ଭାରତୀୟ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଥିବା ଲୋକସଭା ଓ ରାଜ୍ୟସଭା ଭଳି ଦୁଇଟି ଗୃହ ମଧ୍ୟରୁ ରାଜ୍ୟସଭା ଏକ ସ୍ଥାୟୀ ଗୃହ ହୋଇଥିବାରୁ ଲୋକସଭା ପରି ଏହାର କାର୍ଯ୍ୟକାଳ ପୂରି ନଥାଏ ବା ଏହାକୁ ଭାଙ୍ଗିବା ସମ୍ଭବ ନୁହେଁ । ସମ୍ବିଧାନର ପ୍ରାବଧାନ ଅନୁଯାୟୀ ୨୫୦ ସଦସ୍ୟ ବିଶିଷ୍ଟ ଏହି ଗୃହର ୨୩୮ ଜଣ ନିର୍ବାଚିତ ଓ ୧୨ ଜଣ ସଦସ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହେବା କଥା । ତେବେ ବର୍ତ୍ତମାନ ଏହାର ସଦସ୍ୟ ସଂଖ୍ୟା ୨୪୫ ଓ ତନ୍ମଧ୍ୟରୁ ୨୩୩ ଜଣ ନିର୍ବାଚିତ ହୋଇଥାନ୍ତି । ପ୍ରତ୍ୟେକ ସଦସ୍ୟଙ୍କ କାର୍ଯ୍ୟକାଳ ଛଅ ବର୍ଷ ହୋଇଥିବା ବେଳେ ପ୍ରତି ଦୁଇ ବର୍ଷରେ ଏକ ତୃୃତୀୟାଂଶ ସଦସ୍ୟଙ୍କ କାର୍ଯ୍ୟକାଳ ପୂରି ତାଙ୍କ ସ୍ଥାନରେ ନୂଆ ସଦସ୍ୟ ନିର୍ବାଚିତ ହୋଇ ଆସିଥାନ୍ତି । ତେଣୁ ୧୯୫୨ରେ ପ୍ରତିଷ୍ଠିତ ରାଜ୍ୟସଭା ଏ ଯାବତ୍ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛି । ନଭେମ୍ବର ୧୮, ୨୦୧୯ରେ ରାଜ୍ୟସଭାର ୨୫୦ତମ ଅଧିବେଶନ ଆରମ୍ଭ ହୋଇଛି ।
ଆରମ୍ଭରୁ ଏ ପର୍ଯ୍ୟନ୍ତ ରାଜ୍ୟସଭାରେ ସମୁଦାୟ ୨୨୮୨ ଜଣ ସଦସ୍ୟ ଭାବେ କାର୍ଯ୍ୟ ତୁଲାଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦୮ ଜଣ ମହିଳା ହୋଇଥିଲା ବେଳେ ୧୩୭ ଜଣ ମନୋନୀତ ସଦସ୍ୟ । ୧୯୫୨ ମସିହାରେ ରାଜ୍ୟସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ୧୫ (୬.୯୪ ପ୍ରତିଶତ) ଥିଲା ବେଳେ ତାହା ୨୦୧୪ ମସିହାରେ ୩୧(୧୨.୭୬ ପ୍ରତିଶତ)ରେ ପହଞ୍ଚିଥିଲା । ତେବେ ପରିତାପର ବିଷୟ ହେଉଛି ସଂସଦରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ କରିବାକୁ ଦାବି ହୋଇ ଆସୁଥିଲା ବେଳେ ୨୦୧୯ ମସିହାରେ ଏହି ସଂଖ୍ୟା ୨୬ (୧୦.୮୩ ପ୍ରତିଶତ)କୁ ଖସି ଆସିଛି । ଜିତିବାର କ୍ଷମତା ନ ଥିବା ଆଳ ଦେଖାଇ ସାଧାରଣତଃ ରାଜନୈତିକ ଦଳମାନେ ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାଙ୍କୁ ଲଢିବା ପାଇଁ ଟିକେଟ ଦେବାକୁ ଅମଙ୍ଗ ହୋଇଥାନ୍ତି । ତେବେ ରାଜ୍ୟସଭା ନିର୍ବାଚନ ବେଳେ ସେହି ଯୁକ୍ତି ପ୍ରଯୁଜ୍ୟ ହେଉ ନ ଥିଲେ ବି ରାଜନୈତିକ ଦଳମାନେ ଏବେ ମଧ୍ୟ ସେହି ମାନସିକତାରୁ ବାହାରି ଆସି ପାରୁ ନାହାନ୍ତି । ଫଳରେ ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟକ ମହିଳା ପ୍ରତିନିଧିତ୍ୱ କରି ପାରୁ ନାହାନ୍ତି । ଏପରିକି ଲୋକସଭାରେ ମହିଳା ପ୍ରତିନିଧିତ୍ୱରେ ଆଗୁଆ ରାଜ୍ୟ ଭାବେ ପରିଗଣିତ ଓଡିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ମଧ୍ୟ ରାଜ୍ୟସଭାରେ ଅନୁରୂପ ଭାବେ ମହିଳାଙ୍କ ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରି ପାରିନାହାନ୍ତି । ଯେପରିକି ଓଡିଶାରୁ ଲୋକସଭାରେ ସାତ ଜଣ ଅର୍ଥାତ ଏକ ତୃତୀୟାଂଶ ମହିଳା ସାଂସଦ ପ୍ରତିନିଧିତ୍ୱ କରୁଥିବା ବେଳେ ରାଜ୍ୟସଭାରେ ସେହି ସଂଖ୍ୟା ମାତ୍ର ଏକ ବା ଏକ ଦଶମାଂଶ ।
ଏଥି ପୂର୍ବରୁ ହୋଇଥିବା ୨୪୯ଟି ଅଧିବେଶନରେ ରାଜ୍ୟସଭା ସର୍ବମୋଟ ୫୪୬୬ ଦିନ ବସିସାରିଛି, ଅର୍ଥାତ ପ୍ରତି ଅଧିବେଶନରେ ହାରାହାରି ୨୨ ଦିନ । ଗତ ୬୭ ବର୍ଷ ମଧ୍ୟରେ ରାଜ୍ୟସଭା ଦ୍ୱାରା ମୋଟ ୩୮୧୭ଟି ବିଲ ପାରିତ ହୋଇଛି । ପ୍ରତି ଅଧିବେଶନରେ ହାରାହାରି ୧୫ଟି ବିଲ ପାରିତ ହୋଇଥିବା ବେଳେ ୨୪୯ତମ ଅଧିବେଶନରେ ସର୍ବାଧିକ ୨୬ଟି ବିଲ ପାରିତ ହୋଇଛି । ଉତ୍ପାଦକତା ଦୃଷ୍ଟିରୁ ଗତ ଅଧିବେଶନଟି ସର୍ବୋତ୍ତମ ବୋଲି କୁହାଯାଉଛି । ତେବେ ରାଜ୍ୟସଭା କ୍ରିୟାଶୀଳ ହୋଇ ଅଧିକ ସଂଖ୍ୟକ ବିଲ ପାରିତ କରିବା ସ୍ୱାଗତଯୋଗ୍ୟ ହେଲେ ମଧ୍ୟ ପ୍ରତିଟି ବିଲ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ଉଚିତ । ନ ହେଲେ ବିଲର ପ୍ରତିଟି ଦିଗ ସମ୍ପର୍କରେ ବିସ୍ତୃତ ବିଚାର ବିମର୍ଶ ନ ହୋଇ ସ୍ୱଳ୍ପକାଳୀନ ଆଲୋଚନା ମାଧ୍ୟମରେ ତରବରିଆ ଭାବେ ପାରିତ ହୋଇଗଲେ ତାହା ପରବର୍ତ୍ତୀ ସମୟରେ ନୂଆ ସମସ୍ୟାକୁ ଜନ୍ମ ଦେଇପାରେ । ଅତୀତରେ ଲୋକସଭାରେ ପାରିତ ହୋଇଥିବା ବିଲ ମଧ୍ୟରୁ ୧୨୦ଟି ରାଜ୍ୟସଭା ଦ୍ୱାରା ସଂଶୋଧିତ ହୋଇ ଅଧିକ ମାର୍ଜିତ ହୋଇଛି । ଏତଦଭିନ୍ନ ସମ୍ବିଧାନର ଧାରା ୧୦୮ ଅନୁଯାୟୀ ଲୋକସଭା ସହ ସଂଯୁକ୍ତ ବୈଠକ (ଜଏଂଟ ସିଟିଂ)ରେ ତିନିଟି ବିଲ ପାରିତ ହୋଇଛି ।
ରାଜ୍ୟସଭାରେ କେତୋଟି ଉଲ୍ଲେଖନୀୟ ବିରଳ ଘଟଣା ଘଟିଛି । ସଂସଦୀୟ ବିଧି ବ୍ୟବସ୍ଥା ଅନୁଯାୟୀ କୌଣସି ପ୍ରସ୍ତାବ ଉପରେ ମତଦାନ ସମୟରେ ଉଭୟ ପକ୍ଷକୁ ସମାନ ସଂଖ୍ୟକ ଭୋଟ ମିଳିଥିଲେ ପୀଠାସୀନ ଅଧ୍ୟକ୍ଷ ପ୍ରସ୍ତାବ ସପକ୍ଷରେ ବା ବିପକ୍ଷରେ ନିଜର ନିର୍ଣ୍ଣାୟକ ମତଦାନ କରି ପାରିବେ । ତେବେ ରାଜ୍ୟସଭାର ଇତିହାସରେ ଏଭଳି ଘଟଣା ଥରେ ମାତ୍ର ୧୯୯୧ ମସିହାରେ ଘଟିଛି । ଆପରାଧିକ ବିଧି ସଂହିତା (କ୍ରିମିନାଲ ପ୍ରସିଡିଓର କୋଡ)ରେ ସଂଶୋଧନ ସଂକ୍ରାନ୍ତୀୟ ଅର୍ଡିନାନ୍ସ ସହ ଅସମ୍ମତି ଜଣାଇ ବିରୋଧୀ ଦଳମାନଙ୍କ ତରଫରୁ ଆଗତ ପ୍ରସ୍ତାବ ଉପରେ ହୋଇଥିବା ମତଦାନରେ ଉଭୟ ପକ୍ଷକୁ ୩୯ଟି ଲେଖାଏଁ ଭୋଟ ମିଳିଥିଲା । ସେତେବେଳେ ପୀଠାସୀନ ଅଧ୍ୟକ୍ଷ ଏମ ଏ ବେବି ପ୍ରସ୍ତାବ ସପକ୍ଷରେ ନିଜର ନିର୍ଣ୍ଣାୟକ (କାଷ୍ଟିଂ) ମତ ପ୍ରଦାନ କରିବା ପରେ ବିରୋଧୀ ଦଳ ଦ୍ୱାରା ଆଗତ ଅସମ୍ମତି ପ୍ରସ୍ତାବ ଗୃହୀତ ହୋଇଥିଲା ।
ସମ୍ବିଧାନର ଧାରା ୩୫୬ ଅନୁଯାୟୀ କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେଲା ପରେ ତାହା ସାଧାରଣତଃ ଛଅ ମାସ ଯାଏଁ ବଳବତ୍ତର ରହିଥାଏ । ସଂସଦର ଅନୁମୋଦନ କ୍ରମେ ତାକୁ ଥରକେ ଛଅ ମାସ କରି ସର୍ବାଧିକ ତିନି ବର୍ଷ ଯାଏଁ ବୃଦ୍ଧି କରାଯାଇ ପାରିବ । ତେବେ ଲୋକସଭା ଭଙ୍ଗ ହୋଇ ସାରିଥିଲେ କେବଳ ରାଜ୍ୟସଭାର ଅନୁମୋଦନରେ ରାଷ୍ଟ୍ରପତି ଶାସନର ଅବଧି ବୃଦ୍ଧି କରା ଯାଇପାରିବ । ଲୋକସଭା ଭଙ୍ଗ ହୋଇଥିବା କାରଣରୁ ୧୯୭୭ ମସିହାରେ ତାମିଲନାଡୁ ଓ ନାଗାଲାଣ୍ଡରେ ରାଜ୍ୟସଭାର ଅନୁମୋଦନରେ ରାଷ୍ଟ୍ରପତି ଶାସନର ଅବଧି ବୃଦ୍ଧି କରାଯାଇଥିଲା । ସେହିପରି ୧୯୯୧ ମସିହାରେ ସମାନ କାରଣରୁ ହରିଆଣାରେ ରାଷ୍ଟ୍ରପତି ଶାସନର ସମୟ ବୃଦ୍ଧି ହୋଇଥିଲା ।
କୋଲକାତା ହାଇକୋର୍ଟର ଜଷ୍ଟିସ ସୌମିତ୍ର ସେନଙ୍କ ବିରୁଦ୍ଧରେ ସେ ପୂର୍ବେ ଏକ ମାମଲାରେ କୋର୍ଟ ଦ୍ୱାରା ରିସିଭର ନିଯୁକ୍ତ ହୋଇଥିବା ସମୟରେ ଅର୍ଥ ଆତ୍ମସାତ କରିଥିବାର ଅଭିଯୋଗ ଆସିଥିଲା । ୨୦୦୮ ମସିହାରେ ତାଙ୍କର ବହିଷ୍କାର ପାଇଁ ମୁଖ୍ୟ ବିଚାରପତି କେ ଜି ବାଳକ୍ରିଷ୍ଣନ ତତକାଳୀନ ପ୍ରଧାନମନ୍ତ୍ରୀଙ୍କୁ ସୁପାରିଶ କରିବା ପରେ ୨୦୦୯ ମସିହାରେ ରାଜ୍ୟସଭାର ୫୮ ଜଣ ସାଂସଦ ଜଷ୍ଟିସ ସେନଙ୍କ ବିରୁଦ୍ଧରେ ମହାଭିଯୋଗ ଆଗତ କରିଥିଲେ । ମହାଭିଯୋଗ ପ୍ରସ୍ତାବ ରାଜ୍ୟସଭାରେ ଗୃହୀତ ହେବା ପରେ ତାହା ଲୋକସଭାରେ ଆଲୋଚନା ହେବା ପୂର୍ବରୁ ଜଷ୍ଟିସ ସେନ ପଦତ୍ୟାଗ କରିଥିଲେ । ଏହା କୌଣସି ବିଚାରପତିଙ୍କ ବିରୁଦ୍ଧରେ ରାଜ୍ୟସଭା ଦ୍ୱାରା ପାରିତ ହୋଇଥିବା ଏକ ମାତ୍ର ମହାଭିଯୋଗ ପ୍ରସ୍ତାବ ।
ସମ୍ବିଧାନର ଧାରା ୧୦୫(୩) ଅନୁଯାୟୀ ସଂସଦ ତାର ସ୍ଖଳିତ ସଦସ୍ୟଙ୍କ ସଦସ୍ୟ ପଦ ରଦ୍ଦ କରି ପାରିବ । ଏହି ଅଧିକାରକୁ ଉପଯୋଗ କରି ଏ ଯାବତ୍ ରାଜ୍ୟସଭା ତିନି ଜଣ ସଦସ୍ୟଙ୍କ ସଦସ୍ୟତା ରଦ୍ଦ କରି ସାରିଛି । ରାଜ୍ୟସଭା ସଦସ୍ୟତା ହରାଇଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ତତକାଳୀନ ଭାରତୀୟ ଜନସଂଘର ସଦସ୍ୟ ସୁବ୍ରମନ୍ୟନ ସ୍ୱାମୀ । ତାଙ୍କ ଆଚରଣ ଗୃହର ଗରିମା ପ୍ରତି ଅପମାନଜନକ ଦର୍ଶାଇ ରାଜ୍ୟସଭାର ଗୃହ କମିଟି ପ୍ରଦାନ କରିଥିବା ରିପୋର୍ଟ ଆଧାରରେ ନଭେମ୍ବର ୧୫, ୧୯୭୬ ଦିନ ସ୍ୱାମୀଙ୍କ ସଦସ୍ୟତା ରଦ୍ଦ ହୋଇଥିଲା । ଟଙ୍କା ନେଇ ପ୍ରଶ୍ନ ପଚାରିଥିବା ଅଭିଯୋଗରେ ରାଜ୍ୟସଭାର ଏଥିକସ କମିଟିର ରିପୋର୍ଟ ଅନୁଯାୟୀ ଡିସେମ୍ବର ୨୦୦୫ରେ ଛତ୍ରପାଲ ସିଂହ ଲୋଧଙ୍କୁ ତାଙ୍କ ସଦସ୍ୟତା ହରାଇବାକୁ ପଡିଥିଲା । ଉଲ୍ଲେଖଯୋଗ୍ୟ, ଉତ୍ତର ପ୍ରଦେଶର ଏହି ବ୍ୟକ୍ତି ଜଣକ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ ଓଡିଶାରୁ ୨୦୦୪ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ରାଜ୍ୟସଭା ସଦସ୍ୟତା ରଦ୍ଦ ହୋଇଥିବା ଅନ୍ୟତମ ସାଂସଦ ହେଲେ ମାର୍ଚ୍ଚ, ୨୦୦୬ରେ ସାକ୍ଷୀ ମହାରାଜ । ଅନ୍ୟ ପକ୍ଷରେ ସାଂସଦ ବିଜୟ ମାଲ୍ୟାଙ୍କ ସଦସ୍ୟତା ରଦ୍ଦ ପାଇଁ ବସିଥିବା ଏଥିକସ କମିଟି ମେ ୩, ୨୦୧୬ରେ ରିପୋର୍ଟ ପ୍ରଦାନ କରିବାର ପୂର୍ବ ଦିନ ମାଲ୍ୟା ଇସ୍ତଫା ଦେଇଥିଲେ ।
ରାଜ୍ୟସଭାକୁ ଉଚ୍ଚ ସଦନ (ଅପର ହାଉସ) ମଧ୍ୟ କୁହାଯାଇଥାଏ । ସମାଜର ବିଭିନ୍ନ କ୍ଷେତ୍ରରୁ ଜ୍ଞାନୀ, ଗୁଣୀ ଓ ଅନୁଭବୀ ବ୍ୟକ୍ତି ରାଜ୍ୟସଭାରେ ପହଞ୍ଚି ନିଜର ବହୁମୂଲ୍ୟ ଯୋଗଦାନ ପୂର୍ବକ ଆଲୋଚନାର ସ୍ତରକୁ ଉନ୍ନତ କରିବେ ବୋଲି ସମ୍ବିଧାନ ପ୍ରଣେତାଙ୍କ ବିଶ୍ୱାସ ଥିଲା । ହେଲେ ଏହା ବର୍ତ୍ତମାନ ଏକ ପ୍ରକାର କୋଟିପତିଙ୍କ କ୍ଲବରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଆସୋସିଏସନ ଅଫ ଡେମୋକ୍ରାଟିକ ରାଇଟସ ଦ୍ୱାରା ୨୦୧୮ ମସିହାରେ ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ ରାଜ୍ୟ ସଭାର ପ୍ରାୟ ୯୦ ପ୍ରତିଶତ ସଦସ୍ୟ କୋଟିପତି । ରାଜ୍ୟସଭା ସଦସ୍ୟମାନଙ୍କ ସମ୍ପତ୍ତିର ପରିମାଣ ହାରାହାରି ୫୫ କୋଟି ଟଙ୍କା । ଏମାନଙ୍କ ମଧ୍ୟରୁ ଜେଡି(ୟୁ) ସାଂସଦ ମହେନ୍ଦ୍ର ପ୍ରସାଦଙ୍କ ସମ୍ପତ୍ତିର ମୂଲ୍ୟ ସର୍ବାଧିକ ୪୦୭୮ କୋଟି ଟଙ୍କା ହୋଇଥିବା ବେଳେ ସେ ହିଁ ସର୍ବାଧିକ ଲଗାତାର ସାତ ଥର ରାଜ୍ୟସଭାର ସଦସ୍ୟ ହୋଇଛନ୍ତି । ଅତୀତରେ ରାଜ୍ୟସଭା ନିର୍ବାଚନ ସମୟରେ କୋଟି କୋଟି ଟଙ୍କାର କାରବାର ହେବା, ଅର୍ଥ ବଳରେ ବିଜୟ ମାଲ୍ୟାଙ୍କ ଭଳି କେତେକ ସଦସ୍ୟ ରାଜ୍ୟସଭାରେ ପହଞ୍ଚି ପାରିଥିବାର ଅଭିଯୋଗମାନ ରାଜ୍ୟସଭାର ଗରିମା ପ୍ରତି ଆଞ୍ଚ ଆଣିଛି । ଏ ସବୁ ସତ୍ତ୍ଵେ ରାଜ୍ୟସଭାର ଅନେକ ପ୍ରତିଭାବାନ ସାଂସଦଙ୍କ ବହୁ ମୂଲ୍ୟ ଯୋଗଦାନରେ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ରୁଦ୍ଧିମନ୍ତ ହୋଇଛି । ଆଗାମୀ ଦିନମାନଙ୍କରେ ମଧ୍ୟ ଗଣତନ୍ତ୍ରକୁ ସୁରକ୍ଷା ପ୍ରଦାନ କରି ଦେଶରେ ଲୋକାଭିମୁଖୀ ସୁଶାସନ ପ୍ରତିଷ୍ଠା ଦିଗରେ ରାଜ୍ୟସଭାର ସଦସ୍ୟମାନେ ତତ୍ପର ହୋଇ ରାଜ୍ୟସଭାର ଗରିମା ବୃଦ୍ଧିରେ ସହାୟକ ହେବେ ବୋଲି ଆଶା କରାଯାଏ ।
Published in Odisha Reporter on November 22, 2019
Published in Odisha Reporter on November 22, 2019
Comments
Post a Comment