Skip to main content

ବିଜୟରେ ବି ପରାଜୟର ଗ୍ଳାନି

ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ସାମାଜିକ ଗଣମାଧ୍ୟମରେ ବାର୍ତ୍ତାଟିଏ ଘୂରି ବୁଲୁଥିଲା ‘ଭୋଟରମାନେ ଏନଡ଼ିଏକୁ ୪୦୦ ଆସନ ତ ଦେଇଛନ୍ତି। ହେଲେ ୨୮ ପ୍ରତିଶତ ଜିଏସଟି କାଟିଦେଇଛନ୍ତି।‘ ୪୦୦ରୁ ୨୮ ପ୍ରତିଶତ ବାଦ ହେଲେ ରହୁଛି ୨୮୮, ଏନଡ଼ିଏ ପାଇଛି ୨୯୩ଟି ଆସନ । ବିଜେପିର ଆସନ ସଂଖ୍ୟା ୨୪୦, ଯାହା ଘୋଷିତ ଲକ୍ଷ୍ୟ ୩୭୦ର ମାତ୍ର ୬୫ ପ୍ରତିଶତ। ଏନଡିଏର ସହଯୋଗୀ ଦଳଙ୍କ ସହ ମିଶି ୨୭୨ ଅଙ୍କର ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ମୋଦୀ ଆଉଥରେ ସରକାର ଗଠନ କରିବାକୁ ସମର୍ଥ ହୋଇଛନ୍ତି। ହେଲେ ବିଜେପି ଏକୁଟିଆ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ସମର୍ଥ ନ ହେବା ଓ ଗତ ଥର ତୁଳନାରେ ୬୩ଟି ଆସନ କମ ପାଇବାକୁ ଅନେକେ ଦଳର ପରାଜୟ ବୋଲି ଚିତ୍ରଣ କରୁଛନ୍ତି। ଗତ ଦୁଇ ଦଫା ଧରି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି ଅଖଣ୍ଡ କ୍ଷମତା ଉପଭୋଗ କରିଆସିଥିବା ଦଳ ପାଇଁ ସହଯୋଗୀଙ୍କ ଉପରେ ନିର୍ଭର କରି ସରକାର ଚଲାଇବାର ବାଧ୍ୟବାଧକତା କେତେକଙ୍କୁ ଅସହଜ ଲାଗୁଛି। ଦେଶ ପୁଣି ଥରେ ପ୍ରକୃତ ଅର୍ଥରେ ମେଣ୍ଟ ସରକାରର ଯୁଗକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ କେହି କେହି ଏଭଳି ବିଜୟକୁ ଗ୍ରହଣ କରି ନ ପାରି ବିଷାଦଗ୍ରସ୍ତ ହେଉଛନ୍ତି। ବିଜୟ ସତ୍ତ୍ୱେ ପରାଜୟର ଗ୍ଳାନିର ଅନୁଭବ ହେବାକୁ ଇଂରେଜୀରେ କହନ୍ତି ‘ପାଇରିକ୍ ଭିକଟ୍ରି’ ।

ଗ୍ରୀକ୍ ସମ୍ରାଟ ଅଲେକଜାଣ୍ଡାରଙ୍କ ନିଧନର ସତର ବର୍ଷ ପରେ ପାଇରସ୍ ଏପିରସ୍ ରାଜ୍ୟର ସିଂହାସନ ଆରୋହଣ କରିଥିଲେ। ସେ ଖ୍ରୀଷ୍ଟ ପୂର୍ବ ୨୮୦ରେ ହେରାକ୍ଲି ଯୁଦ୍ଧରେ ରୋମାନମାନଙ୍କୁ ପରାସ୍ତ କରିଥିଲେ। ଠିକ୍ ବର୍ଷକ ପରେ ତାଙ୍କୁ ପୁନର୍ବାର ଏସ୍କୁଲମ ଯୁଦ୍ଧରେ ରୋମାନମାନଙ୍କ ସହ ଲଢ଼ିବାକୁ ହୋଇଥିଲା। ଏହି ଯୁଦ୍ଧରେ ମଧ୍ୟ ପାଇରସ୍ ବିଜୟୀ ହେଲେ। ବିଜୟ ସତ୍ତ୍ୱେ ଲାଭ ତୁଳନାରେ ତାଙ୍କର ବିପୁଳ କ୍ଷତି ହୋଇଥିଲା। ତାଙ୍କ ସେନାବାହିନୀର ଏତେ ସଂଖ୍ୟକ ସୈନ୍ୟ ଓ ସେନାପତି ପ୍ରାଣ ହରାଇଥିଲେ ଯେ ସେ ବିଷାଦଗ୍ରସ୍ତ ହୋଇପଡ଼ିଥିଲେ। ଐତିହାସିକ ପ୍ଲୁଟାର୍କଙ୍କ ଅନୁଯାୟୀ ଯୁଦ୍ଧରେ ବିଜୟ ଲାଗି ଅଭିନନ୍ଦନ ଜଣାଇଥିବା ଜଣେ ଶୁଭେଚ୍ଛୁଙ୍କୁ ପାଇରସ୍ କହିଥିଲେ, “ଆମେ ରୋମାନଙ୍କ ସହ ଆଉ ଗୋଟିଏ ଯୁଦ୍ଧରେ ବିଜୟୀ ହେଲେ ସମ୍ପୂର୍ଣ୍ଣ ରୂପେ ଛାରଖାର ହୋଇଯିବୁ।“ ବିଜୟ ସତ୍ତ୍ୱେ ବିଜେତା କୌଶଳଗତ ଦୃଷ୍ଟିରୁ ଅପେକ୍ଷାକୃତ ଦୁର୍ବଳ ସ୍ଥିତିରେ ପଡ଼ିଯାଉଥିବାରୁ ଏହି ଧରଣର ପାଇରିକ୍ ବିଜୟକୁ ‘ନୈତିକ’ ବା ‘ପ୍ରତୀକାତ୍ମକ’ ପରାଜୟ ରୂପେ ଗ୍ରହଣ କରାଯାଇଥାଏ । 

୨୦୨୪ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଦେଶର ୩୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ତାମିଲନାଡୁ, ପଞ୍ଜାବ, ମେଘାଳୟ, ମଣିପୁର, ନାଗାଲାଣ୍ଡ, ମିଜୋରାମ, ସିକିମ, ଲଦ୍ଦାଖ, ଚଣ୍ଡିଗଡ଼, ଦାମନ ଦିଉ, ପୁଡୁଚେରି ଓ ଲାକ୍ଷାଦ୍ୱୀପ ଭଳି ୧୨ଟିରେ, ଅର୍ଥାତ୍ ପ୍ରାୟ ଏକ-ତୃତୀୟାଂଶ ରାଜ୍ୟରେ ବିଜେପିର ଆସନ ସଂଖ୍ୟା ‘ଶୂନ୍’। ୨୦୧୯ ଭଳି ଏଥର ବି ଯେଉଁ ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଜେପି ସବୁ ଆସନରେ ବିଜୟ ଲାଭ କରିଛି ସେଗୁଡ଼ିକ ହେଲା ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା। ସେହି ତାଲିକାରେ ଏଥର ମଧ୍ୟପ୍ରଦେଶ, ଦାଦ୍ରା ନଗର ହଭେଲି ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଯୋଡ଼ି ହୋଇଥିବା ବେଳେ ଗୁଜରାଟ, ହରିଆଣା ବାଦ୍ ପଡ଼ିଛି। ୨୦୧୯ରେ ଆସନ ଥାଇ ଏଥର ଦଳ ମୂଳପୋଛ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଲା ପଞ୍ଜାବ, ମଣିପୁର, ଚଣ୍ଡିଗଡ଼, ଲଦ୍ଦାଖ ଓ ଦାମନ ଦିଉ। ମଧ୍ୟପ୍ରଦେଶ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ, ଛତିଶଗଡ଼, ଦାଦ୍ରା ନଗର ହଭେଲି ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ପରି ୮ଟି ରାଜ୍ୟରେ ବିଜେପିର ସମୁଦାୟ ୨୪ଟି ଆସନ ବୃଦ୍ଧିପାଇଛି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, କର୍ଣ୍ଣାଟକ, ରାଜସ୍ଥାନ, ଗୁଜରାଟ, ଝାଡ଼ଖଣ୍ଡ, ପଞ୍ଜାବ, ହରିଆଣା, ଚଣ୍ଡିଗଡ଼, ଲଦ୍ଦାଖ, ଦାମନ ଦିଉ, ମଣିପୁର ଭଳି ଅଧିକାଂଶ ବଡ଼ ରାଜ୍ୟ ସମେତ ୧୪ଟି ରାଜ୍ୟରେ ଦଳ ସମୁଦାୟ ୮୭ଟି ଆସନ ହରାଇଛି। ସୁତରାଂ ଓଡ଼ିଶା ଭଳି ରାଜ୍ୟରେ ବିଜେପିର ପ୍ରଦର୍ଶନ ଭଲ ହୋଇ ନ ଥିଲେ ବିଜେପିର ଆସନ ସଂଖ୍ୟା ୨୧୬କୁ ଖସି ଆସିଥାନ୍ତା ଓ ଦଳ ଏନଡିଏ ସହାୟତାରେ ବି ସଂଖ୍ୟାଗରିଷ୍ଠତା ହାସଲ କରିପାରି ନଥାନ୍ତା। ୨୦୧୯ରେ ଦଳ ଜିତିଥିବା ୩୦୩ଟି ଆସନ ମଧ୍ୟରୁ ୨୨୪ଟିରେ ୫୦ ପ୍ରତିଶତରୁ ଅଧିକ ଭୋଟ ହାସଲ କରିଥିବାରୁ ସେହି ଆସନଗୁଡ଼ିକରେ ବିଜୟ ଲାଭ କରିବା ବିରୋଧୀ ଦଳଗୁଡ଼ିକ ପକ୍ଷରେ ଅସମ୍ଭବ ହେବ ବୋଲି କୁହାଯାଉଥିଲା। ଏହି ଆସନଗୁଡ଼ିକରୁ କେତେଗୋଟିରେ ବିଜେପି ପରାଜୟର ସ୍ୱାଦ ଚାଖିଛି ଓ ଏଭଳି ଆସନର ସଂଖ୍ୟା ୧୫୬କୁ ଖସିଆସିଛି। ସ୍ମୃତି ଇରାନୀ, ଅଜୟ ମିଶ୍ର ଟେନି, ଅର୍ଜୁନ ମୁଣ୍ଡା, ରାଜୀବ ଚନ୍ଦ୍ରଶେଖର, ନିଶିଥ ପରମାଣିକଙ୍କ ଭଳି ଶକ୍ତିଶାଳୀ ମନ୍ତ୍ରୀମାନଙ୍କ ସମେତ ୧୪ ଜଣ ମନ୍ତ୍ରୀଙ୍କ ନିର୍ବାଚନରେ ପରାଜୟ ବିଜେପିକୁ ଶକ୍ତ ଆଘାତ ଦେଇଛି। ୨୦୧୯ରେ ସାରାଦେଶରେ ବିଜେପିର ଭୋଟ ହାର ୩୭.୩ ପ୍ରତିଶତ ଥିଲାବେଳେ ଏଥର ତାହା ୩୬.୬ ପ୍ରତିଶତକୁ ଖସିଆସିଛି। ବିଜେପି ସପକ୍ଷରେ ସମୁଦାୟ ମାତ୍ର ୨୩.୫ କୋଟି ମତଦାତା ଭୋଟ୍ ଦେଇଛନ୍ତି। ତେବେ ବିଜେପି ପାଇଁ ଅଧିକ ଚିନ୍ତାଜନକ ହେଉଛି ଦଳକୁ ମିଳିଥିବା ଭୋଟ ହାର ହ୍ରାସ ପାଇ ନିର୍ଦ୍ଦିଷ୍ଟ କେତେକ ରାଜ୍ୟ ଓ ଆସନରେ ଭୋଟ ୫୦ ପ୍ରତିଶତରୁ ଅଧିକ ହୋଇଛି। ଭୋଟ ଏଭଳି କେନ୍ଦ୍ରୀଭୂତ ହୋଇଯାଉଥିବାରୁ ଅନ୍ୟ ଅନେକ ଆସନରେ ତାହା ହ୍ରାସ ପାଇ ଆସନ ଜିତିବାର ସମ୍ଭାବନାକୁ କ୍ଷୀଣ କରିଛି। ଏନଡ଼ିଏର ଅନ୍ୟ ସହଯୋଗୀଙ୍କୁ ମିଳିଥିବା ୫୩ଟି ଆସନ ମଧ୍ୟରୁ ୩୨ଟି ଆସନ ଟିଡିପି, ଜନସେନା, ଜେଡିୟୁ ଓ ଆରଏଲଡ଼ି ପରି ନୂଆ ସହଯୋଗୀଙ୍କୁ ମିଳିଛି। ଅର୍ଥାତ୍ ଅଧିକାଂଶ ପୁରୁଣା ସହଯୋଗୀ ପରାଜିତ ହୋଇଥିବାରୁ ସେମାନଙ୍କ ଆସନ ସଂଖ୍ୟା ହ୍ରାସପାଇଛି ବା କେତେକ ଆଦୌ ଆସନ ପାଇନାହାନ୍ତି। 

ଜାନୁଆରି ୨୦୨୪ରେ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠାକୁ ନେଇ ଦେଶବ୍ୟାପି ଯେଉଁ ଉନ୍ମାଦନା ଦେଖା ଦେଇଥିଲା ସେଥିରୁ ମନେ କରାଯାଉଥିଲା ଯେ ଏଥର ବୋଧହୁଏ ରାମମନ୍ଦିର ପ୍ରସଙ୍ଗ ଜନମାନସକୁ ଆଚ୍ଛାଦିତ କରି ନିର୍ବାଚନରେ ବିଜେପିକୁ ଲାଭ ଦେବ । ସେଥିପାଇଁ ନିର୍ବାଚନ ପ୍ରଚାରରେ ‘ଯିଏ ରାମଙ୍କୁ ଆଣିଛନ୍ତି ଆମେ ତାଙ୍କୁ ଆଣିବୁ’ (ଯୋ ରାମକୋ ଲାଏହୈଁ ହମ ଉନକୋ ଲାଏଙ୍ଗେ) ଭଳି ସ୍ଳୋଗାନମାନ ଦିଆଯାଇ ଜନମତକୁ ପ୍ରଭାବିତ କରିବାର ପ୍ରୟାସ ହୋଇଥିଲା। ନିର୍ବାଚନରେ ରାମମନ୍ଦିର ପ୍ରସଙ୍ଗ ଶାସକ ଦଳକୁ ସେଭଳି ଲାଭ ନ ପହଞ୍ଚାଇବା ପଦ୍ମ ଶିବିରରେ ନିରାଶାର କାରଣ ହୋଇଛି। କାଁ ଭାଁ ଏହାର ପ୍ରଭାବ ପଡ଼ିଥିଲେ ବି ଉତ୍ତର ପ୍ରଦେଶରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହେବାରୁ ସ୍ପଷ୍ଟ ହୋଇଛି ଯେ ରାମମନ୍ଦିର ପ୍ରସଙ୍ଗ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇନାହିଁ । ଏପରିକି ଅଯୋଧ୍ୟା ମନ୍ଦିର ଥିବା ଫୈଜାବାଦ ଆସନରୁ ବିଜେପିର ଦୁଇ ଥର ସାଂସଦ ଥିବା ଲଲ୍ଲୁ ସିଂହଙ୍କର ପରାଜୟ। ଅଯୋଧ୍ୟାରେ ହଜାର ହଜାର ଘର, ଦୋକାନ, ମନ୍ଦିର, ଧର୍ମଶାଳାକୁ ଭାଙ୍ଗି ନିର୍ମାଣ କରାଯାଇଥିବା ତେର କିଲୋମିଟର ସୁଦୀର୍ଘ ‘ରାମପଥ’ ଲାଗି କ୍ଷତିଗ୍ରସ୍ତମାନଙ୍କୁ ଉଚିତ ରୂପେ ଥଇଥାନ କରା ନ ଯିବା ଓ କ୍ଷତିପୂରଣ ଦିଆ ନ ଯିବା ସେଠାରେ ଜନିତ ଅସନ୍ତୋଷ ହେଉଛି ହାରିବାର ଏକ ବଡ଼ କାରଣ । ଉଲ୍ଲେଖଯୋଗ୍ୟ ଯେ ଏକ ଆରକ୍ଷିତ ଆସନ ହୋଇ ନଥିଲେ ସୁଦ୍ଧା ଜଣେ ଦଳିତଙ୍କୁ ପ୍ରାର୍ଥୀ କରି ସମାଜବାଦୀ ପାର୍ଟି ଭିନ୍ନ ସନ୍ଦେଶଟିଏ ଦେଇଥିଲା, ଯାହାଙ୍କୁ ଜିତାଇ ଭୋଟରମାନେ ମଧ୍ୟ ସନ୍ଦେଶଟିଏ ଦେଲେ ଯେ  ସାଧାରଣ ଜୀବନରେ ଧର୍ମ ନୁହେଁ ମୌଳିକ ସମସ୍ୟାଗୁଡ଼ିକର ସମାଧାନ ଅଧିକ ଗୁରୁତ୍ୱପୂର୍ଣ୍ଣ । ହିନ୍ଦୁତ୍ୱର ଗଡ଼ କୁହାଯାଉଥିବା ଅଯୋଧ୍ୟା ଅଞ୍ଚଳରେ ଥିବା ୯ଟି ଆସନ ମଧ୍ୟରୁ ୨୦୧୯ରେ ବିଜେପି ୭ଟିରେ ବିଜୟୀ ହୋଇଥିଲା । ଏଥର ଫୈଜାବାଦ, ସୁଲତାନପୁର, ବସ୍ତି, ଆମ୍ୱେଦକର ନଗର ଓ ଶ୍ରାବସ୍ତୀ ଭଳି ୫ଟି ଆସନରେରେ ପରାଜିତ ହୋଇଛି। ଏହି ସନ୍ଦର୍ଭରେ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଶ୍ରାବସ୍ତୀ ଆସନରୁ ଲଢ଼ିଥିବା ସକେତ ମିଶ୍ରଙ୍କ ପରାଜୟ, ଯିଏ କି ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନ୍ରିପେନ୍ଦ୍ର ମିଶ୍ରଙ୍କ ପୁଅ। ସେହିପରି ଦୀର୍ଘ ସମୟ ଧରି ବିଜେପି ଦଖଲରେ ରହି ଆସିଥିବା ରାମଙ୍କର ତପୋଭୂମି ଭାବେ ଖ୍ୟାତ ଚିତ୍ରକୁଟର ବାନ୍ଦା ଲୋକସଭା ଆସନଟି ମଧ୍ୟ ଦଳ ହାରିଯାଇଛି। ତେଣୁ ପ୍ରମାଣିତ ହୋଇଛି ଯେ କେବଳ ମନ୍ଦିର କଥା କହି ବା ହିନ୍ଦୁ ଧର୍ମ ପ୍ରତି ବିପଦ ଅଛି ବୋଲି ବିଭ୍ରାନ୍ତି ସୃଷ୍ଟି କରି ଭୋଟ ହାତେଇବା ସହଜ ନୁହେଁ। ଧର୍ମ ବ୍ୟକ୍ତିର ଆସ୍ଥାର ବିଷୟ । ତାକୁ ନିର୍ବାଚନୀ ଫାଇଦା ହାସଲ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଲୋକେ ପସନ୍ଦ କରନ୍ତି ନାହିଁ ଓ ସେଥିପାଇଁ ଭଗବାନ ବି ଦଣ୍ଡିତ କରିବାକୁ ପଛାନ୍ତି ନାହିଁ ବୋଲି ଏବେ ଚର୍ଚ୍ଚା ହେଉଛି। ଓଡ଼ିଶାରେ ବି ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ବିଭିନ୍ନ ମନ୍ଦିର ଓ ଧର୍ମସ୍ଥଳର ଉନ୍ନତିକରଣରେ ଉଦବୁଦ୍ଧ ବିଜେଡ଼ି ଦଳ ମଧ୍ୟ ନିର୍ବାଚନରେ ପରାଜିତ ହୋଇଛି। 

ଏଇ ନିର୍ବାଚନରେ ମୋଦୀଙ୍କ ଲୋକପ୍ରିୟତା ଯଥେଷ୍ଟ ହ୍ରାସ ପାଇଥିବାର ପରିଲକ୍ଷିତ ହୋଇଛି। ନିର୍ବାଚନ ପୂର୍ବରୁ ଥିବା ‘ଆଏଗା ତୋ ମୋଦି ହି’ର ଆତ୍ମବିଶ୍ୱାସ ଆଉ ଦେଖିବାକୁ ମିଳୁନି। ଅନେକ ଆସନରେ ନିର୍ବାଚନ ସ୍ଥାନୀୟ ଭିତ୍ତିରେ ଲଢ଼ା ଯାଇଥିଲା ଓ ସେଠାରେ ‘ମୋଦୀ ମେଜିକ୍’ କାମ କଲାନାହିଁ। ଅଧିକନ୍ତୁ ଯେଉଁ ୧୬୪ଟି ନିର୍ବାଚନୀ ସଭାରେ ମୋଦୀ ଭାଷଣ ଦେଇଥିଲେ ତନ୍ମଧ୍ୟରୁ ୭୭ଟିରେ ଦଳୀୟ ପ୍ରାର୍ଥୀ ପରାଜିତ ହୋଇଛନ୍ତି। ଅର୍ଥାତ୍ ସଫଳତା ହାର ମାତ୍ର ୫୩ ପ୍ରତିଶତ, ଯାହା ୨୦୧୯ରେ ୮୫ ପ୍ରତିଶତ ଥିଲା। ବାରାଣାସୀ ଆସନରେ ତୃତୀୟ ଥର ପାଇଁ ଲଢ଼ିଥିବା ସ୍ୱୟଂ ମୋଦୀଙ୍କ ବିଜୟ ବ୍ୟବଧାନ ୨୦୧୯ର ୪.୭୯ଲକ୍ଷରୁ ମାତ୍ର ୧.୫୨ ଲକ୍ଷକୁ ଖସିଆସିବା ତାଙ୍କ ନିମ୍ନଗାମୀ ଲୋକପ୍ରିୟତାକୁ ଇଙ୍ଗିତ କରୁଛି। ସୁତରାଂ ଏହା ନିଶ୍ଚିତ ଯେ ‘ବ୍ରାଣ୍ଡ ମୋଦୀ’ର ପୁନରୁତ୍ଥାନ ଅବା ନୂତନ ବ୍ରାଣ୍ଡର ଅଭ୍ୟୁଦୟ ନ ହେଲେ ତାହା ଦଳ ପାଇଁ ଚିନ୍ତାଜନକ ହୋଇପାରେ।               

ନିର୍ବାଚନ ପୂର୍ବରୁ ପ୍ରତିଟି ଭାଷଣରେ ‘ମୁଁ’ ଓ ‘ମୋଦୀ’ ଶବ୍ଦ ଦ୍ୱୟର ମାତ୍ରାଧିକ ପ୍ରୟୋଗ କରି ଆସିଥିବା ମୋଦୀ ଫଳାଫଳ ଘୋଷଣା ପରେ ‘ଆମେ’ ଓ ‘ଏନଡିଏ’ ଶବ୍ଦ ଦ୍ୱୟର ବହୁଳ ବ୍ୟବହାର କରୁଛନ୍ତି। ଏହା ପରିବର୍ତ୍ତିତ ରାଜନୈତିକ ବାସ୍ତବତାକୁ ସୂଚାଉଛି । ଏକକ ନାୟକତ୍ୱରେ ବିଶ୍ୱାସୀ ମୋଦୀଙ୍କୁ ଏଣିକି ଟିଡିପି, ଜେଡିୟୁ ଓ ଆନ୍ୟାନ୍ୟ କ୍ଷୁଦ୍ର ଦଳ ଉପରେ ଅବଲମ୍ୱନ କରି ଚାଲିବାକୁ ହେବ। ସରକାର ଚଳାଇବାର ବାଧ୍ୟବାଧକତାରେ ଧୀରେ ଧୀରେ ହୁଏତ ତାହା ଶିଖି ହେଇଯିବ, ତଥାପି ପ୍ରଭାବ ଦୁର୍ଦମନୀୟ ହେବ ନାହିଁ । ସରକାରର ସ୍ଥାୟୀତ୍ୱ ନେଇ ମନରେ ବାରମ୍ୱାର ‘ଯଦି’ ଓ ‘କିନ୍ତୁ’ ଉଙ୍କି ମାରୁଥିବ । ସରକାର ଶକ୍ତିଶାଳୀ ବିରୋଧୀଙ୍କ ସମ୍ମୁଖୀନ ହେବା ଅବଶ୍ୟମ୍ଭାବୀ । ହୁତୁ ହୁତୁ ହୋଇ ଜଳୁଥିବା ଅଗ୍ନିର ବି ନିର୍ବାପିତ ହେବାର ଭୟ ଥାଏ, ଯଦି ନିକଟରେ ଛଳଛଳ ହେଉଥିବା ଜଳାଶୟଟିଏ ଥାଏ। ସେମିତି ଜଳାଶୟ ସଦୃଶ ଏକ ଶକ୍ତିଶାଳୀ ବିରୋଧୀ ଦଳ ସରକାରଙ୍କୁ ମନୋମୁଖୀ କାର୍ଯ୍ୟ କରିବାରୁ କ୍ଷାନ୍ତ କରି ଲୋକଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିଥାଏ । ଫଳାଫଳରୁ ସ୍ପଷ୍ଟ ଯେ ଏଥର ମତଦାତାମାନେ ଏକ ଶକ୍ତିଶାଳୀ ବିରୋଧୀ ଓ ଉତ୍ତରଦାୟୀ ସରକାରଙ୍କ ସପକ୍ଷରେ ମତଦାନ କରିଛନ୍ତି। ଗତ ୧୦ ବର୍ଷ ଧରି ଗୋଟିଏ ଦଳ ନିକଟରେ ଥିବା ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଯୋଗୁ ନୀତି ନିର୍ଦ୍ଧାରଣ ଓ ନିଷ୍ପତ୍ତି ଗ୍ରହଣ ବେଳେ କେବଳ ‘ଜାତୀୟ ସ୍ୱାର୍ଥ’ ସମ୍ୱଳିତ ପ୍ରସଙ୍ଗ ପ୍ରାଧାନ୍ୟ ପାଉଥିଲା। ଫଳରେ ଆଞ୍ଚଳିକ ଆକାଂକ୍ଷାକୁ ସେତେ ଅଧିକ ଗୁରୁତ୍ୱ ମିଳୁ ନଥିଲା । ଏଥର ଏନଡ଼ିଏର ପ୍ରମୁଖ ଅଂଶୀଦାର ଦ୍ୱୟ ଆଞ୍ଚଳିକ ଦଳ ହୋଇଥିବାରୁ ଏଣିକି ଉଭୟ ଜାତୀୟ ସ୍ୱାର୍ଥ ଓ ଆଞ୍ଚଳିକ ଆକାଂକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା ଦିଗରେ ପ୍ରୟାସ ହେବ । ଜାତୀୟ ସ୍ତରରେ ସରକାର ଗଠନ ପାଇଁ ନିର୍ବାଚନ ହେଉଥିଲେ ବି ରାଜ୍ୟଭିତ୍ତିରେ ଲଢ଼ା ଯାଇଥିବା ଏହି ନିର୍ବାଚନର ଫଳାଫଳ କୌଣସି ଦଳ ବା ମେଣ୍ଟ ସପକ୍ଷରେ ଏକତରଫା ହୋଇନାହିଁ। ଏଥିରୁ ସ୍ପଷ୍ଟ ଯେ ଶକ୍ତିଶାଳୀ କେନ୍ଦ୍ର ଓ ଦୁର୍ବଳ ରାଜ୍ୟର ଅବଧାରଣାକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହା ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବ । ଦେଶର ବିବିଧତାକୁ ଅଣଦେଖା କରି ଦେଶସାରା ସବୁ କିଛି ‘ଏକ’ ବା ‘ଗୋଟିଏ’ ପ୍ରକାରେ ହେଉ ବୋଲି ଯେଉଁ ଉଦ୍ୟମ ହୋଇ ଆସୁଥିଲା, ଏଥର ତହିଁରେ ବିରାମ ଲାଗିବ ।


Published in Sambad on June 11, 2024

 

Comments

  1. Congrats Mr Saral Das for nice analysis of election result 🙏🏻

    ReplyDelete
  2. Excellent articulation of 2024 election result 👌

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...