ଗଙ୍ଗା ନଦୀରେ ଅନେକ ଶବ ଭାସୁଥିବାର ଦୃଶ୍ୟ ଅସଂଖ୍ୟଙ୍କୁ ବ୍ୟଥିତ କରିଛି । ନିଜକୁ କେତେ ଅସହାୟ ମଣିଲେ ଯାଇ ଜଣେ ପ୍ରିୟଜନଙ୍କ ମୃତ ଶରୀରକୁ ନଦୀରେ ଭସାଇବାର ଚରମ ନିଷ୍ପତ୍ତି ନେଇପାରେ ? ମୃତ୍ୟୁର ଆଘାତରୁ ବର୍ତ୍ତିବା ପୂର୍ବରୁ ସମ୍ଭବତଃ ମୃତକଙ୍କ ଆତ୍ମୀୟମାନେ ଆମ୍ୱୁଲାନ୍ସ, ପଣ୍ଡା, ଶ୍ମଶାନରେ ଏପରି ଶୋଷଣର ଶିକାର ହୋଇଥିବେ ଯେ ଆର୍ଥିକ ଅସ୍ୱଚ୍ଛଳତା କାରଣରୁ ମୃତଦେହକୁ ନଦୀରେ ଭସାଇବା ଭିନ୍ନ ସେମାନଙ୍କ ଆଗରେ ଅନ୍ୟ ବିକଳ୍ପ ନ ଥିବ । ଏପରି କ୍ଷେତ୍ରରେ ଶବ ପ୍ରତି ହେଉଥିବା ଅମର୍ଯ୍ୟାଦାକୁ ପ୍ରତିହତ କରିବାକୁ ସରକାର ବା ସମାଜକୁ ଆଗେଇ ଆସିବାର ଥିଲା । ମୃତଦେହଗୁଡିକ ପ୍ରତି ହେଉଥିବା ପାରିବାରିକ, ସାମାଜିକ ଓ ସରକାରୀ ସ୍ତରରେ ଅମର୍ଯ୍ୟାଦା ଚିନ୍ତାଜନକ ଓ ତାହା ସୁଧାରିବାର ଆବଶ୍ୟକତା ରହିଛି । କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ କହିବାର ଥିଲା ଦୈହିକ ଦୂରତା ରକ୍ଷା କର । କୁହାଗଲା ସାମାଜିକ ଦୂରତା ରକ୍ଷା କର । ପାଶ୍ଚାତ୍ୟ ସମାଜରେ ସାମାଜିକ ଦୂରତାକୁ ଯେଉଁ ଅର୍ଥରେ ବୁଝାଯାଏ, ଭାରତରେ ତା’ର ଅର୍ଥ ଠିକ୍ ସେଇଆ ନୁହେଁ । ଅନେକେ ସାମାଜିକ ଦୂରତାକୁ ସାମାଜିକ ବାଛନ୍ଦ ବୋଲି ଧରି ନେଇ ତଦନୁଯାୟୀ ଆଚରଣ କରିବାକୁ ଲାଗିଲେ । ଲୋକେ ସମାଜଠାରୁ ଦୂରେଇ ରହିଲେ ଓ ସେମାନଙ୍କଠାରେ ନିଜର ଓ ନିଜ ପରିବାରର କୋଷା ଭିତରେ ରହିବାର ପ୍ରବୃତ୍ତି କ୍ରମଶଃ ବୃଦ୍ଧି ପାଇବାକୁ ଲାଗିଲା । ଏପରିକି ଘର ଭିତରେ କେହି ...