Skip to main content

ଗୋଆରେ ବାଜି ଛଡେଇ ନେଲା ବିରୋଧୀଙ୍କ ଭୁଲ ରଣନୀତି

ପାଞ୍ଚଟି ରାଜ୍ୟ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ପଞ୍ଜାବରେ ଆମ ଆଦମୀ ପାର୍ଟି ବିପୁଳ ବିଜୟ ସହ କ୍ଷମତା ଦଖଲ କରିବାକୁ ସମର୍ଥ ହୋଇଥିଲା ବେଳେ ଅନ୍ୟ ଚାରୋଟି ରାଜ୍ୟରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିଛି । ତେବେ ଜାତୀୟ ଗଣମାଧ୍ୟମରେ ଅନେକ ନିର୍ବାଚନ ବିଶ୍ଳେଷକ ଏହାକୁ ବିଜେପି ସପକ୍ଷରେ ‘ପ୍ରଚଣ୍ଡ ଜନମତ’ ବୋଲି ଅଭିହିତ କରିଛନ୍ତି । ନିର୍ବାଚନ ଜିତିବା ଓ ଜନମତ ହାସଲ କରିବା ଦୁଇଟି ଭିନ୍ନ କଥା ହୋଇପାରେ । ତା’ ଛଡା ବ୍ୟବସ୍ଥା ବିରୋଧୀ ଜନମତ ସତ୍ତ୍ୱେ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ରଣନୀତି କିପରି ଛଡାଇ ନେଇପାରେ ଜିତୁଥିବା ବାଜି, ତାହା ସମ୍ପ୍ରତି ଗୋଆ ରାଜ୍ୟ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନ ଫଳାଫଳରୁ ଜଣାପଡେ ।

ଗୋଆ ଏକ ଛୋଟ ରାଜ୍ୟ ଯାହାର ବିଧାନସଭାରେ ମାତ୍ର ୪୦ଚି ଆସନ ରହିଛି । ଚଳିତ ନିର୍ବାଚନରେ ସେଠାରେ ୭୯ ପ୍ରତିଶତ ମତଦାତା ଭୋଟ ଅଧିକାର ସାବ୍ୟସ୍ତ କରିବା ସତ୍ତ୍ୱେ ସେମାନଙ୍କ ସଂଖ୍ୟା ମାତ୍ର ୯.୩୦ ଲକ୍ଷରେ ସୀମିତ ଥିଲା । ନିର୍ବାଚନ ମଣ୍ଡଳୀଗୁଡିକର ଆକାର ଛୋଟ ହୋଇଥିବାରୁ ସେଗୁଡିକରେ ସର୍ବନିମ୍ନ ପ୍ରାୟ ୧୬ ହଜାରରୁ ସର୍ବୋଚ୍ଚ ୩୦ ହଜାର ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କଲେ । ଫଳରେ ନବେଲିମ ଆସନରେ ବିଜୟୀ ପ୍ରାର୍ଥୀ ମାତ୍ର ୫୧୬୮ ଭୋଟ ପାଇଥିବା ବେଳେ ପୋରିଏମ ଆସନରୁ ବିଜୟୀ ପ୍ରାର୍ଥୀ ସର୍ବାଧିକ ୧୭୮୧୬ ଭୋଟ ପାଇଥିଲେ । ସ୍ୱାଭାବିକ ଭାବେ ଅନେକ ଆସନରେ ହାରଜିତର ଫଇସଲା ଅତି କମ ଭୋଟ ବ୍ୟବଧାନରେ ହୋଇଥିଲା । ନିର୍ବାଚନରେ ଭାଗ ନେଇଥିବା ପ୍ରମୁଖ ଦଳଗୁଡିକ ଥିଲେ, ବିଜେପି, ଗୋଆ ଫରୱାର୍ଡ ପାର୍ଟି ସହ ମେଣ୍ଟରେ କଂଗ୍ରେସ, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ସହ ତୃଣମୂଳ କଂଗ୍ରେସ ଦଳର ମେଣ୍ଟ, ଆମ ଆଦମୀ ପାର୍ଟି, ରିଭଲ୍ୟୁସନାରୀ ଗୋଆନସ ପାର୍ଟି (ଆରଜିପି), ଏନସିପି ଓ ଶିବସେନା । ଉଲ୍ଲେଖଯୋଗ୍ୟ ଯେ ଉପରୋକ୍ତ ରାଜନୈତିକ ଦଳଗୁଡିକ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେପି ବିରୁଦ୍ଧରେ ଅଲଗା ଅଲଗା ନିର୍ବାଚନ ଲଢିଥିଲେ ।  

ବିଜେପି ୩୩.୩୧ ପ୍ରତିଶତ ଭୋଟ ପାଇ ସର୍ବାଧିକ ୨୦ଟି ଆସନରେ ବିଜୟୀ ହୋଇ ପୁନଃ କ୍ଷମତାସୀନ ହେବାକୁ ସମର୍ଥ ହେଲା । ତନ୍ମଧ୍ୟରୁ ଯେଉଁ ୮ଟି ଆସନରେ ଦଳ ନିର୍ଣ୍ଣାୟକ ବିଜୟ ହାସଲ କଲା ସେଠାରେ ବିଜୟ ବ୍ୟବଧାନ ଥିଲା ୩ ହଜାରରୁ ୧୩୫୦୦ ମଧ୍ୟରେ । କିନ୍ତୁ ଅନ୍ୟ ୧୨ଟି ଆସନରେ ହାରଜିତ ମଧ୍ୟରେ ଏତେ କମ ବ୍ୟବଧାନ ଥିଲା ଯେ ବିରୋଧୀ ଦଳଗୁଡିକ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କୌଶଳପୂର୍ଣ୍ଣ ଭାବେ ନିର୍ବାଚନ ରଣନୀତି ପରିଚାଳନା କରିଥିଲେ ସେଥିମଧ୍ୟରୁ ଅଧିକାଂଶ ଆସନରେ ବିଜେପିକୁ ପରାଜୟର ସ୍ୱାଦ ଚାଖିବାକୁ ପଡିଥାଆନ୍ତା । ତନ୍ମଧ୍ୟରୁ ପୋଣ୍ଡା, ପ୍ରିଅଲ, ନବେଲିମ, ସାଙ୍କ୍ୱେଲିମ, କୁର୍କୋରେମ ଓ ପାନାଜୀ ପରି ୬ଟି ନିର୍ବାଚନ ମଣ୍ଡଳୀରେ ବିଜୟର ବ୍ୟବଧାନ ଥିଲା ଯଥାକ୍ରମେ ୭୭, ୨୧୩, ୪୩୦, ୬୬୬, ୬୭୨ ଓ ୭୧୬, ଅର୍ଥାତ୍ ୮୦୦ରୁ କମ । ୧୦୦୦ରୁ ୧୭୦୦ ଭୋଟର ବ୍ୟବଧାନରେ ସାଙ୍ଗ୍ୱେମ, ଡାବୋଲିମ ଓ ମାପୁସା ଆସନର ଫଳାଫଳ ନିର୍ଦ୍ଧାରିତ ହୋଇଥିଲା ବେଳେ ୨୦୦୦ରୁ ୨୨୦୦ ଭୋଟର ଅନ୍ତର ତଲେଇଗାଓ, ଟିଭିମ ଓ ସିରୋଡା ଆସନର ଫଳାଫଳ ନିର୍ଦ୍ଧାରଣ କରିଥିଲା । ଏହି ଆସନଗୁଡିକରେ ଦ୍ୱିତୀୟ ସ୍ଥାନର ପ୍ରାର୍ଥୀମାନଙ୍କ ମଧ୍ୟରେ କଂଗ୍ରେସ ଦଳର ୫ ଜଣ, ଏମଜିପି, ସ୍ୱାଧୀନ ପ୍ରାର୍ଥୀ ଓ ତୃଣମୂଳ କଂଗ୍ରେସର ୨ ଜଣ ଲେଖାଏଁ ଓ ଆପ ଦଳର ଜଣେ ପ୍ରାର୍ଥୀ ଥିଲେ । ଅର୍ଥାତ୍ ଏହି ଆସନଗୁଡିକରେ ବିଜେପି ବିରୋଧୀ ଭୋଟର ସଂଖ୍ୟା ବିଜେପି ପାଇଥିବା ଭୋଟ ଅପେକ୍ଷା ଅଧିକ ହୋଇଥିବାରୁ ସମନ୍ୱୟ ରକ୍ଷା ହୋଇ ରଣନୀତି ପ୍ରସ୍ତୁତ ହୋଇଥିଲେ ଏହି ସମସ୍ତ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ଅଧିକ ଆସନରେ ଜିତି ପାରିଥାଆନ୍ତେ । ଉଦାହରଣ ସ୍ୱରୂପ, ନଭେଲିମ ଆସନରେ ବିଜେପି ପ୍ରାର୍ଥୀ ୫୧୬୮ଟି ଭୋଟ ପାଇ ତାଙ୍କ ନିକଟତମ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୪୩୦ ଖଣ୍ଡ ଭୋଟରେ ହରାଇ ନିର୍ବାଚିତ ହୋଇଥିଲେ ମଧ୍ୟ ସେହି ଆସନରେ ତୃଣମୂଳ କଂଗ୍ରେସ, କଂଗ୍ରେସ, ଏନସିପି ଓ ଆପ ଦଳ ଯଥାକ୍ରମେ ୪୭୩୮, ୩୮୦୬, ୨୬୨୨ ଓ ୨୩୨୭ ଭୋଟ ପାଇଥିଲେ । ଅର୍ଥାତ୍, ବିଜେପି ବିରୋଧୀ ଭୋଟ ସଂଖ୍ୟା ଥିଲା ୧୩୪୯୩, ବା ବିଜେପି ପାଇଥିବା ଭୋଟର ପ୍ରାୟ ଅଢେଇ ଗୁଣରୁ ଅଧିକ । ସେହିପରି କୁର୍କୋରେମ ଆସନରେ ବିଜେପି ନିକଟତମ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ମାତ୍ର ୬୭୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହେଲେ । ସେହି ଆସନରେ ଆପ ପ୍ରାର୍ଥୀ ପାଇଥିବା ୮୩୦ ଖଣ୍ଡ ଭୋଟ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଯାଇଥିଲେ ହୁଏତ ସେହି ଆସନର ଫଳ ଭିନ୍ନ ହୋଇଥାଆନ୍ତା । ଅନ୍ୟ ପକ୍ଷରେ ସିରୋଡା ଆସନରେ ଦ୍ୱିତୀୟ ସ୍ଥାନରେ ଥିବା ଆପ୍ ପ୍ରାର୍ଥୀଙ୍କ ସପକ୍ଷରେ କଂଗ୍ରେସ ଓ ଏନସିପି ପାଇଥିବା ଭୋଟ ଯାଇଥିଲେ ହୁଏତ ସେହି ଆସନରେ ଆପ୍ ପ୍ରାର୍ଥୀ ଜୟଯୁକ୍ତ ହୋଇପାରିଥାଆନ୍ତେ । ବିଜେପି ପରି ଶକ୍ତିଶାଳୀ ଦଳର ନିର୍ବାଚନୀ ରଥକୁ ଅଟକାଇବା ପାଇଁ ବିରୋଧୀ ଦଳମାନଙ୍କ ମଧ୍ୟରେ ମେଣ୍ଟ ଗଠନ ସମ୍ଭବ ହୋଇ ନଥିବାରୁ ବାସ୍ତବତାକୁ ଗ୍ରହଣ କରି କେତେକ ଆସନରେ ଅନ୍ତତଃ ସମନ୍ୱୟ ରକ୍ଷା ପୂର୍ବକ ନିର୍ବାଚନ ଲଢାଯାଇଥିଲେ, ବିଜେପିର ଆସନ ସଂଖ୍ୟା ୮କୁ ଖସି ଆସିଥାଆନ୍ତା । ଅନ୍ୟ ପକ୍ଷରେ କଂଗ୍ରେସର ଆସନ ସଂଖ୍ୟା ବର୍ତ୍ତମାନର ୧୧ରୁ ବଢି ୧୬ ହୋଇପାରିଥାଆନ୍ତା । ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ଜିତିଥିବା ୧୧ଟି ଯାକ ଆସନରେ ଭୋଟ ବ୍ୟବଧାନ ସର୍ବନିମ୍ନ ୧୭୨୭ରୁ ସର୍ବାଧିକ ୭୭୯୪ ମଧ୍ୟରେ ରହି ଦଳ ନିର୍ଣ୍ଣାୟକ ଭାବେ ଜିତିଛି । ବିଜେପି ସବୁ ଆସନରେ ଲଢିଥିବା ବେଳେ ଜିତିଥିବା ଆସନଗୁଡିକୁ ବାଦ ଦେଲେ ଅବଶିଷ୍ଟ ୨୦ଟି ଆସନ ମଧ୍ୟରୁ ୧୪ଟିରେ ଦ୍ୱିତୀୟ ସ୍ଥାନରେ ଓ ଗୋଟିଏରେ ତୃତୀୟ ସ୍ଥାନରେ ରହିଛି । ବାକି ୫ଟି ଆସନରେ ଦଳକୁ ଅମାନତ ହରାଇବାକୁ ହୋଇଛି । ଯଦି ମତଦାତା ବିଜେପିକୁ ‘ପ୍ରଚଣ୍ଡ ଜନମତ’ ପ୍ରଦାନ କରିଥିବା ବଖାଣଟିକୁ ଗ୍ରହଣ କରାଯାଏ ତେବେ ଦଳର ପ୍ରତି ୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ଅମାନତ ହରାଇବା ଆଦୌ ସମ୍ଭବ ହୋଇ ନ ଥାଆନ୍ତା । ଉପରନ୍ତୁ, କୌଣସି ଦଳ ପାଇଥିବା ଭୋଟ ପ୍ରତିଶତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ବି ତଦ୍ଦ୍ୱାରା ଅଧିକ ଆସନ ହାସଲ କରିବା ହୁଏତ ସବୁବେଳେ ସମ୍ଭବ ହୋଇ ନ ପାରେ । ଗୁରୁତ୍ୱପୂର୍ଣ୍ଣ ହେଉଛି ସେହି ଅଧିକ ଭୋଟ ପ୍ରତିଶତ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ସମାନ ଭାବେ ପରିବ୍ୟାପ୍ତ କି ନୁହେଁ । ଉଦାହରଣ ସ୍ୱରୂପ, ଗୋଆରେ ମିଳିଥିବା ସମୁଦାୟ ପ୍ରାୟ ୯.୩୦ ଲକ୍ଷ ଭୋଟ ମଧ୍ୟରୁ ବିଜେପି ସବୁ ଆସନରେ ପ୍ରାର୍ଥୀ ଦେଇ ସର୍ବାଧିକ ୩.୧୬ ଲକ୍ଷ ବା ୩୩ ପ୍ରତିଶତ ଭୋଟ ପାଇଛି । ତନ୍ମଧ୍ୟରୁ ଯେଉଁ ୮ଟି ଆସନରେ ବିଜେପିର ବିଜୟ ନିର୍ଣ୍ଣାୟକ ହୋଇଛି କେବଳ ସେହିଠାରେ ଦଳକୁ ସମୁଦାୟ ପ୍ରାୟ ୧ ଲକ୍ଷ ଭୋଟ ମିଳିଛି । ଅନ୍ୟ ଆସନଗୁଡିକରେ ବିଜେପିକୁ ଅନ୍ୟ ଦଳଠାରୁ ଆନୁପାତିକ ଭାବେ ଅଧିକ ପ୍ରତିଶତ ଭୋଟ ମିଳି ନ ଥିବାରୁ ବିରୋଧୀ ଦଳଗୁଡିକ ତାକୁ ବିଚାରକୁ ନେଇ ରଣନୀତି ପ୍ରସ୍ତୁତ କରିପାରିଥାଆନ୍ତେ । କିଛି ଦଳର ଭୋଟ ପ୍ରତିଶତ କମ ହେଲେ ବି ସେମାନେ କେବଳ ସୁଦୃଢ ସ୍ଥିତି ଥିବା ନିର୍ଦ୍ଦିଷ୍ଟ କେତୋଟି ଆସନରେ ପ୍ରାର୍ଥୀ ଦେଇ ଜିତି ଥଆନ୍ତି । ଗୋଆ ଫରୱାର୍ଡ ପାର୍ଟି କେବଳ ୩ଟି ଆସନରେ ଲଢି ମାତ୍ର ୧.୮୪ ପ୍ରତିଶତ ଭୋଟ ପାଇଥିଲେ ବି ଗୋଟିଏ ଆସନରେ ବିଜୟୀ ହୋଇପାରିଛି । 

ଏଥର ଗୋଆ ନିର୍ବାଚନରେ ସମସ୍ତ ରାଜନୈତିକ ଦଳ ଓ ବିଶ୍ଳେଷକଙ୍କୁ ଆଚମ୍ୱିତ କରିଛି ନିର୍ବାଚନର ମାତ୍ର ଦେଢ ମାସ ଆଗରୁ ପଞ୍ଜିକୃତ ହୋଇଥିବା ଏକ ନୂଆ ଆଞ୍ଚଳିକ ଦଳ ରିଭଲ୍ୟୁସନାରୀ ଗୋଆନସ ପାର୍ଟି (ଆରଜିପି)ର ପ୍ରଦର୍ଶନ । ପୋଗୋ (ପିପୁଲସ ଅଫ ଗୋଆନ ଅରିଜିନ) ବା ‘ଗୋଆ ଅଧିବାସୀଙ୍କ ପାଇଁ ଗୋଆ’ ନୀତିରେ ବିଶ୍ୱାସ କରୁଥିବା କିଛି ସଂଖ୍ୟକ ତରୁଣମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଆଞ୍ଚଳିକ ଦଳ ଦ୍ୱାରା କଂଗ୍ରେସ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଏହି ଦଳ ଅନ୍ତତଃ ୬ଟି ଆସନରେ ବିଜେପି ବିରୋଧୀ ଭୋଟକୁ କଂଗ୍ରେସ ନିକଟରୁ ଛଡାଇ ଆଣିଥିବାରୁ ସେଠାରେ କଂଗ୍ରେସ ପରାଜିତ ହୋଇ ବିଜେପି ଜିତିଛି । ଏପରି କି ବିଜେପି ଓ ଏମଜିପି ଭଳି ସୁଦୃଢ ସଂଗଠନ ଥିବା ଦଳଗୁଡିକ ମଧ୍ୟ ତା’ ପ୍ରଭାବ ବଳୟରୁ ବର୍ତ୍ତି ନ ପାରି କ୍ଷତିଗ୍ରସ୍ତ ହୋଇଛନ୍ତି । ଆରଜିପିର ଶକ୍ତିକୁ ଆକଳନ କରି ତା’ର ଅଗ୍ରଗତିକୁ ରୋକିବା ଲାଗି ଉଚିତ ପଦକ୍ଷେପ ନେବାରେ ବିଫଳ ହେଲା କଂଗ୍ରେସ । ୩୮ଟି ଆସନରେ ପ୍ରାର୍ଥୀ ଦେଇ ଗୋଟିଏ ଆସନରେ ଗୋଆର ସର୍ବକନିଷ୍ଠ ବିଧାୟକ ଭାବେ ୨୮ ବର୍ଷୀୟ ବୀରେଶ ବୋରକାରଙ୍କୁ ଜିତାଇବା ସହ ରାଜ୍ୟରେ ପ୍ରାୟ ୧୦ ପ୍ରତିଶତ ଭୋଟ ହାସଲ କରି ଏହି ଦଳ ଆପ୍ ଓ ତୃଣମୂଳ କଂଗ୍ରେସ ପରି ଦଳଙ୍କ ପାଇଁ ମଧ୍ୟ ଆହ୍ୱାନ ସୃଷ୍ଟି କରିଛି । ଆଗାମୀ ସମୟରେ ଗୋଆ ରାଜନୀତିରେ ଆରଜିପି ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇ ଗୋଆ ରାଜନୀତିରେ ଏକ ବଳିଷ୍ଠ ଭୂମିକା ନିର୍ବାହ କରିବାକୁ ଯେ ସକ୍ଷମ ହେବ, ସେଥିରେ ସନ୍ଦେହ ନାହିଁ ।

ଗୋଆ ରାଜନୀତିରେ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିତ୍ୱର ପ୍ରଭାବ ଏତେ ବେଶି ଯେ ଏଥର ନିର୍ବାଚନରେ ଜଣେ ଆଖି ଡାକ୍ତର, ଜଣେ ବ୍ୟବସାୟୀ ଓ  ଜଣେ ପୋଖତ ରାଜନେତା ଏହିପରି ୩ଜଣ ସଦସ୍ୟ ସ୍ୱାଧୀନ ଭାବେ ନିର୍ବାଚିତ ହେବାକୁ ସମର୍ଥ ହୋଇଛନ୍ତି । ଏମାନଙ୍କ ଭିନ୍ନ ଅନ୍ୟ କେତେକ ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଛନ୍ତି । ଗତ ଥର କଂଗ୍ରେସ ଟିକେଟରେ ନିର୍ବାଚିତ ହେଲା ପରେ ଦଳ ପରିବର୍ତ୍ତନ କରି ବିଜେପିକୁ ଯାଇଥିବା କିଛି ବିଧାୟକଙ୍କୁ ବିଜେପି ଟିକେଟ ନ ଦେବା ଓ ସେମାନଙ୍କୁ ଟିକେଟ ଦେଇ ଦଳକୁ ଫେରାଇ ଆଣିବା ଲାଗି କଂଗ୍ରେସ ତରଫରୁ ଆଗ୍ରହ ପ୍ରକାଶ ନ ପାଇବା ଦ୍ୱାରା ଗୋଆ ରାଜନୀତିରେ ଏକ ଭଲ ପରମ୍ପରାର ଆରମ୍ଭ ହୋଇଛି । ସେମାନଙ୍କ ମଧ୍ୟରୁ କେତେକ ସ୍ୱାଧୀନ ଭାବେ ଲଢିବାକୁ ବାଧ୍ୟ ହୋଇଛନ୍ତି ଓ ପରାଜୟର ସ୍ୱାଦ ଚାଖିଛନ୍ତି ।     

ଗୋଆ ପରି ଛୋଟ ରାଜ୍ୟ ପ୍ରତି ଆପ୍ ଓ ତୃଣମୂଳ କଂଗ୍ରେସ ଭଳି ଦଳଗୁଡିକ ଆକୃଷ୍ଟ ହୋଇ ନିର୍ବାଚନ ଲଢିବା ପଛରେ ଦଳଗୁଡିକର ବିସ୍ତାର ଏକମାତ୍ର କାରଣ ହୋଇ ନ ପାରେ । ‘ଜାତୀୟ ଦଳ’ ମାନ୍ୟତା ପାଇବାର ଲୋଭ ମଧ୍ୟ ଏହାର ଅନ୍ୟତମ କାରଣ । ‘ଜାତୀୟ ଦଳ’ର ମାନ୍ୟତା ପାଇବା ଲାଗି ଗୋଟିଏ ରାଜନୈତିକ ଦଳକୁ ୪ଟି ବା ଅଧିକ ରାଜ୍ୟରେ ‘ରାଜ୍ୟ ଦଳ’ର ମାନ୍ୟତା ମିଳିଥିବା ଆବଶ୍ୟକ । ‘ରାଜ୍ୟ ଦଳ’ର ମାନ୍ୟତା ପାଇବା ଲାଗି ଅନ୍ୟାନ୍ୟ ଯୋଗ୍ୟତା ମଧ୍ୟରେ ଗୋଟିଏ ଦଳକୁ ସେହି ରାଜ୍ୟର ବିଧାନସଭା ନିର୍ବାଚନରେ ଅତି କମରେ ୬ ପ୍ରତିଶତ ଭୋଟ ସହ ୨ଟି ଆସନରେ ଜିତିବା ଆବଶ୍ୟକ ହୋଇଥାଏ ଅଥବା ବିଧାନସଭା କି ଲୋକସଭା ନିର୍ବାଚନରେ ୮ ପ୍ରତିଶତ ଭୋଟ ହାସଲ କରିବାକୁ ହୋଇଥାଏ । ଏଥିପାଇଁ ଗୋଆ ଭଳି ଛୋଟ ଛୋଟ ରାଜ୍ୟରେ ଅପେକ୍ଷାକୃତ କମ ସମ୍ୱଳ ପ୍ରୟୋଜନ ହେଉଥିବାରୁ ଅଧିକ ସଂଖ୍ୟକ ଦଳ ଏଠାରେ ନିର୍ବାଚନ ଲଢିବାକୁ ଆଗ୍ରହ ଦେଖାଇବା ସ୍ୱାଭାବିକ । ଏହି ନିର୍ବାଚନରେ  ଆପ୍ ଦଳ ୬.୭୭ ପ୍ରତିଶତ ଭୋଟ ସହ ୨ ଟି ଆସନ ଜିତି ଥିବାରୁ ଗୋଆରେ ‘ରାଜ୍ୟ ଦଳ’ ଭାବେ ସ୍ୱୀକୃତି ପାଇ ଜାତୀୟ ଦଳର ମାନ୍ୟତା ପାଇବାର ନିକଟତର ହେଲା । ଅନ୍ୟ ପକ୍ଷରେ ୫.୨୧ ପ୍ରତିଶତ ଭୋଟ ପାଇ ତୃଣମୂଳ କଂଗ୍ରେସ ରାଜ୍ୟ ଦଳର ମାନ୍ୟତା ପାଇପାରି ନାହିଁ । ପ୍ରତ୍ୟେକ ଦଳ ନିଜ ନିଜ ବିସ୍ତାର କଥା ଚିନ୍ତା କରିବା କିଛି ଅସ୍ୱାଭାବିକ ନୁହେଁ । କିନ୍ତୁ ଏକ ବୃହତ୍ତର ଲକ୍ଷ୍ୟ ହାସଲ କରିବା ପାଇଁ ଦଳଗତ ସ୍ୱାର୍ଥର ଊର୍ଦ୍ଧ୍ୱକୁ ଉଠିପାରୁ ନ ଥିବାରୁ ବିରୋଧୀ ଦଳମାନେ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ବାଚନ ଲଢି ପାରୁନାହାନ୍ତି । ଶକ୍ତିଶାଳୀ ପ୍ରତିପକ୍ଷକୁ ହରାଇବା ମୂଳ ଲକ୍ଷ୍ୟ ହୋଇଥିଲେ ସେଥିପାଇଁ ସ୍ଥଳ ବିଶେଷରେ ନିଜେ ଜିତିବାର ଲୋଭକୁ ସମ୍ୱରଣ କରି ଜିତିବାର ନିକଟତର ଥିବା ଅନ୍ୟ ଦଳର ପ୍ରାର୍ଥୀଙ୍କୁ ଜିତାଇବା ଲାଗି ପ୍ରୟାସ କରିବା ସଫଳ ରଣନୀତିର ଅଂଶବିଶେଷ ହୋଇପାରେ । ତାହା ହେଉ ନ ଥିବାରୁ ପରୋକ୍ଷରେ ତାହା ଶାସକ ଦଳକୁ ତା’ର ନିର୍ବାଚନୀ ସଫଳତାରେ ସାହାଯ୍ୟ କରୁଛି ।

କୌଣସି ଦଳ ସପକ୍ଷରେ ସମୁଦାୟ ଜନପ୍ରିୟ ଭୋଟର ଅନ୍ତତଃ ୫୦ ପ୍ରତିଶତରୁ ଅଧିକ ଭୋଟ ମିଳିଥିଲେ ତା’ ପଛରେ ଜନ ସମର୍ଥନ ଅଛି ବୋଲି ସ୍ପଷ୍ଟ ଭାବେ କହିହେବ, ଅନ୍ୟଥା ନୁହେଁ । ଚଳିତ ନିର୍ବାଚନରେ ବିଜେପି ଚାରିଟି ରାଜ୍ୟରେ ‘ନିର୍ବାଚନୀ ଶାସନାଦେଶ’ (ଇଲେକ୍ଟୋରାଲ ମ୍ୟାଣ୍ଡେଟ) ହାସଲ କରି କ୍ଷମତା ପୁନଃଦଖଲ କରିଥିଲେ ବି କୌଣସି ଗୋଟିଏ ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇ ନ ଥିବାରୁ ତା’ ପଛରେ ‘ପ୍ରବଳ ଜନ ସମର୍ଥନ’ ରହିଛି ବୋଲି କହିବା ପ୍ରମାଦପୂର୍ଣ୍ଣ ହେବ । ବାସ୍ତବତା ହେଉଛି ଅର୍ଦ୍ଧାଧିକ ମତଦାତା ବ୍ୟବସ୍ଥା ସପକ୍ଷରେ ନୁହେଁ ବରଂ ବିରୁଦ୍ଧରେ ମତଦାନ କରିଛନ୍ତି । ବିରୋଧୀ ଦଳମାନଙ୍କ ବିଫଳତା ଯୋଗୁଁ ସମନ୍ୱୟ ଅଭାବରେ ଲୋକଙ୍କ ସେହି ରୋଷ କେନ୍ଦ୍ରୀଭୁତ ନ ହୋଇ ବିକ୍ଷିପ୍ତ ହୋଇଯାଇଥିବାରୁ ତାହା ଫଳାଫଳରେ ପ୍ରତିଫଳିତ ହୋଇପାରିନାହିଁ । ଭାରତୀୟ ରାଜନୀତିରେ କୌଣସି ରାଜନୈତିକ ଦଳ ଅପରାଜେୟ ନୁହେଁ, କାରଣ ବହୁଦଳୀୟ ନିର୍ବାଚନୀ ବ୍ୟବସ୍ଥାରେ ପ୍ରାୟତଃ କୌଣସି ଦଳକୁ ୫୦ ପ୍ରତିଶତରୁ ଅଧିକ ଭୋଟ ମିଳି ନଥାଏ ।  କଂଗ୍ରେସ ଦଳ ଶକ୍ତିଶାଳୀ ଥିଲା ବେଳେ ସବୁ ବିରୋଧୀ ଦଳ ଏକଜୁଟ ହୋଇ ତାକୁ ହରାଇ ପାରୁଥିଲେ । ବିଜେପି ଭଳି ଶକ୍ତିଶାଳୀ ଦଳକୁ ପରାଜିତ କରିବା ପାଇଁ ସେହି ଏକା ରଣନୀତି ହିଁ ପ୍ରଯୁଜ୍ୟ । ଇଏ ବିଜେପି, କଂଗ୍ରେସ ବା ଅନ୍ୟ କେଉଁ ଦଳ ଜିତିବା ବା ହାରିବାର ପ୍ରଶ୍ନ ନୁହେଁ । କୌଣସି ଦଳକୁ ହରାଇ ହେବନାହିଁ ବୋଲି ଇଚ୍ଛାକୃତ ଭାବେ ଯେଉଁ ଏକ ବଖାଣ ପ୍ରସ୍ତୁତ କରାଯାଇଥାଏ ତାହା ତଥ୍ୟ ଆଧାରରେ ତର୍ଜମା କଲେ ଭ୍ରମାତ୍ମକ ବୋଲି ଜଣା ପଡେ । ତାହାର ଏକମାତ୍ର ଉଦ୍ଦେଶ୍ୟ ଥାଏ ନିଜ କର୍ମୀମାନଙ୍କୁ ଉତ୍ସାହିତ କରିବା ସହ ବିରୋଧୀ ଦଳର କର୍ମୀମାନଙ୍କୁ ପରାଜୟବୋଧର ଗ୍ଲାନି ଭିତରୁ ବାହାରିବାକୁ ନ ଦେଇ ହତୋତ୍ସାହିତ କରି ରଖିବା ।  ଗୋଆ ନିର୍ବାଚନ ଫଳାଫଳର ବିଶ୍ଳେଷଣରୁ ଅନ୍ତତଃ ଗୋଟିଏ କଥା ସ୍ପଷ୍ଟ ଯେ ତ୍ରୁଟିପୂର୍ଣ୍ଣ ନିର୍ବାଚନ ରଣନୀତି ପରିଚାଳନା ଯୋଗୁଁ ଜନମତର ବିପରୀତରେ ଯାଇ ବିରୋଧୀ ଦଳମାନେ ବିଜେପିକୁ କ୍ଷମତା ପୁନଃଦଖଲ ପାଇଁ ପରୋକ୍ଷରେ ସାହାଯ୍ୟ କରିଛନ୍ତି । ଭବିଷ୍ୟତରେ ସେହି ତ୍ରୁଟିର ପୁନରାବୃତ୍ତି ଯେ ନ ହେବ ତାହା କେହି କହିପାରିବେ ନାହିଁ ।


Published in Odisha Reporter on March 24, 2022 

 

Comments

  1. Excellent analytical views about public opinion in the Goa assembly elections.But one thing is very clear that voters are literate and voter response is much better than some states.

    ReplyDelete
  2. ସତକଥା ଯେ, ହେଲେ ବହୁଦଳୀୟ ଶାସନ ବ୍ଯବସ୍ଥାରେ ଗୋଟିଏ ଦଳକୁ ପରାସ୍ତ କରିବାକୁ ନୀତି ଓ ଆଦର୍ଶକୁ ଜଳାଞ୍ଜଳି ଦେଇ ସବୁଦଳ ଏକାଠି ହୋଇ ନିର୍ବାଚନ ଲଢିବା ଅପେକ୍ଷା ଦ୍ବିଦଳୀୟ ନିର୍ବାଚନ ବ୍ଯବସ୍ଥାକୁ ଗ୍ରହଣ କରିନେବା ଶୁଭଙ୍କର ହେବ ବୋଲି ମୋର ମତ ।ଏମିତି ହେଲେ ଘୋଡାବେପାରର ସମ୍ଭାବନା ରହନ୍ତା ନାହିଁ ।ଧନ୍ୟବାଦ ।

    ReplyDelete
    Replies
    1. ଧନ୍ୟବାଦ । ଦେଶରେ ଦୁଇଟି ଦଳ ରହିପାରିଲେ ଭଲ ହୁଅନ୍ତା । କିନ୍ତୁ ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ ଦୁଇ ଦଳ ବ୍ୟବସ୍ଥା ହୁଏତ ସମ୍ଭବ ନୁହେଁ । ସବୁ ଦଳ ଏକାଠି ହୋଇ ମେଣ୍ଟ ଗଠନ କରି ନିର୍ବାଚନ ଲଢିବା କଥା ମୁଁ କହୁ ନାହିଁ । ପ୍ରଥମେ ରାଜନୈତିକ ଦଳଗୁଡିକ ନିର୍ବାଚନରେ ସେମାନଙ୍କ ଲକ୍ଷ୍ୟ କଣ ତାହା ସ୍ଥିର କରିବା ଆବଶ୍ୟକ । ତଦନୁଯାୟୀ, ଆବଶ୍ୟକ ସ୍ଥଳେ ଜିତିବା ପାଇଁ ନ ହୋଇ ହରାଇବା ପାଇଁ କୌଶଳଗତ (ଟାକଟିକାଲ) ବୁଝାମଣା କଲେ ତାହା ଅଧିକ ଫଳପ୍ରଦ ହୋଇପାରନ୍ତା ।

      Delete
  3. A critical analysis of the electoral gimmick. Thanks to the Author for an incisive analysis. T Maharana

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍