Skip to main content

ଜାତିଭିତ୍ତିକ ଜନଗଣନା ଆବଶ୍ୟକ

ବିହାର, ଓଡିଶା, ମହାରାଷ୍ଟ୍ର ଆଦି ରାଜ୍ୟରୁ ଜାତିଭିତ୍ତିକ ଜନଗଣନା ପାଇଁ ଦାବି ହେବା ପରେ ସଂସଦରେ କେନ୍ଦ୍ର ସରକାରଙ୍କ ତରଫରୁ ସ୍ପଷ୍ଟ କରି ଦିଆଗଲା ଯେ ସରକାରଙ୍କ ନୀତି ଅନୁଯାୟୀ ଅନୁସୂଚୀତ ଜାତି ଓ ଜନଜାତିଙ୍କ ଗଣନା ବ୍ୟତୀତ ଜାତିଭିତ୍ତିକ ଜନଗଣନା କରାଯିବ ନାହିଁ । ଏହା ପରେ ବିହାରର ଶାସକ ଓ ବିରୋଧୀ ଦଳର ନେତାମାନେ ଜାତିଭିତ୍ତିକ ଜନଗଣନା ସପକ୍ଷରେ ସମସ୍ୱରରେ ଦାବି ଜଣାଇବା ଓ ବିହାରର ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ସମୟ ମାଗିବା ବେଶ ଗୁରୁତ୍ୱପୂର୍ଣ୍ଣ । ଆମେରିକୀୟ ଜନଗଣନା ଐତିହାସିକ ମାର୍ଗୋ ଆଣ୍ଡରସନଙ୍କ ଉକ୍ତି, “ସବୁ ସମୟରେ ଜନଗଣନା ରାଜନୈତିକ କ୍ଷମତା ଲାଗି ଏକ ଅସ୍ତ୍ର ହୋଇ ଆସିଛି” ଯେ ଭାରତରେ ଜାତିଭିତ୍ତିକ ଜନଗଣନା ପ୍ରତି କେତେ ପ୍ରଯୁଜ୍ୟ ଉପରୋକ୍ତ ଘଟଣାକ୍ରମରୁ ତା’ର ପୂର୍ବାନୁମାନ କରାଯାଇପାରେ ।     
ସିପାହୀ ବିଦ୍ରୋହ ପରେ ଭାରତୀୟ ସମାଜର ଜାତି ବ୍ୟବସ୍ଥା, ବିଭିନ୍ନ ଜାତିର ଲୋକସଂଖ୍ୟାକୁ ଆଧାର କରି ସେମାନଙ୍କ ଉପଯୋଗିତା ଆଦିକୁ ବୁଝିବା ପ୍ରାଶାସନିକ ଦୃଷ୍ଟିରୁ ବ୍ରିଟିଶ ଶାସକଙ୍କ ପାଇଁ ଜରୁରୀ ହୋଇପଡିଲା । ତେଣୁ ରିଜଲେ, ହଟନଙ୍କ ପରି ଅନେକ ତାଲିମପ୍ରାପ୍ତ ନୃତତ୍ତ୍ୱବିଦଙ୍କୁ ଜନଗଣନା କମିଶନର ଭାବେ ନିଯୁକ୍ତି ଦେଇ ଜନଗଣନା ପ୍ରକ୍ରିୟାରେ ଜାତିୱାରି ଗଣନାକୁ ଗୁରୁତ୍ୱ ଦିଆଗଲା । ୧୮୮୧ରେ ଜନଗଣନା କମିଶନର ଡବଲ୍ୟୁ ସି ପ୍ଲାଓଡେନ ଲୋକମାନଙ୍କୁ ବ୍ରାହ୍ମଣ, ରାଜପୁତ, ଉନ୍ନତ ସାମାଜିକ ସ୍ଥିତି ଥିବା ଜାତି, ନୀଚ ଜାତି ଓ ଅଣହିନ୍ଦୁ ବା ଆବଅରିଜିନ ଏହିପରି ୫ଟି ଶ୍ରେଣୀରେ ବିଭକ୍ତ କରିଥିଲେ । ୧୯୦୧ ଜନଗଣନା ବେଳକୁ ଦେଶରେ ୧୬୪୬ଟି ଜାତି ସମ୍ପର୍କରେ ତଥ୍ୟ ଥିଲା ବେଳେ ୧୯୩୧ ବେଳକୁ ତାହା ୪୧୪୭କୁ ବୃଦ୍ଧି ପାଇଥିଲା । ଏହି ଜନଗଣନାଗୁଡିକରେ କେବଳ ଜାତିର ଚିହ୍ନଟ ଓ ଗଣନା କରା ଯାଉ ନଥିଲା ବରଂ ସେଗୁଡିକୁ ବର୍ଣ୍ଣ ବ୍ୟବସ୍ଥା ଓ କୌଳିକ ବୃତ୍ତି ଆଧାରରେ ବିଭାଗୀକରଣ କରାଯାଉଥିଲା । ଦେଶରେ ୧୯୩୧ରେ ଶେଷ ଥର ଲାଗି ଜାତିଭିତ୍ତିକ ଜନଗଣନା କରାଯାଇ ତାହା ପ୍ରକାଶିତ ହୋଇଥିଲା । ୧୯୪୧ରେ ମଧ୍ୟ ଜାତିଭିତ୍ତିକ ଜନଗଣନା ହୋଇଥିଲେ ବି ତାହା ପ୍ରକାଶ ପାଇ ନ ଥିଲା । ଜାତିପ୍ରଥାର ଉନ୍ମୁଳନ ଲକ୍ଷ୍ୟ ରଖି ସ୍ୱାଧୀନତା ପରେ ୧୯୫୧ରେ ହୋଇଥିବା ଜନଗଣନାରେ କେବଳ ଅନୁସୂଚିତ ଜାତି (ଏସସି) ଓ ଜନଜାତିର (ଏସଟି) ଗଣନା ହେବାକୁ ଲାଗିଲା ଯାହା ଏ ପର୍ଯ୍ୟନ୍ତ ହୋଇ ଆସୁଛି ।
ସମ୍ୱିଧାନର ଧାରା ୩୪୦ ଅନୁଯାୟୀ ୧୯୫୩ରେ ଗଠିତ କାକା କାଲେଲକର କମିଶନ ଦେଶରେ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ସ୍ଥିତି ସମ୍ପର୍କରେ ୧୯୫୫ରେ ଦେଇଥିବା ରିପୋର୍ଟଟି ସରକାରଙ୍କ ଦ୍ୱାରା ଗ୍ରହଣୀୟ ହୋଇ ନ ଥିଲା । ପୁନର୍ବାର ୧୯୭୯ରେ ଜନତା ପାର୍ଟି ସରକାରଙ୍କ ଦ୍ୱାରା ଗଠିତ ମଣ୍ଡଳ କମିଶନ ୧୯୮୦ରେ ରିପୋର୍ଟ ପ୍ରଦାନ କଲେ । ଏହାକୁ ଆଧାର କରି କେନ୍ଦ୍ର ସରକାର ୧୯୯୦ରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଆରକ୍ଷଣ ଘୋଷଣା କଲେ ବି ତାହା ପଛରେ କୌଣସି ବଳିଷ୍ଠ ତଥ୍ୟାଶ୍ରିତ ଯୁକ୍ତି ନ ଥିଲା । ତେବେ ଇନ୍ଦ୍ର ସାହନୀ ମାମଲାରେ ସୁପ୍ରିମକୋର୍ଟ ଆରକ୍ଷଣର ସର୍ବୋଚ୍ଚ ସୀମାକୁ ୫୦ ପ୍ରତିଶତ ବୋଲି ନିର୍ଦ୍ଧାରଣ କଲେ । ୨୦୦୧ ଜନଗଣନା ପୂର୍ବରୁ ଜାତିଭିତ୍ତିକ ଜନଗଣନା ପାଇଁ ଦାବି ଉଠିଥିଲା । କାରଣ ମଣ୍ଡଳ କମିଶନ ୨୦ ବର୍ଷ ପରେ ବିଭିନ୍ନ ଜାତିଙ୍କ ସ୍ଥିତିର ସମୀକ୍ଷା କରିବାକୁ ବି ପରାମର୍ଶ ଦେଇଥିଲେ, ଯେଉଁଥିପାଇଁ ଏସସି, ଏସଟିଙ୍କ ପରି ପଛୁଆ ବର୍ଗଙ୍କ ସମ୍ପର୍କରେ ଜାତିଭିତ୍ତିକ ଜନଗଣନା ତଥ୍ୟର ଆବଶ୍ୟକତା ଥିଲା । ୧୯୯୩ରେ ଗଠିତ ଜାତୀୟ ପଛୁଆ ବର୍ଗ କମିଶନ ମଧ୍ୟ  ତାଙ୍କ ଉପରେ ନ୍ୟସ୍ତ ସମୀକ୍ଷା ଦାୟିତ୍ୱକୁ ନିର୍ବାହ କରିବାକୁ ଜାତିଭିତ୍ତିକ ଜନଗଣନା ତଥ୍ୟ ଆବଶ୍ୟକ କରନ୍ତି । ଏହା ସତ୍ତ୍ୱେ ୨୦୦୧ରେ ତାହା ହୋଇ ପାରିଲା ନାହିଁ ଓ ୨୦୧୧ ଜନଗଣନା ପୂର୍ବରୁ ପୁଣି ଥରେ ସେଥି ନେଇ ଦାବି ଉଠିଲା । ୨୦୧୧ ଜନଗଣନାରେ ତାହା କାର୍ଯ୍ୟକାରି ହୋଇ ନ ଥିଲେ ବି ତୁରନ୍ତ ପରେ ପ୍ରାୟ ୪୯୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ସାମାଜିକ ଆର୍ଥିକ ଜାତିଗତ ଜନଗଣନା ଗ୍ରାମ୍ୟ ବିକାଶ ମନ୍ତ୍ରାଳୟ ଓ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା କରାଗଲା । ସଂଗୃହୀତ ଜାତି ସମ୍ପର୍କିତ ତଥ୍ୟ ୨୦୧୬ରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟକୁ ହସ୍ତାନ୍ତରିତ ହୋଇଥିଲେ ବି ତାହା ଆଉ ପ୍ରକାଶ ପାଇଲା ନାହିଁ । କୁହାଯାଏ, ଜନଗଣନାରେ ଉଚ୍ଚ ଜାତିର ଲୋକଙ୍କ ସଂଖ୍ୟା ଅତି କମ ଥିବାରୁ ତାହା ପ୍ରକାଶ କରାଗଲା ନାହିଁ । ଜାତିଭିତ୍ତିକ ଜନଗଣନାରେ ଉଚ୍ଚ ଜାତିର ଜନସଂଖ୍ୟା କମ ହୋଇ ସେମାନେ ଅଧିକ ସୁବିଧା ସୁଯୋଗ ହାସଲ କରୁଥିବା ଜଣା ପଡିଲେ ସାମାଜିକ ଅସ୍ଥିରତା ଦେଖା ଦେଇପାରେ ଓ ସେ କ୍ଷେତ୍ରରେ ଆରକ୍ଷଣର ପ୍ରତିଶତକୁ ସୀମିତ ରଖିବା ଆଉ ସମ୍ଭବପର ହୋଇ ନ ପାରେ ।  
୧୯୩୧ ଜନଗଣନାରେ ସନ୍ନିବେଶିତ ଜାତିଭିତ୍ତିକ ତଥ୍ୟକୁ ଆଧାର କରି ମଣ୍ଡଳ କମିଶନ ଦେଶରେ ୫୨ ପ୍ରତିଶତ ଓବିସି ଥିବା ଆକଳନ କରିଥିଲେ । ସେହି ଜନଗଣନାର ତଥ୍ୟ ଅନେକ ଭ୍ରାନ୍ତ ଧାରଣାକୁ ଦୂର କରିବାରେ ବି ସାହାଯ୍ୟ କରିଥାଏ । ଯେମିତି ସ୍ୱାଧୀନତା ପୂର୍ବରୁ ବ୍ରାହ୍ମଣମାନେ ଅଧିକ ଶିକ୍ଷିତ ଥିଲେ ବୋଲି କୁହାଯାଉ ଥିଲେ ବି ୧୯୩୧ ଜନଗଣନା ଅନୁଯାୟୀ ସାରା ଦେଶରେ ୭୩ ପ୍ରତିଶତ ବ୍ରାହ୍ମଣ ନିରକ୍ଷର ଥିଲେ । ବିହାର-ଓଡିଶା ରାଜ୍ୟରେ ତ ବ୍ରାହ୍ମଣଙ୍କ ନିରକ୍ଷରତା ହାର 8୧ ପ୍ରତିଶତ ଥିଲା । ସ୍ୱାଧୀନତା ପୂର୍ବରୁ ଶିକ୍ଷା ଦୃଷ୍ଟିରୁ ଏତେ ଆଗରେ ନ ଥିବା ଉଚ୍ଚ ଜାତିର ଲୋକେ ସ୍ୱାଧୀନତା ପରେ ପଛୁଆ ବର୍ଗର ଜାତିଙ୍କ ତୁଳନାରେ ଏତେ ଆଗେଇ ଗଲେ ଯେ ତାହା ସେମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଅଧିକ ଲାଭ ପହଞ୍ଚାଇଲା । ଜାତିଭିତ୍ତିକ ଜନଗଣନା ନ ହେବା ଦ୍ୱାରା ତଥ୍ୟ ଅଭାବରେ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗର ଜାତିଙ୍କ ପାଇଁ ସରକାରୀ ସ୍ତରରେ କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇ ନ ପାରିବା ଏହି ଅସମାନତାର ମୁଖ୍ୟ କାରଣ । ବିଭିନ୍ନ ନୀତି ଓ ଯୋଜନା ମାଧ୍ୟମରେ ବିଶ୍ୱର ସର୍ବବୃହଦ୍ ସକାରାତ୍ମକ ପଦକ୍ଷେପମାନ ଭାରତରେ ଗ୍ରହଣ କରାଯାଉଥିଲେ ବି ତାହା ଅଧିକାଂଶ କ୍ଷେତ୍ରରେ ତଥ୍ୟକୁ ଆଧାର କରି ହୋଇ ନ ଥାଏ । ତେଣୁ ଜାତିଭିତ୍ତିକ ଜନଗଣନା ମାଧ୍ୟମରେ ଅନେକ ତଥ୍ୟ ଉପଲବ୍ଧ ହୋଇ ସରକାରଙ୍କ ନୀତିକୁ ସାର୍ଥକ କରି ପାରିବ । ଜାତିଭିତ୍ତିକ ଜନଗଣନା ତଥ୍ୟ ଉପଲବ୍ଧ ହେଲେ ଓବିସି ଆରକ୍ଷଣ ନିୟମ ଅନୁଯାୟୀ ପଛୁଆ ବର୍ଗର ସ୍ୱଚ୍ଛଳ ବର୍ଗ (କ୍ରିମି ଲେୟାର)ର ଲୋକଙ୍କୁ ଆରକ୍ଷଣ ସୁବିଧାରୁ ଅଯୋଗ୍ୟ ଘୋଷିତ କରି ହେବ, ଯାହା ହେଉନାହିଁ । 
ସାମାଜିକ ନ୍ୟାୟ ଆଧାରିତ ଜେଡିୟୁ, ଆରଜେଡି, ସମାଜବାଦୀ ପାର୍ଟି ଆଦି ଦଳଗୁଡିକ ଜାତିଭିତ୍ତିକ ଜନଗଣନା ସପକ୍ଷରେ ଥିଲା ବେଳେ ବିଜେପି ବିରୋଧ କରିବା ପଛରେ ନିର୍ଦ୍ଦିଷ୍ଟ କେତୋଟି କାରଣ ରହିଛି । ଦଳର ପ୍ରତିପାଳକ ଆରଏସଏସ ଭାରତରେ ଜାତିର ବାସ୍ତବତାକୁ ସ୍ୱୀକାର କରୁଥିଲେ ବି ଜାତି ବ୍ୟବସ୍ଥାକୁ ଗ୍ରହଣ କରି ନ ଥାଏ । ହିନ୍ଦୁ ସମାଜରେ ଜାତିଗତ ଭେଦଭାବ ଓ ସଂଘର୍ଷକୁ ସମାପ୍ତ କରିବା ଏହାର ଘୋଷିତ ନୀତି । ୨୦୨୫ ସୁଦ୍ଧା ଭାରତୀୟ ଅର୍ଥନୀତିକୁ ୫ ଟ୍ରିଲିଅନ ଡଲାରରେ ପହଞ୍ଚାଇବା ସହ ଭାରତକୁ ବିଶ୍ୱଗୁରୁ କରିବାର ସ୍ୱପ୍ନ ଜାତି ଭିତ୍ତିକ ଜନଗଣନା ଭଳି ବିମର୍ଶ ଦ୍ୱାରା ପ୍ରତିହତ ହୋଇପାରେ ବୋଲି ଦଳର ବିଶ୍ୱାସ । ସରକାରଙ୍କ ଉଜ୍ଜ୍ୱଳା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ ଭଳି ଯୋଜନାଗୁଡିକ କୌଣସି ନିର୍ଦ୍ଦିଷ୍ଟ ଜାତି ପାଇଁ ଉଦ୍ଦିଷ୍ଟ ନ ହୋଇ ଏହାଦ୍ୱାରା ଗରିବ ଶ୍ରେଣୀର ଲୋକମାନେ ଉପକୃତ ହେଉଥିବାରୁ ଭବିଷ୍ୟତରେ ସରକାରୀ ଯୋଜନାର ଲାଭାର୍ଥୀ ଜାତିଭିତ୍ତିରେ ସ୍ଥିର ନ ହୋଇ ଆର୍ଥିକ ସ୍ଥିତି ଆଧାରରେ ଶ୍ରେଣୀଭିତ୍ତିରେ ହେବେ । ଜାତିଭିତ୍ତିକ ଜନଗଣନା ସେଥିରେ ବାଧକ ସାଜିପାରେ । ତେବେ ଜାତିଭିତ୍ତିକ ଜନଗଣନାରେ ପଛୁଆ ବର୍ଗର ଜନସଂଖ୍ୟା ଅପେକ୍ଷାକୃତ ଅଧିକ ହେଲେ ସାମାଜିକ ନ୍ୟାୟ ଆଧାରିତ ଜାତିଭିତ୍ତିକ ଦଳଗୁଡିକ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ଥିବା ବେଳେ ଏହା ଦ୍ୱାରା ହିନ୍ଦୁ ଐକ୍ୟ ଦୁର୍ବଳ ହୋଇ ବିଜେପି କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖା ଦେଇପାରେ । ଏହା ପଛୁଆ ବର୍ଗର ଜାତିଙ୍କୁ ଜାତିଭିତ୍ତିରେ ସଂଗଠିତ ହେବାର ଅବକାଶ ସୃଷ୍ଟି କରି ପରିଚୟ ରାଜନୀତି (ଆଇଡେଣ୍ଟିଟି ପଲିଟିକ୍ସ)କୁ ପୁଣି ଥରେ ଭାରତୀୟ ରାଜନୀତିରକ କେନ୍ଦ୍ରୀୟ ମଞ୍ଚରେ ଆଣି ଥୋଇପାରେ । ମଣ୍ଡଳ ରାଜନୀତିର ଅବକ୍ଷୟ ପରେ ହିନ୍ଦୁତ୍ୱ ରାଜନୀତିର ଅଭ୍ୟୁଦୟ ହୋଇଥିଲା ବେଳେ ଜାତିଭିତ୍ତିକ ଜନଗଣନା ସେହି ପ୍ରକ୍ରିୟାକୁ ପୁଣି ବିପରୀତମୁଖୀ କରି ମଣ୍ଡଳ-୨ ଯୁଗର ଅୟମାରମ୍ଭ ହେବାର ଆଶଙ୍କା ହିଁ ବିଜେପି ଏହାକୁ ବିରୋଧ କରିବାର ମୁଖ୍ୟ କାରଣ ବୋଲି କୁହାଯାଉଛି । ତଥାପି ଦଳର କିଛି ଓବିସି ନେତା ଏହା ସପକ୍ଷରେ ସ୍ୱର ଉଠାଉଛନ୍ତି । “ଜାତିଭିତ୍ତିକ ଜନଗଣନା ଏକ ବିପ୍ଳବାତ୍ମକ ପ୍ରକ୍ରିୟା” ବୋଲି ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖି ସାରିଛନ୍ତି । 
ରାଜ୍ୟମାନେ ବି ଜାତିଭିତ୍ତିକ ଜନଗଣନା କରିପାରିବେ । ଦେଶରେ କର୍ଣ୍ଣାଟକ ଏକମାତ୍ର ରାଜ୍ୟ ଯିଏ ୨୦୧୮ରେ ରାଜ୍ୟ ସ୍ତରରେ ଜାତିଭିତ୍ତିକ ଜନଗଣନା କରିଥିଲା । ତେବେ ସାଧାରଣ ଜନଗଣନା ସହ ଜାତିଭିତ୍ତିକ ଜନଗଣନାଟିକୁ କରିବା ସହଜ ହୁଅନ୍ତା ଓ  ରାଜ୍ୟଗୁଡିକ ଅଯଥା ଖର୍ଚ୍ଚାନ୍ତ ହୁଅନ୍ତେ ନାହିଁ । କେନ୍ଦ୍ର ସରକାର ନ କଲେ ବିହାର ମଧ୍ୟ ରାଜ୍ୟ ସ୍ତରରେ ଏକ ଜାତିଭିତ୍ତିକ ଜନଗଣନା କରିବାକୁ ଚିନ୍ତା କରୁଛି । ଅନୁରୂପ ଭାବେ ଓଡିଶା ସରକାର ମଧ୍ୟ ଏ ଦିଗରେ ଆଗଭର ହେବା ଉଚିତ ।   
ଟୋକିଓଠାରେ ଅନୁଷ୍ଠିତ ଅଲିମ୍ପିକ ଖେଳର କ୍ୱାର୍ଟର ଫାଇନାଲରେ ହାଟ୍ରିକ ଅର୍ଜନ କରି ଭାରତକୁ ଜିତାଇଥିବା ଭାରତୀୟ ମହିଳା ହକି ଦଳର ପ୍ରମୁଖ ଖେଳାଳୀ ଦଳିତ ବର୍ଗରୁ ଆସିଥିବା ବନ୍ଦନା କାଟାରିଆଙ୍କ ପରିବାର ସଦସ୍ୟମାନଙ୍କୁ ଦଳ ସେମିଫାଇନାଲରେ ହାରିବା ପରେ ଉଚ୍ଚ ବର୍ଗର ଦୁର୍ବୃତ୍ତଙ୍କ ଅଶ୍ରାବ୍ୟ ଗାଳିଗୁଲଜର ଶିକାର ହେବାକୁ ପଡିଥିଲା । ଜାତି ବ୍ୟବସ୍ଥା ଏବେ ଅପ୍ରାସଙ୍ଗିକ ବୋଲି ଯେତେ କହିଲେ ବି ବନିତା କାଟାରିଆଙ୍କ ଭଳି ଭାରତର ସୁଯୋଗ୍ୟ ସନ୍ତାନମାନଙ୍କୁ ବାରମ୍ୱାର ସେମାନଙ୍କ ଜାତି ପାଇଁ ଭର୍ତ୍ସିତ ହେବାକୁ ପଡୁଥିବ । ଭାରତରେ ଜାତି ବ୍ୟବସ୍ଥା ଏକ ନିଛକ ବାସ୍ତବତା ଓ ଏହାକୁ ଦୂର କରିବା ସମ୍ଭବ ହୋଇ ନ ପାରେ । ତେବେ ବିଭିନ୍ନ ଜାତି ମଧ୍ୟରେ ଥିବା ଭେଦଭାବ ଓ ଅସମାନତାକୁ ଦୂର କରା ଯାଇପାରେ । କ୍ଷମତା ଦଖଲ କରିବାକୁ ଜାତିଗତ ସମୀକରଣକୁ ନିଜ ସପକ୍ଷରେ ଆଣିବା ଲାଗି ସବୁ ରାଜନୈତିକ ଦଳ ପ୍ରୟାୟରତ । ତେଣୁ ସିଧାସଳଖ ହେଉ କି ବୁଲେଇ ବଙ୍କେଇ ହେଉ ପ୍ରତିଟି ଦଳ ଓବିସିଙ୍କୁ ଆକୃଷ୍ଟ କରି ନିଜ ନିଜ ଢଙ୍ଗରେ ଜାତି ଆଧାରିତ ରାଜନୀତି କରିବାକୁ ତତ୍ପର ।  କିଛି ଦଳ ଖୋଲାଖୋଲି ଭାବେ ନିର୍ଦ୍ଦିଷ୍ଟ ଜାତିର ପ୍ରତିନିଧିତ୍ୱ କରୁଥିବା ବେଳେ ଆଉ କିଛି ସେହି ଭଳି ଦଳଙ୍କ ସହ ମେଣ୍ଟ କରି ନିଜ ଭୋଟ ଭାଗକୁ ବଢାଇବା ଚେଷ୍ଟାରେ ଥାଆନ୍ତି । ଏପରିକି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କେଉଁ ଜାତିର ଓ ମନ୍ତ୍ରୀମଣ୍ଡଳରେ ଓବିସିରୁ କେତେ ଜଣଙ୍କୁ ସ୍ଥାନ ମିଳିଲା ଆଦିକୁ ବିଜ୍ଞାପିତ କରିବାକୁ ବି କୁଣ୍ଠାବୋଧ କରନ୍ତି ନାହିଁ । ସେହିପରି ଓଡିଶାରେ ଶାସକ ଦଳ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗରୁ ୨୭ ପ୍ରତିଶତ ପ୍ରାର୍ଥୀ ଦେବାକୁ ଘୋଷଣା କରିବା ସେହି ରାଜନୀତିର ଅନ୍ୟ ଏକ ପ୍ରତିରୂପ ମାତ୍ର । “୨୭ ପ୍ରତିଶତ କାହିଁକି  ୫୨ ପ୍ରତିଶତ କାହିଁକି ନୁହେଁ” ପ୍ରଶ୍ନର ହୁଏତ ସନ୍ତୋଷଜନକ ଉତ୍ତର ମିଳି ନ ପାରେ । କାରଣ ଜାତିଭିତ୍ତିକ ଜନଗଣନା ନ ହେବା ଯାଏଁ ରାଜନୈତିକ ଦଳଗୁଡିକ ଓବିସିଙ୍କ ପାଇଁ ଏମିତି ମନ ଇଚ୍ଛା ଆରକ୍ଷଣ ଘୋଷଣା କରି ସେମାନଙ୍କ ହିତୈଷୀ ଭଳି ଅଭିନୟ କରୁଥିବେ । ଦେଶରେ ଅନୁସୂଚୀତ ଜାତି ଓ ଜନଜାତିଙ୍କ ପାଇଁ ଆରକ୍ଷଣ ଯଥାକ୍ରମେ ୧୫ ଓ ୭.୫ ପ୍ରତିଶତ ହେବାର ଯୌକ୍ତିକତା ହେଉଛି ଜନସଂଖ୍ୟାରେ ମଧ୍ୟ ସେମାନଙ୍କ ପ୍ରତିଶତ ଅନୁରୂପ ଅଟେ । କୌଣସି ବିଧିବଦ୍ଧ ତଥ୍ୟ ଅଭାବରେ ଆରକ୍ଷଣକୁ ୫୦ ପ୍ରତିଶତରୁ ଅଧିକ କରିବାକୁ ହେଉଥିବା ବିଭିନ୍ନ ପ୍ରୟାସକୁ ସୁପ୍ରିମକୋର୍ଟ ବାରମ୍ୱାର ନିରସ୍ତ କରି ଆସିଛନ୍ତି । ସେଥିପାଇଁ ଜାତିଭିତ୍ତିକ ଜନଗଣନା ଅପରିହାର୍ଯ୍ୟ ଅଟେ । ଓବିସିଙ୍କ ପାଇଁ ଆରକ୍ଷଣ ଏକ ବାସ୍ତବତା ବୋଲି ସବୁ ରାଜନୈତିକ ଦଳ ଗ୍ରହଣ କରି ସାରିଥିବାରୁ ସେହି ଆରକ୍ଷଣକୁ ବିଜ୍ଞାନସମ୍ମତ ଭାବେ କରିବାକୁ ହେଲେ ଜାତିଭିତ୍ତିକ ଜନଗଣନା ନିତାନ୍ତ ଆବଶ୍ୟକ । ତା’ଛଡା ବିଭିନ୍ନ ଜାତିର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସ୍ପଷ୍ଟ ହେଲେ ଉଚିତ ନୀତି ପ୍ରଣୟନ ପୂର୍ବକ ସରକାରଙ୍କ ପକ୍ଷରେ ସାମାଜିକ ଅସମାନତାକୁ ଦୂର କରିବା ପାଇଁ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବା ସହଜ ହେବ ।

(Published in Sambad on August 24, 2021 )

Comments

  1. Good analysis....only concern it shouldn't make things complicated.

    ReplyDelete
    Replies
    1. Thanks Saroj Babu. If it is a problem, then it has to be faced and sorted out. A problem can't be solved by closing eye to it or avoiding it. That way, it may further delayed only.

      Delete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍