ନାଗରିକତା ସଂଶୋଧନ ବିଲ ଆଇନରେ ପରିଣତ ହେଲା ପରେ ଦିଲ୍ଲୀଠାରୁ ଆରମ୍ଭ କରି ଦେଶର ବିଭିନ୍ନ ଅଞ୍ଚଳ ସମେତ ଉତ୍ତର-ପୂର୍ବର ରାଜ୍ୟଗୁଡିକରେ ଏହି ଆଇନକୁ ପ୍ରବଳ ବିରୋଧ ହେଉଛି । ଦେଶର ଅନେକ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଦ୍ୱାରା ଏହା ବିରୋଧର ସମ୍ମୁଖୀନ । କେଉଁଠି ଶାନ୍ତି ପୂର୍ଣ୍ଣ ପ୍ରତିବାଦ ହେଉଛି ତ ପୁଣି କେଉଁଠି ଏହା ଉଗ୍ର ରୂପ ଧାରଣ କରି ହିଂସାତ୍ମକ ହେଉଛି । ସମ୍ଭବତଃ, ଗତ ୩୦ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା ପ୍ରଣୀତ କୌଣସି ଆଇନ ବିରୁଦ୍ଧରେ ଦେଶବ୍ୟାପୀ ଏ ଭଳି ବିରୋଧ ପ୍ରଦର୍ଶନ ଦେଖା ଦେଇ ନଥିଲା । ତେବେ ଏହି ଆଇନ ମୁସଲମାନ ବିରୋଧୀ ତଥା ସମ୍ବିଧାନର ମୌଳିକ ଢାଞ୍ଚାର ଅବମାନନା ଦର୍ଶାଇ ଦେଶର ଅନ୍ୟତ୍ର ବିରୋଧ ପ୍ରଦର୍ଶନ ହେଉଥିବା ବେଳେ ଉତ୍ତର-ପୂର୍ବ ଭାରତରେ ଏହି ଆଇନକୁ ବିରୋଧର କାରଣ କିନ୍ତୁ ଭିନ୍ନ । ଉତ୍ତର-ପୂର୍ବ ଭାରତର ଅଧିବାସୀଙ୍କ ଦ୍ୱାରା ଏହି ଆଇନ ପ୍ରତ୍ୟାଖ୍ୟାତ ହେବାର କାରଣଗୁଡିକୁ ବୁଝିବାର ଆବଶ୍ୟକତା ରହିଛି ।
ନାଗରିକତା ସଂଶୋଧନ ଆଇନ, ୨୦୧୯ର ପ୍ରାବଧାନ ଅନୁଯାୟୀ ଧାର୍ମିକ ଉତ୍ପୀଡନର ଶିକାର ହୋଇ ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତକୁ ପଳାଇ ଆସିଥିବା ଅଳ୍ପ ସଂଖ୍ୟକ ହିନ୍ଦୁ, ଖ୍ରୀଷ୍ଟିୟାନ, ବୌଦ୍ଧ, ଜୈନ, ଶିଖ ଓ ପାର୍ସି ଧର୍ମାବଲମ୍ବୀଙ୍କୁ ନାଗରିକତା ପ୍ରଦାନ କରାଯିବ । ଉତ୍ତର-ପୂର୍ବ ଭାରତର ଲୋକଙ୍କ ଉଦବେଗକୁ ଦୃଷ୍ଟିରେ ରଖି ସରକାର ନାଗରିକତା ଆଇନରେ କେତୋଟି ବିଶେଷ ପ୍ରାବଧାନ ରଖିଲେ । ତଦନୁସାରେ ଏହି ଆଇନ ସମ୍ବିଧାନର ଷଷ୍ଠ ଅନୁଚ୍ଛେଦରେ ଆସୁଥିବା ସମସ୍ତ ଅଞ୍ଚଳ ଓ ଏଠାରେ 'ଇନର ଲାଇନ' ପରମିଟ ବ୍ୟବସ୍ଥା ଲାଗୁ ହେଉଥିବା ଅଞ୍ଚଳଗୁଡିକ ପ୍ରତି ପ୍ରଯୁଜ୍ୟ ହେବ ନାହିଁ । ଅର୍ଥାତ୍, ବିଦେଶୀ ବୋଲି ଘୋଷିତ ହୋଇ ଏହି ଅଞ୍ଚଳଗୁଡିକରେ ଥିବା ଲୋକଙ୍କୁ, ସେମାନେ ଉପରୋକ୍ତ ଛଅଟି ଧର୍ମ ମଧ୍ୟରୁ ହୋଇଥିଲେ ମଧ୍ୟ, ନାଗରିକତା ପ୍ରଦାନ କରାଯିବ ନାହିଁ । ଉତ୍ତର-ପୂର୍ବ ଭାରତର ଆସାମ, ମେଘାଳୟ, ତ୍ରିପୁରା ଓ ମିଜୋରାମର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡିକ ଷଷ୍ଠ ଅନୁଚ୍ଛେଦ ଅନ୍ତର୍ଭୁକ୍ତ । ସମ୍ବିଧାନର ଧାରା ୨୪୪ ଓ ୨୭୫ ଅନୁଯାୟୀ ସେଠାରେ ସ୍ୱୟଂଶାସିତ ଜିଲ୍ଲା ପରିଷଦ ଓ ଆଞ୍ଚଳିକ ପରିଷଦ ଗଠନ ହେବାର ବ୍ୟବସ୍ଥା ରହିଛି । ବର୍ତ୍ତମାନ ଆସାମ, ମେଘାଳୟ, ମିଜୋରାମରେ ତିନିଟି ଲେଖାଏଁ ଓ ତ୍ରିପୁରାରେ ଗୋଟିଏ, ଏହିପରି ସମଗ୍ର ଉତ୍ତର-ପୂର୍ବ ଭାରତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସମୁଦାୟ ୧୦ଟି ସ୍ୱୟଂଶାସିତ ପରିଷଦ କାର୍ଯ୍ୟ କରୁଛି ଓ ଏହି ଅଞ୍ଚଳଗୁଡିକରେ ସଂଶୋଧିତ ନାଗରିକତା ଆଇନ କାର୍ଯ୍ୟକାରୀ ହେବନାହିଁ ।
'ଇନର ଲାଇନ' ପରମିଟ ବ୍ୟବସ୍ଥା ଦେଶ ଭିତରେ ଚଳପ୍ରଚଳ କରିବା ପାଇଁ ଏକ ଭିସା ବ୍ୟବସ୍ଥା ସଦୃଶ । ବିଦେଶୀ ରାଷ୍ଟ୍ରକୁ ଗଲେ ଯେପରି ସେହି ଦେଶର ଭିସା ହାସଲ କରିବାକୁ ହୋଇଥାଏ, ସେହିପରି 'ଇନର ଲାଇନ' ପରମିଟ ନ ଥିଲେ ଭାରତୀୟ ନାଗରିକମାନେ ମଧ୍ୟ ଭାରତର କିଛି ଅଞ୍ଚଳକୁ ପ୍ରବେଶ କରି ପାରି ନଥାନ୍ତି । ସେହି ଭଳି ଅଞ୍ଚଳକୁ ବୁଲିବାକୁ ଯିବା ପାଇଁ ହେଉ ବା ସେଠାରେ ସାମୟିକ ଭାବେ ଅବସ୍ଥାନ କରିବାକୁ ହେଉ, ସେଠାକାର ସ୍ଥାନୀୟ ଅଧିବାସୀଙ୍କୁ ବାଦ ଦେଇ ଅନ୍ୟ ସମସ୍ତଙ୍କୁ ଏହି ଇନର ଲାଇନ ପରମିଟ ହାସଲ କରିବାକୁ ହୋଇଥାଏ । ଅର୍ଥାତ୍, ବିଦେଶୀ ତ ଦୂରର କଥା କୌଣସି ଭାରତୀୟ ନାଗରିକ ମଧ୍ୟ ଏହି ସବୁ ସ୍ଥାନରେ ସ୍ଥାୟୀ ଭାବେ ବସବାସ କରିବା ସମ୍ଭବ ନୁହେଁ । ବେଙ୍ଗଲ ଇଷ୍ଟର୍ଣ୍ଣ ଫ୍ରଣ୍ଟିଅର ରେଗୁଲେସନ, ୧୮୭୩ ଅନୁଯାୟୀ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଓ ମିଜୋରାମ ରାଜ୍ୟ ଭିତରକୁ ପ୍ରବେଶ କରିବା ପାଇଁ ସେଠାକାର ରାଜ୍ୟ ସରକାରଙ୍କୁ ଆବେଦନ କରି ଏହି ପରମିଟ ହାସଲ କରିବାକୁ ହୋଇଥାଏ । ଉଲ୍ଲେଖଯୋଗ୍ୟ, ବ୍ରିଟିଶ ଶାସନାଧୀନ ଥିବା ସମୟରେ ଚା, ପେଟ୍ରୋଲିଅମ, ହାତୀ ବ୍ୟବସାୟରେ ବ୍ରିଟିଶ ସାମ୍ରାଜ୍ୟର ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଅବିଭକ୍ତ ଆସାମର କେତେକ ସଂରକ୍ଷିତ ଅଞ୍ଚଳରେ ବ୍ରିଟିଶ ପ୍ରଜାଙ୍କ ଅବାଧ ପ୍ରବେଶ ଉପରେ କଟକଣା ଜାରି କରି ଉପରୋକ୍ତ ଆଇନ ପ୍ରଣୟନ କରାଯାଇଥିଲା । ନାଗରିକତା ସଂଶୋଧନ ଆଇନ ପ୍ରଣୟନ ପରେ ଇନର ଲାଇନ ପରମିଟ ଆବଶ୍ୟକ ହେଉଥିବା ରାଜ୍ୟ ତାଲିକାରେ ମଣିପୁରର ନାମ ବି ଯୋଡା ହୋଇଗଲା । ଗୋଟିଏ ଦେଶ ଗୋଟିଏ ବିଧାନ କହି କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବା ବିଜେପି ସରକାର, ସାରା ଦେଶ ପାଇଁ ପ୍ରଣୟନ ହେଉଥିବା ନାଗରିକତା ସଂଶୋଧନ ଆଇନରୁ ଦେଶର କିଛି ଅଞ୍ଚଳକୁ ବାଦ ଦେବା ପାଇଁ ପ୍ରସ୍ତୁତ ହେବା ଏକ ବିଡମ୍ବନା ନୁହେଁ କି ?
ବାହାର ଓ ବିଦେଶୀ ଲୋକଙ୍କ ଅନୁପ୍ରବେଶ ଦ୍ୱାରା ଯଦି ଉତ୍ତର-ପୂର୍ବାଞ୍ଚଳର କୌଣସି ଗୋଟିଏ ରାଜ୍ୟର ଜନସଂଖ୍ୟାର ଚିତ୍ର ଓ ଚରିତ୍ର (ଡେମୋଗ୍ରାଫିକ କମ୍ପ୍ଲେକସନ) ସର୍ବାଧିକ ପ୍ରଭାବିତ ହୋଇଥାଏ, ସେହି ରାଜ୍ୟଟି ହେଉଛି ତ୍ରିପୁରା । ତ୍ରିପୁରାର ସମୁଦାୟ ଭୌଗୋଳିକ କ୍ଷେତ୍ର ମଧ୍ୟରୁ ୬୮ ପ୍ରତିଶତ ଅଞ୍ଚଳ ଷଷ୍ଠ ଅନୁଚ୍ଛେଦ ଅନ୍ତର୍ଭୁକ୍ତ, ଯେଉଁଠାରେ ମୁଖ୍ୟତଃ ମୂଳ ନିବାସୀ (ଇଣ୍ଡିଜେନସ ପିପୁଲ)ମାନେ ବସବାସ କରିଥାନ୍ତି । ବଙ୍ଗଳା ଦୁର୍ଭିକ୍ଷ (୧୯୪୩-୪୪), ଦେଶ ବିଭାଜନ (୧୯୪୭-୪୮), ବଙ୍ଗଳାଦେଶର ମୁକ୍ତି ସଂଗ୍ରାମ (୧୯୭୧) ଆଦି ସମୟରେ ବଙ୍ଗଳାଦେଶରୁ ତୁହାକୁ ତୁହା ଶରଣାର୍ଥୀ ସେଠାକୁ ଆସିଛନ୍ତି ଓ ସେମାନଙ୍କୁ ଆଶ୍ରୟ ଦେବାରେ ତ୍ରିପୁରା ଆଦୌ କୁଣ୍ଠା ପ୍ରକାଶ କରିନାହିଁ । ଫଳସ୍ୱରୂପ, ସେଠାକାର ସମତଳ ଅଞ୍ଚଳରେ ବଙ୍ଗଳାଦେଶରୁ ଆସିଥିବା ଦେଶାନ୍ତରୀଙ୍କ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ୩୭ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ତ୍ରିପୁରାରେ ମୂଳ ନିବାସୀଙ୍କ ସଂଖ୍ୟା ହ୍ରାସ ପାଇ ୩୧ ପ୍ରତିଶତରେ ପହଞ୍ଚିଲାଣି ଓ ନିଜ ଅଞ୍ଚଳରେ ସେମାନେ ଅଳ୍ପସଂଖ୍ୟକ ହୋଇ ସାରିଲେଣି । ସେଠାକାର ଅମଲାତନ୍ତ୍ରଠାରୁ ଆରମ୍ଭ କରି ରାଜନୀତି ଯାଏଁ ସବୁ କ୍ଷେତ୍ର ଏବେ ଦେଶାନ୍ତରୀଙ୍କ କବଜାରେ । ବସ୍ତୁତଃ, ସେଠାରେ ମୂଳ ନିବାସୀଙ୍କର ଗୁରୁତ୍ୱ ଅନେକଟା ହ୍ରାସ ପାଇ ସାରିଲାଣି । ସ୍ଥିତି ଆସି ଏପରି ହେଲାଣି ଯେ ସେଠାରେ ମୂଳ ନିବାସୀମାନେ ଆଉ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ସୁଦ୍ଧା ଦେଖି ପାରୁନାହାନ୍ତି । ଅନ୍ୟ ପକ୍ଷରେ ବଙ୍ଗଳାଦେଶରୁ ଦେଶାନ୍ତରୀ ଭାବେ ଆସି ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ହେବା ଏକ ସାଧାରଣ ଘଟଣା ହୋଇ ସାରିଲାଣି । ସେଠାକାର ସୀମିତ ସାଧନ ଆଉ ଅଧିକ ଲୋକଙ୍କ ବୋଝ ବହନ କରିବାକୁ ଅସମର୍ଥ ହୋଇଥିବାରୁ, ତଥା ନିଜ ଅସ୍ତିତ୍ୱ ଯେପରି ନିଶ୍ଚିହ୍ନ ହୋଇ ନ ଯାଏ ସେଥିପାଇଁ ତ୍ରିପୁରାର ମୂଳ ନିବାସୀଙ୍କ ଏହି ଆଇନ ବିରୁଦ୍ଧରେ ବିରୋଧର ସ୍ୱର ।
ଆସାମର ୩୩ଟି ଜିଲ୍ଲା ମଧ୍ୟରୁ ଷଷ୍ଠ ଅନୁଚ୍ଛେଦ ଅନ୍ତର୍ଭୁକ୍ତ ୬ଟି ଜିଲ୍ଲାକୁ ବାଦ ଦେଲେ ଅବଶିଷ୍ଟ ୨୭ଟି ଜିଲ୍ଲାରେ ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ ହେଉଥିବାରୁ ବ୍ରହ୍ମପୁତ୍ର ଉପତ୍ୟକା ଏବେ ଅଶାନ୍ତ । ଆସାମୀ ଭାଷା ଓ ସଂସ୍କୃତି ଉପରେ ପ୍ରାୟ ଦୁଇ ଶତାବ୍ଦୀ ଧରି ଆକ୍ରମଣ ହୋଇ ଆସୁଛି । ୧୮୨୬ ମସିହାରେ ଆସାମ ବ୍ରିଟିଶ ନିୟନ୍ତ୍ରଣାଧୀନ ହେବା ପରେ ଚକ୍ରାନ୍ତ କରି ୧୮୩୮ ମସିହାରେ ବଙ୍ଗଳା ଭାଷାକୁ ସେଠାକାର ଆଧିକାରିକ ଭାଷା କରି ଦିଆଯିବା ଥିଲା ସେହି ସାଂସ୍କୃତିକ ଆକ୍ରମଣର ପ୍ରଥମ ନିଦର୍ଶନ । ବର୍ଷ ବର୍ଷ ଧରି ସେଠାରେ ଏତେ ସଂଖ୍ୟକ ବାହାର ଲୋକ, ଉଭୟ ଦେଶ ଭିତରୁ ଏବଂ ବଙ୍ଗଳାଦେଶରୁ, ଆସି ବସବାସ କରୁଥିଲେ ବି ଏହାର ଜନସାଂଖ୍ୟିକ ଚିତ୍ର ଓ ଚରିତ୍ରରେ ଘଟିତ ହେଉଥିବା ପରିବର୍ତ୍ତନ ସମ୍ପର୍କରେ ପ୍ରଥମ ଆଧିକାରିକ ଆଭାସ ମିଳିଥିଲା ୧୯୩୧ ଜନଗଣନା ପରେ ଜନଗଣନା ସୁପରିଣ୍ଟେଣ୍ଡେଣ୍ଟ ସି ଏସ ମୁଲାନଙ୍କ ରିପୋର୍ଟରେ । ବିଭିନ୍ନ ସମୟରେ ଏହାର ପ୍ରତିବାଦ ହୋଇ ଆସୁଥିଲେ ମଧ୍ୟ ଅଶି ଦଶକରେ ଆସାମ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦର ସ୍ୱର ତୀବ୍ର ହୋଇଥିଲା । ମାର୍ଚ୍ଚ ୨୪, ୧୯୭୧ ପରେ ଆସିଥିବା ବିଦେଶୀଙ୍କୁ ସେଠାରୁ ହଟାଇବା ପାଇଁ ଆସାମ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ସେଠାରେ ଶାନ୍ତି ଫେରିଥିଲା । ତଦନୁଯାୟୀ ସୁପ୍ରିମକୋର୍ଟଙ୍କ ତତ୍ତ୍ଵାବଧାନରେ ହୋଇଥିବା ଏନଆରସି ସୂଚୀରେ ବାଦ ପଡିଥିବା ୧୯ ଲକ୍ଷ ଲୋକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବଙ୍ଗଳାଦେଶୀ ହିନ୍ଦୁ । ଏହି ହିନ୍ଦୁମାନଙ୍କୁ ନାଗରିକତା ପ୍ରଦାନ କରି ନିଜ ଭୋଟ ବ୍ୟାଙ୍କକୁ ସୁଦୃଢ କରିବା ପାଇଁ ବିଜେପି ନାଗରିକତା ସଂଶୋଧନ ଆଇନ ପାରିତ କରିଛି ବୋଲି ଆସାମରେ ବିରୋଧୀଙ୍କ ବିଶ୍ୱାସ । ସେମାନଙ୍କ ମତରେ ବେଆଇନ ଭାବେ ବଙ୍ଗଳାଦେଶରୁ ଆସିଥିବା ପ୍ରତ୍ୟେକଙ୍କୁ (ହିନ୍ଦୁ ବା ମୁସଲମାନ) ସମାନ ଭାବେ ବିବେଚନା କରିବା ଉଚିତ । ଅନ୍ୟଥା ସେମାନଙ୍କୁ ଆସାମ ବାହାରେ ଅନ୍ୟ ରାଜ୍ୟରେ ଥଇଥାନ କରାଯାଉ । ନ ହେଲେ ଦିନ ଆସିବ ହୁଏତ ତ୍ରିପୁରା ପରି ଆସାମରେ ମଧ୍ୟ ଜଣେ ବଙ୍ଗଳାଦେଶୀ ମୁଖ୍ୟମନ୍ତ୍ରୀ ହେବେ । ତା ଛଡା ଆସାମ ଚୁକ୍ତିରେ ନାଗରିକତା ପାଇଁ ଶେଷ ତାରିଖ ୨୪ ମାର୍ଚ୍ଚ ୧୯୭୧ ଧାର୍ଯ୍ୟ ହୋଇଥିବା ବେଳେ ନାଗରିକତା ସଂଶୋଧନ ଆଇନରେ ଏହି ସମୟ ସୀମାକୁ ବଢାଇ ୩୧ ଡିସେମ୍ବର ୨୦୧୪ କରିବା ଆସାମ ଚୁକ୍ତିର ଉଲ୍ଲଂଘନ, ଯାହା ସେମାନଙ୍କୁ କ୍ଷୁବ୍ଧ କରିଛି । ଇତି ମଧ୍ୟରେ ଆସାମରେ ଦାନା ବାନ୍ଧୁଥିବା ଅନ୍ୟ ଦୁଇଟି ଘଟଣା ମଧ୍ୟ ଆସାମୀୟ ଉପ-ଜାତୀୟତାକୁ ଜାଗ୍ରତ କରିବା ପାଇଁ ଅଧିକ ଖୋରାକ ଯୋଗାଇଛି । ପ୍ରଥମଟି, ବ୍ରହ୍ମପୁତ୍ର ଉପତ୍ୟକା ଅଞ୍ଚଳରେ ଥିବା ବଙ୍ଗଳାଦେଶୀ ମୁସଲମାନ (ଯେଉଁମାନଙ୍କୁ ‘ଚାର ଚପୋରୀ’ କୁହା ଯାଇଥାଏ)ଙ୍କ ମଧ୍ୟରେ ‘ମିୟାଁ କବିତା’ (ବଙ୍ଗଳା ଉପଭାଷାରେ)ର ପ୍ରସାର ମାଧ୍ୟମରେ ଏକ ନବ ଜାତୀୟତାର ଉନ୍ମେଷ ପାଇଁ ଉଦ୍ୟମ । ଦ୍ୱିତୀୟଟି, ସେଠାରେ ବଙ୍ଗଭାଷୀଙ୍କ ସଂଖ୍ୟା ବୃଦ୍ଧି ମାଧ୍ୟମରେ କିଛି ରାଜନେତାଙ୍କ ଆସାମରେ କ୍ଷମତା ଦଖଲର ଆହ୍ୱାନ । ଆସାମରେ ନାଗରିକତା ସଂଶୋଧନ ଆଇନକୁ ହେଉଥିବା ତୀବ୍ର ବିରୋଧକୁ ଦେଖି ଏନଡିଏରେ ସାମିଲ ଥିବା ଆସାମ ଗଣ ପରିଷଦ ଦଳ ସଂସଦରେ ଏହି ବିଲ ସପକ୍ଷରେ ଭୋଟ ଦେଇଥିଲେ ମଧ୍ୟ ଇତି ମଧ୍ୟରେ ଏହାକୁ ବିରୋଧ କରି ଏହାର ପ୍ରତ୍ୟାହାର ଦାବିରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇଛି ।
ମେଘାଳୟର ଆଦିବାସୀ ଅଧ୍ୟୁଷିତ ଷଷ୍ଠ ଅନୁଚ୍ଛେଦ ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେଉ ନଥିବା ବେଳେ ୟୁରୋପୀୟ ଓ୍ଵାର୍ଡ ବୋଲି କୁହାଯାଉଥିବା ସିଲଂ ମ୍ୟୁନିସିପାଲିଟି ଓ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଏହା ଲାଗୁ ହେବ । ସେହି ଅଞ୍ଚଳର କ୍ଷେତ୍ରଫଳ ଏତେ କମ ଯେ ଏବେ ବି ସେଠାକାର ଲୋକେ ଅନୁଚ୍ଛେଦ ଅଞ୍ଚଳକୁ ଅନୁପ୍ରବେଶ କରିବାକୁ ବାଧ୍ୟ ହେଉଛନ୍ତି । ଏ ଭଳି ପରିସ୍ଥିତିରେ ସିଲଂ ମ୍ୟୁନିସିପାଲିଟି ଓ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ ବଳରେ ନାଗରିକତା ପାଇଥିବା ଜଣେ ନାଗରିକ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭିତରକୁ ପ୍ରବେଶ କରିବାର ଆଶଙ୍କାକୁ ଏଡାଇ ଦେଇ ହେବନାହିଁ । ତେଣୁ ସମଗ୍ର ମେଘାଳୟକୁ ନାଗରିକତା ସଂଶୋଧନ ଆଇନର ପରିସର ବାହାରେ ରଖିବାକୁ ଦାବି ତୀବ୍ରତର ହେଉଛି । ଏପରିକି ରାଜ୍ୟରେ ଏହି ଆଇନ ଲାଗୁ ନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରନ୍ତୁ ବୋଲି ମଧ୍ୟ ଚାପ ସୃଷ୍ଟି ହେଲାଣି ।
ଅରୁଣାଚଳ ପ୍ରଦେଶ 'ଇନର ଲାଇନ' ପରମିଟ ବ୍ୟବସ୍ଥା ଅନ୍ତର୍ଭୁକ୍ତ ହୋଇ ନାଗରିକତା ସଂଶୋଧନ ଆଇନର ପରିସର ବାହାରେ ଥିଲେ ବି ସେଠାରେ ଏହି ଆଇନକୁ ବିରୋଧ କରାଯିବାର ମୁଖ୍ୟ କାରଣ ହେଉଛି ନାଗରିକତା ଆଇନ ସଂଶୋଧନ ପରେ ସେଠାରେ ବିଭିନ୍ନ ଶରଣାର୍ଥୀ ଶିବିରରେ ଥିବା ଚକମା ଓ ହଜଙ୍ଗ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନର ଆଶଙ୍କା । ଚକମାମାନେ ବୌଦ୍ଧ ଧର୍ମାବଲମ୍ବୀ ହୋଇଥିବା ବେଳେ ହଜଙ୍ଗମାନେ ହିନ୍ଦୁ । ଚକମାମାନେ ପଶ୍ଚିମବଙ୍ଗ, ଉତ୍ତର-ପୂର୍ବ ଭାରତ, ବଙ୍ଗଳାଦେଶ ଓ ମ୍ୟାନମାର ଆଦି ସ୍ଥାନମାନଙ୍କରେ ଅବସ୍ଥାନ କରିବା ଦେଖା ଯାଇଥାଏ । ମିଜୋରାମ ଓ ତ୍ରିପୁରାରେ ରହୁଥିବା କିଛି ସଂଖ୍ୟକ ଚକମା ଭାରତୀୟ ନାଗରିକ ହୋଇଥିବା ବେଳେ ବଙ୍ଗଳାଦେଶର ଚିଟାଗଙ୍ଗ ପାହାଡୀ କ୍ଷେତ୍ର ଚକମାମାନଙ୍କର ପ୍ରମୁଖ ବାସସ୍ଥଳୀ । ୧୯୬୪-୬୫ ମସିହାରେ ସେଠାରେ କର୍ଣ୍ଣଫୁଲୀ ନଦୀ ଉପରେ ହୋଇଥିବା କପ୍ତାଇ ନଦୀବନ୍ଧ ଯୋଜନାରେ ନିଜ ଜମିବାଡି ହରାଇ ହଜାର ହଜାର ସଂଖ୍ୟାରେ ଚକମା ଶରଣାର୍ଥୀ ଭାରତକୁ ପଳାଇ ଆସିଥିଲେ । ସେମାନଙ୍କ ମଧ୍ୟରୁ କିଛି ଧାର୍ମିକ ଉତ୍ପୀଡନର ଶିକାର ହୋଇଥିବା ଅଭିଯୋଗ ହୁଏ । ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ତତ୍କାଳୀନ କେନ୍ଦ୍ର ଶାସିତ ଅଞ୍ଚଳ 'ନେଫା' (ଯାହା ଏବେ ଅରୁଣାଚଳ ପ୍ରଦେଶ ରାଜ୍ୟ)ରେ ବିଭିନ୍ନ ଶରଣାର୍ଥୀ ଶିବିରରେ ରଖା ଯାଇଥିଲା । ମଝିରେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ବଙ୍ଗଳାଦେଶ ଫେରାଇ ନେବାକୁ ରାଜି ହୋଇଥିଲେ ମଧ୍ୟ ଧାର୍ମିକ ଉତ୍ପୀଡନର ଆଶଙ୍କାରେ ସେମାନେ ପ୍ରତ୍ୟାବର୍ତ୍ତନ କରି ନଥିଲେ । ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେମାନେ ଭାରତରେ ବସବାସ କରୁଥିଲେ ମଧ୍ୟ ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇ ନଥିବାରୁ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରି ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ୨୦୧୫ ମସିହାରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ୨୦୧୭ ମସିହାରେ ପ୍ରାୟ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଚକମା-ହଜଙ୍ଗ ଶରଣାର୍ଥୀଙ୍କୁ କେନ୍ଦ୍ର ସରକାର ନାଗରିକତା ପ୍ରଦାନ କରିବାକୁ ସ୍ଥିର କରିଥେିଲ । ହେଲେ ଅରୁଣାଚଳରେ ରହୁଥିବା ଚକମା-ହଜଙ୍ଗମାନେ ସେଠାରେ ଜମିବାଡିର ମାଲିକ ହୋଇ ପାରିବେ ନାହିଁ ଓ ସେଠାରେ ରହିବା ପାଇଁ ସେମାନଙ୍କୁ 'ଇନର ଲାଇନ' ପରମିଟ ବ୍ୟବସ୍ଥାରେ ଆବେଦନ କରିବାକୁ ହେବ ବୋଲି ସ୍ଥିର ହୋଇଥିଲା । ୨୦୧୧ ଜନଗଣନା ଅନୁସାରେ ଅରୁଣାଚଳରେ ରହୁଥିବା ଚକମା-ହଜଙ୍ଗ ଶରଣାର୍ଥୀଙ୍କ ସଂଖ୍ୟା ୪୭ ହଜାରରୁ ଅଧିକ ଥିଲା । ନାଗରିକତା ସଂଶୋଧନ ଆଇନ ପ୍ରଣୟନ ପରେ ଏମାନଙ୍କ ନାଗରିକତାକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ କଣ ହେବ, ସେ ନେଇ ଚିନ୍ତିତ ଅରୁଣାଚଳର ମୂଳ ନିବାସୀ । 'ଇନର ଲାଇନ' ପରମିଟ ଏକ ସାମୟିକ ବ୍ୟବସ୍ଥା ଓ କେନ୍ଦ୍ର ସରକାର ଚାହିଁଲେ ଏହାକୁ ଯେ କୌଣସି ମୁହୂର୍ତ୍ତରେ ପ୍ରତ୍ୟାହାର କରି ନେଇ ପାରନ୍ତି । ସେ କ୍ଷେତ୍ରରେ ଏବେ ନାଗରିକତା ସଂଶୋଧନ ଆଇନରୁ ବାଦ ପଡିଥିବା ଅରୁଣାଚଳ ପ୍ରଦେଶ ମଧ୍ୟ ସେହି ଆଇନ ପରିସରଭୁକ୍ତ ହେବ, ଯାହା ସେଠାକାର ଜନସାଂଖ୍ୟିକ ଚିତ୍ର ଓ ଚରିତ୍ରକୁ ଅତି ମାତ୍ରାରେ ପ୍ରଭାବିତ କରିବାର ଆଶଙ୍କା ଦେଖା ଦେଇପାରେ ।
କେନ୍ଦ୍ରରେ ଏନଡିଏ ସରକାରଙ୍କ ସହଯୋଗୀ ଥିବା ମିଜୋ ନ୍ୟାସନାଲ ଫ୍ରଣ୍ଟର ଏକମାତ୍ର ସାଂସଦ ଲାଲରୋଜାଙ୍ଗା ନାଗରିକତା ସଂଶୋଧନ ବିଲ ସପକ୍ଷରେ ଭୋଟ ଦେବା ପରେ ସେ ଓ ତାଙ୍କ ଦଳ ମିଜୋରାମରେ ବିରୋଧର ସମ୍ମୁଖୀନ ହେଉଛନ୍ତି । ସମଗ୍ର ମିଜୋରାମରେ 'ଇନର ଲାଇନ' ପରମିଟ ବ୍ୟବସ୍ଥା ଲାଗୁ ହୋଇଥିଲେ ମଧ୍ୟ ଏହି ପରମିଟ ବ୍ୟବସ୍ଥାର କୌଣସି ସ୍ଥାୟୀତ୍ୱ ନ ଥିବାରୁ ସେମାନେ ଆଶଙ୍କିତ । ତା ଛଡା ମିଜୋରାମ ସୀମାବର୍ତ୍ତୀ କେତେକ ରାଜ୍ୟରେ 'ଇନର ଲାଇନ' ପରମିଟ ବ୍ୟବସ୍ଥା ଲାଗୁ ହୋଇ ନଥିବାରୁ ସେଠାରୁ ନାଗରିକତା ଆହରଣ କରି ବାହାରର ଲୋକ ସହଜରେ ରାଜ୍ୟ ଭିତରକୁ ପଶି ଆସି ପାରିବେ ବୋଲି ସେମାନେ ଉଦବିଗ୍ନ । ସେହି ଏକା କାରଣରୁ ନାଗାଲାଣ୍ଡର ଛାତ୍ର ସମାଜ ମଧ୍ୟ ଏହି ଆଇନକୁ ବିରୋଧ କରି ଏହାର ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରୁଛନ୍ତି । କେବଳ ଦିମାପୁରକୁ ବାଦ ଦେଲେ ନାଗାଲାଣ୍ଡର ବାକି ସବୁ ଅଞ୍ଚଳ 'ଇନର ଲାଇନ' ପରମିଟ ବ୍ୟବସ୍ଥା ଅନ୍ତର୍ଭୁକ୍ତ । ତେବେ ସେମାନଙ୍କର ପ୍ରଶ୍ନ, ପୂର୍ବରୁ 'ଇନର ଲାଇନ' ପରମିଟ ବ୍ୟବସ୍ଥା ଥିବା ନାଗାଲାଣ୍ଡ ସମେତ ଅନ୍ୟ ଦୁଇଟି ରାଜ୍ୟରେ ମଧ୍ୟ ଏହାର ସଠିକ ଅନୁପାଳନ ନ ହୋଇ ସେଠାରେ ଯେପରି ଜନସଂଖ୍ୟାର ଚିତ୍ର ଓ ଚରିତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖା ଦେଇଛି, ତାର ପୁନରାବୃତ୍ତି ନ ହେବ ବା କାହିଁକି ? ଆଇନରେ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ବସବାସ କରୁଥିବା ଦେଶୀୟ ଲୋକଙ୍କ ଭାବାବେଗକୁ ହୃଦୟଙ୍ଗମ କରିବାରେ ସରକାର ଏକ ପ୍ରକାର ବିଫଳ ହୋଇଛନ୍ତି ବୋଲି ବିକ୍ଷୋଭର ନେତୃତ୍ୱ ନେଉଥିବା ନାଗା ଛାତ୍ର ଫେଡେରେସନ (ଏନଏସଏଫ)ର ଅଭିଯୋଗ । ଶେଷ ମୁହୂର୍ତ୍ତରେ ମଣିପୁରକୁ ମଧ୍ୟ 'ଇନର ଲାଇନ' ପରମିଟ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଗଲା । ଏହା ନ ହୋଇଥିଲେ ଉତ୍ତର-ପୂର୍ବ ରାଜ୍ୟଗୁଡିକ ମଧ୍ୟରେ ନାଗରିକତା ସଂଶୋଧନ ଆଇନ ରାଜ୍ୟବ୍ୟାପୀ ଲାଗୁ ହେବାରେ ମଣିପୁର ଏକମାତ୍ର ରାଜ୍ୟ ହୋଇଥାନ୍ତା । ମଣିପୁରକୁ ପ୍ରଥମ କରି 'ଇନର ଲାଇନ' ପରମିଟ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରା ଯାଇଥିବାରୁ ସେଠାରେ ଆନନ୍ଦ ପ୍ରକାଶ ପାଇବା ସ୍ୱାଭାବିକ । ତେଣୁ ସେଠାରେ ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ସ୍ୱର ଏତେ ତୀବ୍ର ଅନୁଭୂତ ନ ହେଲେ ବି ଏବେ ମଧ୍ୟ କିଛି ଲୋକ ଏହାର ବିରୋଧ କରୁଛନ୍ତି ।
ସିକ୍କିମ ଉତ୍ତର-ପୂର୍ବ ରାଜ୍ୟ କାଉନସିଲରେ ଅଷ୍ଟମ ସଦସ୍ୟ ରାଜ୍ୟ ଭାବେ ୨୦୦୨ ମସିହାରେ ଯୋଗ ଦେଇଥିଲା । ପୂର୍ବେ ଏକ ସ୍ୱତନ୍ତ୍ର ଦେଶ ଥିବା ସିକ୍କିମ ୧୯୭୫ ମସିହାରେ ଭାରତରେ ବିଲୟ ହୋଇଥିଲା । ବିଲୟର ସର୍ତ୍ତ ସ୍ୱରୂପ ନାମଗ୍ୟାଲ ରାଜବଂଶ ଶାସିତ ସିକ୍କିମରେ ପ୍ରଚଳିତ କେତେକ ପୁରୁଣା ଆଇନକୁ ସୁରକ୍ଷା ଦେବା ସହ ଏହାର ସ୍ୱତନ୍ତ୍ର ପରିଚୟକୁ ଅକ୍ଷୁଣ୍ଣ ରଖାଯିବ ବୋଲି ଆଶ୍ୱାସନା ଦିଆଯାଇଥିଲା । ତଦନୁଯାୟୀ ସିକ୍କିମକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରାଯାଇ ସମ୍ବିଧାନରେ ଧାରା ୩୭୧(ଏଫ) ଯୋଗ କରାଗଲା । ଭାରତରେ ବିଲୟ ପରେ ସିକ୍କିମ ଜନସଂଖ୍ୟାରେ ସେଠାକାର ମୂଳ ନିବାସୀ ଭୁଟିଆ ଓ ଲେପଚାଙ୍କର ପ୍ରତିଶତ କ୍ରମାଗତ ଭାବେ କମ ହୋଇ ଚାଲିବା ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତା ଛଡା ସେଠାକାର ସ୍ଥାନୀୟ ଯୁବକଙ୍କ ପାଇଁ ବେକାରୀ ସମସ୍ୟା ଏତେ ଉତ୍କଟ ହୋଇ ପଡିଛି ଯେ ଆତ୍ମହତ୍ୟାର ହାର ବୃଦ୍ଧି ପାଇଥିବାର ଅଭିଯୋଗ ହେଉଛି । ଏ ପରିସ୍ଥିତିରେ ସେଠାରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେଲେ ବାହାର ଲୋକଙ୍କ ଅବାଧ ପ୍ରବେଶରେ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଆହୁରି ହ୍ରାସ ପାଇବ ବୋଲି ସିକ୍କିମ ରାଜ୍ୟର ଯୁବ ଓ ଛାତ୍ର ସମାଜର ଆଶଙ୍କା । ସିକ୍କିମ ପ୍ରତି ଧାରା ୩୭୧ (ଏଫ) ଲାଗୁ ହେଉଥିବାରୁ ସେଠାରେ ସଂଶୋଧିତ ନାଗରିକତା ଆଇନ ପ୍ରଯୁଜ୍ୟ ହେବ ନାହିଁ ବୋଲି ସଂସଦରେ ଗୃହମନ୍ତ୍ରୀ ସ୍ପଷ୍ଟ କରି ସାରିଥିଲେ ମଧ୍ୟ, ତାହା ସେଠାକାର ଲୋକଙ୍କ ଉଦବେଗକୁ ପ୍ରଶମିତ କରିବାକୁ ଯଥେଷ୍ଟ ହେଉନାହିଁ । ତାର ମୁଖ୍ୟ କାରଣ ହେଉଛି, ବିଜେପି ସରକାରଙ୍କ ଦ୍ୱାରା ଜାମ୍ମୁ ଓ କାଶ୍ମୀର ପ୍ରତି ଲାଗୁ ହେଉଥିବା ଧାରା ୩୭୦ ଉଚ୍ଛେଦ ହେବା ପରେ ଲୋକଙ୍କ ଧାରଣା ଯେ ଏହି ଭଳି ଭବିଷ୍ୟତରେ ଅତର୍କିତ ଭାବେ ସିକ୍କିମ ପ୍ରତି ଲାଗୁ ହେଉଥିବା ଧାରା ୩୭୧ (ଏଫ)କୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବା କିଛି ବିଚିତ୍ର ନୁହେଁ । ଏହି ଧାରାର ସୁରକ୍ଷା କବଚରେ ସିକ୍କିମ ଏବେ ନାଗରିକତା ସଂଶୋଧନ ଆଇନ ପରିସର ବାହାରେ ରହିଥିଲେ ବି ଭବିଷ୍ୟତରେ ଏହି ଧାରା ପ୍ରତ୍ୟାହାର ହେଲେ ଯେ ଆପେ ଆପେ ସେହି ଆଇନ ପରିସର ଭିତରକୁ ଚାଲି ଆସିବ, ଏଥିରେ ସନ୍ଦେହ ନାହିଁ । ସେହି କାରଣରୁ ‘ଏହି ଆଇନ ସିକ୍କିମରେ ଲାଗୁ ହେବ ନାହିଁ’ ବୋଲି ଗୃହମନ୍ତ୍ରୀ ଲିଖିତ ଆକାରରେ ଦେବା ସଙ୍ଗେ ସଙ୍ଗେ ଅନ୍ୟ କେତେକ ଉତ୍ତର-ପୂର୍ବ ରାଜ୍ୟଙ୍କ ପରି ଏଠାରେ ମଧ୍ୟ 'ଇନର ଲାଇନ' ପରମିଟ ବ୍ୟବସ୍ଥାର ପ୍ରଚଳନ ହେଉ ବୋଲି ଭାରତୀୟ ଫୁଟବଲ ଦଳର ପ୍ରାକ୍ତନ ଅଧିନାୟକ ଭାଇଚୁଙ୍ଗ ଭୁଟିଆଙ୍କ ଦ୍ୱାରା ପ୍ରତିଷ୍ଠିତ ‘ହାମରୋ ସିକ୍କିମ’ ଦଳ ତରଫରୁ ଦାବି ହେଲାଣି ।
ଦୀର୍ଘ ଦିନ ଧରି ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଭାଷା, ଜାତି, ଧର୍ମ ଆଧାରରେ ଥିବା ଅନେକ ଫାଟ ସମୟ କ୍ରମେ ଧୀରେ ଧୀରେ ବୁଜି ହୋଇ ଆସୁଥିଲା । ଶୁଖି ଆସୁଥିବା ଘାଆର ବକଳା ଟାଣି ତାକୁ କଞ୍ଚା କରି ଦେଲା ପରି ନାଗରିକତା ସଂଶୋଧନ ଆଇନ ସେହି ଫାଟଗୁଡିକୁ ପୁଣି ଥରେ ମେଲା କରି ଦେଲା, ଯାହା ଭରିବାକୁ ଦୀର୍ଘ ସମୟ ଲାଗିପାରେ । ଆସାମ ଜନସଂଖ୍ୟାରେ ମୁସଲମାନଙ୍କ ପ୍ରତିଶତ ବୃଦ୍ଧିରେ ଚିନ୍ତିତ ବିଜେପି ପାଇଁ ବଙ୍ଗଳାଦେଶର ହିନ୍ଦୁଙ୍କୁ ନାଗରିକତା ପ୍ରଦାନ କରି କୌଣସି ପ୍ରକାରେ ହେଉ ପଛେ ହିନ୍ଦୁଙ୍କ ପ୍ରତିଶତ ବଢାଇ ନିଜ ଭୋଟ ବ୍ୟାଙ୍କର ବୃଦ୍ଧି ଉଦ୍ୟମ ହୁଏତ ପ୍ରାଥମିକତା ହୋଇପାରେ । କିନ୍ତୁ ବହୁ ସଂଖ୍ୟାରେ ବଙ୍ଗଳାଦେଶରୁ ଆସିଥିବା ବଙ୍ଗାଳୀ (ଉଭୟ ହିନ୍ଦୁ ଓ ମୁସଲମାନ)ଙ୍କ ଆସାମରେ ବସବାସ କରିବା ଦ୍ୱାରା ତ୍ରିପୁରା ପରି ଆସାମୀୟ ଜନସଂଖ୍ୟାର ଚିତ୍ର ଓ ଚରିତ୍ର ବଦଳି ସମଗ୍ର ଅସମୀୟା ଭାଷା, ସଂସ୍କୃତି ବିପନ୍ନ ହେବା ସହ ରାଜନୈତିକ କ୍ଷମତାରୁ କ୍ରମଶଃ କଣଠେସା ହୋଇ ଆସାମର ମୂଳ ଲୋକେ ଯେ ଅକିଞ୍ଚନ ହୋଇଯିବେ, ସେ ଆଡକୁ ଦଳର ନିଘା ଥିଲା ପରି ଜଣା ପଡୁନାହିଁ । ଅତୀତରେ ଆସାମ ବାରମ୍ବାର ବହୁ ବିଦେଶୀ ନାଗରିକଙ୍କୁ ବସବାସ କରିବାର ସୁଯୋଗ ଦେଇ ସେମାନଙ୍କ ବୋଝ ମୁଣ୍ଡାଇ ଆସିଥିବାରୁ, ବଙ୍ଗଳାଦେଶୀ ହିନ୍ଦୁ ପ୍ରବାସୀଙ୍କୁ ନାଗରିକତା ପ୍ରଦାନର ବିରୋଧ କରୁ ନଥିଲେ ମଧ୍ୟ, ସେମାନଙ୍କୁ ଆସାମରେ ଥଇଥାନ କରିବାର ଯୋଜନାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ବହୁ ସଂଖ୍ୟାରେ ବଙ୍ଗଳାଦେଶୀଙ୍କୁ ନାଗରିକତା ପ୍ରଦାନ ଦ୍ୱାରା ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ମଧ୍ୟ ସମସ୍ତ ମୂଳ ନିବାସୀ ନିଜ ଅଞ୍ଚଳରେ ଗୁରୁତ୍ୱ ଓ ଅସ୍ତିତ୍ୱ ହରାଇବାର ଆଶଙ୍କାରେ ଉଦବିଗ୍ନ । ଏ ସମସ୍ତ କାରଣରୁ ସମଗ୍ର ଉତ୍ତର-ପୂର୍ବ ଭାରତ ଏବେ ଅଶାନ୍ତ ଓ ଅସ୍ଥିର । ପ୍ରତିରକ୍ଷା ଦୃଷ୍ଟିରୁ ଭାରତ ପାଇଁ ଏହି ଅଞ୍ଚଳଟି ଅତି ସମ୍ବେଦନଶୀଳ ହୋଇଥିବାରୁ ସେଠାରେ ଅଶାନ୍ତି ଲାଗି ରହିଲେ ତାହା ଦେଶସ୍ୱାର୍ଥର ପରିପନ୍ଥୀ ହେବ । ତେଣୁ କେବଳ ଭାରତୀୟତାର ପରିଚୟକୁ ଯଥେଷ୍ଟ ବୋଲି ମନେ ନ କରି ନିଜ ସ୍ୱତନ୍ତ୍ର ଉପ-ଜାତୀୟତାର ପରିଚୟକୁ ଅକ୍ଷୁଣ୍ଣ ରଖିବା ସହ ତାକୁ ଜାହିର କରିବା ପାଇଁ ଜାରି ରହିଥିବା ଏହି ଲଢେଇରେ ଉତ୍ତର-ପୂର୍ବାଞ୍ଚଳ ଲୋକଙ୍କ ଉଦବେଗ ପ୍ରତି ସମ୍ବେଦନଶୀଳତା ପ୍ରଦର୍ଶନ ହେବା ଉଚିତ । ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର ଅଥବା ସେଥିରେ ଆବଶ୍ୟକ ପରିବର୍ତ୍ତନ ମାଧ୍ୟମରେ, ସେଥି ଯୋଗୁୁ ଉତ୍ପନ୍ନ ତାତିକୁ ଶୀତଳ କରିବାକୁ ତୁରନ୍ତ ପଦକ୍ଷେପ ନିଆ ନ ଗଲେ କାଶ୍ମୀର ଭଳି ସେହି ଅଞ୍ଚଳ ଭାରତ ପାଇଁ ଏକ ଦୀର୍ଘକାଳୀନ ସମସ୍ୟା ହୋଇ ରହିପାରେ ।
Published in Nagarika (Magazine) on December 29, 2019
Very well analysed.-s.panda
ReplyDeleteThanks for appreciating the article.
DeleteMasterpiece
ReplyDeleteThanks
Delete