'ଅପରେସନ ସିନ୍ଦୂର’ ସ୍ଥଗିତ ହେବା ପରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ସମ୍ପର୍କରେ ବିଶ୍ୱବାସୀଙ୍କୁ ଅବଗତ କରାଇ ପାକିସ୍ତାନର ଅସଲ ଚେହେରାକୁ ବିମୋଚନ କରିବା ଲାଗି ଭାରତ ସରକାରଙ୍କ ତରଫରୁ ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀକୁ ୩୩ଟି ଦେଶକୁ ପଠାଯାଇଥିଲା। ଇତିମଧ୍ୟରେ ଦଳଗୁଡ଼ିକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରି ସାରିଥିବାରୁ ସେମାନଙ୍କ ଗସ୍ତରୁ ଉପଲବ୍ଧି ସମ୍ପର୍କରେ ଜାଣିବା ଲାଗି ଜନସାଧାରଣ ଉତ୍ସୁକ। ହୁଏତ ପରବର୍ତ୍ତୀ ସମୟରେ ଆଧିକାରିକ ଭାବେ ସେଗୁଡ଼ିକ ସର୍ବ ସମକ୍ଷକୁ ଆସିବ। ତେବେ ଗସ୍ତ ସମୟର କିଛି ଘଟଣାକ୍ରମକୁ ଅନୁଧ୍ୟାନ କଲେ ଏହି ଗସ୍ତରୁ କ’ଣ ହାସଲ କରାଯାଇପାରିଛି, ସେ ନେଇ କିଛି ଧାରଣା ମିଳିପାରେ।
ବିଭିନ୍ନ ରାଜନୈତିକ ଦଳର ୫୧ଜଣ ନେତା ଓ ୮ ଜଣ ପୂର୍ବତନ ରାଜଦୂତଙ୍କୁ ୭ଟି ଦଳରେ ବିଭକ୍ତ କରି ସେମାନଙ୍କୁ ୩୩ଟି ଦେଶକୁ ପଠାଯାଇଥିଲା। ସମ୍ପୃକ୍ତ ଦେଶଗୁଡ଼ିକର ଚୟନ ପଛରେ ନିର୍ଦ୍ଦିଷ୍ଟ କିଛି କାରଣ ଥିଲା। ୧୫ ସଦସ୍ୟ ବିଶିଷ୍ଟ ନିରାପତ୍ତା ପରିଷଦର କେବଳ ଚୀନ, ପାକିସ୍ତାନ ଓ ସୋମାଲିଆକୁ ବାଦ୍ ଦେଇ ପ୍ରତିନିଧି ମଣ୍ଡଳୀସମୂହ ଅବଶିଷ୍ଟ ୧୨ଟି ଦେଶକୁ ଯାଇଥିଲେ। ସେଗୁଡ଼ିକ ମଧ୍ୟରେ ସ୍ଥାୟୀ ସଦସ୍ୟ ଥିବା ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ରୁଷିଆ ଓ ଅସ୍ଥାୟୀ ସଦସ୍ୟ ଥିବା ଆଲଜିରିଆ, ଡେନମାର୍କ, ଗ୍ରୀସ, ଗାଏନା, ପାନାମା, ସିଏରା ଲିଓନି, ସ୍ଲୋଭେନିଆ, ଓ ଦକ୍ଷିଣ କୋରିଆ ଅନ୍ତର୍ଭୁକ୍ତ। ସେହିପରି ଜାନୁଆରୀ ୨୦୨୬ରୁ ଅସ୍ଥାୟୀ ସଦସ୍ୟ ଭାବେ ଯୋଗ ଦେବାକୁ ଯାଉଥିବା ବାହାରିନ, କଲମ୍ୱିଆ, କଙ୍ଗୋ, ଲାଟଭିଆ ଓ ଲାଇବେରିଆ ଦେଶଗୁଡ଼ିକୁ ମଧ୍ୟ ଗସ୍ତକ୍ରମରେ ସାମିଲ କରାଯାଇଥିଲା। ଏହାର ଅର୍ଥ ଜାତିସଂଘରେ ଗୁରୁତ୍ୱ ବହନ କରୁଥିବା ଦେଶଗୁଡ଼ିକୁ ଯିବା ଲାଗି ପ୍ରାଧାନ୍ୟ ଦିଆଯାଇଛି। ପାକିସ୍ତାନ ଡିସେମ୍ୱର ୩୧, ୨୦୨୬ ପର୍ଯ୍ୟନ୍ତ ଆଗାମୀ ୧୭ ମାସ ଧରି ନିରାପତ୍ତା ପରିଷଦର ସଦସ୍ୟ ରହୁଥିବାରୁ ଏହି ମଞ୍ଚକୁ ନିଜ ସପକ୍ଷରେ ଓ ଭାରତ ବିରୋଧରେ ବ୍ୟବହାର କରିବାର ଆଶଙ୍କା ରହିଛି। ତେଣୁ ଭାରତ ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କୁ ନିଜ ପକ୍ଷ ବୁଝାଇବାକୁ ପ୍ରୟାସରତ। ଏତଦବ୍ୟତୀତ ନିରାପତ୍ତା ପରିଷଦର ‘ସାଙ୍କସନ୍ ୧୨୬୭’ ଅନୁଯାୟୀ ପହଲଗାମରେ ନରସଂହାର ରଚିଥିବା ଆତଙ୍କବାଦୀ ସଙ୍ଗଠନ ‘ଟି.ଆର.ଏଫ୍’ (ଦି ରେଜିଷ୍ଟାନ୍ସ ଫୋର୍ସ)କୁ ପ୍ରତିବନ୍ଧିତ ତାଲିକାରେ ରଖିବା ଲାଗି ଭାରତ ଚାପ ପକାଉଛି। ଉଲ୍ଲେଖଯୋଗ୍ୟ ଯେ ନିରାପତ୍ତା ପରିଷଦରେ ଏହି ଧରଣର ନିଷ୍ପତ୍ତି ସହମତି ଆଧାରରେ ଗ୍ରହଣ କରାଯାଇଥାଏ। ତେଣୁ ଅନ୍ତତଃ ପାକିସ୍ତାନ ନିରାପତ୍ତା ପରିଷଦର ସଦସ୍ୟ ଥିବା ଯାଏଁ ‘ଟି.ଆର.ଏଫ.’ ପ୍ରତିବନ୍ଧିତ ହେବାର ସମ୍ଭାବନା କ୍ଷୀଣ। ପ୍ରତିନିଧି ମଣ୍ଡଳୀସମୂହ ଯାଇଥିବା ଅବଶିଷ୍ଟ ୧୬ଟି ଦେଶ ହେଲେ ସିଙ୍ଗାପୁର, ମାଲେସିଆ, ଇଣ୍ଡୋନେସିଆ, ଜାପାନ, ଜର୍ମାନୀ, ସ୍ପେନ, ଇଟାଲୀ, ବ୍ରସେଲସ୍ (ବେଲଜିଅମ), ବ୍ରାଜିଲ, ସାଉଦି ଆରବ, କୁଏତ, ୟୁ.ଏ.ଇ., କାତାର, ଇଜିପ୍ଟ, ଇଥିଓପିଆ ଓ ଦକ୍ଷିଣ ଆଫ୍ରିକା। ଏମାନଙ୍କ ମଧ୍ୟରୁ କିଛି ପ୍ରଭାବଶାଳୀ ହୋଇଥିଲା ବେଳେ ଅନ୍ୟ କେତେକ ଭାରତର ବନ୍ଧୁ। ପାକିସ୍ତାନୀ ଆତଙ୍କବାଦ ଓ କାଶ୍ମୀର ସମସ୍ୟା ସମ୍ପର୍କରେ ଅନେକ ଦେଶ ଅଜ୍ଞ ନୁହଁନ୍ତି। ସାଉଦି ଆରବ ଓ କାତାର ତ ‘ଅପରେସନ ସିନ୍ଦୂର’ ଚାଲିଥିବା ସମୟରେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରି ଉତ୍ତେଜନା ହ୍ରାସ କରିବାକୁ ପ୍ରୟାସ କରିଥିଲେ। ପହଲଗାମ ଆତଙ୍କବାଦ ଆକ୍ରମଣ ଓ ତତ୍ପରବର୍ତ୍ତୀ ‘ଅପରେସନ୍ ସିନ୍ଦୂର’ ପରେ ପ୍ରତିଟି ଦେଶ ସ୍ଥିତି ନିଜ ସ୍ୱାର୍ଥକୁ ତଉଲି ନିଜ ନିଜ ଦୃଷ୍ଟିଭଙ୍ଗୀ ଅନୁସାରେ ଶଂସିତ ସ୍ଥିତିର ମୂଲ୍ୟାୟନ କରିଛନ୍ତି। କୌଣସି ପ୍ରତିନିଧି ମଣ୍ଡଳୀ ଦ୍ୱାରା ବୁଝାଇବାରେ ତାହା ତୁରନ୍ତ ବଦଳିଯିବ ବୋଲି ଆଶା କରିବା ବୃଥା। ଉଦାହରଣ ସ୍ୱରୂପ, ପୂର୍ବରୁ ସାଉଦି ଆରବ ପାକିସ୍ତାନକୁ ୨ ବିଲିଅନ ଡଲାର (ପ୍ରାୟ ୧୭୦୦୦ କୋଟ ଟଙ୍କା)ର ଋଣ ଓ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ନିକଟରେ ତାକୁ ଆଉ ୩ ବିଲିଅନ ଡଲାର (ପ୍ରାୟ ୨୫୫୦୦ କୋଟି ଟଙ୍କା)ର ଆର୍ଥିକ ସହାୟତା ପ୍ରଦାନ କରିଛି। ସେଠାରେ ଆଗାମୀ ୫ ବର୍ଷ ମଧ୍ୟରେ ୨୫ ବିଲିଅନ ଡଲାର ବିନିଯୋଗ କରିବାକୁ ସ୍ଥିର କରିଛି। ସାଉଦି ଆରବ ଭାରତରେ ମଧ୍ୟ ୧୦୦ ବିଲିଅନ ଡଲାର ବିନିଯୋଗ କରିବାର ମସୁଧା ରଖିଛି ଓ ଭାରତ ସରକାରଙ୍କ ତରଫରୁ ସେଥିପାଇଁ ଟିକସ ରିହାତି ମଧ୍ୟ ପ୍ରଦାନ କରାଯାଉଛି। ସେହିପରି କାତାର ମଧ୍ୟ ଉଭୟ ପାକିସ୍ତାନ ଓ ଭାରତରେ ଯଥାକ୍ରମେ ୩ ଓ ୧୦ ବିଲିଅନ ଡଲାର ବିନିଯୋଗ କରବ। ତେଣୁ ନିଜ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଲାଗି ଉଭୟ ସାଉଦି ଆରବ ଓ କାତାର ପାକିସ୍ତାନ ବିପକ୍ଷରେ ମନ୍ତବ୍ୟ ଦେବା ସମୀଚୀନ ମନେ ହୁଏନାହିଁ। ସେହିଭଳି ଭିନ୍ନ ଭିନ୍ନ କାରଣରୁ ୩୩ଟି ଦେଶ ମଧ୍ୟରୁ ଗୋଟିଏ ଦେଶ ବି ପାକିସ୍ତାନକୁ ଏକ ‘ଆତଙ୍କବାଦୀ ଦେଶ’ ବୋଲି କହିବାକୁ ଉଚିତ ମଣି ନାହାନ୍ତି।
‘ଅପରେସନ ସିନ୍ଦୂର’ ପରେ ମାସକ ଭିତରେ ଆନ୍ତର୍ଜାତିକ ପଟ୍ଟଭୂମିରେ ସଂଘଟିତ କେତେକ ଘଟଣାକ୍ରମ ଉପରେ ନଜର ପକାଯାଉ। ମେ ୯ ତାରିଖରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାକିସ୍ତାନକୁ ୧ ବିଲିଅନ ଡଲାର (ପ୍ରାୟ ୮୫୦୦ କୋଟି ଟଙ୍କା)ର ଋଣ ମଞ୍ଜୁର କଲେ। ଜୁନ ୩ ତାରିଖ ଦିନ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଦ୍ୱାରା ପାକିସ୍ତାନକୁ ୮୦୦ ମିଲିଅନ ଡଲାର (ପ୍ରାୟ ୬୮୦୦କୋଟି ଟଙ୍କା)ର ଋଣ ମଞ୍ଜୁର କରାଗଲା। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ଏହି ଋଣ ଅର୍ଥର ଏକ ବଡ଼ ଅଂଶ ଆତଙ୍କବାଦୀ ଓ ସାମରିକ ଗତିବିଧିରେ ବିନିଯୋଗ କରିବାର ଆଶଙ୍କା ଥିବାରୁ ମଞ୍ଜୁର ହେବା ପୂର୍ବରୁ ଭାରତ ତାହାର ତୀବ୍ର ବିରୋଧ କରିଥିଲା। ବିଶ୍ୱ ବ୍ୟାଙ୍କ ଏହାର ‘କଣ୍ଟ୍ରି ପାର୍ଟନରସିପ ଫ୍ରେମୱାର୍କ’ କାର୍ୟ୍ୟକ୍ରମ ଅଧୀନରେ ପାକିସ୍ତାନକୁ ୨୦ ବିଲିଅନ୍ ଡଲାର (ପ୍ରାୟ ୧.୭୦ ଲକ୍ଷ କୋଟି ଟଙ୍କା) ମଞ୍ଜୁର କରିଛି। ଏହି ଅର୍ଥ ୨୦୨୬ରୁ ୨୦୩୫ ମସିହା ୧୦ ବର୍ଷ ମଧ୍ୟରେ ଖର୍ଚ୍ଚ ହେବ। ଜୁନ୍ ମାସ ବିଶ୍ୱ ବ୍ୟାଙ୍କ ଦ୍ୱାରା ଏହି ଋଣ ପ୍ରଦାନର ସମୀକ୍ଷା ହେବାର ଅଛି ଏବଂ ଭାରତ ଏହାର ମଧ୍ୟ ବିରୋଧ କରୁଥିବା ଘୋଷଣା କରିସାରିଛି। ଅଧିକନ୍ତୁ ପାକିସ୍ତାନର ଖାଇବର ପାଖତନଖ୍ୱା ଅଞ୍ଚଳରେ ପର୍ଯ୍ୟଟନ ଓ ମହିଳା ଶିଶୁ କଲ୍ୟାଣ କାର୍ଯ୍ୟକ୍ରମ ଲାଗି ବିଶ୍ୱ ବ୍ୟାଙ୍କ ତରଫରୁ ଅତିରିକ୍ତ ୧୦୮ ମିଲିଅନ ଡଲାର (ପ୍ରାୟ ୯୧୮ କୋଟି ଟଙ୍କା) ପ୍ରଦାନ କରାଯାଉଛି। ଦେଶର ସୁରକ୍ଷା ପରିସ୍ଥିତିକୁ ଧ୍ୟାନରେ ରଖି ଗତ ୧୯ ବର୍ଷ ଧରି କୁଏତ୍ ପାକିସ୍ତାନର ନାଗରିକମାନଙ୍କୁ ଭିସା ପ୍ରଦାନ କରୁନଥିଲା। ଦ୍ୱିପାକ୍ଷିକ ସହଯୋଗକୁ ଆଧାର କରି ମେ ୨୮ ତାରିଖ ଦିନ କୁଏତ ପାକିସ୍ତାନ ଉପରୁ ଭିସା ପ୍ରତିବନ୍ଧ ପ୍ରତ୍ୟାହାର କରିଛି। ଉଲ୍ଲେଖଯୋଗ୍ୟ ଯେ ଠିକ୍ ଦିନକ ପୂର୍ବରୁ ଭାରତୀୟ ପ୍ରତିନିଧି ମଣ୍ଡଳୀ କୁଏତରେ ଭାରତର ପକ୍ଷ ରଖି ପାକିସ୍ତାନକୁ ଆତଙ୍କବାଦୀ ଦେଶ ରୂପେ ଚିତ୍ରିତ କରିଥିଲେ। ପାକିସ୍ତାନରୁ ଉଦ୍ଭବ ଆତଙ୍କବାଦ ବିରୋଧରେ ବିଭିନ୍ନ ଦେଶଙ୍କର ସମର୍ଥନ ଯୋଗାଡ଼ କରିବାକୁ ଭାରତ ପ୍ରୟାସ କରୁଥିବା ବେଳେ ପାକିସ୍ତାନ ନିରାପତ୍ତା ପରିଷଦର ଗୁରୁତ୍ୱପୂର୍ଣ୍ଣ ‘ଆତଙ୍କବାଦ-ନିରୋଧୀ କମିଟି’ର ଉପାଧ୍ୟକ୍ଷ ରୂପେ ମନୋନୀତ ହେବା ବାସ୍ତବିକ କ୍ଷୋଭ ଓ ବିଡ଼ମ୍ୱନାର ବିଷୟ। ଉପରୋକ୍ତ ଘଟଣାବଳୀକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ‘ଅପରେସନ ସିନ୍ଦୂର’ ପରେ ଆର୍ଥିକ ଦୃଷ୍ଟିରୁ ପାକିସ୍ତାନର ସ୍ଥିତି ଅଧିକ ମଜବୁତ ହୋଇଛି। ଅନ୍ୟ ପକ୍ଷରେ ଆନ୍ତର୍ଜାତୀୟ ସ୍ତରରେ ଏହା ଏକଘରିକିଆ ହେବା ପରିବର୍ତ୍ତେ ଏହାର ଗ୍ରହଣୀୟତା ଓ ଗୁରୁତ୍ୱରେ ଅପେକ୍ଷାକୃତ ଉନ୍ନତି ଘଟିଛି। ପାକିସ୍ତାନକୁ ‘ଆତଙ୍କବାଦୀଙ୍କ ଦେଶ’ ବୋଲି ଘୋଷଣା କରିବା ଲାଗି ଆମେରିକାର ‘ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ’ରେ ଏକ ବିଲ ଆଗତ ହୋଇଥିବା କଥା ୨୦୧୭ ମସିହାରେ ସରକାରଙ୍କ ତରଫରୁ ରାଜ୍ୟସଭାରେ କୁହାଯାଇଥିଲା। ସେହି ପାକିସ୍ତାନକୁ ଏକ ‘ମହାନ ଦେଶ’ ବୋଲି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି। ସେ ଭାରତକୁ ମଧ୍ୟ ମହାନ୍ କହିଛନ୍ତି, କିନ୍ତୁ ପାକିସ୍ତାନ ସହ ଗୋଟିଏ ବନ୍ଧନୀରେ ରହିବା ଭାରତ ଲାଗି ଏକ ବଡ଼ ଅପମାନ। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ନିଶ୍ଚିତ ରୂପେ ପାକିସ୍ତାନ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ସହବାଜ ସରିଫଙ୍କର ସମ୍ମାନବୃଦ୍ଧି କରିଛି ବୋଲି ମଧ୍ୟ କୁହାଯାଇପାରେ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନିନ୍ଦା କରି ଅନେକ ଦେଶ ଭାରତ ପ୍ରତି ସମବେଦନା ଜ୍ଞାପନ କରିଥିଲେ। କିନ୍ତୁ ‘ଅପରେସନ ସିନ୍ଦୂର’ ପରେ ସେହି ଦେଶଗୁଡ଼ିକ ନିକଟରୁ ପ୍ରତ୍ୟାଶିତ ସମର୍ଥନ ମିଳି ନଥିଲା। ଏବେ ବିଶ୍ୱର ୧୦୦ରୁ ଅଧିକ ଦେଶ ଆତଙ୍କବାଦ ଜନିତ ହିଂସାରେ ଆକ୍ରାନ୍ତ ହୋଇଥିବାରୁ ପ୍ରାୟ ସବୁ ଦେଶ ଆତଙ୍କବାଦକୁ ସମସ୍ୱରରେ ନିନ୍ଦା କରୁଛନ୍ତି ସତ, ହେଲେ ବିଭିନ୍ନ କାରଣରୁ ପାକିସ୍ତାନକୁ ‘ଆତଙ୍କବାଦୀଙ୍କ ଦେଶ’ ବୋଲି କହିବାରେ କୁଣ୍ଠା ପ୍ରକାଶ କରୁଛନ୍ତି। ପ୍ରତିନିଧି ମଣ୍ଡଳୀଗୁଡ଼ିକର ସ୍ୱଳ୍ପକାଳୀନ ଗସ୍ତରେ ପାକିସ୍ତାନ ପ୍ରତି ବିଭିନ୍ନ ଦେଶର ଆଭିମୁଖ୍ୟରେ ତ୍ୱରିତ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନଥିଲା କି ସମ୍ଭବ ମଧ୍ୟ ନଥିଲା।
ହୁଏତ କେହି କେହି ପଚାରିପାରନ୍ତି, ରୁଷିଆ ୟୁକ୍ରେନକୁ ଓ ଇସ୍ରାଏଲ ଗାଜାକୁ ଆକ୍ରମଣ କରିବା ପରେ ଅନ୍ତର୍ଜାତୀୟ ସ୍ତରରେ ସଫେଇ ଦେବା ଲାଗି ଉପରୋକ୍ତ ଦେଶଦ୍ୱୟ ପ୍ରତିନିଧି ମଣ୍ଢଳୀ ପଠାଇ ନଥିଲେ; ଭାରତ ଏକ ସାର୍ବଭୌମ ରାଷ୍ଟ୍ର ହୋଇ କାହିଁକି ପଠାଇଲା? ଏପରି ବହୁଦଳୀୟ ପ୍ରତିନିଧି ମଣ୍ଡଳୀ ବିଦେଶକୁ ଗଲେ ସେଥି ସହିତ ବାର୍ତ୍ତାଟିଏ ମଧ୍ୟ ଯାଇଥାଏ ଯେ ଦେଶରେ ଦଳ, ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ସରକାରଙ୍କ ସମର୍ଥନରେ ଅଛନ୍ତି। ବହୁଦଳୀୟ ପ୍ରତିନିଧି ମଣ୍ଡଳୀଗୁଡ଼ିକର ଗସ୍ତର ଉଦ୍ଦେଶ୍ୟ କେତେ ସଫଳ ହୋଇଛି, ତାହା ହୁଏତ ପରେ ଜଣା ପଡ଼ିପାରେ। ତେବେ ବିଭିନ୍ନ ଦେଶକୁ ପାକିସ୍ତାନୀ ଆତଙ୍କବାଦ ସମ୍ପର୍କରେ ଅବଗତ କଲାବେଳେ ପ୍ରଶ୍ନ ଛଳରେ ଆଲୋଚନା ଭିତରକୁ କାଶ୍ମୀର ପ୍ରସଙ୍ଗ ଟାଣି ହୋଇଆସିଛି। ଫଳରେ ପରୋକ୍ଷରେ ହେଲେ ବି କାଶ୍ମୀର ପ୍ରସଙ୍ଗର ‘ଅନ୍ତର୍ଜାତୀୟକରଣ’ ହୋଇଥିବା ମନେହୁଏ। କିଛି ଦେଶ ବନ୍ଧୁତ୍ୱର ହାତ ନ ବଢ଼ାଇ ପ୍ରବଚକସୁଲଭ ପରାମର୍ଶ ବା ଉପଦେଶ ଦେଇଥିବା ଦେଖିବାକୁ ମିଳିଛି। ତେବେ, ଏସବୁ ସତ୍ତ୍ୱେ ଏହି ଗସ୍ତର ଏକ ଉପଲବ୍ଧି ହେଲା, ‘ଅପରେସନ ସିନ୍ଦୂର’ରେ ମରିଥିବା ପାକିସ୍ତାନର ୧୦୦ ଜଣ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟରେ ଏକ ଶୋକ ପ୍ରସ୍ତାବ ପାରିତ କରିଥିବା କଲମ୍ୱିଆ ସରକାରଙ୍କୁ ଭାରତୀୟ ପ୍ରତିନିଧି ମଣ୍ଡଳୀ ବୁଝାଇବା ପରେ ତାହା ପ୍ରତ୍ୟାହୃତ ହେଲା।
ଏହି ଗସ୍ତ ଦେଶର ଆଭ୍ୟନ୍ତରୀଣ ରାଜନୈତିକ ବାତାବରଣକୁ ମଧ୍ୟ ଉଷ୍ଣ କରିଛି। କମିଟିରେ କଂଗ୍ରେସ ଦଳର ଶଶି ଥରୁର, ମନିଷ ତିୱାରି, ତୃଣମୂଳ କଂଗ୍ରେସର ୟୁସୁଫ ପଠାନଙ୍କୁ ସାମିଲ କରିବା ନେଇ ମୂଳରୁ ବିବାଦ ସୃଷ୍ଟି ହୋଇଛି। ତେବେ ସରକାରଙ୍କ ପକ୍ଷ ସମର୍ଥନ କରି ପ୍ରତିନିଧି ମଣ୍ଡଳୀରେ ଭାଗ ନେବାର ଔଚିତ୍ୟକୁ ନେଇ କଂଗ୍ରେସ ଭଳି କିଛି ଦଳ ଭିତରେ ମତ ପାର୍ଥକ୍ୟ ଦେଖାଦେଇଛି। ଫଳରେ ସଂସଦର ଆଗାମୀ ଅଧିବେଶନରେ ପହଲଗାମ ଆକ୍ରମଣ ଓ ‘ଅପରେସନ ସିନ୍ଦୂର’କୁ ନେଇ ବିରୋଧୀ ଦଳଗୁଡ଼ିକଙ୍କ ପ୍ରଶ୍ନବାଣ କେତେ ଶାଣିତ ହେବ ତାହା ସମୟ ଆସିଲେ ଜଣାପଡ଼ିବ। ଆଗାମୀ ଦିନମାନଙ୍କରେ ପ୍ରତିନିଧି ମଣ୍ଡଳୀରେ ସାମିଲ ହୋଇଥିବା କିଛି ବିରୋଧୀ ଦଳର ସଦସ୍ୟଙ୍କ ଦଳୀୟ ଆନୁଗତ୍ୟରେ ପରିବର୍ତ୍ତନ ଆସିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।
ସ୍ପେନ ଗସ୍ତ ସମୟରେ ଏକ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଉଥିବା ଡିଏମକେ ନେତ୍ରୀ କାନିମୋଝିଙ୍କୁ ଭାରତର ଜାତୀୟ ଭାଷା କ’ଣ ବୋଲି ପ୍ରଶ୍ନଟିଏ ପଚରାଯାଇଥିଲା। ତାଙ୍କର ବୁଦ୍ଧିଦୀପ୍ତ ଉତ୍ତର ଥିଲା, “ଭାରତର ଜାତୀୟ ଭାଷା ହେଉଛି ଏକତା ଓ ବିବିଧତା। ବିଶ୍ୱରେ ସେହି ବାର୍ତ୍ତା ପହଞ୍ଚାଇବା ଲାଗି ଏହି ପ୍ରତିନିଧି ମଣ୍ଡଳୀ ଆସିଛି, ତାହା ହିଁ ଆଜି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।“ ବାସ୍ତବିକ ୭ଟି ଯାକ ପ୍ରତିନିଧି ମଣ୍ଡଳୀରେ ବିଭିନ୍ନ ଦଳ, ଧର୍ମ, ଜାତି, ଭାଷାର ପ୍ରତିନିଧିତ୍ୱ ଥିଲା। ସମସ୍ତେ ସମସ୍ୱରରେ ଭାରତର ଦୃଷ୍ଟିଭଙ୍ଗୀକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବା ଲାଗି ନିଜ ନିଜର ସର୍ବଶ୍ରେଷ୍ଠ ଦକ୍ଷତାକୁ ଉପଯୋଗ କରିଥିଲେ, ଯହିଁରେ ସାଂସଦମାନେ ଦଳୀୟ ବିଚାରଧାରାରୁ ଊର୍ଦ୍ଧ୍ୱକୁ ଉଠି ପାରିଥିଲେ। ‘ବିବିଧତା ଭିତରେ ଏକତା’ର ଏହି ଛବି ଥିଲା ପ୍ରତିନିଧି ମଣ୍ଡଳୀସମୂହ ଲାଗି ଏକ ମନୋଜ୍ଞ ପରିଚୟ।
Published in Sambad on June 10, 2025
ଅନେକ ଦୃଷ୍ଟି କୋଣରୁ ଲେଖାଟି ସୁନ୍ଦର ହୋଇଛି। ସବୁ ଦିଗକୁ ବିଚାର କରି ଲେଖା ଯାଇଛି। କେତେଦୂର ଦେଶ ମାନଙ୍କର ଚିନ୍ତା ଧାରାର ପରିବର୍ତ୍ତନ ହେବ ସେ ବିଷୟରେ ମୁଁ ସନ୍ଦିହାନ। ଦେଖାଯାଉ ଭବିଷ୍ଯତ ରେ କଣ ହେଉଛି। ଲେଖା ପାଇଁ ଅଭିନନ୍ଦନ।
ReplyDelete