Skip to main content

ଲୋହିତ ସାଗର ସଙ୍କଟର ପ୍ରଭାବ

ହମାସ ବିରୋଧରେ ଗାଜା ଭୂଖଣ୍ଡ ଉପରେ ଇସ୍ରାଏଲର ଅମାନବୀୟ ଆକ୍ରମଣ ବୃଦ୍ଧି ପାଇବା ପରେ ନଭେମ୍ୱର ୧୯, ୨୦୨୩ରେ ଲୋହିତ ସାଗର ପ୍ରଥମ କରି ସଂଘର୍ଷର ନୂଆ କ୍ଷେତ୍ର ପାଲଟିଲା ଯେତେବେଳେ ୟେମେନସ୍ଥିତ ‘ହୁଥି’ ସଶସ୍ତ୍ର ସଂଗଠନ ଦ୍ୱାରା ଇସ୍ରାଏଲର ଏକ ମାଲବାହୀ ଜାହାଜକୁ ଅପହରଣ କରି ନିଆଗଲା । ଇସ୍ରାଏଲ ମାଲିକାନାରେ ଥିବା, ଇସ୍ରାଏଲ ଦ୍ୱାରା ପରିଚାଳିତ ହେଉଥିବା ଓ ଇସ୍ରାଏଲୀ ବନ୍ଦରଗୁଡ଼ିକ ଉଦ୍ଦେଶ୍ୟରେ ଯାଉଥିବା ଜାହାଜଗୁଡ଼ିକ ଆକ୍ରମଣର ଶିକାର ହେଉଥିବା କଥା ‘ହୁଥି’ ତରଫରୁ କୁହାଯାଉଥିଲେ ବି ଇତିମଧ୍ୟରେ ଇସ୍ରାଏଲ ସହ କୌଣସି ସମ୍ପର୍କ ନଥିବା ଅନେକ ଜାହାଜ ଡ୍ରୋନ ଓ କ୍ଷେପଣାସ୍ତ୍ର ଆକ୍ରମଣର ଶିକାର ହୋଇସାରିଲେଣି । ଡିସେମ୍ୱର ୯ ଠାରୁ ଲଗାତର ଭାବେ ଏହି ଧରଣର ଆକ୍ରମଣ ବୃଦ୍ଧି ପାଇଥିବାରୁ ଲୋହିତ ସାଗର ଏକ ସଙ୍କଟଗ୍ରସ୍ତ ଅଞ୍ଚଳରେ ପରିଣତ ହୋଇଛି । ଆମେରିକା ଓ ବ୍ରିଟେନ ତରଫରୁ ହୁଥି ଆଡ଼୍ଡାଗୁଡ଼ିକ ଉପରେ ସଂଖ୍ୟାଧିକ ପ୍ରତ୍ୟାକ୍ରମଣ ହୋଇଥିଲେ ହେଁ 'ହୁଥି'ର ସଦସ୍ୟମାନଙ୍କ ଉପରେ ତା’ର କୌଣସି ପ୍ରଭାବ ପଡ଼ିନାହିଁ କି ସେମାନେ ଆକ୍ରମଣରୁ ନିବୃତ୍ତ ହୋଇନାହାନ୍ତି । ଏହା ସାରା ବିଶ୍ୱର ବିଭିନ୍ନ ଦେଶର ଚିନ୍ତାକୁ ଯଥେଷ୍ଟ ବଢାଇଛି; କାରଣ ଲୋହିତ ସାଗର ବିଶ୍ୱର ଅନ୍ୟତମ ବ୍ୟସ୍ତ ଜଳପଥ ହୋଇଥିବାରୁ ସେଠାରେ ସଙ୍କଟ ଲାଗି ରହିଲେ ସାରା ପୃଥିବୀର ବାଣିଜ୍ୟ ପ୍ରତିକୂଳ ଭାବେ ପ୍ରଭାବିତ ହେବ । ଏହା ଦ୍ୱାରା ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବ । କହିବା ଅନାବଶ୍ୟକ ଯେ ଲୋହିତ ସାଗରରେ ସୃଷ୍ଟ ସଙ୍କଟ ଦ୍ୱାରା ଭାରତର ଅର୍ଥନୀତି ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି. ଯାହା ଉପରେ ଆଲୋଚନା କରାଯାଉ ।

ପଶ୍ଚିମରେ ଇଜିପଟର ସୁଏଜଠାରୁ ଆରମ୍ଭ କରି ଦକ୍ଷିଣପୂର୍ବରେ ପ୍ରାୟ ୧୯୩୦ କିଲୋମିଟର ଦୂରରେ ଅବସ୍ଥିତ ବାବ-ଏଲ-ମାଣ୍ଡେବ ପ୍ରଣାଳୀ ଯାଏଁ ଲୋହିତ ସାଗର ପରିବ୍ୟାପ୍ତ । ଏହାପରେ ତାହା ଆଡ଼େନ ଉପସାଗର ଦେଇ ଆରବ ସାଗର ସହ ସଂଯୁକ୍ତ ହୋଇଛି । ଏସିଆ ଓ ଆଫ୍ରିକା ମହାଦେଶକୁ ଅଲଗା କରୁଥିବା ଏହି ସାଗର ଉପକୂଳରେ ଯେଉଁ ୬ଟି ଦେଶ ଅବସ୍ଥିତ ତହିଁରୁ ପୂର୍ବ ତଟରେ ଏସିଆର ସାଉଦି ଆରବ ଓ ୟେମେନ ଥିବା ବେଳେ ପଶ୍ଚିମ ତଟରେ ଆଫ୍ରିକାର ଇଜିପ୍ଟ, ସୁଦାନ, ଏରିଟ୍ରିଆ ଓ ଜିବୁଟି ଭଳି ଚାରିଟି ଦେଶ ରହିଛି । ଲୋହିତ ସାଗରର ଉତ୍ତର ପାର୍ଶ୍ୱରେ ଏହା ସୁଏଜ ଉପସାଗର ଓ ଆକାବା ଉପସାଗର ନାମକ ଦୁଇଟି ଉପସାଗରରେ ବିଭକ୍ତ ହୋଇଛି । ସୁଏଜ କେନାଲ ଦେଇ ସୁଏଜ ଉପସାଗର ଭୂ-ମଧ୍ୟ ସାଗର ସହ ସଂଯୁକ୍ତ ହୋଇଥିବାରୁ ଏହି ବାଟ ଦେଇ ଏସିଆରୁ ଇଉରୋପ, ଉତ୍ତର ଆଫ୍ରିକା ଓ ଉତ୍ତର ଆମେରିକାର ଦେଶଗୁଡ଼ିକୁ ଜଳପଥରେ ପରିବହନ ସୁଗମ ହୋଇଥାଏ । ଫଳରେ ବିଶ୍ୱ ବାଣିଜ୍ୟର ପ୍ରାୟ ୧୨ ପ୍ରତିଶତ ବା ଏକ ଲକ୍ଷ କୋଟି ଡଲାର ଏହି ଜଳପଥ ଦେଇ ହୋଇଥାଏ । ସୁତରାଂ, ଲୋହିତ ସାଗର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଧମନୀ ।   

ୟେମେନରେ ଥିବା ‘ହୁଥି’ମାନେ ଏକ ରାଜନୈତିକ ଓ ଧର୍ମୀୟ ସିହା ମୁସଲିମ ସଶସ୍ତ୍ର ସଂଗଠନ । ସେମାନେ ଇସ୍ରାଏଲ, ଆମେରିକା ଓ ଅନ୍ୟାନ୍ୟ ପଶ୍ଚିମୀ ଦେଶଗୁଡ଼ିକ ବିରୋଧରେ ଲଢ଼ିବା ପାଇଁ ଇସ୍ରାଏଲସ୍ଥିତ ‘ହମାସ’, ଲେବାନନସ୍ଥିତ ‘ହେଜବୁଲ୍ଲା’ ପରି ଇରାନ ଦ୍ୱାରା ପରିଚାଳିତ ‘ପ୍ରତିରୋଧ ଅକ୍ଷ’ (ଆକସିସ୍ ଅଫ ରେଜିଷ୍ଟାନସ୍)ର ଅଂଶବିଶେଷ । ଗତ ଶତାବ୍ଦୀର ନବମ ଦଶକରେ ପ୍ରତିଷ୍ଠିତ ଏହି ସଂଗଠନର ନାମ ପ୍ରତିଷ୍ଠାତା ହୁସେନ-ଅଲ-ହୁଥିଙ୍କ ନାମାନୁସାରେ ରଖାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ‘ହୁଥି’ମାନେ ବୃହତ୍ତର ସ୍ୱାୟତ୍ତତା ଦାବୀ କରି ୟେମେନର ଏକଚ୍ଛତ୍ରବାଦୀ ରାଷ୍ଟ୍ରପତି ଅଲି ଅବଦୁଲ୍ଲା ସାଲହେଙ୍କ ବିରୋଧରେ ବିଦ୍ରୋହ କରୁଥିଲେ । ପରବର୍ତ୍ତୀ ସମୟରେ ୟେମେନର ଏକ ବିସ୍ତୃତ ଅଞ୍ଚଳ ‘ହୁଥି’ଙ୍କ ନିୟନ୍ତ୍ରଣକୁ ଚାଲି ଆସିଥିଲା । ବର୍ତ୍ତମାନ ସେମାନଙ୍କ ନିୟନ୍ତ୍ରଣରେ ଉତ୍ତର-ପଶ୍ଚିମ ୟେମେନ, ସାନା ଓ ଲୋହିତ ସାଗରର ତଟବର୍ତ୍ତୀ ଅଞ୍ଚଳ ରହିଛି । ଅଧିକାଂଶ ୟେମେନୀ ନାଗରିକ ଏହି ଅଞ୍ଚଳରେ ବସବାସ କରୁଥିବାରୁ ‘ହୁଥି’ମାନେ ଟିକସ ଆଦାୟଠାରୁ ଆରମ୍ଭ କରି ମୁଦ୍ରା ପ୍ରଣୟନ ପର୍ୟ୍ୟନ୍ତ ସବୁ ପ୍ରକାର ସରକାରୀ କାର୍ଯ୍ୟ କରୁଛନ୍ତି; ବସ୍ତୁତଃ ସରକାର ଚଳାଉଛନ୍ତି ଯଦିଓ ସେହି ସରକାରକୁ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିନାହିଁ । 

‘ହୁଥି’ମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର, ଡ୍ରୋନ, କ୍ଷେପଣାସ୍ତ୍ର ଆଦି ଇରାନ ଯୋଗାଉଥିବାର ଅଭିଯୋଗ ହୋଇଥାଏ । କିନ୍ତୁ ଇରାନ କୁହେ ଯେ ତାହା ‘ହୁଥି’ମାନଙ୍କୁ କେବଳ ରାଜନୈତିକ ସମର୍ଥନ ଦେଉଛି । ତେବେ ମାଲବାହୀ ଜାହାଜଗୁଡ଼ିକୁ ‘ହୁଥି’ମାନେ କରୁଥିବା ଆକ୍ରମଣକୁ ସମର୍ଥନ ଦେବା ପଛରେ ପରୋକ୍ଷରେ ହେଲେ ବି ଇରାନର ସ୍ୱାର୍ଥ ସନ୍ନିହିତ । 

ମଧ୍ୟ-ପ୍ରାଚ୍ୟ କ୍ଷେତ୍ରରେ ସିହା ବହୁଳ ଇରାନ ନିଜର କର୍ତ୍ତୃତ୍ୱ ଜାହିର କରିବା ଲାଗି ଅହରହ ପ୍ରୟାସ କରିଆସୁଛି । ଏଣେ ଆମେରିକା ଓ ଇସ୍ରାଏଲ ସହ ଇରାନର ତିକ୍ତ ସମ୍ପର୍କ ସର୍ବଜନବିଦିତ । ସୁତରାଂ, ଇରାନର ପ୍ରଭାବକୁ ହ୍ରାସ କରିବା ଲାଗି ମଧ୍ୟ ପ୍ରତିପକ୍ଷ ସର୍ବଦା ପ୍ରୟାସରତ । ଏଭଳି ସ୍ଥଳେ ସେପ୍ଟେମ୍ୱର ୨୦୨୩ରେ ଜି-୨୦ ଶିଖର ସମ୍ମିଳନୀରେ ଭାରତରୁ ମଧ୍ୟ-ପ୍ରାଚ୍ୟ ଦେଶଗୁଡ଼ିକ ଦେଇ ଇଉରୋପିଆନ ୟୁନିଅନ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ନୂତନ ‘ଆଇ.ଏମ.ଇ.ସି.’ କରିଡ଼ର ନିର୍ମାଣ ଲାଗି ଭାରତ, ଆମେରିକା, ସାଉଦି ଆରବ, ୟୁଏଇ, ଇଉରୋପିଆନ ୟୁନିଅନ, ଇଟାଲୀ, ଫ୍ରାନ୍ସ, ଜର୍ମାନୀ ଆଦି ଦେଶର ନେତୃବୃନ୍ଦଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ପ୍ରସ୍ତାବିତ କରିଡ଼ର ଭାରତର ମୁନ୍ଦ୍ରା, କାଣ୍ଡଲା, ନୱି ମୁମ୍ୱଇ ବନ୍ଦରରୁ ଆରମ୍ଭ ହୋଇ ମଧ୍ୟ ପ୍ରାଚ୍ୟର ବିଭିନ୍ନ ଦେଶରେ ରେଳପଥ ଦେଇ ଇସ୍ରାଏଲର ହାଇଫା ବନ୍ଦର ଯାଏଁ ଯିବ ଓ ସେଠାରୁ ପୁଣି ଜଳପଥରେ ଭୂ-ମଧ୍ୟ ସାଗର ଦେଇ ଇଉରୋପର ବିଭିନ୍ନ ଦେଶ ସହିତ ସଂଯୁକ୍ତ ହେବ । ଏହି ପ୍ରସ୍ତାବିତ ‘କରିଡର’ କାର୍ଯ୍ୟକାରୀ ହେଲେ ସୁଏଜ କେନାଲ ଦେଇ ପରିବହନ କରିବାର ଆବଶ୍ୟକତା ଉପୁଜିବ ନାହିଁ; ବରଂ ଉତ୍ତର-ଇସ୍ରାଏଲର ଭୂ-ମଧ୍ୟ ସାଗର ତଟରେ ଥିବା ହାଇଫା ବନ୍ଦର ଦେଇ ପରିବହନ ଗୁରୁତ୍ୱ ଲାଭ କରିବ । ଉଲ୍ଲେଖଯୋଗ୍ୟ ଯେ ଭାରତରେ ମୁନ୍ଦ୍ରା ବନ୍ଦରର ମାଲିକାନା ଆଦାନୀ କମ୍ପାନୀ ନିକଟରେ ଥିବା ବେଳେ ଗତ ବର୍ଷ ଜାନୁଆରି ମାସ ଇସ୍ରାଏଲର ହାଇଫା ବନ୍ଦର ମଧ୍ୟ ଆଦାନୀ ନିୟନ୍ତ୍ରଣକୁ ଆସିସାରିଛି । ତେବେ ଏହି ‘କରିଡର’ ଯୋଗୁଁ ସୁଏଜ କେନାଲ ଦେଇ ବାଣିଜ୍ୟକୁ ଏଡ଼ାଇ ଦିଆଯାଉଥିବାରୁ ଇଜିପ୍ଟ ରାଜସ୍ୱ ହରାଇବା ନିଶ୍ଚିତ । କେବଳ ସେତିକି ନୁହେଁ, ପ୍ରସ୍ତାବିତ କରିଡ଼ରରେ ଇରାନକୁ ମଧ୍ୟ ଅଣଦେଖା କରାଯାଇଛି ଯଦ୍ଦ୍ୱାରା ଇରାନ ଗୁରୁତ୍ୱ ହରାଇବାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଇରାନ କ୍ଷୁବ୍ଧ । ଅନେକ ବିଶେଷଜ୍ଞ କହନ୍ତି ଲୋହିତ ସାଗରରେ ସଙ୍କଟ ଲାଗି ରହିଲେ ପ୍ରସ୍ତାବିତ କରିଡ଼ର ନିର୍ମାଣ ବିଳମ୍ୱିତ ହୋଇ କ୍ରମଶଃ ଗୁରୁତ୍ୱ ହରାଇବ, ଯାହା ଇରାନର ସ୍ୱାର୍ଥ ଅନୁକୂଳ ହୋଇପାରେ । 

‘ହୁଥି’ଙ୍କ ଦ୍ୱାରା ମାଲବାହୀ ଜାହାଜଗୁଡ଼ିକ ଉପରେ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଧ୍ୟମରେ ଆକ୍ରମଣ ହେବା ପରଠାରୁ ବିଶ୍ୱର ଅଧିକାଂଶ ପ୍ରମୁଖ ଜାହାଜ କମ୍ପାନୀ ଲୋହିତ ସାଗର ଦେଇ ଜାହାଜ ଚଳାଚଳ ବନ୍ଦ କରିଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ସେମାନେ ଆଫ୍ରିକା ମହାଦେଶର ଦକ୍ଷିଣସ୍ଥ ଉତ୍ତମାଶା ଅନ୍ତରୀପ (କେପ ଅଫ ଗୁଡ ହୋପ୍) ଦେଇ ବୁଲି କରି ଯିବାକୁ ବାଧ୍ୟ ହେଉଛନ୍ତି । ନଭେମ୍ୱର ୨୦୨୩ରୁ ଜାନୁଆରୀ ୨୦୨୪ ଦୁଇ ମାସ ମଧ୍ୟରେ ସୁଏଜ କେନାଲ ଦେଇ ଜାହାଜ ଚଳାଚଳ ୪୬ ପ୍ରତିଶତ ହ୍ରାସ ପାଇଥିବା ବେଳେ ଉତ୍ତମାଶା ଅନ୍ତରୀପ ଦେଇ ପ୍ରାୟ ୩୨ ପ୍ରତିଶତ ବୃଦ୍ଧି ପାଇଛି । ଉତ୍ତମାଶା ଅନ୍ତରୀପ ଦେଇ ଗଲେ ଜାହାଜଗୁଡ଼ିକୁ ଅଧିକ ପ୍ରାୟ ୧୨ ଦିନ ଲାଗୁଛି ଓ ସେଗୁଡ଼ିକୁ ଅଧିକ ୬୦୦୦ କିଲୋମିଟର ଅତିକ୍ରମ କରିବାକୁ ପଡ଼ୁଛି । ତେଣୁ ପରିବହନ ବାବଦ ଦେୟ ପ୍ରାୟ ୧୬୧ ପ୍ରତିଶତ ବୃଦ୍ଧି ପାଇସାରିଲାଣି । ଫଳରେ ପଠାଯାଉଥିବା ସାମଗ୍ରୀ ବିଳମ୍ୱରେ ପହଞ୍ଚିବା ସହ ସେଗୁଡ଼ିକର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟୁଛି । ଏହା ଫଳରେ ସ୍ୱାଭାବିକ ଭାବେ ଆମଦାନିକାରୀ ଦେଶର  ଖାଉଟିମାନେ ଏତେ ଅଧିକ ଦାମରେ ଜିନିଷ କିଣିବାକୁ ଆଗ୍ରହ ଦେଖାଉ ନାହାନ୍ତି । ତେଣୁ  ଚାହିଦା ହ୍ରାସ ପାଇ ଅନେକ ଆମଦାନିକୁ ବାତିଲ କରିବାକୁ ପଡ଼ୁଛି । ଉପରୋକ୍ତ କାରଣରୁ ଆଗାମୀ ଦିନରେ ସାରା ବିଶ୍ୱରେ ସ୍ୱାଭାବିକ ଯୋଗାଣ ଶୃଙ୍ଖଳ ବ୍ୟାହତ ହେବା ସହ ମୁଦ୍ରାସ୍ଫୀତି ହାର ପ୍ରାୟ ୧ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ଉଲ୍ଲେଖଯୋଗ୍ୟ ଯେ ରୁଷିଆ ଓ ଚୀନ ପତାକାଧାରି ଜାହାଜଗୁଡ଼ିକ ପ୍ରାୟତଃ ‘ହୁଥି’ ଆକ୍ରମଣର ଶିକାର ହେଉ ନଥିବାରୁ ସେହି ଜାହାଜଗୁଡ଼ିକ ଏବେ ମଧ୍ୟ ଲୋହିତ ସାଗର ଦେଇ ଚଳାଚଳ କରୁଛନ୍ତି ।

କ୍ରିସିଲ ସଂସ୍ଥାର ତଥ୍ୟ ଅନୁଯାୟୀ ଭାରତରୁ ହେଉଥିବା ସମଗ୍ର ରପ୍ତାନିର ପ୍ରାୟ ୫୦ ପ୍ରତିଶତ ବା ୧୮ ଲକ୍ଷ କୋଟି ଟଙ୍କା ଓ ସମଗ୍ର ଆମଦାନୀର ପ୍ରାୟ ୩୦ ପ୍ରତିଶତ ବା ୧୭ ଲକ୍ଷ କୋଟି ଟଙ୍କାର ବାଣିଜ୍ୟ ଲୋହିତ ସାଗର ଜଳପଥ ଦେଇ ହୋଇଥାଏ । ଏ ପର୍ୟ୍ୟନ୍ତ ଲୋହିତ ସାଗର ସଙ୍କଟର ଭାରତ ଉପରେ କୌଣସି ପ୍ରତିକୂଳ ପ୍ରଭାବ ଅନୁଭୂତ ହୋଇନାହିଁ । କିନ୍ତୁ, ଇତିମଧ୍ୟରେ ଭାରତ ଅଭିମୁଖେ ଆସୁଥିବା ବା ଭାରତୀୟ କର୍ମରାରା ଥିବା ୬ଟି ଜାହାଜ ‘ହୁଥି’ ଆକ୍ରମଣର ଶିକାର ହୋଇସାରିଲେଣି । ଭାରତୀୟ ମାଲବାହୀ ଜାହାଜଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବା ଲାଗି ଭାରତ ମଧ୍ୟ ତତ୍ପରତା ପ୍ରଦର୍ଶନ କରି ଆରବ ସାଗରରେ ଅଧିକ ସଂଖ୍ୟକ ଯୁଦ୍ଧ ଜାହାଜ ମୁତୟନ କରିଛି । ମାତ୍ର ତାହା ମାଲବାହୀ ଜାହାଜଗୁଡ଼ିକୁ ଆଶ୍ୱସ୍ତ କରିବା ଲାଗି ଯଥେଷ୍ଟ ହେଉନଥିବାରୁ ପ୍ରାୟ ୯୫ ପ୍ରତିଶତ ଜାହାଜ ଉତ୍ତମାଶା ଅନ୍ତରୀପ ଦେଇ ଯିବା ଆସିବା କରୁଛନ୍ତି । ଏହି ସଙ୍କଟ ଯୋଗୁଁ ସବୁ କ୍ଷେତ୍ର ସମାନ ଭାବେ ପ୍ରଭାବିତ ନ ହେଲେ ବି କୃଷି ସାମଗ୍ରୀ ଓ ଖାଦ୍ୟ ରପ୍ତାନୀ ଉପରେ ଏହାର କୁପ୍ରଭାବ ପଡ଼ିବାର ଆଶଙ୍କା ଦେଖାଦେଲାଣି । ଜାହାଜ ପରିବହନ ଦେୟ ବୃଦ୍ଧି କାରଣରୁ ଭାରତରୁ ରପ୍ତାନି ହେଉଥିବା ବାସମତି ଚାଉଳ, ଚା, ମସଲା, ଅଙ୍ଗୁର, ମଇଁଷି ମାଂସ ଆଦିର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ବିଦେଶରେ ଖାଉଟିମାନେ ସେହି ସବୁ ସାମଗ୍ରୀ ପ୍ରତି ବିମୁଖ ହେଉଥିବାରୁ ରପ୍ତାନି ହ୍ରାସ ହେବା ଆରମ୍ଭ କରିଛି । ତେବେ ବୟନ, ରସାୟନ, ଭାରି ଶିଳ୍ପ ଭଳି ଶିଳ୍ପଗୁଡ଼ିକ ତାତ୍କାଳିକ ଭାବେ ପ୍ରଭାବିତ ନ ହେଲେ ବି ସଙ୍କଟ ଦୀର୍ଘ ଦିନ ଧରି ଲାଗି ରହିଲେ ସେଗୁଡ଼ିକ ମଧ୍ୟ ପ୍ରଭାବିତ ହେବା ବିଚିତ୍ର ନୁହେଁ । ଆଶ୍ୱସ୍ତିର ବିଷୟ ଯେ ଭାରତ ବିପୁଳ ପରିମାଣରେ ଅଶୋଧିତ ତେଲ ଓ ଏଲଏନଜି ଆମଦାନୀ କରୁଥିଲେ ମଧ୍ୟ ଦେଶର ପ୍ରାୟ ୮୦ ପ୍ରତିଶତ ଆମଦାନି ଓମାନ ଓ ଇରାନ ମଧ୍ୟବର୍ତ୍ତୀ ହୋର୍ମୁଜ ପ୍ରଣାଳୀ ଦେଇ ହୋଇଥାଏ, ଯାହା ଲୋହିତ ସାଗର ସଙ୍କଟ ଯୋଗୁଁ ପ୍ରଭାବିତ ନୁହେଁ । ଅଧିକନ୍ତୁ ରୁଷିଆରୁ ଭାରତକୁ ଆସୁଥିବା ତୈଳବାହୀ ଜାହାଜମାନ ପ୍ରାୟତଃ ‘ହୁଥି’ ଆକ୍ରମଣର ଶିକାର ହେଉନାହାନ୍ତି । ଫଳରେ ଏ ପର୍ୟ୍ୟନ୍ତ ଭାରତକୁ ଆମଦାନୀ ହେଉଥିବା ତେଲର ପରିମାଣ ହ୍ରାସ ପାଇନାହିଁ କି ତୈଳ ଦରରେ ବୃଦ୍ଧି ଘଟିନାହିଁ ।  

ସାମାଜିକ ଗଣମାଧ୍ୟମରେ ଦେଶବାସୀଙ୍କ ଆଚରଣ ଦ୍ୱାରା ଦେଶର ସ୍ୱାର୍ଥ ପ୍ରଭାବିତ ହେବାର ଆଶଙ୍କା ଦେଖା ଦେଉଥିବାରୁ ଏ ନେଇ ସଂଯମତା ରକ୍ଷା କରିବାର ଆବଶ୍ୟକତା ରହିଛି । ସାମାଜିକ ଗଣମାଧ୍ୟମରେ ଇସ୍ରାଏଲ ଦ୍ୱାରା ଗାଜା ଆକ୍ରମଣକୁ ଗୋଟିଏ ବର୍ଗର ଭାରତୀୟ ସମର୍ଥନ କରୁଛନ୍ତି । ତାହା କିନ୍ତୁ ଭାରତର ସରକାରୀ ପକ୍ଷର ମତ ନୁହେଁ । ସାମାଜିକ ଗଣମାଧ୍ୟମରୁ ଏକ ଭୁଲ୍ ସନ୍ଦେଶ ଯାଉଛି ଯେ ଭାରତ ଇସ୍ରାଏଲ ଆଡ଼କୁ ଅଧିକ ଢଳୁଛି । ଏହା ‘ହୁଥି’ମାନଙ୍କୁ କ୍ଷୁବ୍ଧ କରୁଥାଇପାରେ, ଯେଉଁ କାରଣରୁ ଭାରତ ‘ହୁଥି’ ଆକ୍ରୋଶର ଶରବ୍ୟ ହେଉଛି । ତେବେ ହମାସ ଓ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ସଂଘର୍ଷର ଅନ୍ତ ନ ଘଟିବା ପର୍ଯ୍ୟନ୍ତ ଲୋହିତ ସାଗର ସଙ୍କଟ ଦୂର ହୋଇ ନ ପାରେ । ଏହି ସଙ୍କଟ ଦୀର୍ଘ ଦିନ ଧରି ଲାଗି ରହିଲେ ଭାରତର ବହିଃବାଣିଜ୍ୟ ପ୍ରଭାବିତ ହେବା ସହ ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇବାର ଆଶଙ୍କା ଦେଖା ଦେଇ ଦେଶର ଅର୍ଥନୀତି ପ୍ରଭାବିତ ହୋଇପାରେ ।


Published in Sambad on February 06, 2024


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍