Skip to main content

ନିର୍ବାଚନୀ ବଣ୍ଡ୍ ମାମଲା - ସୁପ୍ରିମ କୋର୍ଟଙ୍କ ରାୟ: ଏକ ଆଲୋଚନା

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ବାଚନୀ ବଣ୍ଡ୍ ଅବୈଧ ବୋଲି ରାୟ ପ୍ରକାଶ ପାଇଛି । ତେଣୁ ଏହି ଅସ୍ୱଚ୍ଛ ବଣ୍ଡର ପ୍ରଚଳନ ଉପରେ ରୋକ ଲାଗିଛି । ତା’ ଛଡ଼ା ରାଜନୈତିକ ଦଳଗୁଡ଼ିକୁ ଦିଆଯାଉଥିବା ଚାନ୍ଦା ସଂକ୍ରାନ୍ତରେ ନାଗରିକଙ୍କର ଜାଣିବାର ଅଧିକାର ନାହିଁ ବୋଲି ସରକାରଙ୍କ ଯୁକ୍ତିକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି । ଏହି ବଣ୍ଡ୍ ସମ୍ୱିଧାନର ଅନୁଚ୍ଛେଦ ୧୯(୧)(ଏ)ରେ ପ୍ରଦତ୍ତ ସୂଚନା ଅଧିକାରର ଉଲ୍ଲଂଘନ କରୁଥିବା ଦର୍ଶାଇ ଏହା ଅସାମ୍ୱିଧାନିକ ବୋଲି ଘୋଷଣା କରିଛନ୍ତି । ଅନେକେ ଏହାକୁ ଭାରତୀୟ ଗଣତନ୍ତ୍ରର ଏକ ଐତିହାସିକ ବିଜୟ ବୋଲି ଅଭିହିତ କରୁଛନ୍ତି । ଭାରତୀୟ ରାଜନୀତି ଉପରେ ଏହି ରାୟର ସୁଦୂର ପ୍ରସାରୀ ପ୍ରଭାବ ପଡ଼ିବା ସୁନିଶ୍ଚିତ ।

ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ପ୍ରଦାନରେ ସ୍ୱଚ୍ଛତା ଆଣିବାକୁ ଆଳ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ଜାନୁଆରୀ ୨, ୨୦୧୮ରେ ‘ନିର୍ବାଚନୀ ବଣ୍ଡ୍ ସ୍କିମ’ର ପ୍ରଚଳନ ହୋଇଥିଲା । ଟଙ୍କା ପରି ନିର୍ବାଚନୀ ବଣ୍ଡ ଏକ ପ୍ରମିଶରି ନୋଟ ଯହିଁରେ କ୍ରେତାଙ୍କ ପରିଚୟ ଗୋପନୀୟ ରଖାଯାଇଥାଏ । ଷ୍ଟେଟ ବ୍ୟାଙ୍କର ଅଧିକୃତ କେତେକ ଶାଖାରେ ବର୍ଷର ନିର୍ଦ୍ଦିଷ୍ଟ କିଛି ଦିନ ଲାଗି ୧୦୦୦ ଟଙ୍କାରୁ ଆରମ୍ଭ କରି ୧ କୋଟି ଟଙ୍କା ମୂଲ୍ୟର ୫ ପ୍ରକାରର ନିର୍ବାଚନୀ ବଣ୍ଡ୍ ଉପଲବ୍ଧ ହୋଇଥାଏ । ତାହ।କୁ ଯେ କେହି କିଣି ଯେ କୌଣସି ଦଳକୁ ଚାନ୍ଦା ଆକାରରେ ଦେଇପାରେ ଓ ଏ ସମସ୍ତ ପ୍ରକରଣ ଗୋପନୀୟ ରହିଥାଏ ।     

‘ନିର୍ବାଚନୀ ବଣ୍ଡ୍ ସ୍କିମ’ ଅଣାଯିବା ପୂର୍ବରୁ ଅର୍ଥ ଆଇନ, ୨୦୧୭ ଜରିଆରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ, ଜନପ୍ରତିନିଧିତ୍ୱ ଆଇନ, କମ୍ପାନୀ ଆଇନ ତଥା ଆୟକର ଆଇନଗୁଡ଼ିକରେ ସଂଶୋଧନ କରି ପରିବର୍ତ୍ତନ କରିଦିଆଗଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ, ୧୯୩୪ର ଧାରା ୩୧ରେ ଉପଧାରା ୩କୁ ଯୋଡ଼ି ଦିଆଯାଇ ଯେ କୌଣସି ଅନୁସୂଚିତ (ସିଡ଼୍ୟୁଲଡ) ବ୍ୟାଙ୍କ ଜରିଆରେ ନିର୍ବାଚନୀ ବଣ୍ଡ୍ ଜାରି କରିବା ପାଇଁ କେନ୍ଦ୍ର ସରକାର କ୍ଷମତାପ୍ରାପ୍ତ ହେଲେ । କମ୍ପାନୀ ଆଇନ, ୨୦୧୩ର ଧାରା ୧୮୨ରେ ସଂଶୋଧନ କରି କମ୍ପାନୀର ଲାଭ-କ୍ଷତି ଆକାଉଣ୍ଟରେ ରାଜନୈତିକ ଦଳର ନାମ ଉଲ୍ଲେଖ କରା ନ ଯିବାର ପ୍ରାବଧାନ ହେଲା । ପୂର୍ବରୁ ଗୋଟିଏ କମ୍ପାନୀ ଗୋଟିଏ ଆର୍ଥିକ ବର୍ଷରେ ବିଗତ ୩ ବର୍ଷ ମଧ୍ୟରେ ହୋଇଥିବା ତା’ ହାରାହାରି ଲାଭର ସର୍ବାଧିକ ୭.୫ ପ୍ରତିଶତ ରାଶି ଚାନ୍ଦା ଆକାରରେ ଦେଇପାରୁଥିଲା । ଏହି ଉପର ସୀମାକୁ ଉଠାଇ ଦିଆଗଲା । ଫଳରେ କମ୍ପାନୀଗୁଡ଼ିକ ଅସୀମିତ ପରିମାଣର ଚାନ୍ଦା ଦେବାରେ ବାଧା ରହିଲା ନାହିଁ । ଏପରିକି କ୍ଷତି କରୁଥିବା କମ୍ପାନୀଗୁଡ଼ିକ ମଧ୍ୟ ଚାନ୍ଦା ଦେଇପାରିଲେ । ବିଦେଶୀ କମ୍ପାନୀଗୁଡ଼ିକ ସେମାନଙ୍କ ଭାରତରେ ଥିବା ସହାୟକ କମ୍ପାନୀ ଜରିଆରେ ଚାନ୍ଦା ଦେଇପାରିଲେ । ତେଣୁ ମିଛ ‘ସେଲ୍’ କମ୍ପାନୀଗୁଡ଼ିକ ଜରିଆରେ ବି ଚାନ୍ଦା ମିଳିବାର ଆଶଙ୍କା ଦେଖାଦେଲା ଓ କଳା ଧନକୁ ବୈଧ କରିବାର ଆଶଙ୍କା ବଢ଼ିଗଲା । ଭାରତୀୟ ଜନପ୍ରତିନିଧିତ୍ୱ ଆଇନ, ୧୯୫୧ର ଧାରା ୨୯ସିକୁ ସଂଶୋଧନ କରି ରାଜନୈତିକ ଦଳଗୁଡ଼ିକ ନିର୍ବାଚନୀ ବଣ୍ଡର ଚାନ୍ଦାଦାତାଙ୍କ ନାମ ଜଣାଇବା ଜରୁରୀ ନୁହେଁ ବୋଲି କରିଦିଆଗଲା । ଏଥି ପୂର୍ବରୁ ରାଜନୈତିକ ଦଳଗୁଡ଼ିକୁ ୨୦ ହଜାର ଟଙ୍କାରୁ ଅଧିକ ପରିମାଣର ମିଳୁଥିବା ପ୍ରତ୍ୟେକ ଚାନ୍ଦାକୁ ଘୋଷଣା କରିବା ଅନିବାର୍ଯ୍ୟ ଥିଲା । ଆୟକର ଉଦ୍ଦେଶ୍ୟରେ ଏ ସମସ୍ତ ଚାନ୍ଦାର ତଥ୍ୟ ଅଲଗା ଭାବେ ରଖିବାକୁ ହେଉଥିଲା । ଆୟକର ଆଇନ, ୧୯୬୧ର ଧାରା ୧୩-ଏରେ ସଂଶୋଧନ କରି ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ମିଳୁଥିବା ଚାନ୍ଦାର ବିବରଣୀ ରଖିବା ରାଜନୈତିକ ଦଳଗୁଡ଼ିକ ଲାଗି ଅନାବଶ୍ୟକ କରିଦିଆଗଲା । ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନୀ ବଣ୍ଡ ସ୍କିମରେ କେବଳ ଦାତାଙ୍କ ଗୋପନୀୟତାକୁ ରକ୍ଷା କରିବା ଲାଗି ଏ ସମସ୍ତ ସଂଶୋଧନ କରାଯାଇଥିଲା, ଯଦ୍ଦ୍ୱାରା କିଏ କେଉଁ ଦଳକୁ କେତେ ଚାନ୍ଦା ଦେଲେ, ତାହା ଜନସାଧାରଣ ଓ ରାଜନୈତିକ ଦଳ ଜାଣିପାରିବେ ନାହିଁ । ଫଳରେ ଚାନ୍ଦା ଦାତା ଆକ୍ରୋଶର ଶିକାର ହେବେନାହିଁ । କିନ୍ତୁ ବାସ୍ତବ ପକ୍ଷେ ଅର୍ଥ ମନ୍ତ୍ରାଳୟ ଅଧୀନସ୍ଥ ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ସମସ୍ତ ତଥ୍ୟ ଶାସକ ଦଳ ନିକଟରେ ଉପଲବ୍ଧ ହେବାରେ ଅସୁବିଧା ନଥିଲା । କେନ୍ଦ୍ରର ଶାସକ ଦଳ ନିକଟରେ ଚାନ୍ଦା ଦାତାମାନଙ୍କ ସୂଚନା ଥିବା ବେଳେ ବିରୋଧୀ ଦଳଗୁଡ଼ିକ ସେହି ସୂଚନାରୁ ବଞ୍ଚିତ ହେବା ଦ୍ୱାରା ଏକ ସୂଚନା-ବୈଷମ୍ୟ (ଇନଫର୍ମେସନ୍ ଆସିମେଟ୍ରି)ର ସ୍ଥିତି ଉତ୍ପନ୍ନ ହେଲା । ଏହା ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ଏକ ଅସମତଳ କ୍ଷେତ୍ର ପ୍ରସ୍ତୁତ କଲା, ଯାହା ଗଣତନ୍ତ୍ର ପ୍ରତି ବିପଜ୍ଜନକ । ତେଣୁ ବିରୋଧୀ ଦଳଗୁଡ଼ିକୁ ଚାନ୍ଦା ଦେଉଥିବା ବ୍ୟକ୍ତି ଓ ଅନୁଷ୍ଠାନ ଉପରେ ସରକାରଙ୍କ ଜୁଲୁମର ଆଶଙ୍କା ସୃଷ୍ଟି ହେଲା । ଫଳରେ ବିରୋଧୀ ଦଳଗୁଡ଼ିକୁ ମିଳୁଥିବା ଚାନ୍ଦାର ପରିମାଣ ହ୍ରାସ ପାଇବାକୁ ଲାଗିଲା । ଅନ୍ୟ ପକ୍ଷରେ ଶାସକ ଦଳକୁ ମିଳୁଥିବା ଚାନ୍ଦା ପରିମାଣ ବହୁଗୁଣିତ ହେଲା । ପ୍ରକାଶ ଥାଉ କି ଉଭୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ନିର୍ବାଚନ କମିସନ ମୂଳରୁ ‘ନିର୍ବାଚନୀ ବଣ୍ଡ୍ ସ୍କିମ’ର ବିରୋଧ କରିଥିଲେ । ଅନେକ ଆଇନରେ ସଂଶୋଧନ କରି ଅଣାଯାଇଥିବା ‘ନିର୍ବାଚନୀ ବଣ୍ଡ୍ ସ୍କିମ’ ଅସ୍ୱଚ୍ଛ ହୋଇଥିବାରୁ ଏହା ଗଣତନ୍ତ୍ର ପ୍ରତି ବିପଜ୍ଜନକ ବୋଲି ଦର୍ଶାଇ ସୁପ୍ରିମକୋର୍ଟରେ ୨୦୧୯ ମସିହାରୁ ଏକାଧିକ ମାମଲା ଦାଏର କରାଯାଇଥିଲା ।

ନିର୍ବାଚନୀ ବଣ୍ଡ୍ ସପକ୍ଷରେ ସରକାରୀ ପକ୍ଷର ଯୁକ୍ତି ଥିଲା ଯେ ରାଜନୈତିକ ଦଳଗୁଡ଼ିକୁ ଦିଆଯାଉଥିବା ଚାନ୍ଦା ସମ୍ପର୍କରେ ଜାଣିବାର ଅଧିକାର ନାଗରିକଙ୍କର ନାହିଁ, ବରଂ ଦାତାଙ୍କ ଗୋପନୀୟତା ସୁରକ୍ଷିତ ରହିବା ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହା ପ୍ରକାରାନ୍ତରେ ଥିଲା ନାଗରିକଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରିବା । ପ୍ରତିନିଧିମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନାଗରିକ ହିଁ ମାଲିକ, ନିର୍ବାଚିତ ପ୍ରତିନିଧି ଓ ଶାସକମାନେ ସେମାନଙ୍କର ପ୍ରତିନିଧି ଯାହା । ତେଣୁ ନାଗରିକଙ୍କ ଜାଣିବାର ଅଧିକାର ନାହିଁ ବୋଲି କହିବା ମାଲିକ ପ୍ରତି ଅବଜ୍ଞା ନୁହେଁ କି ? 

ସର୍ବୋଚ୍ଚ ଅଦାଲତଙ୍କ ସମ୍ମୁଖରେ ଯେଉଁ ମୁଖ୍ୟ ପ୍ରଶ୍ନ କେତୋଟି ଥିଲା ସେଗୁଡ଼ିକ ହେଲା: ‘ନିର୍ବାଚନୀ ବଣ୍ଡ ସ୍କିମ’ ସାମ୍ୱିଧାନିକ କି ?, ଏହା ମତଦାତାଙ୍କ ସୂଚନା ଅଧିକାରର ଉଲ୍ଲଂଘନ କରୁଛି କି ?, ଦାତାଙ୍କ ଗୋପନୀତା ରକ୍ଷା କରିବା ଆଳରେ ଦାତାଙ୍କ ପରିଚୟକୁ ଅଜ୍ଞାତ ରଖିବାକୁ ଅନୁମତି ଦେଇ ହେବ କି ?, ଏହା ଗଣତାନ୍ତ୍ରିକ ପ୍ରକ୍ରିୟା, ଓ ମୁକ୍ତ ଓ ଅବାଧ ନିର୍ବାଚନ ପ୍ରତି ବିପଦ ସୃଷ୍ଟି କରୁଛି କି ? ସମସ୍ତ ବିଷୟ ତର୍ଜମା କରି ଏହା ସମ୍ୱିଧାନର ଅନୁଚ୍ଛେଦ ୧୯(୧)(ଏ)ରେ ଥିବା ନାଗରିକର ସୂଚନା ଅଧିକାରର ବିରୋଧାଚରଣ କରୁଥିବା ଦର୍ଶାଇ ସୁପ୍ରିମକୋର୍ଟ ତାକୁ ଅସାମ୍ୱିଧାନିକ ବୋଲି କହିଛନ୍ତି । ଏଥି ସହ ଭାରତୀୟ ଜନପ୍ରତିନିଧିତ୍ୱ ଆଇନ, ଭାରତୀୟ କମ୍ପାନୀ ଆଇନ ଓ ଆୟକର ଆଇନରେ ହୋଇଥିବା ସଂଶୋଧନଗୁଡ଼ିକୁ ମଧ୍ୟ ମାନ୍ୟବର ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି । ଅଦାଲତଙ୍କ ଆଦେଶାନୁସାରେ ଷ୍ଟେଟ ବ୍ୟାଙ୍କ ତତକ୍ଷଣାତ୍ ନିର୍ବାଚନୀ ବଣ୍ଡ୍ ଜାରି କରିବାରୁ ବିରତ ରହିବ । ନିର୍ବାଚନୀ ବଣ୍ଡ୍ ପ୍ରଚଳନ ହେବା ଦିନଠାରୁ କେଉଁ କ୍ରେତା କେତେ ଟଙ୍କିଆ ବଣ୍ଡ୍ କେତେ ଗୋଟି ଏବଂ କେବେ କିଣିଛନ୍ତି ଓ କେଉଁ ଦଳ କେତେ ପରିମାଣର ବଣ୍ଡ୍ କେବେ ପାଇଛନ୍ତି ତା’ର ସମ୍ପୂର୍ଣ୍ଣ ବିବରଣୀ ମାର୍ଚ୍ଚ ୬, ୨୦୨୪ ସୁଦ୍ଧା ଷ୍ଟେଟ ବ୍ୟାଙ୍କ ନିର୍ବାଚନ କମିସନଙ୍କୁ ପ୍ରଦାନ କରିବା ଲାଗି ଷ୍ଟେଟ ବ୍ୟାଙ୍କକୁ ଆଦେଶ ଦିଆଯାଇଛି । ଏ ସବୁ ତଥ୍ୟକୁ ସର୍ବସାଧାରଣଙ୍କ ଗୋଚରାର୍ଥେ ନିର୍ବାଚନ କମିସନ ତାଙ୍କ ୱେବସାଇଟରେ ମାର୍ଚ୍ଚ ୧୩, ୨୦୨୪ ସୁଦ୍ଧା ପ୍ରକାଶ କରିବେ । 

ଲୋକସଭାରେ ଅର୍ଥ ମନ୍ତ୍ରାଳୟ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ନିର୍ବାଚନୀ ବଣ୍ଡ୍ ପ୍ରଚଳନଠାରୁ ଏ ପର୍ଯ୍ୟନ୍ତ (ମାର୍ଚ୍ଚ ୨୦୧୮ରୁ ଜାନୁଆରୀ ୨୦୨୪) ୩୦ଟି କ୍ଷେପରେ ଷ୍ଟେଟ ବ୍ୟାଙ୍କ ଦ୍ୱାରା ମୋଟ ୧୬୫୧୮ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ ଜାରି ହୋଇ ବିଭିନ୍ନ ରାଜନୈତିକ ଦଳକୁ ଦିଆଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଭାରତୀୟ ଜନତା ଦଳ ସର୍ବାଧିକ ୬୫୬୬.୧୩ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ପାଇଥିଲା, ଯାହା ସମୁଦାୟ ରାଶିର ପ୍ରାୟ ୫୫ ପ୍ରତିଶତ । କଂଗ୍ରେସ ଏକ ଜାତୀୟ ଦଳ ହୋଇଥିଲେ ହେଁ ମାତ୍ର ୯ ପ୍ରତିଶତ ରାଶି ପାଇଛି । ଟିଏମସି ଓ ବିଜେଡି ଆଞ୍ଚଳିକ ଦଳ ହୋଇ ମଧ୍ୟ ସର୍ବାଧିକ ରାଶି ପାଇବାରେ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିବା ଅନେକଙ୍କୁ ଚକିତ କରିଛି । କିଛି ରାଜନୈତିକ ଦଳ ହଠାତ୍ ବିତ୍ତଶାଳୀ ହୋଇଯାଇଥିବାରୁ ତାହା ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରିବା ସହ ତଦ୍ଦ୍ୱାରା ମୁକ୍ତ ଓ ଅବାଧ ନିର୍ବାଚନ ପ୍ରତି ବିପଦ ସୃଷ୍ଟି ହୋଇଥିବାର ଅଭିଯୋଗ ହେଲା ।

ନିର୍ବାଚନରେ ଅର୍ଥର ଏକ ବଡ଼ ଭୂମିକା ରହିଛି । ୨୦୧୯ର ସାଧାରଣ ନିର୍ବାଚନ ବେଳେ ଆଇନତଃ ଜଣେ ଲୋକସଭା ପ୍ରାର୍ଥୀ ୫୦ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରୁଥିଲା ବେଳେ ଜଣେ ବିଧାନସଭା ପ୍ରାର୍ଥୀଙ୍କ ଲାଗି ବ୍ୟୟର ସୀମା ଥିଲା ୨୦ରୁ ୨୮ ଲକ୍ଷ ଟଙ୍କା । କିନ୍ତୁ ଅଧିକାଂଶ ପ୍ରାର୍ଥୀ ନିର୍ବାଚନ କମିସନ ନିର୍ଦ୍ଧାରିତ ଖର୍ଚ୍ଚ ସୀମା ଅପେକ୍ଷା ଯଥେଷ୍ଟ ଅଧିକ ରାଶି ବ୍ୟୟ କରିଥିଲେ । ‘ସେଣ୍ଟର ଅଫ ମିଡ଼ିଆ ଷ୍ଟଡିଜ’ର ଏକ ଅଧ୍ୟୟନ ଅନୁସାରେ ୨୦୧୯ରେ ଦେଶରେ ନିର୍ବାଚନୀ ଖର୍ଚ୍ଚ ପ୍ରାୟ ୫୦୦୦୦ କୋଟି ଟଙ୍କା ହୋଇଥିଲା, ଯାହା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ହୋଇଥିବା ଖର୍ଚ୍ଚଠାରୁ ବି ଅଧିକ । ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ମିଳିଥିବା ରାଶି ସେହି ବ୍ୟୟ ଅଟକଳର ନଗଣ୍ୟ ପ୍ରତିଶତ ହୋଇଥିବାରୁ ଏବେ ମଧ୍ୟ ନିର୍ବାଚନରେ ବିପୁଳ ପରିମାଣର କଳାଧନର ସଂଚାଳନ ହେଉଛି । ବସ୍ତୁତଃ, ନିର୍ବାଚନୀ ଦୁର୍ନୀତି ହିଁ ଦେଶରେ ହେଉଥିବା ସମସ୍ତ ପ୍ରକାର ଦୁର୍ନୀତିର ଜନନୀ । ତେଣୁ ନିର୍ବାଚନୀ ବଣ୍ଡ୍ ପ୍ରଚଳନ ସମୟରେ କୁହାଯାଉଥିଲା ଯେ ତାହା ନିର୍ବାଚନରେ କଳା ଟଙ୍କାର ବ୍ୟବହାରକୁ ଲୋପ କରିବା । କିନ୍ତୁ ତାହା ଭ୍ରମାତ୍ମକ ବୋଲି ପ୍ରମାଣିତ ହୋଇଛି । 

ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ପ୍ରକାଶ ପାଇବା ପରେ ବିଭିନ୍ନ ରାଜନୈତିକ ଦଳ ଉପରେ ଏହାର ଭିନ୍ନ ଭିନ୍ନ ପ୍ରଭାବ ପଡ଼ିପାରେ । ଅତୀତରେ ରାଜନୈତିକ ଦଳଗୁଡ଼ିକୁ ‘ସୂଚନା ଅଧିକାର ଆଇନ’ ପରିସରଭୁକ୍ତ କରିବା ଲାଗି ନାଗରିକ ସମାଜର ସମସ୍ତ ପ୍ରୟାସକୁ ଦଳଗୁଡ଼ିକ ବିରୋଧ କରିଆସିଥିଲେ । ଏହି ରାୟ ପରେ ସେମାନେ ଆଇନର ପରିସରଭୁକ୍ତ ହେବାର ବାଟ ପରିଷ୍କାର ହେବ । ଚାନ୍ଦାଦାତାଙ୍କ ନାମ ସାର୍ବଜନୀନ ହେବା ପରେ ଦେଶର ରାଜନୀତିରେ ଏକ ବଡ଼ ଧରଣର ଆଲୋଡ଼ନ ସୃଷ୍ଟି ହେବା ସ୍ୱାଭାବିକ । ନିର୍ବାଚନୀ ବଣ୍ଡ ମାଧ୍ୟମରେ ଦିଆଯାଇଥିବା ଚାନ୍ଦାର ୯୪ ପ୍ରତିଶତରୁ ଊର୍ଦ୍ଧ୍ୱ ରାଶି ଏକ କୋଟି ଟଙ୍କିଆ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ଦିଆଯାଇଥିବାରୁ ତାହା ଯେ ସାଧାରଣ ଚାନ୍ଦାଦାତାଙ୍କ ନିକଟରୁ ସଂଗୃହୀତ ହୋଇନାହିଁ, ତାହା ସୁସ୍ପଷ୍ଟ । ‘ଅର୍ଥ ବଦଳରେ ସ୍ୱାର୍ଥ ହାସଲ’ (କ୍ୱିଡ ପ୍ରୋ କ୍ୱୋ) ପାଇଁ ଚାନ୍ଦା ଦିଆଯାଇଛି ବୋଲି ପ୍ରତିପକ୍ଷ ପ୍ରତିପାଦନ କରିବାକୁ ପ୍ରୟାସ କରିବେ । ଫଳରେ ଆଗାମୀ ଦନରେ ଅନ୍ଧକାରରେ ଥିବା ଅନେକ ଦୁର୍ନୀତି ଲୋକଲୋଚନକୁ ଆସି ବିଭିନ୍ନ ଦଳକୁ ଅଡ଼ୁଆରେ ପକାଇବାର ଆଶଙ୍କା ବୃଦ୍ଧି ପାଇବ । ଏଭଳି କମ୍ପାନୀଗୁଡ଼ିକ ମଧ୍ୟ ନିର୍ବାଚନ ଲାଗି ପ୍ରକାଶ୍ୟରେ ବଡ଼ ଧରଣର ଚାନ୍ଦା ଦେବାକୁ ପଛାଇବେ । ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ବିତ୍ତଶାଳୀ ଦଳଗୁଡ଼ିକ ଲାଗି ତାତ୍କାଳିକ ଅର୍ଥାଭାବ ଦେଖା ନ ଦେଲେ ବି ଅନ୍ୟ ଦଳଗୁଡ଼ିକ ଲାଗି ପାଣ୍ଠି ସଂଗ୍ରହ ଅତ୍ୟନ୍ତ କଷ୍ଟକର ହୋଇପଡ଼ିବ । ଦୁର୍ନୀତିଗୁଡ଼ିକ ଉପରୁ ପରଦା ହଟିଲେ ଆଞ୍ଚଳିକ ଦଳଗୁଡ଼ିକ ଭବିଷ୍ୟତରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଜୁଲୁମର ଶରବ୍ୟ ହେବାର ଆଶଙ୍କା ବୃଦ୍ଧି ପାଇବ । ଗତ ୬ ବର୍ଷ ମଧ୍ୟରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ତାମିଲନାଡ଼ୁରେ କ୍ଷମତାରେ ଥିବା ବିଜେଡି, ଟିଏମସି ଓ ଡିଏମକେ ଦଳଗୁଡ଼ିକ ନିକଟକୁ ୨୦୦୦୦ ଟଙ୍କାରୁ ଅଧିକ ପରିମାଣର ମିଳୁଥିବା ଚାନ୍ଦାର ସିଂହଭାଗ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଆସୁଥିଲା । ଉଦାହରଣ ସ୍ୱରୂପ, ବିଜୁ ଜନତା ଦଳକୁ ୨୦୧୮-୧୯ରେ ମିଳିଥିବା ୨୦୦୦୦ ଟଙ୍କାରୁ ଅଧିକ ପରିମାଣର ଚାନ୍ଦା ମଧ୍ୟରୁ ୮୭.୯ ପ୍ରତିଶତ ରାଶି ନିର୍ବାଚନୀ ବଣ୍ଡ ମାଧ୍ୟମରେ ମିଳିଥିବା ବେଳେ ୨୦୨୧-୨୨  ଓ ୨୦୨୨-୨୩ରେ ତାହା ଶତ ପ୍ରତିଶତ ହୋଇସାରିଛି । ଅର୍ଥାତ୍ ନିର୍ବାଚନୀ ବଣ୍ଡ ଭିନ୍ନ ଦଳକୁ ଚେକ୍ ବା ଅନ୍ୟ ପ୍ରକାରେ ପ୍ରାୟତଃ ଆଉ ଚାନ୍ଦା ମିଳୁନାହିଁ । ଏପରି ସ୍ଥଳେ ନିର୍ବାଚନୀ ବଣ୍ଡ ଅବୈଧ ଘୋଷିତ ହେବା ପରେ ଏଭଳି ଆଞ୍ଚଳିକ ଦଳଗୁଡିକ ଲାଗି ବଡ଼ ଧରଣର ପାଣ୍ଠି ସଂଗ୍ରହ କରିବା ଏକ ନୂତନ ଆହ୍ୱାନ ରୂପେ ଛିଡ଼ା ହେବ । ଅବଶ୍ୟ କେନ୍ଦ୍ର ସରକାର ଏହାର ବିକଳ୍ପ ବ୍ୟବସ୍ଥା ଲାଗି ତତ୍ପର ହେଲେଣି । ତେବେ ଏହା ମଧ୍ୟ ବାସ୍ତବତା ଯେ ଏହି ରାୟ ପରେ ନିର୍ବାଚନରେ କଳା ଧନ କାରବାରରେ ପୂର୍ଣ୍ଣଚ୍ଛେଦ ପଡ଼ିବ ନାହିଁ । ନିର୍ବାଚନୀ ବଣ୍ଡ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଆର୍ଥିକ ବୈଷମ୍ୟକୁ ଉତ୍କଟ କରି ଶାସନ କ୍ଷମତାରେ ଥିବା କିଛି ଦଳଙ୍କୁ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ଓ ପ୍ରଭାବଶାଳୀ କରିଥିଲା । ତେବେ ଆଶା କରିବା ଯେ ସୁପ୍ରିମକୋର୍ଟଙ୍କ ରାୟ ପରେ ଆଗାମୀ ଦିନମାନଙ୍କରେ ହୁଏତ ଏକ ସମାନ ସମତଳ ସୃଷ୍ଟି ହୋଇ ରାଜନୈତିକ ଦଳଗୁଡ଼ିକ ଏକ ନ୍ୟାୟୋଚିତ ପ୍ରତିଦ୍ୱନ୍ଦ୍ୱିତାର ସୁଯୋଗ ଦେବ । ଏହି ପ୍ରକରଣରୁ ସ୍ପଷ୍ଟ ହେଲା ଯେ, କୌଣସି ସ୍ଥିତିରେ ନାଗରିକଙ୍କୁ ଅନ୍ଧାରରେ ରଖିବାର ଅପଚେଷ୍ଟା କରିବା କେବଳ ଅବାଞ୍ଛିତ ନୁହେଁ, ବରଂ ଏହା ଗଣତନ୍ତ୍ର ପାଇଁ ବିପଜ୍ଜନକ ମଧ୍ୟ ।


Published in Sambad on February 20, 2024

Comments

  1. Very nice analytical aricle for general public

    ReplyDelete
  2. Good and informative.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍