Skip to main content

ଅପହୃତ ଚମକ ଫେରିବାକୁ ଅପେକ୍ଷା

ଜଣେ ଚିତ୍ରକର ହଠାତ୍ ବର୍ଣ୍ଣାନ୍ଧ ହୋଇଗଲେ ତା’ ପାଇଁ ତାର ସମଗ୍ର ଅସ୍ତିତ୍ୱ ଉଦ୍ଦେଶ୍ୟହୀନ ଓ ପୃଥିବୀ ଅର୍ଥହୀନ ହୋଇପଡେ ।, କାରଣ ରଙ୍ଗ ହିଁ ତ ତା’ର ଭାଷା । ସେ ଅନ୍ୟ କେଉଁ ଭାଷା ବୁଝେ ନାହିଁ କି ଅନ୍ୟ ଭାଷାରେ ବୁଝାଇ ପାରେନାହିଁ । କରୋନାର ଆତଙ୍କ ସମଗ୍ର ବିଶ୍ୱକୁ କବଳିତ କରିଥିଲା ବେଳେ ଖେଳାଳି, ଶିଳ୍ପୀ ଓ କଳାକାରଙ୍କ ଅବସ୍ଥା ଅନେକଟା ସେହି ବର୍ଣ୍ଣାନ୍ଧ ଚିତ୍ରକର ପରି, କାରଣ କରୋନା ସେମାନଙ୍କଠାରୁ ସେମାନଙ୍କ ଭାଷା ଛଡାଇ ନେଇଛି । ଅବଶ୍ୟ ଫରକ ଏତିକି ଯେ ବର୍ଣ୍ଣାନ୍ଧ ଚିତ୍ରକରଙ୍କ ବର୍ଣ୍ଣାନ୍ଧତ୍ୱ ଅପରିବର୍ତ୍ତନୀୟ ହୋଇଥିଲା ବେଳେ ଆଜିର କରୋନା ସନ୍ଦର୍ଭରେ ନିଜ ଅଭିବ୍ୟକ୍ତିର ସମ୍ଭାବନା ଓ ସାମର୍ଥ୍ୟ ହରାଇଥିବା ଖେଳାଳି, ଶିଳ୍ପୀ ଓ କଳାକାରଙ୍କ ପାଇଁ ଆଶାର କିରଣ ଅଛି ଯେ ଅପହୃତ ଚମକ ପୁନଶ୍ଚ ଫେରିବ ।

କ୍ରୀଡା କ୍ଷେତ୍ର ଉପରେ କରୋନାର କଳା ବାଦଲ ସର୍ବବ୍ୟାପି ହେବା ସହିତ ନିଜ କ୍ରୀଡାନୈପୁଣ୍ୟର ପ୍ରତିପାଦିତ କରିବାକୁ ପ୍ରୟାସରତ ଟ୍ରାକ ଓ ଫିଲ୍ଡର ଆଥଲିଟମାନେ ହିଁ ଏହାଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ଓ ଉଦବିଗ୍ନ । ୨୦୨୦ ମସିହାର ଟୋକିଓ ଅଲିମ୍ପିକକୁ ଆପାତତଃ ଗୋଟିଏ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି । ସୁତରାଂ ଏଥିରେ ଭାଗ ନେବାକୁ ଆଶାୟୀ ଆଥଲିଟମାନଙ୍କ ଚାରି ବର୍ଷର ଅକ୍ଳାନ୍ତ ପରିଶ୍ରମରୁ ଫଳପ୍ରାପ୍ତିର ଆଶା ଏଭଳି ଅନିଶ୍ଚିତତା ମଧ୍ୟକୁ ଚାଲି ଯାଇଛି ଯେ ସେମାନେ ନିରାଶାର ଘନ ଅନ୍ଧାର ଭିତରକୁ ଠେଲି ହୋଇ ଯାଇଛନ୍ତି । ପ୍ରକାଶ ଥାଉ କି ବିଶ୍ୱର ଯେ କୌଣସି ଆଥଲିଟ ପାଇଁ ଅଲିମ୍ପିକରେ ନିଜ ଶ୍ରେଷ୍ଠତ୍ୱ ପ୍ରଦର୍ଶନ ହିଁ ତା’ ପରାକାଷ୍ଠାର ଅନ୍ତିମ ପରୀକ୍ଷା, ଯେଉଁଥିଲାଗି ତାକୁ ବର୍ଷ ବର୍ଷ ଧରି ଚରମ ତ୍ୟାଗ ସହିତ ଅତ୍ୟନ୍ତ କଠୋର ପରିଶ୍ରମ କରିବାକୁ ପଡିଥାଏ । ଏଥିପାଇଁ ଉନ୍ନତ ମାନର ପ୍ରଶିକ୍ଷଣର ଆବଶ୍ୟକତା ହୋଇଥାଏ, ଯେଉଁଥିରେ କୋଚ, ସହାୟକ, ବାଇଓକ୍ୟାମିଷ୍ଟଙ୍କଠାରୁ ଆରମ୍ଭ କରି ଫିଜିଓଙ୍କ ଭୂମିକା ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ । ସାରା ବିଶ୍ୱରେ କରୋନା ପାଇଁ ଅଲିମ୍ପିକ ପ୍ରଶିକ୍ଷଣ କେନ୍ଦ୍ରଗୁଡିକୁ ବନ୍ଦ କରି ଦିଆ ଯାଇଥିବାରୁ ଆଥଲିଟମାନେ ଆବଶ୍ୟକ ତାଲିମ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଥି ସହିତ ଅନ୍ୟ କୌଣସି ପ୍ରତିଯୋଗିତା ଅନୁଷ୍ଠିତ ହେଉ ନଥିବାରୁ ଖେଳାଳିମାନେ ଏଥିରେ ଜିଣି କେତେକ ବିଶ୍ୱସ୍ତରୀୟ  ‘ମିଟ’ ଲାଗି ପ୍ରତିଦ୍ୱନ୍ଦ୍ୱିତା ମାଧ୍ୟମରେ ନିଜ ପ୍ରଦର୍ଶନକୁ ଉନ୍ନତ କରି ଯୋଗ୍ୟତା ଅର୍ଜନ କରିବାର ଆଶା ବି ମଉଳି ଯାଉଛି । ଏପରିକି ଯୋଗ୍ୟତା ହାସଲ କରିଥିବା ଖେଳାଳିମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟସୂଚୀରେ ବ୍ୟାପକ ପରିବର୍ତ୍ତନ କରିବାକୁ ପଡିଛି । ଖାଲି ଅଲିମ୍ପିକ କାହିଁକି, ଅନ୍ୟାନ୍ୟ ଜାତୀୟ, ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡିକରେ ଭାଗ ନେବାକୁ ଆଶାୟୀ ଖେଳାଳିମାନଙ୍କ କ୍ଷେତ୍ରରେ ମଧ୍ୟ ସେହି ଏକା ସମସ୍ୟା ସେମାନଙ୍କୁ ଦୁଶ୍ଚିନ୍ତା ଭିତରକୁ ଠେଲି ଦେଇଛି । ପୁଣି ଆଥଲିଟମାନଙ୍କ ଶୀର୍ଷତମ ଉତ୍କର୍ଷ ପ୍ରଦର୍ଶନର ଅବଧି ଖୁବ କମ ହୋଇଥାଏ ଯେଉଁଥିରୁ କରୋନା ବର୍ଷଟିଏ ଛଡାଇ ନେବା ସେମାନଙ୍କ ପାଇଁ ଅତ୍ୟନ୍ତ ହତାଶାଜନକ ହୋଇ ଅନେକଙ୍କୁ ମାନସିକ ଚାପଗ୍ରସ୍ତ କରି ପକାଇଛି । ଅନେକେ ସେଥିରୁ ବାହାରି ନ ପାରି କେହି କେହି ଅବସର ଘୋଷଣା କରିବା ସହ କେହି କେହି ମାନସିକ ରୋଗଗ୍ରସ୍ତ ହୋଇ ସାଂଘାତିକ ଭୁଲ ନିଷ୍ପତ୍ତିମାନ ଗ୍ରହଣ କରିବାକୁ ପଛାଉନାହାନ୍ତି । କରୋନା ଏକ ଅପ୍ରତ୍ୟାଶିତ ବାଧକ ସାଜି ଖେଳାଳିମାନଙ୍କୁ ଏହି ଚରମ ବିପର୍ଯ୍ୟୟକୁ ଠେଲି ଦେଇଥିବା ବେଳେ ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ କ୍ରୀଡା ସଂଗଠନଗୁଡିକ ନିକଟରେ ନା ଅଛି ସାଧନ ନା ଅଛି ବିଶେଷ ରଣ କୌଶଳ । ଏତିକିବେଳେ ଅନେକ ମାନସିକ ଚାପଗ୍ରସ୍ତ ଖେଳାଳିଙ୍କ ଲାଗି କ୍ରୀଜା ମନସ୍ତତ୍ତ୍ୱବିଦଙ୍କ ସାହାଯ୍ୟ ନେବା ଜରୁରି ହୋଇ ପଡିଲାଣି । ଏ ସନ୍ଦର୍ଭରେ ସ୍ୱିଡେନର ପ୍ରସିଦ୍ଧ କ୍ରୀଡା ମନସ୍ତତ୍ତ୍ୱବିଦ୍ ନାଟାଲିଆ ଷ୍ଟାମ୍ୱୁଲୋଭାଙ୍କ ୨୦୧୧ରେ ପ୍ରକାଶିତ ଏକ ପ୍ରବନ୍ଧ ପ୍ରଣିଧାନଯୋଗ୍ୟ । ସେଥିରେ ଏ ଭଳି ଅପ୍ରତ୍ୟାଶିତ ସମସ୍ୟାର ଦୋଛକିରେ ଛିଡା ହୋଇଥିବା ଖେଳାଳିଙ୍କୁ ନେଇ ତିନିଟି ପରିସ୍ଥିତି ସୃଷ୍ଟି ହେବା କଥା ସେ କହିଛନ୍ତି । ସେଗୁଡିକ ହେଲା ପ୍ରତ୍ୟାଖ୍ୟାତ (ରିଜେକ୍ସନ) ହେବାର ହତାଶା ସେମାନଙ୍କ ଗ୍ରହଣଯୋଗ୍ୟତା (ଆକସେପଟାନ୍ସ)କୁ ନେଇ ସନ୍ଦେହ ଉପୁଜାଇପାରେ ; କିନ୍ତୁ ଯଦି ଖେଳାଲି କୌଣସି ପରିସ୍ଥିତିରେ ବି ହାର ନ ମାନି  ଲଢେଇ (ଫାଇଟିଂ) କରିବାକୁ ପ୍ରସ୍ତୁତ ହୁଅନ୍ତି ତେବେ ସେମାନେ ଏଥିରେ ଭାଙ୍ଗି ପଡିବାରୁ ରକ୍ଷା ପାଇ ପୁଣି ଆଗକୁ ଯାତ୍ରା ଜାରି ରଖି ପାରନ୍ତି । ତେବେ ଖେଳାଳିଙ୍କ ଆବଶ୍ୟକତା ଅନୁଯାୟୀ ସେମାନଙ୍କ କାଉନସେଲିଂରେ ଏହାର ଉପଯୋଗ ଭିନ୍ନ ଭିନ୍ନ ଭାବେ କରା ଯାଇପାରେ । ତଦନୁଯାୟୀ ବୟସାଧିକ କାରଣରୁ ନିଜ ଭବିଷ୍ୟତ ପ୍ରତି ଆଶାବାଦୀ ନ ଥିବା ବା ଅନିଶ୍ଚିତତାକୁ ସାମନା କରିବାକୁ ଅସମର୍ଥ ଖେଳାଳିମାନେ ‘ପ୍ରତ୍ୟାଖ୍ୟାନ’ ପନ୍ଥାକୁ ଗ୍ରହଣ କରି ଅବସର ନେବା କଥା ଚିନ୍ତା କରି ପାରନ୍ତି । ପୂର୍ବରୁ ଅବସର ଗ୍ରହଣ କଥା ଚିନ୍ତା କରି ଅବସର ପରବର୍ତ୍ତୀ ଯୋଜନା ପ୍ରସ୍ତୁତ କରିଥିବା ଖେଳାଳିଙ୍କ ପକ୍ଷରେ ଏ ଭଳି ନିଷ୍ପତ୍ତି ନେବା ସହଜ ହେଉଥିଲେ ବି ସେମାନଙ୍କୁ ଖେଳ ଭିନ୍ନ ଅନ୍ୟ କ୍ୟାରିଅରକୁ ଗ୍ରହଣ କରିବା, ନିଜକୁ ସାମାଜିକ ଭାବେ ପୁନଃ ପ୍ରତିଷ୍ଠିତ କରାଇବା, ଜୀବନଧାରାରେ ପରିବର୍ତ୍ତନ ଆଣିବା ଭଳି ଆହ୍ୱାନଗୁଡିକର ମୁକାବିଲା କରିବାକୁ ପଡିବ । କମ ବୟସର ଓ ସାଧନହୀନତା ବା ଅନ୍ୟ କାରଣରୁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ ହାସଲ କରିବାକୁ ଅସମର୍ଥ ଖେଳାଳିମାନେ ‘ଗ୍ରହଣଯୋଗ୍ୟତା’ କୌଶଳକୁ ଅନୁସରଣ କରି ସାମୟିକ ଭାବେ ପ୍ରତିଯୋଗିତାରୁ ଓହରି ଯିବା କଥା ଚିନ୍ତା କରିପାରନ୍ତି । ଅନ୍ୟ ପକ୍ଷରେ ଅନୁଭବୀ ଓ ସାଧନସମ୍ପନ୍ନ ଖେଳାଳିମାନେ ‘ଲଢେଇ’ କୌଶଳକୁ ଆପଣେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ପ୍ରସ୍ତୁତ ହେବା ଉଚିତ । ଉପରୋକ୍ତ ତିନିଟି କ୍ଷେତ୍ରରେ ଖେଳାଳିଙ୍କୁ ଉପଯୁକ୍ତ ନିଷ୍ପତ୍ତି ନେବାରେ କେବଳ ଜଣେ ଭଲ କ୍ରୀଡା ମନସ୍ତତ୍ତ୍ୱବିଦ୍ ହିଁ ସହାୟତା ପ୍ରଦାନ କରି ପାରିଥାଆନ୍ତି । ବର୍ତ୍ତମାନ ସେଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଖେଳାଳି ଓ ଖେଳ ସହିତ ସମ୍ୱନ୍ଧ ଥିବା ପ୍ରତ୍ୟେକେ ହତାଶାରୁ ବାହାରିବା ବିଜ୍ଞତାର ପରିଚୟ ହେବ ।  

କେବଳ ଆଥଲିଟ ନୁହନ୍ତି ବରଂ ଏମିତି କେଉଁ ଖେଳାଳି ନାହାନ୍ତି ଯିଏ କରୋନା ଦ୍ୱାରା ପ୍ରଭାବିତ ହୋଇନାହାନ୍ତି । ଏକ ଧନିକ ବର୍ଗଙ୍କ ଖେଳ ଭାବେ ସ୍ୱୀକୃତ ଟେନିସର ଖେଳାଳିମାନେ ବି ଚରମ ଦୁର୍ଦ୍ଦିନର ସମ୍ମୁଖୀନ ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟ ହେଉ ନ ଥିବା କାରଣରୁ ବିଶ୍ୱର ୧୫୦ ରାଙ୍କିଙ୍ଗ ତଳେ ଥିବା ଟେନିସ ଖେଳାଳିମାନେ ଆର୍ଥିକ ଦୁଃସ୍ଥିତିରେ କାଳାତିପାତ କରୁଥିବାର ଖବରମାନ ଗଣମାଧ୍ୟମରେ ପ୍ରକାଶ ପାଉଛି । ୨୦୧୮ରେ କ୍ରୀଡା ଶିଳ୍ପର ବୈଶ୍ୱିକ ମୂଲ୍ୟ ୪୭୧ ବିଲିଅନ ଡଲାର ବୋଲି ଆକଳନ କରାଯାଇଥିଲା, ଯାହା ୨୦୧୧ ତୁଳନାରେ ପ୍ରାୟ ୪୫ ପ୍ରତିଶତ ଅଧିକ । କରୋନା ପରେ ସାରା ପୃଥିବୀରେ କେବଳ ଯେ କ୍ରୀଡା କ୍ୟାଲେଣ୍ଡାରରେ ପରିବର୍ତ୍ତନ ହୋଇଛି ତାହା ନୁହେଁ, ବରଂ କ୍ରୀଡା ଶିଳ୍ପର ଆୟ କମ ହୋଇ ସାମଗ୍ରିକ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି । ଖେଳାଳିଙ୍କଠାରୁ ଆରମ୍ଭ କରି କ୍ରୀଡା ମୂଲ୍ୟ-ଶୃଙ୍ଖଳରେ ଥିବା ବିଭିନ୍ନ ଦଳ, ଲିଗ ଓ ଗଣମାଧ୍ୟମଙ୍କ ଆୟ ମଧ୍ୟ ଅତିମାତ୍ରାରେ ହ୍ରାସ ପାଇଛି । ଏହାର ବଡ କାରଣ ହେଉଛି ବିଶ୍ୱବ୍ୟାପି କ୍ରୀଡା ଆୟର ତିନିଟି ମୁଖ୍ୟ ଉତ୍ସ – ବ୍ରଡକାଷ୍ଟିଂ ଓ ଟେଲିକାଷ୍ଟିଂ ( ବିକ୍ରି ଓ ମିଡିଆ ରାଇଟସ), ବିଜ୍ଞାପନ, ମ୍ୟାଚ ଦିବସ ଆୟ (ଟିକେଟ ବିକ୍ରି ଓ ଆତିଥେୟତା) - ସାମାଜିକ ଦୂରତା ପ୍ରତିବନ୍ଧ କାରଣରୁ ଅତ୍ୟଧିକ ପ୍ରଭାବିତ ହୋଇଛି । ବିଶ୍ୱର ପ୍ରମୁଖ ଲିଗଗୁଡିକର ଆୟ ଆଶାତୀତ ହ୍ରାସ ପାଇଥିବାରୁ ଦଳମାନଙ୍କ ଆୟ କମ ହୋଇ ଖେଳାଳିମାନଙ୍କ ଚୁକ୍ତି ସର୍ତ୍ତକୁ ପରିବର୍ତ୍ତନ କରାଯାଇ ସେମାନଙ୍କୁ କମ ଅର୍ଥ ପ୍ରଦାନ କରାଯାଉଛି । କ୍ରୀଡା ରାଜସ୍ୱ ଲୋକଙ୍କ ଖେଳ ଦେଖିବା ଉପରେ ନିର୍ଭର କରୁଥିବାରୁ ସ୍ୱାଭାବିକ ଅବସ୍ଥା ନ ଫେରିଲା ଯାଏଁ କ୍ରୀଡା ଶିଳ୍ପର ଆୟ ପ୍ରଭାବିତ ହୋଇ ରହିବ । ପରବର୍ତ୍ତୀ ସମୟରେ କ୍ରୀଡା ରାଜସ୍ୱ ମଡେଲରେ ବ୍ୟାପକ ପରିବର୍ତ୍ତନ ହେବାର ଆଶଙ୍କା ମଧ୍ୟ ଦେଖା ଦେଲାଣି, ଯାହା ଖେଳ ଓ ଖେଳାଳିଙ୍କ ଚମକକୁ ହ୍ରାସ କରିବାରେ ଆହ୍ୱାନ ସୃଷ୍ଟି କରିପାରେ । ଏ ବର୍ଷ ହୁଏତ ବିଶ୍ୱ କ୍ରୀଡା କ୍ୟଲେଣ୍ଡର ବିନା କ୍ରୀଡା ଶୃଙ୍ଖଳାରେ ସମାପ୍ଟ ହୋଇତାଆନ୍ତା ଯଦି ଦର୍ଶକଶୂନ୍ୟ ଷ୍ଟାଡିଅମରେ କିଛି କ୍ରିକେଟ, ପୁଟବଲ ଆଦିର ଟୁର୍ଣ୍ଣାମେଣ୍ଟ ହୋଇ ନ ଥାଆନ୍ତା । ତେବେ ଶୂନ୍ୟ ଗ୍ୟାଲେରିରେ ଆୟୋଜିତ ହେଉଥିବା ଆଇପିଏଲ ଭଳି କିଛି ପ୍ରତିଯୋଗିତାରେ ଦର୍ଶକଙ୍କ ପ୍ରତ୍ୟକ୍ଷ ପ୍ରତିକ୍ରିୟା ଓ କରତାଳି ଅଭାବରୁ ଆଉ ଆଗ ଭଳି ରୋମାଞ୍ଚ ଅନୁଭୂତ ହୋଇ ପାରିନାହିଁ । ପୁଣି ଥରେ ଗ୍ୟାଲେରି କୋଳାହଳମୟ ହୋଇ ଉଠିବ ବୋଲି ଆଶା କରାଯାଏ ।  

କ୍ରୀଡା ଭଳି ସାରା ବିଶ୍ୱର ମନୋରଞ୍ଜନ ଶିଳ୍ପ ମଧ୍ୟ କରୋନା ଦ୍ୱାରା ଘୋର ଆକ୍ରାନ୍ତ । ଏଥିରେ ଫିଲ୍ମଠାରୁ ଆରମ୍ଭ କରି ଟେଲିଭିଜନ କାର୍ଯ୍ୟକ୍ରମ, ମଞ୍ଚରେ ପ୍ରଦର୍ଶିତ ହେଉଥିବା ନାଟକ, ସଙ୍ଗୀତ, ନୃତ୍ୟ, ଯାତ୍ରା, ଯାଦୁ, ଲୋକ କଳା, ବିନୋଦନ (ଏମ୍ୟୁଜମେଣ୍ଟ) ପାର୍କ, ଲାଇଭ ଇଭେଣ୍ଟ, ଟ୍ରେଡ ସୋ, ପ୍ରଦର୍ଶନୀ  ଇତ୍ୟାଦି ସବୁ କିଛି ଅଦୃଶ୍ୟ ପ୍ରାୟ ହୋଇ ଯାଇଛନ୍ତି । ଏଗୁଡିକ ଜନ ସମାଗମ ଆଶ୍ରିତ ହୋଇଥିବା ବେଳେ କରୋନା କଟକଣାରେ ସାମାଜିକ ଦୂରତା ରକ୍ଷା ସହ ସେଗୁଡିକ ଅନୁଷ୍ଠିତ ହୋଇପାରୁ ନାହିଁ । ୱାର୍ନର ବ୍ରସ, ସୋନି, ୱାଲଟ ଡିସନି, ଚାଇନା ଫିଲ୍ମ ଗ୍ରୁପ ଭଳି ବିଶ୍ୱର ସବୁ ପ୍ରମୁଖ ମନୋରଞ୍ଜନକାରୀ ସଂସ୍ଥାଙ୍କ ଆୟ କରୋନାଜନିତ ପରିସ୍ଥିତି ଯୋଗୁ ଯଥେଷ୍ଟ ହ୍ରାସ ପାଇଛି । ଫିକି ଅନୁସାରେ ୨୦୧୯ରେ ଭାରତରେ ମିଡିଆ ଓ ମନୋରଞ୍ଜନ ଶିଳ୍ପର ଆକାର ୧.୮୨ ଲକ୍ଷ କୋଟି ଟଙ୍କା ଥିଲା ବେଳେ କରୋନା ଯୋଗୁ ୨୫ ହଜାର କୋଟି ଟଙ୍କାର କ୍ଷତି (କ୍ରିସିଲ ସଂସ୍ଥା ଆକଳନ) ହୋଇଛି । ଫିଲ୍ମ ନିର୍ମାଣ ଓ ପ୍ରଦର୍ଶନ ଉଭୟରେ ଏକ କ୍ଷୁଦ୍ର ସ୍ଥଳରେ ଅଧିକ ଲୋକଙ୍କ ସମାଗମ ହେଉଥିବାରୁ କରୋନା କଟକଣାରେ ସମ୍ପୂର୍ଣ୍ଣ ବନ୍ଦ ଥିବା ଫିଲ୍ମ ଓ ଟେଲି ଧାରାବାହିକର ସୁଟିଂ ଏବେ କିଛି କିଛି ଆରମ୍ଭ ହୋଇଛି । ଅନେକ ଫିଲ୍ମର ପ୍ରସ୍ତୁତି ଓ ମୁକ୍ତିକୁ ଘୁଞ୍ଚାଇ ଦିଆଯାଇଛି ଯଦ୍ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଦୈନିକ ମଜୁରୀ ଉପରେ ନିର୍ଭର କରୁଥିବା ଜୁନିଅର ଆର୍ଟିଷ୍ଟ, ଟେକନିସିଆନ ଓ ସ୍ପଟବଏମାନେ । ଆଗାମୀ ଦିନରେ ସ୍ଥିତି ସାମାନ୍ୟ ହେଲେ ବି ଦୀର୍ଘ ଦିନ ଧରି ଛୋଟ ଫିଲ୍ମଗୁଡିକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ତାରିଖ ପାଇବେ ନାହିଁ  ଓ କିଛି ଫିଲ୍ମ ତ ଓଟିଟି ପ୍ଲାଟଫର୍ମରେ ରିଲିଜ କରି ସାରିଲେଣି । ଲକଡାଉନ ସମୟରେ ଟିଭି ଦର୍ଶକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିଲେ ବି ବିଜ୍ଞାପନଦାତାମାନେ ସେହି ଅବଧିରେ ଆର୍ଥିକ କ୍ଷତି ସହୁଥିବା କାରଣରୁ ଟିଭି ରାଜସ୍ୱ ବୃଦ୍ଧି ପାଇ ପାରି ନ ଥିଲା । ଆୱାର୍ଡ ସୋ’, ମିଟିଂ, କନଫରେନସ, ପ୍ରଦର୍ଶନୀ, ପ୍ରତିଯୋଗିତା, ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆଦିର ଆୟୋଜନ କରୁଥିବା ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀଗୁଡିକ ମଧ୍ୟରୁ ଅଧିକାଂଶଙ୍କର ଆୟ ପ୍ରାୟ ୯୦  ପ୍ରତିଶତ ହ୍ରାସ ପାଇଥିବାରୁ ସେଗୁଡିକ ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ନିର୍ଭର କରୁଥିବା ପ୍ରାୟ 5 କୋଟି ଲୋକଙ୍କ ମଧ୍ୟରୁ ଅନେକେ ନିଯୁକ୍ତି ହରାଇଛନ୍ତି । ମଞ୍ଚ ଖୋଲିବାର ଅନୁମତି ନ ଥିବାରୁ ନାଟକ, ଯାତ୍ରା, ସଙ୍ଗୀତ, ନୃତ୍ୟ ଆଦି ସହ ସମ୍ପୃକ୍ତ କଳାକାର ଓ ଅନ୍ୟମାନେ ସେମାନଙ୍କ ଜୀବିକା ହରାଇଛନ୍ତି । ଅବଶ୍ୟ ଘରେ ବସି ଦେଖି ହେଉଥିବାରୁ ଏହି ସମୟରେ ଓଟିଟି ପ୍ଲାଟଫର୍ମରେ ଥିବା ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭଳି ସଂସ୍ଥାଙ୍କ ଗ୍ରାହକ ସଂଖ୍ୟା ୭୫ ପ୍ରତିଶତ ବୃଦ୍ଧି ପାଇଛି । ଅନେକ ଏଥି ନେଇ ଚିନ୍ତିତ ଯେ ଏହି ଅଭ୍ୟାସ ଜାରି ରହିଲେ ଆଗାମୀ ଦିନରେ ପ୍ରେକ୍ଷାଳୟଗୁଡିକ ଖୋଲିବା ପରେ ବି ଦର୍ଶକଙ୍କ ସଂଖ୍ୟା କମି ଯାଇପାରେ । ଏହି ପ୍ଲାଟଫର୍ମଗୁଡିକରେ ବଡ ବଜେଟର ସିନେମା ପ୍ରଦର୍ଶିତ ହେବାର ସୁଯୋଗ କମ ଥିବାରୁ ଛୋଟ ବଜେଟ ଫିଲ୍ମ ଅଧିକ ସଂଖ୍ୟାରେ ନିର୍ମାଣ ହେବାର ସମ୍ଭାବନା ଦେଖା ଦେଇପାରେ । ବିଜ୍ଞାପନଦାତା ଟିଭିରୁ ଓହରି ଇଣ୍ଟରନେଟକୁ ଯିବାକୁ ଚିନ୍ତା କରିପାରନ୍ତି । କହିବାକୁ ଗଲେ କରୋନା ପରବର୍ତ୍ତୀ ସମୟରେ ମନୋରଞ୍ଜନ ମାଧ୍ୟମଗୁଡିକ ନୂତନ ଭାବେ ପରିଭାଷିତ ହୋଇପାରନ୍ତି ।                               

ଏହି ସମୟରେ କଳାକାରମାନେ  ଅତ୍ୟନ୍ତ ଦୈନ୍ୟ ଓ ଦୁର୍ଦ୍ଦଶା ମଧ୍ୟରେ କାଳାତିପାତ କରି ଚାଲିଥିଲେ ବି ସେମାନଙ୍କ ଅବସ୍ଥା ଓ ସମସ୍ୟାଗୁଡିକ ପ୍ରତି ଆବଶ୍ୟକୀୟ ସମ୍ୱେଦନଶୀଳତା ସୃଷ୍ଟି ହୋଇପାରି ନାହିଁ । ବସ୍ତୁତଃ ସେମାନଙ୍କୁ ‘ଅଣ-ଅତ୍ୟାବଶ୍ୟକ ଶ୍ରେଣୀ’ରେ ଧରି ନିଆ ଯାଇଥିବାରୁ ସେମାନଙ୍କ ସମସ୍ୟା ପ୍ରତି କାହାରି ଆଖି ଯାଉ ନାହିଁ । ଲକଡାଉନ ସମୟରେ ପଶ୍ଚିମବଙ୍ଗର ଜଣେ ସଙ୍ଗୀତଶିଳ୍ପୀ ଅନାହାରରେ ଜୀବନ ହାରିବାକୁ ଉଦ୍ୟମ କରିବା ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିବା ସହିତ ମଞ୍ଚ ଓ ଲୋକ କଳାକାରଙ୍କ ଦୟନୀୟ ସ୍ଥିତି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲା । ଓଡିଶାରେ ମଧ୍ୟ ଯାତ୍ରା କଳାକାରଙ୍କଠାରୁ ଆରମ୍ଭ କରି ସଙ୍ଗୀତ ଶିଳ୍ପୀ, ଗାଁ ଗଣ୍ଡାରେ ଥିବା ପାଲା, ଦାସକାଠିଆ ଆଦି ଲୋକ କଳାକାରମାନେ ବେରୋଜଗାର ହୋଇ ଅତି ଦୟନୀୟ ଭାବେ କାଳାତିପାତ କରୁଛନ୍ତି ଓ ଯେନତେନ ପ୍ରକାରେଣ ନିଜ ଗୁଜୁରାଣ ମେଣ୍ଟାଇବା ଲାଗି ଚେଷ୍ଟା କରୁଛନ୍ତି । ପ୍ରତିଟି କଳାକାର ଆର୍ଥିକ ଦୃଷ୍ଟିରୁ ନ ହେଲେ ବି ନିଜ କଳା ସମ୍ପଦରେ ଏତେ ଧନୀ ଓ ସ୍ୱାଭିମାନୀ ଯେ ଦାରିଦ୍ର୍ୟ ଭିତରେ ଥିଲେ ବି ଅନ୍ୟ କାହା ଆଗରେ ହାତ ପାତି ଭିକ ମାଗିବା ତା’ ଦ୍ୱାରା ସମ୍ଭବ ହୋଇ ନଥାଏ । ଏହିଭଳି ଉତ୍କଟ ଦାରିଦ୍ର୍ୟ ଭିତରେ ଥିବା କଳାକାରମାନଙ୍କୁ ସାହାଯ୍ୟ କରିବା ପାଇଁ କର୍ଣ୍ଣାଟକୀ ସଙ୍ଗୀତର ପ୍ରସିଦ୍ଧ ଗାୟକ ଟି ଏମ କ୍ରିଷ୍ଣ ଓ ଅନ୍ୟମାନଙ୍କ ଦ୍ୱାରା ‘କୋଭିଡ ୧୯ ଆର୍ଟିଷ୍ଟ ଫଣ୍ଡ’, ଶୋଭା ମୁଦଗଲ ଆଦିଙ୍କ ଦ୍ୱାରା ‘ଆଡା’ ଓ ପଶ୍ଚିମବଙ୍ଗରେ ‘ମ୍ୟୁଜିସିଆନସ ଫର ମ୍ୟୁଜିସିଆନସ’ ଭଳି ଉଲ୍ଲେଖନୀୟ ଉଦ୍ୟମ ହୋଇଛି । ଓଡିଶାରେ ବ୍ୟକ୍ତିଗତ ସ୍ତରରେ କିଛି ଉଦ୍ୟମ ହୋଇଥିଲେ ବି ସଂଗଠିତ ଉଦ୍ୟମ ଦେଖିବାକୁ ମିଳିନାହିଁ । କରୋନାଜନିତ ପରିସ୍ଥିତିରୁ ଅନ୍ତତଃ ଗୋଟିଏ ଶିକ୍ଷା ମିଳିଛି ଯେ ଭବିଷ୍ୟତ ନିରାପତ୍ତା ବ୍ୟବସ୍ଥା ଅଭାବରୁ ଅଳ୍ପ ଆୟ କରୁଥିବା ଶିଳ୍ପୀମାନେ ଏ ଭଳି ବିପତ୍ତି ସମୟରେ ସର୍ବାଧିକ ଅରକ୍ଷିତ ହୋଇ ପଡୁଥିବାରୁ ସେଥି ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ବିଡମ୍ୱନା ଏହି ଯେ ସାଧାରଣ ଜନତାଙ୍କୁ ଆଶା ଓ ସ୍ୱପ୍ନ ବାଣ୍ଟିବା ସହିତ ଆମୋଦ ପ୍ରଦାନ  କରୁଥିବା ଦୁଇ  କ୍ଷେତ୍ର କ୍ରୀଡା ଓ ମନୋରଞ୍ଜନ ଆଜି ନିଜେ ନିରାଶାର ଅନ୍ଧକାର ମଧ୍ୟରେ । ଏହି ବିପତ୍ତି ସମୟରେ ସେହି କ୍ଷେତ୍ର ଦୁଇଟିକୁ ସହଯୋଗର ହାତ ବଢାଇବା ଏକ ଜାତୀୟ କର୍ତ୍ତବ୍ୟ, କାରଣ ସେମାନେ ହିଁ ତ ପ୍ରକୃତ ଅର୍ଥରେ ସଂସ୍କୃତି, ଐତିହ୍ୟର ସଂରକ୍ଷକ । ଏହି କ୍ଷେତ୍ରଦ୍ୱୟ ଆଜି ଅଭିବ୍ୟକ୍ତିଶୂନ୍ୟ ; କିନ୍ତୁ ସେମାନେ ପ୍ରାଣଶକ୍ତି ହରାଇ ନାହାନ୍ତି । ସ୍ଥିତି ସାମାନ୍ୟ ହୋଇ ସେଗୁଡିକ ପୁଣି ଥରେ ପ୍ରକୃତ ଅର୍ଥରେ ପ୍ରାଣବନ୍ତ ହେଲେ ଯାଇ ସେହି ଅପହୃତ ଚମକ ଫେରି ଆସିବ, ଯାହାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ।


(Published in Sambad on December 30, 2020)

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...