Skip to main content

ଓଡିଶା ଚାଷୀଙ୍କ ଦୟନୀୟ ସ୍ଥିତି

ଭାରତ ସରକାରଙ୍କ ଜାତୀୟ ପରିସଂଖ୍ୟାନ ସଂସ୍ଥା (ଏନଏସଓ) ଦ୍ୱାରା ଦେଶରେ କୃଷକ ପରିବାରଙ୍କ ସ୍ଥିତିକୁ ଜାଣିବା ପାଇଁ ଜୁଲାଇ ୨୦୧୮ରୁ ଜୁନ ୨୦୧୯ ମଧ୍ୟରେ ହୋଇଥିବା ୭୭ତମ ସର୍ଭେର ୪୨୬୪ ପୃଷ୍ଠା ବିଶିଷ୍ଟ ରିପୋର୍ଟଟି ସେପ୍ଟେମ୍ୱର ୨୦୨୧ରେ ପ୍ରକାଶିତ ହୋଇଛି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ ହେବ ବୋଲି ୨୦୧୬ରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ତେଣୁ, ଇତିମଧ୍ୟରେ ଚାଷୀଙ୍କ ଆୟ ପ୍ରକୃତରେ କେତେ ବଢିଛି ତାହା ଜାଣିବା ଲାଗି ଏହି ରିପୋର୍ଟଟିର ଗୁରୁତ୍ୱ ଯଥେଷ୍ଟ ଅଧିକ । ଓଡିଶାର ଚାଷୀ ଜାତୀୟ ସ୍ତରର ଚାଷୀଙ୍କ ସହ ତାଳ ଦେଇ ଚାଲିଛନ୍ତି କି ନାହିଁ ; ତାହା ଜାଣିବା ପାଇଁ ଏହା ସହାୟକ ହେବ ।

ସର୍ଭେ ଅନୁଯାୟୀ ଭାରତରେ ପ୍ରାୟ ୯.୩୦ କୋଟି କୃଷକ ପରିବାର ବସବାସ କରନ୍ତି, ଯାହା ଗ୍ରାମାଞ୍ଚଳର ପରିବାର ସଂଖ୍ୟାର ପ୍ରାୟ ୫୪ ପ୍ରତିଶତ । ସେହି ପରିବାରକୁ କୃଷକ ପରିବାର ରୂପେ ଗ୍ରହଣ କରାଯାଇଛି ଯେଉଁମାନେ ଫସଲ ଚାଷ, ଉଦ୍ୟାନ ଚାଷ, ଘାସ ଚାଷ, ବୃକ୍ଷରୋପଣ, ପଶୁପାଳନ, କୁକୁଡା, ମତ୍ସ୍ୟ, ଘୁଷୁରି, ମହୁମାଛି, ଜିଆଚାଷ, ରେଶମ ଚାଷ ଭଳି ଯେ କୌଣସି କୃଷି କର୍ମ କରି ଉତ୍ପାଦିତ ସାମଗ୍ରୀରୁ ଅନ୍ତତଃ ୪୦୦୦ ଟଙ୍କା ପାଇଥିଲେ ଓ ସେହି ପରିବାରର ଅନ୍ତତଃ ଜଣେ ସଦସ୍ୟ ପୂର୍ବ ବର୍ଷକ ମଧ୍ୟରେ ମୁଖ୍ୟ ବା ସହାୟକ କୃଷି କାର୍ଯ୍ୟରେ ନିୟୋଜିତ ଥିଲେ । ପୂରାପୂରି କୃଷି ଶ୍ରମ ନିର୍ଭର, ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀ, ଗ୍ରାମ୍ୟ କାରିଗର ଓ କୃଷି ସେବା ଯୋଗାଉଥିବା ପରିବାରଗୁଡିକୁ କୃଷକ ପରିବାର ଭାବେ ଗ୍ରହଣ କରା ଯାଇନାହିଁ । ଜାତୀୟ ସ୍ତରରେ ୨୦୧୨-୧୩ରେ ଗୋଟିଏ କୃଷକ ପରିବାରର ହାରାହାରି ମାସିକ ଆୟ ୬୪୨୬ ଟଙ୍କା ଥିଲା ବେଳେ ୨୦୧୮-୧୯ରେ ତାହା ବୃଦ୍ଧି ପାଇ ୧୦୨୧୮ ଟଙ୍କା ହେଲା । ଏହି ଆୟରୁ ୪୦୬୩ ଟଙ୍କା ମଜୁରି ଆକାରରେ ମିଳିଥିଲା ବେଳେ, ଜମି ଭଡାରୁ ୧୩୪ ଟଙ୍କା, ଫସଲ ଚାଷରୁ ୩୭୯୮ ଟଙ୍କା, ପଶୁପାଳନରୁ ୧୫୮୨ ଟଙ୍କା ଓ ଅଣକୃଷି କ୍ଷେତ୍ରରୁ ୬୪୧ ଟଙ୍କା ମିଳିଥିଲା । ଗୋଟିଏ ଚାଷୀ ପରିବାର ଚାଷ କରି ଯେତିକି ଟଙ୍କା ଆୟ କରିଥିଲା, ତା’ଠାରୁ ଅଧିକ ଟଙ୍କା ମଜୁରିରୁ ପାଇଥିଲା । ୨୦୧୨-୧୩ରେ ଚାଷୀ ପରିବାରଟିଏ ଫସଲ ଚାଷ କରି ମାସିକ ହାରାହାରି ୩୦୮୧ ଟଙ୍କା ପାଉଥିଲା, ଯାହା ଏହି ଛଅ ବର୍ଷ ଭିତରେ ମାତ୍ର ୭୧୭ଟଙ୍କା ବଢିଛି । ଅନ୍ୟ ପକ୍ଷରେ ମଜୁରି ବାବଦ ମିଳୁଥିବା ୨୦୭୧ ଟଙ୍କା ପ୍ରାୟ ଦୁଇ ଗୁଣ ବଢିଛି । ଅର୍ଥାତ୍ ସେମାନେ କ୍ରମଶଃ କୃଷକରୁ କୃଷି ଶ୍ରମିକ ବା ଶ୍ରମିକ ହେବା ଦିଗରେ ଅଗ୍ରସର ହେଉଛନ୍ତି । ସେହିପରି ପଶୁପାଳନରୁ ଆୟ ୭୬୩ ଟଙ୍କାରୁ ବଢି ଦୁଇ ଗୁଣ ହୋଇଛି । ୨୦୧୬ରେ ପ୍ରଧାନମନ୍ତ୍ରୀ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣ କରାଯିବ ବୋଲି ଘୋଷଣା କଲା ପରେ ୨୦୧୫-୧୬ରେ ଚାଷୀଙ୍କ ଆୟ ୯୬୭୦୩ ଟଙ୍କାକୁ ଆଧାର କରି ଛଅ ବର୍ଷ ମଧ୍ୟରେ ତାକୁ ୨୧୯୭୨୪ ଟଙ୍କାରେ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ ହେଲା । ୨୦୧୮-୧୯ ସୁଦ୍ଧା ଅଧା ସମୟ ବିତି ଯାଇଥିଲେ ବି ବାର୍ଷିକ ଆୟ ମାତ୍ର ୧୨୨୬୧୬ ଟଙ୍କାରେ ପହଞ୍ଚି ପାରିଛି, ଅର୍ଥାତ୍ ୩ ବର୍ଷ ମଧ୍ୟରେ ବଢିଛି ମାତ୍ର ୨୫୯୧୩ ଟଙ୍କା । ତେଣୁ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଆଉ ପ୍ରାୟ ୧ ଲକ୍ଷ ଟଙ୍କା ବଢି ଦୁଇ ଗୁଣ ହେବାର ସାମାନ୍ୟତମ ସମ୍ଭାବନା ପରିଲକ୍ଷିତ ହେଉନାହିଁ । 

ଜାତୀୟ ସ୍ତରରେ ବିଭିନ୍ନ ରାଜ୍ୟର ଚାଷୀ ପରିବାରଙ୍କ ଆୟକୁ ଅନୁଧ୍ୟାନ କଲେ ଜଣା ପଡେ ଯେ ଝାରଖଣ୍ଡରେ ହାରାହାରି ମାସିକ ଆୟ ସର୍ବନିମ୍ନ ୪୮୯୫ ଟଙ୍କା ହୋଇଥିଲା ବେଳେ ମେଘାଳୟ ଚାଷୀ ପରିବାରଙ୍କ ଆୟ ସର୍ବାଧିକ ୨୯୩୪୮ ଟଙ୍କା । ପଞ୍ଜାବ ଓ ହରିଆଣାର ଚାଷୀ ପରିବାରର ହାରାହାରି ମାସିକ ଆୟ ଯଥାକ୍ରମେ ୨୬୭୦୧ ଟଙ୍କା ଓ ୨୨୮୪୧ ଟଙ୍କା ଥିଲା । ୧୮ଟି ରାଜ୍ୟରେ ଚାଷୀ ପରିବାରଙ୍କ ହାରାହାରି ମାସିକ ଆୟ ଜାତୀୟ ହାରାହାରି ଆୟଠାରୁ ଅଧିକ । ସେଗୁଡିକ ହେଲେ (ଉପରୋକ୍ତ ୩ଟି ରାଜ୍ୟକୁ ବାଦ ଦେଇ) ଅରୁଣାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର, ମିଜୋରାମ, କେରଳ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ଗୁଜରାଟ, ରାଜସ୍ଥାନ, ସିକ୍କିମ, ହିମାଚଳ ପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ମଣିପୁର, ଆସାମ ଓ ଆନ୍ଧ୍ର ପ୍ରଦେଶ ।  ସେହିପରି ଜାତୀୟ ସ୍ତରଠାରୁ କମ ଆୟକାରୀ ରାଜ୍ୟ ତାଲିକାରେ ଓଡିଶା, ପଶ୍ଚିମବଙ୍ଗ, ବିହାର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ, ନାଗାଲାଣ୍ଡ, ତ୍ରିପୁରା ଅଛନ୍ତି ।

ଓଡିଶାରେ କୃଷକ ପରିବାରଙ୍କ ସଂଖ୍ୟା ୪୮.୧୫ ଲକ୍ଷ, ଯାହା ଗ୍ରାମାଞ୍ଚଳର ସମୁଦାୟ ପରିବାର ସଂଖ୍ୟାର ପ୍ରାୟ ୫୯ ପ୍ରତିଶତ । ଏଠାକାର ୧୩ ପ୍ରତିଶତ ଜମିହୀନ ପରିବାରଙ୍କୁ ବାଦ ଦେଲେ ଅନ୍ୟ ପରିବାରଙ୍କ ନିକଟରେ ହାରାହାରି ୧.୦୮ ଏକର ଚାଷଜମି ରହିଛି, ଯାହା ଜାତୀୟ ସ୍ତରରେ ଥିବା ୧.୩୯ ଏକର ଅପେକ୍ଷା ୨୨ ପ୍ରତିଶତ ଊଣା । ଓଡିଶା ଚାଷୀ ପରିବାରର ହାରାହାରି ମାସିକ ଆୟ ୨୦୧୨-୧୩ର ୪୯୭୬ ଟଙ୍କାରୁ ମାତ୍ର ୧୩୬ ଟଙ୍କା ବଢି ୨୦୧୮-୧୯ରେ ୫୧୧୨ ଟଙ୍କା ହୋଇଥିଲେ ବି ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ ତାହା ଯଥେଷ୍ଟ କମିଛି । ଅର୍ଥାତ୍, ଏହି ଛଅ ବର୍ଷରେ ଜାତୀୟ ସ୍ତରରେ ଚାଷୀ ପରିବାରର ଆୟରେ ବାର୍ଷିକ ୮ ପ୍ରତିଶତ ବୃଦ୍ଧି ହୋଇଥିଲେ ବି ଓଡିଶା ଚାଷୀ ପରିବାରର ଆୟରେ କୌଣସି ବୃଦ୍ଧି ନ ହେବା ଅତ୍ୟନ୍ତ ଉଦବେଗଜନକ । ଓଡିଶା ଚାଷୀ ପରିବାର ତୁଳନାରେ ମେଘାଳୟ, ପଞ୍ଜାବର ଚାଷୀ ପରିବାରର ଆୟ ପ୍ରାୟ ୫-୬ ଗୁଣ ଅଧିକ । କେବଳ ଝାରଖଣ୍ଡକୁ ବାଦ ଦେଲେ ଦେଶରେ ଅନ୍ୟ କୌଣସି ରାଜ୍ୟର ଚାଷୀ ପରିବାରଙ୍କ ଆୟ ଏତେ କମ ନୁହେଁ । ଏହା ଜାତୀୟ ହାରାହାରି ମାସିକ ଆୟର ମାତ୍ର ୫୦ ପ୍ରତିଶତ । ଏହାର ଏକ ବଡ କାରଣ ଓଡିଶାରେ ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ହାରାହାରି ମାସିକ ଆୟ ଯଥାକ୍ରମେ ୪୫୨୮ ଓ ୪୯୫୯ ଟଙ୍କା, ଯାହା କି ଜାତୀୟ ସ୍ତରରେ ଯଥାକ୍ରମେ ୮୫୭୧ ଓ ୧୧୪୪୯ ଟଙ୍କା । ଓଡିଶା ଚାଷୀ ପରିବାରର ଆୟରୁ ୨୬୪୯ ଟଙ୍କା ବା ଅଧାରୁ ଅଧିକ ମଜୁରି ଆକାରରେ ଆସିଥିବା ବେଳେ ଫସଲ ଚାଷରୁ ମାତ୍ର ୧୫୬୯ ଟଙ୍କା ମିଳିଥିଲା । ସେହିପରି ଜମି ଭଡାରୁ ୨୯ ଟଙ୍କା, ପଶୁପାଳନରୁ ୪୧୬ ଟଙ୍କା ଓ ଅଣ କୃଷି କାର୍ଯ୍ୟରୁ ୪୪୯ ଟଙ୍କା ମିଳିଥିଲା । ଜାତୀୟ ସ୍ତରରେ ଚାଷୀ ପରିବାରଟିଏ ଫସଲ ଚାଷରୁ ଯେତିକି ଆୟ କରି ପାରିଥିଲା, ଓଡିଶା ଚାଷୀଟିଏ ତା’ର ଅଧା ଆୟ ବି କରି ପାରିନାହିଁ ।

ଓଡିଶାର ଚାଷୀ ପରିବାରଙ୍କ ମଧ୍ୟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ଅନ୍ୟ ବର୍ଗର ଚାଷୀ ପରିବାରଙ୍କ ପ୍ରତିଶତ ଯଥାକ୍ରମେ ୧୮, ୨୭, ୩୭ ଓ ୧୮ । ଜାତୀୟ ସ୍ତର ଅପେକ୍ଷା ଓଡିଶାରେ ଅନୁସୂଚିତ ଜାତି ଓ ଜନଜାତି ଚାଷୀ ପରିବାର ପ୍ରାୟ ୧୧ ପ୍ରତିଶତ ଅଧିକ । ଓଡିଶାର ବିଭିନ୍ନ ସାମାଜିକ ବର୍ଗର ଚାଷୀ ପରିବାରଙ୍କ ଆୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ୨୦୧୮-୧୯ରେ ଅନୁସୂଚିତ ଜାତି ଚାଷୀ ପରିବାରଙ୍କ ହାରାହାରି ମାସିକ ଆୟ ୪୬୨୨ ଟଙ୍କା ଥିଲା ବେଳେ ଅନୁସୂଚିତ ଜନଜାତିଙ୍କ କ୍ଷେତ୍ରରେ ତାହା ୪୯୪୫ ଟଙ୍କା ଥିଲା । ସେହିପରି ପଛୁଆବର୍ଗ ଓ ଅନ୍ୟ ବର୍ଗର ହାରାହାରି ମାସିକ ଆୟ ଯଥାକ୍ରମେ ୫୦୦୯ ଟଙ୍କା ଓ ୬୦୫୬ ଟଙ୍କା ଥିଲା । ଅର୍ଥାତ୍ ବିଭିନ୍ନ ସାମାଜିକ ବର୍ଗର ଚାଷୀ ପରିବାରଙ୍କ ଆୟରେ ଖୁବ ବେଶି ତାରତମ୍ୟ ନ ଥିଲେ ବି ଅନୁସୂଚିତ ଜାତି ଓ ଅନ୍ୟ ବର୍ଗର ଚାଷୀ ପରିବାରଙ୍କ ମାସିକ ଆୟରେ ପ୍ରାୟ ୧୪୦୦ ଟଙ୍କାର ତଫାତ୍ ଥିଲା । ଅନ୍ୟ ବର୍ଗର ଏହି ବର୍ଦ୍ଧିତ ଉପାର୍ଜନ ମୁଖ୍ୟତଃ ଫସଲ ଚାଷ ଓ ଅଣକୃଷି କ୍ଷେତ୍ରରେ ଅଧିକ ଆୟରୁ ହୋଇଥିଲା । ବିଭିନ୍ନ ବର୍ଗ ମଧ୍ୟରେ ଥିବା ଆୟର ଏହି ଫରକକୁ ଦୂର କରାଯାଇ ପାରିଲେ ରାଜ୍ୟରେ ଚାଷୀଙ୍କ ହାରାହାରି ମାସିକ ଆୟ ପ୍ରାୟ ୧୦୦୦ ଟଙ୍କା ବୃଦ୍ଧି ପାଇବ ।  

ଜାତୀୟ ସ୍ତରରେ ୨୦୧୮-୧୯ରେ ଚାଷୀ ପରିବାର ପିଛା ହାରାହାରି ଋଣ ଭାର ଥିଲା ୭୪୧୨୧ ଟଙ୍କା । ଆନ୍ଧ୍ର ପ୍ରଦେଶ ଚାଷୀ ପରିବାରଙ୍କ ହାରାହାରି ଋଣ ପରିମାଣ ସର୍ବାଧିକ ୨.୪୬ ଲକ୍ଷ ଟଙ୍କା ହୋଇଥିବା ବେଳେ କେରଳ, ପଞ୍ଜାବ ଓ ହରିଆଣାରେ ତାହା ଯଥାକ୍ରମେ ୨.୪୨, ୨.୦୩ ଓ ୧.୮୩ ଲକ୍ଷ ଟଙ୍କା । ସର୍ବାଧିକ ଆୟକାରୀ ମେଘାଳୟ ଚାଷୀ ପରିବାରର ହାରାହାରି ଋଣ ଭାର ମାତ୍ର ୨୨୩୭ ଟଙ୍କା ଥିଲା ବେଳେ ଅରୁଣାଚଳରେ ତାହା ମାତ୍ର ୩୫୮୧ ଟଙ୍କା । ଅର୍ଥାତ୍ ଚାଷ ପାଇଁ ଋଣ ଏକ ଆବଶ୍ୟକ ଉପାଦାନ ହୋଇଥିଲେ ବି ହାରାହାରି ଆୟ ବୃଦ୍ଧି ସହ ଏହାର ସିଧାସଳଖ ସମ୍ପର୍କ ଥିଲା ପରି ଜଣାପଡୁ ନାହିଁ । ୨୦୧୮-୧୯ରେ ଓଡିଶା ଚାଷୀ ପରିବାର ଉପରେ ହାରାହାରି ଋଣଭାର ୩୨୭୨୧ ଟଙ୍କା ଥିଲା, ଯାହା ୨୦୧୨-୧୩ରେ ଥିବା ୨୮୨୦୦ ଟଙ୍କା ଅପେକ୍ଷା ପ୍ରାୟ ୪୫୦୦ ଟଙ୍କା ଅଧିକ । ଚିନ୍ତାର କାରଣ ହେଉଛି ଜାତୀୟ ସ୍ତରରେ ମାତ୍ର ୫୦ ପ୍ରତିଶତ ଚାଷୀ ପରିବାର ଋଣଗ୍ରସ୍ତ ହୋଇଥିଲା ବେଳେ ଓଡିଶାରେ ଚାଷୀ ପରିବାରଙ୍କ ମଧ୍ୟରୁ ୬୧.୨ ପ୍ରତିଶତ ଋଣଗ୍ରସ୍ତ, ଯାହା ୨୦୧୨-୧୩ରେ ୫୭.୫ ପ୍ରତିଶତ ଥିଲା । କେବଳ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ, ତାମିଲନାଡୁ ରାଜ୍ୟକୁ ବାଦ ଦେଲେ ଅନ୍ୟ କେଉଁ ରାଜ୍ୟରେ ଓଡିଶା ଭଳି ଏତେ ଅଧିକ ପ୍ରତିଶତ କୃଷି ପରିବାର ଋଣଗ୍ରସ୍ତ ନୁହନ୍ତି । ଅଧିକ ଋଣଗ୍ରସ୍ତ ହୋଇ ଆୟ ସର୍ବନିମ୍ନ ସ୍ତରରେ ରହିବାର ଅର୍ଥ, ଋଣ ରାଶି ଉତ୍ପାଦନ ଅଭିମୁଖୀ କାର୍ଯ୍ୟରେ ବିନିଯୋଗ ନ ହୋଇ ଉପଭୋଗ ବା ଜରୁରିକାଳୀନ ଉଦ୍ଦେଶ୍ୟରେ ବିନିଯୋଗ ହେବା । ଉଦବେଗର ବିଷୟ ଯେ ଏହି ଋଣରୁ ୩୭.୫ ପ୍ରତିଶତ ମହାଜନଙ୍କ ଭଳି ଅଣଆନୁଷ୍ଠାନିକ ସୂତ୍ରରୁ ନିଆଯାଇଛି, ଯେଉଁମାନେ ସାଧାରଣତଃ ଅତ୍ୟଧିକ ସୁଧ ଆଦାୟ କରିଥାଆନ୍ତି । ଫଳରେ ଅନ୍ତତଃ ପକ୍ଷେ ମାସକର ବା ଦୁଇ ମାସର ଆୟ ସୁଧ ବାବଦକୁ ବ୍ୟୟ ହୋଇ ପରିବାରଟି କ୍ରମଶଃ ଆର୍ଥିକ ଦୁଃସ୍ଥିତି ଭିତରକୁ ଅଧିକ ଠେଲି ହୋଇଯିବା ସ୍ୱାଭାବିକ ।

ଭାରତରେ ଚାଷୀଙ୍କ ସ୍ଥିତି ଅନ୍ୟ ବୃତ୍ତିଧାରୀଙ୍କ ତୁଳନାରେ ଭଲ ନୁହେଁ । ତେବେ ଅନ୍ୟ ରାଜ୍ୟର ଚାଷୀଙ୍କ ତୁଳନାରେ ଓଡିଶାରେ ଚାଷୀଙ୍କ ସ୍ଥିତି ଅଧିକ ଦୟନୀୟ । ବିଡମ୍ୱନାର ବିଷୟ ଯେ ଏହା ସତ୍ତ୍ୱେ ଅନ୍ୟ ରାଜ୍ୟର ଚାଷୀଙ୍କ ପରି ନିଜ ସମସ୍ୟାକୁ ସର୍ବସମକ୍ଷରେ ଉପସ୍ଥାପନ କରିବାରେ ସେ ସେପରି ମୁଖର ନୁହେଁ । ଏକ ପକ୍ଷରେ ଏଠାକାର ଚାଷୀ ପରିବାରର ଆୟ ଦେଶର ଦ୍ୱିତୀୟ ସର୍ବନିମ୍ନ ସ୍ତରରେ ଥିବା ବେଳେ ଋଣଗ୍ରସ୍ତ ଚାଷୀ ପରିବାରଙ୍କ ହାର ଦୃଷ୍ଟିରୁ ଏହା ଉପର ଆଡୁ ଷଷ୍ଠ ସ୍ଥାନରେ ଅଛି । ଆୟ ଦୃଷ୍ଟିରୁ ସବା ତଳେ ଥିବା ଝାରଖଣ୍ଡ ରାଜ୍ୟର ଚାଷୀ ପରିବାରର ମାସିକ ଆୟ ଓଡିଶା ଚାଷୀଙ୍କ ଅପେକ୍ଷା ମାତ୍ର ୨୧୭ ଟଙ୍କା କମ ହୋଇଥିଲେ ବି ଓଡିଶାର ଚାଷୀ ପରିବାର ସେମାନଙ୍କଠାରୁ ୪ ଗୁଣ ଅଧିକ ଋଣଗ୍ରସ୍ତ । ଋଣର ସୁବିନିଯୋଗକୁ ସୁନିଶ୍ଚିତ ନ କରି ସେମାନଙ୍କୁ ଅବିଚାରିତ ଭାବେ ଋଣ ପ୍ରଦାନ କରାଯିବା ଦ୍ୱାରା ସେମାନେ ଅଧିକ ଋଣଗ୍ରସ୍ତ ହେଉଛନ୍ତି, ହେଲେ ତାହା ସେମାନଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ସହାୟକ ହେଉନାହିଁ । ଏ ପରିସ୍ଥିତିରେ ଓଡିଶାର ଚାଷୀ ପରିବାରର ଆୟ ୨୦୨୨ ସୁଦ୍ଧା ବାର୍ଷିକ ୧.୫ ଲକ୍ଷ  ଟଙ୍କା ବା ମାସିକ ୧୨୫୦୦ ଟଙ୍କାରେ ବି ପହଞ୍ଚିବା କଥା ଭାବିବା ଦିବାସ୍ୱପ୍ନ ସଦୃଶ । ତେଣୁ ରାଜ୍ୟ ସରକାର ଚାଷୀଙ୍କ ଦୟନୀୟ ସ୍ଥିତିକୁ ହୃଦୟଙ୍ଗମ କରି ଆନ୍ତରିକତା ପ୍ରଦର୍ଶନ ପୂର୍ବକ ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଚାଷୀ ପରିବାରର ଆୟକୁ ଅନ୍ତତଃ ଜାତୀୟ ହାରାହାରି ଆୟର ସମକକ୍ଷ କରିପାରିଲେ ବି ଏକ ବଡ ଉପଲବ୍ଧି ହେବ । ଫସଲ ଚାଷରୁ ଆୟ ଆକର୍ଷଣୀୟ ଭାବେ ବୃଦ୍ଧି ପାଉ ନ ଥିବାରୁ ଅନ୍ୟ ସୂତ୍ରରୁ ଚାଷୀଙ୍କ ରୋଜଗାର ବଢାଇବା ଲାଗି ଉଦ୍ୟମ ହେବା ଆବଶ୍ୟକ । ଅନ୍ୟ ପକ୍ଷରେ ଚାଷୀ ପରିବାରଗୁଡିକୁ ଋଣ ଯନ୍ତା କବଳରୁ ରକ୍ଷା କରିବାକୁ ହେଲେ ରାଜ୍ୟରେ ବିଭିନ୍ନ ଋଣପ୍ରଦାନକାରୀ ସଂସ୍ଥାଙ୍କ ଅବିଚାରିତ ଋଣ ଲଗାଣ ଉପରେ ଲଗାମ କଷାଯିବା ଆବଶ୍ୟକ । ନ ହେଲେ ଭବିଷ୍ୟତରେ ସ୍ଥିତି ଅଧିକ ଭୟାବହ ହୋଇ ନିୟନ୍ତ୍ରଣ ବାହାରକୁ ଚାଲି ଯାଇପାରେ ।


Published in Sambad on September 21, 2021

 

Comments

  1. It is a nice article touching the farmers of Odisha compared to other states
    Where is the problem and what is remedial measures to be adopted.It needs Government immediate attention.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍