Skip to main content

ଅଲିମ୍ପିକ ସଫଳତା ପରେ ପୁରସ୍କାର ଅର୍ଥରେ ପାତର ଅନ୍ତର

ଟୋକିଓ ଅଲିମ୍ପିକରେ ଭାରତ ଗୋଟିଏ ସ୍ୱର୍ଣ୍ଣପଦକ, ଦୁଇଟି ରୌପ୍ୟପଦକ ଓ ଚାରିଟି କାଂସ୍ୟପଦକ ଏହିପରି ସମୁଦାୟ ୭ଟି ପଦକ ଜିତିବା ପରେ ଦେଶରେ ସ୍ୱାଭାବିକ ଭାବେ ଖୁସିର ଲହରୀ ଖେଳି ଯାଇଛି । ପଦକ ତାଲିକାରେ ଭାରତ ନିରାଶାଜନକ ଭାବେ ୪୮ଶ ସ୍ଥାନରେ ଥିଲେ ବି ଏହି ଖୁସିର ମୁଖ୍ୟତଃ ତିନିଟି କାରଣ ; ଭାରତ ୨୦୧୨ରେ ପାଇଥିବା ସର୍ବୋଚ୍ଚ ୬ଟି ପଦକକୁ ଟପି ଏଥର ଆଉ ଗୋଟିଏ ଅଧିକ ପଦକ ପାଇବା, ସ୍ୱାଧୀନତା ପ୍ରାପ୍ତିର ଏତେ ବର୍ଷ ପରେ ଭାରତକୁ ପ୍ରଥମ କରି ନୀରଜ ଚୋପ୍ରାଙ୍କ ଜାଭେଲିନ ଥ୍ରୋ’ରେ ସ୍ୱର୍ଣ୍ଣପଦକ ପାଇବା ଜରିଆରେ ଆଥଲେଟିକସରେ କୌଣସି ପଦକ ମିଳିବା ଓ ହକି ଖେଳରେ ଦୀର୍ଘ ୪୧ ବର୍ଷ ପରେ ପଦକ ମିଳିବା । ପଦକ ବିଜେତାମାନଙ୍କୁ ବିଭିନ୍ନ ଭାବେ ସମ୍ୱର୍ଦ୍ଧିତ ଓ ପୁରସ୍କୃତ କରାଯାଉଥିଲେ ବି ସ୍ୱାଭାବିକ ଭାବେ ସର୍ବାଧିକ ଧ୍ୟାନ ସ୍ୱର୍ଣ୍ଣପଦକ ବିଜୟୀ ନୀରଜ ଚୋପ୍ରାଙ୍କ ଉପରେ କେନ୍ଦ୍ରିତ ହେଉଛି । ତେବେ ପ୍ରଶ୍ନ ଉଠୁଛି ଖେଳାଳୀମାନଙ୍କୁ ପୁରସ୍କୃତ ଓ ସମ୍ମାନିତ କଲା ବେଳେ ଜାଣତ ବା ଅଜାଣତରେ ସେମାନଙ୍କ ପ୍ରତି ପାତର ଅନ୍ତର ହୋଇଯାଉଛି କି ? ଖେଳାଳୀମାନଙ୍କୁ ପୁରସ୍କୃତ କରିବା ଲାଗି ଦେଶରେ ଏକ ଅଧିକ ନ୍ୟାୟସଙ୍ଗତ ଓ ଯୁକ୍ତିସଙ୍ଗତ ପୁରସ୍କାର ନୀତି ଅନୁସୃତ ହେବା ଉଚିତ କି ? ଏଥିପାଇଁ ଟୋକିଓ ଅଲିମ୍ପିକ ପଦକ ବିଜେତାଙ୍କୁ କି ଭଳି ପୁରସ୍କାର ପ୍ରଦାନ କରାଯାଇଛି ତାହା ଜାଣିବା ଆବଶ୍ୟକ ।

ଭାରତର ଏକମାତ୍ର ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଉପରେ ଏକ ପ୍ରକାର ପୁରସ୍କାରର ବର୍ଷା ହେବାକୁ ଲାଗିଛି । ତାଙ୍କୁ ହରିଆଣା ସରକାରଙ୍କ ଘୋଷିତ ନୀତି ଅନୁଯାୟୀ ୬ କୋଟି ଟଙ୍କା, ଗୋଟିଏ କ୍ଲାସ ୱାନ ଚାକିରୀ ଓ ଅଧା ଦାମରେ ଗୋଟେ ପ୍ଲଟ ମିଳିବ । ଚୋପ୍ରାଙ୍କ ପରିବାର ମୂଳତଃ ପଞ୍ଜାବରୁ ହୋଇଥିବାରୁ ପଞ୍ଜାବ ସରକାର ତାଙ୍କୁ ୨.୫୧ କୋଟି ଟଙ୍କା ପୁରସ୍କାର ଦେବେ । ସେହିପରି ମଣିପୁର ସରକାର ୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ତେଣୁ ସରକାରୀ ଭାବେ ସେ ୯.୫୧ କୋଟି ଟଙ୍କା ପାଇବେ । ଏହାଛଡା ଇଣ୍ଡିଆନ ଅଲିମ୍ପିକ ଆସୋସିଏସନ (ଆଇଓଏ) ୭୫ ଲକ୍ଷ ଟଙ୍କା, ବିସିସିଆଇ ୧ କୋଟି ଟଙ୍କା, ଆଇପିଏଲର ଚେନ୍ନାଇ ସୁପର କିଙ୍ଗସ ୧ କୋଟି ଟଙ୍କା, ବାଇଜୁଜ୍ କମ୍ପାନୀ ୨ କୋଟି ଟଙ୍କା, ଗୁରୁଗ୍ରାମସ୍ଥିତ ରିଏଲ ଇଷ୍ଟେଟ କମ୍ପାନୀ ଏଲାନ ଗ୍ରୁପ ୨୫ ଲକ୍ଷ ଟଙ୍କା, ଦେବାକୁ ଘୋଷଣା କରି ସାରିଛନ୍ତି । ଏତଦଭିନ୍ନ ମହିନ୍ଦ୍ର ଆଣ୍ଡ ମହିନ୍ଦ୍ର କମ୍ପାନୀ ତରଫରୁ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ଏକ ଏକସୟୁଭି-୭୦୦ ଗାଡି ଓ ଇଣ୍ଡିଗୋ ଏୟାରଲାଇନସ ତରଫରୁ ବର୍ଷକ ପାଇଁ ମାଗଣା ଅସୀମ ଉଡାଣ ସୁବିଧା ପ୍ରଦାନ କରାଯିବ । ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ଅନେକ ଛୋଟ ବଡ ପୁରସ୍କାର ଦିଆଯାଉଛି । ଏ ସବୁ ପୁରସ୍କାରର ସାମଗ୍ରିକ ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ । ଭାରତ ପାଇଁ ଭାରୋତ୍ତଳନରେ ପ୍ରଥମ ରୌପ୍ୟ ପଦକ ହାସଲ କରିଥିବା ମଣିପୁରର ମୀରାବାଇ ଚାନୁଙ୍କୁ ରେଳବାଇ ୨ କୋଟି ଟଙ୍କା, ମଣିପୁର ସରକାର ୧ କୋଟି ଟଙ୍କା, ଆଇଓଏ ୪୦ ଲକ୍ଷ ଟଙ୍କା, ବିସିସିଆଇ ୫୦ ଲକ୍ଷ ଟଙ୍କା, ବାଇଜୁଜ୍ ୧ କୋଟି ଟଙ୍କା ପ୍ରଦାନ କରିବେ ଓ ସେ ଏହିପରି ମୋଟ ୪ କୋଟି ୯୦ ଲକ୍ଷ ଟଙ୍କା ପାଇବେ । କୁସ୍ତି ଖେଳରେ ଭାରତର ଅନ୍ୟତମ ରୌପ୍ୟପଦକ ବିଜେତା ହରିଆଣାର ରବି ଦହିଆଙ୍କୁ ହରିଆଣା ସରକାର ୪ କୋଟି ଟଙ୍କା, ଆଇଓଏ ୪୦ ଲକ୍ଷ ଟଙ୍କା, ବିସିସିଆଇ ୫୦ ଲକ୍ଷ ଟଙ୍କା, ବାଇଜୁଜ୍ ୧ କୋଟି ଟଙ୍କା ଏହିପରି ମୋଟ ୫କୋଟି ୯୦ ଲକ୍ଷ ଟଙ୍କା ଦେଉଛନ୍ତି । ଆନ୍ଧ୍ର ପ୍ରଦେଶର ପି ଭି ସିନ୍ଧୁ ବ୍ୟାଡମିଣ୍ଟନରେ କାଂସ୍ୟ ପଦକ ପାଇଥିବାରୁ ଆନ୍ଧ୍ର ପ୍ରଦେଶ ସରକାର ୩୦ ଲକ୍ଷ ଟଙ୍କା, ଆଇଓସି ୨୫ ଲକ୍ଷ ଟଙ୍କା, ବିସିସିଆଇ ୨୫ ଲକ୍ଷ ଟଙ୍କା ଓ ବାଇଜୁଜ ୧ କୋଟି ଟଙ୍କା ଏହିପରି ମୋଟ ୧.୮୦ କୋଟି ଟଙ୍କା ଦେଇଥିବା ବେଳେ ଆସାମର ଲଭଲିନା ବୋରଗୋହାଇଁ ମୁଷ୍ଟିଯୁଦ୍ଧରେ କାଂସ୍ୟ ପଦକ ପାଇଥିବାରୁ ଆସାମ ସରକାର ୫୦ ଲକ୍ଷ ଟଙ୍କା, ଆଇଓସି ୨୫ ଲକ୍ଷ ଟଙ୍କା, ବିସିସିଆଇ ୨୫ ଲକ୍ଷ ଟଙ୍କା ଓ ବାଇଜୁଜ୍ ୧ କୋଟି ଟଙ୍କା, ଆସାମ କଂଗ୍ରେସ ୩ ଲକ୍ଷ ଟଙ୍କା ଏହିପରି ମୋଟ ୨.୦୩ କୋଟି ଟଙ୍କା ପ୍ରଦାନ କରିବେ । ଭାରତ ପାଇଁ କୁସ୍ତିରେ କାଂସ୍ୟ ପଦକ ହାସଲ କରିଥିବା ହରିଆଣାର ବଜରଙ୍ଗ ପୁନିଆଙ୍କୁ ହରିଆଣା ସରକାର ୨.୫ କୋଟି ଟଙ୍କା, ଆଇଓସି ୨୫ ଲକ୍ଷ ଟଙ୍କା, ବିସିସିଆଇ ୨୫ ଲକ୍ଷ ଟଙ୍କା ଓ ବାଇଜୁଜ୍ ୧ କୋଟି ଟଙ୍କା ଏହିପରି ମୋଟ ୪ କୋଟି ଟଙ୍କା ଦେବେ । 

କାଂସ୍ୟପଦକ ବିଜେତା ଭାରତୀୟ ପୁରୁଷ ହକି ଦଳରେ ସମୁଦାୟ ୧୯ ଜଣ ଖେଳାଳୀ ଥିଲେ ଓ ଆଇଓସି ତରଫରୁ ପ୍ରତ୍ୟେକଙ୍କୁ ୨୫ ଲକ୍ଷ ଟଙ୍କା କରି ମିଳିବ । ହକି ଦଳକୁ ବିସିସିଆଇ ତରଫରୁ ୧.୨୫ କୋଟି ଟଙ୍କା ଓ ବାଇଜୁଜ ତରଫରୁ ୧ କୋଟି ଟଙ୍କା ପ୍ରଦାନ କରାଯିବା କଥା ଘୋଷଣା କରା ଯାଇଛି । ଦଳର ସବୁ ଖେଳାଳୀଙ୍କ ମଧ୍ୟରୁ କେବଳ ପଞ୍ଜାବରୁ ୧୧ ଜଣ, ମନପ୍ରିତ ସିଂହ, ରୁପିନ୍ଦର ପାଲ ସିଂହ, ହରମାନପ୍ରିତ ସିଂହ, ହାର୍ଦ୍ଦିକ ସିଂହ, ଶାମଶେର ସିଂହ, ମନଦୀପ ସିଂହ, ଦିଲପ୍ରିତ ସିଂହ, ଗୁରଜନ୍ତ ସିଂହ, ବରୁଣ କୁମାର, ସିମ୍ରନଜିତ ସିଂହ, କ୍ରିଷନ ପାଠକ ଥିଲେ । ଏମାନଙ୍କୁ ପ୍ରତ୍ୟେକଙ୍କୁ ପଞ୍ଜାବ ସରକାର ୨.୫୧ କୋଟି ଟଙ୍କା ଲେଖାଏଁ ଦେବେ । ଓଡିଶାର ୨ ଜଣ ଖେଳାଳୀ, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ପ୍ରତ୍ୟେକଙ୍କୁ ଓଡିଶା ସରକାର ୨.୫ କୋଟି ଟଙ୍କା ଲେଖାଏଁ, ହରିଆଣାର ୨ ଜଣ, ସୁରେନ୍ଦର କୁମାର, ସୁମିତ କୁମାରଙ୍କୁ ହରିଆଣା ସରକାର ୨.୫ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିବେ । ମଧ୍ୟପ୍ରଦେଶ ସରକାର ବିବେକ ସାଗର ପ୍ରସାଦ ଓ ନୀଳକଣ୍ଠ ଶର୍ମାଙ୍କୁ ୧ କୋଟି ଟଙ୍କା ଲେଖାଁଏ ଦେବେ । ତେବେ ନୀଳକଣ୍ଠ ଶର୍ମା ମଣିପୁରର ଅଧିବାସୀ ହୋଇଥିବାରୁ ମଣିପୁର ସରକାର ତାଙ୍କୁ ୭୫ ଲକ୍ଷ ଟଙ୍କା ଦେବେ । ତେଣୁ ସେ ମୋଟ ୧.୭୫ କୋଟି ଟଙ୍କା ପାଇବେ । ଉତ୍ତର ପ୍ରଦେଶର ଲଳିତ ଉପାଧ୍ୟାୟଙ୍କୁ ରାଜ୍ୟ ସରକାର ୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । କେରଳର ପି ଆର ଶ୍ରୀଜେସଙ୍କୁ କେରଳ ସରକାର ୧ କୋଟି ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରିବେ । ଇତିମଧ୍ୟରେ କେରଳର ଦୁବାଇଠାରେ ରହୁଥିବା ଜଣେ ଏନଆରଆଇ ମଧ୍ୟ ଶ୍ରୀଜେସଙ୍କୁ ୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ସବୁ ଖେଳାଳୀ ତ ଭାରତ ପାଇଁ ଖେଳୁଥିଲେ କେହି କ’ଣ ହରିଆଣା, ପଞ୍ଜାବ, ଓଡିଶା ବା କେରଳର ହୋଇ ଖେଳୁଥିଲେ କି ? ତେଣୁ ଏକା ଦଳରେ ଖେଳି ଜଣେ ଅଢେଇ କୋଟି ଟଙ୍କା ପାଇଲା ବେଳକୁ ଆଉ ଜଣେ ୧ କୋଟି ଟଙ୍କା ପାଇବା କେତେ ଦୂର ନ୍ୟାୟସଙ୍ଗତ ଓ ଯୁକ୍ତିଯୁକ୍ତ ?    

ଘୋଷିତ ପୁରସ୍କାର ରାଶିରୁ ସବୁ ଅର୍ଥ ଯେ ପଦକ ବିଜେତାଙ୍କ ହାତକୁ ଯିବ, ତାହା ନୁହେଁ । ଆୟକର ଆଇନର ଧାରା ୧୦(୧୭ଏ) ଅନୁଯାୟୀ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅଲିମ୍ପିକ, ଏସିଆନ ଗେମସ ଓ କମନୱେଲଥ ଗେମସର ପଦକ ବିଜେତାଙ୍କୁ ପ୍ରଦାନ କରା ଯାଉଥିବା ପୁରସ୍କାର ରାଶି କରମୁକ୍ତ ହୋଇଥାଏ । ଅର୍ଥାତ୍, ନୀରଜଙ୍କ କ୍ଷେତ୍ରରେ ସେ ହରିଆଣା, ପଞ୍ଜାବ ଓ ମଣିପୁର ସରକାରଙ୍କ ନିକଟରୁ ମିଳୁଥିବା ୯.୫୧ କୋଟି ଟଙ୍କା କରମୁକ୍ତ ହୋଇଥିଲା ବେଳେ, ବିସିସିଆଇ ସମେତ ଅନ୍ୟମାନଙ୍କଠାରୁ ମିଳୁଥିବା ପ୍ରାୟ ୫ କୋଟି ଟଙ୍କାର ପୁରସ୍କାର ରାଶି ଓ ଉପହାର ଉପରେ ତାଙ୍କୁ ଆୟକର ଦେବାକୁ ହେବ ।

ଅଲିମ୍ପିକ ଖେଳର ପ୍ରତିଟି ଇଭେଣ୍ଟରେ ପ୍ରଥମ ତିନିଟି ସ୍ଥାନ ଅଧିକାର କରିଥିବା ଖେଳାଳୀଙ୍କୁ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ମିଳିଥାଏ । ପ୍ରଥମ ଆଠଟି ସ୍ଥାନରେ ଥିବା ଖେଳାଳୀଙ୍କୁ ଏକ ଡିପ୍ଲୋମା (ସାର୍ଟିଫିକେଟ) ଦିଆ ଯାଇଥାଏ । ଅଲିମ୍ପିକ ଖେଳର ପଦକ ବିଜେତାଙ୍କୁ ଖେଳର ଆୟୋଜକ ଇଣ୍ଟରନ୍ୟାସନାଲ ଅଲିମ୍ପିକ କମିଟି (ଆଇଓସି) ତରଫରୁ କୌଣସି ଅର୍ଥ ରାଶି ପ୍ରଦାନ କରା ଯାଇ ନ ଥାଏ । ତା’ ଛଡା ଅଲିମ୍ପିକ ଚାର୍ଟରର ନିୟମ ୪୦ ଅନୁଯାୟୀ ଆଇଓସି ପରିଚାଳନା ବୋର୍ଡର ବିନାନୁମତିରେ ଅଲିମ୍ପିକ ଖେଳରେ ଭାଗ ନେଉଥିବା କୌଣସି ଖେଳାଳୀ, କୋଚ, ପ୍ରଶିକ୍ଷକ ବା ଅଧିକାରୀ ନିଜକୁ, ସେମାନଙ୍କ ନାମ, ଛବି, ପ୍ରଦର୍ଶନ ଆଦି ଅଲିମ୍ପିକ ଖେଳ ଚାଲିଥିବା ସମୟରେ ବିଜ୍ଞାପିତ କରି ପାରିବେ ନାହିଁ । ତେଣୁ ଖେଳାଳୀମାନେ ପ୍ରାୟୋଜନ ବାବଦ ହେଉଥିବା ଆୟରୁ ବଞ୍ଚିତ ହୋଇଥାଆନ୍ତି । ଖେଳାଳୀମାନଙ୍କର ହେଉଥିବା ଏହି ଅନୁମାନିତ କ୍ଷତିକୁ କିଛି ଦେଶ ଖେଳ ସମାପ୍ତ ହେବା ପରେ ବୋନସ ବା ପୁରସ୍କାର ଆକାରରେ ଆଂଶିକ ଭରଣା କରିବାକୁ ଚେଷ୍ଟା କରିଥାଆନ୍ତି ।        

୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ ଅଲିମ୍ପିକରେ ୭ଟି ପଦକ ଲାଭ ପରେ ଯେଉଁ ଉନ୍ମାଦନା ପ୍ରକାଶ ପାଇଛି, ଭାରତଠାରୁ ଯଥେଷ୍ଟ ଅଧିକ ପଦକ ପାଇଥିବା ଅନେକ ଛୋଟ ବଡ ଦେଶରେ ସେହି ଉନ୍ମାଦନା ପରିଲକ୍ଷିତ ହୋଇନାହିଁ । ଏପରିକି ଅନେକ ଦେଶରେ ସେମାନଙ୍କୁ ବିଶେଷ ଭାବେ ସମ୍ୱର୍ଦ୍ଧିତ ଓ ପୁରସ୍କୃତ କରିବାର ବି ବ୍ୟବସ୍ଥା ନାହିଁ । ଚଳିତ ବର୍ଷ ଅଲିମ୍ପିକ ଖେଳ ପରେ ବିଭିନ୍ନ ଦେଶର ପଦକ ବିଜେତାଙ୍କୁ ସେମାନଙ୍କ ଦେଶରେ କି ଭଳି ପୁରସ୍କୃତ କରାଯାଇଛି ତାହା ଅନୁଧ୍ୟାନ କରାଯାଉ । ବ୍ରିଟେନ, ନିଉଜିଲାଣ୍ଡ, ନରୱେ, ସ୍ୱିଡେନ ଭଳି କିଛି ଦେଶରେ ପଦକ ବିଜେତାଙ୍କୁ ଆଦୌ କୌଣସି ପୁରସ୍କାର ବା ଉପହାର ପ୍ରଦାନ କରା ଯାଇନାହିଁ । ଖେଳାଳୀମାନଙ୍କୁ ସର୍ବନିମ୍ନ ପୁରସ୍କାର ରାଶି ଦେଉଥିବା ଦେଶଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ସ୍ୱର୍ଣ୍ଣ ପାଇଁ ମାତ୍ର ୧୫୦୦୦ ଡଲାର (ପ୍ରାୟ ୧୧ ଲକ୍ଷ ଟଙ୍କା), କାଂସ୍ୟପଦକ ପାଇଁ ୭୦୦୦ ଡଲାର (ପ୍ରାୟ ୫ ଲକ୍ଷ) ଟଙ୍କା ଦେଇଥାଏ । ସେହିପରି କାନାଡା ମାତ୍ର ୮୦୦୦ରୁ ୧୬୦୦୦ ଡଲାର ପୁରସ୍କାର ଦେଇଥାଏ । ଏପରିକି ଆମେରିକା ଭଳି ଏକ ଧନୀ ଦେଶରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୩୭୫୦୦ ଡଲାର (ପ୍ରାୟ ୨୭ ଲକ୍ଷ ଟଙ୍କା), ରୌପ୍ୟ ପଦକ ବିଜେତାଙ୍କୁ ୨୨୫୦୦ ଡଲାର (୧୬ ଲକ୍ଷ ଟଙ୍କା), କାଂସ୍ୟ ପଦକ ବିଜେତାଙ୍କୁ ୧୫୦୦୦ ଡଲାର ମିଳିଥାଏ । ଚୀନ ପୁରସ୍କାର ଆକାରରେ କେତେ ରାଶି ଦେଉଛି ତାହା ଘୋଷଣା କରି ନ ଥିଲେ ବି ବେଜିଂ ଅଲିମ୍ପିକ (୨୦୦୮)ରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୫୧୦୦୦ ଜଲାର (ପ୍ରାୟ ୩୭ ଲକ୍ଷ ଟଙ୍କା) ଦିଆ ଯାଉଥିଲା । ଏବେ ସେହି ରାଶିକୁ କମ କରି ଦିଆ ଯାଇଥିବାର ସୂଚନା ମିଳେ । ଏପରିକି ଜାପାନ ଓ ବ୍ରାଜିଲ ସ୍ୱର୍ଣ୍ଣପଦକ ପାଇଁ ଯଥାକ୍ରମେ ମାତ୍ର ୪୫୦୦୦ ଡଲାର ଓ ୪୯୦୦୦ ଡଲାର ପୁରସ୍କାର ଆକାରରେ ଦେଇଥାଆନ୍ତି । କିଛି ଛୋଟ ଛୋଟ ଦେଶ ଅଧିକ ରାଶିର ବୋନସ ଦେଉଛନ୍ତି । ଯେମିତି ସିଙ୍ଗାପୁର ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୭୩୮୦୦୦ ଡଲାର (୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ), ହଂକଂ ସ୍ୱର୍ଣ୍ଣପଦକ ବିଜେତାଙ୍କୁ ୬୪୩୦୦୦ ଡଲାର, ତାଇୱାନ ସ୍ୱର୍ଣ୍ଣ ପଦକ ପାଇଁ ୭୧୯୦୦୦ ଡଲାର (ପ୍ରାୟ ୫ କୋଟି), ଇଣ୍ଡୋନେସିଆ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୩୪୬୦୦୦ ଡଲାର (ପ୍ରାୟ ୨.୫ କୋଟି ଟଙ୍କା) ପୁରସ୍କାର ଦେଉଛନ୍ତି । ସେହିପରି ତୁର୍କି ସ୍ୱର୍ଣ୍ଣ ପଦକ ପାଇଁ ୩୮୦୦୦୦ ଡଲାର (ପ୍ରାୟ ୨.୭୫ କୋଟି ଟଙ୍କା), ଇଟାଲି ସ୍ୱର୍ଣ୍ଣ ପଦକ ପାଇଁ ୨୧୨୦୦୦ ଡଲାର (ପ୍ରାୟ ୧.୫ କୋଟି ଟଙ୍କା) ଦେଉଛି ଓ ସ୍ପେନ ସ୍ୱର୍ଣ୍ଣ ପଦକ ପାଇଁ ୧୧୦୦୦୦ ଡଲାର ଦେବେ ।

ଭାରତରେ ହରିଆଣା ଓ ଓଡିଶା ରାଜ୍ୟ ସରକାର ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୬ କୋଟି ଟଙ୍କା, ରୌପ୍ୟପଦକ ପାଇଁ ୪ କୋଟି ଟଙ୍କା ଓ କାଂସ୍ୟପଦକ ପାଇଁ ୨.୫ କୋଟି ଟଙ୍କା ଲେଖାଏଁ ପୁରସ୍କାର ଦେବା ଲାଗି ଘୋଷଣା କରିଥିଲେ, ଯାହା ବିଶ୍ୱର ଯେ କୌଣସି ଦେଶ ଦ୍ୱାରା ଘୋଷିତ ପୁରସ୍କାର ରାଶି ତୁଳନାରେ ଯଥେଷ୍ଟ ଅଧିକ । ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ପ୍ରଦାନ କରାଯିବା ଉଚିତ । ତେବେ ଓଡିଶା ଭଳି ଏକ ଗରିବ ରାଜ୍ୟ ଅନ୍ୟ ବିତ୍ତଶାଳୀ ଦେଶମାନଙ୍କ ତୁଳନାରେ ବି ଅଧିକ ରାଶିର ପୁରସ୍କାର ଦେବାର ଯୌକ୍ତିକତା, କ’ଣ ତାହା ବୁଝି ହେଉନାହିଁ । ଅର୍ଥାତ୍, ୬ କୋଟି କାହିଁକି, ୧ କୋଟି ଟଙ୍କା ବା ୧୦ କୋଟି ଟଙ୍କା କାହିଁକି ନୁହେଁ । ତା’ ଛଡା ରାଜ୍ୟ-ରାଜ୍ୟ ମଧ୍ୟରେ ଥିବା ପୁରସ୍କାର ନୀତିରେ ଯଥେଷ୍ଟ ତାରତମ୍ୟ ରହିଛି । ଉଦାହରଣ ସ୍ୱରୂପ ଆନ୍ଧ୍ର ପ୍ରଦେଶର ନୀତି ଅନୁଯାୟୀ ବ୍ୟାଡମିଣ୍ଟନରେ କାଂସ୍ୟ ପୁରସ୍କାର ବିଜେତା ପି ଭି ସିନ୍ଧୁଙ୍କୁ ମାତ୍ର ୩୦ ଲକ୍ଷ ଟଙ୍କା ପୁରସ୍କାର ମିଳିଥିଲା ବେଳେ କୁସ୍ତିରେ କାଂସ୍ୟପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ହରିଆଣାର ନୀତି ଅନୁଯାୟୀ ୨.୫ କୋଟି ଟଙ୍କା ମିଳିବ । ମଣିପୁରର ନୀତି ଅନୁଯାୟୀ ଭାରୋତ୍ତଳନରେ ରୌପ୍ୟ ପଦକ ପାଇଥିବା ମୀରାବାଇ ଚାନୁ ୧ କୋଟି ଟଙ୍କା ପୁରସ୍କାର ପାଇଥିବା ବେଳେ କୁସ୍ତିରେ ସେହି ଏକା ରୌପ୍ୟପଦକ ପ୍ରାପ୍ତ ହରିଆଣାର ରବି ଦହିଆଙ୍କୁ ୪ କୋଟି ଟଙ୍କା ମିଳିଛି । ହକି ଖେଳାଳୀମାନେ ପାଇଥିବା ରାଶିରେ ଥିବା ତାରତମ୍ୟ କଥା ତ ବର୍ଣ୍ଣିତ ହୋଇଛି । ତା’ର ଏକ ଦୁଃଖଦାୟକ ଉଦାହରଣ ହେଉଛି, ଦଳରେ ଅତିରିକ୍ତ ଗୋଲରକ୍ଷକ ଥିବା ପଞ୍ଜାବର କ୍ରିଷନ ପାଠକ ୨.୫୧ କୋଟି ଟଙ୍କା ପୁରସ୍କାର ପାଇଥିଲା ବେଳେ ଭାରତକୁ ପଦକ ବିଜୟୀ ହେବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ମୁଖ୍ୟ ଗୋଲରକ୍ଷକ ଶ୍ରୀଜେସଙ୍କୁ ମାତ୍ର ୧ କୋଟି ଟଙ୍କା ପୁରସ୍କାର ମିଳିଛି । ଏପରିକି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି କୌଣସି ପଦକ ପାଇ ନ ଥିଲେ ବି ଦଳର ଖେଳାଳୀଙ୍କୁ ପଞ୍ଜାବ, ହରିଆଣା, ଓଡିଶା ସରକାର ୫୦ ଲକ୍ଷ ଟଙ୍କା କରି ଦେଇଥିବା ବେଳେ କାଂସ୍ୟ ପଦକ ବିଜେତା ସିନ୍ଧୁଙ୍କୁ ୩୦ ଲକ୍ଷ ଟଙ୍କା ମିଳିଛି । ତେଣୁ ଭିନ୍ନ ଭିନ୍ନ ରାଜ୍ୟରେ ପ୍ରଚଳିତ ପୁରସ୍କାର ନୀତିରେ ଖେଳାଳୀମାନଙ୍କ ପ୍ରତି ପାତର ଅନ୍ତର ହେବାର ଆଶଙ୍କା ରହୁଛି, ଯାହା ସେମାନଙ୍କୁ ଉତ୍ସାହିତ କରିବା ପରିବର୍ତ୍ତେ ଦୁଃଖିତ ଓ ହତୋତ୍ସାହିତ କରିବାର ଆଶଙ୍କା ରହିଛି । ପ୍ରତ୍ୟେକ ଖେଳାଳୀ ଦେଶକୁ ପ୍ରତିନିଧିତ୍ୱ କରୁଥିବାରୁ କେବଳ କେନ୍ଦ୍ର ସରକାର ହିଁ ଖେଳାଳୀମାନଙ୍କୁ ଅର୍ଥ ପୁରସ୍କାର ପ୍ରଦାନ କରିବା ଉଚିତ ଓ ରାଜ୍ୟଗୁଡିକ ଅର୍ଥ ପୁରସ୍କାର ଦେବାରୁ ନିବୃତ୍ତ ରହିବା ଆବଶ୍ୟକ । ରାଜ୍ୟଗୁଡିକ ପ୍ରୋତ୍ସାହିତ କରିବା ପାଇଁ କ୍ରୀଡାବିଦଙ୍କୁ ଚାକିରୀ ପ୍ରଦାନ ଓ ଉପହାର ଆକାରରେ ଜମି, ଘର ଇତ୍ୟାଦି ପ୍ରଦାନ କରି ପାରନ୍ତି । ଏଥିପାଇଁ ଦେଶରେ ସାହିତ୍ୟ, କଳା, ସଂସ୍କୃତି, ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ରରେ ଦିଆ ଯାଉଥିବା ପୁରସ୍କାର ରାଶି ସହ ସନ୍ତୁଳନ ରକ୍ଷା କରି ଖେଳ ପାଇଁ ଏକ ନ୍ୟାୟସଙ୍ଗତ ଓ ଯୁକ୍ତିସଙ୍ଗତ କ୍ରୀଡା ପୁରସ୍କାର ନୀତି ପ୍ରଣୟନ ହେବା ବିଧେୟ । ଉଦାହରଣ ସ୍ୱରୂପ, କେନ୍ଦ୍ର ସରକାରଙ୍କ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରତିବର୍ଷ ବିଭିନ୍ନ ଭାଷାର ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରଦତ୍ତ ସର୍ବୋଚ୍ଚ ପୁରସ୍କାର ରାଶି ମାତ୍ର ୧ ଲକ୍ଷ ଟଙ୍କା ।  ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସଙ୍ଗୀତ, ନୃତ୍ୟ, ନାଟକ ଆଦି କ୍ଷେତ୍ରରେ କଳାକାର, ଗୁରୁ ଓ ବିଶାରଦମାନଙ୍କୁ ଦିଆ ଯାଉଥିବା ପୁରସ୍କାରର ରାଶି ମାତ୍ର ୧ ଲକ୍ଷ ଟଙ୍କା ହୋଇଥିଲା ବେଳେ ଏହା ଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ଫେଲୋସିପର ପୁରସ୍କାର ରାଶି ମାତ୍ର ୩ ଲକ୍ଷ ଟଙ୍କା ।  ସିନେମା କ୍ଷେତ୍ରରେ ସର୍ବୋଚ୍ଚ ଦାଦାସାହେବ ଫାଲକେ ପୁରସ୍କାର ବାବଦରେ ମାତ୍ର ୧୦ ଲକ୍ଷ ଟଙ୍କା ଦିଆ ଯାଇଥାଏ । ସର୍ବଶ୍ରେଷ୍ଠ ସିନେମା ପାଇଁ ଦିଆ ଯାଉଥିବା ସ୍ୱର୍ଣ୍ଣକମଳ ପୁରସ୍କାରରେ ମାତ୍ର ୨.୫ ଲକ୍ଷ ଟଙ୍କା ପ୍ରଦାନ କରାଯାଏ । ଦେଶରେ ବିଜ୍ଞାନ ପାଇଁ ସର୍ବଶ୍ରେଷ୍ଠ ପୁରସ୍କାରର ରାଶି ମାତ୍ର ୨୫ ଲକ୍ଷ ଟଙ୍କା । ଏପରିକି ଅନେକ ସମୟରେ ବିଭିନ୍ନ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ଓ ପୁରସ୍କୃତ ବ୍ୟକ୍ତି ବିଶେଷଙ୍କୁ ଦେଶରେ ଆଉ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରା ଯାଇ ନ ଥାଏ । ଉଲ୍ଲେଖଯୋଗ୍ୟ, ବିଶ୍ୱର ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ଭାବେ ବିବେଚିତ ନୋବେଲ ପୁରସ୍କାର ସହିତ ପ୍ରଦତ୍ତ ରାଶିର ଭାରତୀୟ ଟଙ୍କାରେ ମୂଲ୍ୟ ୮.୩୦ କୋଟି ଟଙ୍କା ।

କ୍ରୀଡା ପାଇଁ ଅଧିକ ପୁରସ୍କାର ରାଶି ଘୋଷଣା କଲେ ଯେ ଖେଳାଳୀଙ୍କ ପ୍ରଦର୍ଶନ ଆପଣା ଛାଏଁ ବଢିଯିବ, ତାହା ମଧ୍ୟ ନୁହେଁ । ସେଥିପାଇଁ ଦକ୍ଷତା ସହ ବିଧିବଦ୍ଧ ଭାବେ ବିଶେଷ ପ୍ରୟାସର ଆବଶ୍ୟକତା ଅପରିହାର୍ଯ୍ୟ । ଓଡିଶା ସରକାରଙ୍କ ଅଧିକ ପୁରସ୍କାର ରାଶି ଘୋଷଣା ସତ୍ତ୍ୱେ ଓଡିଶାରୁ ବ୍ୟକ୍ତିଗତ ଭାବେ କୌଣସି ଖେଳାଳୀଙ୍କ ପ୍ରଦର୍ଶନ ଆଶାନୁରୂପ ନ ହେବା ତା’ର ଏକ ଜ୍ୱଳନ୍ତ ଉଦାହରଣ । ତା’ ଛଡା କେତେକ କ୍ଷେତ୍ରରେ ଅଧିକ ପୁରସ୍କାର ରାଶି ଘୋଷଣା କରି ଦାତା ନିଜକୁ ନିଜେ ବିଜ୍ଞାପିତ ଓ ମହିମାମଣ୍ଡିତ କରିବାର ଅପଚେଷ୍ଟା କରୁଥିବା ମଧ୍ୟ ପରିଲକ୍ଷିତ ହେଉଛି । ପଞ୍ଜାବ ତା’ର ହକି ଖେଳାଳୀମାନଙ୍କୁ ପ୍ରଥମେ ୧ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଥିଲା ବେଳେ ପରେ ପୁରସ୍କାର ରାଶିକୁ ଓଡିଶା ଓ ହରିଆଣା ଅପେକ୍ଷା ସାମାନ୍ୟ ଅଧିକ କରି ୨.୫୧ କୋଟି ଟଙ୍କା କଲା । ପୁରସ୍କାର ରାଶି ବଢାଇବା ପାଇଁ ରାଜ୍ୟ-ରାଜ୍ୟ ମଧ୍ୟରେ ଲାଗିଥିବା ଅନାବଶ୍ୟକ ପ୍ରତିଯୋଗିତା ଏକ ପ୍ରକାର ଆତ୍ମବଡିମା ପ୍ରଦର୍ଶନ ପାଇଁ ଅଭିପ୍ରେତ ଥିଲା ପରି ପ୍ରତୀତ ହେଉଛି । ବରଂ କ୍ରୀଡା କ୍ଷେତ୍ରରେ ଭିତ୍ତିଭୂମି ବିକାଶ, ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସୁନିଶ୍ଚିତ କରାଯିବା ସହିତ ଉତ୍କର୍ଷ ହାସଲ କରୁଥିବା ଖେଳାଳୀଙ୍କ ବ୍ୟକ୍ତିଗତ ଆବଶ୍ୟକତାକୁ ପୂରଣ କରିବା ପାଇଁ ହେଉଥିବା ସମସ୍ତ ବ୍ୟୟକୁ ବହନ କରିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଗଲେ ତାହା କ୍ରୀଡାର ସାମଗ୍ରିକ ଉନ୍ନତି ସାଧନରେ ବେଶି ସହାୟକ ଓ ଫଳପ୍ରଦ ହୋଇପାରନ୍ତା ।


Published in Odisha Reporter on August 13, 2021

 

Comments

  1. Very nice article.Players should be honoured but not by this way.Thete should some policy for the maximum amount to be paid to each player.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍