Skip to main content

ସ୍ୱପ୍ନଚୋରି ଓ ମେଧାହତ୍ୟା

ଘରେ ନ ପଶୁଣୁ ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ମୁଣ୍ଡରେ ଚାଳ ବାଜିଲାଣି ବୋଲି ଏବେ ଚର୍ଚ୍ଚା ହେଉଛି । ପଶ୍ଚିମବଙ୍ଗରେ ରେଳ ଦୁର୍ଘଟଣାରେ ଅନେକ ଲୋକଙ୍କ ପ୍ରାଣହାନି ପରେ ଦେଶବ୍ୟାପୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନସାଧାରଣଙ୍କ କ୍ରୋଧର ଶରବ୍ୟ ହୋଇଛନ୍ତି । ଠିକ୍ ଏତିକିବେଳେ ନିଟ୍ ପରୀକ୍ଷାରେ ହୋଇଥିବା ବ୍ୟାପକ ଦୁର୍ନୀତିର ଖବର ପ୍ରଘଟ ହୋଇ ଦେଶ ତମାମ୍ ଲକ୍ଷ ଲକ୍ଷ ପ୍ରଭାବିତ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ରୋଷ-ଉତ୍ତାପ ବଳୟରେ ପଡ଼ିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମେ ପ୍ରଶ୍ନପତ୍ର ପ୍ରଘଟ ହୋଇନାହିଁ କହି ପରୀକ୍ଷା ପରିଚାଳନା କରୁଥିବା ‘ଏନଟିଏ’ ସଂସ୍ଥାକୁ ଏକପ୍ରକାର କ୍ଲିନ୍ ଚିଟ୍ ଦେବା, ତା’ପରେ କାଁ ଭାଁ ଅନିୟମିତତା ହୋଇଛି ବୋଲି ସ୍ୱୀକାର ଓ ଶେଷରେ ଅନିୟମିତତା ପାଇଁ ସେ ନିଜେ ନୈତିକ ଭାବେ ଦାୟୀ ବୋଲି ମନ୍ତ୍ରୀ କହିବା ପରେ ତାଙ୍କର ଇସ୍ତଫା ଦାବି ଜୋର ଧରିଲା । ଏହା କେବଳ ଏକ ପ୍ରଶ୍ନପତ୍ର ଲିକ୍ ମାମଲା ନୁହେଁ, ବରଂ ଏଥିରେ ପାଦେ ପାଦେ ବ୍ୟାପକ ଅନିୟମିତତା ହୋଇଥିବାର ସୂଚନା ମିଳୁଛି ଯହିଁରେ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ବିପନ୍ନ ହୋଇ ସେମାନଙ୍କ ସ୍ୱପ୍ନଚୋରି ଓ ମେଧାହତ୍ୟା ଲାଗି ସୁପରିକଳ୍ପିତ ଷଡ଼ଯନ୍ତ୍ର ହୋଇଥିବା ବିଷୟ ଜଣାପଡ଼ୁଛି । କହିବା ବାହୁଲ୍ୟ ଯେ ଏ ପ୍ରକାର ଦୁଃସ୍ଥିତିର ଦୀର୍ଘମିଆଦି ପ୍ରଭାବ ପଡ଼ିବାକୁ ଯାଉଛି, ଯାହା ଚିନ୍ତାଜନକ ।

ଡାକ୍ତରୀ ପାଠ ପଢ଼ିବା ପାଇଁ ମେଡିକାଲ କଲେଜଗୁଡ଼ିକରେ ନାମ ଲେଖାଇବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ନିଟ୍ (ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ – ଅଣ୍ଡର ଗ୍ରାଜୁଏଟ) ପ୍ରବେଶିକା ପରୀକ୍ଷାରେ ଅତି ଉଚ୍ଚ ରାଙ୍କିଙ୍ଗରେ ଉତ୍ତୀର୍ଣ୍ଣ ହେବାକୁ ହୋଇଥାଏ । ଗଲା ପାଞ୍ଚ ବର୍ଷ ଧରି ଏହି ପରୀକ୍ଷା କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ନିଯୁକ୍ତ ନେସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ହୋଇଆସୁଛି । ଏ ବର୍ଷ ସେହି ପରୀକ୍ଷାଟି ମେ ୫ରେ ଅନୁଷ୍ଠିତ ହୋଇଥିଲା । ଏହାର ଫଳ ଜୁନ ୧୪ରେ ପ୍ରକାଶ ପାଇବାର ଥିଲେ ବି ତାକୁ ତରବରିଆ ଭାବେ ଜୁନ ୪ ତାରିଖରେ ପ୍ରକାଶ କରିଦିଆଗଲା, ଯେଉଁଦିନ ସାଧାରଣ ନିର୍ବାଚନ ଫଳାଫଳ ମଧ୍ୟ ପ୍ରକାଶ ପାଇଥିଲା । ଏଣୁ ସେହି କୋଳାହଳ ଭିତରେ ଏଥିରେ ହୋଇଥିବା ଦୁର୍ନୀତି ପ୍ରତି ଗଣମାଧ୍ୟମର ବି ଦୃଷ୍ଟି ଯାଇନଥିଲା। ତେଣୁ ସନ୍ଦେହ ହୋଇଥାଏ ଯେ ଦୁର୍ନୀତିକୁ ଲୁଚାଇବା ପାଇଁ ଜାଣିଶୁଣି ଏଭଳି କରାଯାଇ ନ ଥିଲା ତ ?

ଏହି ପରୀକ୍ଷାରେ ତିନି ପ୍ରକାରେ ଅନିୟମିତତା ଓ ଦୁର୍ନୀତି ହୋଇଥିବାର ସନ୍ଦେହ ହୁଏ । ପ୍ରଥମ ପ୍ରକାର ହେଲା ଏହି ପରୀକ୍ଷାରେ ଗ୍ରେସ ମାର୍କ ଦେବାର କୌଣସି ପ୍ରାବଧାନ ନଥିବା ସତ୍ତ୍ୱେ ‘ଏନଟିଏ’ ଦ୍ୱାରା କିଛି ଛାତ୍ରଙ୍କୁ ଗ୍ରେସ ମାର୍କ ଦିଆଯିବା । ପରୀକ୍ଷାରେ ୭୨୦ରୁ ୭୨୦ ନମ୍ୱର ରଖି ୬୭ ଜଣ ପରୀକ୍ଷାର୍ଥୀ ପ୍ରଥମ ସ୍ଥାନରେ ରହିବା, ହରିଆଣାର ଝାଝରସ୍ଥିତ ଏକ ପରୀକ୍ଷାକେନ୍ଦ୍ରରୁ ଛଅ ଜଣ ପ୍ରଥମ ସ୍ଥାନ ଦଖଲ କରିବା, କେତେକ ଛାତ୍ର ୭୧୮, ୭୧୯ ଭଳି ଅସମ୍ଭବ ନମ୍ୱର ରଖିବା ଭଳି ଘଟଣା ଯୋଗୁ ପରୀକ୍ଷାର୍ଥୀଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ସେମାନଙ୍କ ମଧ୍ୟରୁ କେତେକ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ତଥ୍ୟ ଲୁଚାଇଥିବା ‘ଏନଟିଏ’ ସ୍ୱୀକାର କଲା ଯେ କେତେକ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କୁ ସ୍ୱଳ୍ପ ସମୟ ମିଳିଥିବାରୁ ଓ  ଗୋଟିଏ ପ୍ରଶ୍ନର ଦୁଇଟି ଠିକ୍ ଉତ୍ତର ଥିବାରୁ ୧୫୬୩ ଜଣ ପରୀକ୍ଷାର୍ଥୀଙ୍କୁ ଗ୍ରେସ ମାର୍କ ଦିଆଯାଇଛି । ଦେଖିବାର କଥା ହେଲା, ୬୧ ଜଣ ତ ଏହି ଗ୍ରେସ ମାର୍କ ଆଧାରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ପରେ ‘ଏନଟିଏ’ ଗ୍ରେସ ମାର୍କ ପାଇଥିବା ସମସ୍ତଙ୍କଠାରୁ ତାହା ପ୍ରତ୍ୟାହାର କରି ସେମାନଙ୍କ ପାଇଁ ଆଉ ଥରେ ପରୀକ୍ଷା କରିବାକୁ ବାଧ୍ୟ ହୋଇଛି ।

ଦ୍ୱିତୀୟ ପ୍ରକାର ଦୁର୍ନୀତି ହେଲା ନକଲ କରିବା ବା ଅସାଧୁ ଉପାୟର ଅବଲମ୍ୱନ କରି ପରୀକ୍ଷା ଦେବା । ଦିଲ୍ଲୀ ଓ ରାଜସ୍ଥାନରେ କିଛି ଅଣପରୀକ୍ଷାର୍ଥୀ ଛଦ୍ମ ଭାବେ ପରୀକ୍ଷା ଦେଇ ଗିରଫ ହୋଇଥିବା କଥା ବି ସାମନାକୁ ଆସିଛି । ତେବେ ଗୁଜରାଟର ଗୋଧ୍ରାସ୍ଥିତ ଜୟ ଜଲାରାମ ସ୍କୁଲ ପରୀକ୍ଷାକେନ୍ଦ୍ରରେ ଯେଉଁଭଳି ବିପୁଳ ଅର୍ଥ ବିନିମୟରେ ପରୀକ୍ଷାର୍ଥୀମାନଙ୍କୁ ଅସାଧୁ ଉପାୟ ଅବଲମ୍ୱନ କରିବାର ସୁଯୋଗ ଦିଆଗଲା, ତାହା ଚକିତ କଲା ଭଳି । ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରୁ ଆସି ସେହି କେନ୍ଦ୍ରରେ ପରୀକ୍ଷା ଦେଇଥିବା ଛାତ୍ରମାନଙ୍କଠାରୁ ଜଣକା ୧୦ ଲକ୍ଷ ବା ଅଧିକ ଟଙ୍କା ନିଆଯାଇଥିଲା । ପରକ୍ଷାର୍ଥୀଙ୍କୁ ଉତ୍ତରପତ୍ର ଖାଲି ଛାଡ଼ିବାକୁ କୁହାଯାଇଥିଲା, ଯାହା ଶିକ୍ଷକ ଓ ଅନ୍ୟମାନଙ୍କ ସହାୟତାରେ ପରେ ପୂରଣ କରାଯାଇଥିବାର ଅଭିଯୋଗ ହୁଏ । ଏଥିରେ ବଡୋଦରାସ୍ଥିତ ରୟ ଓଭରସିଜ୍ ନାମକ ଏକ କୋଚିଂ ସେଣ୍ଟରର ସମ୍ପୃକ୍ତି ବିଷୟ ଜଣାପଡ଼ିଛି । ଏହି ମାମଲାରେ ସ୍କୁଲର ପ୍ରିନସିପାଲଙ୍କ ସମେତ ୫ ଜଣ ଗିରଫ ହୋଇସାରିଛନ୍ତି । 

ତୃତୀୟ ପ୍ରକାର ଦୁର୍ନୀତି ହେଲା ପ୍ରଶ୍ନପତ୍ର ଲିକ୍, ଯାହା ବିହାରର ପାଟନାଠାରେ ପରୀକ୍ଷା ହେବାର ଦିନକ ଆଗରୁ ଅର୍ଥାତ୍ ମେ ୪ରେ ହୋଇଥିଲା । କିଛି ପରୀକ୍ଷାର୍ଥୀଙ୍କଠାରୁ ୩୦ ଲକ୍ଷ ଟଙ୍କା ଲେଖାଏଁ ନେଇ ସେମାନଙ୍କୁ ପ୍ରଶ୍ନ ଓ ତହିଁର ଉତ୍ତର ମୁଖସ୍ଥ କରାଇ ଦିଆଯାଇଥିଲା । ଏ ସମ୍ପର୍କରେ ପରୀକ୍ଷା ପୂର୍ବରୁ ବିହାରର ଅର୍ଥନୈତିକ ଅପରାଧ ଏକକ (ଇଓୟୁ) ‘ଏନଟିଏ’ର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ‘ଏନଟିଏ’ ତରଫରୁ ତାକୁ ଅଣଦେଖା କରାଯିବା ଦୁର୍ଭାଗ୍ୟଜନକ । ପ୍ରଶ୍ନପତ୍ର ଲିକ୍ ମାମଲା ଆଉ ବିହାର ଭିତରେ ସୀମିତ ନରହି ଏହା ଝାଡଖଣ୍ଡ ଓ ଅନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପି ଥିବାର ଜଣାପଡ଼ୁଛି ।        

ନିୟମାନୁସାରେ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରର ପ୍ରତିଟି କୋଠରୀରେ ଅନ୍ତତଃ ପକ୍ଷେ ୨ଟି କାର୍ୟ୍ୟକାରୀ ସିସିଟିଭି ଲାଗିଥିବା କଥା । ‘ଏନଟିଏ’ ଦ୍ୱାରା ନିଯୁକ୍ତ ଏକ ତୃତୀୟ ପକ୍ଷର ସମୀକ୍ଷା ରିପୋର୍ଟରୁ ଜଣାପଡ଼େ ଯେ ସେମାନେ ପରିଦର୍ଶନ କରିଥିବା ୩୯୯ଟି କେନ୍ଦ୍ର ମଧ୍ୟରୁ ୧୮୬ଟିରେ ଏହି ବ୍ୟବସ୍ଥା ନଥିଲା । ଫଳରେ ଦିଲ୍ଲୀସ୍ଥିତ ‘ଏନଟିଏ’ କଣ୍ଟ୍ରୋଲ ରୁମରୁ ସେହି କେନ୍ଦ୍ରଗୁଡ଼ିକରେ ପରୀକ୍ଷା କିପରି ପରିଚାଳିତ ହେଉଛି, ତାହା ଜାଣିବା ସମ୍ଭବ ନଥିଲା । ତନ୍ମଧ୍ୟରୁ ୬୮ଟି କେନ୍ଦ୍ରରେ ପ୍ରଶ୍ନପତ୍ର ଥିବା ଷ୍ଟ୍ରଙ୍ଗ ରୁମରେ ଜଗୁଆଳି ନଥିଲେ । ତେଣୁ ସେହି କେନ୍ଦ୍ରଗୁଡ଼ିକରେ ପ୍ରଶ୍ନପତ୍ର ଲିକ୍, ନକଲ ଆଦିର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ । 

ଏଣିକି ନିଟ୍ ପରୀକ୍ଷାର୍ଥୀଙ୍କ ସଂଖ୍ୟା ପ୍ରତିବର୍ଷ ୨.୫ରୁ ୩ ଲକ୍ଷ ବୃଦ୍ଧି ପାଉଛି । ସଂଖ୍ୟା ବଢ଼ିବାର ବିଭିନ୍ନ କାରଣ ମଧ୍ୟରୁ ଗୋଟିଏ ବଡ଼ କାରଣ ହେଉଛି ପରୀକ୍ଷାରେ ଅକୃତକାର୍ୟ୍ୟ ହେଉଥିବା ଛାତ୍ରଙ୍କ ମଧ୍ୟରୁ ଅଧିକାଂଶ ପୁଣି ପରୀକ୍ଷାରେ ବସିଥାନ୍ତି । ସେହିପରି ନିଜ ପସନ୍ଦର କଲେଜରେ ଆଡମିସନ ପାଇ ନଥିବା କିଛି ପରୀକ୍ଷାର୍ଥୀ ମଧ୍ୟ ପୁଣି ପରୀକ୍ଷା ଦେଇଥାନ୍ତି । ତେବେ ଏଥରର ସଂଖ୍ୟାବୃଦ୍ଧି ବିଭିନ୍ନ ରାଜ୍ୟରେ ସମାନୁପାତିକ ଭାବେ ନ ହୋଇ ନିର୍ଦ୍ଦିଷ୍ଟ କେତେକ ରାଜ୍ୟରେ ଆଶାତୀତ ହୋଇଛି । ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ଏହି ସଂଖ୍ୟା ଯଥାକ୍ରମେ ୬୫ ହଜାର ଓ ୪୮ ହଜାର ବୃଦ୍ଧି ପାଇଥିବା ବେଳେ ପାରମ୍ପରିକ ଭାବେ ଅଧିକ ପରୀକ୍ଷାର୍ଥୀ ବସୁଥିବା ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ ଆଦି ରାଜ୍ୟଗୁଡ଼ିକରୁ ପରୀକ୍ଷାର୍ଥୀଙ୍କ ସଂଖ୍ୟାରେ ସେଭଳି ବୃଦ୍ଧି ହୋଇନାହିଁ। ଏହାର ରହସ୍ୟ ମଧ୍ୟ ଉନ୍ମୋଚିତ ହେବା ଆବଶ୍ୟକ ।

ପରୀକ୍ଷା ପାଇଁ ଆବେଦନ କରିବା ଲାଗି ଧାର୍ୟ୍ୟ ଦିବସ ପ୍ରଥମେ ପେବୃଆରୀ ୯ରୁ ମାର୍ଚ୍ଚ ୯, ୨୦୨୪ ଯାଏ ଥିଲା, ଯାହାକୁ ମାର୍ଚ୍ଚ ୧୬ ଯାଏ ବଢ଼ାଯାଇଥିଲା । ଏହି ତିଥି ଅତିକ୍ରାନ୍ତ ହେବାର ପ୍ରାୟ ୨୩ ଦିନ ପରେ ହଠାତ୍ ଏପ୍ରିଲ ୮, ୨୦୨୪ରେ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚିତ କରାଗଲା ଯେ ଆବେଦନ କରିପାରି ନଥିବା ପରୀକ୍ଷାର୍ଥୀମାନେ ୯ ଓ ୧୦ ଏପ୍ରିଲ ଦୁଇଦିନ ଲାଗି ଅନଲାଇନରେ ଆବେଦନ କରିପାରିବେ। ଏହି ଦୁଇଦିନ ମଧ୍ୟରେ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଅନେକ ପରୀକ୍ଷାର୍ଥୀ ସଫଳ ହୋଇଥିବାର ଅଭିଯୋଗ ହୁଏ । ଏହା ଆଦୌ କାକତାଳୀୟ ହୋଇନପାରେ । ସେହିପରି ଫର୍ମ ସଂଶୋଧନ କରିବାର ଶେଷ ତାରିଖ ଥିଲା ମାର୍ଚ୍ଚ ୨୦, ଯାହାକୁ ଏପ୍ରିଲ ୧୧ ଓ ୧୨ ଦୁଇଦିନ ଲାଗି ବଢ଼ାଇ ଦିଆଗଲା । ଏହାରି ମାଧ୍ୟମରେ କିଛି ଛାତ୍ର ସେମାନଙ୍କ ପସନ୍ଦର ପରୀକ୍ଷା କେନ୍ଦ୍ର ପାଇବାକୁ ସମର୍ଥ ହେଲେ, ଯାହା ଗୁଜରାଟର ଗୋଧ୍ରା ପରୀକ୍ଷା କେନ୍ଦ୍ର ଭଳି ବିଭିନ୍ନ କେନ୍ଦ୍ରରେ ଦୁର୍ନୀତିକୁ ପ୍ରଶ୍ରୟ ଦେଇଥାଇପାରେ । ଅବେଦନ ଓ ସଂଶୋଧନ ତିଥି ବଢ଼ାଇବା ଭଳି ବଡ଼ ନିଷ୍ପତ୍ତି କେବଳ ‘ଏନଟିଏ’ ଦ୍ୱାରା ନିଆଯାଇଥିବା କଥା ବିଶ୍ୱାସଯୋଗ୍ୟ ହେଉ ନଥିବାରୁ ଏଥିରେ ଉଚ୍ଚସ୍ତରୀୟ ସମ୍ପୃକ୍ତି ଥିବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ । 

ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ପରୀକ୍ଷା-ମାଫିଆଙ୍କ ରାକେଟ ସକ୍ରିୟ ହୋଇ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହେବା ପଛର ଅର୍ଥନୀତିକୁ ବୁଝିବାର ଆବଶ୍ୟକତା ରହିଛି । ଭାରତରେ ଡାକ୍ତରୀ ପାଠ ପଢ଼ିବା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ରହିଛି। ସାରା ଦେଶରେ ମେଡ଼ିକାଲ କଲେଜଗୁଡ଼ିକରେ ସିଟ୍ ସଂଖ୍ୟା ପ୍ରାୟ ୧.୧୦ ଲକ୍ଷ ହୋଇଥିବା ବେଳେ ଏ ବର୍ଷ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଥିଲା ୨୩.୨୪ ଲକ୍ଷ, ଅର୍ଥାତ୍ ପ୍ରତି ୨୨ ଜଣ ଆଶାୟୀଙ୍କ ଲାଗି ମାତ୍ର ଗୋଟିଏ ସିଟ୍ । ଏଥିରୁ ପୁଣି ସରକାରୀ କଲେଜଗୁଡ଼ିକରେ ସିଟ୍ ସଂଖ୍ୟା ମାତ୍ର ୫୦ ହଜାର । ସରକାରୀ କଲେଜରେ ସିଟଟିଏ ପାଇଲେ ୧୫-୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ହେଉଥିଲା ବେଳେ ଘରୋଇ କଲେଜରେ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ଲାଗିଥାଏ । ଏଥିଯୋଗୁ ସରକାରୀ କଲେଜରେ କୌଣସି ପ୍ରକାରେ ସିଟଟିଏ ହାତେଇବା ଲାଗି ମାତ୍ରାଧିକ ପ୍ରତିଦ୍ୱନ୍ଦ୍ୱିତା ହୋଇଥାଏ, ଯାହା ଏହି ପରୀକ୍ଷାରେ ହେଉଥିବା ଦୁର୍ନୀତିର ଏକ ବଡ଼ କାରଣ ।  

ଡାକ୍ତରୀ ପାଠ ପଢ଼ିବାର ସ୍ୱପ୍ନକୁ ସାକାର କରିବା ପାଇଁ ମେଧାବୀ ଛାତ୍ରଟିଏ ବର୍ଷାଧିକ କାଳ ଦିନରାତି ପରିଶ୍ରମ କରିଥାଏ । ପ୍ରବେଶିକା ପରୀକ୍ଷାରେ ଭଲ କରି ନିଶ୍ଚିତ ରୂପେ ଭଲ ରାଙ୍କ୍ ହାସଲ କରିବାର ସ୍ୱପ୍ନ ପୋଷଣ କରିଥିବା ପରୀକ୍ଷାର୍ଥୀ ସକାଶେ ଏଭଳି ଅନିୟମିତତା ଓ ଦୁର୍ନୀତି ହାହୁତାଶନମୟ ପରିସ୍ଥିତି ସୃଷ୍ଟି କରିଥାଏ । ତା’ ସ୍ୱପ୍ନ ଚୋରି ହୋଇଥିବା ଓ ତା’ ମେଧାକୁ ହତ୍ୟା କରାଯାଇଥିବା କଥା ଜାଣିଲା ପରେ ସେ ଭାଙ୍ଗିପଡ଼େ, ନତୁବା ତା’ ମନ ବିଦ୍ରୋହୀ ହୋଇଉଠେ । ତେଣୁ ଏ ବର୍ଷ ନିଟ୍ ପରୀକ୍ଷାରେ ଲକ୍ଷାଧିକ ପରୀକ୍ଷାର୍ଥୀଙ୍କ ସ୍ୱପ୍ନଚୋରି ଓ ମେଧାହତ୍ୟା ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିରୁ ବାର୍ତ୍ତାଟିଏ ଗଲା ଯେ ପରୀକ୍ଷାରେ ସଫଳ ହେବା ପାଇଁ ମେଧା ଓ ପରିଶ୍ରମ ଯଥେଷ୍ଟ ନୁହେଁ; ବାପାମାଆଙ୍କ ପହଞ୍ଚ ଓ ଅର୍ଥବଳ ଥିଲେ ଜଣେ ଅଯୋଗ୍ୟ ଓ ନିକୃଷ୍ଟ ପ୍ରାର୍ଥୀ ମେଧାବୀ ପ୍ରାର୍ଥୀମାନଙ୍କୁ ବିସ୍ଥାପିତ କରି ଦେଇପାରେ । ତେବେ ଇତିମଧ୍ୟରେ କେବଳ 'ନିଟ୍-ୟୁଜି' ପରୀକ୍ଷା ନୁହେଁ, 'ୟୁଜିସି-ନେଟ୍', 'ସିଏସଆଇଆର-ୟୁଜିସି-ନେଟ୍', 'ନିଟ୍-ପିଜି' ପରୀକ୍ଷା ଭଳି ଅତି ଗୁରୁତ୍ୱପୂର୍ଣ୍ଣ ଓ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ତଥା ଅନ୍ୟ ଦୁର୍ନୀତି କାରଣରୁ ଯଥାକ୍ରମେ ବାତିଲ ଓ ସ୍ଥଗିତ ହୋଇଯାଇଛି । ସୁତରାଂ, ଦୃଶ୍ୟପଟ ଯେ ଅତ୍ୟନ୍ତ ହତାଶାଜନକ ତାହା କହିବାରେ ଦ୍ୱିଧା ନାହିଁ । ପରୀକ୍ଷା ବ୍ୟବସ୍ଥା ଉପରୁ ବିଶ୍ୱାସ ତୁଟିଲେ ପରୀକ୍ଷାର୍ଥୀମାନେ ଆଉ ଉତ୍କର୍ଷ ହାସଲ ପ୍ରତି ଗୁରୁତ୍ୱ ଦେବେ ନାହିଁ । ଏହି ଉଦବେଗଜନକ ସ୍ଥିତିର ତୁରନ୍ତ ଆମୂଳଚୂଳ ପରିବର୍ତ୍ତନ ଆବଶ୍ୟକ ।

ପ୍ରତିବର୍ଷ ବୋର୍ଡ ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ‘ପରୀକ୍ଷା ପେ ଚର୍ଚ୍ଚା’ ଓ ‘ମନ କୀ ବାତ୍’ ଆଦି ମାଧ୍ୟମରେ ଉପଦେଶ ଦେଇଥାନ୍ତି। ନିଟ ପରୀକ୍ଷାରେ ଅନିୟମିତତା ଓ ନେଟ ପରୀକ୍ଷା ବାତିଲ ହେବା ଯୋଗୁଁ ଦେଶରେ ଏବେ ପ୍ରାୟ ୩୩ ଲକ୍ଷ ପରୀକ୍ଷାର୍ଥୀ ଚାପଗ୍ରସ୍ତ ହୋଇ ଦିନ କାଟୁଥିବା ବେଳେ ସେମାନଙ୍କ ମଧ୍ୟରୁ କେହି କେହି ଅତ୍ୟନ୍ତ ଗର୍ହିତ ଚରମ ପଦକ୍ଷେପ ନେବାକୁ ମଧ୍ୟ ପଛାଉନାହାନ୍ତି। ଏପରି ସ୍ଥଳେ ପ୍ରଧାନମନ୍ତ୍ରୀଙ୍କ ନିରବତା ସମୀଚୀନ ନୁହେଁ । ବରଂ ପ୍ରଧାନମନ୍ତ୍ରୀ ଚାପଗ୍ରସ୍ତ ପରୀକ୍ଷାର୍ଥୀମାନଙ୍କୁ ପ୍ରବୋଧନା ଦେବା ସହ ଏଣିକି ପରୀକ୍ଷା କିଭଳି କଳୁଷମୁକ୍ତ ହେବ, ତାହା ନିଧାର୍ଯ୍ୟ କରିବା ଦିଗରେ ପ୍ରତିଶ୍ରୁତି ପ୍ରଦାନ କରିବା ଉଚିତ । ନିଟ୍ ପରୀକ୍ଷାଟି ବିଭିନ୍ନ ଅନିୟମିତତା କାରଣରୁ ସମ୍ପୂର୍ଣ୍ଣ ସନ୍ଦେହ ଘେରରେ ଥିବାରୁ ତୁରନ୍ତ ଏହାକୁ ବାତିଲ କରି ପରୀକ୍ଷାର ସାନି ତାରିଖ ଘୋଷଣା ହେବା ଆବଶ୍ୟକ । ନିଟରେ ହୋଇଥିବା ଦୁର୍ନୀତି ଆପରାଧିକ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସୁପ୍ରିମକୋର୍ଟଙ୍କ ଅବଲୋକନରେ ସିବିଆଇ ଦ୍ୱାରା ଏହାର ତଦନ୍ତ କରାଗଲେ ଉଚ୍ଚ ସ୍ଥାନରେ ଅଧିଷ୍ଠିତ ଅପରାଧୀଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହୋଇପାରିବ ଓ ବ୍ୟବସ୍ଥା ପ୍ରତି ସୃଷ୍ଟ ବିଶ୍ୱାସ-ସଙ୍କଟ ଦୂର ହୋଇପାରିବ । ନହେଲେ ଦେଶ ନିତିପ୍ରତି ସ୍ୱପ୍ନଚୋରି ଓ ମେଧାହତ୍ୟାର ଘଟଣାମାନ ପ୍ରତ୍ୟକ୍ଷ କରି ଅବସାଦଗ୍ରସ୍ତ ହେବା ଅବଶ୍ୟମ୍ଭାବୀ ।


Published in Sambad on June 25, 2024

 

Comments

  1. Unless accountability is fixed at the highest political level, this type of centralised loot cannot be prevented. Moreover, political masters hardly understand the woes of really talented students and their helplessness. Only God can save the common man.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍