ଦୁଇଟି ପାହାଡ - ନିୟମଗିରି ଓ ଡଙ୍କାରୀ । କାହିଁ କେଉଁ କାଳରୁ ସଗର୍ବେ ମଥା ଟେକି ଛିଡା ହୋଇ ରହିଛନ୍ତି ଏଇ ପାହାଡ ଦୁଇଟି । ସେଗୁଡିକର ସବୁଜିମା ଚିରକାଳ ସମସ୍ତଙ୍କୁ ବିମୋହିତ କରିଆସିଛି । ଯୁଗଯୁଗ ଧରି ସେମାନଙ୍କ ଉପରେ ନିର୍ଭରଶୀଳ ଲୋକମାନଙ୍କୁ ଜୀବନ ପ୍ରଦାନ କରିଆସିଛନ୍ତି ସେମାନେ । ପାହାଡ ଦୁଇଟିର ବିଶାଳକାୟ ରୂପକୁ ଯେଉଁମାନେ ପ୍ରତ୍ୟକ୍ଷ କରିଛନ୍ତି ସେଗୁଡିକର ଅସ୍ତିତ୍ୱ ପ୍ରତି ଯେ ଦିନେ ବିପଦ ମାଡି ଆସିପାରେ, ତାହା ସେମାନେ କଳ୍ପନା ସୁଦ୍ଧା କରି ନଥିବେ । ହେଲେ କିଛି ଲୋଭୀ ମଣିଷଙ୍କ ଦୃଷ୍ଟି ପାହାଡର ସବୁଜିମାକୁ ଦେଖି ସନ୍ତୁଷ୍ଟ ହୋଇପାରିନି । ସେମାନଙ୍କ ଲୋଲୁପ ଦୃଷ୍ଟି ପାହାଡ ଗର୍ଭରେ ଥିବା ମୂଲ୍ୟବାନ ସମ୍ପଦ ଉପରେ ପଡିବା ପରେ ପାହାଡ ଦୁଇଟିର ଅସ୍ତିତ୍ୱ ଶଙ୍କାଗ୍ରସ୍ତ ହେଲା । ପାହାଡ ଦୁଇଟିକୁ ସୁରକ୍ଷା ଦେବା ପାଇଁ ହୋଇଥିବା ସଂଘର୍ଷ ଦୁଇଟି ଭିନ୍ନ ଧାରାରେ ଗତି କରିଥିଲା । ପ୍ରଥମଟି କ୍ଷେତ୍ରରେ ସଂଘର୍ଷ ଏତେ ତୀବ୍ର ଓ ବହୁମୁଖୀ ହେଲା ଯେ ପ୍ରତିପକ୍ଷଙ୍କୁ ଆଉ ଅଗ୍ରସର ହେବାର ଅବକାଶ ମିଳିଲା ନାହିଁ । ଫଳରେ ନିୟମଗିରି ବିପଦମୁକ୍ତ ହୋଇ ପୂର୍ବ ପରି ଆଜି ପ୍ରାଣବନ୍ତ । ଅନ୍ୟ ପକ୍ଷରେ ଡଙ୍କାରୀର ଅସ୍ତିତ୍ୱ ସୁରକ୍ଷାର ଲଢେଇ ଅନୁରୂପ ଜନ ସମର୍ଥନ ହାସଲ କରିବାକୁ ଅସମର୍ଥ ହେଲା । ଫଳରେ ସେ ଆଜି କ୍ଷତାକ୍ତ ଓ ମୁମୂର୍ଷୁ ।
ନିୟମଗିରି ପର୍ବତମାଳା ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ପ୍ରାୟ ୨୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ । ନିୟମଗିରିରୁ ବକ୍ସାଇଟ ଉତ୍ତୋଳନ ପାଇଁ ବେଦାନ୍ତ ଆଲୁମିନାକୁ ମିଳିଥିବା ଲିଜ ବିରୁଦ୍ଧରେ ୨୦୦୪ରେ ସୁପ୍ରିମ କୋର୍ଟରେ ଦାୟର ହୋଇଥିବା ଦୁଇଟି ପୃଥକ୍ ମାମଲାର ଶୁଣାଣି କରି ଅଦାଲତ ୨୦୦୮ରେ କମ୍ପାନୀ ସପକ୍ଷରେ ରାୟ ଦେଲେ । ତେବେ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ମଞ୍ଜୁରୀ ମିଳିଲା ପରେ ଯାଇ ଖଣି ଖନନ ହୋଇପାରିବ ବୋଲି ସର୍ତ୍ତ ରଖିଲେ । ଏହା ପରେ ସେହି ଅଞ୍ଚଳର କ୍ଷୁବ୍ଧ ଅଧିବାସୀମାନେ ‘ନିୟମଗିରି ସୁରକ୍ଷା ସମିତି’ ମାଧ୍ୟମରେ ନିୟମଗିରିକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଲେ । ପ୍ରଭାବିତ ହେବାକୁ ଯାଉଥିବା ୧୧୨ଟି ଗାଁର ଡଙ୍ଗରିଆ କନ୍ଧ, କୁଟିଆ କନ୍ଧ ଓ ଦଳିତମାନଙ୍କ ମଧ୍ୟରେ ବିଦ୍ରୋହର ବାର୍ତ୍ତା ନିଆଁ ଭଳି ବ୍ୟାପିଗଲା ଓ ସେମାନଙ୍କ ମଧ୍ୟରେ କେବଳ ଗୋଟିଏ ସ୍ୱର ଅନୁରଣିତ ହେବାକୁ ଲାଗିଲା, ‘ମରିବୁ ପଛେ, ଡରିବୁ ନାହିଁ, ନିୟମଗିରି ଛାଡିବୁ ନାହିଁ’ । କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଦ୍ୱାରା ଖଣି ଖନନ ପାଇଁ ପ୍ରଦତ୍ତ ନୀତିଗତ ଅନୁମୋଦନକୁ ୨୦୧୧ରେ ପ୍ରତ୍ୟାହାର କରି ନିଆଯିବା ପରେ ଓଡିଶା ଖଣି ନିଗମ ନିଷ୍ପତ୍ତିର ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା । ୨୦୧୩ରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟରେ ସ୍ପଷ୍ଟ କରିଦେଲେ ଯେ ନିୟମଗିରି ଉପରେ ଆଦିବାସୀମାନଙ୍କର ଧାର୍ମିକ ଅଧିକାର ଅଛି କି ନାହିଁ ତାହା ୧୨ଟି ଗ୍ରାମସଭା ମାଧ୍ୟମରେ ସେହିମାନେ ହିଁ ନିର୍ଣ୍ଣୟ କରିବେ । ଶେଷରେ ଗ୍ରାମସଭାମାନଙ୍କରେ ନିର୍ଣ୍ଣୟ ଖଣି ଖନନ ବିପକ୍ଷରେ ଯିବାରୁ ଓଏମସିର ଖନନ ସଂକ୍ରାନ୍ତୀୟ ଦାବି ଖାରଜ ହୋଇଗଲା । ଉଲ୍ଲେଖଯୋଗ୍ୟ ଯେ ଆନ୍ଦୋଳନର ସଫଳତାରେ ବାହାରର ସାମାଜିକ କର୍ମୀ, ବୁଦ୍ଧିଜୀବୀ ଓ ରାଜନୈତିକ ମହଲରୁ ମିଳିଥିବା ନୈତିକ ସମର୍ଥନ ଓ ସକ୍ରିୟ ସହଯୋଗର ଭୂମିକା କିଛି କମ ନଥିଲା ।
ନିୟମଗିରି ତୁଳନାରେ ଯଥେଷ୍ଟ କ୍ଷୁଦ୍ର ଡଙ୍କାରୀ ପାହାଡଟି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ ଅବସ୍ଥିତ । ରାଜନୈତିକ ଦୃଷ୍ଟିରୁ କିଛି କ୍ଷମତାଶାଳୀ ଲୋକଙ୍କ ଦ୍ୱାରା ୨୦୦୨ରୁ ଏହି ପାହାଡରେ ଥିବା କଳାପଥରର ଅବୈଧ ଖନନ ହୋଇଆସୁଥିବାର ଜଣାପଡେ । ତେବେ ୨୦୧୨ରେ ପ୍ରଥମ ଥର ଲାଗି ସର୍ବେଶ୍ୱର ବେହୁରା ନାମକ ଜଣେ ସୂଚନା ଅଧିକାର କର୍ମୀ ଏହାର ପ୍ରତିବାଦରେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ତଥାପି ରାଜନୈତିକ ପୃଷ୍ଠପୋଷକତା ଯୋଗୁଁ ଅବିଚାରିତ ଭାବେ ଖନନ ଲାଗି ରହିବାରୁ ଓଡିଶା ହାଇକୋର୍ଟରେ ୨୦୧୪ରେ ଏକ ଜନସ୍ୱାର୍ଥ ମାମଲା ରୁଜ୍ଜୁ ହେଲା । ଅବୈଧ ଖନନ ଯୋଗୁଁ ସେହି ଅଞ୍ଚଳରେ ଜଳ ଓ ପରିବେଶ ଅତ୍ୟଧିକ ପ୍ରଦୂଷିତ ହୋଇ ପ୍ରାୟ ୭୦୦ ଜନସଂଖ୍ୟା ବିଶିଷ୍ଟ ଡଙ୍କାରୀ ଗାଁର ଲୋକେ ସିଧାସଳଖ ପ୍ରଭାବିତ ହେବା ସହ ଆଖପାଖ ଗାଁର ଲୋକେ ମଧ୍ୟ ପ୍ରଭାବିତ ହେଲେ । ୩୦ରୁ ଅଧିକ ଲୋକ କିଡନି ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବାର ଅଭିଯୋଗ ପାଇବା ପରେ ଓଡିଶା ମାନବାଧିକାର କମିଶନ ତରଫରୁ ୨୦୧୫ରେ ଏହାର ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେହି ବର୍ଷ ହିଁ ବେଆଇନ ଖନନକୁ ତୁରନ୍ତ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇ ଖଣି ବିଭାଗକୁ ଅବୈଧ ଖନନ ପରିମାଣ ନିର୍ଦ୍ଧାରଣ ପାଇଁ ପତ୍ରାଳାପ ହେଲା । ବେଆଇନ ଭାବେ ଉତ୍ତୋଳିତ ୬୯ ଲକ୍ଷ ଘନମିଟର କଳାପଥର ବାବଦ ପ୍ରାୟ ୫୯ କୋଟି ଟଙ୍କା ରୟାଲଟି ଜମା କରିବାକୁ ଧର୍ମଶାଳା ତହସିଲଦାର ୨୦୧୬ରେ ଲିଜଧାରିଙ୍କୁ ଆଦେଶ ଦେଲେ । ଲିଜଧାରି ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସେହି ଆଦେଶ ବିରୁଦ୍ଧରେ ରହିତାଦେଶ ହାସଲ କରିବାକୁ ସମର୍ଥ ହେଲେ । ସଂଖ୍ୟାଧିକ ଅସାଧୁ ରାଜସ୍ୱ ନିରୀକ୍ଷକ, ତହସିଲଦାର ଓ ଉପ-ଜିଲ୍ଲାପାଳ ଏହି ଅବୈଧ ଖନନକୁ ପରୋକ୍ଷରେ ପ୍ରୋତ୍ସୋହିତ କରିଥିବାର ଜଣା ପଡିଥିଲେ ବି ସେମାନଙ୍କୁ ଦଣ୍ଡିତ କରାଯାଇ ପାରିଲାନି । ଶେଷରେ ୨୦୧୮ରେ ଦାଖଲ ହୋଇଥିବା ଏକ ଅଭିଯୋଗକୁ ବିଚାର କରି ଜାତୀୟ ସବୁଜ ନ୍ୟାୟାଧିକରଣ (ଏନଜିଟି) ଯେଉଁ ଆଦେଶ ପ୍ରଦାନ କଲେ, ତାହା ଉଲ୍ଲେଖଯୋଗ୍ୟ । “ରାଜ୍ୟ ସରକାର ଓ ସରକାରୀ ପ୍ରାଧିକରଣଗୁଡିକୁ ପରିବେଶ ଅବକ୍ଷୟର କାରଣଗୁଡିକର ପୂର୍ବାନୁମାନ କରି ସେଗୁଡିକର ନିବାରଣ କରିବାକୁ ହେବ ଓ ସେମାନେ ସେମାନଙ୍କ ନିଷ୍କ୍ରିୟତା ଓ ଚକ୍ରାନ୍ତ ଲାଗି ଉତ୍ତରଦାୟୀ ରହିବେ । ... ପରିବେଶ ପ୍ରତି ହୋଇଥିବା କ୍ଷତି ଲାଗି ରାଜ୍ୟ ସରକାର ନିଜ ଦାୟିତ୍ୱକୁ ଏଡାଇ ଯାଇପାରିବେ ନାହିଁ ।“ ସେଥିପାଇଁ ସରକାରଙ୍କୁ ତୁରନ୍ତ ୨୫ କୋଟି ଟଙ୍କାର ଅନ୍ତରୀଣ କ୍ଷତିପୂରଣ ରାଶି କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ନିକଟରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାମଲାଟି ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି । ଡଙ୍କାରୀ ପ୍ରସଙ୍ଗଟିକୁ ଅନୁଧ୍ୟାନ କଲେ ଜଣାପଡେ ଯେ ଏହି ପ୍ରତିବାଦଟି ମୁଖ୍ୟତଃ ମୁଷ୍ଟିମେୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପରିଚାଳିତ ହୋଇ କୋର୍ଟ କଚେରୀର ଲଢେଇ ଭିତରେ ସୀମିତ ରହିଆସିଛି । ଏହି ଲଢେଇରେ ସ୍ଥାନୀୟ ଅଞ୍ଚଳର ଲୋକମାନେ କାଁ ଭାଁ ବିରୋଧ ପ୍ରଦର୍ଶନ କରିଥିଲେ ବି ସେମାନେ ଏକ ନିର୍ଣ୍ଣାୟକ ଲଢେଇ ଲଢିବା ପାଇଁ ନିଜକୁ ପ୍ରସ୍ତୁତ କରିନାହାନ୍ତି କି ଅନ୍ୟମାନଙ୍କୁ ସାଙ୍ଗରେ ନେଇ ଜନ ସମର୍ଥନକୁ ବ୍ୟାପକ କରିବାରେ ସଫଳ ହୋଇପାରିନାହାନ୍ତି, ଯାହା ନିୟମଗିରି ସଂଘର୍ଷ କ୍ଷେତ୍ରରେ ହୋଇଥିଲା ।
ଡଙ୍କାରୀ ପରି ମୟୂରଭଞ୍ଜର ବାଦାମପାହାଡ, ସାରସକଣା, ବାଲେଶ୍ୱରର ବାଗୁଡିଠାରୁ ଆରମ୍ଭ କରି ଢେଙ୍କାନାଳର ଗନ୍ଦିଆ, କଙ୍କଡାହାଡ ପର୍ୟ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲାର ଶହ ଶହ ପାହାଡ ଆଜି ଅବୈଧ ଖନନର ଶିକାର । ଏନଜିଟି ତରଫରୁ କରାଯାଉଥିବା କୋଟି କୋଟି ଟଙ୍କାର ଜୋରିମାନା ମଧ୍ୟ ଏହି ଧରଣର ଖନନକୁ ରୋକିବାରେ ଫଳପ୍ରଦ ହେଉନାହିଁ । କେଉଁଠି ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରୁ କିଛି ଲୋକ ଲାଭ ଓ ଲୋଭର ବଶବର୍ତ୍ତୀ ହୋଇ ଅବୈଧ ଖନନରେ ସିଧାସଳଖ ସାମିଲ ଥିଲା ବେଳେ ଅଧିକାଂଶ ଲୋକ ଅବୈଧ ଖନନରେ ରାଜନେତା-ପ୍ରଶାସକ-ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଭୀତତ୍ରସ୍ତ ହୋଇ ନୀରବ ରହିବାକୁ ଉଚିତ ମଣୁଛନ୍ତି । ଯେଉଁ ଅଳ୍ପ କିଛି ସାମାଜିକ କର୍ମୀ ଏହି ଲୁଣ୍ଠନର ପ୍ରତିବାଦରେ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନେ ନାନାପ୍ରକାର ହିଂସା ଓ ନିର୍ୟାତନାର ଶିକାର ହେଉଥିବାର ଖବର ମିଳୁଛି । ଏକ ପକ୍ଷରେ ଅବୈଧ ଖନନ ବିରୁଦ୍ଧରେ ସ୍ଥାନୀୟ ଲୋକମାନେ ସଂଗଠିତ ନ ଥିଲା ବେଳେ ଅବୈଧ ଖନନକୁ ରୋକିବା ଲାଗି ସରକାରୀ ତତ୍ପରତାର ଅଭାବ ମାଫିଆମାନଙ୍କୁ ଏହି ଧରଣର ଲୁଣ୍ଠନ କରିବା ଲାଗି ସାହସ ଯୋଗାଉଛି । ଦେଶର ସୀମା ସୁରକ୍ଷା ଦାୟିତ୍ୱ ସୈନ୍ୟବାହିନୀ ଉପରେ ନ୍ୟସ୍ତ କରି ଆମେ ନିଶ୍ଚିନ୍ତ ହୋଇପାରୁଥିବା ବେଳେ ଦେଶର ସମ୍ପଦ ସୁରକ୍ଷାର ଭାର ସରକାରୀ ବିଭାଗଙ୍କ ଉପରେ ନ୍ୟସ୍ତ କରି ନିଶ୍ଚିନ୍ତ ହୋଇ ହେଉନାହିଁ । ଏହି ଧରଣର ଲୁଣ୍ଠନ ଉପରେ ରୋକ ଲଗାଇବାକୁ ହେଲେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସତର୍କ ପ୍ରହରୀ ସଦୃଶ କାର୍ୟ୍ୟ କରିବାକୁ ପଡିବ । ଏହା ସ୍ଥାନୀୟ ଲୋକଙ୍କ ସମସ୍ୟା ବୋଲି ମନେ କରି ନିରବଦ୍ରଷ୍ଟା ନ ସାଜି ବାହାର ଅଞ୍ଚଳର ଶିକ୍ଷିତ ଓ ବୁଦ୍ଧିଜୀବୀମାନଙ୍କୁ ମଧ୍ୟ ନିୟମଗିରି ପରି ପ୍ରତିବାଦର ସ୍ୱରକୁ ଶାଣିତ କରିବାକୁ ହେବ । ଦେଶର ସୀମାବର୍ତ୍ତୀ ଭୂଖଣ୍ଡରୁ ଅଣଉତ୍ପାଦନକ୍ଷମ ପାର୍ବତ୍ୟାଞ୍ଚଳର କିୟଦଂଶ ମଧ୍ୟ ଚୀନ ଭଳି ଶତ୍ରୁ ଦେଶ ମାଡି ବସିଥିବାର ମିଛ ଖବରଟିଏ ଶୁଣିଲେ ବି ଦେଶବାସୀଙ୍କ ରକ୍ତ ତାତିଯାଏ । ହେଲେ ଦେଶର ଭୂଗର୍ଭରେ ଥିବା ମୂଲ୍ୟବାନ ସମ୍ପଦ କିଛି ଦୁର୍ନୀତିଗ୍ରସ୍ତ ରାଜନେତା, ପ୍ରଶାସକ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ବେଆଇନ ଭାବେ ଅହରହ ଲୁଣ୍ଠିତ ହେଉଥିବା ଜାଣି ସୁଦ୍ଧା ଆମେ କାହିଁକି ନିରୁଦବିଗ୍ନ ରହୁ ? ଦେଶର ସୁରକ୍ଷା ପ୍ରସଙ୍ଗରେ ମୁଖର ଲୋକେ ଦେଶର ମୂଲ୍ୟବାନ ସମ୍ପଦରକ୍ଷା ପ୍ରସଙ୍ଗରେ ନୀରବ ରହିବାକୁ ଅଧିକ ପସନ୍ଦ କରନ୍ତି କାହିଁକି ! ଦେଶର ସମ୍ପଦ ଲୁଣ୍ଠନରେ ସାମିଲ ବ୍ୟକ୍ତିମାନେ କେବଳ ଦେଶଦ୍ରୋହୀ ନୁହନ୍ତି, ବରଂ ଦେଶ ବିରୁଦ୍ଧରେ ଶତ୍ରୁତା ଆଚରଣରେ ସେମାନେ ବହିଃଶତ୍ରୁଙ୍କ ତୁଳନାରେ କୌଣସି ଗୁଣରେ ଊଣା ନୁହନ୍ତି ।
ଯେଉଁ ଦିନ ଆମେ ଆମ ଚାରି ପାଖର ପାହାଡ, ପର୍ବତ, ନଦ, ନଦୀ, ଝରଣା, ବୃକ୍ଷଲତା, ଜଙ୍ଗଲ ଜୀବଜନ୍ତୁଙ୍କୁ ‘ପରିବେଶର ଅଂଶ ବିଶେଷ’ ବୋଲି ମନେ ନ କରି ‘ପରିବାରର ଅଂଶ ବିଶେଷ’ ବୋଲି ମନେ କରିବା ସେ ଦିନ ସେଗୁଡିକ ଆଉ ଜଡ ହୋଇ ନ ରହି ଜୀବନ୍ତ ପାଲଟିଯିବେ ଓ ସେମାନେ ସମସ୍ତେ ଆମ ବୃହଦ ପରିବାରର ସଦସ୍ୟ ହୋଇଯିବେ । ସେଗୁଡିକୁ କ୍ଷତି ପହଞ୍ଚାଇବା ଅର୍ଥ ପରିବାରର ଜଣେ ସଦସ୍ୟର ହାନି କଲା ଭଳି ହେଉଥିବାରୁ ସେ କଥା ଆଉ ମନକୁ ଆସିବ ନାହିଁ । ନିୟମଗିରି ପାହାଡକୁ ‘ଦେବତା’ ବୋଲି ମନେ କରି ଡଙ୍ଗରିଆ କନ୍ଧମାନେ ତାକୁ ସେମାନଙ୍କ ସମାଜର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରି ତା’ ପାଇଁ ଲଢିବା ଆଉ ମରିବା ଲାଗି ପ୍ରସ୍ତୁତ ହୋଇ ପାରିଲେ ବୋଲି ଆଜି ନିୟମଗିରି ପାହାଡ ପ୍ରାଣବନ୍ତ । ଡଙ୍କାରୀ ପାହାଡର ବି ଜୀବନ ଅଛି । ହେଲେ ତାକୁ ଏକ ଜୀବନ୍ତ ପାହାଡ ଭାବେ ଗ୍ରହଣ କରା ଯାଇ ନଥିବାରୁ ତା’ ପାଇଁ ଲଢିବା ଆଉ ଜୀବନ ଦେବାକୁ ସେ ପରି ଲୋକେ ବାହାରିଲେ ନାହିଁ । ଫଳରେ ତାକୁ ଗୋଟେ ନିର୍ଜୀବ ପଥରର ଗଦା ବୋଲି ମନେ କରି ତା’ ପ୍ରତି ବୀଭତ୍ସ ଅତ୍ୟାଚାର କରାଯାଇଥିଲେ ବି ପ୍ରତିବାଦର ସ୍ୱର ଦୃଢ ହେଲା ନାହିଁ । ଡଙ୍ଗରିଆ କନ୍ଧମାନେ ନିୟମଗିରି ପାହାଡକୁ ସେମାନଙ୍କ ‘ଦେବତା’ ବୋଲି କହିବାକୁ ଶିକ୍ଷିତ ଲୋକେ ଅନ୍ଧବିଶ୍ୱାସ କହିପାରନ୍ତି । ଯଦି ସେ ଭଳି ତଥାକଥିତ ଅନ୍ଧବିଶ୍ୱାସ ପରିବେଶକୁ ସୁରକ୍ଷା ଦେବାରେ, ପରୋକ୍ଷରେ ହେଉ ପଛେ, ସହାୟକ ହେଉଛି, ତେବେ ତାହା ପରିବେଶ ସୁରକ୍ଷା ପ୍ରତି ଉଦାସୀନ ଶିକ୍ଷିତଙ୍କ ତଥାକଥିତ ଯୁକ୍ତି ଆଧାରିତ ବିଶ୍ୱାସଠାରୁ ବରଂ ଅନେକ ଗୁଣରେ ଭଲ ନୁହେଁ କି ? ନ ହେଲେ ବଣ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିୟମଗିରି ଭଳି ଗୋଟେ ପାହାଡ ମଥା ଟେକି ପ୍ରାଣବନ୍ତ ହୋଇ ରହି ପାରୁଥିବା ବେଳେ ଉପକୂଳବର୍ତ୍ତୀ ଏକ ଅପେକ୍ଷାକୃତ ଶିକ୍ଷିତ ଓ ଜାଗ୍ରତ ଅଞ୍ଚଳରେ ଡଙ୍କାରୀ ଭଳି ଗୋଟେ ପାହାଡକୁ କ୍ଷତାକ୍ତ ହେବାକୁ ପଡୁଥିବ । ୨୦୧୯ରେ ଆଇସଲାଣ୍ଡରେ ‘ଓକେକଲ’ ନାମକ ଏକ ହିମପ୍ରବାହର ମୃତ୍ୟୁରେ ସେହି ଦେଶର ସରକାରଙ୍କ ତରଫରୁ ଶୋକପାଳନ କରି ସେଠାରେ ଏକ ତାମ୍ରଫଳକ ସ୍ଥାପନ କରାଯାଇଛି, ଯେଉଁଥିରେ ‘ଭବିଷ୍ୟତକୁ ଚିଠି’ ନାମକ ଏକ ଭାବୋଦ୍ଦୀପକ ବାର୍ତ୍ତା ଖୋଦିତ ହୋଇ ଏବର ମଣିଷ ସମାଜର ଅଦୂରଦର୍ଶୀ ଆଚରଣ ପାଇଁ ଅନୁତାପ ବ୍ୟକ୍ତ ହୋଇଛି । ଡଙ୍କାରୀ ଭଳି ପ୍ରତିଟି ପାହାଡକୁ ଅବୈଧ ଭାବେ ନିଶ୍ଚିହ୍ନ କରିବାର ଚକ୍ରାନ୍ତକୁ ପ୍ରତିହତ କରିବାକୁ ହେଲେ ଅନୁରୂପ ଭାବେ ଅନୁତାପର ନିଦର୍ଶନ ସ୍ୱରୂପ ତାମ୍ରଫଳକମାନ ସ୍ଥାପନ କରାଯିବାର ପରମ୍ପରା ସୃଷ୍ଟି ହେବା ଆବଶ୍ୟକ । ଭବିଷ୍ୟତରେ ଯେପରି ଅନ୍ୟ କୌଣସି ପାହାଡ ଡଙ୍କାରୀ ଭଳି ଜଘନ୍ୟ ଆକ୍ରମଣର ଶିକାର ହୋଇ କ୍ଷତାକ୍ତ ନ ହୁଅନ୍ତି ସେ ସମ୍ପର୍କରେ ଏହା ଆମମାନଙ୍କୁ ଓ ଆଗାମୀ ପିଢିଙ୍କୁ ଚେତେଇ ଦେଉଥିବ ।
Published in Sambad on May 17, 2022
ପାହାଡ଼ ପର୍ବତ, ବଣ, ଜଙ୍ଗଲ, ନଦୀ ଝରଣା ଆଦି ଲୋପ ପାଇବାକୁ ଯାଉଥିବା ବେଳେ ସରଳ ବାବୁଙ୍କର ଏହି ଜଟିଳ ପରିସ୍ଥିତି ପ୍ରତି ସଚେତନତା ଖୁବ ମହତ୍ୱପୂର୍ଣ୍ଣ, ଏଥିପ୍ରତି ଦୃଷ୍ଟି ଦେବା ଉଚିତ ।
ReplyDeleteଧନ୍ୟବାଦ
Deleteସାରସତ୍ୱ ନମସ୍କାର ନେବେ । ଲେଖାଟି ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ପର୍ଯ୍ୟାପ୍ତ ପ୍ରୟାସ କରିଛନ୍ତି ।ପ୍ରକୃତି କୁ ପରିବାର ମାନିବା ନମନ ଜୋଗ୍ୟ ।ଅନେକ ଶୁଭେଚ୍ଛା ।🙏
ReplyDeleteଧନ୍ୟବାଦ ।
DeleteSaral,
ReplyDeleteVery beautifully,poignantly presented.
Thanks
DeleteIt is a report on the historical development of the Niyamgiri. Where is the story?
ReplyDeleteThanks
DeleteVery nicely and lively presented.
ReplyDeleteThanks
DeleteThanks for giving a nice comparison between Niyamgiri and Dankari issues. It is an irony that when on one hand the illiterate tribal inhabitants believe that Niyamagiri is their family God, comparatively enlightened populace in nearby Dankari is apathetic about the Dankari hill. They feel Dankari is a stray animal and why to care for such stray animals. It is not going to help financially, any way. Why to shout from roof top when no one is listening. The public at large is not bothered as to why to put the neck out. It is not going to yield any benefit to them. And some self serving officials are happy milking the cow. And the powerful mafia in collusion of shady officials will shut down any hue and cry, mercilessly. You have raised the right issues. But, who is listening? T Maharana
ReplyDeleteThank you sir.
Deleteଲେଖାଟି ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ପର୍ଯ୍ୟାପ୍ତ ପ୍ରୟାସ କରିଛନ୍ତି । ପ୍ରକୃତି ମାନବ ସମାଜ ଓ ଜନ ସମାଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତାହାର ସଂରକ୍ଷଣ କରିବା ଉଚିତ୍।
ReplyDeleteଧନ୍ୟବାଦ
Deleteସୁନ୍ଦର ଲେଖାଟିଏ
ReplyDeleteଧନ୍ୟବାଦ
Delete