ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ମେ ୮, ୨୦୧୮ରେ ଇରାନ ସହ ହୋଇଥିିବା ଆଣବିକ ଚୁକ୍ତିରୁ ଓହରିବା ନିଷ୍ପତ୍ତି ନେବା ପରେ ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା କ୍ରମଶଃ ବୃଦ୍ଧି ପାଇ ଜାନୁଆରୀ ୩, ୨୦୨୦ରେ ଚରମ ସୀମାରେ ପହଞ୍ଚିଲା ଯେତେବେଳେ ବାଗଦାଦ ବିମାନ ବନ୍ଦର ନିକଟରେ ଇରାନର କ୍ଷମତାଶାଳୀ ଜେନେରାଲ କାସିମ ସୁଲେମାନୀଙ୍କ ହତ୍ୟା କରାଗଲା । ଏହି ସମୟ ମଧ୍ୟରେ ଆମେରିକା ଇରାନ ଉପରେ ବିଭିନ୍ନ ପ୍ରକାର ପ୍ରତିବନ୍ଧ ଲଗାଇଛି । ଏପରିକି ଇରାନର ସମୁଦାୟ ଆୟର ପ୍ରାୟ ୪୦ ପ୍ରତିଶତ ତେଲ ରପ୍ତାନୀରୁ ଆସୁଥିବାରୁ ତାର ଆୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଇରାନ ନିକଟରୁ ତେଲ ଆମଦାନୀ କରୁଥିବା ଭାରତ ସମେତ ୩୦ଟି ଦେଶଙ୍କ ଉପରେ କଟକଣା ଲଗାଇ ସେମାନଙ୍କ ସେଠାରୁ ତେଲ ଆମଦାନିକୁ ବନ୍ଦ କରିଛି । ଇରାନ ଏକ ସିଆ ବହୁଳ ଦେଶ ଓ ଆରବ ଦୁନିଆରେ ଏହା ସିଆ ସମ୍ପ୍ରଦାୟର ନେତୃତ୍ୱ ନେଉଥିବା ବେଳେ ସାଉଦି ଆରବ ସୁନ୍ନି ସମ୍ପ୍ରଦାୟର ନେତୃତ୍ୱ ନେଇଥାଏ । ଅତୀତରେ ଆମେରିକା ସିଆ-ସୁନ୍ନି ସମ୍ପ୍ରଦାୟ ମଧ୍ୟରେ ଥିବା ବିବାଦକୁ ମଧ୍ୟ ନିଜ ସ୍ୱାର୍ଥରେ ଉପଯୋଗ କରିବାକୁ ପଛାଇ ନାହିଁ । ଏହା ସତ୍ତ୍ଵେ ସୁଲେମାନୀଙ୍କ ହତ୍ୟା ଇରାନବାସୀଙ୍କ ମନରେ ଆକ୍ରୋଶର ବହ୍ନି ପ୍ରଜ୍ୱଳିତ କରିଛି, କାରଣ ସେ ଥିଲେ ଇରାନରେ ଦ୍ୱିତୀୟ ସର୍ବାଧିକ କ୍ଷମତାଶାଳୀ ନେତା । ସେହି ଅଞ୍ଚଳରେ ଚିର ଦିନ ଲାଗି ଯୁଦ୍ଧ ବନ୍ଦ କରିବାକୁ ଏ ଭଳି କରାଯାଇଛି ବୋଲି ଆମେରିକାର ରାଷ୍ଟ୍ରପତି କହୁଥିଲେ ହେଁ ଏହି ଆକ୍ରମଣ ଏକ ଯୁଦ୍ଧର ରୂପ ନେଇ ଆଉ ଏକ ବିଶ୍ୱ ଯୁଦ୍ଧ ଆଡକୁ ମୁହାଁଇବ ନାହିଁ ସେ କଥା କିଏ କହି ପାରିବ ? ତେବେ ଏଭଳି ବିସ୍ଫୋରକ ସ୍ଥିତି ଦ୍ୱାରା ଭାରତ କେତେ ପ୍ରଭାବିତ ହୋଇପାରେ, ତାହା ଆଲୋଚନାର ଅପେକ୍ଷା ରଖେ ।
ଏକ ଆକଳନ ଅନୁସାରେ ସାଉଦି ଆରବ, ୟୁନାଇଟେଡ ଆରବ ଏମିରେଟସ (ୟୁଏଇ), କୁଏତ, ଓମାନ, କାତାର ଓ ବାହାରିନ ଭଳି ଛଅଟି ଗଲ୍ଫ କୋଅପରେସନ କାଉନସିଲ (ଜିସିସି) ଦେଶ ତଥା ପଶ୍ଚିମ ଏସିଆର ଅନ୍ୟ ଦେଶମାନଙ୍କରେ ପ୍ରାୟ ୮୦ ଲକ୍ଷ ପ୍ରବାସୀ ଭାରତୀୟ କାମ କରୁଛନ୍ତି । ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧର ଆଶଙ୍କା ଯେତେ ଘନୀଭୁତ ହେବ ଉପରୋକ୍ତ ଅଞ୍ଚଳରେ ଅର୍ଥନୈତିକ ଗତିବିଧି ସେତେ ପ୍ରଭାବିତ ହୋଇ ଶ୍ରମିକମାନେ ନିଯୁକ୍ତି ହରାଇ ବସିବେ । ଯୁଦ୍ଧଜନିତ ସ୍ଥିତିରେ ସେମାନଙ୍କ ଧନ ଜୀବନର ସୁରକ୍ଷା ମଧ୍ୟ ଭାରତ ପାଇଁ ଏକ ବଡ ଚିନ୍ତାର କାରଣ ପାଲଟିବ । ସ୍ମରଣଯୋଗ୍ୟ ଯେ ୧୯୯୦ ମସିହାରେ ଉପସାଗରୀୟ ଯୁଦ୍ଧ ସମୟରେ ଏୟାର ଇଣ୍ଡିଆ ଦ୍ୱାରା ସେଠାରୁ ଲକ୍ଷାଧିକ ସଂଖ୍ୟାରେ ଭାରତୀୟଙ୍କୁ ଭାରତକୁ ଅଣାଯାଇଥିଲା । କିନ୍ତୁ ଏବେ ସେହି ସବୁ ଅଞ୍ଚଳରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ଏତେ ଅଧିକ ଯେ ସେମାନଙ୍କ ସ୍ଥାନାନ୍ତର ଭାରତ ପାଇଁ ଏକ ବିଶାଳ ଆହ୍ୱାନ ସୃଷ୍ଟି କରିପାରେ । ତା ଛଡା ଅଣକୁଶଳୀ ଓ କମ ମଜୁରୀ ପାଉଥିବା ଶ୍ରମିକମାନେ ସାଉଦି ଆରବ, କାତାର, ୟୁଏଇ ଆଦି କେତେକ ଦେଶରେ ପ୍ରଚଳିତ ‘କାଫଲା’ ପ୍ରଥା ଅନୁଯାୟୀ ନିଯୁକ୍ତି ଦାତାଙ୍କ ବିନା ସମ୍ମତିରେ ଦେଶ ଛାଡି ଯାଇ ପାରିବେ ନାହିଁ, ଯାହା ସମସ୍ୟାକୁ ଜଟିଳ କରିପାରେ । ପୁଣି ଏତେ ସଂଖ୍ୟକ ଲୋକ ଦେଶକୁ ଫେରିଲେ ଏଠାକାର ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିପାରେ ।
ଅନ୍ୟ ଦେଶ ତୁଳନାରେ ବିଦେଶରେ କାର୍ଯ୍ୟରତ ଭାରତୀୟମାନେ ସର୍ବାଧିକ ପରିମାଣର ଅର୍ଥ ସ୍ୱଦେଶକୁ ପଠାଇଥାନ୍ତି । ବିଶ୍ୱ ବ୍ୟାଙ୍କର ତଥ୍ୟ ଅନୁସାରେ ୨୦୧୮ ମସିହାରେ ବିଦେଶରେ ଥିବା ଭାରତୀୟମାନେ ଭାରତକୁ ପ୍ରାୟ ୭୯୦୦ କୋଟି ଡଲାର (ସାଢେ ୫ ଲକ୍ଷ କୋଟି ଟଙ୍କା) ପଠାଇଥିଲେ । ଏଥିରୁ ପ୍ରାୟ ୪୦୦୦ କୋଟି ଡଲାର କେବଳ ପଶ୍ଚିମ ଏସିଆର ଦେଶମାନଙ୍କରୁ ଆସିଥିଲା । ବିଶ୍ୱର ବିଭିନ୍ନ ଦେଶରୁ ଅନ୍ୟତ୍ର ହେଉଥିବା ସମଗ୍ର ଅର୍ଥ ପ୍ରେରଣ (ରେମିଟାନ୍ସ) ମଧ୍ୟରୁ ପ୍ରାୟ ୨୫ ପ୍ରତିଶତ ଏହି ଅଞ୍ଚଳରୁ ହେଉଥିବାରୁ ରେମିଟାନ୍ସ କ୍ଷେତ୍ରରେ ଏହି ଅଞ୍ଚଳର ଗୁରୁତ୍ୱ ଯଥେଷ୍ଟ ଅଧିକ । ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ରହିଲେ ସେହି ଅଞ୍ଚଳରୁ ଭାରତୀୟମାନେ ପଠାଉଥିବା ଅର୍ଥର ପରିମାଣ ଯଥେଷ୍ଟ ହ୍ରାସ ପାଇବାର ଆଶଙ୍କା ଅଛି । ଫଳରେ ତାହା ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଏକ ପ୍ରତିକୂଳ ପ୍ରଭାବ ପଡିବ । ଆଉ ଗୋଟିଏ କଥା ହେଲା ଏହିଭଳି ଭାବେ ଦେଶକୁ ଆସୁଥିବା ଅର୍ଥର ପରିମାଣ ମୋଟ ଘରୋଇ ଉତ୍ପାଦର ପ୍ରାୟ ୨.୭ ପ୍ରତିଶତ ହୋଇଥିବାରୁ ଏହାର କୁପ୍ରଭାବ ଦେଶର ଅର୍ଥନୀତିରେ ପରିଲକ୍ଷିତ ହୋଇପାରେ । କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଭଳି ରାଜ୍ୟମାନଙ୍କରୁ ହଜାର ହଜାର ସଂଖ୍ୟକ ଶ୍ରମିକ ସେଠାରେ ନିୟୋଜିତ । ସେମାନେ ସ୍ୱଦେଶକୁ ପ୍ରେରଣ କରୁଥିବା ଅର୍ଥ ପରିମାଣ ହ୍ରାସ ପାଇଲେ, ସେହି ସବୁ ରାଜ୍ୟର ଅର୍ଥନୀତି ଆକ୍ରାନ୍ତ ହୋଇପାରେ ।
ସୁଲେମାନୀଙ୍କ ହତ୍ୟା ପରେ ପ୍ରତିକ୍ରିୟା ସ୍ୱରୂପ ସାଙ୍ଗେସାଙ୍ଗେ ବିଶ୍ୱ ବଜାରରେ ଅଶୋଧିତ ତେଲର ଦର ବ୍ୟାରେଲ ପିଛା ପ୍ରାୟ ୩ ଡଲାର ବଢିଗଲା । ସେଠାରେ ଯୁଦ୍ଧ ଆରମ୍ଭ ହେଲେ ସମଗ୍ର ପଶ୍ଚିମ ଏସିଆରେ ତୈଳ ଉତ୍ପାଦନ ହ୍ରାସ ପାଇବ । ଏତଦଭିନ୍ନ ଜାହାଜ ଯୋଗେ ଇରାନ ସଂଲଗ୍ନ ହୋର୍ମୁଜ ପ୍ରଣାଳୀ ଦେଇ ସର୍ବାଧିକ ପରିମାଣର ତୈଳ ପରିବହନ କରା ଯାଉଥିବାରୁ ସେହି ଅଞ୍ଚଳରେ ଅଶାନ୍ତ ପରିସ୍ଥିତି ପରିପ୍ରେକ୍ଷୀରେ ତୈଳ ପରିବହନ ପ୍ରଭାବିତ ହୋଇ ତୈଳ ସଙ୍କଟ ସୃଷ୍ଟି ହୋଇପାରେ । ତେଣୁ ଆଗାମୀ ଦିନରେ ଅଶୋଧିତ ତେଲର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇପାରେ । ଭାରତ ତାର ତେଲ ଚାହିଦାର ପ୍ରାୟ ୮୫ ପ୍ରତିଶତ ବିଦେଶରୁ ଆମଦାନି କରିଥାଏ ଓ ଏହାର ସିଂହଭାଗ ମଧ୍ୟ-ପ୍ରାଚ୍ୟରୁ ଆସିଥାଏ । ପୂର୍ବେ ଭାରତ ଆମଦାନି କରୁଥିବା ତେଲର ୧୦ ପ୍ରତିଶତ ଇରାନରୁ ଆଣୁଥିଲା ଓ ତାହା ପୁଣି ଡଲାର ନ ଦେଇ ଟଙ୍କା ବଦଳରେ । ଆମେରିକାର କଟକଣା ପରେ ୨୦୧୯ ମସିହା ମେ ମାସରୁ ଯଦିଓ ଭାରତ ଆଉ ଇରାନରୁ ତେଲ ଆମଦାନି କରୁନାହିଁ, ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତ ବିଦେଶରୁ ୨୧.୭ କୋଟି ଟନ ତେଲ ଆମଦାନି କରିଥିବା ପୃଷ୍ଠଭୂମିରେ ଯଦି ତେଲର ଦାମ ବ୍ୟାରେଲ ପିଛା ୧୦ ଡଲାର ବୃଦ୍ଧି ପାଏ ତେବେ ଭାରତର ତୈଳ ଆମଦାନି ବାବଦ ବ୍ୟୟ ପ୍ରାୟ ୧୫୦୦ କୋଟି ଡଲାର (ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ) ବଢି ଯାଇପାରେ । ଏହା ଆମ ଅର୍ଥ ବ୍ୟବସ୍ଥାକୁ ଅସ୍ଥିର କରିବା କିଛି ବିଚିତ୍ର ନୁହେଁ । ଏହାର ପ୍ରଭାବରେ ଘରୋଇ ବଜାରରେ ମଧ୍ୟ ପେଟ୍ରାଲ ଓ ଡିଜେଲର ଦର ବଢିବ, ଯାହାର ବହୁ ସ୍ତରୀୟ କୁପ୍ରଭାବର ପରିଣାମ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ପରିଲକ୍ଷିତ ହେବ । ଅତ୍ୟାବଶ୍ୟକ ଦ୍ରବ୍ୟର ଦର ମାତ୍ରାଧିକ ବୃଦ୍ଧି ପାଇପାରେ । ଅଧିକନ୍ତୁ, ଏହାର ପ୍ରଭାବରେ ବୈଦେଶିକ ମୁଦ୍ରା ବିନିମୟ ବଜାରରେ ଭାରତୀୟ ଟଙ୍କା ଅଧିକ ଦୁର୍ବଳ ହୋଇ ପଡିଲେ ତେଲ ଆମଦାନି ପାଇଁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡିବ । ତେଣୁ ଏଭଳି ଏକ ସ୍ଥିତିର ମୁକାବିଲା ଲାଗି ପ୍ରତିକାରାତ୍ମକ ପଦକ୍ଷେପ ନିଆଯିବା ଅତ୍ୟନ୍ତ ଜରୁରୀ ।
ଦକ୍ଷିଣ-ପୂର୍ବ ଇରାନରେ ଅବସ୍ଥିତ ଚାବହାର ବନ୍ଦର ପରିଚାଳନାକୁ ନେଇ ଭାରତ, ଇରାନ ଓ ଆଫଗାନିସ୍ତାନ ମଧ୍ୟରେ ମେ ୨୦୧୬ରେ ହୋଇଥିବା ତ୍ରିପକ୍ଷୀୟ ଚୁକ୍ତି ପରିପ୍ରେକ୍ଷୀରେ ଏଥିରେ ଭାରତର ଅଂଶଗ୍ରହଣ ଉପରେ ଆମେରିକା ଲଗାଇଥିବା କଟକଣାକୁ ନିକଟରେ ଉଠାଇ ଦେଇଛି । ତେବେ ପରିବର୍ତ୍ତିତ ପରିସ୍ଥିତିରେ ସେହି ପ୍ରକଳ୍ପର କାର୍ଯ୍ୟ ପୁଣି ଅନିଶ୍ଚିତତା ଭିତରକୁ ଚାଲି ଯାଇଛି । ଚାବହାର ବନ୍ଦର ପ୍ରକଳ୍ପରେ ଅଂଶଗ୍ରହଣ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହେଉଥିବା ବାଣିଜ୍ୟ ଏବେ ପାକିସ୍ତାନର କରାଚୀ ବନ୍ଦର ଦେଇ ହେଉଥିବା ବେଳେ ଚାବହାର ବନ୍ଦର ଦେଇ ଚାଲୁ ହେଲେ ତାହା ସମ୍ପୂର୍ଣ୍ଣ ରୂପେ ପାକିସ୍ତାନୀ ନିୟନ୍ତ୍ରଣରୁ ମୁକ୍ତ ହେବ । ଉଲ୍ଲେଖଯୋଗ୍ୟ, କରାଚୀ ବନ୍ଦର ତୁଳନାରେ ଏହି ବନ୍ଦରର ଦୂରତା ଆଫଗାନିସ୍ତାନଠାରୁ ପ୍ରାୟ ହଜାରେ କିଲୋମିଟର କମ । ଆଫଗାନିସ୍ତାନ ଏକ ସ୍ଥଳ ଆବଦ୍ଧ ଦେଶ ହୋଇଥିବାରୁ ଏହି ବନ୍ଦର ଦେଇ ବାଣିଜ୍ୟ ତାକୁ ଭାରତର ନିକଟତର କରାଇବା ସହ ତାକୁ ପାକିସ୍ତାନଠାରୁ ଦୂରେଇ ରଖିବାରେ ସହାୟକ ହେବ, ଯାହା କୂଟନୈତିକ ଦୃଷ୍ଟିରୁ ଭାରତ ସ୍ୱାର୍ଥରେ । ଏତଦଭିନ୍ନ ଏହି ବନ୍ଦର ଦେଇ ମଧ୍ୟ-ଏସୀୟ ଦେଶଗୁଡିକ ସହ ବାଣିଜ୍ୟ କରିବାକୁ ଭାରତ ଲାଗି ଏକ ବିକଳ୍ପ ପଥ ଉପଲବ୍ଧ ହେବ, ଯଦ୍ଦ୍ୱାରା ପରିବହନ ଖର୍ଚ୍ଚ ଅର୍ଦ୍ଧାଧିକ ହ୍ରାସ ପାଇବ । ତା ଛଡା ଭାରତୀୟ ବାୟୁସେନା ପରିଚାଳିତ ତାଜାକିସ୍ତାନସ୍ଥିତ ଫାରଖୋର ବିମାନ ଘାଟୀକୁ ଯିବା ପାଇଁ ଏହି ବନ୍ଦର ପ୍ରବେଶ ପଥ ସାଜିବ । ତେଣୁ ଅର୍ଥନୈତିକ, କୂଟନୈତିକ ଓ ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏହି ବନ୍ଦରର କାର୍ଯ୍ୟ ବାଧାପ୍ରାପ୍ତ ହେବା ଭାରତ ଲାଗି ହତାଶାଜନକ ।
ଉଭୟ ଆମେରିକା ଓ ଇରାନ ସହ ଭାରତ ଉତ୍ତମ ସମ୍ପର୍କ ରକ୍ଷା କରିବାକୁ ଆଗ୍ରହୀ । କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ନିରପେକ୍ଷତା ଅବଲମ୍ବନ କରିବାକୁ ଉଚିତ ମଣିଛି । ‘ସୁଲେମାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ କରିଥିଲା’ କହି ଟ୍ରମ୍ପ ହୁଏତ ଭାରତକୁ ଇରାନଠାରୁ ଦୂରେଇ ନିଜ ଆଡକୁ ଟାଣିବାକୁ ଚେଷ୍ଟା କରିଛନ୍ତି । ସୁତରାଂ, କୂଟନୈତିକ ଦୃଷ୍ଟିରୁ ଭାରତ ଏବେ ଏକ ଅତ୍ୟନ୍ତ ଅଡୁଆ ପରିସ୍ଥିତିରେ ପଡିଛି, ବ୍ରହ୍ମହତ୍ୟା ଓ ଗୋହତ୍ୟା ମଝିରେ ଛିଡା ହେଲା ଭଳି କଥା ହୋଇଛି ।
ଇତି ମଧ୍ୟରେ କିଛି ଦେଶ ଆମେରିକାର ଆକ୍ରମଣକୁ ଯଥାର୍ଥ କହି ତା ସପକ୍ଷରେ ଠିଆ ହୋଇଥିବା ବେଳେ ଅନ୍ୟ କେତେକ ଦେଶ ଇରାନ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ପରିସ୍ଥିତିକୁ ଅଧିକ ଜଟିଳ କଲାଣି । ଆମେରିକା ସପକ୍ଷବାଦୀ ଦେଶମାନଙ୍କ ମଧ୍ୟରେ ଅଛନ୍ତି ଇସ୍ରାଏଲ, ସାଉଦି ଆରବ, ବ୍ରିଟେନ, ଜର୍ମାନୀ । ଏମାନେ ସମସ୍ତେ ଭାରତର ବନ୍ଧୁ ରାଷ୍ଟ୍ର । ଏହାକୁ ନିନ୍ଦା କରିଥିବା ଦେଶ ଭିତରୁ ରୁଷିଆ ମଧ୍ୟ ହେଉଛି ଭାରତର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମିତ୍ରରାଷ୍ଟ୍ର । ତେଣୁ ଭାରତ ଲାଗି ଏ ଭଳି ସବୁ ସମ୍ପର୍କରେ ଭାରସାମ୍ୟ ରଖିବା କଷ୍ଟକର । ଏ ଭଳି ପରିସ୍ଥିତିରେ ଭାରତ ଓ ଚୀନ ଉଭୟ ଆମେରିକା ଓ ଇରାନକୁ ସଂଯମତା ରକ୍ଷା କରିବା ପାଇଁ କହି ସାରିଲେଣି । ଉତ୍ତେଜନା ଯେପରି ଯୁଦ୍ଧରେ ରୂପାନ୍ତରିତ ନ ହୁଏ ସେଥିପାଇଁ ଜାତିସଂଘ ତରଫରୁ ଆବୋଦନ କରାଯାଇ ସାରିଲାଣି । ତେବେ ଏ ଦିଗରେ ଓମାନ, ଫ୍ରାନ୍ସ ଓ ଜାପାନ ପ୍ରମୁଖ ଭୂମିକା ନିର୍ବାହ କରି ପାରିବେ ବୋଲି କୂଟନୀତିଜ୍ଞଙ୍କ ମତ । କିନ୍ତୁ ପ୍ରତିଶୋଧ ଜର୍ଜରିତ ଇରାନ ଏବେ କି ପଦକ୍ଷେପ ନେବ, ତା ଉପରେ ଅନେକ କିଛି ନିର୍ଭର କରେ । ସୁଲେମାନୀ ଜଣେ ଲୋକପ୍ରିୟ ଓ ଅତ୍ୟନ୍ତ କ୍ଷମତାଶାଳୀ କମାଣ୍ଡର ହୋଇଥିବାରୁ ତାଙ୍କ ହତ୍ୟାକୁ ଇରାନ ସହଜରେ ଓ ନୀରବରେ ଗ୍ରହଣ କରି ନେବାର ଆଶା କ୍ଷୀଣ । ତାଙ୍କ ଶେଷ ଯାତ୍ରାରେ ଲକ୍ଷାଧିକ ଲୋକ ସାମିଲ ହେବା ଓ ପ୍ରତିଶୋଧ ଦାବି କରିବାକୁ ହାଲୁକା ଭାବେ ନିଆ ଯାଇ ନ ପାରେ । ଆଗରୁ ଇରାନର ଶାସକମାନେ ଆମେରିକା ବିପକ୍ଷରେ ଏକ ପୂର୍ଣ୍ଣ ଯୁଦ୍ଧ (ଫୁଲ ଫ୍ଲେଜଡ ଓ୍ଵାର) ସପକ୍ଷରେ ନଥିଲେ ମଧ୍ୟ ସୁଲେମାନୀଙ୍କ ହତ୍ୟା ପରେ ଇରାନବାସୀଙ୍କ ପ୍ରବଳ ଚାପ ଆଗରେ ସେମାନେ ଏ ଭଳି କଣଠେସା ହୋଇ ସାରିଛନ୍ତି ଯେ ଦେଶବାସୀଙ୍କ ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ଯୁଦ୍ଧ ଭିନ୍ନ ସେମାନଙ୍କ ଆଗରେ ଅନ୍ୟ କୌଣସି ବିକଳ୍ପ ଥିଲା ପରି ମନେ ହେଉନାହିଁ । ଏହା ଛଦ୍ମ ଯୁଦ୍ଧ (ପ୍ରକ୍ସି ଓ୍ଵାର) ମଧ୍ୟରେ ସୀମିତ ରହିଲେ ଆମେରିକାର ସହଯୋଗୀ ସାଉଦି ଆରବ ଓ ୟୁଏଇ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ତେବେ ଏହା ପୂର୍ଣ୍ଣ ଯୁଦ୍ଧରେ ରୂପାନ୍ତରିତ ହେଲେ ଉଭୟ ଦେଶର ଆଣବିକ ସାମର୍ଥ୍ୟ ଏହାକୁ ଏକ ଅତ୍ୟନ୍ତ ବିପଜ୍ଜନକ ଯୁଦ୍ଧରେ ପରିଣତ କରିବ । ତେବେ ଆଗକୁ ଆଉ କିଛି ନ ହୋଇ ଉତ୍ତେଜନା ହ୍ରାସ ପାଇବା କେବଳ କୌଣସି ଅଲୌକିକତା ଦ୍ୱାରା ସମ୍ଭବ ବୋଲି ମଧ୍ୟ-ପ୍ରାଚ୍ୟର ବିଶାରଦମାନଙ୍କ ମତ ।
Published in Sambad on January 08, 2020
Highly analytical.
ReplyDeleteThanks for appreciating the article.
Delete