Skip to main content

ବିଶ୍ୱ ନାଟ୍ୟ ଦିବସ ଓ ବ୍ରିଟିଶ ଅଭିନେତ୍ରୀ ହେଲେନ ମିରେନ

ଅନ୍ତର୍ଜାତୀୟ ଥିଏଟର ଇନଷ୍ଟିଚ୍ୟୁଟ ଦ୍ୱାରା ୧୯୬୨ ମସିହାରୁ ପ୍ରତି ବର୍ଷ ମାର୍ଚ୍ଚ ୨୭ ତାରିଖଟିକୁ ସାରା ବିଶ୍ୱରେ ବିଶ୍ୱ ନାଟ୍ୟ ଦିବସ ରୂପେ ପାଳିତ ହୋଇ ଆସୁଛି । ଏହି ଅବସରରେ ବିଶ୍ୱର ଜଣେ ପ୍ରତିଷ୍ଠିତ ନାଟ୍ୟ ବ୍ୟକ୍ତିତ୍ୱଙ୍କଠାରୁ ଏକ ବାର୍ତ୍ତା ସଂଗୃହୀତ ହୋଇ ତାହା ସେହି ବର୍ଷର ବିଶ୍ୱ ନାଟ୍ୟ ସନ୍ଦେଶ ଭାବେ ବିଭିନ୍ନ ଭାଷାରେ ଅନୁଦିତ ହୋଇ ପ୍ରସାରିତ ହୋଇଥାଏ । ୨୦୨୧ ମସିହାର ବିଶ୍ସ ନାଟ୍ୟ ବାର୍ତ୍ତା ପ୍ରଦାନ କରିବା ପାଇଁ ପ୍ରଖ୍ୟାତ ବ୍ରିଟିଶ ଅଭିନେତ୍ରୀ ହେଲେନ ମିରେନଙ୍କୁ ମନୋନୀତ କରାଯାଇଛି । ସେ ଦେଇଥିବା ବାର୍ତ୍ତାଟି ନିମ୍ନ ପ୍ରକାରେ :

“ଜୀବନ୍ତ ପରିବେଷଣ ପାଇଁ ଏହା ଏକ ଅତି କଠିନ ସମୟ ଓ ଅନେକ କଳାକାର, ଟେକନିସିଆନ, କୁଶଳୀ କାରିଗର ଏବଂ ମହିଳା ଏ ପରି ଏକ ବୃତ୍ତିରେ ସଂଘର୍ଷ କରି ଚାଲିଛନ୍ତି ଯାହା ପୂର୍ବରୁ ମଧ୍ୟ ଅସୁରକ୍ଷାରେ ଭରା ।

ହୁଏତ ସବୁବେଳେ ରହି ଆସିଥିବା ଏହି ଅସୁରକ୍ଷାର ଭାବନା ସେମାନଙ୍କୁ ମହାମାରୀ ସମୟରେ ନିଜ ବୁଦ୍ଧି ଓ ସାହସର ଉପଯୋଗ କରି ତିଷ୍ଠି ରହିବାକୁ ଅଧିକ ସାମର୍ଥ୍ୟ ପ୍ରଦାନ କରିଛି ।

ଇତିମଧ୍ୟେ ଏହି ପରିବର୍ତ୍ତିତ ପରିସ୍ଥିତିରେ ସେମାନଙ୍କ କଳ୍ପନା, ସନ୍ଧାନୀ, ମନୋରଞ୍ଜକ ହୋଇ ଯୋଗଯୋଗର ଚଳମାନ ଉପାୟଗୁଡିକୁ ଖୋଜି ବାହାର କରି ପାରିଛି, ଅବଶ୍ୟ ଏଥିପାଇଁ ଇଣ୍ଟରନେଟକୁ ଅନେକଟା ଶ୍ରେୟ ଦେବାକୁ ହେବ ।

ମଣିଷ ଯେବେଠାରୁ ଏଇ ଧରାପୃଷ୍ଠରେ ଅଛି, ସେବେଠାରୁ ପରସ୍ପରକୁ କାହାଣୀ ଶୁଣାଇ ଆସିଛି । ଆମେ ଏଠାରେ ଥିବା ପର୍ଯ୍ୟନ୍ତ ନାଟକର ସୁନ୍ଦର ସଂସ୍କୃତି ବଞ୍ଚି ରହିଥିବ ।

ଲେଖକ, ରଚୟିତା, ନୃତ୍ୟଶିଳ୍ପୀ, ଗାୟକ, ଅଭିନେତା, ସଙ୍ଗୀତଶିଳ୍ପୀ, ନିର୍ଦ୍ଦେଶକମାନଙ୍କ ସୃଜନଶୀଳ ତାଗିଦ କେବେ ବି ଶ୍ୱାସରୁଦ୍ଧ ହେବ ନାହିଁ ଓ ତାହା ନୂତନ ଶକ୍ତି ଏବଂ ଆମେ ବଞ୍ଚୁଥିବା ପୃଥିବୀକୁ ନୂଆ କରି ବୁଝିବା ମାଧ୍ୟମରେ ଖୁବ ଶୀଘ୍ର ପୁଣି ଥରେ ବିକଶିତ ହେବ ।  

ମୁଁ ଅପେକ୍ଷା କରି ପାରିବିନି !”

ହେଲେନ ମିରେନଙ୍କ ପ୍ରକୃତ ନାମ ଇଲିଆନା ଲିଡିଆ ପେଟ୍ରୋଭନା ମିରୋନୋଭା । ଋଷୀୟ ମୂଳର ଏହି ବ୍ରିଟିଶ ଅଭିନେତ୍ରୀ ୧୯୪୫ ମସିହାରେ ଲଣ୍ଡନଠାରେ ଜନ୍ମ ଗ୍ରହଣ କରିଥିଲେ । ମାତ୍ର ୧୩ ବର୍ଷ ବୟସରେ ସେ ଏକ ସୌଖୀନ ନାଟ୍ୟ ସଂସ୍ଥାରେ ‘ହାମଲେଟ’ ନାଟକ ଦେଖିବା ପରେ ନାଟକ ପ୍ରତି ଆକୃଷ୍ଟ ହୋଇ ପଡିଥିଲେ । ତା ଛଡା ଘରେ ଟେଲିଭିଜନ ନ ଥିବାରୁ ଓ ସିନେମା ଦେଖିବାର ସୁଯୋଗ ନ ଥିବାରୁ ତାଙ୍କର ନାଟକ ପ୍ରତି ଆକର୍ଷଣ ଥିଲା ସ୍ୱାଭାବିକ । ତେବେ ସେଣ୍ଟ ବର୍ଣ୍ଣାଡ ହାଇସ୍କୁଲରେ ପଢିବା ବେଳେ ତାଙ୍କର ଜଣେ ଶିକ୍ଷକଙ୍କ ପ୍ରରୋଚନାରେ ସେ ନ୍ୟାସନାଲ ୟୁଥ ଥିଏଟର ପାଇଁ ଦରଖାସ୍ତ ପକାଇ ଅଡିସନ ଦେଇଥିଲେ ।  କୃତକାର୍ଯ୍ୟ ହେବାରୁ ତାଙ୍କୁ ସେଥିରେ ଗ୍ରହଣ କରି ନିଆ ଯାଇଥିଲା । ୧୯୬୫ ମସିହାରେ ନ୍ୟାସନାଲ ୟୁଥ ଥିଏଟରରେ ‘ଆଣ୍ଟୋନି ଆଣ୍ଡ କ୍ଲିଓପେଟ୍ରା’ ନାଟକରେ କ୍ଲିଓପେଟ୍ରା ଚରିତ୍ରରେ ତାଙ୍କ ସୁନ୍ଦର ଅଭିନୟ ଅନେକଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲା ଓ ରୟାଲ ସେକସପିଅର କମ୍ପାନୀ (ଆରଏସସି) ନାଟ୍ୟ ଦଳରେ ଯୋଗ ଦେବା ପାଇଁ ତାଙ୍କୁ ଆମନ୍ତ୍ରଣ ମିଳିଲା । ସେଠାରେ ସେ ପ୍ରାୟ ୨୦ଟି ନାଟକରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିବା ସହ କେତୋଟି ନାଟକର ମୁଖ୍ୟ ଚରିତ୍ରରେ ମଧ୍ୟ ଅଭିନୟ କରିବାର ସୁଯୋଗ ପାଇଲେ । ପ୍ରାରମ୍ଭିକ ଅବସ୍ଥାରେ ସେ ‘ଦି ରିଭେଞ୍ଜର୍ସ ଟ୍ରାଜେଡି’, ‘ଟ୍ରଇଲସ ଆଣ୍ଡ କ୍ରେସିଡା’ ଆଦି କେତେକ ନାଟକରେ ଯୌନୋଦ୍ଦୀପକ ଚରିତ୍ରରେ ଅଭିନୟ କରିଥିବାରୁ ତାଙ୍କୁ ‘ସେକ୍ସ କୁଇନ ଅଫ ଷ୍ଟ୍ରାଟଫୋର୍ଡ’ର ଆଖ୍ୟା ଦିଆ ଯିବାକୁ ଲାଗିଲା, ଯାହାକୁ ସେ ଗ୍ରହଣ ନ କରି ବିରକ୍ତି ପ୍ରକାଶ କରିଥିଲେ ।  ଆରଏସସି ସହ ଚାରି ବର୍ଷ କାମ କରିବା ପରେ ସେ ପ୍ରଖ୍ୟାତ ନିର୍ଦ୍ଦେଶକ ପିଟର ବ୍ରୁକଙ୍କ ବହୁଦେଶୀୟ କଳାକାରଙ୍କୁ ନେଇ ପ୍ରତିଷ୍ଠିତ ‘ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଥିଏଟର ରିସର୍ଚ୍ଚ’ରେ ଯୋଗ ଦେଇ ଆମେରିକା, ମଧ୍ୟ ପ୍ରାଚ୍ୟ ଓ ଆଫ୍ରିକାର ବିଭିନ୍ନ ଦେଶରେ ନିଜ ଅଭିନୟ କଳା ପ୍ରଦର୍ଶନ କରିବାର ସୁଯୋଗ ପାଇଲେ । ଏହା ପରେ ସେ ଲଣ୍ଡନର ‘ୱେଷ୍ଟ ଏଣ୍ଡ’, ‘ଫ୍ରିଞ୍ଜ’, ‘ଆରଏସସି’, ‘ନ୍ୟାସନାଲ ଥିଏଟର’ ଓ ନିଉୟର୍କର ‘ବ୍ରଡୱେ’ ସହ ସଂଯୁକ୍ତ ରହି ବିଭିନ୍ନ ନାଟକରେ ଅଭିନୟ କରିଥିଲେ ଓ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରିଥିଲେ । କେବଳ ସେତିକି ନୁହେଁ, ସେ ଇଭାନ ତୁର୍ଗେନେଭଙ୍କ ରଚିତ ଏବଂ ବିଲ ବ୍ରାଇଡେନଙ୍କ ନିର୍ଦ୍ଦେଶିତ ‘ଏ ମନ୍ଥ ଇନ ଦି କଣ୍ଟ୍ରି’ (୧୯୯୫) ଓ ନାଟ୍ୟକାର ଅଗଷ୍ଟ ଷ୍ଟ୍ରିଣ୍ଡବର୍ଗଙ୍କ ରଚିତ ଏବଂ ସିଆନ ମଥିଆସଙ୍କ ନିର୍ଦ୍ଦେଶିତ ‘ଡାନ୍ସ ଅଫ ଡେଥ’ (୨୦୦୨)ରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ଦୁଇ ଥର ଟୋନି ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ ।

ରଙ୍ଗମଞ୍ଚରେ ଅଭିନୟ କରିବା ସହିତ ସେ ଉଭୟ ସିନେମା ଓ ଟେଲିଭିଜନରେ ଅଭିନୟ କରି ନିଜର ଉତ୍କର୍ଷତା ପ୍ରଦର୍ଶନ କରିଛନ୍ତି । ୧୯୮୦ ମସିହାରେ ସେ ‘ଦି ଲଙ୍ଗ ଗୁଡ ଫ୍ରାଇ ଡେ’ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ତାଙ୍କ ଫିଲ୍ମ ଅଭିନୟର କ୍ୟାରିଅର ଆରମ୍ଭ କରିଥିଲେ । ସେ ଷାଠିଏରୁ ଅଧିକ ଫିଲ୍ମରେ ବିଭିନ୍ନ ପ୍ରକାର ଚରିତ୍ରରେ ଅଭିନୟ କରିଛନ୍ତି । ତାଙ୍କର ଚର୍ଚ୍ଚିତ ଫିଲ୍ମଗୁଡିକ ଭିତରୁ କେତୋଟି ହେଲା, ‘କାଲ’, ‘ଦି କୁଇନ’, ‘ଦି ଲଙ୍ଗ ଗୁଡ ଫ୍ରାଇ ଡେ’, ‘ଗସଫୋର୍ଡ ପାର୍କ’, ‘କ୍ୟାଲେଣ୍ଡର ଗାର୍ଲସ’, ‘ଆଇ ଇନ ଦି ସ୍କାଏ’, ‘ଦି ଲାଷ୍ଟ ଷ୍ଟେସନ’, ‘ଦି ମ୍ୟାଡନେସ ଅଫ କିଙ୍ଗ ଜର୍ଜ’, ‘ହିଚକକ’, ‘ରେଡ’, ‘ଏକସକ୍ୟାଲିବର’ ଇତ୍ୟାଦି । ମିରେନ ‘ପ୍ରାଇମ ସସପେକ୍ଟ’ ନାମକ ଏକ ଟେଲିଭିଜନ ଧାରାବାହିକରେ ଡିଟେକ୍ଟିଭ ଇନସପେକ୍ଟର ଜେନ ଟେନିସନ ଭୂମିକାରେ ଅବତୀର୍ଣ୍ଣ ହୋଇ ତାଙ୍କ ସୁନ୍ଦର ଅଭିନୟ ପାଇଁ ବହୁଳ ଭାବେ ପ୍ରଶଂସିତ ହୋଇଥିଲେ । ଏହି ଧାରାବାହିକଟି ୧୯୯୨ରୁ ଆରମ୍ଭ ହୋଇ ପ୍ରଚୁର ଦର୍ଶକୀୟ ଆଦୃତି ଲାଭ କରି ୨୦୦୬ ମସିହା ପର୍ଯ୍ୟନ୍ତ ଚାଲିଥିଲା । ଏହା ଛଡା ‘କଜିନ ବେଟ’, ‘ଆଜ ୟୁ ଲାଇକ ଇଟ’, ‘ଟ୍ୱିଲାଇଟ ଜୋନ’ ‘ଡେଡ ଉମେନସ ସୁଜ’, ‘ଦି ପାସନ ଅଫ ଆଇନ ରାଣ୍ଡ’, ‘ଡୋର ଟୁ ଡୋର’ ଆଦି ଟେଲିଭିଜନ ନାଟକରେ ତାଙ୍କ ଅଭିନୟ ବେଶ ପ୍ରଶଂସିତ ହୋଇଥିଲା ।   

୭୫ ବର୍ଷୀୟା ହେଲେନ ମିରେନ ହେଉଛନ୍ତି ବିଶ୍ୱର ଏକମାତ୍ର ଅଭିନେତା ଯିଏ ତାଙ୍କ ଅଭିନୟର ଶ୍ରେଷ୍ଠତା ପାଇଁ ଉଭୟ ଆମେରିକା ଓ ବ୍ରିଟେନର ସର୍ବୋଚ୍ଚ ତ୍ରିମୁକୁଟ ହାସଲ କରିବାର ସୌଭାଗ୍ୟ ହାସଲ କରିଛନ୍ତି । ଆମେରିକାରେ ଅଭିନୟ ପାଇଁ ତ୍ରିମୁକୁଟ କହିଲେ ସିନେମା ପାଇଁ ଓସ୍କାର ପୁରସ୍କାର, ଟେଲିଭିଜନ ପାଇଁ ଏମି ପୁରସ୍କାର ଓ ରଙ୍ଗମଞ୍ଚ ପାଇଁ ଟୋନି ପୁରସ୍କାରକୁ ହିଁ ବୁଝାଇଥାଏ । ସେହିପରି  ବ୍ରିଟେନରେ ଅଭିନୟ ପାଇଁ ତ୍ରିମୁକୁଟ କହିଲେ ସିନେମା ପାଇଁ ବ୍ରିଟିଶ ଆକାଡେମି ଅଫ ଫିଲ୍ମ ଆଣ୍ଡ ଟେଲିଭିଜନ ଆର୍ଟସ (ବାଫତା) ଦ୍ୱାରା ପ୍ରଦତ୍ତ ବାଫତା ଫିଲ୍ମ ଆୱାର୍ଡ, ଟେଲିଭିଜନରେ ଅଭିନୟ ପାଇଁ ବାଫତା ଟେଲିଭିଜନ ଆୱାର୍ଡ ଓ ରଙ୍ଗମଞ୍ଚ ପାଇଁ ଲରେନ୍ସ ଅଲିଭିଅର ଆୱାର୍ଡକୁ ହିଁ ବୁଝାଇଥାଏ । ସେ ଆମେରିକାରେ ସିନେମା ଅଭିନୟ ପାଇଁ ସର୍ବଶ୍ରେଷ୍ଠ ଆକାଡେମି (ଓସ୍କାର) ପୁରସ୍କାର ପାଇବାକୁ ଚାରି ଥର ମନୋନୀତ ହୋଇଥିଲେ ବି ୨୦୦୬ ମସିହାରେ ‘କୁଇନ’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ତାଙ୍କୁ ପ୍ରଥମ ଥର ଲାଗି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏହି ପୁରସ୍କାର ମିଳିଥିଲା । ସେହିପରି ଟେଲିଭିଜନ ଅଭିନୟରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ତାଙ୍କ ନାମ ସର୍ବମୋଟ ୧୧ ଥର ଏମି ପୁରସ୍କାର ପାଇଁ ମନୋନୀତ ହୋଇ ସେ ‘ପ୍ରାଇମ ସସପେକ୍ଟ : ଦି ସେଣ୍ଟ ଅଫ ଡାର୍କନେସ’ (୧୯୯୬), ‘ଦି ପ୍ୟାଶନ ଅଫ ଆଇନ ରାଣ୍ଡ’ (୧୯୯୯), ‘ଏଲିଜାବେଥ ୧’ (୨୦୦୬) ଓ  ‘ପ୍ରାଇମ ସସପେକ୍ଟ : ଦି ଫାଇନାଲ ଆକ୍ଟ ଅଫ ଡାର୍କନେସ’ (୨୦୦୭) ଆଦି ପାଇଁ ସମୁଦାୟ ୪ ଥର ଏହି ପୁରସ୍କାର ପାଇଥିଲେ । ରଙ୍ଗମଞ୍ଚର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ତାଙ୍କ ନାମ ଟୋନି ଆୱାର୍ଡ ପାଇଁ ତିନି ଥର ମନୋନୀତ ହୋଇଥିଲେ ବି ୨୦୧୫ ମସିହାରେ ତାଙ୍କୁ ‘ଦି ଅଡିଏନ୍ସ’ ନାଟକରେ ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଭୂମିକାରେ ଅଭିନୟ ପାଇଁ ଏହି ପୁରସ୍କାର ପ୍ରଦାନ କରା ଯାଇଥିଲା । ଉଲ୍ଲେଖଯୋଗ୍ୟ, ଆମେରିକାରେ ଏ ଯାବତ୍ ଅଭିନୟ ପାଇଁ ମାତ୍ର ୨୪ ଜଣ ଅଭିନେତା ତ୍ରିମୁକୁଟ ହାସଲ କରି ପାରିଛନ୍ତି । ଟେଲିଭିଜନ ସିରିଜ ‘ପ୍ରାଇମ ସସପେକ୍ଟ’ରେ ଅଭିନୟ ପାଇଁ ତାଙ୍କୁ ଲଗାତର ଭାବେ ତିନି ବର୍ଷ (୧୯୯୨, ୧୯୯୩, ୧୯୯୪) ବ୍ରିଟେନର ସର୍ବୋଚ୍ଚ ‘ବାଫତା ଟେଲିଭିଜନ ଆୱାର୍ଡ’ ମିଳିଥିଲା । ତାଙ୍କୁ ‘କୁଇନ’ ସିନେମାରେ ଅଭିନୟ ପାଇଁ ୨୦୦୬ ମସିହାରେ ‘ବାଫତା ଫିଲ୍ମ ଆୱାର୍ଡ’ ମିଳିଥିଲା । ନାଟ୍ୟକାର ପିଟର ମୋରଗାନଙ୍କ ରଚିତ ଓ ଷ୍ଟିଫେନ ଡାଲଡ୍ରିଙ୍କ ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ନାଟକ ‘ଦି ଅଡିଏନ୍ସ’ ନାଟକରେ ଅଭିନୟ ପାଇଁ ତାଙ୍କୁ ୨୦୧୩ ମସିହାରେ ‘ଲରେନ୍ସ ଅଲିଭିଅର’ ପୁରସ୍କାର ପ୍ରଦାନ କରା ଯାଇଥିଲା । ହେଲେନ ମିରେନଙ୍କ ସମେତ ସମୁଦାୟ ୮ ଜଣ ଅଭିନୟ ପାଇଁ ବ୍ରିଟେନର ତ୍ରିମୁକୁଟ ହାସଲ କରିବାକୁ ସମର୍ଥ ହୋଇଛନ୍ତି । ଏତଦଭିନ୍ନ ସେ ଗୋଲଡନ ଗ୍ଲୋବ ଆୱାର୍ଡ ଓ ଆହୁରି ଅନେକ ପୁରସ୍କାରରେ ସମ୍ମାନିତ ହେବା ସହ କାନସ ଫିଲ୍ମ ଫେଷ୍ଟିଭାଲ ଓ ଭେନିସ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଶ୍ରେଷ୍ଟ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇ ସାରିଛନ୍ତି । ସେ ଏକ ମାତ୍ର ଅଭିନେତ୍ରୀ ଯେ ଉଭୟ ରାଣୀ ପ୍ରଥମ ଏଲିଜାବେଥ ଓ ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ସୁଦୀର୍ଘ ଅଭିନୟ କ୍ୟାରିଅରରେ ସେ କ୍ଲିଓପେଟ୍ରା ଓ କ୍ୟଥେରିନଙ୍କ ସମେତ ଛଅ ଜଣ ରାଣୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ସାମ୍ରାଜ୍ଞୀଙ୍କ ଚରିତ୍ରରେ ଅଭିନୟ କଲା ବେଳେ ମଧ୍ୟ ସେ ସେହି ଚରିତ୍ରର ଗରିମା ଓ ଦୃଢ ନିଶ୍ଚୟକୁ ସୁନ୍ଦର ଭାବେ ପରିସ୍ଫୁଟିତ କରି ପାରିଛନ୍ତି । ନାଟକ କ୍ଷେତ୍ରକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ଲାଗି ୨୦୦୩ ମସିହାରେ ବ୍ରିଟେନର ରାଣୀଙ୍କ ଦ୍ୱାରା ତାଙ୍କୁ ଡେମ (ଡିବିଇ) ଭାବେ ନିଯୁକ୍ତି ପ୍ରଦାନ କରା ଯାଇଥିଲା ।

‘କାଲିଗୁଲା’, ‘ଦି କୁକ, ଦି ଥିଫ, ହିଜ ୱାଇଫ ଆଣ୍ଡ ହାର ଲଭର’ ଭଳି କେତେକ ଫିଲ୍ମରେ ତାଙ୍କ ଦ୍ୱାରା ଅଭିନୀତ ଚରିତ୍ର ପାଇଁ ତାଙ୍କୁ ନିନ୍ଦିତ ହେବାକୁ ହୋଇଥିଲେ ବି ସେ ସେଥିପାଇଁ କେବେ ଅନୁତପ୍ତ ହୋଇ ନାହାନ୍ତି । ବରଂ ତାଙ୍କ ଜୀବନ ରଙ୍ଗମଞ୍ଚ ଓ କ୍ୟାମେରା ପାଇଁ ସମର୍ପିତ ବୋଲି ସେ ବାରମ୍ୱାର କହି ଆସିଛନ୍ତି । ସେ ଦୀର୍ଘ ୫୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ନିରବଚ୍ଛିନ୍ନ ଭାବେ ଅଭିନୟରେ ମଜ୍ଜି ରହିଛନ୍ତି । ଅଭିନୟର ତିନିଟି ଯାକ ଫର୍ମାଟ, ରଙ୍ଗମଞ୍ଚ, ସିନେମା ଓ ଟେଲିଭିଜନ, ରେ ନିଜ ଉତ୍କର୍ଷତା ପ୍ରତିପାଦିତ କରି ପାରିଥିବା ଏହି ପ୍ରତିଭାଶାଳୀ ଅଭିନେତାଙ୍କ ଅଭିନୟ ପ୍ରତି ନିଷ୍ଠା ଓ ସମର୍ପଣ ତଥା ତାଙ୍କ ଜୀବନ ସଂଘର୍ଷରୁ ଯୁବପିଢିଙ୍କୁ ଯେ ପ୍ରେରଣାର ଅନେକ ଉପାଦାନ ମିଳି ପାରିବ, ଏଥିରେ ସନ୍ଦେହ ନାହିଁ ।


Published in Odisha Reporter on March 27, 2021

 

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍