ଦେଶରେ ପେଟ୍ରୋଲ ଦର ଲିଟର ପିଛା ଶହେ ଟଙ୍କା ଛୁଇଁବା ପରେ ଗ୍ରାହକଙ୍କ ଆକ୍ରୋଶ ପ୍ରତ୍ୟହ ବଢିବାରେ ଲାଗିଛି । ପେଟ୍ରୋଲ ଓ ଡିଜେଲକୁ ଜିଏସଟି କର ବ୍ୟବସ୍ଥା ବାହାରେ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା ଅତ୍ୟଧିକ ଏକସାଇଜ ଓ ସେସ ଆଦାୟ ହେବା ସହ ରାଜ୍ୟମାନଙ୍କ ଦ୍ୱାରା ଭାଟ ଆଦାୟ ହେଉଥିବାରୁ ଭାରତରେ ତୈଳ ଦର ଆଶାତୀତ ଭାବେ ବୃଦ୍ଧି ପାଇ ପଡୋଶୀ ଦେଶ ନେପାଳ, ବଙ୍ଗଳାଦେଶ, ପାକିସ୍ତାନ, ଶ୍ରୀଲଙ୍କାରେ ପେଟ୍ରୋଲ ଓ ଡିଜେଲ ଦର ତୁଳନାରେ ଯଥେଷ୍ଟ ଅଧିକ ହୋଇଛି । ତେବେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଓ ଆମଦାନୀ ଉପରେ ଭାରତର ଅତ୍ୟଧିକ ନିର୍ଭରଶୀଳତା ଭାରତରେ ତେଲ ଦର ବଢିବାର ମୁଖ୍ୟ କାରଣ ବୋଲି ସରକାରଙ୍କ ତରଫରୁ କୁହା ଯାଉଛି, ଯାହା ଆଂଶିକ ସତ ହେଲେ ବି ସମ୍ପୂର୍ଣ୍ଣ ନୁହେଁ । ଏହି ପ୍ରସଙ୍ଗରେ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଉକ୍ତି, “ଭାରତର ଶକ୍ତି ଆବଶ୍ୟକତାର ପରିପୂରଣ ପାଇଁ ବିଦେଶରୁ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ଉପରେ ପୂର୍ବର ସରକାରମାନେ ଧ୍ୟାନ କେନ୍ଦ୍ରିତ କରିଥିଲେ ଭାରତର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଉପରେ ବୋଝ ପଡି ନ ଥାଆନ୍ତା”, ପ୍ରଣିଧାନଯୋଗ୍ୟ । ଏହା ଭାରତର ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ଓ ତାହା ହ୍ରାସ କରିବା ପାଇଁ ପୂର୍ବର ଏବଂ ଏବର ସରକାରଙ୍କ ପ୍ରୟାସ ଓ ତା’ର ଫଳାଫଳକୁ ତର୍ଜମା କରିବାର ଅବକାଶ ସୃଷ୍ଟି କରିଛି ।
ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଭାରତରେ ପେଟ୍ରୋଲର ଦର ବୃଦ୍ଧିକୁ କଟାକ୍ଷ କରି ୨୦୨୧ ଫେବୃଆରି ୨ରେ ଟୁଇଟ କରିଥିଲେ, “ରାମଙ୍କ ଭାରତରେ ପେଟ୍ରୋଲ ୯୩ ଟଙ୍କା, ସୀତାଙ୍କ ନେପାଳରେ ୫୩ ଟଙ୍କା, ରାବଣର ଲଙ୍କାରେ ୫୧ ଟଙ୍କା” । ଅଧିକନ୍ତୁ, ବିଦେଶରୁ ଅଶୋଧିତ ତେଲ ଆଣି ଭାରତରେ ତାକୁ ବିଶୋଧନ କରି ଭାରତ ହିଁ ନେପାଳକୁ ପେଟ୍ରୋଲ ଓ ଡିଜେଲ ଯୋଗାଇଥାଏ । ତଥାପି ସେଠାରେ ପେଟ୍ରୋଲ ଦର ଭାରତ ଅପେକ୍ଷା ଲିଟର ପିଛା ୨୦-୨୫ ଟଙ୍କା ଶସ୍ତା ଥିବାରୁ ନେପାଳ-ଭାରତ ସୀମାବର୍ତ୍ତୀ ଅଞ୍ଚଳଗୁଡିକରେ ତା’ର ବ୍ୟାପକ ଚୋରା କାରବାର ଚାଲିଛି । ଏଥିରୁ ସ୍ପଷ୍ଟ ଯେ କେବଳ ବିଦେଶରୁ ଆମଦାନୀ ହେବା ବା ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ଦର ଅଧିକ ଥିବାରୁ ଭାରତରେ ତେଲ ଦର ବଢୁ ନାହିଁ । ତାହା ହୋଇଥିଲେ ନେପାଳରେ ବି ପେଟ୍ରୋଲ ଦର ଆଶାତୀତ ଭାବେ ବଢିଥାଆନ୍ତା । ବିଶ୍ୱର ୧୧୭ଟି ଦେଶ ସେମାନଙ୍କ ତେଲ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମଦାନୀ ଉପରେ ନିର୍ଭର କରୁଥିଲେ ମଧ୍ୟ ଭାରତ ଭଳି କୌଣସି ଦେଶରେ ତେଲର ଏପରି ମୂଲ୍ୟ ବୃଦ୍ଧି ଘଟି ଗ୍ରାହକ ଅତିଷ୍ଠ ହୋଇ ପଡିନାହାନ୍ତି ।
‘ଇଣ୍ଡିଆ ଏନର୍ଜି ଆଉଟଲୁକ’ର ୨୦୨୧ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଭାରତ ବିଶ୍ୱର ତୃତୀୟ ବୃହତ୍ ଶକ୍ତି ବ୍ୟବହାରକାରୀ ଦେଶ । ଲୋକଙ୍କ ଆୟରେ ବୃଦ୍ଧି ଓ ଜୀବନ ଧାରଣର ମାନରେ ଉନ୍ନତି ଯୋଗୁ ୨୦୦୦ ମସିହାରୁ ମାତ୍ର ୨୦ ବର୍ଷ ଭିତରେ ଶକ୍ତିର ବ୍ୟବହାର ପ୍ରାୟ ଦୁଇ ଗୁଣ ବଢିଛି ଓ ଆଗାମୀ ଦିନରେ ଏହା ଆହୁରି ଅଧିକ ବଢିବାକୁ ଯାଉଛି । ଏବେ ଭାରତରେ ଦୈନିକ ୪୭ ଲକ୍ଷ ବ୍ୟାରେଲ ତୈଳ ଉପଯୋଗ ହେଉଥିବା ବେଳେ ୨୦୪୦ ମସିହା ବେଳକୁ ତାହା ୮୭ ଲକ୍ଷ ବ୍ୟାରେଲରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । ଅନ୍ୟ ପକ୍ଷରେ ୨୦୧୬ ମସିହାରେ ଦେଶ ଭିତରେ ଅଶୋଧିତ ତୈଳ ଉତ୍ପାଦନ ଦୈନିକ ୧୦ ଲକ୍ଷ ବ୍ୟାରେଲ ଥିବା ବେଳେ ତାହା କ୍ରମାଗତ ଭାବେ ହ୍ରାସ ପାଇ ୨୦୨୦ରେ ୭.୫ ଲକ୍ଷ ବ୍ୟାରେଲରେ ପହଞ୍ଚିଲାଣି । ୨୦୧୫ ମାର୍ଚ୍ଚରେ ‘ଉର୍ଜା ସଙ୍ଗମ’ ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୩-୧୪ରେ ବିଦେଶରୁ ଆମଦାନୀ ତୈଳ ଉପରେ ଥିବା ୭୭ ପ୍ରତିଶତ ନିର୍ଭରଶୀଳତାକୁ ୨୦୨୨ ସୁଦ୍ଧା ୧୦ ପ୍ରତିଶତ କମ କରି ୬୭ ପ୍ରତିଶତରେ ପହଞ୍ଚାଇବାକୁ ହେବ । ତେବେ ବିଗତ ୬ ବର୍ଷ ମଧ୍ୟରେ ସେହି ନିର୍ଭରଶୀଳତା କମ ହେବା ପରିବର୍ତ୍ତେ ବୃଦ୍ଧି ପାଇ ପ୍ରାୟ ୮୫ ପ୍ରତିଶତରେ ପହଞ୍ଚି ସାରିଲାଣି । ଆସନ୍ତା ଦୁଇ ଦଶକ ମଧ୍ୟରେ ଅଶୋଧିତ ତୈଳର ଆମଦାନୀ ପାଇଁ ତିନି ଗୁଣ ଅର୍ଥର ଆବଶ୍ୟକତା ଉପୁଜିବ ଓ ତୈଳ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା ୯୦ ପ୍ରତିଶତରୁ ବି ଅଧିକ ହେବ । ଫଳରେ ଭାରତକୁ ଅତ୍ୟଧିକ ତୈଳ ଦର ବୃଦ୍ଧି ଓ ତୈଳ ଯୋଗାଣରେ ବ୍ୟାହତ ଜନିତ ସମସ୍ୟାର ବାରମ୍ୱାର ସମ୍ମୁଖୀନ ହେବାକୁ ହୋଇପାରେ, ଯାହାର ଅର୍ଥନୀତି ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡିବାର ଆଶଙ୍କା ଦେଖା ଦେଇପାରେ ।
ତୈଳ ଆମଦାନୀ ଉପରେ ନିର୍ଭରଶୀଳତା କମ ହେଲେ ରାଜସ୍ୱ ସଞ୍ଚୟ ସହ ବିତ୍ତୀୟ ନିଅଣ୍ଟ ହ୍ରାସ କରିବାରେ ମଧ୍ୟ ତାହା ସହାୟକ ହୋଇଥାଏ । ଟଙ୍କାର ବିନିମୟ ମୂଲ୍ୟରେ ଅସ୍ଥିରତା କମ ହୋଇ ଡଲାର ତୁଳନାରେ ଟଙ୍କା ସ୍ଥିର ଓ ସୁଦୃଢ ହୋଇଥାଏ । ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମ ହେଲେ ଦେଶର ତୈଳ ଆମଦାନି ଜନିତ ବ୍ୟୟ ବୃଦ୍ଧି ପାଇଥାଏ ଓ ଦେଶରେ ତେଲର ଦର ବୃଦ୍ଧି ପାଇଥାଏ । ଏନଡିଏ ସରକାର ଶାସନକୁ ଆସିଲା ବେଳକୁ ୨୦୧୪ ମସିହା ମେ ୨୯ରେ ଏକ ଆମେରିକୀୟ ଡଲାରର ବିନିମୟ ମୂଲ୍ୟ ୫୯ ଟଙ୍କା ଥିଲା ବେଳେ ବର୍ତ୍ତମାନ ତାହା ୭୨ ଟଙ୍କା ଟପି ସାରିଲାଣି । ବସ୍ତୁତଃ ଡଲାର ତୁଳନାରେ ଟଙ୍କାର ଏହି ଅବମୂଲ୍ୟାୟନ ଦେଶରେ ବର୍ତ୍ତମାନ ତୈଳ ଦର ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ । ତେଣୁ ତୈଳ ଆମଦାନୀ ଉପରେ ନିର୍ଭରଶୀଳତାକୁ କମ କରିବା ପାଇଁ ବିଭିନ୍ନ ସମୟରେ ସରକାରମାନେ ପ୍ରୟାସ କରି ଆସିଛନ୍ତି । ୟୁପିଏ ସରକାର ଅମଳରେ ଏଥିପାଇଁ ଡଃ ବିଜୟ କେଲକରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା, ଯାହା ୨୦୧୩ ଓ ୨୦୧୪ ମସିହାରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିଥିଲେ । ତଦନୁଯାୟୀ ଦେଶରେ କିଛି ପଦକ୍ଷେପ ନିଆ ଯାଇଥିଲା ମଧ୍ୟ । ଏନଡିଏ ସରକାର ଶାସନ ଦାୟିତ୍ୱ ଗ୍ରହଣ କଲା ପରେ ଅନିଲ କାକୋଦକରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚ ସ୍ତରୀୟ କମିଟି ତୈଳ ଆମଦାନୀ ନିର୍ଭରତାକୁ ହ୍ରାସ କରିବା ପାଇଁ ଏକ ଖସଡା ପ୍ରସ୍ତୁତ କରିବା ସହ ଏକ ପାଞ୍ଚ ସୂତ୍ରୀ କୌଶଳକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ସେଥିରେ (୧) ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା, (୨) ଶକ୍ତି ଦକ୍ଷତାକୁ ବୃଦ୍ଧି କରିବା ସହ ଶକ୍ତି ସଂରକ୍ଷଣ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବା, (୩) ଚାହିଦାର ବିକଳ୍ପ ଉପରେ ଗୁରୁତ୍ୱ ଦେବା, (୪) ପ୍ରୟୋଗକୁ ଆସି ନ ଥିବା ବିଭିନ୍ନ ପ୍ରକାର ଜୈବ ଇନ୍ଧନ, ବିକଳ୍ପ ତଥା ଅକ୍ଷୟ ଇନ୍ଧନର ପ୍ରୟୋଗର ସମ୍ଭାବନା ଉପରେ ଗୁରୁତ୍ୱ ଦେବା (୫) ତୈଳ ବିଶୋଧନାଗାର (ରିଫାଇନେରି)ଗୁଡିକର ବିଶୋଧନ ପ୍ରକ୍ରିୟାରେ ସୁଧାର ଆଣିବା, ଆଦି ପରାମର୍ଶ ରହିଛି ।
ଘରୋଇ ତୈଳ ଉତ୍ପାଦନ ବଢାଇବାକୁ ହେଲେ ନୂଆ ନୂଆ ତୈଳ କ୍ଷେତ୍ର ଆବିଷ୍କାର ହେବା ନିହାତି ଆବଶ୍ୟକ । ଓଏନଜିସି ଦ୍ୱାରା ଦେଶର ତୈଳ ଉତ୍ପାଦନର ୬୩ ପ୍ରତିଶତ ଓ ପ୍ରାକୃତିକ ଗ୍ୟାସ ଉତ୍ପାଦନର ୭୫ ପ୍ରତିଶତ ହୋଇଥାଏ । ନୂଆ ତୈଳ କ୍ଷେତ୍ରର ଅନୁସନ୍ଧାନ ପାଇଁ ମଧ୍ୟ ଓଏନଜିସି ପ୍ରୟାସ କରିଥାଏ । ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଅଶୋକନଗରରେ ୨୦୧୮ ମସିହାରେ ଏକ ନୂଆ ତୈଳ କ୍ଷେତ୍ର ଆବିଷ୍କୃତ ହେଲା ପରେ ଓଏନଜିସିର ଅନୁସନ୍ଧାନ ଉଦ୍ୟମ ଅନେକଟା ଧୀମେଇ ଯାଇଛି । ଏହାର ଏକ ମୁଖ୍ୟ କାରଣ ହେଉଛି ଓଏନଜିସିର ନଗଦ ପାଣ୍ଠି (କ୍ୟାସ ରିଜର୍ଭ) ଯାହା ୨୦୧୩-୧୪ରେ ୧୦୭୯୯ କୋଟି ଟଙ୍କା ଥିଲା ବେଳେ ତାହା ହ୍ରାସ ପାଇ ୨୦୧୯-୨୦ରେ ୯୬୮ କୋଟି ଟଙ୍କାରେ ପହଞ୍ଚିଲାଣି । ଏଚପିସିଏଲ ଓ ଗୁଜରାଟ ଷ୍ଟେଟ ପେଟ୍ରୋଲିଅମ କର୍ପୋରେସନ (ଜିଏସପିସି)ର ଅଂଶଧନକୁ ଏକ ପ୍ରକାର ବାଧ୍ୟ ହୋଇ କିଣିବା ଓଏନଜିସିର ଏହି ଆର୍ଥିକ ଦୁଃସ୍ଥିତିର କାରଣ ବୋଲି କୁହାଯାଏ । ୨୦୧୪ରୁ ୨୦୨୦ ମଧ୍ୟରେ ଓଏନଜିସିର ଅନୁସନ୍ଧାନମୂଳକ କୂପ ଖନନ ବାବଦକୁ ହେଉଥିବା ଖର୍ଚ୍ଚ ପ୍ରତି ବର୍ଷ ହାରାହାରି ୧୩ ପ୍ରତିଶତ କମ ହେଉଥିବାରୁ ଘରୋଇ ତୈଳ ଉତ୍ପାଦନ ବୃଦ୍ଧିରେ ତାର ପ୍ରତିକୂଳ ପ୍ରଭାବ ଅନୁଭୂତ ହେଉଛି ।
ତୈଳ ଆମଦାନୀକୁ କମାଇବାକୁ ହେଲେ ଦେଶରେ ଅନ୍ୟ ବିକଳ୍ପ ଇନ୍ଧନର ବ୍ୟବହାରକୁ ବଢାଇ ତୈଳର ବ୍ୟବହାରକୁ କମ କରିବାକୁ ହେବ । ୨୦୨୨ ସୁଦ୍ଧା ଦେଶରେ ୧୦୦ ଗିଗାୱାଟ ସୌର ଶକ୍ତି, ୬୦ ଗିଗାୱାଟ ପବନ ଶକ୍ତି, ୧୦ ଗିଗାୱାଟ ବାଇଓ ଶକ୍ତି ଓ ୫ ଗିଗାୱାଟ କ୍ଷୁଦ୍ର ଜଳବିଦ୍ୟୁତ ଶକ୍ତି ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ଏ ପର୍ଯ୍ୟନ୍ତ ଦେଶ ସେହି ଲକ୍ଷ୍ୟ ହାସଲର ନିକଟତର ହୋଇ ପାରିନାହିଁ । ଅଧିକନ୍ତୁ, ୨୦୩୦ ସୁଦ୍ଧା ଦେଶରେ ୪୫୦ ଗିଗାୱାଟର ବିଦ୍ୟୁତ ଅକ୍ଷୟ ଶକ୍ତି ମାଧ୍ୟମରେ ଉତ୍ପାଦନ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଯାହା ସମୁଦାୟ ଶକ୍ତି ଉତ୍ପାଦନର ୪୦ ପ୍ରତିଶତ ହେବ । ଦେଶରେ ପ୍ରାକୃତିକ ଗ୍ୟାସର ବ୍ୟବହାରକୁ ବୃଦ୍ଧି କରି ଏହାକୁ ସମଗ୍ର ଶକ୍ତି ବ୍ୟୟର ୧୫ ପ୍ରତିଶତ କରିବାକୁ ସ୍ଥିର ହୋଇଛି । ଅବଶ୍ୟ ଏବେ ଦେଶରେ ବ୍ୟବହୃତ ପ୍ରାକୃତିକ ଗ୍ୟାସର ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ବିଦେଶରୁ ଆମଦାନୀ ହେଉଛି । ୨୦୩୦ ସୁଦ୍ଧା ଦେଶରେ ସମୁଦାୟ ଯାନର ୩୦ ପ୍ରତିଶତ ବିଦ୍ୟୁତ ଯାନ ହେବାର ଲକ୍ଷ୍ୟ ଥିଲେ ବି ଏବେ ତାହା ୧ ପ୍ରତିଶତରୁ ବି କମ । କାଉନସିଲ ଅଫ ଏନର୍ଜି, ଏନଭାଇରନମେଣ୍ଟ ଆଣ୍ଡ ୱାଟର (ସିଇଇଡବଲ୍ୟୁ)ର ୨୦୧୯ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶରେ ବିକ୍ରି ହେଉଥିବା ନୂଆ ଯାନ ମଧ୍ୟରୁ ୩୦ ପ୍ରତିଶତ ବିଦ୍ୟୁତ ଯାନ ହୋଇଥିଲେ କେବଳ ସେହି ବର୍ଷ ଦେଶ ୫ କୋଟି ବ୍ୟାରେଲ ଅଶୋଧିତ ତେଲ ସଞ୍ଚୟ କରି ପାରିଥାଆନ୍ତା ।
ପେଟ୍ରୋଦ୍ରବ୍ୟର ଆମଦାନୀକୁ କମ କରିବା ଲାଗି ଚିନିକଳ ଓ ଡିଷ୍ଟିଲେରିଗୁଡିକରୁ ବାହାରୁଥିବା ଇଥାନଲକୁ ପେଟ୍ରୋଲରେ ୫ ପ୍ରତିଶତ ମିଶାଇ ବିକିବା ଲାଗି ଦେଶରେ ୨୦୦୩ ମସିହାରୁ ୯ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ୨୦୦୬ ମସିହାରେ ଏହି କାର୍ଯ୍ୟକ୍ରମ ୨୦ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳକୁ ସମ୍ପ୍ରସାରିତ ହୋଇଥିବା ବେଳେ ୨୦୧୯ରୁ ତାହା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଓ ଲାକ୍ଷାଦ୍ୱୀପକୁ ବାଦ ଦେଇ ଦେଶର ଅନ୍ୟ ସର୍ବତ୍ର କାର୍ଯ୍ୟକାରୀ ହେଉଛି । ଏବେ ପେଟ୍ରୋଲରେ ୧୦ ପ୍ରତିଶତ ଯାଏଁ ଇଥାନଲ ମିଶାଇ ବିକ୍ରି କରିବାକୁ ତୈଳ ବିପଣନ କମ୍ପାନୀ(ଓଏମସି)ଗୁଡିକୁ ଅନୁମତି ପ୍ରଦାନ କରା ଯାଇଛି । ୨୦୨୨ ସୁଦ୍ଧା ୧୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରିର ଲକ୍ଷ୍ୟ ରଖା ଯାଇଥିବା ବେଳେ ୨୦୩୦ ସୁଦ୍ଧା ତାହା ୨୦ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ସ୍ଥିର କରାଯାଇଛି । ତେଣୁ ପେଟ୍ରୋଲରେ ଇଥାନଲ ମିଶ୍ରଣ (ଇବିପି) ଏବେକାର ନୁହେଁ ବରଂ ଏକ ବହୁ ଦିନର କାର୍ଯ୍ୟକ୍ରମ । ୨୦୧୩-୧୪ ବର୍ଷରେ ଏଥିପାଇଁ ଚିନି କଳ ଓ ଡିଷ୍ଟିଲେରିଗୁଡିକ ଓଏମସିଗୁଡିକୁ ୩8 ଲକ୍ଷ କୋଟି ଲିଟର ଇଥାନଲ ଯୋଗାଇଥିଲେ । ଅବଶ୍ୟ ଏହି କାର୍ଯ୍ୟକ୍ରମ ଲାଗି ଏବର ସରକାରଙ୍କ ପ୍ରୋତ୍ସାହନ ଫଳରେ ଏହା ୨୦୧୯-୨୦ରେ ୧୯୫ କୋଟି ଲିଟର ପହଞ୍ଚିଥିବା ବେଳେ ୨୦୨୦-୨୧ରେ ତାହା ୩୧୦ କୋଟି ଲିଟରରେ ପହଞ୍ଚିବାକୁ ଯାଉଛି । ଇଥାନଲ ଉତ୍ପାଦନ ଓ ଯୋଗାଣରେ ବୃଦ୍ଧି ଘଟିଥିଲେ ବି ଓଏମସିମାନେ ଇବିପି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ସେପରି ଆଗ୍ରହ ଦେଖାଉଥିବା ପରିଲକ୍ଷିତ ହେଉ ନାହିଁ । ଏହାର ଅନ୍ୟତମ କାରଣ ହେଉଛି ଦେଶବ୍ୟାପୀ ପେଟ୍ରୋଲ ସହ ଇଥାନଲ ମିଶ୍ରଣ ପାଇଁ ଟ୍ୟାଙ୍କ କ୍ଷମତାର ଅଭାବ । ଅଧିକାଂଶ ଚିନି କଳ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଥିବାରୁ ସେ ସବୁ ସ୍ଥାନରୁ ଦୂରଦୂରାନ୍ତରେ ଅବସ୍ଥିତ ଓଏମସିଗୁଡିକର ରିଫାଇନେରିରେ ପହଞ୍ଚାଇବା ବି ବ୍ୟୟବହୁଳ ହେଉଛି । ଏତଦଭିନ୍ନ ଇଥାନଲର ହାରାହାରି ମୂଲ୍ୟ ଲିଟର ପିଛା ପ୍ରାୟ ୬୨ ଟଙ୍କା ପଡି ଯାଉଥିବାରୁ ଅନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ଦର ଶସ୍ତା ଥିଲେ ଓଏମସିମାନେ ଇଥାନଲ କିଣି ମିଶାଇବା ପାଇଁ ଆଗ୍ରହ ନ ଦେଖାଇବା ସ୍ୱାଭାବିକ । ଫଳରେ ଇବିପି କାର୍ଯ୍ୟକ୍ରମର କ୍ରିୟାନ୍ୱୟନରେ ଅସ୍ଥିରତା ଦେଖା ଦେଇପାରେ ।
ଅଶୋଧିତ ତୈଳ ବ୍ୟତୀତ ସେଲ ଗ୍ୟାସ, କୋଲ ବେଡ ମିଥେନ (ସିବିଏମ), କୋଲ ମାଇନ ମିଥେନ (ସିଏମଏମ) ଓ ଟାଇଟ ଗ୍ୟାସର ଭଣ୍ଡାରରୁ ମଧ୍ୟ ପ୍ରାକୃତିକ ଗ୍ୟାସ ଉପଲବ୍ଧ ହୋଇ ଶକ୍ତିର ଆବଶ୍ୟକତାକୁ ପୂରଣ କରିଥାଏ । ସାଧାରଣତଃ ସେଲ ଗ୍ୟାସ ପୃଥିବୀ ପୃଷ୍ଠର ୨ରୁ ୫ କିଲୋମିଟର ତଳେ ସେଲ ପଥର ଦ୍ୱାରା ଆବଦ୍ଧ ହୋଇ ରହିଥାଏ । ବୈଷୟିକ ଜ୍ଞାନକୌଶଳର ବିକାଶ ଯୋଗୁ ଏଣିକି ଏହି ସେଲ ଗ୍ୟାସକୁ ଅପେକ୍ଷାକୃତ କମ ଖର୍ଚ୍ଚରେ ବ୍ୟାବସାୟିକ ଭିତ୍ତିରେ ଉତ୍ତୋଳନ କରା ଯାଇ ପାରୁଛି ଓ ଏହି ଗ୍ୟାସର ସଫଳ ଉତ୍ତୋଳନ କରି ଆମେରିକା ନିଜ ଶକ୍ତି ଆବଶ୍ୟକତାକୁ ପୂରଣ କରିବାରେ ସ୍ୱାବଲମ୍ୱୀ ହୋଇ ପାରିଛି । ଆମେରିକାର ଇଆଇଏ ୨୦୧୫ ରିପୋର୍ଟ ଅନୁଯାୟୀ ଭାରତ ସମେତ ୧୧ଟି ଦେଶରେ ବୈଷୟିକ ଭାବେ ଉତ୍ତୋଳନଯୋଗ୍ୟ ସେଲ ଗ୍ୟାସର ଭଣ୍ଡାର ଥିଲେ ବି କେବଳ ଆମେରିକା, କାନାଡା ଓ ଚୀନ ବ୍ୟାବସାୟିକ ଭିତ୍ତିରେ ଏହାର ଉତ୍ପାଦନ କରୁଛନ୍ତି । ଭାରତରେ କାମ୍ୱେ, କ୍ରିଷ୍ଣା-ଗୋଦାବରୀ, କାବେରୀ, ଦାମୋଦର ଉପତ୍ୟକା, ଉପର ଆସାମ, ରାଜସ୍ଥାନ ଓ ବିନ୍ଧ୍ୟ ବେସିନରେ ପ୍ରାୟ ୯୬ ଲକ୍ଷ କୋଟି ଘନ ଫୁଟର ବୈଷୟିକ ଭାବେ ଉତ୍ତୋଳନଯୋଗ୍ୟ ସେଲ ଗ୍ୟାସ ଗଚ୍ଛିତ ରହିଛି । ଓଏନଜିସି ଦ୍ୱାରା ୨୦୧୧ ମସିହାରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ ଦୁର୍ଗାପୁର ନିକଟରେ ଦେଶର ପ୍ରଥମ ସେଲ ଗ୍ୟାସ ଭଣ୍ଡାରର ଆବିଷ୍କାର ହୋଇଥିଲା ବେଳେ ୨୦୧୩ ମସିହାରେ ଗୁଜରାଟର ବରୋଦା ନିକଟସ୍ଥ ଜମ୍ୱୁସାରରେ ଦେଶର ପ୍ରଥମ ସେଲ ଗ୍ୟାସ କୂପ ଖନନ ହୋଇଥିଲା । ସେଲ ଗ୍ୟାସର ଅନୁସନ୍ଧାନରେ ଦୀର୍ଘ ୫ ବର୍ଷ ଓ ଶହ ଶହ କୋଟି ଟଙ୍କା ବ୍ୟୟ କଲା ପରେ ଓଏନଜିସି ଭାରତରେ ବ୍ୟାବସାୟିକ ଭିତ୍ତିରେ ଉତ୍ତୋଳନଯୋଗ୍ୟ ସେଲ ଗ୍ୟାସ ଭଣ୍ଡାରର ଆକାର ଯଥେଷ୍ଟ ନ ଥିବା ଦର୍ଶାଇ ଏହାର ଅନୁସନ୍ଧାନକୁ ୨୦୧୯ ମସିହାରେ ବନ୍ଦ କରି ଦେବା ବାସ୍ତବିକ ପରିତାପର ବିଷୟ । ଫଳରେ ଭାରତରେ ସେଲ ଗ୍ୟାସ ଉତ୍ପାଦନର ସ୍ୱପ୍ନ ଉପରେ ଆପାତତଃ ପୂର୍ଣ୍ଣଚ୍ଛେଦ ପଡିଛି । ସେହିପରି ଦେଶରେ ପ୍ରାୟ ୯.୯ ଲକ୍ଷ କୋଟି ଘନ ଫୁଟ କୋଇଲା ଶଯ୍ୟା ମିଥେନ (ସିବିଏମ) ଥିବାର ଆକଳନ କରା ଯାଇଛି । ଏହା ସାଧାରଣତଃ ଉତଖନନ ପୂର୍ବରୁ କୋଇଲା ବ୍ଲକମାନଙ୍କରୁ ମିଳିଥାଏ । ଏବେ ଦେଶରେ ଝାରଖଣ୍ଡର ଝରିଆ, ପଶ୍ଚିମବଙ୍ଗର ରାଣୀଗଞ୍ଜ ଓ ମଧ୍ୟ ପ୍ରଦେଶର ସୋହାଗପୁରର ଚାରିଟି କୋଇଲା ବ୍ଲକରୁ ସିବିଏମ ଉତ୍ପାଦନ ହେଉଛି । କୋଲ ମାଇନ ମିଥେନ (ସିଏମଏମ) ଆବଦ୍ଧ ଭାବେ ରହୁ ନ ଥିବାରୁ ତାହା ପବନରେ ମିଳାଇ ଯାଇଥାଏ । ତେଣୁ ତାକୁ ଅମଳ କରି ହେଉନାହିଁ । ଗୁଜରାଟର କାମ୍ୱେ ଓ ପୂର୍ବୋତ୍ତର ଭାରତର କିଛି ସ୍ଥାନରେ ଟାଇଟ ଗ୍ୟାସର ଭଣ୍ଡାର ମିଳିଥିଲେ ବି ତାର ବ୍ୟାବସାୟିକ ଉତ୍ପାଦନ ଆରମ୍ଭ ହୋଇନାହିଁ । କହିବା ବାହୁଲ୍ୟ ଏହି ସମସ୍ତ ଉତ୍ସରୁ ଶକ୍ତି ସଂଗ୍ରହ କରିବାର ପ୍ରୟାସ ଏନଡିଏ ସରକାର ଆସିବା ଆଗରୁ ଆରମ୍ଭ ହୋଇଥିବାରୁ ପୂର୍ବ ସରକାର ଏଥି ପ୍ରତି କୌଣସି ଧ୍ୟାନ ଦେଇ ନ ଥିଲେ ବୋଲି କହିବା ତ୍ରୁଟିପୂର୍ଣ୍ଣ ହୋଇପାରେ । ବରଂ ଇତି ମଧ୍ୟରେ ଏହି ସବୁ ପ୍ରୟାସରେ ଆଶାନୁରୂପ ଅଗ୍ରଗତି ପରିଲକ୍ଷିତ ହୋଇ ନାହିଁ ।
ନିକଟ ଭବିଷ୍ୟତରେ ଆନ୍ତର୍ଜାତିକ ବଜାରରେ ତେଲ ମୂଲ୍ୟ ହ୍ରାସ ପାଇବାର ବା ତେଲ ପାଇଁ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା କମ ହେବାର ସମ୍ଭାବନା କ୍ଷୀଣ । ତେବେ ସିଙ୍ଗାପୁର ଭଳି ଦେଶ ଯଦି ଏକ ନିର୍ଦ୍ଦିଷ୍ଟ କୌଶଳକୁ ଅବଲମ୍ୱନ କରି ତା’ର ତୈଳ ଆମଦାନୀ ଓ ବ୍ୟବହାରର ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ହାସଲ କରିବା ଦିଗରେ ଅଗ୍ରସର ହୋଇ ପାରୁଛି, ତେବେ ଭାରତ ତାହା କାହିଁକି ବା ନ କରି ପାରିବ ? ତୈଳ ଆମଦାନୀକୁ କମ କରିବା ଲାଗି ବିକଳ୍ପ ଇନ୍ଧନର ଉପଲବ୍ଧତାକୁ ବଢାଇବା ସହିତ ଅନ୍ୟ ସମସ୍ତ ବିକଳ୍ପ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସରକାରୀ ଆନ୍ତରିକତା ଆବଶ୍ୟକ । ତେବେ କ’ଣ ପ୍ରଧାନମନ୍ତ୍ରୀଙ୍କ ଉକ୍ତିରୁ ଏଇଆ ବୁଝିବାକୁ ହେବ ଯେ ତେଲ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ନ ପାଇବା ଯାଏଁ ମଧ୍ୟବିତ୍ତ ଶ୍ରେଣୀ ଉପରେ ପେଟ୍ରୋ-ଦ୍ରବ୍ୟର ବର୍ଦ୍ଧିତ ମୂଲ୍ୟ ଯୋଗୁ ପଡୁଥିବା ବୋଝରୁ ତା’ର ନିଷ୍କୃତି ନାହିଁ ? ଏହି ଦରବୃଦ୍ଧି ଯୋଗୁ କେବଳ ମଧ୍ୟବିତ୍ତ ଶ୍ରେଣୀର ଲୋକଟିଏ ନୁହେଁ ବରଂ ସାଧାରଣ ଖାଉଟିଟିଏ ମଧ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପ୍ରଭାବିତ ହୋଇ ତା’ ଉପରେ ବି ବୋଝ ବଢି ବଢି ଚାଲିଛି । ତୈଳ ଆମଦାନୀକୁ କମ କରି ପେଟ୍ରୋ-ଦ୍ରବ୍ୟର ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ ଭିତରେ ରଖିବା ଏକ ଦୀର୍ଘ ମିଆଦି କୌଶଳ ହୋଇଥିବାରୁ ଖାଉଟିଟିଏ ତାର ତାତ୍କାଳିକ ଲାଭ ପାଇ ପାରିବ ନାହିଁ । ତେଣୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯିବା ପୂର୍ବରୁ ଆଉ ଆମଦାନି ନିର୍ଭରଶୀଳତା ଓ ଆନ୍ତର୍ଜାତିକ ବଜାରରେ ତେଲ ଦର ବୃଦ୍ଧି ଆଦିର ଦ୍ୱାହି ନ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦାୟ କରୁଥିବା ଅତ୍ୟଧିକ କରକୁ ହ୍ରାସ କରି ତାର ବୋଝକୁ ଲାଘବ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ।
The article throws light on many unknown facts about oil production, exploration and research. Another article on price action of petroleum products and its impact in the economy would be highly appreciated.
ReplyDeleteSir, very nice articulation.
ReplyDeleteThanks Niranjan
Delete