Skip to main content

ଶକ୍ତି ସୁରକ୍ଷା ପ୍ରାଥମିକତା ପାଉ

ହର୍ମୁଜ ପ୍ରଣାଳୀ ବନ୍ଦ ରହି ତେଲ ଓ ଗ୍ୟାସର ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବାରୁ ସାରା ବିଶ୍ୱରେ ଶକ୍ତି ସଙ୍କଟ କେତେ ଉତ୍କଟ ହୋଇଛି, ତାହା ହାଣ୍ଡିଶାଳରେ ଅନୁଭୂତ ହେଲା। ତେଣୁ ପ୍ରତ୍ୟେକ ଦେଶ ପୁଣି ଥରେ ନିଜ ନିଜ ଶକ୍ତି ସୁରକ୍ଷା ନେଇ ନୂଆ କରି ଚିନ୍ତା କରିବାକୁ ବାଧ୍ୟ ହେଲେଣି। ଶକ୍ତି ସୁରକ୍ଷା କହିଲେ ଶକ୍ତିର ନିରନ୍ତର ଉପଲବ୍ଧତାକୁ ବୁଝାଇଥାଏ, ପୁଣି ତାହା ସୁଲଭ ମୂଲ୍ୟରେ। ଶକ୍ତି ପାଇଁ ଯେଉଁ ଦେଶ ଆମଦାନୀ ଉପରେ ଯେତେ ଅଧିକ ନିର୍ଭରଶୀଳ, ସେହି ଦେଶ ସେତେ ଅଧିକ ଶକ୍ତି ଅସୁରକ୍ଷିତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଶକ୍ତିର ପ୍ରଧାନ ଉତ୍ସ ତେଲ ଓ ଗ୍ୟାସ ଭଳି ଜୀବାଶ୍ମ ଇନ୍ଧନ, ଯାହା ନିର୍ଦ୍ଦିଷ୍ଟ କିଛି ଦେଶରେ ବିପୁଳ ପରିମାଣରେ ଗଚ୍ଛିତ ଥିବାରୁ ଭୂ-ରାଜନୈତିକ ସ୍ଥିତିରେ ପରିବର୍ତ୍ତନ ହେଲେ ଜୀବାଶ୍ମ ଇନ୍ଧନର ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୁଏ, ଯାହା ଫଳରେ ସାରା ବିଶ୍ୱରେ ତେଲ ଓ ଗ୍ୟାସର ଦର ବୃଦ୍ଧି ପାଇଥାଏ। ସେହି ଦୃଷ୍ଟିରୁ ଭାରତର ସ୍ଥିତି ବିଶେଷ ଭଲ ନୁହେଁ କାରଣ ତେଲ ଆମଦାନୀ ଉପରେ ଭାରତ ଅତ୍ୟଧିକ ନିର୍ଭରଶୀଳ। ଏହି ଦରବୃଦ୍ଧି ଦେଶର ଅର୍ଥନୀତିକୁ ଖୁବ୍ ପ୍ରଭାବିତ କରିଥାଏ। ଉଦାହରଣ ସ୍ୱରୂପ ତେଲର ଦର ବ୍ୟାରେଲ ପିଛା ମାତ୍ର ୧ ଡଲାର ବଢ଼ିଲେ ଭାରତ ଉପରେ ୧୪୦ କୋଟି ଡଲାର ବା ପ୍ରାୟ ୧୩୦୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିଥାଏ।

ଇରାନ ସହିତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଫେବୃଆରି ମାସ ବ୍ରେଣ୍ଟ ଅଶୋଧିତ ତେଲର ଦର ବ୍ୟାରେଲ ପ୍ରତି ପ୍ରାୟ ୭୦ ଡଲାର ଥିଲା। ଯୁଦ୍ଧ ସମୟରେ ତାହା ୧୧୦ ଡଲାରରୁ ଅଧିକ ହୋଇଯାଇଥିଲା। ସାମୟିକ ଯୁଦ୍ଧ ବିରତି ଘୋଷଣା ପରେ ତେଲ ଦର ସାମାନ୍ୟ ହ୍ରାସ ପାଇଥିଲେ ବି ତାହା ପ୍ରାୟ ୯୦ରୁ ୧୦୦ ଡଲାର ଭିତରେ ରହୁଛି।  ଅର୍ଥାତ୍, ଭାରତ ଉପରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବାକୁ ବସିଲାଣି। ଏହା ଦେଶର ‘ଚଳନ୍ତି ଖାତା ନିଅଣ୍ଟ’ (କରେଣ୍ଟ ଆକାଉଣ୍ଟ ଡେଫିସିଟ)କୁ ବଢ଼ାଇବା ସହିତ ବିଦେଶୀ ମୁଦ୍ରା ଭଣ୍ଡାରକୁ ଚାପଗ୍ରସ୍ତ କଲାଣି। ଫଳରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଛି। ଉଲ୍ଲେଖଯୋଗ୍ୟ ଯେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଦ୍ୱାରା ଜାରି ବୃହତ୍ ଅର୍ଥନୀତିଗୁଡ଼ିକର ସଦ୍ୟ ପ୍ରକାଶିତ ରାଙ୍କିଂରେ ଭାରତ ଚତୁର୍ଥରୁ ଷଷ୍ଠ ସ୍ଥାନକୁ ଖସିଆସିଛି, ଯାହାର ଅନ୍ୟତମ କାରଣ ହେଉଛି ଦୁର୍ବଳ ଟଙ୍କା।  

ଗୋଟିଏ ଦେଶର ନିର୍ଭରଯୋଗ୍ୟ, ନିରନ୍ତର ଓ ସୁଲଭ ମୂଲ୍ୟରେ ଶକ୍ତି ଯୋଗାଇ ଦେବାର କ୍ଷମତା ହିଁ ସେହି ଦେଶର ଶକ୍ତି ସୁରକ୍ଷାକୁ ସୁନିଶ୍ଚିତ କରିଥାଏ। ଏବେ ଭାରତରେ ଶକ୍ତି ଆବଶ୍ୟକତାର ୫୬ ପ୍ରତିଶତ କୋଇଲାରୁ ପୂରଣ ହେଉଥିବା ବେଳେ ୨୭ ପ୍ରତିଶତ ତେଲ ଓ ୬ ପ୍ରତିଶତ ପ୍ରାକୃତିକ ଗ୍ୟାସରୁ ହେଉଛି। ଅର୍ଥାତ୍ ପ୍ରାୟ ୮୯ ପ୍ରତିଶତ ଶକ୍ତି ଆବଶ୍ୟକତା କେବଳ ଜୀବାଶ୍ମ ଇନ୍ଧନ ଦ୍ୱାରା ପୂରଣ ହେଉଛି। ସେହିପରି ଦେଶରେ ଉତ୍ପାଦିତ ବିଦ୍ୟୁତର ପ୍ରାୟ ୭୪ ପ୍ରତିଶତ କୋଇଲା ଆଧାରିତ। ବିଶ୍ୱର ମୋଟ କୋଇଲା ଭଣ୍ଡାରର ପ୍ରାୟ ୧୦ ପ୍ରତିଶତ ଭାରତରେ ଥିବାରୁ ଆମର କୋଇଲା ଉପରେ ନିର୍ଭରଶୀଳତା ଅଧିକ। ଅନ୍ୟ ପକ୍ଷରେ ତେଲ ଓ ପ୍ରାକୃତିକ ଗ୍ୟାସ ପାଇଁ ଆମକୁ ମୁଖ୍ୟତଃ ବିଦେଶରୁ ଆମଦାନୀ ଉପରେ ନିର୍ଭର କରିବାକୁ ହୋଇଥାଏ। ୨୦୨୫ ଆର୍ଥିକ ବର୍ଷରେ ଦେଶର ସମୁଦାୟ ଅଶୋଧିତ ତୈଳ ଆବଶ୍ୟକତାର ୮୮.୨ ପ୍ରତିଶତ ଓ ପ୍ରାକୃତିକ ଗ୍ୟାସ ଆବଶ୍ୟକତାର ୫୦.୮ ପ୍ରତିଶତ ଆମଦାନୀ ହୋଇଥିଲା। ତେଲ ଦର ଓ ଉପଲବ୍ଧତାରେ ଅସ୍ଥିରତା ଦେଖା ଦେଲେ ଅର୍ଥନୀତିରେ ଅସ୍ଥିରତା ଆସିଥାଏ। ତେଣୁ ତୈଳ ସୁରକ୍ଷା ଜାତୀୟ ସୁରକ୍ଷାର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଦିଗ। ୧୯୭୩-୭୪ ମସିହାରେ ଉତ୍ପନ୍ନ ହୋଇଥିବା ତୈଳ ସଙ୍କଟରୁ ଶିକ୍ଷାଲାଭ କରି ଅନ୍ତର୍ଜାତୀୟ ଶକ୍ତି ସଂସ୍ଥା (ଆଇ.ଇ.ଏ.) ଗଠିତ ହୋଇଥିଲା। ଆଇ.ଇ.ଏ. ଅନୁଯାୟୀ ତେଲ ପାଇଁ ବିଦେଶରୁ ଆମଦାନୀ ଉପରେ ନିର୍ଭରଶୀଳ ପ୍ରତିଟି ଦେଶ ଅନ୍ତତଃ ପକ୍ଷେ ସେମାନଙ୍କ ୯୦ ଦିନ ଆମଦାନୀ ପରିମାଣର ତେଲ ‘କୌଶଳଗତ ପେଟ୍ରୋଲିଅମ ରିଜର୍ଭ’ (ଏସ.ପି.ଆର୍.) ଆକାରରେ ଗଚ୍ଛିତ ରଖିବା ଆବଶ୍ୟକ। ତଦ୍ଦ୍ୱାରା ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇ ତେଲ ଆମଦାନୀ ପ୍ରଭାବିତ ହେଲେ ଅଥବା ତେଲର ଦର ହଠାତ୍ ବୃଦ୍ଧି ପାଇଲେ ମଧ୍ୟ ତାର ତାତ୍କାଳିକ ପ୍ରଭାବକୁ ସାମୟିକ ଭାବେ ଏଡ଼ାଇ ଦିଆଯାଇପାରିବ। ଆଇ.ଇ.ଏ.ର ପରାମର୍ଶକୁ ଗ୍ରହଣ କରି ୧୯୯୮ ମସିହାରେ ଭାରତରେ ଏସ.ପି.ଆର୍. ନିର୍ମାଣର ପରିକଳ୍ପନା କରାଗଲା। ୨୦୦୩ ମସିହାରେ ପେଟ୍ରୋଲିଅମ ମନ୍ତ୍ରାଳୟ ଅଧୀନସ୍ଥ ‘ଅଏଲ ଇଣ୍ଡଷ୍ଟ୍ରି ଡେଭଲପମେଣ୍ଟ ବୋର୍ଡ’ (ଓ.ଆଇ.ଡି.ବି.) ମାଧ୍ୟମରେ ଏସ.ପି,ଆର୍. ପ୍ରତିଷ୍ଠା କରିବା ଦିଗରେ ପଦକ୍ଷେପ ନିଆଗଲା। ତେବେ ୨୦୦୫ ମସିହାରେ ଓ.ଆଇ.ଡି.ବି. ମାଲିକାନାରେ ‘ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିଅମ ରିଜର୍ଭ ଲିମିଟେଡ’ (ଆଇ.ଏସ.ପି.ଏଲ୍) ନାମକ ଏକ ସ୍ୱତନ୍ତ୍ର ସଂସ୍ଥା ପ୍ରତିଷ୍ଠା ପରେ କୌଶଳଗତ ପେଟ୍ରୋଲିଅମ ରିଜର୍ଭ ଭଣ୍ଡାର ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ୱିତ ହେଲା। ପ୍ରଥମ ପର୍ଯ୍ୟାୟରେ ପୂର୍ବତଟରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାଠାରେ ଗୋଟିଏ ଓ ପଶ୍ଚିମ ତଟରେ କର୍ଣ୍ଣାଟକର ପାଦୁର ଓ ମାଙ୍ଗାଲୋରଠାରେ ଦୁଇଟି ଏହିପରି ସମୁଦାୟ ୩ଟି ଏସପିଆର୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସେଗୁଡ଼ିକ ଯଥାକ୍ରମେ ୨୦୧୫, ୨୦୧୬ ଓ ୨୦୧୮ ମସିହାରେ କାର୍ଯ୍ୟକ୍ଷମ ହେଲା। ସେଗୁଡ଼ିକର ସର୍ବମୋଟ ତୈଳ ଭଣ୍ଡାରଣ କ୍ଷମତା ୫.୩୩ ଏମଏମଟି (ମିଲିଅନ ମେଟ୍ରିକ୍ ଟନ୍) ଯାହା ଦେଶର ମାତ୍ର ସାଢ଼େ ୯ ଦିନର ଆବଶ୍ୟକତାକୁ ପୂରଣ କରିବାକୁ ସମର୍ଥ। ତେଲ ବିପଣନ କମ୍ପାନୀଗୁଡ଼ିକ ନିକଟରେ ଥିବା ଗଚ୍ଛିତ ତେଲ ୬୪.୫ ଦିନର ଆବଶ୍ୟକତାକୁ ପୂରଣ କରିପାରିବ। ଏହା ବଫର ଷ୍ଟକ୍ ପର୍ଯ୍ୟାୟବାଚୀ ହୋଇପାରେ କିନ୍ତୁ ‘ଏସ.ପି.ଆର୍.’ ପର‌୍ୟ୍ୟାୟବାଚୀ ନୁହେଁ। 

ଦ୍ରୁତ ସହରୀକରଣ ଓ ଅର୍ଥନୈତିକ ଗତିବିଧି ବୃଦ୍ଧି ସହିତ ପ୍ରତି ବର୍ଷ ଦେଶରେ ଜୀବାଶ୍ମ ଇନ୍ଧନର ବ୍ୟବହାର ପ୍ରାୟ ୨ରୁ ୩ ପ୍ରତିଶତ ବୃଦ୍ଧି ପାଇଚାଲିଛି। ଦେଶ ଭିତରେ ତେଲ ଉତ୍ପାଦନ ଅନୁରୂପ ଭାବେ ବୃଦ୍ଧି ପାଉ ନଥିବାରୁ ଏହି ବର୍ଦ୍ଧିତ ଚାହିଦାକୁ ମେଣ୍ଟାଇବା ଲାଗି ଆମଦାନୀ ମଧ୍ୟ ବଢ଼ି ବଢ଼ି ଚାଲିଛି। ଉଦାହରଣ ସ୍ୱରୂପ ୨୦୧୪ ଆର୍ଥିକ ବର୍ଷରେ ଆମଦାନୀ ହୋଇଥିବା ଅଶୋଧିତ ତେଲର ପରିମାଣ ଥିଲା ୧୯୦ ଏମଏମଟି (ମିଲିଅନ ମେଟ୍ରିକ୍ ଟନ), ଯାହା ଥିଲା ଆମ ଚାହିଦାର ୮୦ ପ୍ରତିଶତ। ୨୦୨୫ ଆର୍ଥିକ ବର୍ଷରେ ତାହା ବୃଦ୍ଧି ପାଇ ୨୪୨ ଏମଏମଟିରେ ପହଞ୍ଚିଲାଣି। ତେଣୁ ଏବର ଅଶୋଧିତ ତେଲ ଆମଦାନୀକୁ ଦୃଷ୍ଟିରେ ରଖି ଆଇ.ଇ.ଏ.ର ମାର୍ଗଦର୍ଶିକା ଅନୁଯାୟୀ ଶକ୍ତି ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଦେଶରେ ଅନ୍ତତଃ ୬୦ ଏମଏମଟି କ୍ଷମତା ବିଶିଷ୍ଟ ‘କୌଶଳଗତ ପେଟ୍ରୋଲିଅମ ରିଜର୍ଭ’ (ଏସପିଆର) ଭଣ୍ଡାର ଉପଲବ୍ଧ ହେବା ଆବଶ୍ୟକ। ୨୦୧୮ ମସିହାରେ ଏସ.ପି,ଆର.ର ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାର ଚଣ୍ଡିଖୋଲଠାରେ ୪ ଏମଏମଟି ଓ କର୍ଣ୍ଣାଟକର ପାଦୁରଠାରେ ୨.୫ ଏମଏମଟି କ୍ଷମତାବିଶିଷ୍ଟ ଆଉ ଦୁଇଟି ଭଣ୍ଡାର ନିର୍ମାଣ ଲାଗି ମଞ୍ଜୁରି ପ୍ରଦାନ କରାଯାଇଥିଲା। ମାତ୍ର ପରିତାପର ବିଷୟ ଯେ ୮ ବର୍ଷ ପରେ ମଧ୍ୟ ଏ ଦୁଇଟି ଭଣ୍ଡାର ନିର୍ମାଣରେ ବିଶେଷ ଅଗ୍ରଗତି ପରିଲକ୍ଷିତ ହୋଇନାହିଁ। ଅନ୍ୟ ପକ୍ଷରେ ଗତ ୧୦ ବର୍ଷ ମଧ୍ୟରେ ଚୀନ, ଜାପାନ, ଦକ୍ଷିଣ କୋରିଆ, ସ୍ପେନ ଭଳି ଦେଶଗୁଡ଼ିକ ସେମାନଙ୍କ ଏସପିଆର ଭଣ୍ଡାର କ୍ଷମତାକୁ ୯୦ ଦିନରୁ ଅଧିକ କରିସାରିଲେଣି। ତେଣୁ ଭାରତରେ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଅଧିକ ସଂଖ୍ୟକ ଏସପିଆର ଭଣ୍ଡାର ନିର୍ମାଣ କରାଯାଇ ତୈଳ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ପ୍ରୟାସ ନିତାନ୍ତ ଆବଶ୍ୟକ। କେବଳ ଭଣ୍ଡାର ନିର୍ମାଣ ଯଥେଷ୍ଟ ନୁହେଁ, ସେଥିରେ ସବୁ ସମୟରେ ସେହି ପରିମାଣର ତେଲ ମହଜୁଦ ରଖିବାକୁ ହେବ ଓ ତାହା ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ଅନୁଚିତ। ଏଥିପାଇଁ ବିପୁଳ ପରିମାଣରେ ପୁଞ୍ଜି ଓ ସେ ନେଇ ବିଚାରବିମର୍ଶର ପ୍ରୟୋଜନ ରହିଛି।

ଶିଳ୍ପରୁ ଆରମ୍ଭ କରି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ପ୍ରତିଟି କ୍ଷେତ୍ରରେ ଶକ୍ତିର ଆବଶ୍ୟକତା ରହିଛି। ଏମିତିରେ ସାରା ବିଶ୍ୱର ହାରାହାରି ମୁଣ୍ଡପିଛା ବିଦ୍ୟୁତ ବ୍ୟବହାର ତୁଳନାରେ ଭାରତରେ ବିଦ୍ୟୁତ ବ୍ୟବହାର ଏକ ତୃତୀୟାଂଶ। ତେଣୁ ଭବିଷ୍ୟତରେ ଦେଶରେ ଶକ୍ତି ଚାହିଦା ଆହୁରି ଅନେକ ବଢ଼ିବ। ଆଇ.ଇ.ଏ.ର ପୂର୍ବାନୁମାନ ଅନୁଯାୟୀ ୨୦୩୦ ମସିହା ସୁଦ୍ଧା ଭାରତର ଶକ୍ତି ଆମଦାନୀ ନିର୍ଭରଶୀଳତା ୫୩ ପ୍ରତିଶତରୁ ଅଧିକ ହୋଇସାରିଥିବ। ତେଣୁ ଶକ୍ତି ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ହେଲେ ଆମକୁ ଏକସଙ୍ଗେ ଦୁଇଟି ଦିଗରେ ପ୍ରୟାସ କରିବାକୁ ହେବ – ଜୀବାଶ୍ମ ଇନ୍ଧନର ଆମଦାନୀ ହ୍ରାସ ଓ ଅଣ-ଜୀବାଶ୍ମ ଇନ୍ଧନର ଉତ୍ପାଦନ ବୃଦ୍ଧି। ଘରୋଇ ଉତ୍ପାଦନ ବୃଦ୍ଧି ନ ପାଇଲେ ଅଶୋଧିତ ତେଲ ଓ ପ୍ରାକୃତିକ ଗ୍ୟାସର ଆମଦାନୀ ହ୍ରାସ ସମ୍ଭବ ନୁହେଁ। ଇତିମଧ୍ୟରେ କିଛି ଛୋଟ ଛୋଟ ତେଲ ଓ ଗ୍ୟାସ ଭଣ୍ଡାରର ସନ୍ଧାନ ମିଳିଥିଲେ ବି ଗତ ଦଶ ବର୍ଷ ମଧ୍ୟରେ ଦେଶରେ କୌଣସି ବଡ଼ ଧରଣର ତୈଳ ଭଣ୍ଡାର କାର‌୍ୟ୍ୟକ୍ଷମ ହୋଇନାହିଁ। ଫଳରେ ତେଲର ଘରୋଇ ଉତ୍ପାଦନ ଆଶାନୁରୂପ ବୃଦ୍ଧି ପାଇନାହିଁ। ଅନ୍ୟ ପକ୍ଷରେ ତେଲ ଓ ଗ୍ୟାସର ଘରୋଇ ଚାହିଦା ବୃଦ୍ଧି ଯୋଗୁଁ ଦେଶର ଆମଦାନୀ ନିର୍ଭରଶୀଳତା ବୃଦ୍ଧି ଅପରିହାର‌୍ୟ୍ୟ ହୋଇପଡ଼ିଛି। ପ୍ରସଙ୍ଗତଃ, ତେଲରେ ୨୦ ପ୍ରତିଶତ ଇଥାନଲ ମିଶାଯାଉ ନଥିଲେ ଅଶୋଧିତ ତେଲ ଆମଦାନୀ ହୁଏତ ୯୦ ପ୍ରତିଶତରୁ ଅଧିକ ହୋଇସାରନ୍ତାଣି। ଏପରି ସ୍ଥଳେ ବୈଦ୍ୟୁତିକ ଯାନବାହନର ଚଳାଚଳ ବୃଦ୍ଧି ପାଇଲେ ତେଲର ଚାହିଦା ହୁଏତ କିଛିଟା ହ୍ରାସ ପାଆନ୍ତା। କିନ୍ତୁ ଭିତ୍ତିଭୂମିର ଅଭାବ ଓ ଅନ୍ୟାନ୍ୟ କିଛି କାରଣରୁ ତାହା ହେବା ମଧ୍ୟ ସମୟସାପେକ୍ଷ। ତା'ଛଡ଼ା ଦେଶରେ ବିଦ୍ୟୁତ ଉତ୍ପାଦନ ମୁଖ୍ୟତଃ କୋଇଲା ଆଧାରିତ ହୋଇଥିବାରୁ ବୈଦ୍ୟୁତିକ ଯାନବାହନର ସଂଖ୍ୟା ବୃଦ୍ଧି ପାଇଲେ ପ୍ରଦୂଷଣ ଓ ବୈଶ୍ୱିକ ଉତ୍ତପ୍ତୀକରଣ ସମସ୍ୟା ଉତ୍କଟତର ହେବାର ଆଶଙ୍କା ରହିଛି। ତେଣୁ ବିକଳ୍ପ ଇନ୍ଧନ, ବିଶେଷ କରି ଅକ୍ଷୟ ଶକ୍ତିର ଉତ୍ପାଦନ ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ। ୨୦୩୦ ମସିହା ସୁଦ୍ଧା ଦେଶରେ ଅଣ-ଜୀବାଶ୍ମ ଇନ୍ଧନର ଉତ୍ପାଦନକୁ ୫୦୦ ଗିଗାୱାଟରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଥିବା ବେଳେ ତହିଁର ୫୦ ପ୍ରତିଶତ ଅକ୍ଷୟ ଶକ୍ତି ମାଧ୍ୟମରେ ହେବ। ସୌର ଶକ୍ତି ଉତ୍ପାଦନ ବୃଦ୍ଧି ପାଇଛି ସତ, ହେଲେ ଦେଶରେ ଆବଶ୍ୟକତାନୁଯାୟୀ ବ୍ୟାଟେରୀ ଭଣ୍ଡାରଣ (ଷ୍ଟୋରେଜ୍)ରେ ସମସ୍ୟା ଥିବାରୁ ଅକ୍ଷୟ ଶକ୍ତିର ଉତ୍ପାଦନ ବାଧିତ ହେଉଛି। ଅନ୍ୟ ପକ୍ଷରେ ଦେଶରେ ୭ଟି ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ରରେ ଥିବା ୨୫ଟି ରିଆକ୍ଟରର ଉତ୍ପାଦନ କ୍ଷମତା ମାତ୍ର ୮୮୦୦ ମେଗାୱାଟ। ୨୦୪୭ ମସିହା ସୁଦ୍ଧା ୧୦୦ ଗିଗାୱାଟ ଆଣବିକ ଶକ୍ତି ଉତ୍ପାଦନର ଲକ୍ଷ୍ୟ ଧାର‌୍ୟ୍ୟ ହୋଇଥିଲେ ବି ଆବଶ୍ୟକ ପରିମାଣରେ ୟୁରାନିଅମର ଅନୁପଲବ୍ଧତା ଆଣବିକ ଶକ୍ତି ଉତ୍ପାଦନ ବୃଦ୍ଧିରେ ବାଧକ ସାଜୁଛି। ରିଜର୍ଭ ବ୍ୟାଙ୍କର ଆକଳନ ଅନୁଯାୟୀ ୨୦୪୭ ମସିହା ସୁଦ୍ଧା ‘ଜୀବାଶ୍ମ ଇନ୍ଧନରୁ ମୁକ୍ତି’ ଓ ୨୦୭୦ ମସିହା ସୁଦ୍ଧା ‘ବିଶୁଦ୍ଧ ଶୂନ୍ୟ ନିର୍ଗମନ’ (ନେଟ ଜିରୋ ଏମିସନ)ର ଲକ୍ଷ୍ୟ ହାସଲ କରିବାକୁ ହେଲେ ପ୍ରାୟ ୧୦ ଲକ୍ଷ କୋଟି ଡଲାର ପୁଞ୍ଜି ନିବେଶର ଆବଶ୍ୟକତା ରହିଛି। ତେଣୁ ଶକ୍ତି ସୁରକ୍ଷାକୁ ସାମଗ୍ରିକ ଭାବେ ଧ୍ୟାନରେ ରଖି ପଦକ୍ଷେପ ନିଆଯାଉ। ଏଥି ସହିତ ଶକ୍ତିର ଅପଚୟକୁ ନିୟନ୍ତ୍ରଣ କରିବା ଲାଗି ଉଭୟ ଜନସାଧାରଣ ଓ ସରକାର ଯତ୍ନବାନ ହେବା ଆବଶ୍ୟକ। 

ଜାତୀୟ ସୁରକ୍ଷା ଆଉ କେବଳ ସୀମା ସୁରକ୍ଷା ଓ ଦେଶ ପ୍ରତିରକ୍ଷା ମଧ୍ୟରେ ସୀମିତ ହୋଇ ରହିନାହିଁ। ଶକ୍ତି ସୁରକ୍ଷା ଓ ଖାଦ୍ୟ ସୁରକ୍ଷା ମଧ୍ୟ ଜାତୀୟ ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ ଦିଗ ହୋଇସାରିଛି। ଜୀବାଶ୍ମ ଇନ୍ଧନ ପାଇଁ ବିଦେଶରୁ ଆମଦାନୀ ଉପରେ ନିର୍ଭରଶୀଳତା ଯେତେ ଅଧିକ ହେବ, ଦରବୃଦ୍ଧି ଓ ଅନିଶ୍ଚିତ ଯୋଗାଣ ଶୃଙ୍ଖଳ ଲାଗି ରହି ଶକ୍ତି କ୍ଷେତ୍ର ସେତେ ଅସୁରକ୍ଷିତ ହେବ। ଶକ୍ତି ସୁରକ୍ଷା ସୁନିଶ୍ଚିତ ହୋଇ ନ ପାରିଲେ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ସହ ତାହା ସାମଗ୍ରିକ ଭାବେ ଅର୍ଥନୀତିକୁ ଦୁର୍ବଳ କରିବ। ତେଣୁ ଦେଶର ଶକ୍ତି ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଅଗ୍ରାଧିକାର ଭିତ୍ତିରେ ଶୀଘ୍ର ନୀଳ ନକସା ପ୍ରସ୍ତୁତ କରାଯାଉ। ତେବେ ଜଳବାୟୁ ସୁରକ୍ଷା ପ୍ରତି ପ୍ରତିବଦ୍ଧତା ଓ ବିକଶିତ ଦେଶ ହେବାର ଆକାଂକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରି ଶକ୍ତି ସୁରକ୍ଷାର ଲକ୍ଷ୍ୟ ହାସଲ କରିବା ହେବ ସବୁଠାରୁ ବଡ଼ ଆହ୍ୱାନ।

Published in Sambad on April 28, 2026

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...