Skip to main content

ସଙ୍କଟରେ କୃଷି ଓ ଖାଦ୍ୟ ସୁରକ୍ଷା

ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଲାଗିବା ପରଠାରୁ ତା’ର ପ୍ରତିକୂଳ ପ୍ରଭାବ ତୁରନ୍ତ ଭାରତରେ ଅନଭୂତ ହେବାକୁ ଲାଗିଲା। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବାଧିତ ହେବାରୁ ଉପସାଗରୀୟ ଦେଶଗୁଡ଼ିକରୁ ଅଶୋଧିତ ତେଲ ଓ ଗ୍ୟାସ ମିଳିବାରେ ସଙ୍କଟ ଦେଖାଦେଲା। ‘ଏଲପିଜି’ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ସହ ସିଲିଣ୍ଡର ପାଇବା ଲାଗି ଲୋକଙ୍କୁ ଲମ୍ୱା ଲାଇନରେ ଠିଆ ହେବାକୁ ହେଲା। ବାଣିଜ୍ୟିକ ସିଲିଣ୍ଡରର ବିତରଣକୁ ବନ୍ଦ କରିଦିଆଯିବାରୁ ହୋଟେଲ, ରେସ୍ତୋରାଁ ଓ ଛୋଟ ଛୋଟ ଦୋକାନୀଙ୍କ ବ୍ୟବସାୟ ବାଧିତ ହେଲା। ଇତିମଧ୍ୟରେ ତୈଳ ବିତରଣ କମ୍ପାନୀଗୁଡ଼ିକ ପ୍ରିମିଅମ ପେଟ୍ରୋଲ ଓ ଔଦ୍ୟୋଗିକ ଡିଜେଲର ମୂଲ୍ୟ ବୃଦ୍ଧି କରିସାରିଲେଣି। ‘ବ୍ରେଣ୍ଟଉଡ୍’ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୧୧୦ ଡଲାରରୁ ଅଧିକ ରହୁଥିବାରୁ ଆଗାମୀ ଦିନରେ ଦେଶରେ ସାଧାରଣ ପେଟ୍ରୋଲ ଓ ଡିଜେଲର ମଧ୍ୟ ଦରବୃଦ୍ଧିର ଆଶଙ୍କା ଦେଖାଦେଲାଣି। ଦେଶରେ ତେଲର ଅଭାବ ନଥିବା ନେଇ ପେଟ୍ରୋଲିଅମ୍ ମନ୍ତ୍ରଣାଳୟ ପକ୍ଷରୁ ଦୃଢ଼ୋକ୍ତି କରାଯାଇଥିଲେ ମଧ୍ୟ ଦେଶ କ୍ରମଶଃ ଇନ୍ଧନ ସଙ୍କଟ ଭିତରକୁ ଠେଲି ହୋଇଯାଉଥିବାର ଅନୁମାନ କରାଯାଉଛି। ଅନ୍ୟ ପକ୍ଷରେ ଦୀର୍ଘ ଦିନ ଧରି ଯୁଦ୍ଧ ଲାଗି ରହିଲେ ଆମଦାନି ରପ୍ତାନି ବାଧାପ୍ରାପ୍ତ ହୋଇ ଆଗାମୀ ଦିନରେ ଯେ ଦେଶରେ କୃଷି ଓ ଖାଦ୍ୟ ସୁରକ୍ଷା ମଧ୍ୟ ସଙ୍କଟଗ୍ରସ୍ତ ହେବ, ଏଥିରେ ସନ୍ଦେହ ନାହିଁ। 

ଦେଶରେ କୃଷି ଏବେ ଅତ୍ୟଧିକ ରାସାୟନିକ ସାର ନିର୍ଭରଶୀଳ ହୋଇସାରିଛି ଓ ସାର ବ୍ୟବହାରର ପରିମାଣ ପ୍ରତିବର୍ଷ ବଢ଼ି ବଢ଼ି ଚାଲିଛି। । ଦେଶରେ ୨୦୧୮-୧୯ରେ ରାସାୟନିକ ସାରର ବ୍ୟବହାର ୫.୩ କୋଟି ଟନ ଥିଲାବେଳେ ୨୦୨୪-୨୫ ସୁଦ୍ଧା ତାହା ପ୍ରାୟ ୭ କୋଟି ଟନ ଛୁଇଁଲାଣି। ଭାରତରେ ୟୁରିଆ ଓ ଡିଏପି ସାର ଦୁଇଟି ସର୍ବାଧିକ ବ୍ୟବହାର ହୋଇଥାଏ। ଏଥିମଧ୍ୟରୁ ଯୁରିଆ ସାରର ପରିମାଣ ୩.୮୮ କୋଟି ଟନ। ତେବେ ଦେଶ ଭିତରେ ୟୁରିଆ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଥିବାରୁ ଏବେ ମାତ୍ର ୧୯ ପ୍ରତିଶତ ୟୁରିଆ ବିଦେଶରୁ ଆମଦାନି କରିବାକୁ ପଡ଼ୁଛି। ଅନ୍ୟ ପକ୍ଷରେ ଫସଫରସ ଥିବା ଡିଏପି ସାରର ବ୍ୟବହାର ପ୍ରାୟ ୧୪ ପ୍ରତିଶତ ହ୍ରାସ ପାଇ ୯୩ ଲକ୍ଷ ଟନରେ ପହଞ୍ଚିଛି। ତେବେ ଦରକୁ ବିବେଚନା କରି ଚାଷୀମାନେ ସିଙ୍ଗଲ ସୁପର ଫସଫେଟ(ଏସଏସପି) ଓ ମ୍ୟୁରେଟ ଅଫ ପଟାସ (ଏମଓପି) ଭଳି ସାରର ପ୍ରୟୋଗକୁ ବଢ଼ାଇଛନ୍ତି। ସେହିପରି ‘ଏନପି’ ଓ ‘ଏନପିକେ’ ସାରର ବ୍ୟବହାର ମଧ୍ୟ ବଢ଼ିଛି। 


ଗତ କିଛି ବର୍ଷ ଧରି ସାର ପାଇଁ ବିଦେଶରୁ ଆମଦାନି ଉପରେ ନିର୍ଭରଶୀଳତା ହ୍ରାସ ପାଇଥିଲେ ବି ଏବେ ମଧ୍ୟ ଦେଶରେ ପ୍ରସ୍ତୁତ ହେଉଥିବା ସାରର କଞ୍ଚାମାଲ ପାଇଁ ବିଦେଶରୁ ଆମଦାନି ଉପରେ ନିର୍ଭର କରିବାକୁ ହେଉଛି। ଯବକ୍ଷାରଜାନ ଜାତୀୟ ସାର ପ୍ରସ୍ତୁତି ଲାଗି ତରଳୀକୃତ ପ୍ରାକୃତିକ ଗ୍ୟାସ (ଏଲଏନଜି)ର ଯଥେଷ୍ଟ ଆବଶ୍ୟକତା ରହିଛି। ଦେଶରେ ପ୍ରତି ମାସ ହାରାହାରି ପ୍ରାୟ ୫୮୦୦ ମିଲିଅନ ମ୍ୟାଟ୍ରିକ୍ ଷ୍ଟାଣ୍ଡାର୍ଡ୍ କ୍ୟୁବିକ ମିଟର (ଏମଏମଏସସିଏମ) ଏଲଏନଜି ବ୍ୟବହାର ହେଉଥିବା ବେଳେ ଘରୋଇ ଉତ୍ପାଦନର ପରିମାଣ ଅଧାରୁ ମଧ୍ୟ କମ୍ । ଗୋଟିଏ ପଟେ ଦେଶରେ ପ୍ରାକୃତିକ ଗ୍ୟାସର ଘରୋଇ ଉତ୍ପାଦନ ହ୍ରାସ ପାଇଥିବା ବେଳେ ଅର୍ଥନୈତିକ ଗତିବିଧି ବୃଦ୍ଧି ପାଇବା ସହିତ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଇଚାଲିଛି। ଘରୋଇ ଉତ୍ପାଦନ ହ୍ରାସ ପାଇବାର ଅନେକ କାରଣ ମଧ୍ୟରୁ ଗ୍ୟାସ କ୍ଷେତ୍ରଗୁଡ଼ିକ ପୁରୁଣା ହେବା ଓ ନୂଆ ଗ୍ୟାସ କ୍ଷେତ୍ର ଖୋଜିବାରେ ସ୍ଥାଣୁତା ଦେଖା ଦେବା ପ୍ରମୁଖ। ଫଳରେ ଦେଶରେ ପ୍ରାକୃତିକ ଗ୍ୟାସ ଆବଶ୍ୟକତାର ପରିପୂରଣ ଲାଗି ବିଦେଶରୁ ଆମଦାନି ଉପରେ ନିର୍ଭରଶୀଳତା ବୃଦ୍ଧି ପାଇଚାଲିଛି। ବସ୍ତୁତଃ, ଭାରତ ବର୍ତ୍ତମାନ ସାରା ବିଶ୍ୱରେ ଚତୁର୍ଥ ସର୍ବାଧିକ ଏଲଏନଜି ଆମଦାନିକାରୀ ଦେଶରେ ପରିଣତ ହୋଇଛି। ଆମଦାନି ହେଉଥିବା ଏଲଏନଜିର ପ୍ରାୟ ୪୦ ପ୍ରତିଶତ ଦୀର୍ଘ ମିଆଦି ଚୁକ୍ତି ମାଧ୍ୟମରେ କାତାରରୁ ଆସିଥାଏ। ଇରାନୀ ଆକ୍ରମଣରେ କାତାରର ମୁଖ୍ୟ ଗ୍ୟାସ ଉତ୍ପାଦନ କେନ୍ଦ୍ର ‘ରାସ୍ ଲାଫାନ’ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ସେଠାରେ ଗ୍ୟାସ ଉତ୍ପାଦନ ଅତିମାତ୍ରାରେ ବାଧାପ୍ରାପ୍ତ ହୋଇଛି। ତାହା ସମ୍ପୂର୍ଣ୍ଣ କାର‌୍ୟ୍ୟକ୍ଷମ ନ ହେଲା ଯାଏଁ ଆପାତତଃ ସେଠାରୁ ଭାରତକୁ ଏଲଏନଜି ଆସିବା ଏକ ପ୍ରକାର ବନ୍ଦ ବୋଲି ଧରିନେବାକୁ ହେବ। ଏହାଛଡ଼ା ଭାରତ କିଛି ପରିମାଣରେ ଏଲଏନଜି ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ, ୟୁଏଇ, ଓମାନ, ନାଇଜେରିଆ, ଆଙ୍ଗୋଲାରୁ ମଧ୍ୟ ଆମଦାନି କରିଥାଏ। ତେଣୁ ଏଲଏନଜିର ପରିପୂର୍ତ୍ତି ପାଇଁ ଭାରତକୁ ଏବେ ହୁଏତ ସ୍ପଟ ମାର୍କେଟରୁ ଅଧିକ ପରିମାଣରେ ଅଧିକ ଦରରେ କିଣିବାକୁ ପଡ଼ିପାରେ। ଦେଶରେ ଉପଲବ୍ଧ ଏଲଏନଜିର ସର୍ବାଧିକ ୨୮ ପ୍ରତିଶତ ସାର କମ୍ପାନୀଗୁଡ଼ିକ ବ୍ୟବହାର କରୁଥିବା ବେଳେ, ପ୍ରାୟ ୨୪ ପ୍ରତିଶତ ଗ୍ୟାସ ପାଇପ ଯୋଗେ ସହରଗୁଡ଼ିକରେ ଯୋଗାଇ ଦିଆଯାଇଥାଏ। ଏତଦଭିନ୍ନ ବିଜୁଳି ଉତ୍ପାଦନ (୧୩ ପ୍ରତିଶତ), ରିଫାଇନେରି (୮ ପ୍ରତିଶତ), ପେଟ୍ରୋକେମିକାଲ (୭ ପ୍ରତିଶତ) ଆଦିରେ ମଧ୍ୟ ଏଲଏନଜିର ବ୍ୟବହାର ହୋଇଥାଏ। ତେବେ ଉପଲବ୍ଧ ଏଲଏନଜିକୁ ସାର କମ୍ପାନୀଗୁଡ଼ିକୁ ଯୋଗାଇବାରେ ପ୍ରାଥମିକତା ପ୍ରଦାନ କରି ସେଗୁଡ଼ିକୁ ଆବଶ୍ୟକତାର ୭୦ ପ୍ରତିଶତ ଯୋଗାଇଦେବା ଲାଗି ସରକାରୀ ଘୋଷଣା ସ୍ୱାଗତଯୋଗ୍ୟ ନିଶ୍ଚୟ। 

ସର୍ବାଧିକ ୟୁରିଆ ସାର ବ୍ୟବାହାରକାରୀ ଦେଶଙ୍କ ତାଲିକାରେ ଭାରତ ରହିଛି। ଦେଶରେ ଯୁରିଆ ଆବଶ୍ୟକତାର ପ୍ରାୟ ୮୧ ପ୍ରତିଶତ ୩୭ଟି କାରଖାନାରେ ଉତ୍ପାଦିତ ହୋଇଥାଏ। ତେବେ ୟୁରିଆ ଉତ୍ପାଦନ ଲାଗି ଆବଶ୍ୟକ ଏଲଏନଜିର ମୂଲ୍ୟ ସମୁଦାୟ କଞ୍ଚାମାଲ ମୂଲ୍ୟର ପ୍ରାୟ ୮୦ ପ୍ରତିଶତ ହୋଇଥିବାରୁ ଏଲଏନଜିର ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେଲେ ଅଥବା ଦର ବୃଦ୍ଧି ହେଲେ ତା’ର ପ୍ରତିକୂଳ ପ୍ରଭାବ ୟୁରିଆର ଉତ୍ପାଦନ ଓ ଦର ଉପରେ ପଡ଼ିଥାଏ। । ମଧ୍ୟ ପ୍ରାଟ୍ୟରେ ଯୁଦ୍ଧ ଲାଗିବା ପରଠାରୁ ଦେଶରେ ଥିବା ୟୁରିଆ ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଏଲଏନଜି ମିଳିପାରୁ ନାହିଁ। ଫଳରେ ଅଧିକାଂଶ କମ୍ପାନୀ ସେମାନଙ୍କ ସାର ଉତ୍ପାଦନକୁ ପ୍ରାୟ ୫୦ ପ୍ରତିଶତ ହ୍ରାସ କରିସାରିଲେଣି। ଏହି ସ୍ଥିତି ଆଉ କିଛି ଦିନ ଲାଗି ରହିଲେ ଦେଶରେ ୟୁରିଆ ସାରର ଉତ୍ପାଦନ ଯଥେଷ୍ଟ ହ୍ରାସ ପାଇ ବିକଟ ପରିସ୍ଥିତି ଦେଖାଦେଇ ପାରେ। ଦେଶର ୟୁରିଆ ସାରର ନିଅଣ୍ଟକୁ ଭରଣା କରିବା ଲାଗି ବିଦେଶରୁ ଆମଦାନି ବଢ଼ାଇବାକୁ ହେବ। ବସ୍ତୁତଃ ବ୍ରାଜିଲ ପଛକୁ ଭାରତ ହେଉଛି ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ୟୁରିଆ ଆମଦାନିକାରୀ ଦେଶ। ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତ ବିଭିନ୍ନ ଦେଶରୁ ପ୍ରାୟ ୬୯ ଲକ୍ଷ ମେଟ୍ରିକ ଟନ ୟୁରିଆ ଆମଦାନି କରିଥିଲା। ଏହାର ସିଂହଭାଗ (ପ୍ରାୟ ୪୩ ପ୍ରତିଶତ) ଓମାନରୁ ଆସିଥିବା ବେଳେ ରୁଷିଆ, କାତାର, ୟୁଏଇ ଓ ସାଉଦି ଆରବରୁ ବି କିଛି ପରିମାଣରେ ୟୁରିଆ ଆମଦାନି ହୋଇଥାଏ। ଉପରୋକ୍ତ ଦେଶଗୁଡ଼ିକ ମଧ୍ୟରୁ କେବଳ ରୁଷିଆକୁ ବାଦ୍ ଦେଲେ ଅନ୍ୟ ଦେଶଗୁଡ଼ିକ ହର୍ମୁଜ ପ୍ରଣାଳୀ ଦେଇ ରପ୍ତାନୀ କରୁଥିବାରୁ ସେମାନଙ୍କଠାରୁ ୟୁରିଆ ମିଳିବା ବାଧିତ ହୋଇପାରେ। ଭାରତ ବିଦେଶରୁ ଯେଉଁ ପରିମାଣର ସାର ଆମଦାନି କରିଥାଏ ତା'ର ସିଂହଭାଗ ହର୍ମୁଜ ପ୍ରଣାଳୀ ଦେଇ ଆସିଥାଏ। ଯେମିତି ୭୨ ପ୍ରତିଶତ ୟୁରିଆ, ୬୦ ପ୍ରତିଶତ ଯବକ୍ଷାରଜାନ ଓ ଫସଫରସ, ୪୦ ପ୍ରତିଶତ ଡିଏପି ଓ ୨୩ ପ୍ରତିଶତ ଫସଫରସ ଓ ପଟାସିଅମ ସାର। ଏତଦଭିନ୍ନ ପ୍ରାୟ ୫ ପ୍ରତିଶତ ଲେଖାଏଁ ଏମଓପି, ଏନପିକେ ଓ ପଟାସିଅମ ସଲଫେଟ ସାର ମଧ୍ୟ ଏହି ଜଳପଥ ଦେଇ ଆସିଥାଏ। ଦୀର୍ଘ ମିଆଦୀ ଚୁକ୍ତି ବଳରେ ଏ ସବୁ ଆମଦାନି ହେଉଥିବାରୁ ତାହା ଅପେକ୍ଷାକୃତ ଶସ୍ତା ଦରରେ ଉପଲବ୍ଧ ହୋଇଥାଏ। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସ୍ୱାଭାବିକ ନହେଲେ ଭାରତକୁ ବିକଳ୍ପର ସନ୍ଧାନ କରିବାକୁ ହେବ। ଅବଶ୍ୟ ରୁଷିଆ ଓ କାନାଡ଼ା ବିଶ୍ୱର ସର୍ବାଧିକ ସାର ରପ୍ତାନିକାରୀ ଦେଶ ହୋଇଥିବାରୁ ସେମାନଙ୍କଠାରୁ ସାର ମିଳିବାରେ ଅସୁବିଧା ହୋଇ ନପାରେ। ହେଲେ ଦର ଅଧିକ ଦେବାକୁ ପଡ଼ିପାରେ। ତେବେ ଆଶ୍ୱାସନାର ବିଷୟ ହେଉଛି ମାର୍ଚ୍ଚ ୧୯ ତାରିଖରେ ଦେଶରେ ୬୧.୧୪ ଲକ୍ଷ ଟନ ୟୁରିଆ ସାର ମହଜୁଦ ରହିଥିବାରୁ ତାତ୍କାଳିକ ସଂକଟ ଦେଖା ଦେଇ ନପାରେ। 

ଯୁଦ୍ଧ ଲାଗିବା ପରେ ସାରା ବିଶ୍ୱରେ ରାସାୟନିକ ସାରର ଦର ହୁ ହୁ ହୋଇ ବଢ଼ିବାକୁ ଲାଗିଲା। ଉଦାହରଣ ସ୍ୱରୂପ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଯେଉଁ ୟୁରିଆର ଟନ ପିଛା ଦର ୪୮୪ ଡଲାର ଥିଲା, ତାହା ଯୁଦ୍ଧ ଲାଗିବା ପରେ ୫୯୭ ଡଲାର ଯାଏଁ ବଢ଼ିଗଲା । ଅର୍ଥାତ୍ ଭାରତରେ ଯେଉଁ ୪୫ କେଜି ୟୁରିଆ ବସ୍ତାଟି ଚାଷୀଙ୍କୁ ୨୪୫ ଟଙ୍କାରେ ମିଳୁଛି ତା’ର ଅନ୍ତର୍ଜାତୀୟ ବଜାରରେ ଦର ଏବେ ପ୍ରାୟ ୨୪୭୦ ଟଙ୍କା ବା ୧୦ ଗୁଣରୁ ବି ଅଧିକ। ସାରର ଦର ବୃଦ୍ଧି ନ କରି ପୂର୍ବ ମୂଲ୍ୟରେ ଯୋଗାଇବାକୁ ହେଲେ ସରକାରଙ୍କୁ ସାର ବାବଦରେ ଅଧିକ ସବସିଡ଼ିର ପ୍ରାବଧାନ କରିବାକୁ ହେବ। ଉଲ୍ଲେଖଯୋଗ୍ୟ ଯେ ୨୦୨୭ ଆର୍ଥିକ ବର୍ଷରେ ସାର ସବସିଡ଼ି ବାବଦକୁ ୧.୭୧ ଲକ୍ଷ କୋଟି ଟଙ୍କାର ବଜେଟୀୟ ପ୍ରାବଧାନ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ୮ ପ୍ରତିଶତ କମ୍।             

ଚାଷରେ ରାସାୟନିକ ସାରର ପ୍ରୟୋଗ କରି ଉତ୍ପାଦିତ ଖାଦ୍ୟ ଶସ୍ୟ ମାଧ୍ୟମରେ ଦେଶର ୧୪୦ କୋଟି ଲୋକଙ୍କ ମୁହଁରେ ଦାନା ପହଞ୍ଚାଇ ହେଉଛି। ପ୍ରକାରାନ୍ତରେ ଆମ ଖାଦ୍ୟ ସୁରକ୍ଷା ଏବେ ଅତିମାତ୍ରାରେ ଚାଷରେ ରାସାୟନିକ ସାର ପ୍ରୟୋଗ ଉପରେ ନିର୍ଭର କରୁଛି। ତେଣୁ ସାର ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି ସରକାର ପ୍ରୟାସ କରୁଥିଲେ ବି ଆବଶ୍ୟକ କଞ୍ଚାମାଲ ପାଇଁ ଆମକୁ ବିଦେଶରୁ ଆମଦାନି ଉପରେ ନିର୍ଭର କରିବାକୁ ହେଉଛି। ଯୁଦ୍ଧ ଓ ଅଶାନ୍ତି ଲାଗି ରହିଲେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇ ଆମ କୃଷି ଓ ଖାଦ୍ୟ ସୁରକ୍ଷା ସଂକଟଗ୍ରସ୍ତ ହେବ। ତେଣୁ ଏହି ଆସନ୍ନ ସଂକଟର ମୁକାବିଲା କରିବା ଲାଗି ଆମକୁ ସତର୍କତା ଅବଲମ୍ୱନ ପୂର୍ବକ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। ସାର କମ୍ପାନୀଗୁଡ଼ିକରେ ବ୍ୟବହୃତ  ଏଲଏନଜିର ପ୍ରାୟ ୬୫ ପ୍ରତିଶତ ଦୀର୍ଘ ମିଆଦି ଚୁକ୍ତି ମାଧ୍ୟମରେ ବିଦେଶରୁ ଆସୁଥିବା ବେଳେ ୧୫ ପ୍ରତିଶତ ତାତ୍କାଳିକ ବଜାର (ସ୍ପଟ ମାର୍କେଟ)ରୁ ସଂଗୃହୀତ ହୋଇଥାଏ। କୌଣସି କାରଣରୁ ପ୍ରଥମ ବ୍ୟବସ୍ଥାଟି ବାଧିତ ହେଲେ ଆମକୁ ସ୍ପଟ୍ ମାର୍କେଟରୁ କ୍ରୟ ବଢ଼ାଇବାକୁ ହେବ। ସେଥିପାଇଁ ଏକ ସ୍ୱତନ୍ତ୍ର ପାଣ୍ଠିର ଆବଶ୍ୟକତା ରହିଛି। ସରକାର ଏବେ ୬୦୦ କୋଟି ଟଙ୍କା ବିନିଯୋଗରେ ଏଭଳି ଏକ ପାଣ୍ଠି ଗଠନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ପାଣ୍ଠିର ଆକାର ବଢ଼ାଇବାକୁ ପଡ଼ିପାରେ। ଅଧିକ ସାର ଆବଶ୍ୟକ କରୁଥିବା ଧାନ, ଗହମ, ମକା ଭଳି ଚାଷର କୃଷିକ୍ଷେତ୍ରକୁ ହ୍ରାସ କରି ଫସଲର ବିବିଧୀକରଣ ଲାଗି ଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ ହେବ। ଏଥିପାଇଁ ଶସ୍ୟ ସଂଗ୍ରହ, ସବସିଡ଼ି ନୀତି ଆଦିର ପୁନର୍ବିବେଚନାର ଆବଶ୍ୟକତା ରହିଛି। ସଚେତନତା ଅଭାବରୁ ଅନେକ ଚାଷୀ ୟୁରିଆ ସାରର ଅନାବଶ୍ୟକ ପ୍ରୟୋଗ କରୁଥିବାରୁ ତାକୁ ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ନିଆଯିବା ଆବଶ୍ୟକ। ଜୈବିକ କୃଷି ଓ ପ୍ରାକୃତିକ କୃଷି ଲାଗି ଯୋଜନାମାନ ତିଆରି ହୋଇଥିଲେ ବି ସେଗୁଡ଼ିକ ଆଶାନୁରୂପ ଆଦୃତି ଲାଭ ନ କରିବା ଚିନ୍ତାଜନକ। 

ଯୁଦ୍ଧ ପରିସ୍ଥିତି ଲାଗି ରହିଲେ ଓଡ଼ିଶାରେ ସମ୍ଭାବ୍ୟ ସାର ସଙ୍କଟର ଆକଳନ କରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ତତ୍ପରତା ପ୍ରଦର୍ଶନ କରିବାକୁ ହେବ, ଯଦ୍ଦ୍ୱାରା ଆଗାମୀ ଖରିଫ ଋତୁରେ ଚାଷୀମାନଙ୍କୁ ହଇରାଣ ହେବାକୁ ପଡ଼ିବ ନାହିଁ। ସାରର ଆବଶ୍ୟକତାକୁ ହ୍ରାସ କରିବା ଲାଗି ଫସଲ ବିବିଧୀକରଣ ଉପରେ ଗୁରୁତ୍ୱ ଦେବାକୁ ହେବ। ପ୍ରସଙ୍ଗ କ୍ରମେ ଓଡ଼ିଶାରେ ମାଣ୍ଡିଆ ମିସନର ସଫଳତା ଫସଲ ବିବିଧୀକରଣର ଏକ ପ୍ରକୃଷ୍ଟ ଉଦାହରଣ ହୋଇଥିବାରୁ ସେଥିରୁ ଶିକ୍ଷାଲାଭ କରି କମ୍ ସାର ଆବଶ୍ୟକ କରୁଥିବା ଅନ୍ୟ ଫସଲର କ୍ଷେତ୍ର ସମ୍ପ୍ରସାରଣ ଲାଗି ତତ୍ପରତା ପ୍ରକାଶ ପାଇବା ଆବଶ୍ୟକ।

ଅଶାନ୍ତ ବିଶ୍ୱରେ କୃଷି ଓ ଖାଦ୍ୟ ସୁରକ୍ଷା ସଂକଟଗ୍ରସ୍ତ ହେବା ଅବଶ୍ୟମ୍ଭାବୀ। ତେବେ ଭାରତ ଭଳି ୧୪୦ କୋଟି ଜନସଂଖ୍ୟା ବିଶିଷ୍ଚ ଏକ ଜନବହୁଳ ଦେଶରେ ଲୋକଙ୍କ ଖାଦ୍ୟସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ଲାଗି ଏକ ବୃହତ୍ତର ଆହ୍ୱାନ ହୋଇଥିବାରୁ ସେଥିପାଇଁ ପାଦେ ପାଦେ ସତର୍କତା ଅବଲମ୍ୱନର ଆବଶ୍ୟକତା ରହିଛି।


Published in Sambad on March 28, 2026

 

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...