ଭାରତର ଋଣ ବୋଝ ଯଥେଷ୍ଟ ବୃଦ୍ଧି ପାଇ ଏବେ ଉଦବେଗଜନକ ସ୍ତରରେ ଆସି ପହଞ୍ଚିଲାଣି ବୋଲି କିଛି ଅର୍ଥନୀତିଜ୍ଞ ଓ ବିଦେଶୀ କ୍ରେଡିଟ ରେଟିଙ୍ଗ ସଂସ୍ଥା ମନେ କରନ୍ତି । ଦେଶର ଋଣ ବୋଝର ସୁଦୂର ପ୍ରସାରୀ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡୁଥିବାରୁ ଏ ନେଇ ବାସ୍ତବ ସ୍ଥିତି କେତେ ଦୂର ଚିନ୍ତାଜନକ ସେ ସମ୍ପର୍କରେ ସେମାନେ ଜାଣିବା ନିହାତି ଆବଶ୍ୟକ ।
ସରକାରୀ ଦେୟ ଦୁଇ ପ୍ରକାର - ଭାରତର କନସୋଲିଡେଟେଡ ଫଣ୍ଡକୁ ଦର୍ଶାଇ କରାଯାଉଥିବା ଋଣକୁ ସାର୍ବଜନିକ ଋଣ (ପବ୍ଲିକ ଡେଟ) ଓ ପବ୍ଲିକ ଆକାଉଣ୍ଟରେ ଥିବା ଦେୟକୁ ‘ଅନ୍ୟ ଦେୟ’ (ଅଦର ଲାଏବିଲିଟିଜ) କୁହା ଯାଇଥାଏ । ସାର୍ବଜନିକ ଋଣ ପୁଣି ଦୁଇ ଭାଗରେ ବିଭକ୍ତ – ବିଦେଶରୁ ନିଆ ଯାଉଥିବା ବାହ୍ୟ ଋଣ (ଏକସଟର୍ନାଲ ଡେଟ) ଓ ଦେଶ ଭିତରୁ ନିଆ ଯାଉଥିବା ଆଭ୍ୟନ୍ତରୀଣ ଋଣ (ଇଣ୍ଟର୍ନାଲ ଡେଟ) । ଭବିଷ୍ୟନିଧି ପାଣ୍ଠି, ରିଜର୍ଭ ପାଣ୍ଠି, ଜମା ଓ ଅନ୍ୟ ଆକାଉଣ୍ଟଗୁଡିକ ବାବଦରେ ଥିବା ସରକାରୀ ଦେୟ ‘ଅନ୍ୟ ଦେୟ’ ପର୍ଯ୍ୟାୟଭୁକ୍ତ ।
୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ସମୁଦାୟ ଋଣ ୧୨୧.୨୨ ଲକ୍ଷ କୋଟି ଟଙ୍କାରେ (ଆଭ୍ୟନ୍ତରୀଣ ଋଣ ଓ ଅନ୍ୟ ଦେୟ ୧୧୭.୩୯ ଲକ୍ଷ କୋଟି ଟଙ୍କା, ବାହ୍ୟ ଋଣ ୩.୮୩ ଲକ୍ଷ କୋଟି ଟଙ୍କା) ପହଞ୍ଚିଲା । ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୦୧୪ ସୁଦ୍ଧା କେନ୍ଦ୍ର ସରକାରଙ୍କ ସମୁଦାୟ ଋଣର ପରିମାଣ ଥିଲା ୫୦.୬୯ ଲକ୍ଷ କୋଟି ଟଙ୍କା । ଅର୍ଥାତ୍ ଏହି ୭ ବର୍ଷ ଭିତରେ କେନ୍ଦ୍ର ସରକାରଙ୍କ ସମୁଦାୟ ଋଣ ଦୁଇ ଗୁଣରୁ ଅଧିକ ହୋଇଗଲା । ମାର୍ଚ୍ଚ ୨୦୨୧ରେ କେନ୍ଦ୍ର ସରକାରଙ୍କ ଋଣ ବୋଝ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରତିଶତ ରୂପେ ପ୍ରଥମ ଥର ଲାଗି ୬୦.୫ ପ୍ରତିଶତ ହୋଇଗଲା, ଯାହା ପୂର୍ବ ବର୍ଷ ୫୧.୬ ପ୍ରତିଶତ ଥିଲା ।
ବିଦେଶରୁ ଅଣା ଯାଉଥିବା ବାହ୍ୟ ଋଣକୁ ପ୍ରାୟତଃ ଯେଉଁ ମୁଦ୍ରାରେ ଅଣା ଯାଇଥାଏ ସେହି ମୁଦ୍ରାରେ ପରିଶୋଧ କରିବାକୁ ହୋଇଥାଏ । ପୂର୍ବ ବର୍ଷ ତୁଳନାରେ ମାର୍ଚ୍ଚ ୨୦୨୧ ସୁଦ୍ଧା ଦେଶର ବାହ୍ୟ ଋଣ ପରିମାଣ ୧୧୫୦ କୋଟି ଡଲାର ବଢି ୫୭୦୦୦ କୋଟି ଡଲାରରେ ପହଞ୍ଚିଛି । ମାର୍ଚ୍ଚ ୨୦୧୪ରେ ଦେଶର ବାହ୍ୟ ଋଣର ପରିମାଣ ୪୪୦୬୦ କୋଟି ଡଲାର ଥିଲା । ଏହି ୭ ବର୍ଷ ମଧ୍ୟରେ ବାହ୍ୟ ଋଣର ପରିମାଣ ୧୨୯୪୦ କୋଟି ଡଲାର ବଢିଛି । ବାହ୍ୟ ଋଣ ଉଭୟ ଦୀର୍ଘ ମିଆଦି ଓ ସ୍ୱଳ୍ପ ମିଆଦି ହୋଇଥାଏ । ବାହ୍ୟ ବାଣିଜ୍ୟିକ ଉଧାର (ଇସିବି), ଆଇଏମଏଫ ଓ ଅନ୍ୟାନ୍ୟ ବିଶ୍ୱ ଆର୍ଥିକ ସଂସ୍ଥାଗୁଡିକଠାରୁ ଋଣ, ଘରୋଇ ବ୍ୟାଙ୍କ ନିକଟରୁ ଋଣ, ଏନଆରଆଇଙ୍କ ଜମା ଆଦି ଦୀର୍ଘ ମିଆଦି ଋଣ ହୋଇଥିବା ବେଳେ ବିଦେଶୀ ଆନୁଷ୍ଠାନିକ ନିବେଶକ (ଏଫଆଇଆଇ)ଙ୍କ ଦ୍ୱାରା ସରକାରୀ ଟ୍ରେଜେରି ବିଲରେ ନିବେଶ, ବିଦେଶୀ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ୱାରା ଟ୍ରେଜେରି ବିଲରେ ନିବେଶ ତଥା ବାଣିଜ୍ୟିକ ଓ ରିଜର୍ଭ ବ୍ୟାଙ୍କ ଦ୍ୱାରା ବିଦେଶୀ ଋଣ ଆଦି ସ୍ୱଳ୍ୱମିଆଦି ଋଣ ପର୍ଯ୍ୟାୟଭୁକ୍ତ ହୋଇଥାଏ । ଏ ବର୍ଷ ଦୀର୍ଘ ମିଆଦି ବାହ୍ୟ ଋଣର ପରିମାଣ ୪୬୮୯୦ କୋଟି ଡଲାର ଓ ସ୍ୱଳ୍ପ ମିଆଦି ଋଣର ପରିମାଣ ୧୦୧୧୦ କୋଟି ଡଲାର । ବାହ୍ୟ ଋଣ ମଧ୍ୟରୁ ସର୍ବାଧିକ ୨୧୩୨୦ କୋଟି ଡଲାର ବା ୩୭ ପ୍ରତିଶତ ବାଣିଜ୍ୟିକ ଉଧାର (କମର୍ସିଆଲ ବରୋଇଙ୍ଗ) ଆକାରରେ ଅଣା ଯାଇଥିବା ବେଳେ, ୧୪୧୯୦ କୋଟି ଡଲାର ବା ୨୫ ପ୍ରତିଶତ ଏନଆରଆଇଙ୍କଠାରୁ ଜମା ଆକାରରେ ଓ ୧୦୧୧୦ କୋଟି ଡଲାର ବା ୧୭ ପ୍ରତିଶତ ସ୍ୱଳ୍ପ ମିଆଦି ବାଣିଜ୍ୟିକ ଋଣ ଆକାରରେ ରହିଛି । ଏସିଆନ ବ୍ୟାଙ୍କ, ଆଇଡିଏ, ଆଇବିଆରଡି, ଆଇଏଫଏଡି ଭଳି ବହୁପାକ୍ଷିକ ସଂସ୍ଥାଙ୍କଠାରୁ ଭାରତ ୬୯୭୦ କୋଟି ଡଲାର ଋଣ ଗ୍ରହଣ କରିଛି । ସେହିପରି ଘରୋଇ ବ୍ୟାଙ୍କ ଆଦିଙ୍କ ନିକଟରୁ ୩୧୦୦ କୋଟି ଡଲାର ଓ ଆଇଏମଏଫଠାରୁ ୫୬୦ କୋଟି ଡଲାର ଋଣ ନିଆଯାଇଛି । ବିଦେଶୀ ଋଣର ୫୨ ପ୍ରତିଶତ ଡଲାର ଆକାରରେ ଗ୍ରହଣ କରା ଯାଇଥିବା ବେଳେ ୩୩ ପ୍ରତିଶତ ଭାରତୀୟ ଟଙ୍କା ଆକାରରେ ଓ ଅବଶିଷ୍ଟ ରାଶି ୟେନ, ଏସଡିଆର, ୟୁରୋ ଆଦି ଆକାରରେ ନିଆଯାଇଛି । ବାହ୍ୟ ଋଣର ଏକ ଭିନ୍ନ ସମସ୍ୟା ହେଉଛି ଯେ ଏହା ବିଦେଶୀ ମୁଦ୍ରା ଆକାରରେ ପରିଶୋଧ କରିବାକୁ ହେଉଥିବାରୁ ସମ୍ପୃକ୍ତ ବିଦେଶୀ ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇଲେ ଦେଶକୁ କ୍ଷତି ସହିବାକୁ ହୋଇଥାଏ । ଏ ବର୍ଷ ସେହି କ୍ଷତିର ମୂଲ୍ୟ ହୋଇଛି ୬୮୦ କୋଟି ଡଲାର ବା ପ୍ରାୟ ୫୦ ହଜାର କୋଟି ଟଙ୍କା ।
ଦେଶର ଆଭ୍ୟନ୍ତରୀଣ ଋଣର ପରିମାଣ ମାର୍ଚ୍ଚ ୨୦୨୧ ସୁଦ୍ଧା ୯୫.୮୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲାଣି । କେବଳ ଗତ ବର୍ଷକ ମଧ୍ୟରେ ଏହା ୧୫.୬୩ ଲକ୍ଷ କୋଟି ଟଙ୍କା ବା ୧୯.୫ ପ୍ରତିଶତ ବୃଦ୍ଧି ପାଇଛି । ଏହି ଆଭ୍ୟନ୍ତରୀଣ ଋଣ ସାଧାରଣତଃ ସରକାରଙ୍କ ଦ୍ୱାରା ଖୋଲାବଜାରରୁ ଋଣ, କ୍ଷତିପୂର୍ତ୍ତି, ବଣ୍ଡ, ଟ୍ରେଜେରୀ ବିଲ୍ ଜରିଆରେ ରାଜ୍ୟ ସରକାର, ବାଣିଜ୍ୟିକ ବ୍ୟାଙ୍କ ଓ ଅନ୍ୟ ନିବେଶକଙ୍କଠାରୁ ଉଧାର, ଅନ୍ତର୍ଜାତୀୟ ବିତ୍ତୀୟ ସଂସ୍ଥାଗୁଡିକୁ ଜାରି ହେଉଥିବା ସୁଧ ବିହୀନ ପ୍ରତିଭୂତି ଆଦି ମାଧ୍ୟମରେ ସଂଗୃହୀତ ହୋଇଥାଏ ।
ମାର୍ଚ୍ଚ ୨୦୨୧ ସୁଦ୍ଧା ଭାରତର ସମୁଦାୟ ସରକାରୀ ଋଣ (କେନ୍ଦ୍ର ଓ ରାଜ୍ୟ ମିଶି) ଜିଡିପିର ୯୦ ପ୍ରତିଶତ ହେଲାଣି, ଯାହା ଉଦବେଗଜନକ । ଫଳରେ ଭାରତ, ବ୍ରାଜିଲ ଓ ଆର୍ଜେଣ୍ଟିନା ପଛକୁ ସବୁଠାରୁ ଋଣଗ୍ରସ୍ତ ବିକାଶଶୀଳ ଦେଶରେ ପରିଣତ ହୋଇଛି । ଅଧିକାଂଶ ବିକାଶଶୀଳ ଦେଶରେ ସରକାରୀ ଋଣ ସାଧାରଣତଃ ଜିଡିପିର ୪୦ରୁ ୫୦ ପ୍ରତିଶତ ମଧ୍ୟରେ ସୀମିତ ରହିଥାଏ । ବ୍ରାଜିଲରେ ଏହା ୯୮ ପ୍ରତିଶତ ଥିବା ବେଳେ ଚୀନ ଓ ଜର୍ମାନୀ ଭଳି ଦେଶଗୁଡିକରେ ଏହା ୭୦ ପ୍ରତିଶତ ଭିତରେ ରହିଛି । ଅବଶ୍ୟ ଆମେରିକା ଓ ଜାପାନ ଭଳି ବିକଶିତ ଦେଶମାନଙ୍କରେ ଏହା ୧୦୦ ପ୍ରତିଶତରୁ ଅଧିକ ହୋଇଥିଲେ ବି ସେହି ଦେଶଗୁଡିକର ଋଣ ପରିଶୋଧ କରିବାର କ୍ଷମତା ଯଥେଷ୍ଟ ଅଧିକ । ଏକ ପୂର୍ବାନୁମାନ ଅନୁସାରେ ଭାରତର ଏହି ଉଚ୍ଚ ଋଣ-ଜିଡିପି ପ୍ରତିଶତ କମ ହେବା ବଦଳରେ ବୃଦ୍ଧି ପାଇ ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୯୨ ପ୍ରତିଶତରେ ସ୍ଥିର ରହିପାରେ । ଆଉ କିଛି ସଂସ୍ଥାଙ୍କ ଅନୁସାରେ ଭାରତର ଅର୍ଥନୈତିକ ସ୍ଥିତିରେ ସୁଧାର ଆସି ଋଣ ଭାର ଲାଘବ ହୋଇ ଏହି ପ୍ରତିଶତ ହ୍ରାସ ପାଇପାରେ । ଇତି ପୂର୍ବରୁ ଭାରତର ସର୍ବୋଚ୍ଚ ଋଣ-ଜିଡିପି ପ୍ରତିଶତ ୨୦୦୩ରେ ୮୪ ପ୍ରତିଶତ ହୋଇଥିଲା, ଯାହାକୁ କମ କରି ୬୬ ପ୍ରତିଶତରେ ପହଞ୍ଚାଇବାକୁ ୭ ବର୍ଷ ଲାଗି ଯାଇଥିଲା । ଅର୍ଥନୀତିଜ୍ଞ ରାଇନହାର୍ଟ ଓ ରୋଗଫଙ୍କ ଅନୁସାରେ ବିକାଶଶୀଳ ଦେଶଙ୍କର ଋଣ-ଜିଡିପି ପ୍ରତିଶତ ୬୦ ଟପିଲେ ବାର୍ଷିକ ବିକାଶ ଦର ପ୍ରାୟ ୨ ପ୍ରତିଶତ ହ୍ରାସ ପାଇଥାଏ । ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ‘ଥ୍ରେସହୋଲଡ ଲେଭଲ ଅଫ ଡେଟ ଆଣ୍ଡ ପବ୍ଲିକ ଡେଟ ସସଟେନେବିଲିଟି : ଦି ଇଣ୍ଡିଆନ ଏକସପିରିଏନ୍ସ‘ ପ୍ରବନ୍ଧରେ ଲେଖିକା ବଲବୀର କୌର ଓ ଅତ୍ରି ମୁଖାର୍ଜାଙ୍କ ମତ ହେଉଛି ଭାରତ ପାଇଁ ଋଣ-ଜିଡିପିର ସର୍ବୋଚ୍ଚ ସୀମା ୬୧ ପ୍ରତିଶତ ହେବା ବିଧେୟ । ତା’ଠାରୁ ଅଧିକ ହେଲେ ତା’ର କୁପ୍ରଭାବ ବିକାଶ ଦର ଉପରେ ପଡିଥାଏ । ଏନ କେ ସିଂହଙ୍କ ଅଧ୍ୟକ୍ଷତାରେ ୨୦୧୬ରେ ଗଠିତ ଏଫଆରବିଏମ କମିଟି ମଧ୍ୟ ୨୦୨୩ ସୁଦ୍ଧା ଏହି ପ୍ରତିଶତକୁ କମ କରି ୬୦ (କେନ୍ଦ୍ର ସରକାର ୪୦ ପ୍ରତିଶତ ଓ ରାଜ୍ୟ ସରକାର ୨୦ ପ୍ରତିଶତ) ଭିତରେ ସୀମିତ ରଖିବା ଲାଗି ପରାମର୍ଶ ଦେଇଥିଲେ । ଭାରତର ବର୍ତ୍ତମାନର ଋଣ-ଜିଡିପି ପ୍ରତିଶତ ତା’ର ଦେଢ ଗୁଣ ହୋଇ ସାରିଥିବାରୁ ତାହା ହ୍ରାସ ନ ପାଇବା ଯାଏ ବିକାଶ ବାଧାପ୍ରାପ୍ତ ହେଉଥିବା ଅବଶ୍ୟମ୍ଭାବୀ । ଏହା ହ୍ରାସ କରିବା ଲାଗି ପ୍ରତି ବର୍ଷ ବିତ୍ତୀୟ ଓ ରାଜସ୍ୱ ନିଅଣ୍ଟକୁ କମ କରିବାକୁ ହେବ । ତେବେ ଦେଶରେ ଅର୍ଥନୈତିକ ଗତିବିଧି ବୃଦ୍ଧି ପାଇ ଅର୍ଥନୀତି ସ୍ୱାଭାବିକ ଅବସ୍ଥାକୁ ଫେରିଲେ ଋଣ ଉପରେ ନିର୍ଭରଶୀଳତା ହ୍ରାସ ପାଇପାରେ ଓ ଋଣ-ଜିଡିପି ପ୍ରତିଶତ କ୍ରମଶଃ ଈପ୍ସିତ ସ୍ତରକୁ ଖସିପାରେ । ସେଥିପାଇଁ ଭିତ୍ତଭୂମି ନିର୍ମାଣ ଭଳି ନିଯୁକ୍ତି ସୃଷ୍ଟିକାରୀ ଉତ୍ପାଦନଶୀଳ କାମରେ ଅଧିକ ପୁଞ୍ଜି ବିନିଯୋଗର ଆବଶ୍ୟକତା ଉପୁଜୁ ଥିବା ବେଳେ ସୁଧ ଦେୟ ବାବଦକୁ ବ୍ୟୟ ଭାର ବଢିଲେ ଆବଶ୍ୟକ ପରିମାଣର ପୁଞ୍ଜି ଉପଲବ୍ଧ ନ ହୋଇ ଏକ ବିଚିତ୍ର ସ୍ଥିତି ଉତ୍ପନ୍ନ ହୋଇପାରେ । ଋଣ ଭାର ଖୁବ ଶୀଘ୍ର ହ୍ରାସ ପାଇବାର ସମ୍ଭାବନା କ୍ଷୀଣ ହୋଇଥିବାରୁ ଭାରତକୁ ସୁଧ ବାବଦରେ ପ୍ରତିବର୍ଷ ଅଧିକ ରାଶି ଗଣିବାକୁ ହେଉଥିବ । ୨୦୧୮ରେ ଭାରତକୁ ସୁଧ ବାବଦରେ ସରକାରୀ ରାଜସ୍ୱ ଆୟର ୨୩ ପ୍ରତିଶତ ବ୍ୟୟ କରିବାକୁ ପଡିଥିଲା, ଯାହା ଏ ବର୍ଷ ୨୮ ପ୍ରତିଶତ ହୋଇପାରେ ବୋଲି ମୁଡି ସଂସ୍ଥା ପୂର୍ବାନୁମାନ କରିଛନ୍ତି । ଆର୍ଥିକ ରେଟିଙ୍ଗ ଦୃଷ୍ଟିରୁ ଭାରତର ସମାସ୍କନ୍ଧ ଦେଶଗୁଡିକରେ ସୁଧ ବାବଦ ବ୍ୟୟ ରାଜସ୍ୱ ଆୟର ହାରାହାରି ୮ ପ୍ରତିଶତ ଥିବା ବେଳେ ଭାରତରେ ତାହା ୩ ଗୁଣରୁ ଅଧିକ ହେବା ଆଦୌ ଗ୍ରହଣୀୟ ନୁହେଁ । ସୁଧ ବାବଦରେ ଅଧିକ ଅର୍ଥ ବ୍ୟୟ କରିବାକୁ ପଡୁଥିଲେ ଉତ୍ପାଦନଶୀଳ ବ୍ୟୟ ପାଇଁ ଅର୍ଥର ଅଭାବ ଦେଖା ଦେଇ ବିକାଶମୂଳକ କାର୍ଯ୍ୟମାନ ବାଧାପ୍ରାପ୍ତ ହେଉଥିବ । ଋଣ ପରିମାଣ ବଢିବା ସହ ବର୍ଦ୍ଧିତ ପରିମାଣର ଋଣ ପରିଶୋଧ ମଧ୍ୟ ଚିନ୍ତାର କାରଣ ପାଲଟିଥାଏ । ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୦୨୧ରେ ବାହ୍ୟ ଋଣର ମୂଳ ଓ ସୁଧ ବାବଦକୁ କରା ଯାଇଥିବା ପରିଶୋଧ ସମୁଦାୟ ଚଳନ୍ତି ପ୍ରାପ୍ତି (କରେଣ୍ଟ ରିସିଟସ)ର ୮.୨ ପ୍ରତିଶତ ହୋଇଛି, ଯାହା ପୂର୍ବ ବର୍ଷ ୬.୫ ପ୍ରତିଶତ ଥିଲା ।
୨୦୨୦-୨୧ରେ ବିତ୍ତୀୟ ନିଅଣ୍ଟ ୯.୩ ପ୍ରତିଶତରେ ପହଞ୍ଚିଲା, ଯାହା କେବଳ ସରକାରଙ୍କ ପାଇଁ ଚିନ୍ତାର କାରଣ ନୁହେଁ ବରଂ ତା’ର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ବି ପଡିଛି । ବିତ୍ତୀୟ ନିଅଣ୍ଟ କମାଇବା ପାଇଁ ସରକାର ସବୁ ପ୍ରକାର ଖର୍ଚ୍ଚ କାଟ କରିବାକୁ ପଦକ୍ଷେପ ନେଇଛନ୍ତି । ସରକାର ଅଧିକ ପରିମାଣର ଋଣ କରୁଥିବାରୁ ବ୍ୟାଙ୍କମାନେ ଅବଧି ଜମା ଉପରେ ଗ୍ରାହକଙ୍କୁ କମ ହାରରେ ସୁଧ ଦେଇଛନ୍ତି । ୨୦୨୦-୨୧ର ବଜେଟ ଅନୁସାରେ ସରକାର ଖୋଲାବଜାରରୁ ୭.୯୬ ଲକ୍ଷ କୋଟି ଟଙ୍କା ଉଧାର କରିବାକୁ ଥିଲେ ବି କୋଭିଡ ମହାମାରୀ ଯୋଗୁ ସଂଶୋଧିତ ବଜେଟରେ ତାକୁ ୧୨.୮୦ ଲକ୍ଷ କୋଟି ଟଙ୍କା କରାଗଲା । ତେବେ ବର୍ଷ ଶେଷ ବେଳକୁ ସରକାର ଖୋଲାବଜାରରୁ ୧୩.୭୧ ଲକ୍ଷ କୋଟି ଟଙ୍କା ଉଧାର କରି ସାରିଥିଲେ । ଏହି ବିପୁଳ ପରିମାଣର ଉଧାର ବିତ୍ତୀୟ ନିଅଣ୍ଟ ବୃଦ୍ଧିର ଅନ୍ୟତମ କାରଣ ହେଲା । ବର୍ଦ୍ଧିତ ବିତ୍ତୀୟ ନିଅଣ୍ଟ ଦେଶର ଅର୍ଥନୀତି ପାଇଁ ଆଦୌ ଶୁଭଙ୍କର ନୁହେଁ ।
ଦେଶର ଋଣ ବୋଝ ବଢିଲେ କ୍ରେଡିଟ ରେଟିଂ ସଂସ୍ଥାଗୁଡିକ ଦେଶର ମୂଲ୍ୟାୟନକୁ କମ କରିଥାଆନ୍ତି, ଯାହା ଭାରତ ପ୍ରତି ଲାଗୁ ହୋଇପାରେ । ତେବେ ଅର୍ଥନୀତିକୁ ବାଟକୁ ଆଣିବାକୁ ହେଲେ ସରକାର ଋଣ ବୋଝକୁ ନେଇ ଚିନ୍ତିତ ନ ହୋଇ ବିକାଶକୁ ବେଗ ପ୍ରଦାନ କରିବା ପାଇଁ ସମସ୍ତ ପ୍ରକାର ସହାୟତା, ଆବଶ୍ୟକ ସ୍ଥଳେ ଅଧିକ ଋଣ କରି, ଯୋଗାଇ ଦେବା ଆବଶ୍ୟକ ବୋଲି ଅର୍ଥନୀତିଜ୍ଞଙ୍କ ମତ । ହେଲେ ଦେଶର ଆର୍ଥିକ ଦୁଃସ୍ଥିତି ସମୟରେ ଋଣ ବୋଝକୁ ସମ୍ପୂର୍ଣ୍ଣ ଅଣଦେଖା କରି ହେବ ନାହିଁ । କାରଣ ରାଜ୍ୟ ବା ଦେଶର ଋଣ କଥା ଉଠିଲେ ପରିଶେଷରେ ମୁଣ୍ଡପିଛା ଋଣ ପରିମାଣ କେତେ ସେହି ପ୍ରଶ୍ନଟି ହିଁ ଜନତାଙ୍କୁ ବିଚଳିତ କରିଥାଏ । ମାର୍ଚ୍ଚ ୨୦୧୪ରେ ମୁଣ୍ଡ ପିଛା ଋଣ ବୋଝ ୧୦୫୨ ଡଲାର ବା ପ୍ରାୟ ୬୩୦୦୦ ଟଙ୍କା ଥିଲା ବେଳେ ୨୦୨୦ରେ ପ୍ରକାଶିତ ଶେଷ ତଥ୍ୟ ଅନୁଯାୟୀ ତାହା ୧୭୭୭ ଡଲାର ବା ପ୍ରାୟ ୧,୩୦,୦୦୦ ଟଙ୍କା ହୋଇ ସାରିଲାଣି, ଅର୍ଥାତ୍ ଦୁଇ ଗୁଣରୁ ଅଧିକ । ଅନ୍ୟ ପକ୍ଷରେ ୨୦୧୪ରୁ ୨୦୨୧ ମଧ୍ୟରେ ମୁଣ୍ଡପିଛା ଜିଡିପି ୧୪୮୬ ଡଲାରରୁ ବଢି ୧୯୪୭ ଡଲାର ହୋଇଛି, ଯାହା ମାତ୍ର ୩୧ ପ୍ରତିଶତ ଅଧିକ । ଅର୍ଥାତ୍ ଦେଶରେ ଯେଉଁ ହାରରେ ମୁଣ୍ଡପିଛା ଋଣ ବଢୁଛି ସେହି ହାରରେ ଆୟ (ମୋଟ ଉତ୍ପାଦ) ବଢୁନାହିଁ । ତେଣୁ ଦେଶର ଅର୍ଥନୀତିକୁ ବାଟକୁ ଆଣିବା ପାଇଁ ନିଆ ଯାଉଥିବା ସବୁ ଋଣ ସ୍ୱାଗତଯୋଗ୍ୟ ହୋଇଥିଲେ ବି ସେଥିରେ ଯଥେଷ୍ଟ ସତର୍କତା ଅବଲମ୍ୱନ କରିବା ସହ ତାକୁ ବିବେକସମ୍ପନ୍ନ ଭାବେ ବିନିଯୋଗ କରିବାକୁ ହେବ, ନ ହେଲେ ଭାରତ ଋଣଜନ୍ତାରେ ପଡିବାର ଆଶଙ୍କା ଦେଖା ଦେଇପାରେ ।
Published in Sambad on September 07, 2021
Comments
Post a Comment