ସ୍ୱିଜରଲାଣ୍ଡର ଡାଭୋସଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ଅଧିବେଶନର ଠିକ ଅବ୍ୟବହିତ ପୂର୍ବରୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଦ୍ୱାରା ବିଶ୍ୱ ଅର୍ଥନୈତିକ ପରିଦୃଶ୍ୟ ସଂକ୍ରାନ୍ତରେ ପ୍ରସ୍ତୁତ ହୋଇଥିବା ରିପୋର୍ଟ ଉପସ୍ଥାପିତ ହେବା ପରେ ସେଥିରେ ଭାରତର ଅର୍ଥନୈତିକ ସ୍ଥିତି ନୈରାଶ୍ୟଜନକ ଦର୍ଶା ଯାଇଥିବାରୁ ତାହା ସମସ୍ତଙ୍କ ପାଇଁ ଉଦବେଗର କାରଣ ପାଲଟିଛି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଇଏମଏଫ ଭାରତର ବିକାଶ ଦରର ପୂର୍ବାନୁମାନକୁ ୪.୮ ପ୍ରତିଶତକୁ କମାଇ ଦେଇଛି । କେବଳ ସେତିକି ନୁହେଁ, ଭାରତର ବିକାଶ ଦର ଏତେ କମ ହେବା ଯୋଗୁ ତାହା ବିଶ୍ୱ ବିକାଶ ଦରକୁ ମଧ୍ୟ ତଳକୁ ଟାଣି ନେଇଛି ବୋଲି ରିପୋର୍ଟରେ କୁହାଯାଇଛି । ଅବଶ୍ୟ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହି ବିକାଶ ଦର ସାମାନ୍ୟ ବୃଦ୍ଧି ପାଇ ୫.୮ ପ୍ରତିଶତ ହେବାର ସମ୍ଭାବନା ଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ତାହା ଆଉ ଅଳ୍ପ ବୃଦ୍ଧି ପାଇ ୬.୫ ପ୍ରତିଶତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।
ଗତ ବର୍ଷ ଠିକ ଏହି ସମୟରେ ଆଇଏମଏଫ ଦ୍ୱାରା ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଭାରତର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିକାଶ ଦର ୭.୫ ପ୍ରତିଶତ ରହିବ ବୋଲି କୁହାଯାଇଥିଲା । ବିଶ୍ୱର ସର୍ବତ୍ର ଅର୍ଥନୈତିକ ସ୍ଥିତି ନିମ୍ନମୁଖୀ ହେଉଥିବା ବେଳେ ଭାରତ ତାର ବିକାଶ ଦରକୁ କେବଳ ଯେ ଊର୍ଦ୍ଧ୍ୱମୁଖୀ କରି ରଖିବ ତାହା ନୁହେଁ, ବରଂ ଭାରତ ବିଶ୍ୱର ଦ୍ରୁତତମ ଅର୍ଥନୀତି ଭାବେ ବିକାଶ ଦରକୁ ବଜାୟ ରଖି ପାରିବ ବୋଲି ପୂର୍ବାନୁମାନରେ ଉତ୍ସାହବର୍ଦ୍ଧକ ମନ୍ତବ୍ୟ ଦିଆଯାଇଥିଲା । ଭାରତର ଅର୍ଥନୀତି ୨୦୧୯-୨୦ରେ ଦ୍ରୁତତର ହେବାର କାରଣ ସମ୍ପର୍କରେ ସେତେବେଳେ କୁହାଯାଇଥିଲା ଯେ ବିଶ୍ୱ ବଜାରରେ ତୈଳଦର କମ ଥିବାରୁ ଭାରତ ତହିଁରୁ ଲାଭାନ୍ୱିତ ହେବ । ହେଲେ ବର୍ଷ ସରିଲା ବେଳକୁ ଆଇଏମଏଫର ସେହି ବିଶ୍ୱାସରେ ଭଟ୍ଟା ପଡିସାରିଛି ।
ଅବଶ୍ୟ ଏଥି ର୍ପୂବରୁ ଆଇଏମଏଫ ୨୦୧୯-୨୦ ବର୍ଷ ପାଇଁ ତାର ଭାରତ ପାଇଁ ବିକାଶ ଦରର ପୂର୍ବାନୁମାନକୁ ଜୁଲାଇ ୨୦୧୯ରେ ୭ ପ୍ରତିଶତକୁ କମାଇଥିବା ବେଳେ ଅକ୍ଟୋବର ୨୦୧୯ରେ ୬.୧ ପ୍ରତିଶତକୁ କମାଇ ସାରିଥିଲା । ତେବେ ଗୋଟିଏ ବର୍ଷରେ ଏହା ୨.୭ ପ୍ରତିଶତ କମ ହେବା ବାସ୍ତବିକ ଉଦବେଗଜନକ । ଘରୋଇ ବଜାରରେ ଖାଉଟିଙ୍କ ଚାହିଦା ଆଶାତୀତ ଭାବେ କମ ହେବା, ଅଣ ବ୍ୟାଙ୍କିଙ୍ଗ ବିତ୍ତୀୟ କମ୍ପାନୀ (ଏନବିଏଫସି) କ୍ଷେତ୍ର ଅତ୍ୟଧିକ ଚାପଗ୍ରସ୍ତ ହୋଇ ରହିବା ଓ ବ୍ୟାଙ୍କ ଋଣ ପ୍ରଦାନରେ ଦେଖା ଦେଇଥିବା ମନ୍ଥରତା ଯୋଗୁ ବିକାଶ ଦର ବାଧାପ୍ରାପ୍ତ ହୋଇଛି ବୋଲି ଆଇଏମଏଫର ମତ । ତେବେ କର୍ପୋରେଟ କ୍ଷେତ୍ରକୁ ଦିଆ ଯାଇଥିବା କର୍ପୋରେଟ କର ରିହାତିର ସୁଫଳ ଆଗାମୀ ବର୍ଷ ଦେଖିବାକୁ ମିଳିବ ବୋଲି ବିଶ୍ୱାସ ବ୍ୟକ୍ତ ହୋଇଛି ।
କେବଳ ଆଇଏମଏଫ ନୁହେଁ, ବରଂ ବିକାଶ ଦରକୁ ଅନୁଶୀଳନ ଓ ତର୍ଜମା କରୁଥିବା ବିଭିନ୍ନ ସଂସ୍ଥା ଇତି ମଧ୍ୟରେ ଭାରତର ଚଳିତ ବର୍ଷ ପାଇଁ ବିକାଶ ଦରର ପୂର୍ବାନୁମାନକୁ ଆଗ ଅପେକ୍ଷା କମାଇ ସାରିଲେଣି । ବିଶ୍ୱ ବ୍ୟାଙ୍କ ଚଳିତ ବର୍ଷର ବିକାଶ ଦର ପୂର୍ବାନୁମାନକୁ ୬ ପ୍ରତିଶତରୁ କମାଇ ଜାନୁଆରୀ ମାସରେ ୫ ପ୍ରତିଶତ କରି ସାରିଲାଣି । ୨୦୧୯-୨୦ ପାଇଁ ଭାରତର ବିକାଶ ଦର ସମ୍ପର୍କରେ ଅନ୍ୟାନ୍ୟ କେତେକ ସଂସ୍ଥାଙ୍କ ପୂର୍ବାନୁମାନ ନିମ୍ନ ପ୍ରକାରେ – ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (୫.୧ ପ୍ରତିଶତ), ରିଜର୍ଭ ବ୍ୟାଙ୍କ (୫ ପ୍ରତିଶତ), ଷ୍ଟେଟ ବ୍ୟାଙ୍କ (୫ ପ୍ରତିଶତ), ଗୋଲଡମ୍ୟାନ ସାକ୍ସ (୫.୧ ପ୍ରତିଶତ), ଏନସିଏଇଆର (୪.୯ ପ୍ରତିଶତ), ମୁଡି (୪.୯ ପ୍ରତିଶତ) ।
୨୦୨୪ ମସିହା ସୁଦ୍ଧା ଭାରତକୁ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ବର୍ତ୍ତମାନ ଭାରତର ଅର୍ଥନୀତିର ଆକାର ଚଳନ୍ତି ବଜାର ଦରରେ ୨.୮ ଟ୍ରିଲିିଅନ ଡଲାର ବା ୧୯୦ ଲକ୍ଷ କୋଟି ଟଙ୍କା ହୋଇଥିବାରୁ ଆଗାମୀ ୫ ବର୍ଷ ମଧ୍ୟରେ ଏହାକୁ ପ୍ରାୟ ୨ ଗୁଣ କରିବାକୁ ହେଲେ ଭାରତର ବିକାଶ ଦର ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆବଶ୍ୟକତା ରହିଛି । ଅବଶ୍ୟ ଏଥି ପାଇଁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଭିତରେ ରହିବା ଓ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସ୍ଥିର ରହିବା ପ୍ରଥମ ଆବଶ୍ୟକତା । ତାହା ହେଲେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଏକ ଆକଳନ ଅନୁସାରେ ଡଲାର ଦୃଷ୍ଟିରୁ ନାମନାତ୍ର (ନୋମିନାଲ) ଭାବେ ବିକାଶ ଦର ପ୍ରତି ବର୍ଷ ୧୨ ପ୍ରତିଶତ ହେବା ଦରକାର । ଗତ ପାଞ୍ଚ ବର୍ଷ ଧରି ଦେଶର ବିକାଶ ଦର ୬ରୁ ୭.୫ ପ୍ରତିଶତ ମଧ୍ୟରେ ସୀମିତ ରହିଛି । ସେହି ଦୃଷ୍ଟିରୁ ଆଇଏମଏଫ ଓ ଅନ୍ୟ ସଂସ୍ଥାମାନଙ୍କ ଦ୍ୱାରା ୨୦୧୯-୨୦ ବର୍ଷ ପାଇଁ ହୋଇଥିବା ବିକାଶ ଦରର ପୂର୍ବାନୁମାନ ୫ ପ୍ରତିଶତକୁ ଖସି ଆସିବା କେବଳ ଉଦବେଗଜନକ ନୁହେଁ ବରଂ ଏହି ହାରରେ ବିକାଶ ଦର ଜାରି ରହିଲେ ଭାରତକୁ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ୫ ବର୍ଷ ନୁହେଁ, ଅତି କମରେ ୧୨ ବର୍ଷ ଲାଗିଯିବ । ତେଣୁ ଅବ୍ୟବସ୍ଥିତ ଅର୍ଥନୀତିକୁ ପୁଣି ଥରେ ବାଟକୁ ଆଣି ତାକୁ ଗତି ପ୍ରଦାନ କରିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ଏକ ବଡ ଆହ୍ୱାନ ହେବ ।
ଏକବିଂଶ ଶତାବ୍ଦୀର ଆରମ୍ଭରୁ ଭାରତର ବିକାଶ ଦର ହାରାହାରି ୬ରୁ ୭ ପ୍ରତିଶତ ମଧ୍ୟରେ ରହି ଆସିଛି । ୨୦୧୪ରୁ ୨୦୧୮ ମଧ୍ୟରେ ତ ଏହା ଚୀନର ବିକାଶ ଦରକୁ ପଛରେ ପକାଇ ଦ୍ରୁତତମ ଅର୍ଥନୀତିର ମାନ୍ୟତା ହାସଲ କରିଥିଲା । ସାରା ବିଶ୍ୱରେ ବିକାଶ ଦର ନିମ୍ନମୁଖୀ ଥିଲା ବେଳେ ଭାରତ କ୍ଷେତ୍ରରେ ତାହା ଥିଲା ଠିକ ଓଲଟା, ଯାହା କେତେକାଂଶରେ ବିଶ୍ୱ ବିକାଶ ଦରକୁ ମଧ୍ୟ ଅଧିକ ତଳକୁ ଖସିବାକୁ ଦେଉ ନଥିଲା । ତେବେ ଚଳିତ ବର୍ଷ ଭାରତ, ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶଗୁଡିକର ପ୍ରଦର୍ଶନ ଆଶାନୁରୂପ ହୋଇ ନଥିବାରୁ ବିଶ୍ୱ ବିକାଶ ଦରକୁ ୩ ପ୍ରତିଶତରୁ କମାଇ ୨.୯ ପ୍ରତିଶତ କରିବାକୁ ହୋଇଛି । ଏମିତି ଦେଖିବାକୁ ଗଲେ ଭାରତର ୫ ପ୍ରତିଶତ ବିକାଶ ଦର କିଛି କମ ନୁହେଁ । ବିଶ୍ୱର ଅନେକ ଅର୍ଥନୀତି ଏହି ବିକାଶ ଦର ମଧ୍ୟ ହାସଲ କରିବାକୁ ସମର୍ଥ ନୁହନ୍ତି । ଉଦାହରଣ ସ୍ୱରୂପ, ଯୁକ୍ତରାଷ୍ଟ୍ର ଆମେରିକାର ବିକାଶ ଦର ୨.୩୫ ପ୍ରତିଶତ ଥିଲା ବେଳେ ବ୍ରିଟେନ, ଜାପାନ, ଜର୍ମାନୀ, କାନାଡା, ଫ୍ରାନ୍ସ ଓ ଅଷ୍ଟ୍ରେଲିଆ ଭଳି ବିକଶିତ ଦେଶଗୁଡିକର ବିକାଶ ଦର ଯଥାକ୍ରମେ ୧.୨୪, ୦.୮୯, ୦.୫୪, ୧.୫୫, ୧.୨୫ ଓ ୧.୭୧ ପ୍ରତିଶତ । ବିକଶିତ ଦେଶଙ୍କ କଥା ଭିନ୍ନ । ଭାରତ ଏକ ବିକାଶଶୀଳ ଦେଶ ହୋଇଥିବାରୁ ଏହାର ବିକାଶ ଦର ଧୀମା ହୋଇଗଲେ ତାର ସୁଦୂର ପ୍ରସାରୀ ମନ୍ଦ ପ୍ରଭାବ ସମଗ୍ର ଅର୍ଥନୀତି ଉପରେ ପଡିବ, ଯାହା ଆଦୌ ସ୍ପୃହଣୀୟ ନୁହେଁ । ବଙ୍ଗଳାଦେଶ ଭଳି ଦେଶ ଯଦି ପ୍ରାୟ ୮ ପ୍ରତିଶତ ବିକାଶ ଦର ହାସଲ କରିପାରୁଛି ତେବେ ଆମ ନୀତି ନିର୍ଦ୍ଧାରକମାନେ ବିକାଶ ଦରକୁ ପୁନଃ ଗତି ପ୍ରଦାନ କରିବାକୁ ଗମ୍ଭୀରତାର ସହ ବିଚାର କରି ଉଚିତ ପଦକ୍ଷେପ ନେବେ ବୋଲି ଆଶା କରାଯାଉ ।
Published in Odisha Reporter on January 29, 2019.
Comments
Post a Comment