ଉତ୍ତର ପ୍ରଦେଶର ଲଖିମପୁର ଖେରି ଜିଲ୍ଲାର ଖୈରୈତିଆ ଗାଁଠାରେ ଅକ୍ଟୋବର ୩, ୨୦୨୧ରେ କିଛି କୃଷକଙ୍କ ଉପରେ ଗାଡି ଚଢାଇ ୪ ଜଣ କୃଷକଙ୍କ ଅତି ନିର୍ମମ ଭାବେ ହତ୍ୟା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁତ୍ର ଆଶିଷ ମିଶ୍ର ଗିରଫ ହୋଇ ଜେଲରେ ଥିଲେ । ହତ୍ୟା ଭଳି ଏକ ସଙ୍ଗିନ ଅପରାଧରେ ଜେଲରେ ଥିବା ଜଣେ ଅଭିଯୁକ୍ତକୁ ଫେବୃଆରୀ ୧୦, ୨୦୨୨ରେ ଆଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ ଦ୍ୱାରା ଜାମିନ ପ୍ରଦାନ କରାଗଲା । ଗିରଫ ହେବାର ମାତ୍ର ୪ ମାସ ମଧ୍ୟରେ ସେ ଜେଲରୁ ମୁକୁଳିବାକୁ ସମର୍ଥ ହେବା ଓ ହାଇକୋର୍ଟଙ୍କ ରାୟକୁ ବିରୋଧ କରି ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ନ ହେବାରେ ଆଇନଜ୍ଞମାନେ ବିସ୍ମିତ ହୋଇଥିଲେ । ବିଶେଷ କରି ଲଖିମପୁର ଖେରି ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଆଶିଷ ମିଶ୍ରଙ୍କୁ ଜାମିନ ମିଳିବାକୁ ବିଶ୍ଳେଷକମାନେ ନିର୍ବାଚନୀ ଲାଭକ୍ଷତି ନିକିତିରେ ବି ତଉଲିବାକୁ ଆରମ୍ଭ କରିଦେଲେ ଓ ଦଳକୁ ତାହାର ସୁଫଳ ମିଳିଥିଲା ମଧ୍ୟ । ତେବେ ଏପ୍ରିଲ ୧୮, ୨୦୨୨ରେ ସୁପ୍ରିମକୋର୍ଟ ଆଶିଷ ମିଶ୍ରଙ୍କୁ ମିଳିଥିବା ଜାମିନକୁ ରଦ୍ଦ କରିବା ସହ ଆଲାହାବାଦ ହାଇକୋର୍ଟଙ୍କୁ ଏହି ଜାମିନ ଆବେଦନର ପୁନର୍ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଲେ । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ତାଙ୍କ ରାୟରେ ଅପରାଧ ପୀଡିତଙ୍କ ନ୍ୟାୟିକ ଅଧିକାରକୁ ଗୁରୁତ୍ୱ ପ୍ରଦାନ କରି ଯେଉଁପରି ରେଖାଙ୍କିତ କରିଛନ୍ତି, ତାହା ପ୍ରଣିଧାନଯୋଗ୍ୟ ।
ଉପରୋକ୍ତ ହତ୍ୟା ଘଟଣା ପରେ ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ଏହାର ତଦନ୍ତ ପାଇଁ ଏକ ଏସଆଇଟି ଗଠନ କରାଯାଇଥିଲେ ବି ଏହାର ନିରପେକ୍ଷତା ନେଇ ପ୍ରଶ୍ନ ଉଠିବାରୁ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏସଆଇଟିର ପୁନର୍ଗଠନ କରି ତଦନ୍ତର ନିରୀକ୍ଷଣ ଭାର ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଉପରେ ନ୍ୟସ୍ତ କଲେ । ଏସଆଇଟି ଦ୍ୱାରା ଜାନୁଆରୀ ୩, ୨୦୨୨ରେ ଦାଖଲ ହୋଇଥିବା ଚାର୍ଜସିଟରେ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଗଲା । ଏହା ସତ୍ତ୍ୱେ ଜେଲରେ ଥିବା ଆଶିଷ ମିଶ୍ର ଜାମିନ ପାଇବା ପାଇଁ କରିଥିବା ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ତାଙ୍କୁ ନିୟମିତ ଜାମିନ ପ୍ରଦାନ କଲେ । ପୀଡିତମାନଙ୍କୁ ଶୁଣାଣିର ଉଚିତ ସୁଯୋଗ ନ ଦେଇ ଅଭିଯୁକ୍ତଙ୍କୁ ଜାମିନ ଦିଆଯାଇଥିବାରୁ ସେଥିରେ ଅସନ୍ତୁଷ୍ଟ ପୀଡିତମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ । ହାଇକୋର୍ଟରେ ଜାମିନ ଉପରେ ଅନଲାଇନ ଶୁଣାଣି ଚାଲିଥିଲା ବେଳେ ପୀଡିତଙ୍କ ଆଇନ ପରାମର୍ଶଦାତାଙ୍କ ଲାଇନ କଟିଯିବାରୁ ସେ ହାଇକୋର୍ଟଙ୍କ ସମ୍ମୁଖରେ ତାଙ୍କ ପକ୍ଷ ପ୍ରଭାବୀ ଢଙ୍ଗରେ ରଖିବାକୁ ଅସମର୍ଥ ହୋଇଥିଲେ । ଏହା ପରେ ଶୁଣାଣିରେ ‘ପୀଡିତ’ ଅଂଶଗ୍ରହଣ କରି ପାରି ନ ଥିବା ଦର୍ଶାଇ ଜାମିନ ଆବେଦନର ପୁନଃ ଶୁଣାଣି ହେଉ ବୋଲି ଏକ ଆବେଦନ ଦାଖଲ ହୋଇଥିଲା । ହେଲେ ଜାମିନ ପ୍ରଦାନ ବେଳେ ହାଇକୋର୍ଟ ତାକୁ ବିଚାରକୁ ନେଇ ନ ଥିଲେ । ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଥିବା ପ୍ରମୁଖ ପ୍ରଶ୍ନଟି ହେଲା ଜଣେ ଅଭିଯୁକ୍ତର ଜାମିନ ଆବେଦନର ଶୁଣାଣି ବେଳେ ସେହି ମାମଲାରେ ‘ପୀଡିତ’ ନିଜ ପକ୍ଷ ଶୁଣାଇବାର ଅଧିକାର ରଖନ୍ତି କି ?
ଭାରତରେ ସିଆରପିସିର ଧାରା ୨(ଡବଲ୍ୟୁଏ) ଅଧୀନରେ ‘ପୀଡିତ’ (ଭିକ୍ଟିମ)ର ନିର୍ଦ୍ଧାରିତ ସଂଜ୍ଞା ହେଉଛି, “ଜଣେ ବ୍ୟକ୍ତି ଯିଏ, କୌଣସି କାର୍ୟ୍ୟ ବା ତ୍ରୁଟି ଯୋଗୁଁ କ୍ଷତି ବା ଆଘାତ ସହିଛି, ଯେଉଁଥିପାଇଁ ଅଭିଯୁକ୍ତ ବ୍ୟକ୍ତି ଆରୋପିତ (ଚାର୍ଜଡ) ହୋଇସାରିଛି । ପୀଡିତର ଅଭିଭାବକ ଓ ଉତ୍ତରାଧିକାରୀମାନଙ୍କୁ ବି ପୀଡିତ ରୂପେ ଗ୍ରହଣ କରାଯାଇଥାଏ ।“ କିଛି ବର୍ଷ ତଳ ପର୍ୟ୍ୟନ୍ତ ଫୌଜଦାରି ଆଇନରେ ଅଦାଲତ ଅଭିଯୁକ୍ତ ଓ ରାଜ୍ୟ (ଷ୍ଟେଟ) ମଧ୍ୟରେ ବିଚାର ପ୍ରକ୍ରିୟାକୁ ସୀମିତ ରଖୁଥିଲେ, ଯେଉଁଥିରେ ଅପରାଧରେ କ୍ଷତିଗ୍ରସ୍ତ ହୋଇଥିବା ପୀଡିତର ମୂକ ଦର୍ଶକ ସାଜି ଅଦାଲତ ବାହାରେ ବସି ରହିବା ବ୍ୟତୀତ ବିଚାର ପ୍ରକ୍ରିୟାରେ ଅଂଶଗ୍ରହଣ କରିବାର କୌଣସି ସୁଯୋଗ ପାଉ ନ ଥିଲା । ମାତ୍ର କ୍ରମଶଃ ଫୌଜଦାରି ନ୍ୟାୟ ବ୍ୟବସ୍ଥାରେ ପୀଡିତକୁ ଶୁଣାଯିବା ଆବଶ୍ୟକ ବୋଲି ଦୃଢ ମତ ପ୍ରକାଶ ପାଇବାକୁ ଲାଗିବାରୁ ଫୌଜଦାରି ମାମଲାର ଶୁଣାଣିରେ ପୀଡିତର ଅଂଶଗ୍ରହଣ କରିବା ପ୍ରତି ସମର୍ଥନ ବଢିବାକୁ ଲାଗିଲା । ଏମିତିରେ ଜଣେ ଅପରାଧ ପୀଡିତର ସ୍ଥିତି ଦୁଃସହ ହୋଇଥାଏ । ତା’ ଛଡା ତା’ ପ୍ରତି ଶାରୀରିକ ଆକ୍ରମଣର ଆଶଙ୍କା ସହ ମାନସିକ ଓ ମନସ୍ତାତ୍ତ୍ୱିକ ନିର୍ୟାତନାର ଆଶଙ୍କା ବୃଦ୍ଧି ପାଇଥାଏ । ସ୍ଥଳ ବିଶେଷରେ ସେ ଆର୍ଥିକ ଦୃଷ୍ଟିରୁ ଅନେକ କ୍ଷତି ସହିବାକୁ ଏକ ପ୍ରକାର ବାଧ୍ୟ ହୋଇଥାଏ । ଏହା ସତ୍ତ୍ୱେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଷଷ୍ଠ ଦଶକର ଅନ୍ତ ଯାଏଁ ପୀଡିତଙ୍କ ଅଧିକାରକୁ ଅଣଦେଖା କରାଯାଉଥିଲା । ଷଷ୍ଠ ଦଶକରେ ଆମେରିକାରେ ଅପରାଧ ହାରରେ ଦ୍ରୁତ ବୃଦ୍ଧିକୁ ଆଖିରେ ରଖି ୧୯୬୬ରେ ସରକାରୀ ଭାବେ ହୋଇଥିବା ପୀଡିତଙ୍କ ସର୍ଭେ (ଭିକ୍ଟିମାଇଜେସନ ସର୍ଭେ)ରେ ପୀଡିତମାନେ ଅଧିକାଂଶ ସମୟରେ ଅଭିଯୋଗ କରିବାକୁ କୁଣ୍ଠା ପ୍ରକାଶ କରୁଥିବାରୁ ଅପରାଧ-ପୀଡିତଙ୍କ ପ୍ରକୃତ ସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଜଣା ପଡିଲା । ପ୍ରଚଳିତ ନ୍ୟାୟ ବ୍ୟବସ୍ଥା ଅଭିଯୁକ୍ତ ଆଡକୁ ଅଧିକ ଢଳି ରହିଥିଲା ପରି ଜଣାପଡୁଥିବାରୁ ୭୦ ଦଶକରେ ପୀଡିତ-କୈନ୍ଦ୍ରିକ ନ୍ୟାୟ ବ୍ୟବସ୍ଥାର ଦାବି କରି ଆମେରିକାରେ ‘ପୀଡିତ ଅଧିକାର ଆନ୍ଦୋଳନ’ର ସୂତ୍ରପାତ ହେଲା । ଏହି ଆନ୍ଦୋଳନ ପଛର ମୁଖ୍ୟ ଅନୁପ୍ରେରଣା ଥିଲା ୧୯୭୩ ମସିହାରେ ‘ଲିଣ୍ଡା ଆର ଏସ ବନାମ ରିଚାର୍ଡ ଡି’ ମାମଲାରେ ଆମେରିକା ସୁପ୍ରିମକୋର୍ଟଙ୍କ ପୀଡିତ ବିରୋଧୀ ଆଭିମୁଖ୍ୟ, ଯେଉଁଥିରେ ପୀଡିତଙ୍କର ଆଇନଗତ କାର୍ୟ୍ୟାନୁଷ୍ଠାନ ଦାବି କରିବାର କୌଣସି ନ୍ୟାୟିକ ଅଧିକାର ନାହିଁ ବୋଲି ଅଦାଲତ ସ୍ପଷ୍ଟ ମତ ଦେଇଥିଲେ । ତା’ପରେ ପୀଡିତ-କୈନ୍ଦ୍ରିକ ନ୍ୟାୟ ବ୍ୟବସ୍ଥାର ପୁନଃପ୍ରତିଷ୍ଠା ପାଇଁ ଆନ୍ଦୋଳନ ସାରା ଆମେରିକାକୁ ବ୍ୟାପିଗଲା । ଶେଷରେ ୧୯୮୧ରେ ରାଷ୍ଟ୍ରପତି ରୋନାଲ୍ଡ ରିଗାନଙ୍କ କାର୍ୟ୍ୟକାଳରେ ଦେଶରେ ନୂଆ କରି ‘ଅପରାଧ-ପୀଡିତଙ୍କ ଅଧିକାର ସପ୍ତାହ’ ପାଳିତ ହେବାକୁ ଲାଗିଲା ଓ ଆମେରିକା ନ୍ୟାୟ ବ୍ୟବସ୍ଥାରେ ପୀଡିତ-କୈନ୍ଦ୍ରିକ ଦୃଷ୍ଟିକୋଣ ସନ୍ନିବେଶିତ କରିବା ପାଇଁ ‘ଭିକ୍ଟିମସ୍ ଅଫ କ୍ରାଇମ ଆକ୍ଟ, ୧୯୮୪’ର ପ୍ରଣୟନ ହେଲା ଯେଉଁଥିରେ ପୀଡିତଙ୍କୁ ଆଇନ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଲା । ସେହିପରି ସେଠାରେ ୧୯୯୦ରେ ଅନ୍ୟ ଏକ ଆଇନ ‘ଭିକ୍ଟିମସ ରାଇଟସ୍ ଆଣ୍ଡ ରେଷ୍ଟିଚ୍ୟୁସନ ଆକ୍ଟ’ର ପ୍ରଣୟନ ହେଲା । ଏହାପରେ କ୍ରମାଗତ ଭାବେ ଏହି ଦୁଇଟି ଆଇନରେ ବିଭିନ୍ନ ସଂଶୋଧନ ମାଧ୍ୟମରେ ସୁଧାର ହୋଇଆସୁଛି ।
ତେବେ ଅନ୍ତର୍ଜାତୀୟ ସ୍ତରରେ ପୀଡିତ ସପକ୍ଷବାଦୀ ଆନ୍ଦୋଳନକୁ ବଳିଷ୍ଠ କରିବାରେ ୧୯୮୫ରେ ଜାତିସଂଘର ସାଧାରଣ ଅଧିବେଶନରେ ପାରିତ ହୋଇଥିବା ଅପରାଧ ଓ କ୍ଷମତା ଦୁରୁପଯୋଗର ପୀଡିତମାନଙ୍କ ସକାଶେ ନ୍ୟାୟ ପ୍ରଦାନର ମୂଳ ନୀସି (ୟୁଏନ ଡିକ୍ଲେଆରେସନ ଅଫ ବେସିକ ପ୍ରିନ୍ସିପଲସ୍ ଅଫ ଜଷ୍ଟିସ ଫର ଦି ଭିକ୍ଟିମସ୍ ଅଫ କ୍ରାଇମ ଆଣ୍ଡ ଆବ୍ୟୁଜ ଅଫ ପାୱାର) ଏକ ବଡ ଭୂମିକା ନିର୍ବାହ କରିଛି । ଏହି ଘୋଷଣାରେ ‘ପୀଡିତ’ର ସଂଜ୍ଞା ନିର୍ଦ୍ଧାରିତ ହେବା ସହ ପୀଡିତର ଯେଉଁ ଚାରିଟି ପ୍ରମୁଖ ଅଧିକାରକୁ ଗ୍ରହଣ କରାଗଲା ସେଗୁଡିକ ହେଲା ନ୍ୟାୟ ଯାଏଁ ପହଞ୍ଚ ଓ ଉଚିତ ବ୍ୟବହାର ଲାଭ, ପୁନରୁଦ୍ଧାର ( ରେଷ୍ଟିଚ୍ୟୁସନ), କ୍ଷତିପୂରଣ (କମ୍ପେନସେସନ) ଓ ସହାୟତା । ଏହା ପରେ ପରେ ଅଷ୍ଟ୍ରେଲିଆ, କାନାଡା ସମେତ ବିଶ୍ୱର ଅନେକ ଦେଶରେ ପୀଡିତଙ୍କ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଆଇନ ପ୍ରଣୀତ ହୋଇଛି ।
ଭାରତରେ ୧୯୯୬ରେ ପ୍ରକାଶିତ ୧୫୪ତମ ଲ’ କମିସନ ରିପୋର୍ଟରେ ଫୌଜଦାରି ନ୍ୟାୟ ବ୍ୟବସ୍ଥାରେ ପୀଡିତଙ୍କ ଅଧିକାର ସମ୍ପର୍କରେ ପ୍ରଥମ ଉଲ୍ଲେଖ ଦେଖିବାକୁ ମିଳେ । ଏଥିରେ ପୀଡିତଙ୍କୁ ପ୍ରତିପୂରକ ନ୍ୟାୟ ପ୍ରଦାନ ପାଇଁ କ୍ଷତିପୂରଣ ଯୋଜନାର ପ୍ରଚଳନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହା ପରେ ୨୦୦୩ରେ ଜଷ୍ଟିସ ଭିଏସ ମଲିମଥଙ୍କ ଅଧ୍ୟକ୍ଷତାରେ ଗଠିତ ‘ଫୌଜଦାରି ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ସଂକ୍ରାନ୍ତୀୟ କମିଟି’ ସାତ ବର୍ଷ ବା ତଦୂର୍ଦ୍ଧ୍ୱ ଦଣ୍ଡର ପ୍ରାବଧାନ ଥିବା ସମସ୍ତ ମାମଲାର ଶୁଣାଣି ପ୍ରକ୍ରିୟାରେ ପୀଡିତ ବା ତାଙ୍କ ନ୍ୟାୟସଙ୍ଗତ ପ୍ରତିନିଧିଙ୍କୁ ଏକ ପକ୍ଷ ଭାବେ ଭାଗ ନେବାର ଅଧିକାର ପ୍ରଦାନ ସମ୍ପର୍କରେ ପରାମର୍ଶ ଦେଲେ । ମାମଲା ଲଢିବା ପାଇଁ ଯଦି ପୀଡିତ ନିଜ ପସନ୍ଦର ଆଡଭୋକେଟ ନିଯୁକ୍ତ କରିବାକୁ ଅସମର୍ଥ ଥାଆନ୍ତି ତେବେ ସରକାରୀ ଖର୍ଚ୍ଚରେ ତାହା ଯୋଗାଇ ଦିଆଯିବା ଲାଗି ପରାମର୍ଶ ଦିଆଗଲା । ଏଥି ସହ କମିଟି ପୀଡିତର ଫୌଜଦାରି ବିଚାରରେ ଭାଗ ନେବାର ଅଧିକାର, ତଦନ୍ତର ସ୍ଥିତି ସମ୍ପର୍କରେ ଜାଣିବାର ଅଧିକାର, ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା, ବା ଅଭିଯୁକ୍ତକୁ ଜାମିନ ପ୍ରଦାନ ବା ଜାମିନ ରଦ୍ଦ ସମେତ ଫୌଜଦାରି ଶୁଣାଣିର ପ୍ରତିଟି ଗୁରୁତ୍ୱପୂର୍ଣ୍ଣ ପର୍ୟ୍ୟାୟରେ ପୀଡିତକୁ ଶୁଣାଯିବାର ଅଧିକାରକୁ ସ୍ୱୀକୃତି ପ୍ରଦାନ କଲେ । ପୀଡିତ ମୃତ ହୋଇଥିଲେ ତାଙ୍କ ନ୍ୟାୟସଙ୍ଗତ ପ୍ରତିନିଧିଙ୍କର ଏ ଭଳି ମାମଲାର ତଦନ୍ତରେ ଭାଗ ନେବାର ଅଧିକାର ରହିବା ଉଚିତ ବୋଲି ପରାମର୍ଶ ଦେବା ସହ ଅଭିଯୁକ୍ତ ଧରା ପଡିଥାଆନ୍ତୁ କି ନ ଥାଆନ୍ତୁ, କି ଦଣ୍ଡିତ ଅଥବା ଖଲାସ ହୋଇଥାଆନ୍ତୁ, ସମସ୍ତ ଗମ୍ଭୀର ଅପରାଧରେ ପୀଡିତଙ୍କୁ କ୍ଷତିପୂରଣ ଦେବା ସରକାରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ପରାମର୍ଶ ଦେଲେ । ଏଥିପାଇଁ ସଂଗଠିତ ଅପରାଧମାନଙ୍କରେ ଜବତ ହୋଇଥିବା ସମ୍ପତ୍ତିକୁ ନିଲାମ କରି ଉପଲବ୍ଧ ରାଶିରେ ଏକ ‘ପୀଡିତ ପ୍ରତିପୂର୍ତ୍ତି ପାଣ୍ଠି’ ଗଠନ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ଏହି କମିଟିଗୁଡିକର ପରାମର୍ଶ ଓ ସୁପ୍ରିମକୋର୍ଟଙ୍କ ଏକାଧିକ ଟିପ୍ପଣୀକୁ ଧ୍ୟାନରେ ରଖି ଶେଷରେ ସଂସଦ ଫୌଜଦାରି ଆଚାର ସଂହିତା (ସଂଶୋଧନ) ଆଇନ,୨୦୦୮ର ପ୍ରଣୟନ କଲେ । ଏଥିରେ ‘ପୀଡିତ’ଙ୍କ ସଂଜ୍ଞା ନିରୂପିତ ହେବା ସହ ଶୁଣାଣିର ବିଭିନ୍ନ ସ୍ତରରେ ପୀଡିତଙ୍କ ବିଭିନ୍ନ ଅଧିକାରକୁ ଆଇନଗତ ମାନ୍ୟତା ପ୍ରଦାନ କରାଗଲା ।
ଉପରେ ବର୍ଣ୍ଣିତ ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ପୀଡିତଙ୍କ ଅଧିକାର ବାସ୍ତବ (ସବଷ୍ଟାଣ୍ଟିଭ), ପ୍ରବର୍ତ୍ତନକ୍ଷମ (ଏନଫୋର୍ସିଏବଲ୍) ଅଟେ ଓ ଏହା ମାନବାଧିକାରର ଭିନ୍ନ ଏକ ଦିଗ । ଏହାକୁ ଫମ୍ପା ଧମକ (ବ୍ରୁଟମ ଫୁଲମେନ) ଭାବେ ଗ୍ରହଣ କରିବା ଅନୁଚିତ । ଏହି ଅଧିକାରଗୁଡିକ ସ୍ୱତନ୍ତ୍ର ହୋଇଥିବାରୁ ଓ ଏହାର ସିଆରପିସିରେ ରାଜ୍ୟକୁ ପ୍ରଦତ୍ତ ଅଧିକାର ସହ କୌଣସି ସମ୍ପର୍କ ନ ଥିବାରୁ ଶୁଣାଣି ବେଳେ ରାଜ୍ୟର ଉପସ୍ଥିତିକୁ ଆଳ କରି ପୀଡିତକୁ ଶୁଣାଣିର ସୁଯୋଗ ଦିଆଗଲା ବୋଲି ଧରି ନିଆଯାଇ ପାରିବନି । ମାମଲାର ଶୁଣାଣି ଆରମ୍ଭ ହେବା ପର୍ୟ୍ୟନ୍ତ ପୀଡିତକୁ ଅପେକ୍ଷା କରିବାକୁ କୁହାଯାଇ ପାରିବନି । ଅପରାଧ ପରବର୍ତ୍ତୀ ତଦନ୍ତଠାରୁ ଆରମ୍ଭ କରି ମାମଲାର ଅପିଲ ବା ରିଭିଜନ ପର୍ୟ୍ୟନ୍ତ ପ୍ରତ୍ୟେକ ପର୍ୟ୍ୟାୟରେ ତା’ ପକ୍ଷ ଶୁଣାଯିବାର ନିରଙ୍କୁଶ ଆଇନଗତ ଅଧିକାର ତା’ର ରହିଛି । ଉକ୍ତ ମାମଲାରେ ପୀଡିତଙ୍କ ଅଧିକାରକୁ ସ୍ୱୀକାର ନ କରି ହାଇକୋର୍ଟ ଜାମିନ ପ୍ରଦାନ କରିଥିବାରୁ ସୁପ୍ରିମକୋର୍ଟ ଗଭୀର ଅସନ୍ତୋଷ ବ୍ୟକ୍ତ କରିବା ସହ ଅଭିଯୁକ୍ତଙ୍କୁ ଜାମିନ ଦେଲା ବେଳେ ପୀଡିତଙ୍କୁ ସ୍ୱଚ୍ଛ ଓ ପ୍ରଭାବୀ ଶୁଣାଣି ସୁଯୋଗରୁ ବଞ୍ଚିତ କରାଯାଇଛି ବୋଲି ମତ ଦେଲେ ।
ଫୌଜଦାରି ଆଚାର ସଂହିତା (ସିଆରପିସି)ର ଧାରା ୪୩୯ ଅନୁଯାୟୀ ଜାମିନ ପ୍ରଦାନ ପାଇଁ ହାଇକୋର୍ଟ ଓ ଦୌରା ଅଦାଲତଗୁଡିକୁ ଇଚ୍ଛାଧୀନ କ୍ଷମତା ପ୍ରଦାନ କରାଯାଇଥିଲେ ବି ତାହା ନିରଙ୍କୁଶ ନୁହେଁ । ଜାମିନ ପ୍ରଦାନ ବେଳେ ଏହି ଅଦାଲତଗୁଡିକ ତାହା ଯନ୍ତ୍ରବତ୍ ନ କରି ବିଧି ଦ୍ୱାରା ସ୍ଥାପିତ ସୁପ୍ରତିଷ୍ଠିତ ସିଦ୍ଧାନ୍ତଗୁଡିକର ଅନୁସରଣ ପୂର୍ବକ ନିଜ ନ୍ୟାୟିକ ବୁଦ୍ଧିର ପ୍ରୟୋଗ କରି କରିବା ଉଚିତ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଅପରାଧ ଯେତେ ଘୃଣ୍ୟ ଓ ସଙ୍ଗିନ ହେଲେ ବି ଆଶିଷ ମିଶ୍ରଙ୍କ ଭଳି ବିତ୍ତଶାଳୀ ଓ କ୍ଷମତାଶାଳୀ ବ୍ୟକ୍ତିମାନଙ୍କୁ ସହଜରେ ଜାମିନ ମିଳିଯାଇପାରିବ ବୋଲି ଏକ ଧାରଣା କ୍ରମଶଃ ଦୃଢ ହେଉଛି, ଯାହା ନ୍ୟାୟ ବ୍ୟବସ୍ଥାର ସ୍ୱଚ୍ଛତା ଓ ନିରପେକ୍ଷତା ପ୍ରତି ଆହ୍ୱାନ ସୃଷ୍ଟି କରୁଛି । ତେଣୁ ଏହି ଭଳି ମାମଲାରେ ଜାମିନ ପ୍ରଦାନ ବେଳେ ଅପରାଧ ପୀଡିତଙ୍କ ଅଧିକାରକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯିବା ଆବଶ୍ୟକ । ଆଜିକାଲି ଅନେକ ଦୃଷ୍ଟିରୁ ଅଭିଯୁକ୍ତଙ୍କ ଅଧିକାର ପୀଡିତଙ୍କ ଅଧିକାର ଅପେକ୍ଷା ଯଥେଷ୍ଟ ବେଶି ହୋଇଥିବାରୁ ଉଭୟଙ୍କ ଅଧିକାର ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରାଯାଇପାରିଲେ ଉଭୟଙ୍କ ପ୍ରତି ବିଚାର ନ୍ୟାୟସଙ୍ଗତ ହୋଇପାରିବ ବୋଲି ‘ମଲ୍ଲିକାର୍ଜୁନ କୋଦାଗଲି ବନାମ କର୍ଣ୍ଣାଟକ ରାଜ୍ୟ’ (୨୦୧୮) ମାମଲାରେ ସୁପ୍ରିମକୋର୍ଟଙ୍କ ରାୟରେ ଉଲ୍ଲେଖ ହୋଇଛି । ଅପରାଧ ପୀଡିତମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରି ଅଦାଲତ ମାଧ୍ୟମରେ ସେମାନଙ୍କ ଅଧିକାରକୁ ସୁନିଶ୍ଚିତ କରାଯାଇ ପାରିଲେ ଏକ ପୀଡିତ-କୈନ୍ଦ୍ରିକ ବିଚାର ବ୍ୟବସ୍ଥାର ମୂଳଦୁଆ ସୁଦୃଢ ହୋଇ ସୁପ୍ରିମକୋର୍ଟଙ୍କ ଈପସିତ ଲକ୍ଷ୍ୟ ହାସଲ ହୋଇପାରନ୍ତା ।
(Published in Odia Daily Sambad on May 03, 2022)
Profuse thanks to the Author for giving a clear background of the case and the sequences in the judicial enactments that took place in USA which prompted other countries as also ours to enact appropriate laws giving legal rights to the victims to be heard and represented. T Maharana
ReplyDeleteThank you sir.
Delete