Skip to main content

ସିଏଏ ଆନ୍ଦୋଳନ ମାମଲା : ଅଭିଯୋଗକାରୀ, ବିଚାରକ ଓ ଦଣ୍ଡଦାତା

ଦେଶବ୍ୟାପୀ ସିଏଏ ବିରୋଧୀ ଆନ୍ଦୋଳନ ଓ ବିକ୍ଷୋଭମାନ ଚାଲିଥିବା ବେଳେ ଉତ୍ତର ପ୍ରଦେଶରେ ଦେଶର ସର୍ବାଧିକ ମୃତ୍ୟୁ ଓ ହିଂସା ହୋଇଥିବାର ସୂଚନା ମିଳିଥିଲା । ଡିସେମ୍ୱର ୨୦୧୯ରେ ଲକ୍ଷ୍ନୌ ସହର ସମେତ ରାଜ୍ୟର ଅନେକ ସ୍ଥାନରେ ବ୍ୟାପକ ହିଂସା ସହ ଘରୋଇ ଓ ସରକାରୀ ସମ୍ପତ୍ତି ଭଙ୍ଗାରୁଜା, ପୋଡାଜଳା ହୋଇଥିଲା, ଯେଉଁଥିପାଇଁ ପୋଲିସ ଶତାଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଥିଲା । ଏହା ପରେ ଦଙ୍ଗାକାରୀଙ୍କୁ ନାମିତ ଓ ଲଜ୍ଜିତ କରିବା ପାଇଁ ସରକାରଙ୍କ ତରଫରୁ ସେମାନଙ୍କ ଫଟୋ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ବିବରଣୀ ପ୍ରଦାନ କରି ସେମାନଙ୍କଠାରୁ କ୍ଷତିପୂରଣ ଅସୁଲ କରାଯିବା ଳକ୍ଷ୍ୟ ରଖି ଲକ୍ଷ୍ନୌ ସହରର ସର୍ବସାଧାରଣ ସ୍ଥାନମାନଙ୍କରେ ରାସ୍ତା କଡରେ ବଡ ବଡ ବ୍ୟାନରମାନ ଲଗାଯାଇଥିଲା । ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ଆବଶ୍ୟକ ହୋଇଥିଲେ ବି ରାଜ୍ୟ ସରକାର ପ୍ରତିଶୋଧପରାୟଣ ହୋଇ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ଚର୍ଚ୍ଚା ହେଲା । ରାଜ୍ୟ ସରକାରଙ୍କ ଏହି ଗର୍ହିତ କାର୍ୟ୍ୟର ସ୍ୱତଃ ସଂଜ୍ଞାନ ନେଇ ଆଲାହାବାଦ ହାଇକୋର୍ଟ ନିଜ ତରଫରୁ ଜନସ୍ୱାର୍ଥ ସୁରକ୍ଷା ମାମଲା ରୁଜ୍ଜୁ କରିଥିଲେ, କାରଣ ଏ ଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୌଣସି ବୈଧ ଆଇନ ନ ଥିବାରୁ ସରକାର ସେଥିପାଇଁ ଅଧିକୃତ ନ ଥିଲେ । ଏହି ପଦକ୍ଷେପ ରାଜ୍ୟ ଦ୍ୱାରା ଜନସାଧାରଣଙ୍କ ଗୋପନୀୟତା ଉପରେ ଅଯଥା ହସ୍ତକ୍ଷେପ ବୋଲି ଦର୍ଶାଇ ଏହା ସମ୍ୱିଧାନର ଧାରା ୨୧ର ଉଲ୍ଲଂଘନ କରୁଥିବାରୁ ରାସ୍ତାକଡରେ ଲଗାଯାଇଥିବା ବ୍ୟାନରଗୁଡିକୁ ୭ ଦିନ ଭିତରେ କାଢି ଦେବାକୁ ଅଦାଲତ ସରକାରଙ୍କୁ ମାର୍ଚ୍ଚ ୯, ୨୦୨୦ରେ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟକୁ ଯାଇଥିଲେ ବି କୌଣସି ବୈଧ ଆଇନ ନ ଥାଇ ଏ ଭଳି ଅଗଣତାନ୍ତ୍ରିକ ପଦକ୍ଷେପ ନେଇଥିବାରୁ ସରକାରଙ୍କୁ କୌଣସି ଅବ୍ୟାହତି ମିଳିବା ତ ଦୂରର କଥା, ବରଂ ଭର୍ତ୍ସନାର ଶିକାର ହେବାକୁ ପଡିଥିଲା ।

ଠିକ୍ ସେତିକିବେଳେ ରାଜ୍ୟ ସରକାର ମାର୍ଚ୍ଚ ୧୫, ୨୦୨୦ରେ ଅର୍ଡିନାନ୍ସ ଯୋଗେ ‘ଉତ୍ତର ପ୍ରଦେଶ ସରକାରୀ ଓ ଘରୋଇ ସମ୍ପତ୍ତି କ୍ଷତି ଅସୁଲ ବିଲ’ ଆଣିଲେ, ଯାହା ଉତ୍ତର ପ୍ରଦେଶ ବିଧାନସଭା ଦ୍ୱାରା ପାରିତ ହେବା ପରେ ଅଗଷ୍ଟ ୩୧, ୨୦୨୦ରେ ଏକ ଆଇନରେ ପରିଣତ ହେଲା ବୋଲି ବିଜ୍ଞପ୍ତି ପ୍ରକାଶ ପାଇଲା । ଏହି ଆଇନ ଅନୁଯାୟୀ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜଙ୍କ ଅଧ୍ୟକ୍ଷତାରେ ଗଠିତ କ୍ଲେମ ଟ୍ରିବ୍ୟୁନାଲ ଦ୍ୱାରା ହଡତାଳ, ବନ୍ଦ, ଦଙ୍ଗା, ବିକ୍ଷୋଭ ଇତ୍ୟାଦିରେ ସରକାରୀ ଓ ଘରୋଇ ସମ୍ପତ୍ତି ପ୍ରତି କ୍ଷତି ପହଞ୍ଚାଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତଙ୍କୁ ବର୍ଷେ ଲାଗି ଜେଲ ଦଣ୍ଡ ଅଥବା ତାଙ୍କ ନିକଟରୁ ୫୦୦୦ରୁ ୧ ଲକ୍ଷ ଟଙ୍କା ଯାଏଁ ଜୋରିମାନା ଆଦାୟ କରାଯିବାର ପ୍ରାବଧାନ ରହିଲା ।

୮୩୩ ଜଣ ସିଏଏ ବିରୋଧୀ ବିକ୍ଷୋଭକାରୀଙ୍କ ବିରୁଦ୍ଧରେ ଉତ୍ତର ପ୍ରଦେଶ ସରକାର ସମୁଦାୟ ୧୦୬ଟି ଏଫଆଇଆର ଦାଏର କରିଥିଲେ । ତନ୍ମଧ୍ୟରୁ ୨୭୪ଟି ମାମଲାରେ ଅସୁଲ ପାଇଁ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ନୋଟିସ ଜାରି ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେଥିମଧ୍ୟରୁ ୩୮ଟି ମାମଲାକୁ ବନ୍ଦ କରି ଦିଆଯାଇଥିଲା । ନୋଟିସଗୁଡିକୁ ଜାରି କଲାବେଳେ ଉପଯୁକ୍ତ ସତର୍କତା ଅବଲମ୍ୱନ କରାଯାଇ ନ ଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଥିଲା । ଉଦାହରଣ ସ୍ୱରୂପ, ୬ ବର୍ଷ ତଳେ ୯୪ ବର୍ଷ ବୟସରେ ମୃତ୍ୟୁବରଣ କରି ସାରିଥିବା ଜଣେ ବୃଦ୍ଧଙ୍କ ବିରୁଦ୍ଧରେ ନୋଟିସ ଜାରି ହୋଇଥିବା ବେଳେ ୯୦ ବର୍ଷରୁ ବେଶି ବୟସର ଦୁଇ ଜଣଙ୍କ ବିରୁଦ୍ଧରେ ନୋଟିସ ଜାରି ହୋଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ୬ ଜଣ ଦିନ ମଜୁରିଆଙ୍କୁ ମଧ୍ୟ ନୋଟିସ ଜାରି ହୋଇଥିଲା । 

ଉତ୍ତର ପ୍ରଦେଶ ସରକାର ଜୋରିମାନା ଆଦାୟ ସଂକ୍ରାନ୍ତରେ ନୋଟିସଗୁଡିକୁ ଜାରି କଲା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶିକାର ଉଲ୍ଲଂଘନ କରିଥିବା ଦର୍ଶାଇ ଯାଚିକାକର୍ତ୍ତା ପରୱେଜ ଆରିଫ ଟିଟୁ ରାଜ୍ୟ ସରକାର ଜାରି କରିଥିବା ନୋଟିସଗୁଡିକୁ ବାତିଲ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କ୍ଲେମ ଟ୍ରିବ୍ୟୁନାଲ ଜରିଆରେ କ୍ଷୟକ୍ଷତିର ଆକଳନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ସରକାରୀ ଓ ଘରୋଇ ସମ୍ପତ୍ତି ବିନାଶ ବନାମ ଆନ୍ଧ୍ର ପ୍ରଦେଶ (୨୦୦୯) ଓ କୋଡୁଙ୍ଗାଲୁର ଫିଲ୍ମ ସୋସାଇଟି (୨୦୧୮) ମାମଲା ଦୁଇଟିର ରାୟରେ ନିର୍ଦ୍ଦେଶିକା ପ୍ରଦାନ କରାଯାଇଥିଲା । ତଦନୁଯାୟୀ କେବଳ ନ୍ୟାୟାଧିକାରୀଙ୍କୁ କ୍ଲେମ ଟ୍ରିବ୍ୟନାଲର ଦାୟିତ୍ୱ ନ୍ୟସ୍ତ ହୋଇପାରିବ । ଏହି ନିର୍ଦ୍ଦେଶିକାକୁ ଅଣଦେଖା କରି ଉତ୍ତର ପ୍ରଦେଶ ସରକାର ଅତିରିକ୍ତ ଜିଲ୍ଲାପାଳ (ଏଡିଏମ)ମାନଙ୍କୁ ଏହି ଦାୟିତ୍ୱ ଅର୍ପଣ କରିଥିଲେ । ମହମ୍ମଦ ସୁଜାଉଦ୍ଦିନ ବନାମ ଉତ୍ତର ପ୍ରଦେଶ ରାଜ୍ୟ ସରକାର (୨୦୧୦) ମାମଲାରେ ଆଲାହାବାଦ ହାଇକୋର୍ଟଙ୍କ ପ୍ରଦତ୍ତ ରାୟ ଆଧାରରେ ବର୍ତ୍ତମାନ ଅଭିଯୁକ୍ତମାନଙ୍କୁ ନୋଟିସ ଜାରି କରାଯାଇଛି ବୋଲି ରାଜ୍ୟ ସରକାର ଯୁକ୍ତି ବାଢିଲେ । ଉଲ୍ଲେଖଯୋଗ୍ୟ ଯେ ୨୦୦୯ ମାମଲାରେ ସୁପ୍ରିମକୋର୍ଟ କ୍ଷୟକ୍ଷତି ଓ ଅଭିଯୁକ୍ତଙ୍କଠାରୁ ଅସୁଲ ପାଇଁ ସମ୍ପୃକ୍ତ ରାଜ୍ୟର ହାଇକୋର୍ଟକୁ ଦାୟିତ୍ୱ ନ୍ୟସ୍ତ କରିଥିଲେ ବି ସୁଜାଉଦ୍ଦିନ ମାମଲାରେ ଆଲାହାବାଦ ହାଇକୋର୍ଟ ରାଜ୍ୟ ସରକାର କ୍ଷତିପୂର୍ତ୍ତି ପାଇଁ ପ୍ରକ୍ରିୟା ନିର୍ଦ୍ଧାରଣ କରିବେ ବୋଲି ନିର୍ଦ୍ଦେଶିକା ପ୍ରଦାନ କରିଥିଲେ । ହାଇକୋର୍ଟଙ୍କ ଏହି ରାୟ ସୁପ୍ରିମକୋର୍ଟଙ୍କ ରାୟରେ ଥିବା ନିର୍ଦ୍ଦେଶିକାର ବିରୋଧାଚରଣ କରୁଥିବାରୁ ଏହାର ଗମ୍ଭୀର କୁପ୍ରଭାବ ଅନୁଭୂତ ହୋଇ ଆସୁଥିଲା । ହେଲେ ସରକାରମାନଙ୍କୁ ସୁହାଉଥିବାରୁ ଦୀର୍ଘ ଦିନ ଧରି ସେମାନେ ଏହି ତ୍ରୁଟିକୁ ସଂଶୋଧନ କରିବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ । ତା’ଛଡା ଏହି ସବୁ ନୋଟିସ ଡିସେମ୍ୱର ୨୦୧୯ରେ ଜାରି ହୋଇଥିଲା, ଯେତେବେଳେ ନୂଆ ଆଇନ ପ୍ରଣୟନ ହୋଇ ନ ଥିଲା ବୋଲି ସରକାରଙ୍କ ତରଫରୁ ମଧ୍ୟ ଯୁକ୍ତି ଉପସ୍ଥାପନ କରାଗଲା । ତେବେ ହାଇକୋର୍ଟଙ୍କ ଆଦେଶ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶିକାଠାରୁ ଉପରେ ହୋଇ ନ ଥିବାରୁ ଏଡିଏମଙ୍କୁ ଏହି ମାମଲାରେ ବିଚାରକ ଦାୟିତ୍ୱ ନ୍ୟସ୍ତ କରି ରାଜ୍ୟ ସରକାର ସୁପ୍ରିମକୋର୍ଟର ରାୟକୁ ଅବଜ୍ଞା କଲେ ବୋଲି ଅଦାଲତ ବିବେଚନା କଲେ । ଜୋରିମାନା ଆଦାୟ ପ୍ରକ୍ରିୟାରେ ତିନିଟି ପର୍ୟ୍ୟାୟ ଥାଏ । ପ୍ରଥମେ କ୍ଷୟକ୍ଷତିର ପରିମାଣ ଆକଳନ ହେବା ପରେ ସେହି କ୍ଷତିର ଭରଣା ପାଇଁ କେଉଁ ଅଭିଯୁକ୍ତଙ୍କଠାରୁ କେତେ ପରିମାଣର ଜୋରିମାନା ଆଦାୟ କରାଯିବ ତାହା ନିର୍ଦ୍ଧାରଣ କରାଯାଇଥାଏ । ଶେଷରେ ସମ୍ପୃକ୍ତ ଅଭିଯୁକ୍ତଙ୍କଠାରୁ ଜୋରିମାନା ଆଦାୟ ହୋଇଥାଏ । ଏଡିଏମ ଜଣେ ସରକାରୀ ଅଧିକାରୀ ହୋଇଥିବାରୁ ତାଙ୍କୁ ଏହି ଦାୟିତ୍ୱ ଅର୍ପଣର ଅର୍ଥ ହେଉଛି ସରକାରଙ୍କ ଦ୍ୱାରା ଉପରୋକ୍ତ ତିନିଟି ପର୍ୟ୍ୟାୟର କାର୍ୟ୍ୟ ନିଜ ନିୟନ୍ତ୍ରଣରେ ରଖି ଆଇନର ପ୍ରକ୍ରିୟାକୁ ତା’ ସ୍ୱାଭାବିକ ବାଟରେ ଯିବାରେ ବାଧା ସୃଷ୍ଟି କରିବା । ଅଭିଯୁକ୍ତଙ୍କ ସମ୍ପତ୍ତିଗୁଡିକୁ ଜବତ କରିବାକୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ ଲାଗି ନିଷ୍ପତ୍ତି ନେଇ ଉତ୍ତର ପ୍ରଦେଶ ସରକାର ବସ୍ତୁତଃ ଏକାଧାରରେ ଜଣେ ‘ଅଭିଯୋଗକାରୀ, ବିଚାରକ, ଦଣ୍ଡଦାତା’ ଭାବେ ଆଚରଣ କରିଛନ୍ତି ବୋଲି ସୁପ୍ରିମକୋର୍ଟ କଡା ଟିପ୍ପଣୀ ପ୍ରଦାନ କଲେ । ଜାରି ହୋଇଥିବା ନୋଟିସଗୁଡିକ ଅବୈଧ ହୋଇଥିବାରୁ ରାଜ୍ୟ ସରକାର ନିଜ ତରଫରୁ ସେଗୁଡିକୁ ପ୍ରତ୍ୟାହାର କରିବା ଆବଶ୍ୟକ, ଅନ୍ୟଥା ସୁପ୍ରିମକୋର୍ଟ ସେଗୁଡିକୁ ବାତିଲ କରିବେ ବୋଲି ସ୍ପଷ୍ଟ କରିଦେଲେ । ତା’ଛଡା ପ୍ରଣୀତ ନୂଆ ଆଇନର ପୃଷ୍ଠଭୂମିରେ ବିକ୍ଷୋଭକାରୀଙ୍କୁ ଜାରି ହୋଇଥିବା ନୋଟିସଗୁଡିକ ଆଉ କାର୍ଯ୍ୟକାରୀ  ହୋଇପାରିବ ନାହିଁ ବୋଲି ଏଥି ପୂର୍ବରୁ କୋର୍ଟ ଟିପ୍ପଣୀ ଦେଇ ସାରିଥିଲେ । ଅସୁଲ ନିମନ୍ତେ ଜାରି ହୋଇଥିବା ନୋଟିସଗୁଡିକୁ ପ୍ରତ୍ୟାହାର କରିବା ଲାଗି ଉତ୍ତର ପ୍ରଦେଶ ସରକାରଙ୍କୁ ଏକ ପ୍ରକାର ତାଗିଦ କରି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ, “ଆପଣ ଏହି ସବୁ ବିଜ୍ଞପ୍ତିକୁ ଗୋଟିଏ ଥର କଲମ ଚାଳନାରେ ପ୍ରତ୍ୟାହାର କରି ନେଇ ପାରିବେ । ୟୁପି ପରି ଏକ ବଡ ରାଜ୍ୟ ଲାଗି ୨୩୬ଟି ବିଜ୍ଞପ୍ତି ପ୍ରତ୍ୟାହାର କରିବା କିଛି ବଡ କଥା ନୁହେଁ । ଆପଣ ଯଦି ଏହା କରିବାକୁ ନ ଶୁଣନ୍ତି ତେବେ, ଫଳାଫଳର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇରହନ୍ତୁ । ଆମେ ଆପଣଙ୍କୁ ବତାଇ ଦେବୁ ସୁପ୍ରିମକୋର୍ଟଙ୍କ ରାୟକୁ କିପରି ପାଳନ କରାଯାଏ ।” ଫେବୃଆରୀ ୧୪ ଓ ୧୫, ୨୦୨୨ରେ ଉତ୍ତର ପ୍ରଦେଶ ସରକାର କେବଳ ୨୭୪ଟି ଯାକ ନୋଟିସ ପ୍ରତ୍ୟାହାର କରିନେଇ ଫେବୃଆରୀ ୧୮ରେ ଅଦାଲତଙ୍କୁ ଜଣାଇଲେ ତାହା ନୁହେଁ, ଏଣିକି ସେହି ଅଭିଯୋଗର ଫାଇଲଗୁଡିକୁ ବିଚାର ନିମନ୍ତେ ନୂତନ ଭାବେ ଗଠିତ କ୍ଲେମ ଟ୍ରିବ୍ୟୁନାଲଙ୍କ ନିକଟକୁ ପଠାଇ ଦିଆଯିବ ବୋଲି ସୂଚନା ପ୍ରଦାନ କଲେ । ଏହା ସତ୍ତ୍ୱେ ପୂର୍ବ କାର୍ୟ୍ୟାନୁଷ୍ଠାନ ଅନୁଯାୟୀ ଆଦାୟ ହୋଇଥିବା ଜୋରିମାନା ଓ ଜବତ ହୋଇଥିବା ସମ୍ପତ୍ତିକୁ କ୍ଲେମ ଟ୍ରିବ୍ୟୁନାଲଙ୍କ ଚୂଡାନ୍ତ ରାୟ ପ୍ରକାଶ ପର୍ୟ୍ୟନ୍ତ ଅଭିଯୁକ୍ତଙ୍କୁ ନ ଫେରାଇବା ଲାଗି ସରକାର ଆବେଦନ କରିଥିଲେ ବି ସୁପ୍ରିମକୋର୍ଟ ତାହା ଗ୍ରହଣ କରି ନ ଥିଲେ । ସୁପ୍ରିମକୋର୍ଟଙ୍କ ଅନୁଯାୟୀ କାରଣ ଦର୍ଶାଅ ନୋଟିସ ପାଇଁ ଦିଆଯାଇଥିବା ଆଦେଶ ସରକାରଙ୍କ ଦ୍ୱାରା ପ୍ରତ୍ୟାହାର କରି ନିଆ ଯାଇଥିବାରୁ ଏକ ଅବୈଧ ଆଦେଶ ବଳରେ ଆଦାୟ ହୋଇଥିବା ସମସ୍ତ ଜୋରିମାନା ଓ ଜବତ ହୋଇଥିବା ସମ୍ପତ୍ତି ସରକାରଙ୍କୁ ତତ୍କାଳ ଫେରାଇବାକୁ ହେବ । ସମ୍ପତ୍ତି ଜବତ ହେବା ପରେ ସରକାରଙ୍କ ଦ୍ୱାରା ଜବତ ଆଦେଶ ପ୍ରତ୍ୟାହାର ହୋଇଗଲେ ଜବତ ହୋଇଥିବା ସମ୍ପତ୍ତି ଆଉ ସରକାରଙ୍କ ନିକଟରେ ପଡି ରହିବାର କୌଣସି ଯୌକ୍ତିକତା ରହି ନ ଥାଏ । ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଉଥିବା ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟଙ୍କ ପୂର୍ବ ଆଦେଶର ଆତ୍ମା, ଏହି ଆଦେଶ ଦ୍ୱାରା ପ୍ରତିହତ ହେଉଛି ଓ ଏହା ଫଳରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କଠୋର କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯାଇ ପାରିବନି ବୋଲି ଭୁଲ ବାର୍ତ୍ତାଟିଏ ପ୍ରସାରିତ ହୋଇପାରେ ବୋଲି ଅତିରିକ୍ତ ଆଡଭୋକେଟ ଜେନେରାଲଙ୍କ ଯୁକ୍ତି ରଖିଲେ । ଏହାକୁ ଖଣ୍ଡନ କରି କୋର୍ଟ ସୂଚାଇଥିଲେ ଯେ ଆଇନର ପରିସର ମଧ୍ୟରେ ରହି ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ ହେବା ବିଧେୟ । ତେଣୁ ନୂଆ ଆଇନକୁ ଆଧାର କରି ସରକାର କ୍ଲେମ ଟ୍ରିବ୍ୟୁନାଲ ଜରିଆରେ କ୍ଷତିପୂର୍ତ୍ତି ଲାଗି ପଦକ୍ଷେପ ନେବାରେ କୌଣସି ଅସୁବିଧା ନାହିଁ । ଏପରିକି ଦୋଷୀ ସାବ୍ୟସ୍ତ ହେଲେ ସରକାର ଅଭିଯୁକ୍ତଙ୍କଠାରୁ ଅଧିକ ପରିମାଣର କ୍ଷତିପୂରଣ ରାଶି ମଧ୍ୟ ଆଦାୟ କରିପାରିବେ । ଅଧିକନ୍ତୁ, ନିର୍ବାଚନ ପ୍ରକ୍ରିୟା ଜାରି ଥାଇ ଆଦର୍ଶ ଆଚରଣ ବିଧି ଲାଗୁ ରହିଥିଲେ ବି ତାହା କୋର୍ଟ ଆଦେଶକୁ କାର୍ୟ୍ୟକାରୀ କରିବାରେ ବାଧକ ସାଜୁ ନ ଥିବାରୁ ଆଦାୟ ହୋଇଥିବା ଜୋରିମାନା ରାଶି ମଧ୍ୟ ତୁରନ୍ତ ଫେରାଇବାରେ କୌଣସି ଅସୁବିଧା ନାହିଁ । 

ଶାନ୍ତିପୂର୍ଣ୍ଣ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ସମ୍ୱିଧାନ ଅନୁମୋଦିତ ହୋଇଥିଲା ବେଳେ ହଡତାଳ, ବନ୍ଦ, ବିକ୍ଷୋଭ ଆଦି ସମୟରେ କୌଣସି ପ୍ରକାର ହିଂସା ଆଚରଣ ଆଦୌ ସ୍ପୃହଣୀୟ ବା ଗ୍ରହଣୀୟ ନୁହେଁ । ରାଜନୈତିକ ଓ ଅନ୍ୟାନ୍ୟ ବିକ୍ଷୋଭ ସମୟରେ ସରକାରୀ ଓ ଘରୋଇ ସମ୍ପତ୍ତିର କ୍ଷୟକ୍ଷତିକୁ ରୋକିବା ଲାଗି ଏକ କଡା ଆଇନର ଆବଶ୍ୟକତା ରହିଛି ବୋଲି ୨୦୦୭ରୁ ସୁପ୍ରିମକୋର୍ଟ ଗୁରୁତ୍ୱ ପ୍ରଦାନ କରିସାରିଛନ୍ତି । ତେବେ ଉପରୋକ୍ତ ରାୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆଇନର ସଠିକ ଅନୁପାଳନ ନ କରି ସରକାର ପ୍ରତିଶୋଧପରାୟଣ ହୋଇ ଅଥବା ଅନ୍ୟ କାରଣବଶତଃ କୌଣସି ଦଣ୍ଡ ବିଧାନ କରିବା ଲାଗି ଉଦ୍ୟତ ହେବା ସମ୍ପୂର୍ଣ୍ଣ ରୂପେ ଅଗଣତାନ୍ତ୍ରିକ । ସରକାର ନିଜେ ନିଜକୁ ‘ଅଭିଯୋଗକାରୀ, ବିଚାରକ ଓ ଦଣ୍ଡଦାତା’ର ଭୂମିକାରେ ଅବସ୍ଥାପିତ କରି ମନ ଇଚ୍ଛା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ । ଭବିଷ୍ୟତରେ ଅନୁରୂପ ଢଙ୍ଗରେ ବେଆଇନ ଭାବେ ନାଗରିକଙ୍କୁ ଦଣ୍ଡିତ କରିବା ପାଇଁ ସରକାର ଉଦ୍ୟତ ହେଲେ ବା ତହିଁର ଅପଚେଷ୍ଟା କଲେ ଅଦାଲତଙ୍କ ଏହି ରାୟ ତା’ ଉପରେ ଅଙ୍କୁଶ ଲଗାଇବାକୁ ସମର୍ଥ ହୋଇପାରେ ।

(Published in Odisha  Reporter on March 3, 2022)

Comments

  1. Good article which focused on attitude of implenting authorities. Although it didn't indulge in political partiality, it certainly pointed out systemic failure or overactive implementation of norms violation of which caused social unrest.
    Laws, in general, are framed by criminally charged persons who are either tried or unconvicted persons with social/political clout.
    Judges are not saints who pass verdicts sometimes due to political compulsions also seek favours from powers that be. Top echeleons in judiciary often reach there due to their clout along corridors of powers.
    Officials who implement law and order, judiciary & other wings are human beings. They are bound to commit mistakes. If they are found over enthusiastic, they are blamed for trangressing limits. If they act judiciously they are blamed to be lethargic.
    Basic point is destruction of property, loss of mandays and working days, loss of production affecting general life and national economy. We are looking at procedural mistakes or errors in implementation. No one can put into practice laws with perfection and authority in this country so long as legislature, executive and judiciary are corrupt.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍