Skip to main content

ଉତ୍କଟ ସାର ସଙ୍କଟର ଚିନ୍ତା

ଅଧିକ ଅମଳ ପାଇବା ଆଶାରେ ଚାଷୀ ଏବେ ତା ଫସଲରେ ଏତେ ଅଧିକ ରାସାୟନିକ ସାର ପ୍ରୟୋଗ କରୁଛି ଯେ ତାକୁ ବାଦ ଦେଇ ଚାଷ କରିବା କଥା ତା ମନକୁ ଆଣି ପାରିବ ନାହିଁ ।  ଏ ଭଳି ସମୟରେ ଦେଶରେ ରାସାୟନିକ ସାର ସଙ୍କଟର ଆଶଙ୍କା ଦେଖା ଦେବା ଚାଷୀଙ୍କ ଲାଗି ଆଦୌ ଶୁଭଙ୍କର ହୋଇ ନ ପାରେ । ଅନ୍ତର୍ଜାତୀୟ ବଜାରରେ ରାସାୟନିକ ସାର ଦର ହୁ ହୁ ହୋଇ ବଢିବା ଯୋଗୁଁ ଦେଶରେ ଉତ୍ପନ୍ନ ହୋଇଥିବା ସଙ୍କଟର ମୁକାବିଲା କରିବା ପାଇଁ ଉଭୟ ଚାଷୀ ଓ ସରକାରଙ୍କୁ ଗମ୍ଭୀରତାର ସହ ବିବେଚନା କରିବାକୁ ହେବ ।

ଗତ ଦୁଇ ବର୍ଷ ଧରି ବିଶ୍ୱ ବଜାରରେ ଯବକ୍ଷାରଜାନ, ଫସଫରସ ଓ ପଟାସିଅମ (ଏନପିକେ) ସାରର ଦର କ୍ରମାଗତ ଭାବେ ବୃଦ୍ଧି ପାଇ ଆସୁଛି । ଉଦାହରଣ ସ୍ୱରୂପ, ଅନ୍ତର୍ଜାତୀୟ ବଜାରରେ ଏପ୍ରିଲ ୨୦୨୦ରେ ଡିଏପି ସାର ଦର ଟନ ପିଛା ୨୭୬ ଡଲାର ଥିବା ବେଳେ ଏପ୍ରିଲ ୨୦୨୨ରେ ତାହା ୯୫୪ ଡଲାରରେ ଆସି ପହଞ୍ଚିଛି । ସେହିପରି ଏପ୍ରିଲ ୨୦୨୦ରେ ୟୁରିଆର ଦର ଟନ ପିଛା ୨୫୫ ଡଲାର ଥିବା ବେଳେ ଏପ୍ରିଲ ୨୦୨୨ରେ ତାହା ଆସି ୯୨୫ ଡଲାର ହେଲାଣି ।  ରାସାୟନିକ ସାର ଦର ବୃଦ୍ଧି ପଛରେ ଥିବା ଅନେକ କାରଣ ମଧ୍ୟରୁ କଞ୍ଚାମାଲର ଦର ବୃଦ୍ଧି ଅନ୍ୟତମ ମୁଖ୍ୟ କାରଣ । ସାର ଉତ୍ପାଦନ ଓ ଦର ଅନେକାଂଶରେ ପ୍ରାକୃତିକ ଗ୍ୟାସର ସୁଲଭ ଉପଲବ୍ଧତା ଉପରେ ନିର୍ଭର କରିଥାଏ । ଉତ୍ତର ଆମେରିକାରେ ପ୍ରାକୃତିକ ଗ୍ୟାସ ଦର ଏମଏମବିଟିୟୁ ପିଛା ମାତ୍ର ୬ ଡଲାର ଥିବା ବେଳେ ଗତ କିଛି ଦିନ ମଧ୍ୟରେ ୟୁରୋପରେ ତାହା ୩୫ ଡଲାରରେ ପହଞ୍ଚିବାରୁ ସେଠାରେ ଆମୋନିଆ ଉତ୍ପାଦନ ହ୍ରାସ ପାଇଛି । ଉଲ୍ଲେଖନୀୟ ଯେ ଯବକ୍ଷାରଜାନ ଆଧାରିତ ସାର ପାଇଁ ଆମୋନିଆ ଏକ ମୁଖ୍ୟ ଉପାଦାନ ଅଟେ । ସେହିପରି ଚୀନରେ କୋଇଲା ଦରବୃଦ୍ଧି ସେଠାକାର ସାର କାରଖାନାଗୁଡିକୁ ଉତ୍ପାଦନ ହ୍ରାସ କରିବାକୁ ବାଧ୍ୟ କରିଛି । ଫଳରେ ୟୁରିଆ ସାରର ଦରବୃଦ୍ଧି ହୋଇଛି । ଆମୋନିଆ ଓ ସଲଫରର ଦର ଅଧିକ ଥିବାରୁ ଫସଫେଟ ସାରର ଦର ବୃଦ୍ଧି ପାଇଛି । ୟୁକ୍ରେନ ଯୁଦ୍ଧ ଯୋଗୁଁ ୟୁକ୍ରେନରେ ସାର ଉତ୍ପାଦନ ହୋଇ ପାରୁ ନାହିଁ । ଯୁଦ୍ଧ ପାଇଁ ରୁଷିଆ ଉପରେ ଲାଗିଥିବା ବ୍ୟାବସାୟିକ କଟକଣା ଯୋଗୁଁ ରୁଷିଆରୁ ରପ୍ତାନୀ ସମ୍ଭବ ହେଉନାହିଁ । ଏଥି ସହିତ କୃଷ୍ଣ ସାଗର ଦେଇ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେବା ମଧ୍ୟ ସାର ଦରବୃଦ୍ଧିର କାରଣ ପାଲଟିଛି । ବିଶ୍ୱର ୧୬ ପ୍ରତିଶତ ୟୁରିଆ, ୧୨ ପ୍ରତିଶତ ଡିଏପି  ଓ ୪୮ ପ୍ରତିଶତ ଆମୋନିଅମ ନାଇଟ୍ରେଟ ଆବଶ୍ୟକତା ରପ୍ତାନୀ ମାଧ୍ୟମରେ ରୁଷିଆ ପୂରଣ କରିଥାଏ । ସେହିପରି ଏମଓପି ସାରର ୨୦ ପ୍ରତିଶତ ରୁଷିଆରୁ ଓ ଆଉ ୨୦ ପ୍ରତିଶତ ବେଲାରୁସରୁ ବିଶ୍ୱ ବଜାରକୁ ଆସିଥାଏ । ଏନପିକେ ସାରର ସମୁଦାୟ ବିଶ୍ୱସ୍ତରୀୟ ରପ୍ତାନୀର ୨୮ ପ୍ରତିଶତ ରୁଷିଆ ଓ ୟୁକ୍ରେନରୁ ହୋଇଥାଏ । ୟୁକ୍ରେନ ଯୁଦ୍ଧ ଲାଗି ରହିବା ଯୋଗୁଁ ସାର ଯୋଗାଣ ଓ ବିପଣନ ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ ହୋଇପଡିଛି । ଠିକ୍ ଏତିକିବେଳେ ଜୁନ ୨୦୨୨ ପର୍ୟ୍ୟନ୍ତ ବିଦେଶକୁ ସାର ରପ୍ତାନୀ ସ୍ଥଗିତ ରଖିବାର ଚୀନର ନିଷ୍ପତ୍ତି ସଙ୍କଟକୁ ଅଧିକ ଉତ୍କଟ କରିଛି । ଅନ୍ତର୍ଜାତୀୟ ବଜାରରେ ଶକ୍ତି ଦର ବୃଦ୍ଧି ସହିତ କଞ୍ଚାମାଲ ଦରବୃଦ୍ଧି ଯୋଗୁଁ କିଛି ସାର ଉତ୍ପାଦନକାରୀ ସେମାନଙ୍କ ବିସ୍ତାର ଯୋଜନାକୁ କାର୍ୟ୍ୟକାରୀ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଅନ୍ୟ ପକ୍ଷରେ ଖାଦ୍ୟ ଦର ବୃଦ୍ଧି ଯୋଗୁଁ ଖାଦ୍ୟାନ୍ନ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ସାର ଚାହିଦା ବଢିଛି । ପ୍ରାକୃତିକ ଗ୍ୟାସ ଓ କୋଇଲାର ଦର ଅଧିକ ରହିଲେ ୟୁରିଆର ଦର ଉଚ୍ଚ ସ୍ତରରେ ରହିବ । ସେହିପରି ଆମୋନିଆ ଓ ସଲଫରର ଦର ନ କମିଲା ପର୍ୟ୍ୟନ୍ତ ଫସଫେଟ ଦର ମଧ୍ୟ କମିବ ନାହିଁ । ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଘଟି ରୁଷିଆ ଓ ବେଲାରୁସରୁ ପଟାସ ରପ୍ତାନୀ ସ୍ୱାଭାବିକ ନ ହେଲା ପର୍ୟ୍ୟନ୍ତ ଅନ୍ତର୍ଜାତୀୟ ବଜାରରେ ପଟାସର ଦର ଅଧିକ ରହିବ । ତେଣୁ ଅନ୍ତତଃ ଆଗାମୀ ବର୍ଷେ ଦୁଇ ବର୍ଷ ଯାଏଁ ଅନ୍ତର୍ଜାତୀୟ ସ୍ତରରେ ସାର ଦର କମ ହେବାର ସମ୍ଭାବନା ଦେଖାଯାଉନାହିଁ । 

ସମଗ୍ର ବିଶ୍ୱରେ ସର୍ବାଧିକ ସାର ବ୍ୟବହାରକାରୀ ଦେଶ ଭାବେ ଚୀନ ପଛକୁ ଭାରତ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ସର୍ବାଧିକ ସାର ଆମଦାନୀକାରୀ ଦେଶ ଭାବେ ଏହା ବ୍ରାଜିଲ ଓ ଆମେରିକା ପଛରେ ତୃତୀୟ ସ୍ଥାନରେ ରହିଛି । ଭାରତ ତାର ୟୁରିଆ ଆବଶ୍ୟକତାର ପ୍ରାୟ ୨୫ ପ୍ରତିଶତ ବିଦେଶରୁ ଆମଦାନୀ କରୁଥିବା ବେଳେ ଫସଫେଟ ଓ ପଟାସ ଜାତୀୟ ସାର ପାଇଁ ଆମଦାନୀ ନିର୍ଭରଶୀଳତା ଯଥାକ୍ରମେ ୯୦ ଓ ୧୦୦ ପ୍ରତିଶତ ଅଟେ । ତେଣୁ ଅନ୍ତର୍ଜାତୀୟ ବଜାରରେ ସାର ଦର ବୃଦ୍ଧି ଦେଶର ଅର୍ଥନୀତି ଉପରେ ଯେ ଅତ୍ୟଧିକ ଚାପ ସୃଷ୍ଟି କରିବ, ତାହା ନିଃସନ୍ଦେହ । ବିଭିନ୍ନ କାରଣରୁ ଏହି ଦର ବୃଦ୍ଧିକୁ ଚାଷୀଙ୍କ ଉପରକୁ ଠେଲି ଦେଇ ହେବନାହିଁ ଓ ବର୍ଦ୍ଧିତ ସାର ଦରକୁ ଅଧିକ ସବସିଡି ମାଧ୍ୟମରେ ସରକାରଙ୍କୁ ବହନ କରିବାକୁ ହେବ । ଉଲ୍ଲେଖନୀୟ ଯେ ଏବେ ବସ୍ତା ପିଛା ୟୁରିଆ, ଏନପିକେ ଓ ଡିଏପି ସାର ଯଥାକ୍ରମେ ୨୬୬, ୧୪୭୦ ଓ ୧୩୫୦ ଟଙ୍କାରେ ଉପଲବ୍ଧ, ଯାହାକୁ ଅପରିବର୍ତ୍ତିତ ରଖିବାକୁ ପଡିପାରେ । ବସ୍ତା ପିଛା ୨୬୬ ଟଙ୍କାରେ ଉପଲବ୍ଧ ୟୁରିଆ ସାରର ଦର ଏବେ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୪୦୦୦ଟଙ୍କା ହୋଇଥିବାରୁ ସରକାରଙ୍କୁ ସବସିଡି ବାବଦକୁ ପ୍ରାୟ ୩୭୦୦ ଟଙ୍କା ବହନ କରିବାକୁ ହେବ । ୨୦୨୧-୨୨ର ସଂଶୋଧିତ ବଜେଟରେ ରାସାୟନିକ ସାର ସବସିଡି ବାବଦରେ ୧.୪୦ ଲକ୍ଷ କୋଟି ଟଙ୍କାର ବଜେଟୀୟ ପ୍ରାବଧାନ ଥିଲା ବେଳେ  ୨୦୨୨-୨୩ ବଜେଟରେ ତାକୁ ହ୍ରାସ କରି ୧.୦୫ ଲକ୍ଷ କୋଟି ଟଙ୍କା କରାଯାଇଛି । ଅନ୍ତର୍ଜାତୀୟ ବଜାରରେ ସାର ଦର ବୃଦ୍ଧିଜନିତ କ୍ଷତିର ଭରଣା କରିବାକୁ ହେଲେ ସରକାରଙ୍କୁ ସାର ସବସିଡି ବଜେଟକୁ ୨ ଲକ୍ଷ କୋଟି ଟଙ୍କାକୁ ବଢାଇବାକୁ ପଡିପାରେ । ତାଠାରୁ ପ୍ରାବଧାନ କମ କରାଗଲେ ବିଦେଶରୁ ଚାହିଦା ମୁତାବକ ଆମଦାନୀ ହୋଇ ନ ପାରି ଦେଶ ଭିତରେ ସାରର ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇପାରେ । ଅବଶ୍ୟ ଖରିଫ ଋତୁରେ ଦେଶରେ ସାରର ନିଅଣ୍ଟିଆ ସ୍ଥିତିର କୌଣସି ଆଶଙ୍କା ନାହିଁ ବୋଲି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ସଂସଦକୁ ଆଶ୍ୱସ୍ତ କରିଥିଲେ । ହେଲେ ଗତବର୍ଷ ଦେଶର କେତେକ ଅଞ୍ଚଳରେ ଉତ୍କଟ ସାର ଅଭାବ ଦେଖା ଦେଇଥିବା ଓ ଉତ୍ତର ପ୍ରଦେଶରେ ସାର ପାଇଁ ଧାଡିରେ ଠିଆ ହୋଇ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ଘଟଣା ଏ ଯାଏଁ ମନରୁ ଲିଭି ନ ଥିବାରୁ ସରକାରଙ୍କ ଆଶ୍ୱାସନାକୁ ଅନେକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।     

୨୦୨୦-୨୧ରେ ଭାରତର ଖାଦ୍ୟାନ୍ନ ଉତ୍ପାଦନ ୩୧.୬୦ କୋଟି ଟନର ରେକର୍ଡ ସ୍ତର ଛୁଇଁବା ବାସ୍ତବିକ ଗର୍ବର ବିଷୟ । ୧୪୦ କୋଟି ଲୋକଙ୍କୁ ଖାଦ୍ୟ ଓ ପୁଷ୍ଟି ନିରାପତ୍ତା ପ୍ରଦାନ କରିବାରେ ଦେଶର କୃଷକମାନଙ୍କ ଅବଦାନକୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା ଯଥେଷ୍ଟ ହେବନାହିଁ । ତେବେ ଖାଦ୍ୟାନ୍ନର ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧିରେ ରାସାୟନିକ ସାରର ବର୍ଦ୍ଧିତ ଓ ବ୍ୟାପକ ପ୍ରୟୋଗ ଯେ ଏକ ବଡ ଭୂମିକା ନିର୍ବାହ କରିଛି, ତାହା ନିଃସନ୍ଦେହ । କୃଷି ବ୍ୟୟ ଓ ମୂଲ୍ୟ କମିସନ (ସିଏସିପି) ଅନୁଯାୟୀ ବିଭିନ୍ନ ଫସଲ ପାଇଁ ହେଉଥିବା ସମୁଦାୟ ବ୍ୟୟର ପ୍ରାୟ ୨୦ ପ୍ରତିଶତ ରାସାୟନିକ ସାର ବାବଦରେ ଖର୍ଚ୍ଚ ହୋଇଥାଏ ।  ତେଣୁ ଖାଦ୍ୟ ଓ ପୁଷ୍ଟି ନିରାପତ୍ତାକୁ ସୁନିଶ୍ଚିତ କରିବା ଲାଗି ରାସାୟନିକ ସାରର ଭୂମିକା ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସହଜରେ ଅନୁମେୟ । ଅବଶ୍ୟ ଅତ୍ୟଧିକ ରାସାୟନିକ ସାର ପ୍ରୟୋଗର ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ପଡୁଥିବା କୁପ୍ରଭାବକୁ ଦୃଷ୍ଟିରେ ରଖି ଏହାର ବିକଳ୍ପ ପାଇଁ ବିଭିନ୍ନ ସମୟରେ ହୋଇଥିବା ନାନାପ୍ରକାର ପ୍ରୟାସ ଏଯାବତ୍ ଚାଷୀମାନଙ୍କ ଦ୍ୱାରା ବହୁଳ ଭାବେ ଆଦୃତ ହୋଇପାରି ନଥିବାରୁ ରାସାୟନିକ ସାର ବ୍ୟବହାର ବନ୍ଦ ବା ହ୍ରାସ ପାଇବା ପରିବର୍ତ୍ତେ ପ୍ରତିବର୍ଷ ବୃଦ୍ଧି ପାଇଚାଲିଛି । ରାଜ୍ୟସଭାରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଗତ ୬ ବର୍ଷ ମଧ୍ୟରେ ଦେଶରେ ରାସାୟନିକ ସାରର ବ୍ୟବହାର ୧୬ ପ୍ରତିଶତ ବୃଦ୍ଧି ପାଇ ତାହା ବାର୍ଷିକ ପ୍ରାୟ ୬ କୋଟି ଟନରେ ପହଞ୍ଚିଲାଣି, ଅର୍ଥାତ୍ ହେକ୍ଟର ପିଛା ପ୍ରାୟ ୧୩୫ କିଲୋଗ୍ରାମ । ତନ୍ମଧ୍ୟରୁ ୟୁରିଆର ବ୍ୟବହାର ସର୍ବାଧିକ ୫୫ରୁ ୬୦ ପ୍ରତିଶତ ମଧ୍ୟରେ । ଗତ ପାଞ୍ଚ ଦଶନ୍ଧି ଧରି ଚାଲିଥିବା ‘ଲଙ୍ଗ ଟର୍ମ ଫର୍ଟିଲାଇଜର ଏକ୍ସପେରିମେଣ୍ଟ’ର ଗବେଷଣା ଆଧାରରେ ଜଣାପଡେ ଯେ ଯବକ୍ଷାରଜାନର ଲଗାତାର ଭାବେ ମାତ୍ରାଧିକ ପ୍ରୟୋଗ ଉଭୟ ମୃତ୍ତିକାର ସ୍ୱାସ୍ଥ୍ୟ ଓ ଉତ୍ପାଦିକା ପ୍ରତି କ୍ଷତିକାରକ ହେଉଛି । ହାଇଦ୍ରାବାଦସ୍ଥିତ ମ୍ୟାନେଜ ସଂସ୍ଥାର ଏକ ଅଧ୍ୟୟନ ଅନୁଯାୟୀ ୧୯୭୦ରେ ଏକ କେଜି ସାର ପ୍ରୟୋଗରେ ୧୩ କେଜି ଖାଦ୍ୟାନ୍ନ ଉତ୍ପାଦନ ହେଉଥିବା ବେଳେ ୨୦୧୦ ବେଳକୁ ତାହା କ୍ରମାଗତ ଭାବେ ହ୍ରାସ ପାଇ ୪ କେଜିକୁ ଖସି ଆସିଲାଣି । ୟୁରିଆକୁ ବାଦ୍ ଦେଲେ ଭାରତ ଫସଫେଟ ଓ ପଟାସ ସାରର ଉତ୍ପାଦନରେ କେବେ ବି ଆତ୍ମନିର୍ଭରଶୀଳ ହୋଇପାରିବନି, କାରଣ ସେଗୁଡିକର କଞ୍ଚାମାଲ ଭାରତରେ ଆବଶ୍ୟକ ପରିମାଣରେ ଉପଲବ୍ଧ ନାହିଁ । ତେଣୁ ରାସାୟନିକ ସାରର ବ୍ୟବହାରକୁ ହ୍ରାସ କରିବା ଦିଗରେ ଧ୍ୟାନ କେନ୍ଦ୍ରିତ କରି ନୀତି ନିର୍ଦ୍ଧାରଣ କରା ନ ଗଲେ ଅନ୍ତର୍ଜାତୀୟ ସ୍ତରରେ ସାରର ଦର ବୃଦ୍ଧି ଆମ ପାଇଁ ସବୁବେଳେ ମୁଣ୍ଡବ୍ୟଥାର କାରଣ ହେଉଥିବ । କେତେକ ଦେଶରେ ସାର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଚାଷୀ ଓ ସରକାରମାନେ କମ ସାର ଆବଶ୍ୟକ କରୁଥିବା ଫସଲ ଚାଷ କରିବା ପ୍ରତି ଗୁରୁତ୍ୱ ଦେଲେଣି । ଭାରତରେ ମଧ୍ୟ ଚାଷୀ ଓ ସରକାର ଅନୁରୂପ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

କାନାଡାର ଶକ୍ତି ଗବେଷକ ଭାକଲାଭ ସ୍ମିଲଙ୍କ ଅନୁଯାୟୀ ବିଶ୍ୱ ଜନସଂଖ୍ୟାର ପାଞ୍ଚ ଭାଗରୁ ଦୁଇ ଭାଗ ବା ପ୍ରାୟ ୩୦୦ କୋଟି ଲୋକ ଆଜି ଯଦି ବଞ୍ଚି ରହିପାରିଛନ୍ତି ତେବେ ତାର ଶ୍ରେୟ କେବଳ ଯବକ୍ଷାରଜାନ ସାରକୁ ଯିବ, ଯାହା ଷାଠିଏ ଦଶକର ସବୁଜ ବିପ୍ଳବର ମୁଖ୍ୟ ଉପାଦାନ ସାଜି କୃଷି କ୍ଷେତ୍ରକୁ ଆଜି ମଧ୍ୟ ପ୍ରାଣବନ୍ତ କରିରଖିଛି । କିନ୍ତୁ ଜଳବାୟୁ ପରିବର୍ତ୍ତନ, ଚାଷ କ୍ଷେତ୍ରରେ ବ୍ୟବହାର ହେଉଥିବା ଶକ୍ତିର ଦର ବୃଦ୍ଧି ସହ ରାସାୟନିକ ସାରର ଅଭାବ ଓ ଦରବୃଦ୍ଧି ଭଳି ସମସ୍ୟାଗୁଡିକ ମାନବ ସମାଜକୁ ବଞ୍ଚି ରହିବା ଲାଗି ଆଉ ଯବକ୍ଷାରଜାନ ଉପରେ ଅତ୍ୟଧିକ ନିର୍ଭର ନ କରି ଅନ୍ୟ ବିକଳ୍ପର ସନ୍ଧାନ କରିବା ସହ ଆଗାମୀ ଦିନରେ ଉଭୟ ଚାଷୀ ଓ ସରକାରଙ୍କୁ ସମଗ୍ର କୃଷି ବ୍ୟବସ୍ଥାକୁ ନୂଆ ଢଙ୍ଗରେ ପରିଚାଳନା କରିବାର ଆବଶ୍ୟକତା ଉପରେ ଭାବିବାକୁ ବାଧ୍ୟ କରିବ । ରାସାୟନିକ ସାର ସଙ୍କଟ ହୁଏତ ଜୈବିକ କୃଷି ପଦ୍ଧତିର ବ୍ୟାପକ ଅନୁସରଣ ଲାଗି  ଏକ ବିକଳ୍ପ ସାଜିବାର ସୁଯୋଗ ସୃଷ୍ଟି କରିପାରେ । ଆମେରିକାରେ ୧୯୮୧ରୁ ଚାଲିଥିବା ଏକ ଗବେଷଣା ଆଧାରରେ ଜଣାପଡେ ଯେ ଏକ ନିର୍ଦ୍ଦିଷ୍ଟ ସୁବିସ୍ତୃତ ଅଞ୍ଚଳରେ ଜୈବିକ ପଦ୍ଧତିର ଅନୁସରଣ କରି ଚାଷ କରାଗଲେ ପ୍ରାରମ୍ଭିକ ବର୍ଷମାନଙ୍କରେ ଉତ୍ପାଦନ କମ ହେଉଥିଲେ ବି କିଛି ବର୍ଷ ପରେ ତାହା ରାସାୟନିକ ସାର ପ୍ରୟୋଗରେ ହେଉଥିବା ଫସଲର ଅମଳର ପାଖାପାଖି ହୋଇପାରୁଛି । ଅଧିକନ୍ତୁ ମରୁଡି ବର୍ଷମାନଙ୍କରେ ଅମଳ ତୁଳନାତ୍ମକ ଭାବେ ଅଧିକ ହେଉଛି । ଏଥି ସହ ରାସାୟନିକ ସାର ଓ କୀଟନାଶକର ବିଷକ୍ରିୟାର ପ୍ରଭାବରୁ ମୃତ୍ତିକା, ଖାଦ୍ୟାନ୍ନ, ମନୁଷ୍ୟ, ଜୀବଜନ୍ତୁ ଓ କୀଟପତଙ୍ଗଙ୍କୁ ରକ୍ଷା କରିହେଉଛି । ପରିବେଶବିଦଙ୍କ ମତରେ ରାସାୟନିକ ସାରର ଅଭାବ ଲାଗି ରହିଲେ ତାହା ପରିବେଶ ପାଇଁ ଭଲ, କାରଣ ଆଉ ଉଦବୃତ୍ତ ଯବକ୍ଷାରଜାନ ଓ ଫସଫରସ ନଦୀ, ହ୍ରଦ ଜଳକୁ ଯାଇ ସେଠାକାର ଜଳକୁ ପ୍ରଦୂଷିତ କରିବ ନାହିଁ । ଜୈବିକ ପଦ୍ଧତିର ଚାଷରେ ପ୍ରାରମ୍ଭିକ ବର୍ଷମାନଙ୍କରେ ହେଉଥିବା କ୍ଷତିକୁ ଭରଣା କରିବା ପାଇଁ ସରକାର ଆଗେଇ ଆସିବା ଦରକାର, କାରଣ ବର୍ତ୍ତମାନ ରାସାୟନିକ ସାରର ସବସିଡି ବାବଦରେ ସରକାରଙ୍କୁ ହେକ୍ଟର ପ୍ରତି ପ୍ରାୟ ୭୦୦୦ ଟଙ୍କା ଦେବାକୁ ପଡୁଛି ଯାହା ଅଳ୍ପ ଦିନ ମଧ୍ୟରେ ୧୦୦୦୦ ଟଙ୍କା ଛୁଇଁପାରେ । ତେବେ ତଦ୍ଦ୍ୱାରା ତାତ୍କାଳିକ ଭାବେ ଉତ୍ପାଦନ ହ୍ରାସ ପାଇ ଉତ୍କଟ ଖାଦ୍ୟାଭାବ ଦେଖା ଦେବାର ଆଶଙ୍କା ଥିବାରୁ ଜୈବିକ ଓ ଆଧୁନିକ ଚାଷ ପଦ୍ଧତି ମଧ୍ୟରେ ସନ୍ତୁଳନ ରକ୍ଷା କରି ଆଗେଇବା କଥା ଚିନ୍ତା କରାଯାଇପାରେ ।  

 

(Published in Sambad on May 31, 2022)

Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍