Skip to main content

ଦଳବଦଳ ଆଇନ ପ୍ରସଙ୍ଗ - ସଦସ୍ୟ ଅଯୋଗ୍ୟତାର ନିର୍ଣ୍ଣୟ ଓ ବାଚସ୍ପତି

କରୋନା ଭୂତାଣୁ ଆତଙ୍କ ଓ ମଧ୍ୟପ୍ରଦେଶ ରାଜନୀତିରେ କ୍ଷମତା କନ୍ଦଳର କୋଳାହଳ ଭିତରେ ସୁପ୍ରିମ କୋର୍ଟ ୨୦୨୦, ମାର୍ଚ୍ଚ ୧୮ରେ ଦେଇଥିବା ଏକ ଅଭୂତପୂର୍ବ ଆଦେଶ ହୁଏତ ଅନେକଙ୍କ ଦୃଷ୍ଟି ଅଢୁଆଳରେ ରହି ଯାଇଥିଲେ ମଧ୍ୟ ଏହାର ସୁଦୂର ପ୍ରସାରୀ ପ୍ରଭାବ ଅଚିରେ ଭାରତୀୟ ରାଜନୀତିରେ ଅନୁଭୂତ ହେବ । ‘କେ ଏମ ସିଂହ ବନାମ ମଣିପୁର ବିଧାନସଭା ବାଚସ୍ପତି ଓ ଅନ୍ୟମାନେ’ ମାମଲାରେ ସମ୍ବିଧାନର ଧାରା ୧୪୨ରେ ପ୍ରଦତ୍ତ କ୍ଷମତାକୁ ପ୍ରୟୋଗ କରି ସୁପ୍ରିମକୋର୍ଟ ଦେଇଥିବା ଆଦେଶରେ ମଣିପୁରର ବିଜେପି ବିଧାୟକ ତଥା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଟି ଏସ ସିଂହଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ମଣିପୁର ବିଧାନସଭା ଭିତରକୁ ପ୍ରବେଶ କରିବାକୁ ବାରଣ କରିବା ସହିତ ତାଙ୍କୁ ତତକ୍ଷଣାତ ମନ୍ତ୍ରୀ ପଦରୁ ଅବ୍ୟାହତି ଦିଆଯାଇଛି । ଦେଶର ଇତିହାସରେ କୌଣସି ବିଧାୟକଙ୍କ ବିଧାନସଭା ପ୍ରବେଶ ଉପରେ ଏଭଳି କଟକଣା ଲାଗିବାର ଇଏ ପ୍ରଥମ ଉଦାହରଣ । ବିଚାରାଧୀନ କୌଣସି ମାମଲାରେ ଆବଶ୍ୟକୀୟ ‘ସମ୍ପୂର୍ଣ୍ଣ ନ୍ୟାୟ’ (କମ୍ପ୍ଲିିଟ ଜଷ୍ଟିସ) ପ୍ରଦାନ ପାଇଁ ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨ର ଉପଯୋଗ କରି ରାୟ ବା ଆଦେଶ ପ୍ରଦାନ କରିଥାନ୍ତି । ଉପରୋକ୍ତ ସଦସ୍ୟଙ୍କ ଅଯୋଗ୍ୟତା ସମ୍ପର୍କୀୟ ଯାଚିକାରେ ନିଷ୍ପତ୍ତି ନେବାରେ ବାଚସ୍ପତିଙ୍କ ଅହେତୁକ ବିଳମ୍ବ ଏହି ଆଦେଶର ମୁଖ୍ୟ କାରଣ ଥିଲା । ତେବେ ବିଭିନ୍ନ ରାଜ୍ୟରେ ବିଧାୟକଙ୍କ ଦଳବଦଳ ବା ଇସ୍ତଫା ପ୍ରଦାନ ଯୋଗୁ ଦାଏର ହୋଇଥିବା ଅଯୋଗ୍ୟତା ଯାଚିକାଗୁଡିକ ସମ୍ପୃକ୍ତ ବିଧାନସଭା ବାଚସ୍ପତିଙ୍କ ନିକଟରେ ରାଜନୈତିକ କାରଣରୁ କୌଣସି ଫଇସଲା ନ ହୋଇ ଦୀର୍ଘ ଦିନ ଧରି ପଡି ରହୁଛି । ସ୍ଥଳବିଶେଷରେ ବାଚସ୍ପତିଙ୍କ ଦ୍ୱାରା ବଳବଦଳ ନିରୋଧ ଆଇନର ଇଚ୍ଛା ମୁତାବକ ବ୍ୟବହାର ବା ଅପବ୍ୟବହାର ଯୋଗୁ ରାଜ୍ୟରେ ପ୍ରଲମ୍ବିତ ରାଜନୈତିକ ସଙ୍କଟ ସୃଷ୍ଟି ହେଉଛି । ଏହି ପରିପ୍ରେକ୍ଷୀରେ ଏ ଭଳି ଯାଚିକାର ବିଚାର ବାଚସ୍ପତିଙ୍କ ଉପରେ ନ୍ୟସ୍ତ ରହିବାର ଯୌକ୍ତିକତା ଉପରେ ବିତର୍କ ହେଲାଣି ।
    
ଷାଠିଏ ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭା ପାଇଁ ମାର୍ଚ୍ଚ ୨୦୧୭ରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ପରେ ସେଠାରେ ଏକ ଝୁଲା ବିଧାନସଭା ହୋଇଥିଲା, ଯେଉଁଥିରେ ୨୮ଟି ଆସନ ସହ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିବା ବେଳେ ୨୧ଟି ଆସନ ସହ ବିଜେପି ଦ୍ୱିତୀୟ ସ୍ଥାନରେ ଥିଲା । ହେଲେ ନିର୍ବାଚନ ପରେ ବିଜେପି କିଛି ଆଞ୍ଚଳିକ ଦଳ ସହ ମିଶି ସରକାର ଗଠନ କଲା ଯେଉଁଥିରେ କଂଗ୍ରେସ ଟିକେଟରେ ନିର୍ବାଚନ ଜିତିଥିବା ଟି ଏସ ସିଂହ ମଧ୍ୟ ସାମିଲ ହୋଇଥିଲେ । ସରକାର ଗଠନ ପରେ ତାଙ୍କୁ ମନ୍ତ୍ରୀମଣ୍ଡଳରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଭାବେ ସ୍ଥାନ ମିଳିଥିଲା । ଦଳବଦଳ ନିରୋଧ ସଂକ୍ରାନ୍ତୀୟ ସମ୍ବିଧାନର ଦଶମ ଅନୁଚ୍ଛେଦର ପାରା ୨(୧)(କ) ଅନୁଯାୟୀ, “ଗୃହର ଜଣେ ସଦସ୍ୟ, ସେ ଯେ କୌଣସି ରାଜନୈତିକ ଦଳର ହୋଇଥାନ୍ତୁ ନା କାହିଁକି, ସେହି ଗୃହର ସଦସ୍ୟ ପଦରୁ ଅଯୋଗ୍ୟ ହେବେ, ଯଦି ସେ ସ୍ୱେଚ୍ଛାକୃତ ଭାବେ ସେହି ରାଜନୈତିକ ଦଳର ସଦସ୍ୟତା ତ୍ୟାଗ କରନ୍ତି ।” ସ୍ୱାଭାବିକ ଭାବେ ତାଙ୍କର ଏହି ଦଳବଦଳକୁ ବିରୋଧ କରି ଦଳବଦଳ ନିରୋଧ ଆଇନ ଅନୁସାରେ ତାଙ୍କୁ ତୁରନ୍ତ ଅଯୋଗ୍ୟ ଘୋଷଣା କରିବା ପାଇଁ ମଣିପୁର ବିଧାନସଭା ବାଚସ୍ପତିଙ୍କ ନିକଟରେ ଅପ୍ରେଲ ୨୦୧୭ରୁ ଜୁଲାଇ ୨୦୧୭ ମଧ୍ୟରେ ୧୩ଟି ଭିନ୍ନ ଭିନ୍ନ ଯାଚିକାରେ ଆବେଦନ ହୋଇଥିଲା । ତେବେ ଏହି ଯାଚିକାଗୁଡିକ ଉପରେ ବାଚସ୍ପତିଙ୍କ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାରୁ ବାଚସ୍ପତିଙ୍କ ନିକଟରେ ପଡି ରହିଥିବା ସଦସ୍ୟଙ୍କ ଅଯୋଗ୍ୟତା ସଂକ୍ରାନ୍ତୀୟ ଯାଚିକାଗୁଡିକର ସମୟାବଦ୍ଧ ଭାବେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେବା ଲାଗି ସେପ୍ଟେମ୍ବର ୨୦୧୭ରେ ମଣିପୁର ହାଇକୋର୍ଟରେ ଏକ ରିଟ ଯାଚିକା ଦାଏର ହେଲା । ଏହି ଧରଣର ଅନ୍ୟ ଏକ ମାମଲା ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ ବିଚାରାଧୀନ ଥିବାରୁ ବାଚସ୍ପତିଙ୍କୁ ଏ ଭଳି ନିର୍ଦ୍ଦେଶ ଦେବା ସମୀଚୀନ ହେବ ନାହିଁ ବୋଲି ହାଇକୋର୍ଟ ଦର୍ଶାଇଥିଲେ । ଫଳରେ ନ୍ୟାୟ ପାଇବା ପାଇଁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ମାମଲାର ବିଚାର କରି ସୁପ୍ରିମକୋର୍ଟର ନ୍ୟାୟାଧୀଶ ରୋହିଣ୍ଟନ ନରିମାନ, ଅନିରୁଦ୍ଧ ବୋଷ ଓ ଭି ସୁବ୍ରମନିଅନ ୨୦୨୦, ଜାନୁଆରୀ ୨୧ ତାରିଖରେ ଯେଉଁ ରାୟ ଶୁଣାଇଥିଲେ ସେଥିରେ ମଣିପୁର ବାଚସ୍ପତିଙ୍କୁ ଆଗାମୀ ଚାରି ସପ୍ତାହ ମଧ୍ୟରେ ତାଙ୍କ ନିକଟରେ ଥିବା ସଦସ୍ୟଙ୍କ ଅଯୋଗ୍ୟତା ସଂକ୍ରାନ୍ତୀୟ ଯାଚିକାରେ ନିର୍ଣ୍ଣୟ ନେବାକୁ ଆଦେଶ ଦେଇଥିଲେ । ସେହି ସମୟ ମଧ୍ୟରେ ବାଚସ୍ପତିଙ୍କ ଦ୍ୱାରା ଆଦେଶର ଅନୁପାଳନ ନ ହେବାରୁ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଉପଶମ ପାଇଁ ଆବେଦନକାରୀ କୋର୍ଟର ଦ୍ୱାରସ୍ଥ ହେଲେ । ଫଳସ୍ୱରୂପ, ସୁପ୍ରିମକୋର୍ଟଙ୍କୁ ବିଜେପି ବିଧାୟକ ଟି ଏସ ସିଂହଙ୍କ ବିଧାନସଭା ପ୍ରବେଶ ଉପରେ କଟକଣା ଲଗାଇବା ସହିତ ତାଙ୍କ ମନ୍ତ୍ରୀ ପଦ ରଦ୍ଦ କରିବାକୁ ଆଦେଶ ଦେବାକୁ ପଡିଲା ।

ପୁନଶ୍ଚ, ସମ୍ବିଧାନର ଦଶମ ଅନୁଚ୍ଛେଦର ପାରା ୨(୧)(ଖ) ଅନୁଯାୟୀ ଦଳର ନିର୍ଦ୍ଦେଶ (ହୁଇପ)କୁ ଅବମାନନା କରି ଯଦି କୌଣସି ସଦସ୍ୟ ଭୋଟଦାନ କରିଥାନ୍ତି ବା ଭୋଟଦାନରୁ ବିରତ ରହିଥାନ୍ତି, ଏପରି କରିବା ପାଇଁ ଦଳ ପୂର୍ବରୁ ଅନୁମତି ପ୍ରଦାନ କରିଥିବା ବା ଦଳ ସେଥିପାଇଁ କ୍ଷମା ପ୍ରଦାନ କରିଥିବା ସମ୍ପର୍କରେ ୧୫ ଦିନ ମଧ୍ୟରେ ଦର୍ଶାଇ ନ ପାରନ୍ତି, ତେବେ ସେ ଗୃହର ସଦସ୍ୟତା ପାଇଁ ଅଯୋଗ୍ୟ ବିବେଚିତ ହୋଇପାରନ୍ତି । ଉପରୋକ୍ତ କାରଣଗୁଡିକ ଯୋଗୁ ବିଧାୟକଙ୍କ ସଦସ୍ୟତା ତତକ୍ଷଣାତ ରଦ୍ଦ ହେବା ସମୀଚୀନ ହୋଇଥିଲେ ମଧ୍ୟ ଆଇନ ଦୃଷ୍ଟିରୁ ଏ ସମ୍ପର୍କରେ ଅଭିଯୋଗ ଯାଚିକା କେବଳ ବାଚସ୍ପତିଙ୍କ ନିକଟରେ ଦାଖଲ ହୋଇପାରିବ ଓ ସେ ହିଁ କେବଳ ସଦସ୍ୟଙ୍କ ଅଯୋଗ୍ୟତାର ନିର୍ଣ୍ଣୟ ନେଇ ପାରିବେ । କେବଳ ସେତିକି ନୁହେଁ, ଦଶମ ଅନୁଚ୍ଛେଦର ପାରା ୬ ଅନୁଯାୟୀ ସଦସ୍ୟଙ୍କ ଅଯୋଗ୍ୟତା ସମ୍ପର୍କରେ ବାଚସ୍ପତିଙ୍କ ନିର୍ଣ୍ଣୟ ସର୍ବଶେଷ । ଅବଶ୍ୟ ବାଚସ୍ପତିଙ୍କ ନିର୍ଣ୍ଣୟର ଅଦାଲତଙ୍କ ଦ୍ୱାରା ନ୍ୟାୟିକ ସମୀକ୍ଷା କରାଯାଇପାରିବ । ବସ୍ତୁତଃ, ସଦସ୍ୟଙ୍କ ଅଯୋଗ୍ୟତା ନିର୍ଦ୍ଧାରଣ କରିବା ପାଇଁ ବାଚସ୍ପତିଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଥିବାରୁ ସେ ନିରପେକ୍ଷ ଓ ସମୟାବଦ୍ଧ ଭାବେ ତାଙ୍କ ଦାୟିତ୍ୱ ନିର୍ବାହ ପୂର୍ବକ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଆଶା କରାଯାଏ । ବିଶେଷ କରି ବିଧାନସଭାର କାର୍ଯ୍ୟକାଳ ପାଞ୍ଚ ବର୍ଷ ହୋଇଥିବାରୁ ଓ ଦଳ ବଦଳ ସଂକ୍ରାନ୍ତୀୟ ଘଟଣା ଯେ କୌଣସି ସମୟରେ ଘଟିତ ହେବାର ସମ୍ଭାବନା ଥିବାରୁ ନିର୍ଣ୍ଣୟ ନେବାରେ ଅହେତୁକ ବିଳମ୍ବ ହେଲେ ତାହା ହୁଏତ କୌଣସି ନିର୍ଦ୍ଦିଷ୍ଟ ଦଳକୁ ସୁହାଇପାରେ । ସେ କ୍ଷେତ୍ରରେ ତାହା ଦଳବଦଳ ନିରୋଧ ଆଇନର ଉଦ୍ଦେଶ୍ୟର ପରିପନ୍ଥୀ ହୋଇ ଅର୍ଥହୀନ ହୋଇପଡିବ । ଗତ କିଛି ବର୍ଷ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଗୋଆ, ନାଗାଲାଣ୍ଡ, ଉତ୍ତରାଖଣ୍ଡ, ତେଲେଙ୍ଗାନା, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ବିଧାୟକମାନେ ଦଳବଦଳ ଆଇନକୁ ଉଲ୍ଲଂଘନ କରିଥିଲେ ମଧ୍ୟ ସେ ସଂକ୍ରାନ୍ତୀୟ ଅଭିଯୋଗଗୁଡିକର ନିର୍ଣ୍ଣୟରେ କେତେକ ବାଚସ୍ପତିଙ୍କ ଭୂମିକା ସନ୍ଦେହର ଊର୍ଦ୍ଧ୍ୱରେ ରହି ପାରିନାହିଁ ।
        
ସଦସ୍ୟ ଅଯୋଗ୍ୟତା ସଂକ୍ରାନ୍ତୀୟ ଯାଚିକାଗୁଡିକ ଏକ ଯୁକ୍ତିସଙ୍ଗତ ସମୟସୀମା ମଧ୍ୟରେ ବାଚସ୍ପତି ନିର୍ଣ୍ଣୟ କରିବାକୁ ବାଧ୍ୟ ବୋଲି ବିଭିନ୍ନ ସମୟରେ ଅଦାଲତ ମତ ବ୍ୟକ୍ତ କରି ଆସୁଥିଲେ ଓ ସେ ନେଇ ନିର୍ଦ୍ଦେଶ ଦେଉଥିଲେ ମଧ୍ୟ । ତେବେ ଏ ସଂକ୍ରାନ୍ତୀୟ ସମ୍ପତ କୁମାର ବନାମ କାଲେ ୟାଦାୟା (୨୦୧୬) ମାମଲାଟି ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ବୃହତ୍ତର ଖଣ୍ଡପୀଠକୁ ସ୍ଥାନାନ୍ତରିତ ହେଲା ପରେ ଅନ୍ୟ ହାଇକୋର୍ଟମାନେ ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟକୁ ଅପେକ୍ଷା କରି ବାଚସ୍ପତିମାନଙ୍କୁ ତ୍ୱରିତ ନିଷ୍ପତ୍ତି ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବାରୁ ବିରତ ରହୁଛନ୍ତି । କେତେକ ବାଚସ୍ପତି ମଧ୍ୟ ଏ ଭଳି ସ୍ଥିତିର ଲାଭ ଉଠାଇ ସମୟବଦ୍ଧ ନିର୍ଣ୍ଣୟ ନେବା ଲାଗି ସେମାନଙ୍କ ଉପରେ ଚାପ ପ୍ରୟୋଗ ହୋଇ ପାରିବନି କହି ମାମଲାଗୁଡିକୁ ଗଡାଇ ଚାଲିଛନ୍ତି । ତେବେ ବୃହତର ଖଣ୍ଡପୀଠର ନିର୍ଣ୍ଣୟକୁ ଅପେକ୍ଷା ନ କରି ମଣିପୁର ବିଧାନସଭା ମାମଲାରେ ଏହି ‘ଯୁକ୍ତିସଙ୍ଗତ ସମୟ ସୀମା’ଟି କେତେ ବୋଲି ସୁପ୍ରିମକୋର୍ଟ ଯାହା ସ୍ପଷ୍ଟ କରିଛନ୍ତି, ତାହା ପ୍ରଣିଧାନ ଯୋଗ୍ୟ । କୋର୍ଟଙ୍କ ଅନୁସାରେ ଏ ଭଳି ପ୍ରତିଟି ମାମଲାରେ ଯୁକ୍ତିସଙ୍ଗତ ସମୟ ସୀମା ଭିନ୍ନ ଭିନ୍ନ ହୋଇପାରେ । ତେବେ ଉଚିତ କାରଣ ଥାଇ କୌଣସି ଅସାଧାରଣ ପରିସ୍ଥିତି ଉପୁଜି ନଥିଲେ, ଯାଚିକା ଦାଏର ହେବାର ସର୍ବାଧିକ ତିନି ମାସ ମଧ୍ୟରେ ବାଚସ୍ପତି ଫଇସଲା ଶୁଣାଇଲେ ଯାଇ ସମ୍ବିଧାନର ଦଶମ ଅନୁଚ୍ଛେଦର ପ୍ରାବଧାନକୁ ଉଲ୍ଲଂଘନ କରୁଥିବା ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିବାର ଉଦ୍ଦେଶ୍ୟ ପୂରଣ ହୋଇପାରିବ ।
      
ବିଧାୟକ ଓ ସାଂସଦମାନଙ୍କୁ ସଦସ୍ୟତାରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାଖଲ ହେଉଥିବା ଯାଚିକାଗୁଡିକର ବିଚାର ବାଚସ୍ପତିଙ୍କ ଭଳି ଏକ ଅର୍ଦ୍ଧ-ନ୍ୟାୟିକ ପ୍ରାଧିକରଣ ଉପରେ ନ୍ୟସ୍ତ କରିବା କେତେ ଯୁକ୍ତିସଙ୍ଗତ ତା ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ଯାହା ହେଲେ ବି ବାଚସ୍ପତି ବାସ୍ତବରେ (ଡି ଫାକ୍ଟୋ) ବା ବିଧି ଅନୁସାରେ (ଡି ଜୁରେ) ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଜଣେ ସଭ୍ୟ ହୋଇଥିବାରୁ ତାଙ୍କର ସେହି ଦଳ ପ୍ରତି ଆନୁଗତ୍ୟ ଓ ସେହି ଦଳର ସ୍ୱାର୍ଥରକ୍ଷା ପାଇଁ ଅପ୍ରକାଶ୍ୟରେ ଉଦ୍ୟମ କରିବା ସ୍ୱାଭାବିକ । ଏକ ପକ୍ଷରେ ସେ ସେହି ଗୃହର ଅଂଶ ବିଶେଷ ହୋଇଥିବା ବେଳେ ଅନ୍ୟ ପକ୍ଷରେ ତାଙ୍କ କାର୍ଯ୍ୟକାଳ ଗୃହର ସଂଖ୍ୟାଧିକ ସଦସ୍ୟଙ୍କ ଇଚ୍ଛା ଓ ବିଶ୍ୱାସ ଉପରେ ନିର୍ଭର କରିଥାଏ । ତେଣୁ ବାଚସ୍ପତି ଆସନରେ ବସିଥିବା ଅଳ୍ପ କେତେକଙ୍କୁ ବାଦ ଦେଲେ ଅଧିକାଂଶ ଏହି ଧରଣର ଯାଚିକାରେ ନିଷ୍ପତ୍ତି ନେଲା ବେଳେ ବିଚାରପତିର ଆସନରେ ବସି ମଧ୍ୟ ନିରପେକ୍ଷତା ପ୍ରଦର୍ଶନ କରିବାରେ ବିଫଳ ହୋଇଥାନ୍ତି ବା ସେମାନଙ୍କ ନିରପେକ୍ଷତା ନେଇ ସନ୍ଦେହ ଉପୁଜିଥାଏ । ଏ ସଂକ୍ରାନ୍ତରେ କିହୋଟୋ ହୋଲୋହାନ ମାମଲା (୧୯୯୨)ରେ ଜଷ୍ଟିସ ବର୍ମାଙ୍କ ଟିପ୍ପଣୀ ମଧ୍ୟ ପ୍ରଣିଧାନ ଯୋଗ୍ୟ ଯେଉଁଥିରେ ସେ ପ୍ରାକୃତିକ ନ୍ୟାୟର ଏକ ମୌଳିକ ସିଦ୍ଧାନ୍ତ ‘ନେମୋ ଜୁଡେକ୍ସ ଇନ କଜା ସୁଆ’କୁ ଉଦ୍ଧାର କରି ଲେଖିଥିଲେ, “କୌଣସି ମାମଲାରେ ଜଣେ ବିଚାରପତି ପକ୍ଷପାତିତା ଆଚରଣ କରିବାର ସମ୍ଭାବନା ଥିଲେ ବା ସେ ନେଇ ସନ୍ଦେହ ବଳୟରେ ଥିଲେ ସେ ସେହି ମାମଲାର ବିଚାର କରିବା ଲାଗି ଅଯୋଗ୍ୟ ।” ଜଣେ ନିୟମିତ ନ୍ୟାୟାଧିକାରୀଙ୍କ ପ୍ରତି ଏହି ନିୟମ ଲାଗୁ ହେଉଥିବା ବେଳେ ବାଚସ୍ପତିଙ୍କ ନିରପେକ୍ଷତାକୁ ନେଇ ସନ୍ଦେହ ଉପୁଜୁଥିବାରୁ ତାଙ୍କ ଭଳି ଜଣେ ଅର୍ଦ୍ଧ-ନ୍ୟାୟିକ ପ୍ରାଧିକାରୀ ସେହି ନିୟମର ଊର୍ଦ୍ଧ୍ୱରେ କିପରି ବା ରହି ପାରିବେ ? ତେଣୁ ସଂସଦ ଦଳବଦଳ ନିରୋଧ ଆଇନରେ ପରିବର୍ତ୍ତନ ଆଣିବା ପାଇଁ ସମ୍ବିଧାନରେ ସଂଶୋଧନ କରିବାର ଆବଶ୍ୟକତା ଉପୁଜିଲାଣି । ଦଶମ ଅନୁଚ୍ଛେଦରେ ଉଲ୍ଲିଖିତ ବାଚସ୍ପତିଙ୍କ ସ୍ଥାନରେ ଏକ ସ୍ଥାୟୀ ନ୍ୟାୟାଧିକରଣ (ଟ୍ରିବ୍ୟୁନାଲ) ପ୍ରତିଷ୍ଠା କରିବା କଥା ବିଚାର କରାଯାଇପାରେ । ସୁପ୍ରିମ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଏହି ନ୍ୟାୟାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇପାରନ୍ତି । ନ ହେଲେ ସଂସଦ ଓ ବିଧାନସଭା ବାହାରେ କୌଣସି ସ୍ୱାୟତ୍ତ ଅନୁଷ୍ଠାନ ବା ବ୍ୟବସ୍ଥା ପ୍ରତିଷ୍ଠା କରିବା କଥା ମଧ୍ୟ ବିଚାର କରା ଯାଇପାରେ ବୋଲି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ତାହାହେଲେ ଗଣତନ୍ତ୍ରକୁ ସୁଚାରୁ ରୂପେ କାର୍ଯ୍ୟ କରିବାରେ ସହାୟକ ହେବା ପାଇଁ ଦଶମ ଅନୁଚ୍ଛେଦରେ ଥିବା ପ୍ରାବଧାନ ପ୍ରକୃତ ଦନ୍ତଯୁକ୍ତ ହୋଇ ଦଳବଦଳ ନିରୋଧ ଆଇନ ପ୍ରଭାବୀ ହେବା ସହ ଏହି ଧରଣର ଯାଚିକାଗୁଡିକର ତ୍ୱରିତ ଓ ନିରପେକ୍ଷ ସମାଧାନ ହେବା ସୁନିଶ୍ଚିତ କରା ଯାଇପାରିବ । ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟର ବୃହତ୍ତର ଖଣ୍ଡପୀଠଙ୍କ ନିର୍ଣ୍ଣୟର ଅପେକ୍ଷା ଥିଲେ ମଧ୍ୟ ଗଣତନ୍ତ୍ରର ସୁରକ୍ଷା ପାଇଁ ଦଳବଦଳ ଆଇନକୁ ପ୍ରଭାବୀ କରିବା ଉଦ୍ଦେଶ୍ୟରେ ନାଗରିକ ସମାଜ ଓ ଆଇନ ପ୍ରଣେତାମାନେ ଏ ନେଇ ମାନସ ମନ୍ଥନ କରିବାର ଆବଶ୍ୟକତା ରହିଛି ।

Published in Sambad on April 06, 2020



Comments

  1. Very interesting and valuable article. Thank you for sharing. JayJagannath!

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍