ପ୍ରତ୍ୟେକ କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇ ଦେଶର ସ୍ୱାର୍ଥରକ୍ଷା ହେବା ସହିତ ଜନସ୍ୱାର୍ଥ ସୁରକ୍ଷିତ ରହିବା ସମସ୍ତଙ୍କର କାମ୍ୟ। ତେବେ ଦେଶର ସ୍ୱାର୍ଥରକ୍ଷା ଆଢ଼ୁଆଳରେ ଦୁର୍ନୀତି ମୁଣ୍ଡ ଟେକିଲେ, ତାହା ଉଭୟ ଦେଶ ଓ ଜନସ୍ୱାର୍ଥ ବିରୋଧୀ ହୋଇଥାଏ। ଇସ୍ପାତ କ୍ଷେତ୍ରରେ ହୋଇଥିବା ଏପରି ଏକ ବଡ଼ ଧରଣର ଦୁର୍ନୀତି ଏବେ ‘କମ୍ପିଟିସନ କମିସନ’ ମାଧ୍ୟମରେ ଜଣାପଡ଼ିଛି, ଯାହା ଅତ୍ୟନ୍ତ ଉଦବେଗଜନକ।
ଊନବିଂଶ ଶତାବ୍ଦୀର ଶେଷ ଦଶକ ବେଳକୁ ଆମେରିକାରେ ବଡ଼ ବଡ଼ ଶିଳ୍ପ ଟ୍ରଷ୍ଟଗୁଡିକ ଏତେ ଅଧିକ ଶକ୍ତିଶାଳୀ ହୋଇଯାଇଥିଲେ ଯେ ସେମାନଙ୍କ ମନମୁଖୀ ଓ ଏକଚାଟିଆ କାର୍ଯ୍ୟରେ ସାଧାରଣ ଗ୍ରାହକ ଅତିଷ୍ଠ ହେଲେ। ତେଣୁ କମ୍ପାନୀଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ମାଧ୍ୟମରେ ଖାଉଟିଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିବା ଲାଗି ୧୮୯୦ ମସିହାରେ ‘ସେରମାନ ଆକ୍ଟ’ କାର୍ଯ୍ୟକାରୀ ହେଲା। ଏହା ଥିଲା ଏକ ଏଣ୍ଟିଟ୍ରଷ୍ଟ ବା ଏକଚାଟିଆ-ବିରୋଧୀ ଆଇନ। ସମୟ କ୍ରମେ ବିଭିନ୍ନ ଦେଶରେ ଏପରି ଏକଟାଟିଆ ବିରୋଧୀ ଆଇନର ପ୍ରଣୟନ ହେବାକୁ ଲାଗିଲା। ଭାରତରେ ୧୯୬୯ ମସିହାରେ ପ୍ରଣୀତ ଏହି ଆଇନର ନାମ ଥିଲା ‘ମନୋପଲିଜ୍ ଆଣ୍ଡ ରେଷ୍ଟ୍ରିକ୍ଟିଭ ଟ୍ରେଡ ପ୍ରାକ୍ଟିସେସ’ (ଏମଆରଟିପି)। ତେବେ, ୨୦୦୨ ମସିହାରେ ଏହା ସ୍ଥାନରେ ପ୍ରଣୀତ ହୋଇଛି ‘କମ୍ପିଟିସନ ଆଇନ’। ଏହି ଆଇନର ଉଦ୍ଦେଶ୍ୟ ହେଉଛି ପ୍ରତିଯୋଗିତା ବିରୋଧୀ କାର୍ଯ୍ୟକଳାପ ଓ ଆଧିପତ୍ୟର ଅପବ୍ୟବହାରକୁ ପ୍ରତିରୋଧ କରିବା ମାଧ୍ୟମରେ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେବା। ଏହା ସହିତ କମ୍ପାନୀର ସମ୍ମିଶ୍ରଣ, ଏକତ୍ରୀକରଣ ଏବଂ ଅଧିଗ୍ରହଣ ଦ୍ୱାରା ଯେପରି ପ୍ରତିଯୋଗିତାମୂଳକ ମନୋଭାବକୁ କ୍ଷୁଣ୍ଣ ନ ହୁଏ, ତାହା ସୁନିଶ୍ଚିତ କରିବା। ଏହି ଆଇନକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ‘ଭାରତୀୟ କମ୍ପିଟିସନ କମିସନ’ ବା ‘ସି.ସି.ଆଇ.’ଙ୍କ ଉପରେ ନ୍ୟସ୍ତ। ଅତୀତରେ ‘ସି.ସି.ଆଇ.’ ପକ୍ଷରୁ ଆଧିପତ୍ୟର ଅପବ୍ୟବହାର ଲାଗି ଗୁଗୁଲ ଓ ମେଟା ପରି କମ୍ପାନୀ ଓ ଡିଜିଟାଲ ବେପାରରେ ପକ୍ଷପାତମୂଳକ ଆଚରଣ ଲାଗି ଆମାଜନ ଓ ଫ୍ଲିପକାର୍ଟ ପରି କମ୍ପାନୀଙ୍କ ଉପରେ ଜୋରିମାନା ଲଗା ଯାଇଛି। ସେହିପରି ବୃହତ୍ ସିମେଣ୍ଟ ଉତ୍ପାଦନକାରୀ, ଯାନବାହାନ ଉତ୍ପାଦନକାରୀ ଓ ବିମାନ ଚଳାଚଳ କମ୍ପାନୀଗୁଡ଼ିକର ଅନୈତିକ ଗୋଷ୍ଠୀ (କାର୍ଟେଲ) ଗଠନ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନିଆଯାଇଛି। ସିମେଣ୍ଟ ଉତ୍ପାଦକଙ୍କ କାର୍ଟେଲ ବିରୁଦ୍ଧରେ ‘ସି.ସି.ଆଇ’. ଲଗାଇଥିବା ଜୋରିମାନାର ପରିମାଣ ଥିଲା ୬୭୧୫ କୋଟି ଟଙ୍କା। ଏହା ସତ୍ତ୍ୱେ ଦେଶରେ ପ୍ରତିଯୋଗିତା ଆଇନକୁ ଉଲ୍ଲଂଘନ କରିବାର ପ୍ରବଣତା ବୃଦ୍ଧି ପାଉଛି। ଏହାର ସଦ୍ୟତମ ଉଦାହରଣ ହେଉଛି ପ୍ରମୁଖ ଇସ୍ପାତ ଉଦ୍ୟୋଗଗୁଡ଼ିକ କାର୍ଟେଲ ଗଢ଼ି ତା’ ମାଧ୍ୟମରେ ଇସ୍ପାତର କୃତ୍ରିମ ଦରବୃଦ୍ଧି କରିଛନ୍ତି। ଏହା ହେଉଛି ଦେଶ ଓ ଦେଶବାସୀଙ୍କୁ ଠକିବାର ଏକ ଷଡ଼ଯନ୍ତ୍ର।
ଉପରୋକ୍ତ ଷଡ଼ଯନ୍ତ୍ରର ଆଭାସ ମିଳିଥିଲା ୨୦୨୦ ମସିହାରେ। କୋଭିଡ ମହାମାରୀର ମୁକାବିଲାରେ ସମସ୍ତେ ଅସ୍ତବ୍ୟସ୍ତ ଥିଲା ବେଳେ ସମସ୍ତଙ୍କ ଅଲକ୍ଷ୍ୟରେ ଇସ୍ପାତର ଦର ହୁହୁ ହୋଇ ବଢ଼ି ଚାଲିଥିଲା। ଏ ସମ୍ପର୍କରେ ତାମିଲନାଡୁସ୍ଥିତ ‘କୋଏମ୍ୱାଟୁର କର୍ପୋରେସନ କଣ୍ଟ୍ରାକ୍ଟର୍ସ ୱେଲଫେୟାର ଆସୋସିଏସନ’ କେନ୍ଦ୍ର ସରକାର ଓ ତାମିଲନାଡ଼ୁ ରାଜ୍ୟ ସରକାରଙ୍କ ଧ୍ୟାନ ଆକର୍ଷଣ କରିଥିଲା। ସେମାନଙ୍କ ଅଭିଯୋଗ ଥିଲା ଯେ ଗତ ୬ ମାସ ମଧ୍ୟରେ ଇସ୍ପାତର ଦର କ୍ୱିଣ୍ଟାଲ ପିଛା ପ୍ରାୟ ୫୫ ପ୍ରତିଶତ ବଢ଼ି ୩୬୦୦ ଟଙ୍କାରୁ ୫୫୦୦ ଟଙ୍କା ହୋଇଯାଇଛି। ଅଭିଯୋଗ ଅନୁଯାୟୀ ପ୍ରମୁଖ ଇସ୍ପାତ ଉତ୍ପାଦକମାନେ ଯୋଗାଣ ହ୍ରାସ କରି ଇସ୍ପାତର କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ଓ ତା’ରି ମାଧ୍ୟମରେ ଅନୈତିକ ଭାବେ ଦର ବୃଦ୍ଧି କରିଚାଲିଛନ୍ତି। ଫଳରେ ପ୍ରକଳ୍ପଗୁଡ଼ିକର ବ୍ୟୟ ଅଟକଳ ଆଶାତୀତ ବୃଦ୍ଧି ପାଇଛି ଏବଂ ସେମାନଙ୍କର ବିପୁଳ କ୍ଷତି ହେବାର ଆଶଙ୍କା ସୃଷ୍ଟି ହେଇଛି। ସମସ୍ୟାର ସମାଧାନ ନ ହେବା ଦେଖି ଶେଷରେ ସେମାନେ ୨୦୨୧ ମସିହାରେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରତିଯୋଗିତା ଆଇନର ଉଲ୍ଲଂଘନ ହୋଇଥିବା କଥା ଅନୁଭବ କରି ସେହି ବର୍ଷ ଜୁଲାଇ ୨୯ ତାରିଖ ଦିନ ହାଇକୋର୍ଟ ଏ ବିଷୟରେ ଅଧିକ ତଦନ୍ତ ଲାଗି ‘ସି.ସି.ଆଇ.’ଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପ୍ରାଥମିକ ପର୍ୟ୍ୟାୟରେ ‘ସି.ସି.ଆଇ.’ ଦ୍ୱାରା ୯ଟି ବଡ଼ କମ୍ପାନୀର କଥିତ ଅନୁଚିତ କର୍ମ ଉପରେ ତଦନ୍ତ କେନ୍ଦ୍ରିତ ଥିଲା। ପରବର୍ତ୍ତୀ ସମୟରେ ଛୋଟ ବଡ଼ ଅନେକ କମ୍ପାନୀ ଉପରେ ଚଢ଼ଉ ପରେ ୩୧ଟି କମ୍ପାନୀ ତଦନ୍ତ ପରିସରଭୁକ୍ତ ହେଲେ। ଏହି କମ୍ପାନୀଗୁଡ଼ିକର ବରିଷ୍ଠ ଅଧିକାରୀମାନଙ୍କ ହ୍ୱାଟସ୍ ଆପ୍ ବାର୍ତ୍ତା ବିନିମୟର ତର୍ଜମା ପରେ ତହିଁରୁ ଅଭିସନ୍ଧି ଜଣା ପଡ଼ିଥିଲା। ବର୍ଷ ବର୍ଷ ଧରି ଦର ନିର୍ଦ୍ଧାରଣର ସ୍ୱରୂପ, ବଜାର ଆଚରଣ ଓ ଦଲିଲମୂଳକ ପ୍ରମାଣକୁ ଆଧାର କରି ହୋଇଥିବା ତଦନ୍ତରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସମ୍ପୃକ୍ତ କମ୍ପାନୀଗୁଡ଼ିକ ସଲାସୁତୁରା କରି ଅନୈତିକ ଭାବେ ଇସ୍ପାତର ଦରବୃଦ୍ଧି କରିଥିଲେ। ‘ସି.ସି.ଆଇ.’ ଦ୍ୱାରା ଏ ପର୍ୟ୍ୟନ୍ତ ଚୂଡ଼ାନ୍ତ ଆଦେଶ ପ୍ରକାଶ ପାଇ ନଥିଲେ ହେଁ ସମ୍ୱାଦ ସରବରାହ ସଂସ୍ଥା ରଏଟର୍ସ ଅନୁସାରେ ‘ସି.ସି.ଆଇ.’ର ୨୦୨୫ ମସିହା ଅକ୍ଟୋବର ମାସର ଆଦେଶ ଆଧାରରେ କୁଆଡ଼େ ଜେଏସଡବ୍ଲ୍ୟୁ ଷ୍ଟିଲ, ଟାଟା ଷ୍ଟିଲ, ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ୍) ସମେତ ୨୮ଟି କମ୍ପାନୀ ପ୍ରତିଯୋଗିତା ଆଇନର ଉଲ୍ଲଂଘନ କରିଥିଲେ। ଏହି ସବୁ କମ୍ପାନୀର ୫୬ ଜଣ ବରିଷ୍ଠ ଅଧିକାରୀଙ୍କୁ ଏଥିପାଇଁ ବ୍ୟକ୍ତିଗତ ଭାବେ ଦାୟୀ କରାଯାଇଛି, ଯେଉଁମାନଙ୍କ ଭିତରେ ଅଛନ୍ତି ସେଲର ୪ ଜଣ ପୂର୍ବତନ ଅଧ୍ୟକ୍ଷ।
କମ୍ପିଟିସନ୍ ଆଇନର ଉଲ୍ଲଂଘନ ଲାଗି ଦୋଷୀ ସାବ୍ୟସ୍ତ ହେଲେ କମ୍ପାନୀଗୁଡ଼ିକ ଉପରେ ବିପୁଳ ପରିମାଣର ଜୋରିମାନା ଲାଗିପାରେ। ନିୟମ ଅନୁଯାୟୀ ଆଇନର ଉଲ୍ଲଂଘନ ହୋଇଥିବା ବର୍ଷଗୁଡ଼ିକରେ କମ୍ପାନୀଗୁଡ଼ିକ କରିଥିବା ଲାଭ ପରିମାଣର ତିନି ଗୁଣ ବା ସେମାନଙ୍କ କାରବାର (ଟର୍ନଓଭର)ର ୧୦ ପ୍ରତିଶତ ମଧ୍ୟରୁ ଯେଉଁଟି ଅଧିକ, ତାହା ଜୋରିମାନା ରାଶିର ପରିମାଣ ହେବ। ତା’ ଛଡ଼ା ସମ୍ପୃକ୍ତ ଅଧିକାରୀମାନଙ୍କ ଉପରେ ମଧ୍ୟ ଅଲଗା ଭାବେ ଜୋରିମାନା ଲଗାଯାଇପାରେ। ୨୦୧୫ରୁ ୨୦୨୩ ମସିହା ମଧ୍ୟରେ ଭିନ୍ନ ଭିନ୍ନ କମ୍ପାନୀଙ୍କ ଦ୍ୱାରା ଆଇନର ଉଲ୍ଲଂଘନ ହୋଇଥିବା ବିଷୟ ଜଣାପଡ଼େ। କେବଳ ୨୦୨୦-୨୧ ଆର୍ଥିକ ବର୍ଷରେ ଜେଏସ ଡବଲ୍ୟୁ, ଟାଟା ଷ୍ଟିଲ ଓ ସେଲର ଲାଭର ପରିମାଣ ଯଥାକ୍ରମେ ୭୮୭୨, ୧୬,୬୯୫ ଓ ୩୮୫୦ କୋଟି ଟଙ୍କା ଥିଲା। ଏଥିରୁ ସହଜରେ ଅନୁମେୟ ଯେ ସିସିଆଇ ଦ୍ୱାରା ଜୋରିମାନାର ପରିମାଣ ହଜାର ହଜାର କୋଟି ଟଙ୍କା ହେବ। ଅବଶ୍ୟ ଚୂଡ଼ାନ୍ତ ଆଦେଶ ପ୍ରକାଶ ପାଇବା ପରେ ଯାଇ ସ୍ଥିତି ଅଧିକ ସ୍ପଷ୍ଟ ହେବ। ସମ୍ପୃକ୍ତ କମ୍ପାନୀଗୁଡ଼ିକ ଦୋଷ ଅସ୍ୱୀକାର କରିବା ସ୍ୱାଭାବିକ। ଫଳରେ ମାମଲା କୋର୍ଟ କଚେରୀକୁ ଯାଇପାରେ ଓ ସେଠାରେ ବର୍ଷ ବର୍ଷ ଧରି ପଡ଼ି ରହିପାରେ।
ଇସ୍ପାତ ଏକ ଗୌଣ ଶିଳ୍ପ ନୁହେଁ, ଏହା ଏକ ପ୍ରମୁଖ ଉଦ୍ୟୋଗ। ବ୍ୟକ୍ତିଗତ ଗୃହ ନିର୍ମାଣଠାରୁ ନେଇ ବିଶାଳ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକ ପର୍ୟ୍ୟନ୍ତା ସବୁଥିରେ ଏକ ପ୍ରମୁଖ ଆବଶ୍ୟକତା ହେଉଛି ଇସ୍ପାତ। ତେଣୁ କୃତ୍ରିମ ଉପାୟରେ ଦର ବୃଦ୍ଧି କରାଗଲେ ତା’ର ପ୍ରତିକୂଳ ପ୍ରଭାବ ରାଷ୍ଟ୍ର ଓ ନାଗରିକଙ୍କ ଉପରେ ପଡ଼ିବା ସହିତ ତା’ ଦ୍ୱାରା ଅର୍ଥନୀତି ପ୍ରଭାବିତ ହୋଇଥାଏ। ଏହାଦ୍ୱା ବାସଗୃହର ମୂଲ୍ୟ ଅହେତୁକ ବୃଦ୍ଧି ପାଏ। ଭିତ୍ତିଭୂମି ବିକାଶର ଗତି ମନ୍ଥର ହୁଏ। ମାନୁଫେକଚରିଂ କ୍ଷେତ୍ର ପ୍ରତିଯୋଗିତା କରିବାର କ୍ଷମତା ହରାଏ। ଏହାର ତରଙ୍ଗ ପ୍ରଭାବ ଏତେ ସୁଦୂର ପ୍ରସାରୀ ହୋଇଥାଏ ଯେ ଏହା ସଂଖ୍ୟାଧିକ କ୍ଷେତ୍ରର କ୍ଷତିସାଧନ କରିଥାଏ। ତେବେ, ଏହି ଦୁଃସ୍ଥିତି ଉପୁଜିବା ପଛର ଅନ୍ୟତମ କାରଣ ହେଉଛି ଭାରତର ଇସ୍ପାତ ଉତ୍ପାଦନର ୮୪ ପ୍ରତିଶତ ଘରୋଇ ଉଦ୍ୟୋଗଙ୍କ ନିକଟରେ ରହିଛି। ପ୍ରମୁଖ କମ୍ପାନୀଙ୍କ ମଧ୍ୟରେ ସର୍ବାଧିକ ୧୭ ପ୍ରତିଶତ ଜେଏସଡବ୍ଲ୍ୟୁ ଷ୍ଟିଲ ନିକଟରେ ଥିବାବେଳେ, ଟାଟା ଷ୍ଟିଲ ନିକଟରେ ୧୪ ପ୍ରତିଶତ ଓ ସେଲ ନିକଟରେ ପ୍ରାୟ ୧୨ ପ୍ରତିଶତ ରହିଛି। ଅର୍ଥାତ୍ ୫-୬ଟି ପ୍ରମୁଖ କମ୍ପାନୀଙ୍କ ନିକଟରେ ଭାରତର ଇସ୍ପାତ ଉତ୍ପାଦନ କ୍ଷମତାର ୫୦ ପ୍ରତିଶତରୁ ଅଧିକ ଥିବାରୁ ସେମାନେ ଚାହିଁଲେ ଅନୈତିକ ଭାବେ ସଲାସୁତୁରା (କାର୍ଟେଲ) କରି ବଜାରରେ କୃତ୍ରିମ ଅଭାବ ସହ ଦରବୃଦ୍ଧି କରାଇପାରିବେ।
ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ସରକାରଙ୍କ ଲକ୍ଷ୍ୟ ଏବଂ ତାହା ହେବା ଉଚିତ ମଧ୍ୟ। ଏଥିପାଇଁ ସରକାରଙ୍କ ଅନେକ ନୀତି ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ଓ ଇସ୍ପାତ ଆମଦାନୀକୁ ହ୍ରାସ କରିବା ଲାଗି ଉଦ୍ଦିଷ୍ଟ। ଏହା ସତ ଯେ ବିଦେଶରୁ ଇସ୍ପାତ ଆମଦାନୀ ସୁଗମ ହେଲେ ଦେଶରେ ଖାଉଟିଙ୍କୁ ତାହା ଅପେକ୍ଷାକୃତ କମ ଦରରେ ଉପଲବ୍ଧ ହୁଅନ୍ତା। ଏଭଳି ସ୍ଥିତିରେ ଇସ୍ପାତ ଉଦ୍ୟୋଗଗୁଡ଼ିକ ପକ୍ଷରେ ପ୍ରତିଯୋଗିତାକ୍ଷମ ହେବା କଷ୍ଟକର ହୁଅନ୍ତା। ତେଣୁ ଆମ ଦେଶରେ ଇସ୍ପାତ ଉଦ୍ୟୋଗକୁ ସୁରକ୍ଷା ଦିଆଯାଉଛି, ଯେଉଁଥି ଲାଗି ଚାପ ସୃଷ୍ଟି କରୁଛି ଇସ୍ପାତ ଲବି। ଏହି ଲବିର ଯୁକ୍ତି ହେଲା ଇସ୍ପାତ ଆମଦାନୀକୁ ସୁଗମ କରିଦେଲେ ଭାରତୀୟ ଇସ୍ପାତ ଉଦ୍ୟୋଗ ପ୍ରତିଯୋଗିତା କରି ନ ପାରି ରୁଗ୍ଣ ହୋଇପଡ଼ିବ, ଫଳରେ ନିଯୁକ୍ତି ହ୍ରାସ ପାଇବ ଏବଂ ଦେଶ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ ନାହିଁ। ତେଣୁ ଶସ୍ତା ଇସ୍ପାତ ଆମଦାନୀ ଉପରେ ରୋକ ଲଗାଇବା ପାଇଁ ଏକ ବିସ୍ତୃତ ଗୁଣବତ୍ତା ନିୟନ୍ତ୍ରଣ ଆଦେଶ (କ୍ୱାଲିଟି କଣ୍ଟ୍ରୋଲ ଅର୍ଡର- କ୍ୟୁସିଓ) ପାରିତ ହୋଇଥିଲା। ଏହି କ୍ୟୁସିଓ ଅନୁଯାୟୀ ଭାରତକୁ ଇସ୍ପାତ ରପ୍ତାନୀ କରିବାକୁ ଆଗ୍ରହୀ ବିଦେଶୀ କମ୍ପାନୀକୁ ଭାରତରେ ‘ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ’ ନିକଟରୁ ଲାଇସେନ୍ସ ହାସଲ କରିବାକୁ ହେବ। ଇସ୍ପାତ ଉଦ୍ୟୋଗକୁ ପ୍ରଦତ୍ତ ଏହି ସଂରକ୍ଷଣ ବିଦେଶୀ ଇସ୍ପାତ ଆମଦାନୀକୁ ନିରୁତ୍ସାହିତ କରିବା ସହ ଘରୋଇ ଉଦ୍ୟୋଗଗୁଡ଼ିକୁ ଏକପ୍ରକାର ବିଦେଶୀ ଇସ୍ପାତର ପ୍ରତିଯୋଗିତାରୁ ମୁକ୍ତ କରିଦେଲା। କିନ୍ତୁ ଏହି କ୍ୟୁସିଓ ଦ୍ୱାରା ମଧ୍ୟମ, କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ (ଏମ.ଏସ.ଏମ.ଇ.)ଗୁଡ଼ିକ କ୍ଷତି ଭୋଗିବାର ଆଶଙ୍କା ଥିବାରୁ ସେମାନେଏହାର ବିରୋଧ କରୁଥିବାରୁ ସରକାର ଦୁଇ ମାସ ତଳେ ଅଧିକାଂଶ କ୍ୟୁସିଓକୁ ପ୍ରତ୍ୟାହାର କରିଛନ୍ତି। ତେବେ ମାତ୍ର ଦଶ ଦିନ ତଳେ ବିଦେଶରୁ ଆମଦାନୀ ହେଉଥିବା ଫ୍ଲାଟ ଇସ୍ପାତ ଉପରେ ୩ ବର୍ଷ ଯାଏଁ ଏକ ‘ସୁରକ୍ଷା ଶୁଳ୍କ’ ଲଗାଯାଇଛି, ଯାହା ବିଦେଶରୁ ଇସ୍ପାତ ଆମଦାନୀକୁ ନିରୁତ୍ସାହିତ କରିବ। ତେଣୁ ଭାରତୀୟ ଇସ୍ପାତ ଉଦ୍ୟୋଗ ଏବେ ଏକପ୍ରକାର ବିଦେଶୀ ପ୍ରତିଦ୍ୱନ୍ଦ୍ୱିତାରୁ ସୁରକ୍ଷିତ। ଆଶା କରାଯାଉଥିଲା ଯେ ଏଣିକି ଘରୋଇ ଉଦ୍ୟୋଗଗୁଡ଼ିକ ନିଜ ନିଜ ଭିତରେ ପ୍ରତିଦ୍ୱନ୍ଦ୍ୱିତା କରି ଦେଶରେ ଇସ୍ପାତର ଦରକୁ କମ ରଖିବେ। କିନ୍ତୁ ପ୍ରତିଯୋଗିତା ପରିବର୍ତ୍ତେ ବିଦେଶୀ ଇସ୍ପାତ ଆମଦାନୀର ଭୟ ନଥିବାରୁ ସେମାନେ ଗୋଷ୍ଠୀବଦ୍ଧ ହୋଇ ସଲାସୁତୁରା ମାଧ୍ୟମରେ ଉତ୍ପାଦନ ହ୍ରାସ ଜରିଆରେ କୃତ୍ରିମ ଅଭାବ ସୃଷ୍ଟି କରି ଇସ୍ପାତର ଦର ବଢ଼ାଇବାକୁ ଲାଗିଲେ। ଏହାର ଅର୍ଥ ସେମାନଙ୍କୁ ପ୍ରଦତ୍ତ ସୁରକ୍ଷାର ଅପବ୍ୟବହାର ହେଲା। ବସ୍ତୁତଃ ତାହା ଜନସ୍ୱାର୍ଥ ଓ ଦେଶସ୍ୱାର୍ଥ ବିରୋଧୀ ହେଲା। ତେବେ ସରକାରଙ୍କ ଅଗୋଚରରେ ଏତେ ବଡ଼ ଦୁର୍ନୀତି ସଂଘଟିତ ହୋଇଥିବା ନେଇ ଭ୍ରୁକୁଞ୍ଚଚ ସୃଷ୍ଟି ହୋଇଛି। ତେଣୁ ଏହି ଦୁର୍ନୀତି ସହ ସମ୍ପୃକ୍ତ ସମସ୍ତ ବିଷୟ ଲୋକଲୋଚନକୁ ଆସିବା ଦରକାର।
ସାରା ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ଏକାଧିପତ୍ୟ (ମନୋପଲି) ବିସ୍ତାର ଲାଭ କରୁଥିବା ବେଳେ ପ୍ରତିଯୋଗିତା ଆଇନର ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ନିୟନ୍ତ୍ରକଙ୍କ ତତ୍ପରତା ମଧ୍ୟ ପ୍ରକାଶ ପାଉଛି, ଯାହା ସ୍ୱାଗତଯୋଗ୍ୟ। ଭାରତରେ ବିମାନ ଚଳାଚଳ, ବନ୍ଦର, ବିମାନ ବନ୍ଦର, ଟେଲିଫୋନ ସେବା, ଇସ୍ପାତ, ସିମେଣ୍ଟ ଆଦି ବିଭିନ୍ନ ଅତ୍ୟାବଶ୍ୟକ କ୍ଷେତ୍ରରେ ଏକାଧିପତ୍ୟର ବିସ୍ତାର ଘଟିଚାଲିଛି। ଏହାର କୁପରିମାଣ ମଧ୍ୟ ଜନତାଙ୍କୁ ଭୋଗିବାକୁ ପଡ଼ିଲାଣି। ଏହାର ସଦ୍ୟତମ ଉଦାହରଣ ହେଲା ବିମାନ ଚଳାଚଳରେ ୬୦ ପ୍ରତିଶତରୁ ଅଧିକ ବଜାର ଅଂଶ ରଖିଥିବା ଇଣ୍ଡିଗୋର ଅବ୍ୟବସ୍ଥା ଯୋଗୁଁ ଲକ୍ଷ ଲକ୍ଷ ଯାତ୍ରୀ ହନ୍ତସନ୍ତ ହୋଇଥିବା ଭଳି ଘଟଣା। ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଲାଗି ପ୍ରଭାବଶାଳୀ ଭୂମିକା ନିର୍ବାହ କରିବ ଜନ ସଚେତନତା, ଯାହାର ନିଦର୍ଶନ ‘କୋଏମ୍ୱାଟୁର କଣ୍ଟ୍ରାକ୍ଟର ଆସୋସିଏସନ’ର ଅଭିଯୋଗ। ଲକ୍ଷ୍ୟ ସେତେବେଳେ ହାସଲ ହେବ, ଯେତେବେଳେ ‘ସି.ସି.ଆଇ.’ ତତ୍ପର ହୋଇ ତୁରନ୍ତ କାର୍ଯାୟନୁଷ୍ଠାନ ଗ୍ରହଣ କରିବ।
Comments
Post a Comment