କୃଷକଙ୍କଠାରୁ ଆରମ୍ଭ କରି ବିଭିନ୍ନ ଶିଳ୍ପ ଓ ବାଣିଜ୍ୟ ସଂଗଠନ ତଥା ବିରୋଧୀ ଦଳମାନେ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ (ରିଜିଓନାଲ କମ୍ପ୍ରିହେନସିଭ ଇକୋନୋମିକ ପାର୍ଟନରସିପ ବା ଆରସିଇପି)ରେ ଭାରତର ଯୋଗଦାନକୁ ବିରୋଧ କରି ଆସିଛନ୍ତି । ନଭେମ୍ବର ୪, ୨୦୧୯ରେ ପ୍ରଧାନମନ୍ତ୍ରୀ ବ୍ୟାଙ୍କକଠାରେ ଆୟୋଜିତ ଆରସିଇପିର ତୃତୀୟ ଶିଖର ସମ୍ମିଳନୀରେ ଯୋଗ ଦେବା ନେଇ ଘୋଷଣା ହେବା ପରେ ଭାରତ ଏଥିରେ ସାମିଲ ହେବାକୁ ନେଇ ନାନା କଳ୍ପନା ଜଳ୍ପନା ଦେଖା ଦେଇଥିଲା । ତେବେ ଦେଶ ଭିତରେ ଏହାକୁ ପ୍ରବଳ ବିରୋଧ କରାଯାଉଥିବାରୁ ଶେଷରେ ଭାରତ ଆପାତତଃ ଆରସିଇପି ବାହାରେ ରହିବାକୁ ସ୍ଥିର କରିଛି । ଯେ କୌଣସି ଦେଶ ଅନ୍ୟ ଦେଶ ବା ଗୋଷ୍ଠୀ ସହ ବାଣିଜ୍ୟ ଚୁକ୍ତି କଲା ବେଳେ ତାର ଘରୋଇ ଓ ଜାତୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ସ୍ୱାଭାବିକ । ତେଣୁ ଏହି ଆରସିଇପି କଣ ଓ ସେଥିରେ ସାମିଲ ହେବା ବା ନ ହେବା କେତେ ଦୂର ଭାରତର ହିତ ସାଧନ କରିବ, ତାହା ଆଲୋଚନାର ଅପେକ୍ଷା ରଖେ ।
ଆରସିଇପି ହେଉଛି ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ଭାଗିଦାରୀ ବ୍ୟବସ୍ଥା ଯେଉଁଥିରେ ବ୍ରୁନେଇ, କମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମାଲେସିଆ, ମିଆଁମାର, ଫିିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ, ଭିଏତନାମ ଭଳି ଦଶଟି ଆସିଆନ ସଦସ୍ୟ ଦେଶଙ୍କ ସମେତ ଚୀନ, ଜାପାନ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଦକ୍ଷିଣ କୋରିଆ ଭଳି ସର୍ବମୋଟ ୧୫ଟି ଦେଶ ସାମିଲ । ରପ୍ତାନୀ କ୍ଷେତ୍ରରେ ଚୀନ ଏକ ମହାଶକ୍ତି ହୋଇଥିବାରୁ ଆରସିଇପି ଏକ ପ୍ରକାର ଚୀନ କର୍ତ୍ତୃତ୍ୱାଧୀନ ହୋଇ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ୨୦୧୨ ମସିହାରୁ ଆରମ୍ଭ ହୋଇଥିବା ଏହି ଆପୋଷ ବାଣିଜ୍ୟ ଚୁକ୍ତି ବ୍ୟବସ୍ଥାରେ ଭାରତ ଷୋଡଶ ସଦସ୍ୟ ଭାବେ ସାମିଲ ହେବା ନେଇ ଚର୍ଚ୍ଚା ହୋଇ ଆସୁଥିଲେ ବି ୨୦୧୯ରେ ସମାପ୍ତ ଶିଖର ସମ୍ମିଳନୀରେ ମଧ୍ୟ ଭାରତ ଏଥିରୁ ଓହରି ଆସିଛି । ଭାରତ ଏଥିରେ ଯୋଗ ଦେଲେ ଚୁକ୍ତିଭୁକ୍ତ ରାଷ୍ଟ୍ରଙ୍କ ମିଳିତ ଜନସଂଖ୍ୟା ୩୪୦ କୋଟି ହେବ ଯାହା ବିଶ୍ୱ ଜନସଂଖ୍ୟାର ପ୍ରାୟ ୪୫ ପ୍ରତିଶତ । ସେହିପରି ଏମାନଙ୍କ ମିଳିତ ମୋଟ ଘରୋଇ ଉତ୍ପାଦ (ଜିଡିପି) ୪୯.୫ ଟ୍ରିଲିଅନ ଡଲାର ଯାହା ସମୁଦାୟ ବିଶ୍ୱ ଜିଡିପିର ପ୍ରାୟ ୪୦ ପ୍ରତିଶତ । ସମୁଦାୟ ବିଶ୍ୱ ରପ୍ତାନୀର ପ୍ରାୟ ୩୦ ପ୍ରତିଶତ ଏହି ଦେଶମାନଙ୍କରୁ ହୋଇଥାଏ । ଚୀନ, ଭାରତ ଓ ଇଣ୍ଡୋନେସିଆ ଭଳି ଦେଶମାନଙ୍କର ଦ୍ରୁତ ଅର୍ଥନୈତିକ ଅଗ୍ରଗତି ସହ ୨୦୫୦ ସୁଦ୍ଧା ଆରସିଇପି ସଦସ୍ୟ ଦେଶମାନଙ୍କ ଜିଡିପି ୧୦୦ ଟ୍ରିଲିଅନ ଡଲାରରେ ପହଞ୍ଚିବାର ଅନୁମାନ କରାଯାଉଛି । ଅନ୍ୟ ପକ୍ଷରେ ଅଞ୍ଚଳ, ଜନସଂଖ୍ୟା, ଜିଡିପି ଓ ରପ୍ତାନୀ ବାଣିଜ୍ୟ ଦୃଷ୍ଟିରୁ ଏ ଯାବତ ସାରା ବିଶ୍ୱରେ ଗୋଷ୍ଠୀଗତ ଭାବେ ବିଭିନ୍ନ ଦେଶମାନଙ୍କ ମଧ୍ୟରେ ହୋଇଥିବା ବାଣିଜ୍ୟ ଚୁକ୍ତିଗୁଡିକ ମଧ୍ୟରେ ଆରସିଇପି ସର୍ବବୃହତ ବାଣିଜ୍ୟ ଚୁକ୍ତିରେ ପରିଣତ ହେବ । ଉଲ୍ଲେଖଯୋଗ୍ୟ, ୨୦୧୬ ମସିହାରେ ୧୨ଟି ଦେଶର ପ୍ରସ୍ତାବିତ ପ୍ରଶାନ୍ତ ମହାସାଗର ସଂଲଗ୍ନ ଭାଗିଦାରୀ (ଟ୍ରାନ୍ସ ପାସିଫିକ ପାର୍ଟନରସିପ ବା ଟିପିପି) ଚୁକ୍ତିରୁ ଯୁକ୍ରରାଷ୍ଟ୍ର ଆମେରିକା ଓହରି ଯିବା ପରେ ତାହା ଆରସିଇପିର ବାଣିଜ୍ୟ ଅଭିବୃଦ୍ଧି ଲାଗି ନୂତନ ସୁଯୋଗ ସୃଷ୍ଟି କରିଛି, ଯଦିଓ ୨୦୧୮ ମସିହାରେ ଟିପିପିରେ ସମ୍ମିଳିତ ଅନ୍ୟ ୧୧ଟି ଦେଶ କମ୍ପ୍ରିହେନସିଭ ଆଣ୍ଡ ପ୍ରୋଗ୍ରେସିଭ ଏଗ୍ରିମେଣ୍ଟ ଫର ଟିପିପି ସ୍ୱାକ୍ଷର କରି ଟିପିପି ସର୍ତ୍ତାବଳୀକୁ ବଳବତ୍ତର ରଖି ଏକ ସ୍ୱତନ୍ତ୍ର ବାଣିଜ୍ୟ ଗୋଷ୍ଠୀ ସ୍ଥାପନ କରିଛନ୍ତି ।
ଅଧୁନା ଭାରତ ଅନେକ ଗୋଷ୍ଠୀ ଓ ଦେଶ ସହ ବିଭିନ୍ନ ବାଣିଜ୍ୟ ଚୁକ୍ତିରେ ଆବଦ୍ଧ । ଆସିଆନ ଦେଶ ସମୂହ ସହ ଭାରତର ୨୦୦୯ ମସିହାରୁ ମୁକ୍ତ ବାଣିଜ୍ୟ ଚୁକ୍ତି ରହିଥିବା ସ୍ଥଳେ, ଶ୍ରୀଲଙ୍କା, ପାକିସ୍ତାନ, ବଙ୍ଗଳାଦେଶ, ନେପାଳ, ଭୁଟାନ, ମାଲଡିଭ, ଆଫଗାନିସ୍ତାନ ଭଳି ଦକ୍ଷିଣ ଏସୀୟ ଦେଶମାନଙ୍କ ମଧ୍ୟରେ ୨୦୦୬ ମସିହାରୁ ହୋଇଥିବା ସାଫତା (ସାଉଥ ଏସିଆନ ଫ୍ରି ଟ୍ରେଡ ଏଗ୍ରିମେଣ୍ଟ)ରେ ମଧ୍ୟ ଭାରତ ଏକ ସଦସ୍ୟ ରାଷ୍ଟ୍ର ଭାବେ ଚୁକ୍ତିବଦ୍ଧ । ଏତଦଭିନ୍ନ ଶ୍ରୀଲଙ୍କା, ଥାଇଲାଣ୍ଡ, ମାଲେସିଆ ସହ ଭିନ୍ନ ଭିନ୍ନ ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତି ଥିବା ବେଳେ ଦକ୍ଷିଣ କୋରିଆ, ସିଙ୍ଗାପୁର ଭଳି ଦେଶମାନଙ୍କ ସହ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଚୁକ୍ତି (କମ୍ପ୍ରିହେନସିଭ ଇକୋନୋମିକ ପାର୍ଟନରସିପ ଏଗ୍ରିମେଣ୍ଟ) କାର୍ଯ୍ୟକାରୀ ହେଉଛି । ସେହିପରି ଭାରତ ଚିଲି, ଆଫଗାନିସ୍ତାନ, ଭୁଟାନ, ନେପାଳ ସହ ସ୍ୱତନ୍ତ୍ର ଅଗ୍ରାଧିକାରଭିତିକ ବାଣିଜ୍ୟ ଚୁକ୍ତି (ପ୍ରିଫରେନସିଆଲ ଟ୍ରେଡ ଏଗ୍ରିମେଣ୍ଟ)ରେ ଆବଦ୍ଧ । ଅର୍ଥାତ୍, ଆରସିଇପିରେ ସମ୍ମିଳିତ ଦେଶମାନଙ୍କ ମଧ୍ୟରୁ ଚୀନ, ଜାପାନ, ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡକୁ ବାଦ ଦେଲେ ଅନ୍ୟ ସମସ୍ତଙ୍କ ସହ ଭାରତ କୌଣସି ନା କୌଣସି ବାଣିଜ୍ୟ ଚୁକ୍ତିରେ ଆବଦ୍ଧ ହୋଇ ରହିଛି । ତେବେ ଏହି ସବୁ ବାଣିଜ୍ୟ ଚୁକ୍ତିର ସର୍ତ୍ତ ଆରସିଇପିର ବାଣିଜ୍ୟ ଚୁକ୍ତି ସର୍ତ୍ତଠାରୁ କେତେକାଂଶରେ ଭିନ୍ନ ।
ଭାରତ ଆରସିଇପି ଚୁକ୍ତିରୁ ଓହରି ଆସିବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଏ ଯାବତ କରିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିଗୁଡିକରେ ଭାରତର ତିକ୍ତ ଅନୁଭୂତି । ୨୦୧୪ରୁ ୨୦୧୯ ମଧ୍ୟରେ ଏହି ସବୁ ଦେଶ ଓ ଅର୍ଥନୈତିକ ଗୋଷ୍ଠୀ ସହ ଭାରତର ବାଣିଜ୍ୟ ନିଅଣ୍ଟ ବୃଦ୍ଧି ପାଇ ୪୮୧୭ କୋଟି ଡଲାରରେ ପହଂଚିଲାଣି । କେବଳ ଦକ୍ଷିଣ କୋରିଆ ଓ ସାଫତା ସହ ଭାରତର ବାଣିଜ୍ୟ, ଆମଦାନୀ ତୁଳନାରେ ରପ୍ତାନୀ ପରିମାଣ ଅଧିକ ହୋଇ, ତାହା ଭାରତ ସପକ୍ଷରେ ରହିଛି । ଆରସିଇପିରେ ସମ୍ମିଳିତ ୧୫ଟି ଦେଶ ମଧ୍ୟରୁ ୧୧ଟି ଦେଶ ସହ ଭାରତର ବାଣିଜ୍ୟ ନିଅଂଟରେ ଚାଲଛି ଓ ୨୦୧୨ ମସିହାରେ ଏହି ନିଅଣ୍ଟର ପରିମାଣ ୭୦୦୦ କୋଟି ଡଲାର ଥିବା ବେଳେ ତାହା ୨୦୧୮ ମସିହା ସୁଦ୍ଧା ବୃଦ୍ଧି ପାଇ ୧୦୫୦୦ କୋଟି ଡଲାରରେ ପହଞ୍ଚିଲାଣି । ଏଥିରୁ କେବଳ ଚୀନ ସହ ବାଣିଜ୍ୟ ନିଅଣ୍ଟର ପରିମାଣ ୫୪୦୦ କୋଟି ଡଲାର ବା ପ୍ରାୟ ୪୦ ପ୍ରତିଶତ । ଭାରତ ଆରସିଇପି ଚୁକ୍ତିରେ ସ୍ୱାକ୍ଷର କରିଥିଲେ ବର୍ତମାନ ଚୀନ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡରୁ ଭାରତକୁ ଆମଦାନୀ ହେଉଥିବା ୭୦ ପ୍ରତିଶତ ସାମଗ୍ରୀ ଓ ଜାପାନ, ଦକ୍ଷିଣ କୋରିଆ ଓ ଆସିଆନ ଦେଶ ସମୂହରୁ ଅମଦାନୀ ହେଉଥିବା ୯୦ ପ୍ରତିଶତ ସାମଗ୍ରୀ ଉପରେ ଭାରତକୁ ସମ୍ପୂର୍ଣ୍ଣ ଭାବେ ଆମଦାନୀ ଶୁଳ୍କ ଉଚ୍ଛେଦ କରିବାକୁ ହୋଇଥାନ୍ତା । ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡରୁ ସୁଲଭ ମୂଲ୍ୟରେ ବହୁଳ ପରିମାଣରେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଭାରତୀୟ ବଜାରରେ ପ୍ରବେଶ କରିଥାନ୍ତା, ଯାହା ଏଠିକା ଦୁଗ୍ଧ ଚାଷୀଙ୍କ ପ୍ରଭୁତ କ୍ଷତି ସାଧନ କରିଥାନ୍ତା ବୋଲି ଆଶଙ୍କା ପ୍ରକାଶ ପାଉଛି । ଶୁଳ୍କ ଉଚ୍ଛେଦ ଯୋଗୁ ଏହି ସବୁ ଦେଶରୁ ଆମଦାନୀ ହେଉଥିବା ଶସ୍ତା ସାମଗ୍ରୀରେ ଭାରତୀୟ ବଜାର ଭରି ଯାଇଥାନ୍ତା, ଯାହା ସ୍ଥାନୀୟ କୃଷି ଓ ଶିଳ୍ପ ଉତ୍ପାଦକଙ୍କର ସ୍ୱାର୍ଥର ଅନୁକୂଳ ହୋଇ ନଥାନ୍ତା । ଅନ୍ୟ ପକ୍ଷରେ ଭାରତୀୟ ରପ୍ତାନୀକାରୀମାନେ ଶୁଳ୍କ ହ୍ରାସ ବା ଉଚ୍ଛେଦ ଯୋଗୁ ସେହି ପରିମାଣରେ ଲାଭବାନ ହୋଇ ପାରନ୍ତି ନାହିଁ, କାରଣ ଅଳ୍ପ କେତେକ ଉତ୍ପାଦକୁ ବାଦ ଦେଲେ ଭାରତରୁ ରପ୍ତାନୀ ହେଉଥିବା ଅଧିକାଂଶ ସାମଗ୍ରୀ ବିଶ୍ୱ ବଜାରରେ ଉଭୟ ଦାମ ଓ ଗୁଣବତ୍ତାରେ ପ୍ରତିଦ୍ୱନ୍ଦ୍ୱିତାତ୍ମକ ହୋଇ ପାରନ୍ତି ନାହିଁ । ଏ କଥା ସତ ଯେ ଆରସିଇପିରେ ସାମିଲ ନ ହେବା ଦ୍ୱାରା ଆସିଆନ ଦେଶମାନଙ୍କଠାରୁ ଶୁଳ୍କ ରିହାତି ନ ପାଇ ସେ ସବୁ ଦେଶକୁ ଭାରତୀୟ ରପ୍ତାନୀ ହ୍ରାସ ପାଇବ । ତେବେ ଅନ୍ତତଃ ଚୀନ ଓ ଅନ୍ୟ ଦେଶମାନଙ୍କ ଉଭୟ କୃଷିଜାତ ଓ ଶିଳ୍ପଜାତ ଶସ୍ତା ସମଗ୍ରୀର ବନ୍ୟାରେ ଭାରତୀୟ ବଜାର ଅତ୍ୟଧିକ ଆକ୍ରାନ୍ତ ହେବା ସହ ଭାରତର କୃଷି ଓ ଶିଳ୍ପ କ୍ଷତିଗ୍ରସ୍ତ ହେବାରୁ ସାମୟିକ ଭାବେ ବର୍ତ୍ତିଗଲେ । ତେଣୁ ଆରସିଇପିରୁ ଓହରି ଆସିବା ଦ୍ୱାରା ବିଦେଶୀ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇ ପାରୁ ନଥିବା ଭାରତୀୟ କୃଷି ଓ ଏମଏସଏମଇଗୁଡିକୁ ଆପାତତଃ ସୁରକ୍ଷା ମିଳିଗଲା ।
ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆସିଆନ ଦେଶମାନଙ୍କ ଗୋଷ୍ଠୀ ଏକତା ପ୍ରତି ଯେ ବିପଦ ଦେଖା ଦେଇଛି ତାହା ନିଃସନ୍ଦେହ । ଏହି ଦେଶମାନଙ୍କୁ ଏବେ ନିଜ ନିଜ ଅର୍ଥନୈତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମେରିକା ଓ ଚୀନ ଭିତରୁ ଗୋଟିଏକୁ ବାଛିବାକୁ ହେବ । କମ୍ବୋଡିଆ, ଲାଓସ, ମିଆଁମାର ଚୀନକୁ ବାଛିବା ସମ୍ଭାବନା ଥିବା ବେଳେ ଭିଏତନାମ ଆମେରିକାକୁ ପରିତ୍ୟାଗ କଲେ ତାର ଅଧିକ କ୍ଷତି ହେବ । ଅନ୍ୟ ପକ୍ଷରେ ଇଣ୍ଡୋନେସିଆ, ମାଲେସିଆ, ଥାଇଲାଣ୍ଡ ଓ ସିଙ୍ଗାପୁର ଭଳି ଦେଶଗୁଡିକ ଉଭୟଙ୍କ ମଧ୍ୟରୁ ଯାହାକୁ ପରିତ୍ୟାଗ କଲେ ବି କ୍ଷତିର ସମ୍ମୁଖୀନ ହେବେ, କାରଣ ଉଭୟ ଦେଶ ସହିତ ସେମାନଙ୍କ ବାଣିଜ୍ୟ ଯଥେଷ୍ଟ ଅଧିକ ପରିମାଣର । ତେଣୁ ଆରସିଇପି ସ୍ୱାକ୍ଷରିତ ହେବାରେ ଯେତେ ଅଧିକ ବିଳମ୍ବ ଘଟିବ, ଆମେରିକା ଆଡୁ ଆସିଆନ ଦେଶଗୁଡିକ ମଧ୍ୟରେ ଥିବା ଐକ୍ୟକୁ ଦୁର୍ବଳ କରିବାର ପ୍ରଚେଷ୍ଟା ହୋଇପାରେ । ଏହି ଆଶଙ୍କାକୁ ଏଡାଇବା ପାଇଁ, ଭାରତ ସାମିଲ ହେଉ କି ନ ହେଉ, ମାଲେସିଆ ଆରସିଇପି ଚୁକ୍ତି ତୁରନ୍ତ ସ୍ୱାକ୍ଷରିତ ହେବା ଉପରେ ଗୁରୁତ୍ୱ ଦେଇଥିଲା ବେଳେ ଅନ୍ୟ କେତେକ ଦେଶ ଭାରତ ଏଥିରେ ସାମିଲ ହେଲେ ଆରସିଇପି ଅଧିକ ଦୃଢ ଓ ଶକ୍ତିଶାଳୀ ହେବ ବୋଲି ଯୁକ୍ତି ଦର୍ଶାଇ ଅପେକ୍ଷା କରିବାକୁ ମତ ଦେଇଥିଲେ । ଫଳରେ ଆସିଆନ ଦେଶଗୁଡିକ ମଧ୍ୟରେ ଭାରତର ସାମିଲ ହେବାକୁ ନେଇ ମତ ପାର୍ଥକ୍ୟ ଦେଖା ଦେଇଥିଲା ।
ଭାରତ ଏବେ ଆରସିଇପି ଅନ୍ତର୍ଭୁକ୍ତ ହେବାକୁ ପ୍ରସ୍ତୁତ ନୁହେଁ କହି ପ୍ରଧାନମନ୍ତ୍ରୀ ଏଥିରୁ ଓହରି ଆସିବା ପରେ ଏହି ନିଷ୍ପତ୍ତିକୁ କଂଗ୍ରେସରୁ ଆରମ୍ଭ କରି ବାମ ଦଳ ପର୍ଯ୍ୟନ୍ତ ପ୍ରାୟ ସବୁ ରାଜନୈତିକ ଦଳ ସ୍ୱାଗତ କରିଛନ୍ତି । ଚୀନ କର୍ତ୍ତୃତ୍ୱାଧୀନ ଏହି ବାଣିଜ୍ୟ ବ୍ୟବସ୍ଥାରେ ଭାରତ ଯୋଗ ଦେଇ ନଥିବାରୁ ଆମେରିକା ମଧ୍ୟ ପରୋକ୍ଷରେ ଖୁସି । ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ, ୨୦୧୨ ମସିହାରୁ ଏହି ଗୋଷ୍ଠୀରେ ସାମିଲ ହେବା ପାଇଁ ବାର୍ତ୍ତା ଜାରି ରଖି ଆସିଥିବା ଭାରତ ସାତ ବର୍ଷ ପରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୋଇ ପାରିଲା ନାହିଁ କାହିଁକି ? ‘ଇଜ ଅଫ ଡୁଇଙ୍ଗ ବିଜନେସ’ ସିଢିରେ ଭାରତ କ୍ରମାଗତ ଭାବେ ଉପରକୁ ଉଠୁଥିଲେ ମଧ୍ୟ ଏଠିକା ଶିଳ୍ପ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଉଭୟ ଦାମ ଓ ଗୁଣବତ୍ତାରେ ବିଶ୍ୱ ସ୍ତରରେ ଆକର୍ଷକ ହୋଇ ପାରୁନାହିଁ, ଯାହା ଫଳରେ ଆମ ସାମଗ୍ରୀ ଅଧିକ ପରିମାଣରେ ରପ୍ତାନୀ ହୋଇପାରୁନାହିଁ । ଗୋଟିଏ ସୀମା ପର୍ଯ୍ୟନ୍ତ ଆମ ଶିଳ୍ପ ଓ କୃଷି କ୍ଷେତ୍ରକୁ ବଜାରରେ ତିଷ୍ଠି ରହିବା ପାଇଁ ସରକାରୀ ସୁରକ୍ଷା ବଳୟ ପ୍ରଦାନ କରାଯିବା ଉଚିତ । କିନ୍ତୁ ତାଠାରୁ ଅଧିକ ସୁରକ୍ଷା ପ୍ରଦାନ କରାଗଲେ ସେମାନେ କେବଳ ଘରୋଇ ଚାହିଦା ପୂରଣ କରିବାକୁ ସମର୍ଥ ହେବେ ସିନା ହେଲେ ସେମାନଙ୍କଠାରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ମନୋଭାବ ଆଦୌ ସୃଷ୍ଟି ହେବ ନାହିଁ, ଯଦ୍ଦ୍ୱାରା ଦେଶରୁ ରପ୍ତାନୀ ବୃଦ୍ଧିର ସମ୍ଭାବନା ମଧ୍ୟ କ୍ଷୀଣ ହେବାକୁ ଲାଗିବ । ତେଣୁ ଭାରତକୁ ଏକ ପ୍ରମୁଖ ରପ୍ତାନୀକାରୀ ଦେଶରେ ପରିଣତ କରିବାକୁ ହେଲେ ଏଠାକାର କୃଷି ଓ ଶିଳ୍ପକୁ ପ୍ରତିଦ୍ୱନ୍ଦ୍ୱିତାତ୍ମକ ହେବାକୁ ହେବ । ଜମି, ଶ୍ରମ, ଟିକସ, ଆଇନଗତ ସଂସ୍କାର ଓ ଭାରତୀୟ ମୁଦ୍ରାର ସଠିକ ମୂଲ୍ୟାୟନ ନିଷ୍ପତ୍ତି ଆଦି ମାଧ୍ୟମରେ ସରକାର ଶିଳ୍ପ ସଂସ୍ଥାଗୁଡିକୁ ପ୍ରତିଦ୍ୱନ୍ଦ୍ୱିତାତ୍ମକ ହେବାରେ ପ୍ରୋତ୍ସାହିତ କରି ପାରିବେ । ପୂର୍ଣ୍ଣ ପ୍ରସ୍ତୁତି ସହ ଆଉ ଥରେ ଯୁଦ୍ଧରେ ଓହ୍ଲାଇବା ପାଇଁ ବେଳେ ବେଳେ ରଣଭୂମିରୁ ପଛଘୁଞ୍ଚା ଦେବା ଏକ କୌଶଳ ଭାବେ ଗ୍ରହଣ କରାଯାଇଥାଏ । ଆଶା କରାଯାଏ, ଆଗାମୀ ଦିନରେ ଭାରତୀୟ କୃଷି ଓ ଶିଳ୍ପ କ୍ଷେତ୍ର କିପରି ପ୍ରତିଦ୍ୱନ୍ଦ୍ୱିତାତ୍ମକ ହୋଇ ପାରିବେ ସେଥିପାଇଁ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବେ ଓ ଆଗାମୀ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଆରସିଇପି ବୈଠକରେ ନିଜ ପ୍ରସ୍ତୁତି କଥା ଘୋଷଣା କରି ଭାରତ ଚୁକ୍ତିରେ ସ୍ୱାକ୍ଷର କରିବାକୁ ସମର୍ଥ ହେବ ।
Published in Odisha Reporter on November 13, 2019
Published in Odisha Reporter on November 13, 2019
Comments
Post a Comment