ସେମାନେ ସୈନିକ ନୁହନ୍ତି, ହେଲେ ସୈନିକଙ୍କଠାରୁ କିଛି କମ ବି ନୁହନ୍ତି । ଭାରତର ସବୁଠାରୁ ବିପଦସଙ୍କୁଳ ସିଆଚେନ ଗ୍ଲାସିଅରସ୍ଥିତ ସୀମାକୁ ଶତୃ କବଳରୁ ସୁରକ୍ଷିତ ରଖିବାରେ ସେମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଏପରିକି ସେମାନେ ସୈନ୍ୟମାନଙ୍କ ପରି ଦେଶପାଇଁ ପ୍ରାଣ ବିସର୍ଜନ କରିବାକୁ ମଧ୍ୟ କୁଣ୍ଠାବୋଧ କରି ନଥାନ୍ତି । ପରିତାପର ବିଷୟ ହେଉଛି, ଦେଶରକ୍ଷା ପାଇଁ ଜୀବନ ଦେଉଥିଲେ ବି ସେମାନଙ୍କୁ ଶହୀଦ ବୋଲି ବିବେଚନା ମଧ୍ୟ କରାଯାଏ ନାହିଁ କି ସେମାନଙ୍କ ବଳିଦାନର କୌଣସି ସ୍ୱୀକୃତି ମିଳେନାହିଁ ।
ସିଆଚେନ ଗ୍ଲାସିଅର ହେଉଛି ପୃଥିବୀର ସର୍ବୋଚ୍ଚ ରଣକ୍ଷେତ୍ର ଯେଉଁଠାରେ ୧୯୮୪ରୁ ଆଜି ଯାଏଁ ଯୁଦ୍ଧ ଲାଗିରହିଛି । ଏହି ଅଞ୍ଚଳ ସମୁଦ୍ର ପତ୍ତନଠାରୁ ୧୮ରୁ ୨୫ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ । ସାତ ଶହ ବର୍ଗ କିଲୋମିଟର କ୍ଷେତ୍ରରେ ପରିବ୍ୟ।ପ୍ତ ଏହି ଅଞ୍ଚଳରେ ଶୀତ ଦିନେ ହାରାହାରି ୩୫ ଫୁଟ ବରଫପାତ ହୋଇଥାଏ । ଏଠାରେ ତାପମାନ ବେଳେବେଳେ ମାଇନସ ୫୦ ଡିଗ୍ରୀ ସେଲସିଅସ ପର୍ଯ୍ୟନ୍ତ ଖସି ଆସିଥାଏ । ପ୍ରତିକୂଳ ପାଗରେ ଗ୍ଲାସିଅରରେ ଏତେ ଉଚ୍ଚତାରେ ଥିବା ପ୍ରାୟ ଶହେଟି ସେନା ପୋଷ୍ଟରେ ସୈନିକମାନେ ନିରନ୍ତର ଶତୃପକ୍ଷର ଗତିବିଧିକୁ ଅନୁଧ୍ୟାନ କରିବା ସଙ୍ଗେସଙ୍ଗେ ସୀମାକୁ ସୁରକ୍ଷା ପ୍ରଦାନ କରିବା ଯେ କେତେ କଷ୍ଟକର, ତାହା ସହଜରେ ଅନୁମେୟ । ଗୋଟିଏ ଆର୍ମି ୟୁନିଟ ସିଆଚେନର ମୂଳ ଶିବିର(ବ୍ୟାସ କ୍ୟାମ୍ପ)ରେ ଛଅ ମାସ ଯାଏଁ ରହିଥାନ୍ତି ଓ ଜଣେ ସୈନିକକୁ ସେନାପୋଷ୍ଟରେ ସର୍ବାଧିକ ତିନିମାସ ରହିବାକୁ ହୋଇଥାଏ । ଯେ କୌଣସି ସୈନିକ ପାଇଁ ସେହି ତିନି ମାସ ହେଉଛି ତା ସେନା ଜୀବନର ସବୁଠାରୁ ବେଶି ଆହ୍ୱାନଭରା ସମୟ । ଏହି ସମୟରେ ବିଭିନ୍ନ ବିପଦର ସମ୍ମୁଖୀନ ହୋଇ କେହି କେହି ମୃତ୍ୟୁ ମୁଖରେ ପଡିଥାନ୍ତି । ଅବଶ୍ୟ ପ୍ରତିକୂଳ ପରିସ୍ଥିତିକୁ ସାମନା କରିବା ପାଇଁ ସେଠାରେ ମୁତୟନ ହେଉଥିବା ସୈନ୍ୟମାନଙ୍କୁ ଆବଶ୍ୟକୀୟ ପୋଷାକପତ୍ର ଓ ତାଲିମ ପ୍ରଦାନ କରାଯାଇଥାଏ । ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ କେବଳ ଗତ ଦଶ ବର୍ଷ ମଧ୍ୟରେ ସିଆଚେନ ଗ୍ଲାସିଅରରେ ମୁତୟନ ହୋଇଥିବା ସୈନିକଙ୍କ ମଧ୍ୟରୁ ୧୬୩ ଜଣଙ୍କର ପ୍ରାଣହାନି ହୋଇ ସାରିଲାଣି ଓ କ୍ରମଶଃ ଏହା ଏକ ମରଣଯନ୍ତାରେ ପରିଣତ ହୋଇଛି ବୋଲି କହିବା ଅତ୍ୟୁକ୍ତି ହେବନାହିଁ ।
ରାସ୍ତାଘାଟ ନଥିବାରୁ ସିଆଚେନସ୍ଥିତ ପୋଷ୍ଟଗୁଡିକୁ ଯାନବାହନ ଯୋଗେ ଗୋଳାବାରୁଦ ଅସ୍ତ୍ରଶସ୍ତ୍ରଠାରୁ ଆରମ୍ଭ କରି କିରୋସିନି, ଖାଦ୍ୟସାମଗ୍ରୀ ଇତ୍ୟାଦି ପହଞ୍ଚାଇବା ଅସମ୍ଭବ । ଏପରିକି ସମଗ୍ର ଅଞ୍ଚଳ ବରଫାବୃତ ହୋଇଥିବାରୁ ଏଥିପାଇଁ ଖଚର ଓ ଅନ୍ୟ ପଶୁଙ୍କ ସହାୟତା ନେବା ମଧ୍ୟ ସମ୍ଭବ ନୁହେଁ । ହେଲିକପ୍ଟର ଓ ମାଲବାହୀ ବିମାନ ସହାୟତାରେ ଆକାଶମାର୍ଗରୁ ଜିନିଷପତ୍ର ପକାଇବା ହେଉଛି ଏକମାତ୍ର ବିକଳ୍ପ । ତେବେ ଆକାଶପତିତ ଜିନିଷପତ୍ରକୁ ସେନା ପୋଷ୍ଟ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସୈନିକଙ୍କୁ ବ୍ୟବହାର କରି ହେବନାହିଁ । କାରଣ ପ୍ରତିକୂଳ ପାଗରେ ଖାଇବା, ପିଇବା, ଚାଲିବା ଏପରିକି ନିଃଶ୍ୱାସ ନେବା ଭଳି ଦୈନନ୍ଦିନ କାର୍ଯ୍ୟ କରିବା ଦୁର୍ବିସହ ହୋଇ ପଡୁଥିବା ବେଳେ ସେଇଥିରେ ସୈନ୍ୟମାନେ ପୋଷ୍ଟକୁ ଶତୃ ଆକ୍ରମଣରୁ ରକ୍ଷା କରିବା ପାଇଁ ଦିନ ରାତି ସଜଗ ରହିବା ବେଶି ଜରୁରୀ । ସେହି ବିପଦସଙ୍କୁଳ ଇଲାକା ଓ ଅବିଶ୍ୱାସୀ ପାଣିପାଗ ସମ୍ପର୍କରେ ଅଭିଜ୍ଞ ସିଆଚେନ ନିକଟସ୍ଥ ନୁବ୍ରା ଉପତ୍ୟକାର ଆଖପାଖରେ ଥିବା ଗ୍ରାମବାସୀମାନେ ମାଲବାହକ ହେବାକୁ ଆଗେଇ ଆସନ୍ତି । ପ୍ରତିକୂଳ ପାଣିପାଗରେ ଯେଉଁଠି ବରଫ ଉପରେ ଖାଲି ଚାଲିବା ମଧ୍ୟ ସମ୍ଭବ ନୁହେଁ, ସେଠାରେ ସେମାନେ ୨୦ କିଲୋଗ୍ରାମ ଲେଖାଏଁ ଓଜନ ବୋହି ପୋଷ୍ଟରେ ପହଞ୍ଚାଇଥାନ୍ତି । ପୁନଶ୍ଚ, ପୋଷ୍ଟଗୁଡିକରେ ଆବଶ୍ୟକ ପରିମାଣର ଖାଦ୍ୟସାମଗ୍ରୀ ଓ କିରୋସିନି ମହଜୁଦ କରିବା ସଙ୍ଗେସଙ୍ଗେ ଦୈନନ୍ଦିନ ବ୍ୟବହାର ପାଇଁ ବରଫ ଖୋଳି ତାକୁ ତରଳାଇ ପାଣିରେ ପରିଣତ କରିବା କାମ ମଧ୍ୟ ଏମାନଙ୍କର । ଇଲାକାର କୋଣ ଅନୁକୋଣ ସମ୍ପର୍କରେ ପରିଚିତ ଥିବାରୁ ସୈନ୍ୟମାନେ ହିମସ୍ଖଳନ ବା ବରଫ ଗର୍ତ୍ତରେ ପଡି ଦୁର୍ଘଟଣାଗ୍ରସ୍ତ ହେଲେ ସେମାନଙ୍କୁ ଖୋଜି ଉଦ୍ଧାର କରିବା ପାଇଁ ଏମାନଙ୍କୁ ବ୍ୟବହାର କରାଯାଇଥାଏ । ପ୍ରକୃତପକ୍ଷେ ଏହି ମାଲବାହକମାନେ ହିଁ ସେଠାରେ ଭାରତୀୟ ସୈନ୍ୟଙ୍କ ଜୀବନରେଖା ଭଳି କାମ କରିଥାନ୍ତି ।
ଲଦାଖ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ପର୍ଯ୍ୟଟକଙ୍କ ଆସିବା ଜାରି ରହିଥିବା ପର୍ଯ୍ୟନ୍ତ ନୁବ୍ରା ଉପତ୍ୟକାର ଗ୍ରାମବାସୀଙ୍କୁ ରୋଜଗାର ମିଳିବାରେ ବିଶେଷ ଅସୁବିଧା ହୋଇ ନଥାଏ । ତେବେ ସମ୍ପୂର୍ଣ୍ଣ ଅଞ୍ଚଳ ବରଫାଚ୍ଛାଦିତ ହେବାକୁ ଲାଗିଲେ ପର୍ଯ୍ୟଟକ ଆସିବା କମିଯାଏ ଓ ଏମାନଙ୍କ ପାଖରେ ପରବର୍ତ୍ତୀ ଛଅ ମାସରୁ ଊର୍ଦ୍ଧ୍ଵ ସମୟ ଆଉ କୌଣସିି କାମ ନଥାଏ । ତେଣୁ ବାଧ୍ୟ ହୋଇ ପ୍ରତିକୂଳ ପାଗ ସତ୍ତ୍ଵେ ସେମାନେ ମାଲବାହକ ଭାବେ କାମ କରିବା ପାଇଁ ପର୍ବତାରୋହଣ କରି ସିଆଚେନ ଗ୍ଲାସିଅରରେ ପହଞ୍ଚି ଯାଇଥାନ୍ତି । ସେଠାରେ ସେନାବାହିନୀ ତରଫରୁ ସେମାନଙ୍କୁ ଦିନ ମଜୁରିଆ ଭାବେ ନିଯୁକ୍ତି ମିଳିଥାଏ । ସେହି ଅଞ୍ଚଳର ପ୍ରାୟ ପାଞ୍ଚ ଶହ ଅଧିବାସୀ ମାଲବାହକ ଭାବେ ନିୟୋଜିତ । କାର୍ଯ୍ୟକ୍ଷେତ୍ର କେତେ ଉଚ୍ଚତାରେ ଅବସ୍ଥିତ ଓ କେତେ ବିପଦସଙ୍କୁଳ ତାରି ଆଧାରରେ କାମ କରୁଥିବା ମାଲବାହକମାନଙ୍କୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରାଯାଇ ସେମାନଙ୍କୁ ସର୍ବୋଚ୍ଚ ୫୯୫ ଟଙ୍କାରୁ ସର୍ବନିମ୍ନ ୨୯୦ ଟଙ୍କା ମଜୁରୀ ଦିଆଯାଇଥାଏ । ଏଠାରେ ଉଲ୍ଲେଖଯୋଗ୍ୟ, ଜାମ୍ମ-କାଶ୍ମୀର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ମଜୁୁରୀ ହାର ଅନୁଯାୟୀ ଘରୋଇ କମ୍ପାନୀରେ କମ ଉଚ୍ଚତା (ଅଲଟିଚ୍ୟୁଡ) ଓ ଅଧିକ ଉଚ୍ଚତାରେ କାର୍ଯ୍ୟରତ ଶ୍ରମିକ ଦିନକୁ ଯଥାକ୍ରମେ ୬୫୦ ଓ ୧୦୦୦ ଟଙ୍କା ମଜୁରୀ ପାଇଥାନ୍ତି । ଅଧିକନ୍ତୁ, ସେମାନେ ଯେପରି ସେନାବାହିନୀରେ ସ୍ଥାୟୀ କର୍ମଚାରୀ ହେବା ପାଇଁ ଦାବି ନ କରନ୍ତି, ସେଥିପାଇଁ ସେମାନଙ୍କୁ ୮୯ ଦିନ ପରେ ଆଉ ନିଯୁକ୍ତି ମିଳି ନଥାଏ ଓ ସେମାନେ ମୂଳ ଶିବିରକୁ ଫେରି ଆସିଥାନ୍ତି । ଦୁଇ ତିନି ଦିନ ବସି ରହିଲା ପରେ ସେମାନେ ପୁଣି ଗ୍ଲାସିଅରରେ ମାଲବାହକ ଭାବେ ନିଯୁକ୍ତି ପାଇଥାନ୍ତି । କୌଣସି ସୈନିକକୁ ଗ୍ଲାସିଅରରେ ତିନି ମାସରୁ ଅଧିକ ସମୟ କାମ କରିବାକୁ ଦିଆଯାଉ ନଥିବା ବେଳେ ପେଟ ବିକଳରେ ଜଣେ ଜଣେ ମାଲବାହକ ବର୍ଷାଧିକ କାଳ ମଲବାହକ ଭାବେ କାମ କରିଥାନ୍ତି । ଘରକୁ ଫେରିଲା ବେଳେ ପାଖରେ ଥିବା ମାତ୍ର ୪୦-୫୦ ହଜାର ଟଙ୍କାରେ କିଏ ତା ଝିଅ ବା ଭଉଣୀ ବାହାଘରର ସ୍ୱପ୍ନ ଦେଖୁଥାଏ ତ କିଏ ପୁଣି ପୁଅ ପାଠପଢାର । ଦେଶମାତୃକା ପ୍ରତି ଅତ୍ୟଧିକ ଭଲ ପାଇବା ନଥିଲେ ସତରେ କଣ ଏଇ କେଇ ହଜାର ଟଙ୍କା ପାଇଁ କେହି ନିଜ ଜୀବନକୁ ଏପରି ବାଜି ଲଗାଇ ଦେଇପାରେ ! ସିଆଚେନରେ ଏମାନେ କରୁଥିବା କାମ ଅନ୍ୟ କାହା ଦ୍ୱାରା ସମ୍ଭବ ନୁହେଁ ଓ ସେନାବାହିନୀ ଏମାନଙ୍କ ଉପରେ ନିର୍ଭରଶୀଳ ରହିବାକୁ ବାଧ୍ୟ ବୋଲି ଜାଣି ମଧ୍ୟ ଏମାନଙ୍କୁ ସ୍ଥାୟୀ ନିଯୁକ୍ତି ନ ମିଳିବା କେତେ ଦୂର ଯୁକ୍ତିଯୁକ୍ତ । ବ୍ରିଟିଶ ଶାସନ ସମୟରେ ୧୯୧୧ ମସିହାରେ ‘ଇଣ୍ଡିଆନ ଆର୍ମି ଆକ୍ଟ’ରେ ସଂଶୋଧନ କରି ‘ଇଣ୍ଡିଆନ ପୋର୍ଟର କୋର’ ନାମକ ଏକ ଅଣଲଢୁଆ ବାହିନୀ ଗଠିତ ହୋଇଥଲା । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଓଡିଶା ସମେତ ଭାରତର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ଏହି ଅଣଲଢୁଆ ବାହିନୀରେ ନିଯୁକ୍ତି ପ୍ରଦାନ କରି ସେମାନଙ୍କୁ ମେସୋପୋଟାମିଆ, ଫ୍ରାନ୍ସ ଓ ବିଶ୍ୱର ଅନେକ ସ୍ଥାନରେ ମୁତୟନ କରାଯାଇଥିଲା । ଅନୁରୂପ ଭାବେ ସେହି ଢାଞ୍ଚାରେ ସିଆଚେନରେ ଏକ ସ୍ଥାୟୀ ପୋର୍ଟର କୋର ଗଠନ କଥା ଚିନ୍ତା କରାଯାଇପାରେ । ସେମାନଙ୍କୁ ନିୟମିତ ନିଯୁକ୍ତି ସହ ସେନାବାହିନୀର ଅଂଶବିଶେଷ ଭାବେ ଗ୍ରହଣ କଲେ ସୈନ୍ୟମାନେ ପାଉଥିବା ସମସ୍ତ ସୁବିଧା ସୁଯୋଗ ସେମାନେ ମଧ୍ୟ ପାଇ ପାରନ୍ତେ । ଉଭୟ ସରକାର ଓ ସେନାବାହିନୀ ସେମାନଙ୍କ ସମସ୍ୟା ପ୍ରତି ସହୃଦୟତା ପ୍ରଦର୍ଶନ କରିବା ବାଞ୍ଛନୀୟ ।
ସିଆଚେନରେ କାର୍ଯ୍ୟରତ ସୈନିକମାନେ ଯେ କେବଳ ଶତୃ ଆକ୍ରମଣରେ ମୃତ୍ୟୁବରଣ କରନ୍ତି ତାହା ନୁହେଁ, ବରଂ ଶତକଡା ପଞ୍ଚସ୍ତରୀ ଭାଗ ମୃତ୍ୟୁ ପ୍ରତିକୂଳ ପାଗ, ଅତ୍ୟଧିକ ଥଣ୍ଡା, ଶୀତଦଂଶ (ଫ୍ରଷ୍ଟଟବାଇଟ), ବରଫ ଝଡ, ହିମସ୍ଖଳନ, ବରଫଗର୍ତ୍ତରେ ପଡିବା ଇତ୍ୟାଦି କାରଣରୁ ହୋଇଥାଏ । ଏକା କାରଣରୁ ମାଲବାହକମାନେ ମଧ୍ୟ ମୃତ୍୍ୟୁର ଶିକାର ହୋଇଥାନ୍ତି । ଅବଶ୍ୟ ପ୍ରତ୍ୟେକ ମାଲବାହକଙ୍କର ଏକ ଲକ୍ଷ ଟଙ୍କାର ଜୀବନବୀମା ହୋଇଥାଏ । ତେବେ ପ୍ରତିକୂଳ ପାଗ ଓ ଅତ୍ୟଧିକ ଥଣ୍ଡା କାରଣରୁ କାହାରି ମୃତ୍ୟୁ ହେଲେ ବୀମା କ୍ଷତିପୂରଣ ମିଳି ନଥାଏ । ଗ୍ଲାସିଅର ଅଞ୍ଚଳରେ ପାଗରେ ଏପରି ହଠାତ ପରିବର୍ତ୍ତନ ହୋଇଥାଏ ଯେ ଜଣେ କିଛି ବୁଝିବା ପୂର୍ବରୁ ମୃତ୍ୟୁ ତା ସମ୍ମୁଖରେ ଆସି ଠିଆ ହୋଇ ସାରିଥାଏ । ଏହିପରି ଭାବେ ଅନେକ ମାଲବାହକଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ସେମାନେ ବୀମା କ୍ଷତିପୂରଣ ପାଇ ନଥାନ୍ତି । ଅନ୍ୟ ପକ୍ଷରେ ସେନାବାହିନୀର ସମ୍ପୃକ୍ତ ୟୁନିଟ ତରଫରୁ ମାଲବାହକଙ୍କ ପରିବାରକୁ ସ୍ୱଳ୍ପ ସହାୟତା ରାଶି ପ୍ରଦାନ କରାଯାଇଥାଏ । ସେମାନେ ସୈନ୍ୟବାହିନୀର ନିୟମିତ କର୍ମଚାରୀ ହୋଇ ନଥିବାରୁ ସେନାବାହିନୀର ରିଲିଫ ପାଣ୍ଠିରୁ ମଧ୍ୟ ସେମାନଙ୍କୁ ଟଙ୍କାଟିଏ ସହାୟତା ମିଳି ନଥାଏ । ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଉଥିବା ସାଧାରଣ ନାଗରିକଟିଏର ପରିଜନଙ୍କୁ ସରକାରଙ୍କ ତରଫରୁ ଲକ୍ଷ ଲକ୍ଷ ଟଙ୍କାର ସହାୟତା ମିଳୁଥିବା ବେଳେ ଏମାନଙ୍କୁ ସରକାର କିଛି ସ୍ୱତନ୍ତ୍ର ସହାୟତା ଦେଇ ନଥାନ୍ତି । ସେନାବାହିନୀ ପାଇଁ କାମ କରୁଥିବାରୁ ସେଠାକାର ରାଜ୍ୟ ସରକାର ମଧ୍ୟ କୌଣସି ଅନୁକମ୍ପା ରାଶି ଘୋଷଣା କରି ନଥାନ୍ତି । ପରିତାପର ବିଷୟ ଦେଶରକ୍ଷା ପାଇଁ ସାଧାରଣ ମଣିଷଟିର ବଳିଦାନର କାହାଣୀ ଗଣ ମାଧ୍ୟମର ଦୃଷ୍ଟି ଆକର୍ଷଣ କରେନାହିଁ କି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ତା ଗାଁରେ ପହଞ୍ଚି କୌଣସି ଟେଲିଭିଜନ ଚ୍ୟାନେଲ ମୃତ୍ୟୁଜନିତ ଶୋକାକୁଳ ପରିବେଶକୁ ଦେଖାଇ ଦେଶବାସୀଙ୍କୁ ଭାବବିହ୍ୱଳ କରାଇ ସେମାନଙ୍କ ପାଇଁ ସମବେଦନା ସାଉଁଟି ପାରେନାହିଁ । ସେମାନଙ୍କ ପ୍ରାଣ ବିସର୍ଜନର କାହାଣୀ ଅକୁହା ରହିଯାଏ । ଦେଶ ପାଇଁ ଚରମ ବଳିଦାନ ଦେଇଥିବା ଏମାନଙ୍କ ମଧ୍ୟରୁ କାହାରିକୁ ଆଜି ପର୍ଯ୍ୟନ୍ତ ସାମରିକ ପଦକ ତ ଦୂରର କଥା ବେସାମରିକ ସମ୍ମାନ ମଧ୍ୟ ମିଳିନାହିଁ । ଉପଯୁକ୍ତ ସମ୍ମାନ ଓ ନ୍ୟାଯ୍ୟ ପ୍ରାପ୍ୟ ପାଇବାରୁ ବଞ୍ଚିତ ନୁବ୍ରା ଉପତ୍ୟକାର ଏହି ଶହୀଦମାନଙ୍କୁ ଏପରି ଭାବେ ବିସ୍ମୃତି ଗର୍ଭକୁ ଠେଲି ଦେବା କଣ ଉଚିତ ହେବ ?
Published in Pratisruti magazine published from USA by Prabasi Odias in July 2018 and Odia daily Nitidin on January 15, 2019 and
Published in Pratisruti magazine published from USA by Prabasi Odias in July 2018 and Odia daily Nitidin on January 15, 2019 and
Nice one
ReplyDeletebrought nicely to the fore the travails of great unsung heroes of Himalayas who do yeomans job for safety security of not only the nation but the warriers on the front guarding us 24 hours and of course guys do all these almost voiceless. u have made their plight to the board to prick the Conscience of the nation, the sensibilities of government, politicians, the rish n the famous and general citizen who heave a sigh of relief and have a sound sleep due to the relentless struggle of not only the brave soldiers but these hapless resilient tenacious locals... thanq for the article
ReplyDelete