ସେତେବେଳେ ଓଡିଶା ଆହୁରି ସ୍ଵତନ୍ତ୍ର ପ୍ରଦେଶ ହୋଇ ନଥାଏ, ଉତ୍କଳ ସମ୍ମିଳନୀ ମାଧ୍ୟମରେ ସେଥିପାଇଁ ଲଢେଇ ଜାରି ରହିଥାଏ l ୧୯୧୨ ମସିହାରେ ବାଲେଶ୍ଵରଠାରେ ଆୟୋଜିତ ଉତ୍କଳ ସମ୍ମିଳନୀର ଏକ ସ୍ଵତନ୍ତ୍ର ଅଧିବେଶନର ଉଦଘାଟନୀ ଉତ୍ସବରେ ଦେଶାତ୍ମବୋଧକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ ହେଲା ମାତ୍ରେ ସମଗ୍ର ପରିବେଶ ଗୁରୁଗମ୍ଭୀର ହୋଇଗଲା l ଗୀତଟି ସରିଲା ମାତ୍ରେ ଖୋଜା ପଡିଲେ ସେହି ହୃଦୟସ୍ପର୍ଶୀ ଗୀତର ଲେଖକ, ଆଉ ସଭାରେ ଉପସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କ ସମ୍ମୁଖରେ ଉଭା ହେଲେ ୨୪ ବର୍ଷର ଯୁବକ ନଖି ଓରଫ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର l ଗୀତଟି ଶୁଣି ସ୍ତବ୍ଧ ହୋଇ ଯାଇଥିବା ଗୋପବନ୍ଧୁ ତାଙ୍କୁ କୁଣ୍ଢାଇ ପକାଇଲେ ଓ ତାଙ୍କ ଆଖିରୁ ଝରଝର ହୋଇ ଝରି ପଡିଲା ଆନନ୍ଦାଶ୍ରୁ l ଉତ୍କଳଗୌରବ ମଧୁସୂଦନ ମଧ୍ୟ ତାଙ୍କୁ ଭୂୟସୀ ପ୍ରଶଂସା କଲେ I ସେ ସମୟର ଅନ୍ୟାନ୍ୟ ଅନେକ ଦେଶାତ୍ମବୋଧକ ଗୀତ ମଧ୍ୟରୁ ଏହାର ସାବଲୀଳତା ପାଇଁ ସର୍ବସମ୍ମତିକ୍ରମେ ଏହା ପ୍ରାଦେଶିକ ଗୀତ ଭାବେ ଗୃହୀତ ହେଲା I କେତେକଙ୍କ ମତରେ ଏହା ୧୯୦୮ ମସିହାରେ ଉତ୍କଳ ସମ୍ମିଳନୀର ପୁରୀ ଅଧିବେଶନରେ ପ୍ରଥମ ଥର ପାଇଁ ଗାନ ହୋଇଥିଲା l ଓଡିଆ ଲୋକଙ୍କୁ ଏକଜୁଟ କରିବା ପାଇଁ ଓ ସେମାନଙ୍କଠାରେ ଜାତିପ୍ରୀତି ଉଦ୍ରେକ କରିବା ଦିଗରେ ‘ବନ୍ଦେ ଉତ୍କଳ ଜନନୀ’ ଏକ ଅସ୍ତ୍ର ଭଳି ବ୍ୟବହୃତ ହେଲା l ଉତ୍କଳ ସମ୍ମିଳନୀର ପ୍ରତିଟି ଅଧିବେଶନ ଆରମ୍ଭରେ ଗୀତଟି ପରିବେଷଣ ହେବାକୁ ଲାଗିଲା I ଜାତୀୟ କବି ବାଞ୍ଛାନିଧି ମହାନ୍ତି ହାରମୋନିୟମ ଖଣ୍ଡିଏ ଧରି ରାଜ୍ୟର ପୁରପଲ୍ଲୀରେ ଏହି ଗୀତଟିକୁ ଗାଇଗାଇ ଜାତିପ୍ରେମ ସଞ୍ଚାରିତ କରିଥିଲେ l ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଏହି ଗୀତଟି ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା l ଦୀର୍ଘ ବର୍ଷର ବ୍ୟବଧାନ ପରେ ସେଭଳି ମହାନ ଗୀତକୁ ନେଇ ବିବାଦ ଉପୁଜିବା ବାସ୍ତବିକ କ୍ଷୋଭର ବିଷୟ l
ସମ୍ଵିଧାନର ଧାରା ୫୧(କ) ଅନୁଯାୟୀ ଜାତୀୟ ସଙ୍ଗୀତ ‘ଜନ ଗଣ ମନ ଅଧିନାୟକ’କୁ ସମ୍ମାନ ଜଣାଇବା ପ୍ରତ୍ୟେକ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ l ପ୍ରାଦେଶିକ ଗୀତର କୌଣସି ସାମ୍ଵିଧାନିକ ବୈଧତା ନଥିଲେ ମଧ୍ୟ କିଛି ରାଜ୍ୟ ଆଇନ ପ୍ରଣୟନ କରି ନିଜ ନିଜ ପ୍ରାଦେଶିକ ସଂଗୀତକୁ ମାନ୍ୟତା ଦେଇଥିବା ବେଳେ ଅନ୍ୟ କିଛି ରାଜ୍ୟରେ କିଛି ଲୋକପ୍ରିୟ ଗୀତ ପ୍ରାଦେଶିକ ଗୀତ ହୋଇଯାଇଛି l ୧୯୦୯ରେ ଲକ୍ଷ୍ମୀକାନ୍ତ ବେଜବରୁଆଙ୍କ ରଚିତ ‘ଓ ମୋର ଆପନାର ଦେଶ’ ଗୀତଟିକୁ ଆସାମର ପ୍ରାଦେଶିକ ଗୀତ ଭାବେ ୧୯୨୭ରେ ମାନ୍ୟତା ମିଳିଥିଲା l ତେବେ ୨୦୧୩ ମସିହାରେ ଏକ ସୂଚନା ଅଧିକାର ଆବେଦନ ଜରିଆରେ ଗୀତଟିକୁ ପ୍ରାଦେଶିକ ସଂଗୀତ ଭାବେ କୌଣସି ଆଇନଗତ ମାନ୍ୟତା ମିଳିନାହିଁ ବୋଲି ଜଣା ପଡିବା ପରେ ଜନମତ ଚାପରେ ବାଧ୍ୟ ହୋଇ ସରକାର ସେହି ବର୍ଷ ଡିସେମ୍ଵର ମାସରେ ଗୀତଟିକୁ ଆସାମ ରାଜ୍ୟିକ ଜାତୀୟ ସଙ୍ଗୀତ ବୋଲି ଘୋଷଣା କଲେ l ଅବିଭାଜିତ ଆନ୍ଧ୍ର ପ୍ରଦେଶରେ ‘ମା ତେଲୁଗୁ ତଲ୍ଲୀକୀ’ ଗୀତଟି ପ୍ରାଦେଶିକ ଗୀତର ମାନ୍ୟତା ପାଇଥିବା ବେଳେ ବିଭାଜନ ପରେ ଏହା ଆନ୍ଧ୍ର ପ୍ରଦେଶର ପ୍ରାଦେଶିକ ଗୀତ ଭାବେ ଅବ୍ୟାହତ ରହିଲା ଓ ‘ଜୟ ଜୟ ହେ ତେଲେଙ୍ଗାନା ଜନନୀ’ ଗୀତଟିକୁ ତେଲେଙ୍ଗାନା ରାଜ୍ୟର ପ୍ରାଦେଶିକ ଗୀତର ମାନ୍ୟତା ମିଳିଲା l ସେହିପରି ଭାବେ କର୍ଣ୍ଣାଟକ (ଜୟ ଭାରତ ଜନନୀୟ ତନୁଜାତେ), ତାମିଲନାଡୁ (ତାମିଲ ତୟ ଭଲତୁ), ଗୁଜରାଟ (ଜୟ ଜୟ ଗରଭୀ ଗୁଜରାଟ). ମହାରାଷ୍ଟ୍ର (ଜୟ ମହାରାଷ୍ଟ୍ର ମାଝା), କେରଳ (ଭଞ୍ଜି ଭୂମି), ମଧ୍ୟ ପ୍ରଦେଶ (ସୁଖକା ଦାତା ସବକା ସାଥୀ) ରାଜ୍ୟଗୁଡିକର ମଧ୍ୟ ନିଜ ନିଜର ରାଜ୍ୟ ସଙ୍ଗୀତ ରହିଛି l ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉଦ୍ୟମ କ୍ରମେ ‘ମେରେ ଭାରତ କେ କଣ୍ଠହାର’ ଗୀତଟି ବିହାରର ରାଜ୍ୟ ଗୀତ ଭାବେ ସରକାରଙ୍କ ସ୍ଵୀକୃତି ପାଇ ୨୦୧୨ ମସିହାରେ ଲୋକାର୍ପିତ ହୋଇଥିଲା l
ଦୀର୍ଘ ଦିନ ଧରି ‘ବନ୍ଦେ ଉତ୍କଳ ଜନନୀ’ ଓଡିଶାର ପ୍ରାଦେଶିକ ସଂଗୀତ ଭାବେ ଗ୍ରହଣୀୟ ହୋଇଥିଲେ ମଧ୍ୟ ଏହାକୁ ସରକାରୀ ସ୍ଵୀକୃତି ଦେବାର ପ୍ରଥମ ଉଦ୍ୟମ ହୋଇଥିଲା ୧୯୯୪ ମସିହା ନଭେମ୍ଵର ମାସ, ଯେତେବେଳେ ତତ୍କାଳୀନ ବାଚସ୍ପତି ଯୁଧିଷ୍ଠିର ଦାସ ଏ ସଂକ୍ରାନ୍ତରେ ଗଠିତ ଏକ ସର୍ବଦଳୀୟ କମିଟିର ସୁପାରିଶକୁ ଗ୍ରହଣ କରି ବିଧାନ ସଭାର ଅଧିବେଶନ ଶେଷରେ ଏହି ଗୀତ ଗାନର ପରମ୍ପରାକୁ ଆରମ୍ଭ କଲେ l ସେହି କ୍ରମରେ ବିଧାନ ସଭାରେ ଏହା ପ୍ରଥମ ଥର ପାଇଁ ଡିସେମ୍ଵର ୨୨, ୧୯୯୪ରେ ଗାନ କରାଯାଇଥିଲା l ପରବର୍ତ୍ତୀ ସମୟରେ ବିଧାୟକମାନଙ୍କ ଦାବି କ୍ରମେ ୨୦୦୨ ମସିହାରେ ବାଚସ୍ପତି ଶରତ କର ଏକ କମିଟି ଗଠନ କରି ଏହି ସଂଗୀତ ପରିବେଷଣର ଅବସର, ସ୍ଥାନ, ଢଙ୍ଗ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବିଷୟ ସୁନିର୍ଦ୍ଦିଷ୍ଟ କରିବା ପାଇଁ ତତ୍ପରତା ଦେଖାଇଲେ l ଏକ ରୁଲିଂ ମାଧ୍ୟମରେ ଗୀତଟିକୁ ପ୍ରାଦେଶିକ ସଂଗୀତର ଆଇନଗତ ମାନ୍ୟତା ଦେବା ପାଇଁ ବିହିତ ପଦକ୍ଷେପ ନେବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଲାନାହିଁ l ପୁନଶ୍ଚ ୨୦୦୬ ମସିହାରେ ବାଚସ୍ପତି ମହେଶ୍ଵର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପୂର୍ବ କମିଟି ଦେଇଥିବା ପରାମର୍ଶକୁ କାର୍ଯ୍ୟକାରୀ କରିବାକୁ ଦୋହରାଇ ଥିଲେ l ଏହି ଗୀତଟିକୁ ଛୋଟ କରିବା ପାଇଁ ସଂସ୍କୃତି ବିଭାଗ ତରଫରୁ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ବିଶେଷଜ୍ଞଙ୍କୁ ଦାୟିତ୍ଵ ଦିଆଯାଇଥିଲା l ବିଶ୍ଵବିଦ୍ୟାଳୟ ଦ୍ଵାରା ଏହି ଗୀତର ଛଅଟି ପଦ ମଧ୍ୟରୁ ତିନୋଟି, ପ୍ରଥମ, ଚତୁର୍ଥ ଓ ଶେଷ ପଦକୁ ନେଇ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଗାଇଥିବା ଗୀତର ଗାୟନ ଶୈଳୀ ଓ ସ୍ଵର ଅନୁସରଣରେ ଏକ ୮୫ ସେକେଣ୍ଡ ବିଶିଷ୍ଟ ସଂସ୍କରଣକୁ ରାଜ୍ୟ ସଂଗୀତର ମର୍ଯ୍ୟାଦା ଦେବାକୁ ଦିଆଯାଇଥିବା ପରାମର୍ଶଟିକୁ ସଂସ୍କୃତି ବିଭାଗ ଡିସେମ୍ଵର ୧୭, ୨୦୧୩ରେ ଗ୍ରହଣ କଲେ l ପରବର୍ତ୍ତୀ ସମୟରେ ତାହା ଗୃହ ବିଭାଗର ଅନୁମୋଦନ ପାଇଲା ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ରାଜ୍ୟ ସଂଗୀତ ଭାବେ ଘୋଷିତ ହେବା କଥା l ଏଭଳି ଭାବାବେଗର ପ୍ରଶ୍ନ ବିଜଡିତ ପ୍ରସଙ୍ଗରେ କେତେ ଶୀଘ୍ର ଆଇନ ପ୍ରଣୟନ ହୋଇପାରେ ତାହାର ଉଦାହରଣ ଆସାମ, ତେଲେଙ୍ଗାନା ଭଳି ରାଜ୍ୟମାନଙ୍କଠାରୁ ଦେଖିବାକୁ ମିଳୁଥିଲେ ମଧ୍ୟ ଆମ ସରକାର ସେଥିରୁ କିଛି ଶିଖିଲା ପରି ମନେହୁଏ ନାହିଁ l ଫଳରେ ଏବେ ବି ‘ବନ୍ଦେ ଉତ୍କଳ ଜନନୀ’ ଆଇନଗତ ସ୍ଵୀକୃତି ପାଇବା ଅପେକ୍ଷାରେ l
କବିଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ଵାରା ରଚିତ ଓ ୧୯୧୧ରେ କଂଗ୍ରେସ ଅଧିବେଶନରେ ପ୍ରଥମ ଥର ପାଇଁ ଗାନ ହୋଇଥିବା ଆମ ଜାତୀୟ ସଙ୍ଗୀତରେ ଉଲ୍ଲିଖିତ ଦ୍ରାବିଡ ଶବ୍ଦଟି ସମଗ୍ର ଦକ୍ଷିଣ ଭାରତର ରାଜ୍ୟଗୁଡିକୁ ବୁଝାଉଥିବା ବେଳେ ବର୍ଣ୍ଣିତ ସମୁଦାୟ ଛଅଟି ରାଜ୍ୟ ମଧ୍ୟରେ ‘ଉତ୍କଳ’ ସ୍ଥାନିତ l ଗର୍ବ କରିବାର କଥା ଅନେକ ବଡବଡ ରାଜ୍ୟର ନାମ ଜାତୀୟ ସଂଗୀତରେ ସ୍ଥାନ ପାଇ ନଥିବା ସ୍ଥଳେ, ସେତେବେଳେ ଓଡିଶା ଏକ ସ୍ଵତନ୍ତ୍ର ପ୍ରଦେଶ ନହୋଇ ମଧ୍ୟ, ଓଡିଶାକୁ ଉତ୍କଳ ଭାବେ ସ୍ଥାନ ମିଳିଛି, ସମ୍ଭବତଃ ଏହାର ଉତ୍କୃଷ୍ଟ କଳା ଓ ସଂସ୍କୃତିର ଐତିହ୍ୟ ପାଇଁ l ବର୍ତ୍ତମାନ ଯେଉଁମାନେ ବନ୍ଦେ ଉତ୍କଳ ଜନନୀରେ ‘ଉତ୍କଳ’ ପରିବର୍ତ୍ତେ ‘ଓଡିଶା’ ଶବ୍ଦର ବ୍ୟବହାର ସପକ୍ଷରେ ଯୁକ୍ତି ଉପସ୍ଥାପନ କରୁଛନ୍ତି ସେମାନେ ଆମ ଜାତୀୟ ସଂଗୀତରେ ମଧ୍ୟ ‘ଉତ୍କଳ’ ଶବ୍ଦକୁ ବଦଳାଇ ‘ଓଡିଶା’ କରିବାକୁ ଦାବି କରିପାରିବେ କି ? କୋଶଳ ରାଜ୍ୟ ଗଠନ ସପକ୍ଷରେ ଥିବା କିଛି ଲୋକ ‘ବନ୍ଦେ ଉତ୍କଳ ଜନନୀ’କୁ ପ୍ରାଦେଶିକ ସଂଗୀତର ମାନ୍ୟତା ଦିଆଯିବାକୁ ବିରୋଧ କରୁଛନ୍ତି l ସେମାନଙ୍କ ମତରେ ଉତ୍କଳ, କଳିଙ୍ଗ ଓ କୋଶଳ ଭଳି ତିନୋଟି ଅଞ୍ଚଳକୁ ନେଇ ଓଡିଶା ଗଠିତ ହୋଇଥିବାରୁ କେବଳ ‘ଉତ୍କଳ’ ଶବ୍ଦ ବ୍ୟବହାର ହୋଇଥିବା ଗୀତଟି ପ୍ରାଦେଶିକ ସଂଗୀତ ଭାବେ ସେମାନଙ୍କ ଦ୍ଵାରା ଗ୍ରହଣୀୟ ହେବନାହିଁ l ଓଡିଶା କେବଳ କେତୋଟି ଅଞ୍ଚଳର ସମାହାର ନୁହେଁ, ବରଂ ଭାବଗତ ଭାବେ ଏକୀକୃତ ଏକ ଭୂଖଣ୍ଡର ଅନ୍ୟନାମ ଓ ବିଭିନ୍ନ ସମୟରେ ଏହି ଶବ୍ଦଗୁଡିକ ଓଡିଶାର ପ୍ରତିଶବ୍ଦ ଭଳି ବ୍ୟବହାର ହୋଇ ଆସିଛି l ଉତ୍କଳ କହିଲେ କେବଳ ଏକ ଭୌଗୋଳିକ ଭୂଖଣ୍ଡକୁ ନବୁଝାଇ ବରଂ ଏକ ସଂସ୍କୃତି, ଏକ ଚଳଣି, ଏକ ପରମ୍ପରାକୁ ବୁଝାଇଥାଏ, ଯେଉଁଥିରେ କୋଶଳ ମଧ୍ୟ ସନ୍ନିବେଶିତ l ତେଣୁ କାନ୍ତକବିଙ୍କ ‘ବନ୍ଦେ ଉତ୍କଳ ଜନନୀ’ରେ କଳିଙ୍ଗ ଓ କୋଶଳକୁ ବାଦ ଦେଇ ଉତ୍କଳ ଅକଳ୍ପନୀୟ l
ଆସାମ ପ୍ରାଦେଶିକ ସଂଗୀତର ରଚୟିତା ଲକ୍ଷ୍ମୀକାନ୍ତ ବେଜବରୁଆ ଓ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ମଧ୍ୟରେ ନାମଗତ ସମାନତା ଏକ ସଂଯୋଗ ହୋଇପାରେ l ତେବେ କବି ଲକ୍ଷ୍ମୀକାନ୍ତ ବେଜବରୁଆଙ୍କ ସମ୍ଵଲପୁରସ୍ଥିତ ବାସଭବନକୁ ପୁନରୁଦ୍ଧାର କରି ଏକ ସ୍ମୃତିପୀଠରେ ପରିଣତ କରିବା ପାଇଁ ଆସାମ ସରକାରଙ୍କ ଆନ୍ତରିକ ଉଦ୍ୟମ ସେମାନଙ୍କ କବିଙ୍କ ପ୍ରତି ଥିବା ଗଭୀର ଶ୍ରଦ୍ଧା ଓ ଭଲ ପାଇବାକୁ ଦର୍ଶାଉଛି l ସମଦୃଷ୍ଟିରେ କାନ୍ତକବିଙ୍କ ଭଦ୍ରକ ଜିଲ୍ଲା ତାଳପଦାସ୍ଥିତ ବାସସ୍ଥାନକୁ ଏକ ସ୍ମୃତିପୀଠର ମାନ୍ୟତା ପ୍ରଦାନ ପାଇଁ ଓଡିଶା ସରକାର ପଦକ୍ଷେପ ନେବା କଣ ଉଚିତ ନୁହେଁ କି ? ଯେଉଁ ଗୀତ ଦିନେ ଲକ୍ଷ ଲକ୍ଷ ଓଡିଆଙ୍କୁ ଉଦବୁଦ୍ଧ କରି ସେମାନଙ୍କ କାନରେ ଜାତିପ୍ରେମର ମନ୍ତ୍ର ଫୁଙ୍କିଥିଲା, ତାକୁ ନେଇ ବିବାଦ ଉପୁଜିବା ବାସ୍ତବିକ ସେହି କାଳଜୟୀ ଗୀତ ଓ ତାର ସ୍ରଷ୍ଟାଙ୍କ ପ୍ରତି ଅସମ୍ମାନ ହୋଇଥିବାରୁ ତୁରନ୍ତ ସେଥିରେ ପୂର୍ଣ୍ଣଚ୍ଛେଦ ପଡିବା ଉଚିତ l ରାଜ୍ୟ ସରକାର ଏହାକୁ ଏ ପର୍ଯ୍ୟନ୍ତ ଆଇନଗତ ମାନ୍ୟତା ଦେଇ ନଥିଲେ ମଧ୍ୟ ବିଗତ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ଏହା କୋଟିକୋଟି ଓଡିଶାବାସୀଙ୍କ ହୃଦୟକୁ ସ୍ପନ୍ଦିତ କରି ଆସିଛି l ତେଣୁ କାଳ ବିଳମ୍ଵ ନକରି ଗୀତଟିକୁ ପ୍ରାଦେଶିକ ସଙ୍ଗୀତର ମାନ୍ୟତା ଦେବା ପାଇଁ ସରକାର ଆଇନ ପ୍ରଣୟନ କରି ନିଜ ନୈତିକ ଦାୟିତ୍ଵକୁ ନିର୍ବାହ କରିବା ବାଞ୍ଛନୀୟ l
Published in Matrubhasha (04.07.18), Sanchar (05.07.18), Swadhikar (05.07.18), Odisha Express (08.07.18), Prajatantra (09.07.18)
Very good writing.
ReplyDeleteThanks Jadu.
Deleteଉପସ୍ଥାପିତ ବିଷୟଟିକୁ ରାଜ୍ୟ ସରକାର ଗମ୍ଭୀରତା ସହ ବିଚାର କରିବାର ସମୟ । ସାଢେ଼ ଚାରିକୋଟି ଓଡ଼ିଆ ପ୍ରାଣରେ ଯେଉଁ ଉନ୍ମାଦନା ଭରି ରହିଛି ତାକୁ ଫଳପ୍ରସୂ କରିବାକୁ ହେଲେ ସର୍ବସମ୍ମତି ଭିତ୍ତିରେ ତୁରନ୍ତ ପଦକ୍ଷେପ ନେବାର ସଠିକ୍ ସମୟ ଉପନୀତ ବୋଲି ମୋର ବିଶ୍ବାସ ।
ReplyDeleteଧନ୍ୟବାଦ ସଞ୍ଜିବ l ଠିକ କଥା l ଓଷ୍ଠ ସେବା (ଲିପ୍ ସର୍ଭିସ) ଦେବାର ସମୟ ଅନେକ ଆଗରୁ ଗଲାଣି l ଏବେ ଠୋସ କାମ କରିବାର ବେଳ l
DeleteWooow, very interesting
ReplyDeleteThanks
DeleteWe need to do mass tweet to HCM for the legal status.
ReplyDeleteThanks
Delete