୨୦୨୫ ମସିହା ଆରମ୍ଭରେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରା ପିଛା ଥିଲା ୭୮ ହଜାର ଟଙ୍କା ଆଉ ୨୨ କ୍ୟାରେଟର ୭୧୫୦୦ ଟଙ୍କା। ବର୍ଷ ଶେଷ ବେଳକୁ ତାହା ହୋଇଯାଇଥିଲା ଯଥାକ୍ରମେ ୧.୩୪ ଲକ୍ଷ ଟଙ୍କା ଓ ୧.୨୩ ଲକ୍ଷ ଟଙ୍କା। ଅର୍ଥାତ୍ ବର୍ଷକ ଭିତରେ ସୁନା ଦର ପ୍ରାୟ ୭୦ ପ୍ରତିଶତ ବଢ଼ିଥିଲା। ସେହିପରି ରୁପାର ଦର ସେହି ସମୟ ଖଣ୍ଡରେ କେଜି ପିଛା ୯୧ ହଜାର ଟଙ୍କାରୁ ବଢ଼ି ପହଞ୍ଚିଥିଲା ୨ ଲକ୍ଷରୁ ଅଧିକ ଟଙ୍କାରେ। ଏବେ ସୁନା ଦର ଦେଢ଼ ଲକ୍ଷ ଟଙ୍କାକୁ ଟପିଗଲାଣି। ଝିଅ ବାହାଘର ପାଇଁ ପ୍ରସ୍ତୁତ ହେଉଥିବା ପରିବାରଗୁଡ଼ିକ ଲାଗି ଏହା ଚଡ଼କ ସଦୃଶ। ସୁନା କ୍ରମଶଃ ଅଧିକ ଲୋକଙ୍କ ପହଞ୍ଚ ବାହାରକୁ ଚାଲିଯାଉଥିବା ବେଳେ ସୁନା ନ କିଣିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।
ଇସ୍ରାଏଲ-ଇରାନ ଯୁଦ୍ଧ ଜନିତ ଅଶୋଧିତ ତେଲର ଦରବୃଦ୍ଧି, ଦୁର୍ବଳ ଟଙ୍କା, ଚାପଗ୍ରସ୍ତ ବୈଦେଶିକ ମୁଦ୍ରା ଭଣ୍ଡାର ଯୋଗୁଁ ଦେଶର ଆର୍ଥିକ ସ୍ଥିତି ସଙ୍କଟାଭିମୁଖୀ ହେଉଥିବାବେଳେ ମେ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଯେଉଁ ୭ଟି ଅପିଲ୍ କରିଥିଲେ, ସେଥିରୁ ଗୋଟିଏ ଥିଲା ଅନ୍ତତଃ ବର୍ଷେ ଯାଏଁ ଦେଶବାସୀ ସୁନା କିଣିବାରୁ ବିରତ ରହନ୍ତୁ। ୨୦୨୫ ଆର୍ଥିକ ବର୍ଷରେ ଭାରତକୁ ୭୫୭ ଟନ ଓଜନର ସୁନା ଆମଦାନୀ ହୋଇ ଆସିଥିବା ବେଳେ ୨୦୨୬ ଆର୍ଥିକ ବର୍ଷରେ ତାହା ୪ ପ୍ରତିଶତ ହ୍ରାସ ପାଇ ୭୨୧ ଟନ ହୋଇଛି। କିନ୍ତୁ ସୁନାର ବର୍ଦ୍ଧିତ ମୂଲ୍ୟ ଯୋଗୁଁ ଗତ ବର୍ଷ ସୁନା ଆମଦାନୀ କରିବା ଲାଗି ୭୧୫୮ କୋଟି ଡଲାର ବ୍ୟୟ କରିବାକୁ ହୋଇଛି ଯାହା ପୂର୍ବ ବର୍ଷ ତୁଳନାରେ ୧୩୫୮ କୋଟି ଡଲାର ଅଧିକ। ଉଲ୍ଲେଖଯୋଗ୍ୟ ଯେ ଅଶୋଧିତ ତେଲ ପଛକୁ ସୁନା ଆମଦାନୀରେ ଦେଶର ସର୍ବାଧିକ ବ୍ୟୟ ହୁଏ, ଯାହା ସମୁଦାୟ ଆମଦାନୀ ବ୍ୟୟର ୯ ପ୍ରତିଶତ। ୨୦୨୩ ଆର୍ଥିକ ବର୍ଷରେ ସୁନା ଆମଦାନୀ ବାବଦକୁ ଦେଶକୁ ମାତ୍ର ୩୫୦୦ କୋଟି ଡଲାର ଦେବାକୁ ହୋଇଥିଲା, ଯାହର ଅର୍ଥ ୩ ବର୍ଷ ଭିତରେ ସୁନା ଆମଦାନୀ ଲାଗି ଦୁଇ ଗୁଣରୁ ଅଧିକ ଡଲାର ଦେବାକୁ ହୋଇଛି। ଫଳରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଚାପଗ୍ରସ୍ତ। ଇରାନ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଫେବୃଆରୀ ୨୭ ତାରିଖ ଦିନ ବୈଦେଶିକ ମୁଦ୍ରା ଭଣ୍ଡାରରେ ଗଚ୍ଛିତ ଥିଲା ୭୨,୮୪୯ କୋଟି ଡଲାର ଏବଂ ମେ ୮ ତାରିଖ ସୁଦ୍ଧା ତାହା ହ୍ରାସ ପାଇ ପହଞ୍ଚିଲାଣି ୬୯,୬୯୯ କୋଟି ଡଲାରରେ। ଏହା ସ୍ୱାଭାବିକ ଯେ ଏପରି ସ୍ଥଳେ ଅଧିକ ଦର ଓ ଅଧିକ ପରିମାଣରେ ଅଶୋଧିତ ତେଲ ଓ ସୁନା ଆମଦାନୀ କରିବାକୁ ହେଲେ ତାହା ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଏକ ବଡ଼ ଧରଣର ବୋଝରେ ପରିଣତ ହେବ।
ବିଶ୍ୱ ସ୍ୱର୍ଣ୍ଣ କାଉନସିଲ (ୱାର୍ଲଡ ଗୋଲ୍ଡ କାଉନସିଲ)ର ତଥ୍ୟ ଅନୁଯାୟୀ ୨୦୨୫ ମସିହାରେ ସାରା ବିଶ୍ୱରେ ସୁନାର ଚାହିଦା ଥିଲା ପ୍ରାୟ ୪୯୦୦ ଟନ୍। ଏଥିରୁ ପ୍ରାୟ ୪୫ ପ୍ରତିଶତ ଗହଣା ତିଆରିରେ ବ୍ୟବହୃତ ହୋଇଥିଲା ବେଳେ ସୁନା ବାର୍, ମୁଦ୍ରା ଓ ଇ.ଟି.ଏଫ.(ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ)ରେ ୨୮ ପ୍ରତିଶତ ଓ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ହେଉଥିବା କ୍ରୟରେ ୨୨ ପ୍ରତିଶତ ବ୍ୟବହୃତ ହୋଇଛି। ଅବଶିଷ୍ଟ ୫ ପ୍ରତିଶତ ଔଦ୍ୟୋଗିକ କଞ୍ଚାମାଲ ରୂପେ ବ୍ୟବହାର କରାଯାଇଛି। ଉଲ୍ଲେଖଯୋଗ୍ୟ, ବିଶ୍ୱ ଗହଣା ଚାହିଦାର ଅଧାରୁ ବେଶି ଭାରତ ଓ ଚୀନ ଭଳି ମାତ୍ର ଦୁଇଟି ଦେଶ ଦ୍ୱାରା ସୃଷ୍ଟ। ସର୍ବାଧିକ ୯୧୦ ଟନ ବା ପ୍ରାୟ ୨୦ ପ୍ରତିଶତ ସୁନାର ଚାହିଦା ଚୀନରେ ଥିଲା ବେଳେ ୭୮୦ ଟନ ବା ୧୬ ପ୍ରତିଶତ ଚାହିଦା ସହ ଭାରତ ରହିଛି ଦ୍ୱିତୀୟ ସ୍ଥାନରେ।
ଭାରତରେ ସୁନାର ଚାହିଦା ବାର୍ଷିକ ପ୍ରାୟ ୮୦୦ ଟନ ହୋଇଥିଲେ ବି ଏଠାକାର ସୁନାଖଣିରୁ ମିଳୁଥିବା ସୁନାର ପରିମାଣ ନଗଣ୍ୟ। ୨୦୨୫ ଆର୍ଥିକ ବର୍ଷରେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଝାଡ଼ଖଣ୍ଡସ୍ଥିତ ସୁନାଖଣିଗୁଡ଼ିକରୁ ଉତଖନନ ହୋଇଥିବା ପଥରରୁ ମାତ୍ର ୧.୬ ଟନ ସୁନା ମିଳିଥିଲା। ପୁରୁଣା ଗହଣା ବଦଳାଇ କିଛିଟା ଚାହିଦା ପୂରଣ ହେଉଛି ସତ ହେଲେ ସୁନାର ଚାହିଦା ମେଣ୍ଟାଇବା ଲାଗି ସ୍ୱିଜରଲାଣ୍ଡ, ୟୁ.ଏ.ଇ., ଦକ୍ଷିଣ ଆଫ୍ରିକା ଭଳି ଦେଶଗୁଡ଼ିକରୁ ପ୍ରତିବର୍ଷ ପ୍ରାୟ ୭୫୦ରୁ ୮୦୦ ଟନ ସୁନା ଆମଦାନୀ କରିବାକୁ ହୋଇଥାଏ। ସେଥିରୁ ପ୍ରାୟ ୫୬୦ ଟନ ଗହଣା ପାଇଁ ହେଉଥିଲା ବେଳେ ପ୍ରାୟ ୨୨୦ ଟନ ନିବେଶ ଲାଗି ସୁନା ବିସ୍କୁଟ, ବାର୍ ଓ ମୁଦ୍ରା ଆକାରରେ ଆସିଥାଏ। ତେବେ ଗହଣା ଚାହିଦାର ସିଂହ ଭାଗ ବାହାଘର ସହିତ ଜଡ଼ିତ କାରଣ ଭାରତରେ ସୁନାକୁ ବାଦ ଦେଇ ବାହାଘରର ପରିକଳ୍ପନା କରାଯାଇ ନ ପାରେ। ଦେଶରେ ପ୍ରତି ବର୍ଷ ହେଉଥିବା ପ୍ରାୟ ଏକ କୋଟି ବାହାଘରରେ ଯୌତୁକ ଓ ଉପହାର ସ୍ୱରୂପ ପ୍ରାୟ ୩୦୦ ଟନ ସୁନା ଆବଶ୍ୟକ ହୋଇଥାଏ। ସୁନା ଏଣିକି ଗରିବ ଲୋକଙ୍କ ପହଞ୍ଚ ବାହାରର ହୋଇସାରିଥିବାରୁ ସୁନା କିଣୁଥିବା ମଧ୍ୟବିତ୍ତୀୟ ଓ ଉଚ୍ଚ ବର୍ଗର ଲୋକଙ୍କୁ ଅନାବଶ୍ୟକ ଗହଣା କିଣିବା କମ କରିବାକୁ ପଡ଼ିପାରେ। ଅକ୍ଷୟ ତୃତୀୟା, ଧନତେରାସ ଭଳି ପର୍ବଗୁଡ଼ିକରେ ବିପୁଳ ପରିମାଣରେ ସୁନାର କାରବାର ହୁଏ। ଏଥିରେ ହ୍ରାସ ଘଟାଇବା ସମ୍ଭବ। କିଛି ଧନିକ ଶ୍ରେଣୀର ବ୍ୟକ୍ତି ଏଣିକି ଗହଣା ନ କିଣି ସୁନା ବିସ୍କୁଟ, ମୁଦ୍ରା ଆଦିରେ ନିବେଶ କରୁଛନ୍ତି ତ କିଛି ଲୋକଙ୍କ ପାଇଁ ସୁନା ମଧ୍ୟ କଳାଧନକୁ ମହଜୁଦ କରି ରଖିବାର ମାଧ୍ୟମ ହୋଇଛି। ଏ ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ଆୟକର ଓ ଅନ୍ୟ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ତତ୍ପରତା ପ୍ରକାଶ ପାଇଲେ ଏହି ଧରଣର ସୁନା କିଣା ଉପରେ ରୋକ ଲାଗିପାରିବ।
ତଥାପି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣ କରି ହୁଏତ ସାଧାରଣ ଲୋକେ ସୁନା କିଣିବା କମ କରି ଦେଇପାରନ୍ତି। କିନ୍ତୁ ମ୍ୟୁଚୁଆଲ ଫଣ୍ଡଗୁଡ଼ିକ ଦ୍ୱାରା ପରିଚାଳିତ ସୁନା ଓ ରୂପାର ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ (ଇ.ଟି.ଏଫ.)ରେ ନିବେଶ ଜନିତ ସୁନା ଆମଦାନୀରେ ହ୍ରାସ ଘଟିବାର ସମ୍ଭାବନା କ୍ଷୀଣ। ୨୦୨୧ ଆର୍ଥିକ ବର୍ଷରୁ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ନିବେଶକମାନେ ଏହି ‘ଇ.ଟି.ଏଫ.’ଗୁଡ଼ିକରେ ବାର୍ଷିକ ୪୬ ହଜାର କୋଟି ଟଙ୍କାରୁ ୮୩ ହଜାର କୋଟି ଟଙ୍କା ମଧ୍ୟରେ ନିବେଶ କରିଥିଲେ। ୨୦୨୬ ଆର୍ଥିକ ବର୍ଷରେ ଏହି ନିବେଶ ପରିମାଣ ହଠାତ୍ ୨ ଗୁଣରୁ ଅଧିକ ହୋଇ ୧.୮ ଲକ୍ଷ କୋଟି ଟଙ୍କା ହୋଇଗଲା। ଏହାର ଏକ ବଡ଼ କାରଣ ହେଲା ସୁନା ଓ ରୂପା ଦର ଆଶାତୀତ ଭାବେ ବୃଦ୍ଧି ପାଇବା ଯୋଗୁଁ ‘ଇ.ଟି.ଏଫ.’ ନିବେଶକମାନେ ଅନ୍ୟ ନିବେଶ ତୁଳନାରେ ଯଥେଷ୍ଟ ଅଧିକ ଲାଭ ପାଇଲେ। ଏଭଳି ‘ଇ.ଟି.ଏଫ.’ଗୁଡ଼ିକ ନିବେଶ ଦୃଷ୍ଟିରୁ ଆକର୍ଷଣୀୟ ହୋଇଥିବାରୁ ଏଥିରେ ନିବେଶ ବଢ଼ିପାରେ।
ଗତ କିଛି ବର୍ଷ ଧରି ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଅଧିକ ପରିମାଣରେ ସୁନା କିଣି ମହଜୁଦ ରଖୁଛନ୍ତି। ଏହି ବ୍ୟାଙ୍କଗୁଡ଼ିକ ୨୦୨୨ ମସିହାଠାରୁ ସାମଗ୍ରିକ ଭାବେ ପ୍ରତି ବର୍ଷ ହାରାହାରି ୧୦୦୦ ଟନ ସୁନା କିଣୁଥିବାର ଜଣାପଡ଼େ। ଡଲାର ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ଏ ପ୍ରକାର କ୍ରୟର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିଲା ବେଳେ ବୈଦେଶିକ ମୁଦ୍ରା ଭଣ୍ଡାରର ବିବିଧୀକରଣ, ମୁଦ୍ରାସ୍ଫୀତିରୁ ସୁରକ୍ଷା, ଆର୍ଥିକ ସଙ୍କଟର ମୁକାବିଲା ଆଦି ମଧ୍ୟ ଏହାର ଅନ୍ୟ ଉଦ୍ଦେଶ୍ୟ। ତେବେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା ମହଜୁଦ କରିବା ଲାଗି ତତ୍ପର ହେବା ପରଠାରୁ ସୁନାର ଚାହିଦା ବୃଦ୍ଧି ପାଇ ସୁନାର ଦର ଅଧିକ ବଢ଼ୁଛି କହିଲେ ଅତ୍ୟୁକ୍ତି ହେବନାହିଁ। ‘ପିପୁଲସ୍ ବ୍ୟାଙ୍କ ଅଫ୍ ଚାଇନା’ ଲଗାତାର ଭାବେ ପ୍ରତି ମାସ ପ୍ରାୟ ୪୦ ଟନ ସୁନା କିଣି ଚାଲିଛି। କେବଳ ୨୦୨୨ରୁ ୨୦୨୪ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ପ୍ରାୟ ୨୦୦ ଟନ ସୁନା କିଣିଥିଲା। ଏବେ ରିଜର୍ଭ ବ୍ୟାଙ୍କ ନିକଟରେ ଗଚ୍ଛିତ ଥିବା ପ୍ରାୟ ୮୮୦ ଟନ୍ ସୁନାର ମୂଲ୍ୟ ୧୦୦୦୦ କୋଟି ଡଲାରରୁ ଅଧିକ। ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରର ଏହା ପ୍ରାୟ ୧୬ ପ୍ରତିଶତ।
ସୁନା ନ କିଣିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ସୁନା ବିକ୍ରୀ ହ୍ରାସ ପାଇବା ଆଶଙ୍କାରେ ଟାଇଟାନ, କଲ୍ୟାଣ ଜୁଏଲାରୀ, ସେନକୋ ଗୋଲଡ ଭଳି ଗହଣା କମ୍ପାନୀର ସେୟାର ଦାମ ୯ ପ୍ରତିଶତ ଯାଏଁ କମିଯାଇଥିଲା। ସାରା ଦେଶରେ ଛୋଟ ବଡ଼ ଗହଣା ଦୋକାନରେ ମୂଲ୍ୟବାନ ପଥର ଓ ଗହଣା ତିଆରି କାର୍ୟ୍ୟରେ ନିୟୋଜିତ ପ୍ରାୟ ୧ କୋଟି କାରିଗର ଓ ଶ୍ରମିକଙ୍କ ଜୀବିକା ପ୍ରତି ମଧ୍ୟ ଏହା ଦ୍ୱାରା ବିପଦ ସୃଷ୍ଟି ହୋଇଛି। ତେଣୁ ସେମାନଙ୍କ ଜୀବିକାର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଇତିମଧ୍ୟରେ ‘ପ୍ରେସିଅସ ମେଟାଲ ରିଫାଇନେରିଜ ଫୋରମ୍’ ତରଫରୁ ସୁନାର ଆମଦାନୀ ଓ ଘରୋଇ ଗଚ୍ଛିତ ସୁନାର ଉତ୍ତମ ପରିଚାଳନା ନିମନ୍ତେ ଦୁଇଟି ପରାମର୍ଶ ଦିଆଯାଇଛି। ପ୍ରଥମତଃ, ଆମଦାନୀ ହେଉଥିବା ସୁନାକୁ କଡ଼ାକଡ଼ି ଭାବେ କେବଳ ଗହଣା ରପ୍ପାନିକାରୀଙ୍କ ଉପଯୋଗ ଲାଗି ଗଚ୍ଛିତ ରଖାଯାଉ ଓ ଏଥିଲାଗି ବର୍ଷେ ଅବଧିର ସୁନା ଋଣ (ଗୋଲ୍ଡ ମେଟାଲ ଲୋନ)ର ପ୍ରଚଳନ କରାଯାଇପାରେ। ଦ୍ୱିତୀୟତଃ, ଦେଶରେ ଘରୋଇ ଭାବେ ଗଚ୍ଛିତ ସୁନାର ପୁନଃ ବ୍ୟବହାର (ରିସାଇକ୍ଲିଙ୍ଗ) ମାଧ୍ୟମରେ ଦେଶ ଭିତରେ ଗହଣାର ଚାହିଦାକୁ ମେଣ୍ଟାଇବା ଲାଗି ପ୍ରୟାସ କରାଯାଇପାରେ।
ଭାରତୀୟଙ୍କ ଲାଗି ସୁନା କେବଳ ଏକ ମୂଲ୍ୟବାନ ଧାତୁ ନୁହେଁ ବରଂ ଏଥିସହ ସେମାନେ ଆବେଗିକ ଭାବେ ସଂଯୁକ୍ତ। ଅସୁବିଧା ବେଳେ ସେମାନଙ୍କ ନିକଟରେ ଥିବା ସୁନା ହିଁ କାମରେ ଲାଗେ। ତେଣୁ, ବ୍ୟାଙ୍କ ଜମା ଓ ଅନ୍ୟ ସମ୍ପତ୍ତି ତୁଳନାରେ ସୁନା ଉପରେ ସେମାନଙ୍କର ଅଧିକ ଭରସା। ଏହି ଭରସା ହିଁ ଭାରତୀୟଙ୍କର ସୁନା ପ୍ରତି ଥିବା ଅତ୍ୟଧିକ ଆକର୍ଷଣର ଏକ ବଡ଼ କାରଣ। ଫଳସ୍ୱରୂପ, ଲୋକଙ୍କ ନିକଟରେ ପ୍ରାୟ ୨୫ ହଜାର ଟନରୁ ଅଧିକ ସୁନା ଗଚ୍ଛିତ ଅଛି। ଉପରକୁ ଏହା ଆମ ଲୋକଙ୍କ ସମ୍ପନ୍ନତାର ନିଦର୍ଶନ ଭଳି ପ୍ରତୀତ ହେଉଥିଲେ ବି ବିଡ଼ମ୍ୱିତ ବାସ୍ତବତାଟି ହେଉଛି ଏତେ ପରିମାଣରେ ସୁନା ଦେଶର ଅର୍ଥନୈତିକ ବିକାଶରେ କୌଣସି କାମରେ ଲାଗୁନାହିଁ। ତେଣୁ ଏହି ‘ସୁପ୍ତ ସମ୍ପତ୍ତି’କୁ ‘ଉପାର୍ଜନକ୍ଷମ ସମ୍ପତ୍ତି’ରେ ପରିଣତ କରାଯାଇପାରିଲେ ତାହା ଅର୍ଥନୀତିକୁ ଅଧିକ ଗତିଶୀଳ କରନ୍ତା। ଏଥିପାଇଁ ୨୦୧୫ ମସିହାରୁ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏକ ସ୍ୱଳ୍ପ ମିଆଦି ‘ଗୋଲଡ ମନିଟାଇଜେସନ ସ୍କିମ’ର ପ୍ରଚଳନ ହୋଇଛି ଯେଉଁଥିରେ ବ୍ୟକ୍ତିବିଶେଷ, ଅନୁଷ୍ଠାନ, ଟ୍ରଷ୍ଟ, ମନ୍ଦିର ଆଦି ସେମାନଙ୍କ ଅବ୍ୟବହୃତ ସୁନାକୁ ବ୍ୟାଙ୍କରେ ଜମା ରଖି ସୁଧ ଉପାର୍ଜନ କରିପାରିବେ। ତେବେ ବିଭିନ୍ନ କାରଣରୁ ଏହି ଯୋଜନା ଆଶାନୁରୂପ ଆଦୃତି ଲାଭ କରିପାରିନାହିଁ। ଅନ୍ୟ ପକ୍ଷରେ ଭୌତିକ ସୁନା (ଫିଜିକାଲ ଗୋଲଡ)ର ଚାହିଦାକୁ ହ୍ରାସ କରି ସୁନା ଆମଦାନୀକୁ କମ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ମଧ୍ୟମ ଓ ଦୀର୍ଘ ମିଆଦି ବିଶିଷ୍ଟ ‘ସୋଭେରେନ ଗୋଲଡ ବଣ୍ଡ’ର ପ୍ରଚଳନ ହୋଇଥିଲା। ଏହି ଯୋଜନାରେ ମାର୍ଚ୍ଚ ୩୧, ୨୦୨୫ ସୁଦ୍ଧା ୧୪୬.୯୬ ଟନ ପରିମାଣର ସୁନା ଲାଗି ୭୨,୨୭୫ କୋଟି ଟଙ୍କାର ପାଣ୍ଠି ସଂଗୃହୀତ ହୋଇଥିଲା। ତେବେ ଗତ ୨ ବର୍ଷ ଧରି ଏହି ବଣ୍ଡର ନୂଆ କିସ୍ତି ଆଉ ଜାରି ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ ସୁନା ଆମଦାନୀ ହ୍ରାସ ପାଇ ନଥିବାରୁ ବଣ୍ଡ ପ୍ରଚଳନର ଈପସିତ ଲକ୍ଷ୍ୟ ହାସଲ ହୋଇନାହିଁ।
ଇତିମଧ୍ୟରେ ସରକାର ସୁନାର ଆମଦାନୀକୁ ନିରୁତ୍ସାହିତ କରିବା ଲାଗି ଆମଦାନୀ ଶୁଳ୍କକୁ ୯ ପ୍ରତିଶତ ବଢ଼ାଇ ୧୫ ପ୍ରତିଶତ କରିଥିବାରୁ ସୁନା ଦର ବୃଦ୍ଧି ପାଇଛି। ତେଣୁ ସୁନା କିଣାକୁ ନିୟନ୍ତ୍ରଣ କରିବା ଲାଗି ଭବିଷ୍ୟତରେ ସରକାରଙ୍କ ତରଫରୁ ଆହୁରି ପଦକ୍ଷେପ ନିଆଯାଇପାରେ। ସୁନାର ଆମଦାନୀ ବାବଦ ବ୍ୟୟକୁ ୭୨୦୦ କୋଟି ଡଲାରରୁ ଅନ୍ତତଃ ୧୦୦୦ କୋଟି ଡଲାର ହ୍ରାସ କରିପାରିଲେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କିଛି ମାତ୍ରାରେ ସଫଳ ହୁଅନ୍ତା। ଏଥିପାଇଁ ସୁନା ଆମଦାନୀକୁ ଅନ୍ତତଃ ୧୦୦ ଟନ ହ୍ରାସ କରିବାକୁ ହେବ, ଯେଉଁଥିପାଇଁ ସକ୍ରିୟ ଜନ ସହଯୋଗ ନିତାନ୍ତ ଆବଶ୍ୟକ। ତେବେ ଏଥି ସହ ଦେଶ ଭିତରେ ଘରୋଇ ଭାବେ ଗଚ୍ଛିତ ଥିବା ସୁନାକୁ ଅଧିକ ପରିମାଣରେ ଉପାର୍ଜନକ୍ଷମ କରିବା ନେଇ ସରକାରୀ ତତ୍ପରତା ପ୍ରକାଶ ପାଇବା ଉଚିତ। ଅନ୍ତତଃ ପରିବାରର ଦମ୍ଭ ବୃଦ୍ଧିରେ ସହାୟକ ହେଉଥିବା ସୁନା ଦେଶର ଚିନ୍ତା ବୃଦ୍ଧିର କାରଣ ନ ହେଉ।
Comments
Post a Comment