Skip to main content

‘ମନି ଲଣ୍ଡରିଙ୍ଗ’ ଆଇନ ଓ ଇଡି ଆତଙ୍କ

ଦେଶର କେତେକ ରାଜ୍ୟରେ, ବିଶେଷ କରି ବିରୋଧୀ ଶାସିତ ରାଜ୍ୟଗୁଡ଼ିକରେ ଇ.ଡି. ପକ୍ଷରୁ ନେତାମାନଙ୍କୁ ଡାକରା, ଜେରା, ଚଢ଼ଉ, ସମ୍ପତ୍ତି ଜବତ ଭଳି ଘଟଣା ବାବଦରେ ନିୟମିତ ଶୁଣିବାକୁ ମିଳୁଛି । ସାଧାରଣ ନିର୍ବାଚନ ପୂର୍ବରୁ ଇ.ଡି. ଦ୍ୱାରା ଗିରଫ ହୋଇ ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀ ଜେଲକୁ ଯିବା ରାଜନୈତିକ ବାତାବରଣକୁ ଉଷ୍ଣ କରିଛି । ଇ.ଡି. ଦ୍ୱାରା ଗିରଫ ଓ ଚଢ଼ଉର ଭୟ ଏତେ ବେଶି ଘାରିଛି ଯେ ନେତାମାନେ ମନ୍ତ୍ରୀ ପଦ ଛାଡ଼ିବାକୁ ବି କୁଣ୍ଠା କରୁନାହାନ୍ତି । ଦୀର୍ଘ ୬୮ ବର୍ଷ ଧରି କାର୍ୟ୍ୟ କରିଆସୁଥିବା ଏକ ଅଳ୍ପଜ୍ଞାତ ସଂସ୍ଥା ଗତ ୧୦ ବର୍ଷ ମଧ୍ୟରେ ହଠାତ୍ ପି.ଏମ.ଏଲ.ଏ. ଜରିଆରେ ଖୁବ୍ ଶକ୍ତିଶାଳୀ ହୋଇ ରାଜନେୈତିକ ଭୂମିକମ୍ପ ସୃଷ୍ଟି କରିବାର ସାମର୍ଥ୍ୟ ହାସଲ କରିଛି । ଏହା କେମିତି ସମ୍ଭବ ହେଲା ତାହା ଅନୁଧ୍ୟାନର ବିଷୟ । 

ଦେଶରେ ଅର୍ଥ ଚୋରାଚାଲାଣକୁ ପ୍ରତିହତ କରିବା ଲାଗି ୨୦୦୨ ମସିହାରେ ‘ପି.ଏମ.ଏଲ.ଏ.’ (ପ୍ରିଭେନସନ ଅଫ ମନି ଲଣ୍ଡରିଙ୍ଗ ଆକ୍ଟ) ବା ‘ଅର୍ଥ ଚୋରାଚାଲାଣ ନିବାରଣ ଆଇନ’ର ପ୍ରଣୟନ ହୋଇଥିଲା । ଜୁଲାଇ ୧, ୨୦୦୫ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ଆଇନ ଓ ନିୟମଗୁଡ଼ିକ କାର୍ୟ୍ୟକାରୀ ହେଲା । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଅଧୀନସ୍ଥ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ (ଏଫ.ଆଇ.ୟୁ.) ଓ ଇ.ଡ଼ି. (ଏନଫୋର୍ସମେଣ୍ଟ ଡିରେକ୍ଟୋରେଟ) ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି । ଏହି ଆଇନ ଅନୁଯାୟୀ ଅର୍ଥ କାରବାର କରୁଥିବା ବ୍ୟାଙ୍କ, ବିତ୍ତୀୟ ଅନୁଷ୍ଠାନ ଓ ସେହିଭଳି ବୃତ୍ତିରେ ନିୟୋଜିତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ ଗ୍ରାହକଙ୍କୁ ଚିହ୍ନଟ କରିବା, ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଏଫ.ଆଇ.ୟୁ.କୁ ପ୍ରଦାନ କରିବା ଅନିବାର୍ଯ୍ୟ ହେଲା । 

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥ୍ୟାନୁସାରେ ପି.ଏମ.ଏଲ.ଏ. ଅଧୀନରେ ଜାନୁଆରୀ ୩୧, ୨୦୨୩ ପର୍ୟ୍ୟନ୍ତ ସମୁଦାୟ ୫୯୦୬ଟି ଆପରାଧିକ ମାମଲା ଦାଏର ହୋଇଛି । ତନ୍ମଧ୍ୟରୁ ୨୦୧୮ରେ ପି.ଏମ.ଏଲ.ଏ. ଆଇନରେ ସଂଶୋଧନ ହେବା ପରେ, ୩୪୦୨ ବା ପ୍ରାୟ ୫୮ ପ୍ରତିଶତ ଆପରାଧିକ ମାମଲା ଦାଏର ହୋଇଛି । ଏହି ମାମଲାଗୁଡ଼ିକରେ ସର୍ବମୋଟ ୫୧୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଇଡି ଦ୍ୱାରା ୧,୧୫,୩୫୦ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି । ତନ୍ମଧ୍ୟରୁ ୧୧୪୨ଟି ବା ମାତ୍ର ୧୯ ପ୍ରତିଶତ ମାମଲାରେ ଚାର୍ଜସିଟ ଦାଏର୍ ହୋଇଛି ଏବଂ ବିଚାର ପ୍ରକ୍ରିୟା ଆରମ୍ଭ ହୋଇପାରିଛି;  ଅର୍ଥାତ୍ ୪୫୦୦ରୁ ଊର୍ଦ୍ଧ୍ୱ ମାମଲାରେ ଇ.ଡ଼ି. ବର୍ଷ ବର୍ଷ ଧରି ତଦନ୍ତ ଶେଷ ହୋଇ ନଥିବାରୁ ସେହି ସବୁରେ ଚାର୍ଜସିଟ ଦାଏର୍ ହୋଇନାହିଁ କି ବିଚାର ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଫଳରେ ଗିରଫ ହୋଇଥିବା ଅନେକ ଅଭିଯୁକ୍ତ ଏବେ ମଧ୍ୟ ଜାମିନ ନ ପାଇ ଜେଲ ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି । ମାତ୍ର ୨୫ଟି ମାମଲା ଫଇସଲା ହୋଇଛି ଯେଉଁଥିରୁ ୨୪ଟି ମାମଲାରେ ୪୫ ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଇ.ଡି. ଦ୍ୱାରା ବାଜ୍ୟାପ୍ତି ହୋଇଥିବା ସମ୍ପତ୍ତିର ମୂଲ୍ୟ ୧୫୬୨୪ କୋଟି ଟଙ୍କା । ଏତେ ସଂଖ୍ୟକ ମାମଲା ଭିତରୁ ମାତ୍ର ଅଳ୍ପ କେତୋଟି ମାମଲାର ଫଇସଲା ହୋଇପାରିଛି; ଯାହା ପ୍ରକାରାନ୍ତରେ ଇ.ଡ଼ି.ର କାର୍ୟ୍ୟଶୈଳୀ ଓ ଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରୁଛି । ପ୍ରମାଣର ଅଭାବ, ବିଚାର ପ୍ରକ୍ରିୟାରେ ବିଳମ୍ୱ ଆଦି କେତେକ କାରଣ ଯୋଗୁଁ ଇ.ଡ଼ି. ପକ୍ଷରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ହାର ଆଶାନୁରୂପ ଓ ସମୟାବଦ୍ଧ ହୋଇପାରୁନାହିଁ । ଏହି ଧରଣର ଅପରାଧଗୁଡ଼ିକର ପ୍ରଭାବଶାଳୀ ଢଙ୍ଗରେ ତଦନ୍ତ କରିବା ଲାଗି ସଂସ୍ଥା ନିକଟରେ ସମ୍ୱଳର ଅଭାବ ରହିଛି । ଏଥିସହିତ ତଦନ୍ତ ଲାଗି ପୋଲିସ, ବହିଃଶୁଳ୍କ, ଆୟକର ତଥା ଅନ୍ୟାନ୍ୟ ଅନେକ ବିଭାଗ ମଧ୍ୟରେ ସମନ୍ୱୟଗତ ଅସନ୍ତୁଳନ ଦେଖିବାକୁ ମିଳୁଛି । ଫଳରେ ତଦନ୍ତ ବିଳମ୍ୱିତ ହେବା ସହ ମାମଲାଗୁଡ଼ିକ ଦୁର୍ବଳ ହୋଇପଡ଼ୁଛି । ଗୋଟିଏ ପକ୍ଷରେ ଆପରାଧିକ ମାମଲା ସଂଖ୍ୟା ଆଶାତୀତ ଭାବେ ବଢ଼ି ଚାଲିଥିବା ବେଳେ ଅନ୍ୟ ପକ୍ଷରେ ସଂସ୍ଥାରେ କର୍ମଚାରୀଙ୍କ ଉତ୍କଟ ସଂଖ୍ୟାଭାବ ରହିଛି । ତଥ୍ୟାନୁସାରେ ପ୍ରାୟ ୨୫ ପ୍ରତିଶତ ପଦ ଖାଲି ପଡ଼ିଛି । ଉଲ୍ଲେଖଯୋଗ୍ୟ, ପି.ଏମ.ଏଲ.ଏ. ସହିତ ବିଦେଶୀ ମୁଦ୍ରା ପରିଚାଳନା ଆଇନ (ଫେମା) ଓ ପଳାତକ ଅର୍ଥନୈତିକ ଅପରାଧୀ ଆଇନ (ଏଫ.ଇ.ଓ.ଏ.) କାର୍ଯ୍ୟକାରୀ କରିବା ଦାୟିତ୍ୱ ମଧ୍ୟ ଇ.ଡି. ଉପରେ ନ୍ୟସ୍ତ । 

ଜାନୁଆରୀ ୨୦୨୩ ସୁଦ୍ଧା ପି.ଏମ.ଏଲ.ଏ.ରେ ୧୭୬ ଜଣ ପୂର୍ବତନ ଓ ଏବର  ବିଧାୟକ ଏବଂ ସାଂସଦଙ୍କ ବିରୋଧରେ ଆପରାଧିକ ମାମଲା ଦାଏର କରାଯାଇଛି । ଏହା ମୋଟ ମାମଲାର ମାତ୍ର ୩ ପ୍ରତିଶତ ହୋଇଥିଲେ ବି ଏନଡିଏ ସରକାର କ୍ଷମତାକୁ ଆସିବା ପରେ ପି.ଏମ.ଏଲ.ଏ.ର ଶରବ୍ୟ ହୋଇଥିବା ରାଜନେତାଙ୍କ ସଂଖ୍ୟାରେ ପ୍ରାୟ ୪ ଗୁଣ ବୃଦ୍ଧିପାଇଛି । ଉଦବେଗର ବିଷୟ ଯେ ଏମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ହେଉଛନ୍ତି ବିରୋଧୀ ଦଳର । ପି.ଏମ.ଏଲ.ଏ.ରେ ବିରୋଧୀ ଦଳର କୌଣସି ନେତା ଗିରଫ ହେବା ପରେ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ଶାସକ ଦଳ ଓ ଗଣମାଧ୍ୟମ ବିଚାର (ଟ୍ରାଏଲ) କରି ପକାଉଛନ୍ତି । ତେଣୁ ବଖାଣଟିଏ ପ୍ରସ୍ତୁତ ହୋଇଯାଉଛି ଯେ ‘ସେ ଯଦି ନିର୍ଦ୍ଦୋଷ ତେବେ ତାଙ୍କୁ ଜାମିନ ମିଳୁନାହିଁ କାହିଁକି ?‘ ଏଭଳି ବଖାଣ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ସମ୍ପୃକ୍ତ ନେତାଙ୍କ ଭାବମୂର୍ତ୍ତିକୁ ମଳିନ କରି ତାଙ୍କୁ ସାର୍ବକାଳୀନ ଭାବେ ଖର୍ବକାୟ କରିଦେବା, ତାଙ୍କୁ ରାଜନୈତିକ ଦୃଷ୍ଟିରୁ ପଙ୍ଗୁ ଓ ତାଙ୍କ ଦଳକୁ ଦୁର୍ବଳ କରିବା । ପି.ଏମ.ଏଲ.ଏ. ଅଧୀନସ୍ଥ ଅପରାଧଗୁଡ଼ିକ ଅନୁସନ୍ଧାନଯୋଗ୍ୟ (କଗନିଜେବଲ୍), ଜାମିନ ଅଯୋଗ୍ୟ ହୋଇଥିବାରୁ ସେଥିରେ ପ୍ରାୟତଃ ଜାମିନ ମିଳି ନଥାଏ, ଏପରି କି ଆଗୁଆ ଜାମିନ ମଧ୍ୟ ସମ୍ଭବ ନୁହେଁ । ସୁପ୍ରିମକୋର୍ଟ ବାରମ୍ୱାର ମତ ବ୍ୟକ୍ତ କରିଛନ୍ତି ଯେ ‘ବେଲ୍ ବା ଜାମିନ ହେଉଛି ନିୟମ, ଜେଲ୍ ହେଉଛି ବ୍ୟତିକ୍ରମ’ । କିନ୍ତୁ ପି.ଏମ.ଏଲ.ଏ. ଅପରାଧ କ୍ଷେତ୍ରରେ ତାହା ପ୍ରଯୁଜ୍ୟ ନୁହେଁ । ଅର୍ଥାତ୍, ଅଭିଯୋଗଗୁଡ଼ିକ ନିରାଧାର ବୋଲି ଅଦାଲତଙ୍କ ସମ୍ମୁଖରେ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ଜାମିନ ପାଇବା ଅତି କଠିନ । ୨୦୧୮ ମସିହାରେ କେନ୍ଦ୍ର ସରକାର ପି.ଏମ.ଏଲ.ଏ.କୁ ସଂଶୋଧନ କରି ଜାମିନ ପାଇବା ପ୍ରକ୍ରିୟାକୁ ଅଧିକ ଜଟିଳ କରିବା ଲାଗି ଧାରା ୪୫ରେ ଦୁଇଟି କଠୋର ସର୍ତ୍ତ ଯୋଡ଼ି ଦେଲେ । ତଦନୁଯାୟୀ ବେଲ୍ ଦେବା ପୂର୍ବରୁ ଅଦାଲତଙ୍କ ହୃଦବୋଧ ହେବା ଆବଶ୍ୟକ ଯେ ଅଭିଯୁକ୍ତ ନିର୍ଦ୍ଦୋଷ ଏବଂ ଜାମିନରେ ଥାଇ ସେ ଅନ୍ୟ କୌଣସି ଅପରାଧ କରିବ ନାହିଁ । ଅବଶ୍ୟ ଜାମିନ ମିଳିବାକୁ ଇ.ଡି. ବିରୋଧ ନ କଲେ ଅଭିଯୁକ୍ତଙ୍କୁ ଜାମିନ ମିଳିବାରେ ଅସୁବିଧା ହୋଇ ନଥାଏ ।  ତେଣୁ ବଳିଷ୍ଠ ପ୍ରମାଣ ନଥାଇ ଗିରଫ ହୋଇଥିବା ଯେ କୌଣସି ବ୍ୟକ୍ତିଙ୍କୁ ‘ତଦନ୍ତ ଚାଲିଛି’ ଆଳରେ ବର୍ଷ ବର୍ଷ ଧରି ଜେଲରେ ରଖାଯାଇ ହେବ । ତତ୍ପରେ ବଳିଷ୍ଠ ପ୍ରମାଣ ଅଭାବ ଦର୍ଶାଇ ତାଙ୍କ ଜାମିନକୁ ବିରୋଧ କରା ନଯାଇ ତାଙ୍କୁ ଜାମିନ ଦିଆଯାଇପାରେ, ଯେମିତି ଆମ ଆଦମି ପାର୍ଟିର ସାଂସଦ ସଞ୍ଜୟ ସିଂହଙ୍କ କ୍ଷେତ୍ରରେ ହୋଇଛି । ଜାମିନ ପାଇବା ପୂର୍ବରୁ ତାଙ୍କୁ ୬ ମାସ ଜେଲରେ ରହିବାକୁ ହେଲା । ତାଙ୍କର ସେହି ମୂଲ୍ୟବାନ ୬ ମାସ ସମୟ ସେ ଫେରି ପାଇବେ କି ? ସୁତରାଂ, ଏ ବ୍ୟବସ୍ଥାରେ ଜଣେ ଅଭିଯୁକ୍ତ ଲାଗି ପ୍ରକ୍ରିୟା ହିଁ ଦଣ୍ଡ ହୋଇଥାଏ । ଦୁର୍ୟୋଗବଶତଃ, ୨୦୨୨ ମସିହାରେ ‘ବିଜୟ ମଦନଲାଲ ଚୌଧୁରୀ ବନାମ ଭାରତ ସରକାର’ ମାମଲାରେ ସୁପ୍ରିମକୋର୍ଟ ପି.ଏମ.ଏଲ.ଏ.ର ପ୍ରମୁଖ ପ୍ରାବଧାନଗୁଡ଼ିକୁ ଉଚିତ ଦର୍ଶାଇ ରାୟ ଦେବା ପରେ ଏହି ଆଇନକୁ ଏକ ସୁରକ୍ଷା କବଚ ମିଳିଯାଇଛି ଏବଂ ଏହା ଅଧିକ ଶକ୍ତିଶାଳୀ ହୋଇଉଠିଛି । ଅବଶ୍ୟ ଏହି ରାୟର ସମୀକ୍ଷା ପାଇଁ ଦାଏର ହୋଇଥିବା ମାମଲା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି ।        

ଅନ୍ତର୍ଜାତୀୟ ଡ୍ରଗସ୍ କାରବାର ଦ୍ୱାରା ସୃଷ୍ଟ ବିପୁଳ କଳାଧନ ଯୋଗୁଁ ବିଭିନ୍ନ ଦେଶର ଅର୍ଥନୀତି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବା ସହ ବିଶ୍ୱ ଅର୍ଥନୀତି ଅସ୍ଥିର ହେବାର ଆଶଙ୍କା ଥିବା ଦର୍ଶାଇ ଜାତିସଂଘ ତରଫରୁ ଏହି ଧରଣର ଅର୍ଥ ଚୋରାଚାଲାଣକୁ ପ୍ରତିହତ କରିବା ଲାଗି ଦେଶଗୁଡ଼ିକୁ ତୁରନ୍ତ ପ୍ରଭାବଶାଳୀ ଆଇନ ପ୍ରଣୟନ କରିବାକୁ ପରାମର୍ଶ ଦିଆଯାଇଥିଲା । ତଦନୁସାରେ ଭାରତରେ ପି.ଏମ.ଏଲ.ଏ. ପ୍ରଣୀତ ହୋଇଥିଲା । ଏହି  ଆଇନର ମୂଳ ଲକ୍ଷ୍ୟ ଥିଲା ଡ୍ରଗସ୍ ଓ ଆନୁଷଙ୍ଗିକ କାରବାର ଜରିଆରେ ବେଆଇନ ଭାବେ ବିଦେଶରୁ ଆସୁଥିବା କଳାଧନକୁ ପ୍ରତିହତ କରିବା । କିନ୍ତୁ ଏହାର ଅନୁଚ୍ଛେଦ ‘ଏ’ରୁ ‘ସି’ ରେ ବର୍ଣ୍ଣିତ ଅନ୍ୟାନ୍ୟ ଅନେକ ଅପରାଧ ବିଧେୟ ଅପରାଧ (ପ୍ରେଡିକେଟ ଅଫେନ୍ସ) ଭାବେ ଏହାର ପରିସରଭୁକ୍ତ ହୋଇଛି । ଏବଂ ଇତିମଧ୍ୟରେ ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହୋଇ ପି.ଏମ.ଏଲ.ଏ. ଦିଗହରା ହୋଇଥିବାର ଧାରଣାଟିଏ ସୃଷ୍ଟି ହେଲାଣି । ଶାସକ ଦଳ ଇ.ଡି.କୁ ରାଜନୈତିକ ଉଦ୍ଦେଶ୍ୟରେ ଅସ୍ତ୍ର ରୂପେ ପ୍ରୟୋଗ କରୁଥିବାର ଅଭିଯୋଗ ମଧ୍ୟ ହୋଇଥାଏ । ଅଭିଯୋଗ ହୁଏ ଯେ ଇ.ଡି.ର ସମନ ମାଧ୍ୟମରେ ବା ଚଢ଼ଉ ଜରିଆରେ ବିରୋଧୀ ଦଳର ବିଧାୟକ ବା ସାଂସଦମାନଙ୍କୁ ଭୟଭୀତ କରିବାର ଚେଷ୍ଟା କରାଯାଉଛି । ଏହା ଦ୍ୱାରା ଅନେକ ନେତା ଡରିଯାଇ ଦଳ ବଦଳ କରି ଶାସକ ଦଳରେ ମିଶିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି । କାରଣ ଶାସକ ଦଳରେ ଯୋଗ ଦେବା ପରେ ତଦନ୍ତ ଶିଥିଳ ହୋଇ ଯାଉଥିବାର ଅନେକ ଉଦାହରଣ ମିଳୁଛି । ନିକଟରେ ଏକ ପ୍ରମୁଖ ଜାତୀୟ ଇଂରେଜୀ ସମ୍ୱାଦପତ୍ରରେ ଏହିପରି ୨୫ ଜଣ ନେତାଙ୍କ ମଧ୍ୟରୁ ୨୩ ଜଣ ଏହି ପଥ ଅବଲମ୍ୱନ କରି ତ୍ରାହି ପାଇଥିବାର ଖବର ପ୍ରକାଶ ପାଇଛି । ସେମାନଙ୍କ ମାମଲା ଚାଲୁ ରହିଛି, କିନ୍ତୁ ଇ.ଡି. ଡାକରା ବା ଚଢ଼ଉର ଭୟ ରହୁନାହିଁ । ତେବେ ସମ୍ପୃକ୍ତ ରାଜନେତାଙ୍କ ମୁଣ୍ଡ ଉପରେ ଖଣ୍ଡାଟିଏ ଝୁଲି ରହି ତାଙ୍କୁ ପୁଣି ଦଳବଦଳ କରିବାରୁ ବା ବିରୋଧ କରିବାରୁ ନିବୃତ୍ତ କରୁଛି । ସ୍ଥଳ ବିଶେଷରେ ଏହି ପ୍ରକ୍ରିୟାରେ ଅନେକ ଦଳ ଦୁର୍ବଳ ହେଉଛନ୍ତି ଏବଂ କେତେକ ଦଳ ବିଭାଜିତ ହେଉଛନ୍ତି । ଏହା ଦ୍ୱାରା ପ୍ରକାରାନ୍ତରେ ଶାସକ ଦଳର କ୍ଷମତା ଦୃଢ଼ମୂଳ ହେଉଛି ବୋଲି ଧାରଣା ଜନ୍ମିଥାଏ । ବ୍ୟବସାୟ ଉଦ୍ୟୋଗଗୁଡ଼ିକ ଉପରେ ଇ.ଡି. ଚଢ଼ଉ ପରେ ସେମାନଙ୍କ ନିକଟରୁ କିପରି ନିର୍ବାଚନୀ ବଣ୍ଡ୍ ଜରିଆରେ ବିପୁଳ ପରିମାଣରେ ଚାନ୍ଦା ସଂଗ୍ରହ କରାଯାଇଛି, ତାହା ଏବେ ବହୁଳ ଭାବେ ଆଲୋଚିତ ହେଉଛି ।  ଏଭଳି ପ୍ରକରଣରେ ଦେଶରୁ ଦୁର୍ନୀତି କେମିତି ଦୂର ହେବ, ତାହା ଗୋଟିଏ ପ୍ରଶ୍ନ ।        

ସ୍ୱାଧୀନତା ପରବର୍ତ୍ତୀ ଭାରତରେ ବିରୋଧୀ ଦଳର ନେତାମାନଙ୍କୁ ଆତଙ୍କିତ କରି ରଖିବାର ପ୍ରଥମ ଦମନମୂଳକ ଆଇନଟି ଥିଲା ଜରୁରୀକାଳୀନ ପରିସ୍ଥିତିରେ ଲାଗୁ ହୋଇଥିବା ‘ମିସା’ (ମେଣ୍ଟିନାନ୍ସ ଅଫ୍ ଇଣ୍ଟର୍ନାଲ ସିକ୍ୟୁରିଟି ଆକ୍ଟ) । ଏହି ଆଇନର ଦୁରୁପଯୋଗରେ ଯେ କୌଣସି ବ୍ୟକ୍ତିବିଶେଷଙ୍କୁ ଗିରଫ କରି ଜେଲରେ ପୂରାଇ ଦିଆଯାଉଥିଲା । ମୁଖ୍ୟତଃ ବିରୋଧୀ ଦଳର ନେତାମାନେ ହିଁ ଏହାର ଶରବ୍ୟ ହେଉଥିଲେ । ଏବେ ପି.ଏମ.ଏଲ.ଏ.କୁ ସେଭଳି ବ୍ୟବହାର କରାଯାଉଛି କି ? ଅର୍ଥ ଚୋରାଚଲାଣ ଏକ ଗମ୍ଭୀର ବୈଶ୍ୱିକ ସମସ୍ୟା ହୋଇଥିବାରୁ ପି.ଏମ.ଏଲ.ଏ. ଆଇନ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହୋଇ ତା’ର ମୂଳ ଲକ୍ଷ୍ୟ ହାସଲ କରାଯିବା ଆବଶ୍ୟକ । ସେହି ଦୃଷ୍ଟିରୁ ଦୁର୍ନୀତି ଦୂର କରିବା ଲାଗି ଏହାର ନିରପେକ୍ଷ ପ୍ରୟୋଗ କରାଗଲେ କାହାରି ଆପତ୍ତି ରହିବ ନାହିଁ । କିନ୍ତୁ ରାଜନୈତିକ ଅଭିସନ୍ଧି ହାସଲ ଲାଗି ଏହାକୁ ପ୍ରୟୋଗ କରାଗଲେ ଏହି ଆଇନ ଏବଂ ଏଥିରେ ହାତବାରିସି ରୂପେ ବ୍ୟବହୃତ ହେଉଥିବା ଇ.ଡି. ଭଳି ସ୍ୱାୟତ୍ତ ସଂସ୍ଥା ଆପଣା ବିଶ୍ୱସନୀୟତା ହରାଇ ବସିବେ । 


Published in Sambad on April 16, 2024

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...