କିଛି ବର୍ଷ ତଳେ ସେଇଠି ଏକ ବିଶାଳ ହିମପ୍ରବାହ (ଗ୍ଲାସିୟର) ଥିଲା । ମାତ୍ର ଶହେ ବର୍ଷ ତଳେ ୧୫ ବର୍ଗ କିଲୋମିଟର ପରିମିତ ଓ ୫୦ ମିଟର ଗଭୀରତା ବିଶିଷ୍ଟ ଏହି ହିମପ୍ରବାହଟିର ଆକାର ଏବେ ମାତ୍ର ଏକ ବର୍ଗ କିଲୋମିଟରରେ ସୀମିତ ଓ ସେଠାରେ ବି ଏହାର ଗଭୀରତା ମାତ୍ର ୧୫ ମିଟର । ଅର୍ଥାତ୍, ବିସ୍ତୃତ ପଥର ଚଟାଣ ଉପରେ ଠାଏ ଠାଏ ବରଫର ଆସ୍ତରଣ ଯାହା । ପଶ୍ଚିମ ଆଇସଲାଣ୍ଡର ରେକାଭାକ ପ୍ରାନ୍ତରେ ଅବସ୍ଥିତ ଏହି ହିମପ୍ରବାହର ନାମ ‘ଓକେକଲ’ । ହିମପ୍ରବାହବିଦମାନେ (ଗ୍ଲାସିଓଲୋଜିଷ୍ଟ) ୨୦୧୪ ମସିହାରୁ ଏହାକୁ ମୃତ ବୋଲି ଘୋଷଣା କରି ସାରିଛନ୍ତି । କାରଣ ଏହା ଆଉ ପ୍ରବହମାନ ଅବସ୍ଥାରେ ନ ରହି ଏକ ମୃତ ବରଫର ସ୍ତୂପ ପାଲଟି ଯାଇଛି । ଓକେକଲ ହିମପ୍ରବାହଟି ଜଳବାୟୁ ପରିବର୍ତ୍ତନରେ ମୃତ ପାଲଟିଥିବା ଆଇସଲାଣ୍ଡର ପ୍ରଥମ ହିମପ୍ରବାହ । ଅଗଷ୍ଟ ୨୦୧୯ରେ ଏହି ହିମପ୍ରବାହର ମୃତ୍ୟୁରେ ଶୋକପାଳନ କରିବା ପାଇଁ ସେଠାରେ ଆଇସଲାଣ୍ଡର ପ୍ରଧାନମନ୍ତ୍ରୀ କାଟ୍ରିନ ଜାକବସଡୋଟିରଙ୍କ ସମେତ ଶତାଧିକ ଲୋକ ଏକତ୍ରିତ ହୋଇଥିଲେ । କୌଣସି ହିମପ୍ରବାହ, ନଦୀ, ହ୍ରଦ ଭଳି ପ୍ରାକୃତିକ ସତ୍ତାର ଅକାଳ ମୃତ୍ୟୁରେ ଏ ଭଳି ଶୋକପାଳନ ଘଟଣା ଥିଲା ସାରା ବିଶ୍ୱରେ ସର୍ବ ପ୍ରଥମ ।
ଶୋକପାଳନ ଅବସରରେ ସମବେତ ଲୋକେ ସେଠାରେ ଥିବା ଏକ ପଥର ଉପରେ ଏକ ତାମ୍ର ଫଳକ ସ୍ଥାପନ କଲେ ଯେଉଁଥିରେ ଭବିଷ୍ୟତ ଉଦ୍ଦେଶ୍ୟରେ ଏକ ଭାବୋଦ୍ଦୀପକ ଚିଠି ଲେଖା ହୋଇଥିଲା । ‘ଭବିଷ୍ୟତକୁ ଚିଠି’ ଶୀର୍ଷକ ଏହି ପତ୍ରରେ ଯାହା ଲେଖା ହୋଇଛି, ତାହା ନିମ୍ନ ପ୍ରକାରେ ।
“‘ଓକେ’ ଆଇସଲାଣ୍ଡର ପ୍ରଥମ ହିମପ୍ରବାହ, ଯାହା ହିମପ୍ରବାହ ମାନ୍ୟତା ହରାଇଛି । ଆସନ୍ତା ୨୦୦ ଶହ ବର୍ଷ ମଧ୍ୟରେ ଆମର ସବୁ ହିମପ୍ରବାହ ଏହି ପଥ ଦେଇ ଗତି କରିବାର ଆଶଙ୍କା ଦେଖା ଦେଇଛି । ଏହି ଫଳକଟିର ଉଦ୍ଦେଶ୍ୟ ହେଉଛି ଆମେ ସ୍ୱୀକାର କରୁଛୁ, କଣ ଘଟୁଛି ଓ କଣ କରିବାକୁ ହେବ, ତାହା ଆମେ ଜାଣୁ । କେବଳ ତମେ ଜାଣିବ, ଆମେ ତାହା କରି ପାରିଲୁ କି ନାହିଁ ।
ଅଗଷ୍ଟ ୨୦୧୯,
୪୧୫ ପିପିଏମ ଅଙ୍ଗାରକାମ୍ଳ”
‘ଓକେକଲ’ ବଦଳରେ ‘ଓକେ’ ଲେଖିବାର ଅର୍ଥ ଆଇସଲାଣ୍ଡିକ ଭାଷାରେ ‘କଲ’ ଶବ୍ଦଟିର ମାନେ ହିମପ୍ରବାହ ଓ ‘ଓକେକଲ’ ଆଉ ହିମପ୍ରବାହ ହୋଇ ରହି ନ ଥିବାରୁ ତାକୁ କେବଳ ‘ଓକେ’ ଭାବରେ ନାମିତ କରାଯାଇଛି । ଶେଷ ଧାଡିରେ ଲେଖା ହୋଇଥିବା ୪୧୫ ପିପିଏମ ଅଙ୍ଗାରକାମ୍ଳର ତାତ୍ପର୍ଯ୍ୟ ହେଉଛି, ୧୧ ମେ ୨୦୧୯ ଦିନ ପୃଥିବୀର ବାୟୁମଣ୍ଡଳୀୟ ଆଙ୍ଗାରକାମ୍ଳର ମାତ୍ରା ପ୍ରଥମ ଥର ଲାଗି ୪୧୫ ପିପିଏମ (ପାର୍ଟସ ପର ମିଲିଅନ)କୁ ଟପିଗଲା, ଯାହା ପରିବେଶ ଦୃଷ୍ଟିରୁ ଏକ ଭୟଙ୍କର ମାଇଲଖୁଣ୍ଟି । ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳ କେବେ ହେଲେ ଏତେ ଉଚ୍ଚ ସ୍ତରରେ ପହଞ୍ଚି ନଥିଲା । ଆମ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଜନିତ ପ୍ରଦୂଷଣ ଅଧିକ ହୋଇ ତାହା ଯେତେ ଅଧିକ ବହଳ ହେବ, ସେଥିରେ ଅଧିକ ଉତ୍ତାପ ପୃଥିବୀର ବାୟୁମଣ୍ଡଳରେ ଆବଦ୍ଧ ହୋଇ ବିଶ୍ୱ ଉତ୍ତପ୍ତୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ।
ବର୍ତ୍ତମାନ ଆଇସଲାଣ୍ଡରେ ପ୍ରାୟ ୪୦୦ ହିମପ୍ରବାହ ବିଦ୍ୟମାନ । ଏହାର ସମଗ୍ର ଭୌଗୋଳିକ କ୍ଷେତ୍ରର ପ୍ରାୟ ୧୧ ପ୍ରତିଶତ ଏହି ହିମପ୍ରବାହଗୁଡିକ ଦ୍ୱାରା ଆଚ୍ଛାଦିତ ଯାହା ସେହି ଦେଶର ଅର୍ଥନୀତି, ସାମାଜିକ ଗତିବିଧି ଓ ସଂସ୍କୃତିକୁ ବେଶ ପ୍ରଭାବିତ କରିଥାଏ । ଖୁବ ବେଶି ଦିନ ଆଗରୁ ନୁହେଁ, ଆଇସଲାଣ୍ଡର ଅଧିବାସୀମାନେ ଧରି ନେଇଥିଲେ ଯେ ଏହି ହିମପ୍ରବାହଗୁଡିକ ଚିର ଦିନ ଲାଗି ଈଶ୍ୱରଙ୍କ ତାଙ୍କ ଦେଶ ଲାଗି ବରଦାନ । କିନ୍ତୁ ଓକେକଲ ମୃତ ହେବା ପରେ ତାଙ୍କର ସେହି ବିଶ୍ୱାସ ପାଣି ଫୋଟକା ଭଳି ମେଳାଇ ଯାଇଛି । କାରଣ ହିମପ୍ରବାହବିଦମାନେ ଭବିଷ୍ୟବାଣୀ ଶୁଣାଇ ସାରିଲେଣି ଯେ ଆଗାମୀ ଦୁଇ ଶହ ବର୍ଷ ଭିତରେ ବରଫ ଆଚ୍ଛାଦିତ ଏହି ଦେଶର ସବୁ ହିମପ୍ରବାହ ତରଳି ମୃତ ପାଲଟି ଯିବେ, ଯଦ୍ଦ୍ୱାରା ପୃଥିବୀରେ ସମୁଦ୍ର ଜଳର ସ୍ତର ଏକ ସେଣ୍ଟିମିଟର ବଢିଯିବ ।
ସର୍ବତ୍ର ମଣିଷର ପ୍ରକୃତି ପ୍ରତି ସମବେଦନାଶୂନ୍ୟ ଅପରିଣାମଦର୍ଶୀ କାର୍ଯ୍ୟ ଯୋଗୁ କେବଳ ଆଇସଲାଣ୍ଡ ନୁହେଁ ବରଂ ପୃଥିବୀର ପ୍ରାୟ ସବୁ ହିମପ୍ରବାହର ବୃଦ୍ଧି ହେବା ପ୍ରକ୍ରିୟା ବନ୍ଦ ହୋଇଯାଇଛି । ଅଧିକାଂଶ କ୍ଷୟ ହୋଇଚାଲିଛନ୍ତିି, କିଛି ତ ଭୀତି ସଞ୍ଚାର କଲା ଭଳି ଅତି ଦ୍ରୁତ ଗତିରେ ତରଳିବାରେ ଲାଗିଛନ୍ତି । ହିମାଳୟ, ଗ୍ରିନଲାଣ୍ଡ, ଆଲପସ, ଆଇସଲାଣ୍ଡର ସମସ୍ତ ହିମପ୍ରବାହ ତରଳିବାରେ ଲାଗିଛନ୍ତି । ଆଣ୍ଟାର୍ଟିକା ଓ ଆର୍କଟିକ ପରେ ହିମାଳୟରେ ପୃଥିବୀର ତୃତୀୟ ସର୍ବାଧିକ ବରଫ ଗଚ୍ଛିତ ହୋଇ ରହିଛି । ଅନ୍ୟ ହିମପ୍ରବାହଗୁଡିକ ତୁଳନାରେ ହିମାଳୟରେ ଥିବା ହିମପ୍ରବାହଗୁଡିକ ତୁଷାରପାତ-ନିର୍ଭର ନ ହୋଇ ମୌସୁମୀ-ନିର୍ଭର ହୋଇଥିବାରୁ ସେଗୁଡିକ ଅପେକ୍ଷାକୃତ ନିରାପଦ ବୋଲି ମନେ କରାଯାଉଥିଲା । କିନ୍ତୁ ଉଦବେଗର ବିଷୟ, କଲମ୍ବିଆ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଯୋସୁଆ ମେରରଙ୍କ ଏକ ଅଧ୍ୟୟନ ଅନୁଯାୟୀ ୨୦୦୦ରୁ ୨୦୧୬ ମସିହା ମଧ୍ୟରେ ଏଠାକାର ହିମପ୍ରବାହଗୁଡିକରୁ ଶହଶହ କୋଟି ଟନ ବରଫ ତରଳି ସାରିଛି, ଯାହାର ଉଚ୍ଚତା ପ୍ରାୟ ଦେଢ ଫୁଟ ହେବ । ୧୯୭୫ରୁ ୨୦୦୦ ମସିହା ମଧ୍ୟରେ ତରଳି ଥିବା ବରଫ ତୁଳନାରେ ଏହାର ପରିମାଣ ପ୍ରାୟ ଦୁଇ ଗୁଣ । ଏହି ଚାଳିଶ ବର୍ଷ ଭିତରେ ସେହି ଅଞ୍ଚଳରୁ ପ୍ରାୟ ଏକ ଚତୁର୍ଥାଂଶ ବରଫ ତରଳି ସାରିଛି ଓ ସେଠାରେ ଉତ୍ତାପ ପ୍ରାୟ ଏକ ଡିଗ୍ରି ସେଲସିଅସ ବଢିଛି । ଏକ ଡିଗ୍ରି ଉତ୍ତାପ ବୃଦ୍ଧିର ଯଦି ଏ ଭଳି ଭୟଙ୍କର ପରିଣତି, ତେବେ ଯେଉଁ ହାରରେ ଉତ୍ତାପ ବଢି ଚାଲିଛି ତାର କୁପରିଣାମ ସହଜରେ ଅନୁମେୟ । କେବଳ ଭାରତ ନୁହେଁ ପାକିସ୍ତାନ, ବଙ୍ଗଳାଦେଶ, ନେପାଳ, ଭୁଟାନ, ଚୀନର ପ୍ରାୟ ୮୦ କୋଟି ଲୋକ ଏହି ହିମପ୍ରବାହରୁ ଉଦଗତ ଚିରସ୍ରୋତା ନଦୀଗୁଡିକ ଉପରେ ଜଳସେଚନ, ପାନୀୟ ଜଳ ଓ ଜଳ ବିଦ୍ୟୁତ ପାଇଁ ନିର୍ଭର କରୁଥିବାରୁ ଉତ୍ତାପ ବୃଦ୍ଧି ଜନିତ ଜଳବାୟୁ ପରିବର୍ତନରେ ଏହି ହିମପ୍ରବାହ ଗୁଡିକ ତରଳି ଏମାନେ ବହୁଳ ଭାବେ ପ୍ରଭାବିତ ହୋଇ ବିପର୍ଯ୍ୟୟର ନିକଟତର ହେବେ । ଜୀବାଶ୍ମ ଇନ୍ଧନ (କୋଇଲା, ପେଟ୍ରୋଲ, ଡିଜେଲ ଆଦି)ର ବ୍ୟବହାର ବାୟୁମଣ୍ଡଳରେ ଉତ୍ତାପ ବୃଦ୍ଧିରେ ସହାୟକ ହେଉଥିବାରୁ ଏହାର ବ୍ୟବହାର ଯଥେଷ୍ଟ ହ୍ରାସ ନ ହେଲେ ୨୧୦୦ ମସିହା ସୁଦ୍ଧା ହିମାଳୟର ୬୬ ପ୍ରତିଶତ ବରଫ ତରଳି ଏଠାରୁ କମ ପାଣି ବହିବା ସହ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ହୋଇ ଭାରତ ଧ୍ୱଂସ ଆଡକୁ ମୁହାଁଇବ । ଏହାକୁ ମୁକାବିଲା କରିବାକୁ ହେଲେ ବ୍ୟକ୍ତିଗତ ତଥା ସାମାଜିକ ସ୍ତରରେ ସଚେତନତା ବୃଦ୍ଧି ସଙ୍ଗେ ସଙ୍ଗେ ସରକାରଙ୍କୁ ମଧ୍ୟ ବିଧିବଦ୍ଧ ଯୋଜନାମାନ ପ୍ରସ୍ତୁତ କରିବାକୁ ହେବ ।
‘ଭେରିସ୍କ ମେପଲକ୍ରଫ୍ଟ’ ନାମକ ଏକ ଅନ୍ତର୍ଜାତିକ ବିପଦ ଆକଳନକାରୀ ସଂସ୍ଥାର ରିପୋର୍ଟ ଅନୁଯାୟୀ ଜଳବାୟୁ ପରିବର୍ତ୍ତନର କୁପରିଣାମକୁ ଭୋଗିବାକୁ ଯାଉଥିବା ଦେଶମାନଙ୍କ ମଧ୍ୟରେ ଭାରତ ବିଶ୍ୱର ସର୍ବାଧିକ ଅସୁରକ୍ଷିତ ଦେଶ । ଆମେରିକା ଓ ଚୀନ ଭଳି ଦେଶଙ୍କ ତୁଳନାରେ ପ୍ରାକୃତିକ ଦୁର୍ବିପାକକୁ ମୁକାବିଲା କରିବା କ୍ଷେତ୍ରରେ ଭାରତରେ ପୂର୍ବ ପ୍ରସ୍ତୁତି ଓ ଯୋଜନାରେ ନମନୀୟତାର ଅଭାବ ଯୋଗୁ ପ୍ରତି ବର୍ଷ ଦେଶକୁ ୯୮୦ କୋଟି ଡଲାରର କ୍ଷତି ସହିବାକୁ ହେଉଛି । ଏହା ଦ୍ୱାରା ଭାରତର ୧୧.୩ କୋଟି ଲୋକ ଭୟଙ୍କର ବନ୍ୟାର ଶିକାର ହେବାକୁ ଯାଉଥିବା ବେଳେ, ୩୦ କୋଟି ଲୋକ ମରୁଡି ଓ ୭୦ କୋଟିରୁ ଅଧିକ ଲୋକ ଝଡ ଓ ବାତ୍ୟାରେ ପ୍ରଭାବିତ ହେବେ । ଆଗାମୀ ଦିନମାନଙ୍କରେ ବିଶ୍ୱରେ ଜୀବାଶ୍ମ ଇନ୍ଧନର ବ୍ୟବହାର ଯେତେ ଅଧିକ ହେଉଥିବ ଜଳବାୟୁ ପରିବର୍ତନ ଜନିତ କ୍ଷୟକ୍ଷତି ସେତେ ଭୟଙ୍କର ରୂପ ଧାରଣ କରୁଥିବ । ଭାରତର ଅନେକ ଲୋକ ଦରିଦ୍ର ଅବସ୍ଥାରେ ବା ଦାରିଦ୍ର୍ୟ ସୀମାରେଖା ତଳେ ଜୀବନ ଅତିବାହିତ କରୁଥିବାରୁ ଏ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଲା ପରେ ପୁଣି ଥରେ ଅଣ୍ଟା ସଳଖିବା ସେମାନଙ୍କ ପକ୍ଷରେ ଅସାଧ୍ୟ ହୋଇପଡିବ । ଜଳବାୟୁ ପରିବର୍ତ୍ତନରେ କୃଷି କ୍ଷେତ୍ର ଅତ୍ୟଧିକ ପ୍ରଭାବିତ ହେବାର ଆଶଙ୍କା ଥିବା ବେଳେ ଭାରତରେ ଅର୍ଦ୍ଧାଧିକ ଲୋକ କୃଷି ଉପରେ ନିର୍ଭରଶୀଳ ହୋଇ ରହିଥିବା ଯୋଗୁ କୃଷିଜୀବୀମାନେ ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହେବେ । ଏ ସବୁକୁ ଧ୍ୟାନରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ ପ୍ରସ୍ତୁତି ବେଳେ ଜଳବାୟୁ ପରିବର୍ତ୍ତନକୁ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେବା ଉଚିତ ଏବଂ ଏଥିପାଇଁ ସ୍ୱତନ୍ତ୍ର ମନ୍ତ୍ରଣାଳୟ ପ୍ରତିଷ୍ଠା କରିବା ଦରକାର । ବିକାଶ ନାଁରେ ଶିଳ୍ପ ଓ ଭିତିଭୂମି ପ୍ରତିଷ୍ଠା ପାଇଁ ହେଉଥିବା ବେଲଗାମ ଗଛ କଟା ଓ ଜଙ୍ଗଲ ନଷ୍ଟ ଯେ ଜଳବାୟୁ ପରିବର୍ତ୍ତନକୁ ତ୍ୱରାନ୍ୱିତ କରି ବିନାଶର କାରଣ ସାଜୁଛି, ତାହା ବୁଝିବାକୁ ଆଉ ବାକି ନାହିଁ । ଏ କ୍ଷେତ୍ରରେ ଆମକୁ ଆମ ପଡୋଶୀ ଦେଶ ଭୁଟାନଠାରୁ ଶିକ୍ଷା ଗ୍ରହଣ କରିବାକୁ ହେବ, ଯେଉଁଠାରେ ବନ ସଂରକ୍ଷଣ ପାଇଁ ପ୍ରଶଂସନୀୟ ପଦକ୍ଷେପମାନ ନିଆଯାଇଛି ।
ଜାତିସଂଘ ସାଧାରଣ ସଭାକୁ ସମ୍ବେ।ଧନ କରିବା ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ଭାରତର ପ୍ରତିବଦ୍ଧତା ଓ ଭାରତ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବଖାଣିଥିଲେ । ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ୨୦୧୫ ମସିହାର ପାରିସ ଘୋଷଣାନାମାରେ ବିଶ୍ୱର ସବୁ ଦେଶ ବାୟୁମଣ୍ଡଳୀୟ ଉତ୍ତାପ ବୃଦ୍ଧିକୁ ୧.୫ ଡିଗ୍ରୀ ସେଲସିଅସ ମଧ୍ୟରେ ସୀମିତ ରଖିବାକୁ ସ୍ଥିର କରିଥିଲେ ମଧ୍ୟ ତାହା ୨ ଡିଗ୍ରୀ ଯାଏଁ ବଢି ଯାଇଥିବାରୁ ସମସ୍ୟାର ଗମ୍ଭୀରତା ଯେ କେତେ ଅଧିକ ତାହା ବୁଝିହୁଏ । ଏ ଭଳି ପରିସ୍ଥିତିରେ ଉପରୋକ୍ତ ପଦକ୍ଷେପଗୁଡିକ ପ୍ରସାଧାନାତ୍ମକ (କସ୍ମେଟିକ୍) ଭଳି ପ୍ରତୀୟମାନ ହେଉଥିବାରୁ ଜୀବାଶ୍ମ ଇନ୍ଧନର ବ୍ୟବହାର ହ୍ରାସ ପାଇଁ ଭାରତ ଭଳି ଏକ ଜନ ବହୁଳ ଦେଶରେ, ତାହା ଯେତେ ଅପ୍ରୀତିକର ହେଲେ ମଧ୍ୟ ସମୂହ ହିତରେ, ତୁରନ୍ତ କଠୋର ନିଷ୍ପତ୍ତି ଓ ଉପାୟମାନ କାର୍ଯ୍ୟକାରୀ କରିବାକୁ ହେବ । କାରଣ ଜଳବାୟୁ ପରିବର୍ତ୍ତନ ସମସ୍ୟା ଆଉ କେବଳ କଳ୍ପନାର ବିଷୟବସ୍ତୁ ହୋଇ ରହି ନାହିଁ, ବରଂ ଏହାର କୁପରିଣାମ ଭାରତ ଏପରିକି ଓଡିଶାର ଲୋକେ ମଧ୍ୟ ପ୍ରତ୍ୟକ୍ଷ କରି ସାରିଲେଣି । କେନ୍ଦ୍ରାପଡାର ସାତଭାୟା ଗ୍ରାମ ପଞ୍ଚାୟତର ସାତ ଭାଇ ଭଳି ଥିବା ସାତଟି ଗାଁ ମଧ୍ୟରୁ ସାତଭାୟା ଓ କାହ୍ନୁପୁର ଗାଁ ଦୁଇଟିକୁ ବାଦ ଦେଇ ବାକି ପାଂଚଟି ଗାଁ (ଗୋବିନ୍ଦପୁର, ମୋହନପୁର, ଖରିକ ଉଲା, ଚିନ୍ତାମଣିପୁର ଓ ବଡ ଗହୀରମଥା) ନିଶ୍ଚିହ୍ନ ହୋଇ ସମୁଦ୍ର ଗର୍ଭରେ ବିଲୀନ ହେବା, ତାର ଜ୍ୱଳନ୍ତ ଉଦାହରଣ । ସାତଭାୟା ଓ କାହ୍ନୁପୁର ଗାଁ ଦୁଇଟି ମଧ୍ୟ ଯେ କୌଣସି ମୁହୂର୍ତ୍ତରେ ସମୁଦ୍ର ଗର୍ଭରେ ନିଜ ଅସ୍ତିତ୍ୱ ହରାଇବା ଅବଶ୍ୟମ୍ଭାବୀ ।
ପରିବେଶ ସୁରକ୍ଷା ପ୍ରତି ସମ୍ବେଦନଶୀଳ ଆଇସଲାଣ୍ଡ ଅଧିବାସୀମାନେ ଓକେକଲ ହିମପ୍ରବାହର ମୃତ୍ୟୁରେ ଶୋକପାଳନ ମାଧ୍ୟମରେ ପ୍ରାକୃତିକ ସମ୍ପଦ ଓ ପରିବେଶ ପ୍ରତି ସେମାନଙ୍କର ଥିବା ଭଲ ପାଇବା ଓ ସମ୍ମାନକୁ ଦର୍ଶାଇବା ସଙ୍ଗେ ସଙ୍ଗେ ସାରା ବିଶ୍ୱବାସୀଙ୍କୁ ଜଳବାୟୁ ପରିବର୍ତ୍ତନ ଜନିତ ଆସନ୍ନ ସଙ୍କଟ ବିଷୟରେ ପୁଣି ଥରେ ସଚେତନ କରାଇ ଦେଇଛନ୍ତି । ମାଳିକାରେ ବର୍ଣ୍ଣିତ ‘ବାଇଶି ପାହାଚେ ମୀନ ଖେଳିବେ’, ସତର୍କ ବାଣୀଟି ଜଳବାୟୁ ପରିବର୍ତ୍ତନର ଭୟାବହତା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ସେହି ଭଳି ଏକ ପ୍ରୟାସ ବୋଲି ଗ୍ରହଣ କରାଯାଇପାରେ । ତେବେ ଏ ସମ୍ପର୍କରେ ଅଧିକ ଜନ ସଚେତନତାର ଆବଶ୍ୟକତା ଅନୁଭୂତ ହେଉଛି । କ୍ରମାଗତ ଭାବେ ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ଦୁର୍ବିପାକରେ ବାରମ୍ବାର ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶା ଜଳବାୟୁ ପରିବର୍ତ୍ତନ ଦୃଷ୍ଟିରୁ ଏକ ଅସୁରକ୍ଷିତ ଅଞ୍ଚଳ ହୋଇଥିବାରୁ ଆଇସଲାଣ୍ଡ ପରି ଜଳବାୟୁ ପରିବର୍ତ୍ତନ ଯୋଗୁ ବଳି ପଡିଥିବା ଅଞ୍ଚଳଗୁଡିକର ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଭୁବନେଶ୍ୱରଠାରେ ଏକ ଜଳବାୟୁ ପରିବର୍ତ୍ତନ ସଂଗ୍ରହାଳୟ ପ୍ରତିଷ୍ଠା କଥା ଚିନ୍ତା କରାଯାଇପାରେ । ଏଠାରେ ମଣିଷର ଅପରିଣାମଦର୍ଶୀ କାର୍ଯ୍ୟ ଯୋଗୁ ଜଳବାୟୁ ପରିବର୍ତ୍ତନରେ ଅସ୍ତିତ୍ୱ ହରାଇଥିବା ସାତଭାୟା ଓ ଅନ୍ୟାନ୍ୟ ଅଞ୍ଚଳର ଗାଁଗୁଡିକର ସ୍ମୃତି ଫଟୋଚିତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ସ୍ଥାନିତ ହେଲେ ତାହା ଏ ସମସ୍ୟାର ଭୟାବହତା ସମ୍ପର୍କରେ ଅଧିକ ଆଲୋଚନା ପାଇଁ ଖୋରାକ ଯୋଗାଇବା ସହ ଜନ ସଚେତନତା ସୃଷ୍ଟିରେ ସହାୟକ ହୋଇପାରନ୍ତା । ସେହିପରି ଜଳବାୟୁ ପରିବର୍ତ୍ତନରେ ଶହୀଦ ହୋଇଥିବା ଏହି ଗାଁଗୁଡିକର ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମାରକୀ ସ୍ଥାପନ ହୋଇ ନିଶ୍ଚିହ୍ନ ହୋଇଥିବା ପ୍ରତିଟି ଗାଁ ଲାଗି ଗୋଟିଏ ଗୋଟିଏ ତାମ୍ର ଫଳକ ଲଗାଗଲେ, ବିଶ୍ୱ ସ୍ତରରେ ଏକ ପରିବେଶ ସମ୍ବେଦନଶୀଳ ଜାତି ଭାବେ ଆମର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରନ୍ତା । ଏଥି ସହ ଦେଶବାସୀଙ୍କ ପାଇଁ ଏହା ଜଳବାୟୁ ପରିବର୍ତ୍ତନର କୁପରିଣାମ ଦର୍ଶାଉଥିବା ଏକ ଭୀତିସଞ୍ଚାରକାରୀ ସ୍ମାରକୀ ହୋଇ ପରିବେଶ ସଂରକ୍ଷଣ ପାଇଁ ସମସ୍ତଙ୍କୁ ସଦା ଚେଷ୍ଟିତ ରହିବାକୁ ଏକ ପ୍ରକାର ଅନୁପ୍ରାଣିତ କରନ୍ତା ।
Published in Sambad on November 02, 2019.
Comments
Post a Comment