Skip to main content

ଚାଷୀ ଉଚିତ ମୂଲ୍ୟ ପାଇବ ତ !

ପ୍ରତିଶ୍ରୁତି ନୁହେଁ, ବରଂ ‘ଏମଏସପି’କୁ ଆଇନରେ ପରିଣତ କରିବା ଉପରେ ଚାଷୀ ସଂଗଠନମାନେ ଅଡି ବସିଥିବା ବେଳେ ସରକାର ତାକୁ ଆଇନଗତ ବୈଧତା ପ୍ରଦାନ କରିବା ପାଇଁ ଅନାଗ୍ରହୀ । ‘ଏମଏସପି’ରେ ଶସ୍ୟ ସଂଗ୍ରହ ବନ୍ଦ ହେବ ନାହିଁ ବୋଲି ସରକାରୀ ଘୋଷଣା ସତ୍ତ୍ୱେ ସରକାର କ୍ରମେ ସଂଗ୍ରହ ପ୍ରକ୍ରିୟାରୁ ଓହରି ଯିବାକୁ ଚାହୁଁଛନ୍ତି ବୋଲି ଚାଷୀଙ୍କର ଦୃଢ ବିଶ୍ୱାସ । ନୂଆ ଆଇନରେ କୃଷି ବଜାରରେ କମ୍ପାନୀଙ୍କ ପ୍ରବେଶ ଫଳରେ ପ୍ରତିଦ୍ୱନ୍ଦ୍ୱିତା ବଢି ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ ପରିବର୍ତ୍ତେ ଯଥେଷ୍ଟ ଅଧିକ ମୂଲ୍ୟ ପାଇବ ବୋଲି ସରକାରଙ୍କ ଯୁକ୍ତି । ଚାଷୀଙ୍କର ଯୁକ୍ତି ଯେ ଅଧିକ ମୂଲ୍ୟ ମିଳିଲେ ଅସୁବିଧା ନାହିଁ, କିନ୍ତୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ‘ଏମଏସପି’ ଚାଷୀର ଚାଷ ବାବଦରେ ଖର୍ଚ୍ଚକୁ ଆଧାର କରି ସର୍ବନିମ୍ନ ମୂଲ୍ୟ ହୋଇଥିବାରୁ କେହି ତା’ଠାରୁ କମରେ କିଣିବା ଅର୍ଥ ଚାଷୀର ଶୋଷଣ କରିବା । ମୋଟ ଉପରେ ଏମଏସପି ଓ ଶସ୍ୟ ସଂଗ୍ରହକୁ ନେଇ ଚାଷୀଙ୍କ ମନରେ ସରକାରଙ୍କ ପ୍ରତି ଏକ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଛି, ଯାହାର କାରଣ ଅନୁଧ୍ୟାନ ସାପେକ୍ଷ ।

ସ୍ୱାମୀନାଥନ କମିଟିର ସୁପାରିଶ କ୍ରମେ କୃଷକଙ୍କୁ ସେମାନଙ୍କ ଚାଷ ବାବଦ ବ୍ୟୟର ଦେଢଗୁଣ ‘ଏମଏସପି’ ଆକାରରେ ଦିଆଯିବ ବୋଲି ବିଜେପି ତରଫରୁ ୨୦୧୪ ମସିହାରେ ନିର୍ବାଚନୀ ପ୍ରତିଶ୍ରୁତି ଦିଆ ଯାଇଥିଲା । ମାତ୍ର ଶାସନକୁ ଆସିଲା ପରେ ୨୧ ଫେବୃଆରି ୨୦୧୫ 5ରେ ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ଆଫିଡେଭିଟ ଦେଇ ସୂଚୀତ କରାଗଲା, “ଉତ୍ପାଦନ ଖର୍ଚ୍ଚର ଦେଢଗୁଣ ଏମଏସପି ଆକାରରେ ଦେବା ସରକାରଙ୍କ ପକ୍ଷରେ ସମ୍ଭବ ନୁହେଁ, କାରଣ ଏହା ବଜାର ବ୍ୟବସ୍ଥାକୁ ବିକୃତ କରିପାରେ । କେତେକ କ୍ଷେତ୍ରରେ ଏମଏସପି ଓ ଉତ୍ପାଦନ ଖର୍ଚ୍ଚ ମଧ୍ୟରେ ଏକ ଯନ୍ତ୍ରବତ ସଂଯୁକ୍ତି ଅନୁତ୍ପାଦକ ସାବ୍ୟସ୍ତ ହୋଇପାରେ ।“ ଏମଏସପି ପ୍ରଦାନକୁ ନେଇ ସରକାର ଏ ପରି ଆଭିମୁଖ୍ୟ ରଖୁଥିବା ବେଳେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ୨୦୧୮ ମସିହା ବଜେଟ ଅଭିଭାଷଣରେ କହିଲେ ଯେ ସରକାର ରବି ଋତୁଠାରୁ ଅଧିକାଂଶ ଫସଲ ପାଇଁ ଉତ୍ପାଦନ ଖର୍ଚ୍ଚର ଦେଢଗୁଣ ଏମଏସପି ଦେବା ଆରମ୍ଭ କଲେଣି । ତାହା କେତେକାଂଶରେ ସତ ହୋଇଥିଲେ ବି ସମ୍ପୂର୍ଣ୍ଣ ନୁହେଁ । ଏବେ ମଧ୍ୟ ଏମଏସପି ଏ-ଟୁ ଯୁକ୍ତ ଏଫଏଲ (ଚାଷ ପାଇଁ ନଗଦ ଓ ଜିନିଷ ଆକାରରେ ହେଉଥିବା ସବୁ ଖର୍ଚ୍ଚ ମଜୁରି, ହଳ, ବିହନ, ସାର, ଔଷଧ, ଜଳସେଚନ,  ପରିବାର ଶ୍ରମ ଇତ୍ୟାଦି) ଆଧାରରେ ଧାର୍ଯ୍ୟ ହେଉଛି, ସ୍ୱାମୀନାଥନ କମିଟିଙ୍କ ସି-ଟୁ (ଏ-ଟୁ ଏଫଏଲ ସହିତ ଜମିର ଭଡା, ସ୍ଥାୟୀ ପୁଞ୍ଜି ଉପରେ ସୁଧ) ଆଧାରରେ ନୁହେଁ । ଏମଏସପିକୁ ନେଇ ଆଚରଣ-ଉଚ୍ଚାରଣରେ ବିଭିନ୍ନ ସମୟରେ ଥିବା ଅସଙ୍ଗତି ହିଁ ସରକାରଙ୍କ ପ୍ରତି ଚାଷୀଙ୍କ ଅବିଶ୍ୱାସର ମୁଖ୍ୟ କାରଣ ।

କୃଷି ବ୍ୟୟ ଓ ମୂଲ୍ୟ ଆୟୋଗଙ୍କ ୨୦୨୦-୨୧ ରିପୋର୍ଟରେ ସରକାରଙ୍କୁ ଶସ୍ୟସଂଗ୍ରହ ହ୍ରାସ କରିବା ତଥା ଗଚ୍ଛିତ ଶସ୍ୟକୁ ଖୋଲା ବଜାରରେ ବିକ୍ରି କରିବା ପାଇଁ ପରାମର୍ଶ ଦିଆଯାଇଛି । ପଞ୍ଜାବ, ହରିଆଣା ତଥା ଚାଷୀଙ୍କୁ ବୋନସ ଦେଉଥିବା ରାଜ୍ୟଗୁଡିକରୁ ଶସ୍ୟ ସଂଗ୍ରହ କମ କରିବା ଲାଗି ସୁପାରିଶ କରାଯାଇଛି । ଏଥିରୁ ଆଗାମୀ ଦିନରେ ଶସ୍ୟସଂଗ୍ରହର ପରିମାଣ ହ୍ରାସ ପାଇବାକୁ ଯାଉଥିବାର ଆଭାସ ମିଳୁଛି । ଏମଏସପିରେ ଶସ୍ୟସଂଗ୍ରହ ପାଇଁ ଆବଶ୍ୟକ ହେଉଥିବା ଅର୍ଥକୁ କେନ୍ଦ୍ର ସରକାର ଖାଦ୍ୟ ସବସିଡି ପାଇଁ ଆବଣ୍ଟିତ ରାଶିରୁ ଦେଇଥାଆନ୍ତି । ଜିଡିପିର ପ୍ରାୟ ୨ ପ୍ରତିଶତ ରାଶି ଖାଦ୍ୟ ସବସିଡି ବାବଦରେ ବ୍ୟୟ ହେଉଥିବାରୁ ଏହାର ପରିମାଣକୁ କମ କରି ବିତ୍ତୀୟ ନିଅଣ୍ଟକୁ ହ୍ରାସ କରିବା ପାଇଁ ଚାପ ପଡି ଆସୁଛି ଓ ବଜେଟରେ ଖାଦ୍ୟ ସବସିଡି ପାଇଁ ଆବଣ୍ଟନ ବି କମ ହେଉଛି । ଏପରିକି ବିତ୍ତୀୟ ନିଅଣ୍ଟ କମ ଦର୍ଶାଇବା ଲାଗି ସରକାର ଏଫସିଆଇକୁ ତା’ର ପ୍ରାପ୍ୟର ୫୦ ପ୍ରତିଶତରୁ କମ ରାଶି ପ୍ରଦାନ କରି ବଳକା ରାଶିକୁ ‘କ୍ୟାରି ଓଭର ଲାଏବିଲିଟି’ ଭାବେ ପର ବର୍ଷକୁ ଗଡାଇ ଦେଉଛନ୍ତି । ଫଳରେ ଏଫସିଆଇ ଚଢା ସୁଧରେ ଋଣ ନେଇ ସଂଗ୍ରହ କାର୍ଯ୍ୟକୁ ଜାରି ରଖିବାକୁ ବାଧ୍ୟ ହେଉଛି ଯଦ୍ଦ୍ୱାରା ଭବିଷ୍ୟତରେ ଶସ୍ୟସଂଗ୍ରହ ପ୍ରକ୍ରିୟା ଗମ୍ଭୀରଭାବେ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖା ଦେଉଛି । ସରକାରଙ୍କ ‘ଆଗ ଭଳି ଏମଏସପିରେ ଶସ୍ୟସଂଗ୍ରହ ଚାଲୁ ରହିବ’ ପ୍ରତିଶ୍ରୁତି ଆଂଶିକ ଭାବେ ସତ । କାରଣ ଖାଦ୍ୟ ସୁରକ୍ଷା ଆଇନ ଓ ଅନ୍ୟାନ୍ୟ ଜନମଙ୍ଗଳକାରୀ କାର୍ଯ୍ୟକ୍ରମକୁ ଚାଲୁ ରଖିବା ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟଶସ୍ୟ ତ ସରକାରଙ୍କୁ ସଂଗ୍ରହ କରିବାକୁ ହେବ । କିନ୍ତୁ ହୁଏତ ଭବିଷ୍ୟତରେ ସେଥିପାଇଁ ସଂଗୃହୀତ ଶସ୍ୟ ନିର୍ଦ୍ଧାରିତ ବଫର ଷ୍ଟକ ପରିମାଣ ( ଧାନ ୧୦୮ ଲକ୍ଷ ଟନ, ଗହମ ୫୬.୧ ଲକ୍ଷ ଟନ, ଡାଲି ଜାତୀୟ ଶସ୍ୟ ୨୦ ଲକ୍ଷ ଟନ) ମଧ୍ୟରେ ସୀମିତ ରଖିବା ଲାଗି ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ସେମାନଙ୍କ ଆବଶ୍ୟକତାଠାରୁ ଅଧିକ ଶସ୍ୟ ସଂଗ୍ରହ କରିବାକୁ ବାରଣ କରି ପାରନ୍ତି । ତାହାହେଲେ କେବଳ ପଞ୍ଜାବ ନୁହେଁ, ଓଡିଶା ଭଳି ଯେଉଁ ରାଜ୍ୟଗୁଡିକ ବିକେନ୍ଦ୍ରିକୃତ ସଂଗ୍ରହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ମାଧ୍ୟମରେ ବଳକା ଶସ୍ୟ ସଂଗ୍ରହ କରି କେନ୍ଦ୍ରୀୟ ପୁଲକୁ ଯୋଗାଇ ଆସୁଛନ୍ତି, ସେଠାକାର ଚାଷୀମାନେ ସର୍ବାଧିକ ପ୍ରଭାବିତ ହେବେ । ଉଦାହରଣ ସ୍ୱରୂପ, ଓଡିଶାରେ ଧାନର ଆବଶ୍ୟକତା ୩୦ ଲକ୍ଷ ଟନ ଥିବା ବେଳେ ଏଠାରୁ ୭୧  ଲକ୍ଷ ଟନ ସଂଗୃହୀତ ହେଉଥିବାରୁ, ସଂଗ୍ରହ ନିଷ୍ପତ୍ତିରେ ପରିବର୍ତ୍ତନ ହେଲେ ଏହି ବଳକା ୪୧ ଲକ୍ଷ ଟନ ଧାନ ହୁଏତ ଚାଷୀଙ୍କଠାରୁ ସଂଗୃହୀତ ହେବା ନେଇ ଆଶଙ୍କା ସୃଷ୍ଟି ହେବ ।      

ତିନିଟି କୃଷି ଆଇନ ମଧ୍ୟରୁ କୃଷକଙ୍କ ଉତ୍ପାଦର ବେପାର ଓ ବାଣିଜ୍ୟ (ଉନ୍ନତି ଓ ସୁବିଧା) ଆଇନ ଚାଷୀଙ୍କ ରୋଜଗାର ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା କରି ଏହାକୁ ସର୍ବାଧିକ ବିରୋଧ କରାଯାଉଛି । ଏହି ଆଇନ ଦ୍ୱାରା ଚାଷୀମାନଙ୍କୁ ମଣ୍ଡି ବାହାରେ ଏକ ବିକଳ୍ପ ବଜାର ବ୍ୟବସ୍ଥା ଉପଲବ୍ଧ କରାଇ ସେମାନଙ୍କ ରୋଜଗାର ବୃଦ୍ଧି ପାଇଁ ପଦକ୍ଷେପ ନିଆ ଯାଇଥିବା କଥା ସରକାର କହୁଛନ୍ତି । ଏହାକୁ ‘ଏପିଏମସି ବାଇପାସ ଆଇନ’ ବୋଲି ଅଭିହିତ କରି ଏହା ଦ୍ୱାରା ମଣ୍ଡି ବ୍ୟବସ୍ଥା ଭୁଷୁଡି ୩୦ ଲକ୍ଷ କୋଟି ଟଙ୍କାର କୃଷି ବଜାର ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବଡ ବଡ କମ୍ପାନୀଙ୍କ ହାତକୁ ଚାଲି ଯାଇପାରେ । ଚାଷୀମାନେ ଏହାଦ୍ୱାରା ଅଧିକ ଶୋଷଣର ଶିକାର ହେବେ ବୋଲି ସେମାନଙ୍କର ଆଶଙ୍କା । ବର୍ତ୍ତମାନ ସାରା ଦେଶରେ ଏପିଏମସି ଆଇନ ଅନୁଯାୟୀ ୬୩୩୦ଟି ମଣ୍ଡି ବା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟ କରୁଛି । ଏଥିରୁ ଅଧିକାଂଶ ସେପରି ସୁଦୃଢ ବା କ୍ରିୟାଶୀଳ ନୁହନ୍ତି । ତାହାର ଏକ ପ୍ରମୁଖ କାରଣ ହେଉଛି ଅଧିକାଂଶ ରାଜ୍ୟରେ ଏଗୁଡିକର ସଂଖ୍ୟା ଏତେ କମ ଯେ ସେମାନଙ୍କୁ ନିର୍ଦ୍ଧାରିତ ହୋଇଥିବା ବିସ୍ତୀର୍ଣ୍ଣ ଅଞ୍ଚଳର ଚାଷୀ ସେମାନଙ୍କ ଉତ୍ପାଦକୁ ଏହି ମଣ୍ଡିରେ ବିକ୍ରି କରିବା କଠିନ । ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାର ତଥ୍ୟ ଅନୁଯାୟୀ ଆବଶ୍ୟକ ସଂଖ୍ୟକ ବଜାର ଅଭାବରୁ ଦେଶର ଶତକଡା ୫୦ ଭାଗରୁ ଅଧିକ ଚାଷୀ ଏପିଏମସି ମାଧ୍ୟମରେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରି ନ ଥାଆନ୍ତି । ଗୋଟିଏ ‘ଏପିଏମସି’ର କାର୍ଯ୍ୟକ୍ଷେତ୍ର ହାରାହାରି ୪୯୬ ବର୍ଗ କିଲୋମିଟର ହୋଇଥିବା ବେଳେ ଓଡିଶାରେ ଏହା ପ୍ରାୟ ୨୩୨୪ ବର୍ଗ କିଲୋମିଟର । ଗାଁ ନିକଟରେ ବଜାର ବ୍ୟବସ୍ଥାର ଅନୁପଲବ୍ଧତା କାରଣରୁ ଅଧିକାଂଶ ଚାଷୀ ସେମାନଙ୍କ ଉତ୍ପାଦକୁ ମଣ୍ଡି ମାଧ୍ୟମରେ ବିକ୍ରି କରି ପାରୁ ନ ଥିବାରୁ ସ୍ୱାମୀନାଥନ କମିଟିଙ୍କ ସୁପାରିଶ ଅନୁଯାୟୀ ପ୍ରତି ୮୦ ବର୍ଗ କିଲୋମିଟର କ୍ଷେତ୍ର ପାଇଁ ଗୋଟିଏ ବଜାର ରହିବା ଆବଶ୍ୟକ । ନୂଆ ବଜାର ପ୍ରତିଷ୍ଠା ନେଇ ଦୀର୍ଘ ୧୫ ବର୍ଷ ଭିତରେ ବିଶେଷ ଧ୍ୟାନ ଦିଆ ଯାଇନାହିଁ । ୨୦୧୮-୧୯ କେନ୍ଦ୍ରୀୟ ବଜେଟରେ ଦେଶର ୨୨୦୦୦ ଗ୍ରାମ୍ୟ ହାଟର ଉନ୍ନତିକରଣ କରାଯାଇ ସେଗୁଡିକୁ ଗ୍ରାମୀଣ କୃଷି ବଜାର (ଗ୍ରାମ)ରେ ପରିବର୍ତ୍ତିତ କରିବାର ଏକ ଉଚ୍ଚାକାଂକ୍ଷୀ ଯୋଜନା ଘୋଷିତ ହୋଇଥିଲା । ଏଥିପାଇଁ ୨୦୦୦ କୋଟି ଟଙ୍କାର ଏକ କୃଷି ବଜାର ଭିତ୍ତିଭୂମି ପାଣ୍ଠି (ଆମିଫ)ର ଗଠନ କରାଯାଇ ତା’ର ପରିଚାଳନା ଦାୟିତ୍ୱ ନାବାର୍ଡ ଉପରେ ନ୍ୟସ୍ତ ହୋଇଛି । ହାଟର ଉନ୍ନତିକରଣ ଲାଗି ରାଜ୍ୟଗୁଡିକୁ ଏହି ପାଣ୍ଠିରୁ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ତଥାପି ଗତ ୩ ବର୍ଷ ମଧ୍ୟରେ ଏହି ଯୋଜନାରେ ବିଶେଷ ଅଗ୍ରଗତି ପରିଲକ୍ଷିତ ହୋଇ ନାହିଁ । ବସ୍ତୁତଃ ଗଲା ଜୁଲାଇ ଶେଷ ସୁଦ୍ଧା କୌଣସି ରାଜ୍ୟ ଏହି ଯୋଜନାରେ ଟଙ୍କାଟିଏ ମଧ୍ୟ ଋଣ ନେଇ ନାହାନ୍ତି । ଏଥିରୁ ଚାଷୀର ବଜାର ସୃଷ୍ଟି ଓ ବିକାଶର ଭବିଷ୍ୟତ କ’ଣ ତାହା ଜଳଜଳ ଦିଶୁଛି ।  

ମଣ୍ଡିଗୁଡିକର ଏକଚାଟିଆ ଅଧିକାର ଯୋଗୁ ଚାଷୀମାନେ ଶୋଷଣର ଶିକାର ହେଉଥିବାରୁ ସେଗୁଡିକର ଅଧିକାର କ୍ଷେତ୍ରକୁ ସଙ୍କୁଚିତ କରି ଘରୋଇ କମ୍ପାନୀଙ୍କ ବଜାର ପ୍ରବେଶକୁ ସୁଗମ କରିବା ପାଇଁ ଦାବି ଉଠୁଥିଲା । ଏଥି ପୂର୍ବରୁ ବି ଚାଷୀମାନେ ମଣ୍ଡି ବାହାରେ ବିକ୍ରି କରି ପାରୁଥିଲେ । ଚାଷୀଙ୍କଠାରୁ ପାରମ୍ପରିକ ବ୍ୟବସାୟୀ, ବଡ ବଡ କମ୍ପାନୀ ଓ କିଛି ଷ୍ଟାର୍ଟ-ଅପ କମ୍ପାନୀ ମଧ୍ୟ କ୍ରୟ କରିଥାଆନ୍ତି । ପ୍ରାୟ ଦୁଇ ଦଶନ୍ଧି ତଳୁ ଆଇଟିସି କମ୍ପାନୀର ‘ଇ-ଚୌପାଳ’ ଚାଷୀଙ୍କଠାରୁ କୃଷି ଦ୍ରବ୍ୟ ସଂଗ୍ରହ ଆରମ୍ଭ କରିଥିବା ବେଳେ ଆହୁରି ଅନେକ ବଡ ବଡ କମ୍ପାନୀ ମଧ୍ୟ ଏହା କରୁଛନ୍ତି । କୃଷି ବିପଣନ କ୍ଷେତ୍ରରେ କାମ କରୁଥିବା ଷ୍ଟାର୍ଟ-ଅପ କମ୍ପାନୀଗୁଡିକରେ କୋଟି କୋଟି ଟଙ୍କାର ବିଦେଶୀ ପୁଞ୍ଜି ବି ଲାଗିଛି । ତେଣୁ ଏହି ଆଇନ ପରେ ଘରୋଇ କମ୍ପାନୀଙ୍କ କୃଷି ବଜାର ପ୍ରବେଶ ଆରମ୍ଭ ହେବ ବୋଲି କହିବା ପ୍ରମାଦପୂର୍ଣ୍ଣ । ବରଂ ଏହି ଆଇନରେ ‘ଏପିଏମସି’ଗୁଡିକର ଏକଚାଟିଆ ଅଧିକାରକୁ ସମାପ୍ତ କରି ସେଗୁଡିକୁ ଦୁର୍ବଳ କରା ଯାଇଥିବାରୁ ତାହା କମ୍ପାନୀଗୁଡିକର ଅବାଧ ପ୍ରବେଶ ଓ କାର୍ଯ୍ୟକଳାପର ବାଟ ପରିଷ୍କାର କରିବ । କୃଷି ଉତ୍ପାଦର ଯେତେ ବେଶି କ୍ରେତା ରହିବେ ସେତେ ଭଲ, ହେଲେ ପ୍ରଶ୍ନ ଉଠୁଛି ସେମାନେ ଚାଷୀକୁ ଅଧିକ ମୂଲ୍ୟ ଦେବା ତ ଅଲଗା କଥା, ଆଇନ ପ୍ରଣୟନ ନ ହେଲେ ଅନ୍ତତଃ ଏମଏସପି ପ୍ରଦାନ କରିବେ କି ନାହିଁ, ତାହା ସୁନିଶ୍ଚିତ ହେବ କିପରି ? ଅନ୍ୟ ପକ୍ଷରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ କମ୍ପାନୀମାନଙ୍କୁ ଅସୀମ ପରିମାଣର ଖାଦ୍ୟଶସ୍ୟ ମହଜୁଦ କରି ରଖିବାର ସ୍ୱାଧୀନତା ପ୍ରଦାନ କରା ଯାଇଥିବାରୁ ସେମାନଙ୍କ ପାଇଁ ବି ଏମଏସପିରେ କିଣିବା ବାଧ୍ୟତାମୂଳକ କରା ନ ଗଲେ ଅମଳ ସମୟରେ ସେହି ମହଜୁଦ ଶସ୍ୟକୁ ବଜାରକୁ ଛାଡି ଚାଷୀମାନଙ୍କୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ କରିବାର ଆଶଙ୍କା ବି ରହିଛି । ଏଠାରେ ‘ଏପିଏମସି’ ବ୍ୟବସ୍ଥା ନଥିବା ଦୁଇଟି ରାଜ୍ୟର ଉଦାହରଣ ଦିଆଯାଉ ଯେଉଁଠାରେ ଦୁଇଟି ପରସ୍ପର ବିରୋଧୀ ଚିତ୍ର ଦେଖିବାକୁ ମିଳେ । କେରଳରେ ମୂଳରୁ ‘ଏପିଏମସି’ ବ୍ୟବସ୍ଥା କାର୍ଯ୍ୟ କରୁ ନଥିଲେ ବି ସେଠାକାର ଚାଷୀ ସେମାନଙ୍କ ଉତ୍ପାଦ ପାଇଁ ଅନ୍ୟ ରାଜ୍ୟର ଚାଷୀଙ୍କ ଅପେକ୍ଷା ଅଧିକ ମୂଲ୍ୟ ପାଇବାକୁ ସମର୍ଥ । ଅନ୍ୟ ପକ୍ଷରେ ବିହାରରେ ୨୦୦୬ ମସିହାରୁ ‘ଏପିଏମସି’ ଆଇନ ଉଚ୍ଛେଦ ହୋଇ ଘରୋଇ କମ୍ପାନୀଙ୍କ ବଜାର ପ୍ରବେଶ ଉପରେ କୌଣସି କଟକଣା ନ ଥିଲେ ବି ସେଠାକାର ଚାଷୀ କମ ମୂଲ୍ୟ ପାଉଛନ୍ତି । ବିହାରରେ ସଂଗ୍ରହ ଭିତ୍ତିଭୂମିର ଦୁରବସ୍ଥା କାରଣରୁ ସେଠାକାର ଧାନ ବି ପଞ୍ଜାବ ମଣ୍ଡିରେ ଯାଇ ବିକ୍ରି ହେଉଛି । ଅର୍ଥାତ୍, ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ସହ ଚାଷୀ ଉଚିତ ମୂଲ୍ୟ ପାଇବାର କୌଣସି ସମ୍ପର୍କ ନାହିଁ । ତା’ ଛଡା କେବଳ ଆଇନ ପ୍ରଣୟନ ହୋଇଗଲେ ଯେ ଘରୋଇ କମ୍ପାନୀମାନେ ଅପହଞ୍ଚ ଅଞ୍ଚଳର ଚାଷୀମାନଙ୍କ ନିକଟରୁ ଶସ୍ୟ ସଂଗ୍ରହ କରିବେ, ତାହା ନୁହେଁ । ଘରୋଇ ବ୍ୟାଙ୍କ ଯେପରି ଅପହଞ୍ଚ ଅଞ୍ଚଳରେ ଶାଖା ଖୋଲିବାକୁ ଆଗ୍ରହ ଦେଖାଇ ନ ଥାଆନ୍ତି ସେହିପରି ଏଇ ଧରଣର କମ୍ପାନୀମାନେ ବି ସହର ପାଖର ଉନ୍ନତ ଭିତ୍ତିଭୂମି ଥିବା ଅଞ୍ଚଳଗୁଡିକରୁ ହିଁ ଖାଦ୍ୟଶସ୍ୟ ସଂଗ୍ରହ କରିବାକୁ ଆଗ୍ରହ ପ୍ରକାଶ କରିବେ । ଗତ ଦୁଇ ଦଶନ୍ଧି ମଧ୍ୟରେ ସରକାରୀ ପୁଞ୍ଜି ଲଗାଣ ମାଧ୍ୟମରେ ଗ୍ରାମାଞ୍ଚଳରେ ରାସ୍ତାଘାଟ ନିର୍ମାଣ, ମୋବାଇଲ, ଇଣ୍ଟରନେଟ, ଟଙ୍କା ପ୍ରେରଣ (ରେମିଟାନ୍ସ) ଆଦି କ୍ଷେତ୍ରରେ ଯେଉଁ ଉଲ୍ଲେଖନୀୟ ଅଗ୍ରଗତି ହୋଇ ପାରିଛି, ତାହା ହିଁ କମ୍ପାନୀଗୁଡିକୁ କୃଷି କ୍ଷେତ୍ରରେ ଯୋଗାଣ ଶୃଙ୍ଖଳ ପରିଚାଳନା ପ୍ରତି ଆକୃଷ୍ଟ କରୁଛି । ଏଥିରୁ ସ୍ପଷ୍ଟ ଯେ ଭିତ୍ତିଭୂମି ନିର୍ମାଣ ପାଇଁ ଯେଉଁ ସ୍ଥାନରେ ଯେତେ ଅଧିକ ସରକାରୀ ପୁଞ୍ଜି ଲଗାଣ ହେବ ସେହି ସ୍ଥାନ ପ୍ରତି ଘରୋଇ କମ୍ପାନୀମାନେ ସେତେ ବେଶି ଆକୃଷ୍ଟ ହେବେ । ତେଣୁ ବ୍ୟାପକ ଭିତ୍ତିଭୂମି ନିର୍ମାଣ ପାଇଁ ଯେଉଁ ରାଜ୍ୟରେ ଯେତେ ଅଧିକ ସରକାରୀ ସମ୍ୱଳ ବିନିଯୋଗ ହେବ, ସେହି ସ୍ଥାନ ପ୍ରତି ଘରୋଇ କମ୍ପାନିମାନେ ସେତେ ବେଶି ଆକୃଷ୍ଟ ହେବେ । ତେଣୁ ଅଣବିକଶିତ ଅଞ୍ଚଳର ଚାଷୀମାନେ ପୂର୍ବ ଭଳି ବଜାର ସୁଯୋଗର ବାହାରେ ରହିଯିବେ । ତେଣୁ ବିକଳ୍ପ ବଜାର ସୃଷ୍ଟି ଦାୟିତ୍ୱ ଘରୋଇ କମ୍ପାନିକୁ ହସ୍ତାନ୍ତର କରି ସରକାର ନିଜ ଦାୟିତ୍ୱରୁ ଓହରି ଯିବା ହୁଏତ ଭାରତ ପରି ଏକ ଦେଶର ସବୁ ଅଞ୍ଚଳରେ ସୁସମ ବଜାର ବିକାଶରେ ଅନ୍ତରାୟ ସୃଷ୍ଟି କରି ଆଞ୍ଚଳିକ ବୈଷମ୍ୟକୁ ପ୍ରୋତ୍ସାହିତ କରିପାରେ  । 

ରିଜର୍ଭ ବ୍ୟାଙ୍କର ୨୦୧୮ର ଏକ ଅଧ୍ୟୟନ ଅନୁସାରେ ‘ଏମଏସପି’ ଓ ସେହି ଦରରେ ହେଉଥିବା ସରକାରୀ ସଂଗ୍ରହ ଚାଷୀ ପାଇଁ ପ୍ରତିକୂଳ ବଜାର ବ୍ୟବସ୍ଥାରେ ଏକ ସୁରକ୍ଷା କବଚ ସଦୃଶ ଓ ଅଧିକାଂଶ ଚାଷୀ ଏହାକୁ ସର୍ବଶ୍ରେଷ୍ଠ କୃଷି ନୀତି ଭାବେ ଗ୍ରହଣ କରନ୍ତି । ତେଣୁ ସେଥିରେ ପରିବର୍ତ୍ତନର ଆଶଙ୍କା ଚାଷୀକୁ ବିଚଳିତ କରିବା ସ୍ୱାଭାବିକ । ଅବଶ୍ୟ ୨୩ଟି ଫସଲ ପାଇଁ ‘ଏମଏସପି’ ଘୋଷିତ ହେଉଥିଲେ ମଧ୍ୟ ଧାନ ଓ ଗହମକୁ ବାଦ ଦେଲେ ଅଧିକାଂଶ ଫସଲର ଖୁବ କମ ପରିମାଣର ସଂଗ୍ରହ ସରକାରୀ ସ୍ତରରେ ହୋଇଥାଏ । ଚାଷୀମାନେ ସେଗୁଡିକର ଅଭାବୀ ବିକ୍ରି କରିବାକୁ ବାଧ୍ୟ ହୋଇଥାଆନ୍ତି । ତେଣୁ ମୁଗ, ବିରି, ମକା, ଚିନାବାଦାମ, ସୋୟାବିନ ଆଦି ଚାଷୀମାନେ ‘ଏମଏସପି’ ଦ୍ୱାରା ଲାଭାନ୍ୱିତ ହେଉ ନ ଥିବାରୁ ଏବର ଚାଷୀ ଆନ୍ଦୋଳନରେ ସେମାନେ ଭାଗ ନ ନେବା ସ୍ୱାଭାବିକ । ସରକାର ‘ଏମଏସପି’କୁ ଆଇନରେ ପରିଣତ କଲେ ଅଧିକାଂଶ ରାଜ୍ୟର ଅନ୍ତତଃ ସେହି ୨୩ଟି ଫସଲର ଚାଷୀ ବିଏମଏସପିରେ ବିକି ପାରିବେ ଓ ଏହାଦ୍ୱାରା କେବଳ ପଞ୍ଜାବ ଓ ହରିଆଣାର ଚାଷୀ ଲାଭବାନ ହେବେ ବୋଲି କରା ଯାଉଥିବା ଯୁକ୍ତି ଭୁଲ ପ୍ରମାଣିତ ହେବ । ‘ଏପିଏମସି’ର ମଣ୍ଡି ବ୍ୟବସ୍ଥାରେ ଥିବା ଅନେକ ଦୋଷ ଦୁର୍ବଳତା ସତ୍ତ୍ୱେ ଏହା ଦଶନ୍ଧି ଦଶନ୍ଧି ଧରି ଚାଷୀଙ୍କ ଲାଗି ଏକ ଉପଯୋଗୀ ଭୂମିକା ନିର୍ବାହ କରି ଆସିଛି । ଚାଷୀର ସ୍ୱାର୍ଥକୁ ରକ୍ଷା କରି ମଣ୍ଡି ବ୍ୟବସ୍ଥାରେ ସଂସ୍କାର ଆଣି ତାକୁ ସୁଦୃଢ କରିବାରେ ହିଁ ରହିଛି ସମାଧାନ, ତାକୁ ଦୁର୍ବଳ କରିବାରେ ବା ବଦଳାଇବାରେ ନୁହେଁ । ଆପ୍ତବାକ୍ୟଟିଏ ଅଛି, ‘ଜଣା ସଇତାନ ଅଜଣା ପରୀଠାରୁ ଭଲ’ । ସେହି ଅଜଣା ପରୀ ବୋଲି ମନେ କରା ଯାଉଥିବା କମ୍ପାନୀମାନଙ୍କର ପରବର୍ତ୍ତୀ ସମୟରେ ଚାଷୀଙ୍କ ପ୍ରତି କି ଭଳି ମନୋଭାବ ରହିବ ତାହା ଜାଣିବାକୁ ସମୟ ଲାଗିବ । ସେତେବେଳକୁ ମଣ୍ଡି ବ୍ୟବସ୍ଥା ଦୁର୍ବଳ ହୋଇ ପଡିଥିଲେ ଚାଷୀ ଯେ ମହରଗରୁ ଯାଇ କାନ୍ତାରରେ ନ ପଡିବ ତାହା କିଏ କହିବ ? ତେଣୁ ଚାଷୀର ଅସଲ ଉଦବେଗଗୁଡିକୁ ବାଆଁରେଇ ନ ଦେଇ ସହୃଦୟତାର ସହ ସମାଧାନର ବାଟ ଫିଟାଇବାର ଆବଶ୍ୟକତା ରହିଛି, ଯଦ୍ଦ୍ୱାରା ଚାଷୀ ତା’ ଉତ୍ପାଦର ଉଚିତ ମୂଲ୍ୟ ପାଇ ପାରିବ ।


Published in Sambad on December 22, 2020

 

Comments

  1. Your article gives a very detailed analysis of farmers concern and Government view on MSP, reality in practical field.Thank you for your nice article.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍