଧରେ ସେନାବାହିନୀରେ ଯୋଗ ଦେବାକୁ ବିରୋଧ କରି ହଜାର ହଜାର ସଂଖ୍ୟାରେ ଆଦିବାସୀ ମେଳି କରିବା ଥିଲା ଭାରତରେ ବିବେକବାନ ପ୍ରତିବାଦର ପ୍ରଥମ ଦୃଷ୍ଟାନ୍ତ ।
ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ବ୍ରିଟେନ ସୈନ୍ୟବାହିନୀରେ ସୈନ୍ୟଙ୍କ ଅଭାବ ଦେଖା ଦେବାରୁ ସେନାବାହିନୀରେ ଯୁବକମାନଙ୍କର ବାଧ୍ୟତାମୂଳକ ଭର୍ତ୍ତିର ଆବଶ୍ୟକତା ଉପୁଜିଥିଲା । ହେଲେ ସେଠାରେ ବିବେକୀ ପ୍ରତିବାଦୀମାନେ ଯୁଦ୍ଧରେ ଭାଗ ନେଇ ଅସ୍ତ୍ର ଉଠାଇବାକୁ ମନା କରିଦେଲେ । ଏହା ପଛରେ ଅଧିକାଂଶ କାରଣ ଥିଲା ନୈତିକ ଓ ଧର୍ମୀୟ ଓ କେତେକ ଥିଲା ରାଜନୈତିକ । ଖ୍ରୀଷ୍ଟ ଧର୍ମରେ ଥିବା ‘ଦାଉ ସାଲ ନଟ କିଲ୍’ ବା ‘ଆମେ ହତ୍ୟା କରିବୁ ନାହିଁ’ ନୀତି ଶିକ୍ଷାରେ ଉଦବୁଦ୍ଧ କ୍ୱେକର୍ସ, ମେଥଡିଷ୍ଟ, ଆଦିମ ମେଥଡିଷ୍ଟ ଗୋଷ୍ଠୀର ଖ୍ରୀଷ୍ଟ ଧର୍ମାବଲମ୍ୱୀଙ୍କ ପାଇଁ କାହାରି ହତ୍ୟା ବିବର୍ଜିତ ହୋଇଥିବାରୁ କୌଣସି ପ୍ରକାର ଯୁଦ୍ଧରେ ସାମିଲ ନ ହେବାକୁ ସିଦ୍ଧାନ୍ତ ନେଇଥିଲେ । ବିବେକୀ ପ୍ରତିବାଦୀମାନେ ‘ନୋ-କନସ୍କ୍ରିପସନ ଫେଲୋସିପ’ ନାମକ ସଙ୍ଗଠନ ଗଢି ସେନାବାହିନୀରେ ବାଧ୍ୟତାମୂଳକ ଭର୍ତ୍ତିକୁ ବିରୋଧ କରୁଥିଲେ । ତେବେ ସେନାବାହିନୀରେ ଭର୍ତ୍ତିକୁ ବାଧ୍ୟତାମୂଳକ କରିବା ପାଇଁ ମିଲିଟାରୀ ସର୍ଭିସ ଆକ୍ଟ, ୧୯୧୬ର ପ୍ରଣୀତ ହୋଇ ୧୮ ରୁ ୪୧ ବର୍ଷ ବୟସର ସବୁ ଅବିବାହିତ ଓ ବିପତ୍ନୀକମାନଙ୍କୁ ମାର୍ଚ୍ଚ ୨, ୧୯୧୬ଠାରୁ ଯୁଦ୍ଧର ପରିସମାପ୍ତି ପର୍ୟ୍ୟନ୍ତ ସେନାବାହିନୀର ଅଂଶ ଭାବେ ଧରି ନିଆଗଲା । ‘ନୋ-କନସ୍କ୍ରିପସନ ଫେଲୋସିପ’ ସଂସ୍ଥାର ଅଭିଯାନ ଫଳରେ ଏହି ଆଇନରେ ଏକ ବିବେକ ଧାରା (କନସାଇନ୍ସ କ୍ଲଜ୍) ଯୋଡାଗଲା । ତଦନୁଯାୟୀ ବିବେକୀ ପ୍ରତିବାଦୀମାନେ ଛାଡ ପାଇବା ଲାଗି ଏକ ଟ୍ରିବ୍ୟୁନାଲ ସମ୍ମୁଖରେ ନିଜ ପକ୍ଷ ରଖିପାରିଲେ । ଏହି ଭଳି ପ୍ରାୟ ୧୬୦୦୦ ପ୍ରତିବାଦୀ ଛାଡ ପାଇବା ପାଇଁ ଟ୍ରିବ୍ୟନାଲର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଅଧିକାଂଶଙ୍କର ଆବେଦନ ଖାରଜ ହୋଇ ସେମାନଙ୍କୁ ସେନାବାହିନୀରେ ଭର୍ତ୍ତି ହେବା ଲାଗି ବାଧ୍ୟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ କୌଣସି ମିଲିଟାରୀ ଆଦେଶ ପାଳନ କରିବାକୁ ମନା କରିଦେଇଥିବା ପ୍ରାୟ ୬୦୦୦ ପ୍ରତିବାଦକାରୀଙ୍କୁ ‘ଆବସଲ୍ୟୁଟିଷ୍ଟ’ ଭାବେ ଅଭିହିତ କରାଗଲା । ସାମରିକ ଅନୁଶାସନକୁ ବିରୋଧ କରୁଥିବା ପ୍ରତିବାଦକାରୀମାନଙ୍କୁ କୋର୍ଟ ମାର୍ସଲ କରାଯାଇ ସେମାନଙ୍କ ପ୍ରତି ଅକଥନୀୟ ଅତ୍ୟାଚାର ହେଉଥିଲା । ଅନ୍ୟ ପକ୍ଷରେ ସେନାବାହିନୀରେ ଭର୍ତ୍ତି ହୋଇ ଯୁଦ୍ଧରେ ଅଂଶଗ୍ରହଣ କରିବାକୁ ରାଜି ନ ଥିବା ପ୍ରାୟ ୧୦୦୦୦ ପ୍ରତିବାଦୀଙ୍କ ପାଇଁ ସେନାବାହିନୀରେ ଏକ ‘ନନ-କମ୍ୱାଟାଣ୍ଟ କୋର’ ବା ଅଣଯୋଦ୍ଧା ବାହିନୀର ଗଠନ ହେଲା । ଏହାର ସଦସ୍ୟମାନେ ଅସ୍ତ୍ରଧାରଣ ନ କଲେ ବି ବିଭିନ୍ନ ଆନୁଷଙ୍ଗିକ କାର୍ୟ୍ୟରେ ସେନାବାହିନୀକୁ ସହଯୋଗ କଲେ । ସେତେବେଳେ ବ୍ରିଟେନରେ ବିବେକବାନ ପ୍ରତିବାଦୀମାନେ ଆଇସିଏସ ପରୀକ୍ଷାରେ ବସିବା ପାଇଁ ଅଯୋଗ୍ୟ ଥିଲେ । ଏହାର କାରଣ ସମ୍ପର୍କରେ ୧୯୧୬ରେ ବ୍ରିଟିଶ ପାର୍ଲିଆମେଣ୍ଟରେ ସେକ୍ରେଟେରୀ ଅଫ ଷ୍ଟେଟ ଚେମ୍ୱରଲେନ କହିଥିଲେ, “ଜଣେ ବ୍ୟକ୍ତି ଯାହାର ଯେ କୌଣସି ପରିସ୍ଥିତିରେ ରାଷ୍ଟ୍ର ଦ୍ୱାରା ବଳ ପ୍ରୟୋଗ ପ୍ରତି ନୈତିକ ବିରୋଧ ରହିଛି, ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଭାରତୀୟ ସିଭିଲ ସର୍ଭିସେସର ସଦସ୍ୟମାନଙ୍କୁ ଯେଉଁ କର୍ତ୍ତବ୍ୟ ନିର୍ବାହ କରିବାକୁ ହୋଇଥାଏ ତାହା ତାଠାରୁ ଆଶା କରିବା ସମ୍ଭବପର ହେଉ ନଥିବାରୁ ତାକୁ ଆଇସିଏସ ପାଇଁ ଅଯୋଗ୍ୟ ମଣିବା ଯୁକ୍ତିଯୁକ୍ତ ।” ଏଥିରୁ ସେ ସମୟର ବ୍ରିଟେନରେ ବିବେକବାନ ପ୍ରତିବାଦ ସମସ୍ୟା ଯେ କେତେ ଉତ୍କଟ ଥିଲା, ତାହା ଅନୁମେୟ ।
ଆମେରିକାରେ ସେନାବାହିନୀରେ ଭର୍ତ୍ତି ସ୍ୱେଚ୍ଛାକୃତ ଭାବେ ହୋଇଥାଏ । ତେବେ ୧୯୪୦ରୁ ୧୯୭୩ ପର୍ୟ୍ୟନ୍ତ ସେନାବାହିନୀରେ ଅନେକ ଶୂନ୍ୟ ପଦ ପଡି ରହିବାରୁ ଯୁବକମାନଙ୍କୁ ବାଧ୍ୟତାମୂଳକ ଭାବେ ସେନାବାହିନୀରେ ଭର୍ତ୍ତି କରାଯିବାକୁ ଲାଗିଲା । ଷଷ୍ଠ ଓ ସପ୍ତମ ଦଶକରେ ଭିଏତନାମ ଯୁଦ୍ଧ ଯୋଗୁଁ ଆମେରିକାକୁ ଆନ୍ତର୍ଜାତିକ ସ୍ତରରେ ନିନ୍ଦିତ ହେବାକୁ ପଡିଥିଲା । ଏହି ସମୟରେ ନିଜ ବ୍ୟକ୍ତିଗତ ବିଶ୍ୱାସ ସାମରିକ ସେବା ପ୍ରଦାନର ବିରୁଦ୍ଧାଚରଣ କରୁଥିବା ଦର୍ଶାଇ ଆମେରିକାରେ ବହୁ ସଂଖ୍ୟାରେ ବିବେକୀ ପ୍ରତିବାଦୀ ସେନାବାହିନୀରେ ଯୋଗ ଦେବାକୁ ମନା କରି ଦେଉଥିଲେ । ଏହିପରି ୧.୭୦ ଲକ୍ଷରୁ ଅଧିକ ଲୋକଙ୍କୁ ଆଧିକାରିକ ଭାବେ ବିବେକୀ ପ୍ରତିବାଦୀ ବୋଲି ଘୋଷଣା କରାଯାଇଥିଲା । ସାମରିକ ସେବା ପ୍ରଦାନ ନ କରିବା ଏକ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଜଣେ ବିବେକୀ ପ୍ରତିବାଦୀ ପକ୍ଷରେ ତାହା ଏପରି ଏକ କଠିନ ସମୟ ଥିଲା ଯେତେବେଳେ ତାକୁ ନିଜ ବିବେକର ଡାକ ଶୁଣି ଜେଲଦଣ୍ଡ ଭୋଗିବା ବା ଦେଶତ୍ୟାଗ କରିବା ଭିତରୁ ଗୋଟିଏକୁ ବାଛିବାକୁ ପଡୁଥିଲା ଓ ଅଧିକାଂଶ ପ୍ରଥମଟିକୁ ହିଁ ବାଛୁଥିଲେ । ତେବେ ଆହୁରି କେତେକ ଦେଶ ତ୍ୟାଗ କରି ସେନାବାହିନୀରେ ଭର୍ତ୍ତି ଆଦେଶକୁ ଏଡାଇବାରେ ସକ୍ଷମ ହେଉଥିଲେ । ସେହି ସମୟର ଅନେକ ବିବେକୀ ପ୍ରତିବାଦୀଙ୍କ ପାଇଁ ଓକିଲାତି କରିଥିବା ସାମ ଜାକବସନଙ୍କ ଅନୁଯାୟୀ, “ପ୍ରତିବାଦକାରୀ ଯୁବକମାନେ ଭିଏତନାମ ଯୁଦ୍ଧକୁ ନୈତିକତା ଦୃଷ୍ଟିରୁ ଗ୍ରହଣ କରି ନ ପାରି ପ୍ରକୃତ ପକ୍ଷେ ଯୁଦ୍ଧକୁ ବିରୋଧ କରି ବିବେକୀ ପ୍ରତିବାଦୀ ସାଜିଥିଲେ । ... ... ମୋଟାମୋଟି ଭାବେ ସେମାନେ ମୁଖ୍ୟଧାରାର ସାଧାରଣ ଆମେରିକୀୟ ଥିଲେ ଆଉ ନିଶ୍ଚିତ ରୂପେ ଅପରାଧୀ ନ ଥିଲେ । ଏହି ଭଦ୍ର ଯୁବକମାନଙ୍କୁ ସେମାନଙ୍କ ବିଶ୍ୱାସ ପାଇଁ ଜେଲ ଭିତରକୁ ଅଡେଇ ନିଆଯାଉଥିବା ଦୃଶ୍ୟ ବାସ୍ତବିକ ହୃଦୟ ବିଦାରକ ଥିଲା । ”
ଜାତିସଂଘରେ ୧୯୭୬ରେ ସ୍ୱାକ୍ଷରିତ ଆନ୍ତର୍ଜାତିକ ନାଗରିକ ଓ ରାଜନୈତିକ ଅଧିକାର ଚୁକ୍ତି (ଆଇସିସିପିଆର)ର ଧାରା ୧୮ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କର ମତ, ବିବେକ ଓ ଧର୍ମର ସ୍ୱାଧୀନତାର ଅଧିକାର ରହିଛି । ତେବେ ସେଥିରେ ସେନାବାହିନୀରେ ସେବା ପ୍ରଦାନ କରିବାକୁ ମନା କରିବା ଲାଗି ବିବେକୀ ପ୍ରତିବାଦୀଙ୍କ ଅଧିକାର ସମ୍ପର୍କରେ କୌଣସି ସ୍ପଷ୍ଟ ଉଲ୍ଲେଖ ନ ଥିଲେ ବି ୨୦୦୬ରେ କମିଟି ପ୍ରଥମ ଥର ଲାଗି ଏହି ଅଧିକାରକୁ ମାନ୍ୟତା ପ୍ରଦାନ କରିଥିଲା । ଏଣିକି ପ୍ରତି ବର୍ଷ ମେ ୧୫ ଦିନଟିକୁ ବିଶ୍ୱବ୍ୟାପୀ ବିଭିନ୍ନ ସଂଗଠନଙ୍କ ଦ୍ୱାରା ‘ଅନ୍ତର୍ଜାତୀୟ ବିବେକବାନ ପ୍ରତିବାଦ ଦିବସ’ ରୂପେ ପାଳନ କରାଯାଉଛି । ଏହା ସତ୍ତ୍ୱେ ବିଶ୍ୱର ଅଧିକାଂଶ ଦେଶରେ ‘ବିବେକୀ ପ୍ରତିବାଦୀ’ଙ୍କ ଅଧିକାର ଗ୍ରହଣୀୟ ହୋଇନାହିଁ । ଆର୍ମେନିଆ, ଅଷ୍ଟ୍ରିଆ, ଆଜରବୈଜାନ, ବ୍ରାଜିଲ, ଗ୍ରିସ, ମ୍ୟାନମାର, ସାଇପ୍ରସ, ଡେନମାର୍କ, ମିଶର, ଫିନଲାଣ୍ଡ, ଇରାନ, ଇସ୍ରାଏଲ, ଉତ୍ତର କୋରିଆ, ଦକ୍ଷିଣ କୋରିଆ, ମେକ୍ସିକୋ, ନରୱେ, ରୁଷିଆ, ସିଙ୍ଗାପୁର, ସ୍ୱିଜରଲାଣ୍ଡ, ଥାଇଲାଣ୍ଡ, ତାଇୱାନ, ତୁର୍କି, ୟୁଏଇ ଭଳି ଅନେକ ଦେଶରେ ସେନାବାହିନୀରେ ଯୋଗଦାନ ବାଧ୍ୟତାମୂଳକ ଥିଲା ବେଳେ ଅନ୍ୟ କିଛି ଦେଶରେ ସେ ନେଇ ଆଇନ ଥିଲେ ବି ତାହା କଡାକଡି ଭାବେ ଅନୁପାଳନ କରାଯାଇ ନ ଥାଏ । ଏମାନଙ୍କ ମଧ୍ୟରୁ ପ୍ରାୟ ୩୦ଟି ଦେଶରେ ବିବେକବାନ ପ୍ରତିବାଦକାରୀଙ୍କ ସେନାବାହିନୀରେ ଯୋଗଦାନକୁ ମନା କରିବାର ଅଧିକାରକୁ ସମ୍ମାନ ଜଣାଇ ଆଇନ ପ୍ରଣୟନ ହୋଇଛି । ସେହିପରି କୋଷ୍ଟାରିକା, ଆଇସଲାଣ୍ଡ, ମରିସସ, ମୋନାକୋ, ନାଉରୁ, ପାନାମା, ଭଟିକାନ ସିଟି ଭଳି ୧୮ଟି ଛୋଟ ଛୋଟ ଦେଶରେ କୌଣସି ସ୍ଥାୟୀ ସେନାବାହିନୀ ନ ଥିଲେ ବି ସେଗୁଡିକ କୌଣସି ଯୁଦ୍ଧ ବା ବହିଃ ଆକ୍ରମଣର ଶିକାର ହୋଇନାହାନ୍ତି । ଭାରତରେ ସେନାବାହିନୀରେ ଅଂଶଗ୍ରହଣ ବାଧ୍ୟତାମୂଳକ ନୁହେଁ । ତେବେ ଅନୁଧ୍ୟାନ କଲେ ଜଣାଯାଏ ଯେ ସୈନ୍ୟ ଭାବେ ଯୋଗ ଦେଉଥିବା ଅଧିକାଂଶ ଗରିବ ପରିବାରରୁ ଆସିଥାଆନ୍ତି । ସେମାନଙ୍କୁ ସୈନ୍ୟବାହିନୀରେ ଏକ ସ୍ଥାୟୀ ଚାକିରୀ କେବଳ ରୋଜଗାରର ଗ୍ୟାରେଣ୍ଟି ଦେଇ ନ ଥାଏ ବରଂ ଏକ ପରିଚୟ ପ୍ରଦାନ କରି ସାମାଜିକ ପ୍ରତିଷ୍ଠା ମଧ୍ୟ ଦେଇଥାଏ ।
ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିବା ଲାଗି ଜାତୀୟତାବାଦୀମାନେ ଯୁଦ୍ଧର ମହିମା ଗାନ କରୁଥିବା ବେଳେ ଅନ୍ତର୍ଜାତୀୟତାବାଦରେ ଉଦବୁଦ୍ଧ ମାନବବାଦୀମାନେ ଯୁଦ୍ଧର ବିଭୀଷିକାକୁ ଏଡାଇ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଥାଆନ୍ତି । ବାସ୍ତବ ପକ୍ଷେ ପ୍ରତିଟି ଯୁଦ୍ଧ ଈର୍ଷା, ଦ୍ୱେଷ ଓ ସ୍ୱାର୍ଥସିଦ୍ଧି ଲାଗି ପ୍ରଥମେ ମାନସିକ ସ୍ତରରେ ହିଁ ଲଢାଯାଇଥାଏ । ତେଣୁ ଯେତେ ଅଧିକ ଲୋକ ଯୁଦ୍ଧମନସ୍କ ହେଉଥିବେ, ବିଶ୍ୱ ସେତେ ଅଧିକ ବିନାଶମୁଖୀ ହେଉଥିବ । “ଆମେ, ମଣିଷମାନେ ଯିଏ ଯେଉଁଠି ଅଛନ୍ତି ସମସ୍ତଙ୍କ ଏକ ସରଳ ଓ ସ୍ପଷ୍ଟ ଉଦ୍ଦେଶ୍ୟ ଯେ ଆମେ ପ୍ରକୃତ ଶାନ୍ତି ଓ ସୁରକ୍ଷିତ ଭାବେ ରହିବା । ଏହି ଅତି ମାତ୍ରାରେ ବିଭାଜିତ ଓ ରକ୍ତାକ୍ତ ପୃଥିବୀରେ ମଣିଷମାନେ ନିଜ ନିଜ ଭିତରେ ଲଢୁଥିବା ବେଳେ ଏଠିକା ସମେତ ସର୍ବତ୍ର ଜୀବନ ଜୀଇଁବାକୁ ସେତିକି ମିଳିଗଲେ ଯଥେଷ୍ଟ” ବୋଲି ଜେଲରୁ ମୁକ୍ତି ପାଇବା ପରେ ରବିନଙ୍କ ଉକ୍ତି ଯୁଦ୍ଧର ବିଭୀଷିକାକୁ ଏଡାଇ, ଦ୍ୱନ୍ଦ୍ୱର ପଥକୁ ପରିହାର କରି ଶାନ୍ତି ପ୍ରତିଷ୍ଠା ଦିଗରେ ଅଧିକ ଚିନ୍ତା ଓ ପ୍ରୟାସ କରିବାକୁ ବିଶ୍ୱବାସୀଙ୍କୁ ବିବଶ କରିପାରେ ।
(Published in Sambad on June 28, 2022)
Very nice writeup
ReplyDeleteThanks
Delete