Skip to main content

‘ରାଇଟ୍ ଅଫ୍’ ଆଳରେ କୋଟିପତିଙ୍କୁ ଋଣଛାଡ

ମୋଦି ସରକାର ଶାସନକୁ ଆସିଲା ପରେ ୧୦ ଲକ୍ଷ କୋଟି ଟଙ୍କାରୁ ବେଶି ବ୍ୟାଙ୍କଋଣ ରାଇଟ୍ ଅଫ୍ କରାଯାଇଥିବା ଜଣା ପଡିବା ପରେ ମୁଷ୍ଟିମେୟ ପୁଞ୍ଜିପତି ମିତ୍ରଙ୍କ ସ୍ୱାର୍ଥରେ ସରକାର ସେମାନଙ୍କ ବ୍ୟାଙ୍କ ‘ଋଣଛାଡ’ କରୁଛନ୍ତି ବୋଲି ବିରୋଧୀ ଦଳଗୁଡିକ ଆକ୍ଷେପ କରୁଛନ୍ତି । ଅନ୍ୟ ପକ୍ଷରେ କାହାକୁ ଟଙ୍କାଟିଏ ବି ଋଣଛାଡ କରାଯାଇନାହିଁ ବରଂ ଏ ସମସ୍ତ ରାଶି ରାଇଟ୍ ଅଫ୍ କରାଯାଇଛି ବୋଲି ସରକାରୀ ଦଳର ମୁଖପାତ୍ରମାନେ ଏମିତି ଉପସ୍ଥାପନ କରୁଛନ୍ତି ଯେମିତି ଏହି ସମସ୍ତ ରାଶି ଖିଲାପିଙ୍କଠାରୁ କଡାଗଣ୍ଡା କରି ଆଦାୟ ହୋଇଯିବ । ତେଣୁ ଋଣଛାଡ ଓ ଲୋନ ରାଇଟ୍ ଅଫ୍ ମଧ୍ୟରେ ଥିବା ପାର୍ଥକ୍ୟ ଏବଂ ରାଇଟ୍ ଅଫ୍ ଦ୍ୱାରା କାହାର କ’ଣ ଲାଭ ବା କ୍ଷତି ହୁଏ, ତାହା ବୁଝିବାର  ଆବଶ୍ୟକତା ରହିଛି ।

ଋଣଛାଡର ଅର୍ଥ ହେଉଛି ଋଣ ଖାତା ବାତିଲ ହେବା, ଯଦ୍ଦ୍ୱାରା ଋଣଗ୍ରହୀତା ସମ୍ପୂର୍ଣ୍ଣ ଭାବେ ଋଣମୁକ୍ତ ହୋଇଥାଏ । ତା’ଠାରୁ ଋଣ ଆଦାୟ ଲାଗି ବ୍ୟାଙ୍କ ଆଉ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରୟାସ ମଧ୍ୟ କରି ନ ଥାଏ । ଋଣଗ୍ରହୀତା ଦେଇଥିବା ବନ୍ଧକ କାଗଜପତ୍ର ତାକୁ ଫେରାଇ ଦିଆଯାଇଥାଏ । ଏହା ସାଧାରଣତଃ କୌଣସି ବିଶେଷ ପରିସ୍ଥିତିରେ ସରକାରଙ୍କ ଦ୍ୱାରା ଘୋଷିତ ନୀତି ଅନୁଯାୟୀ କରାଯାଇଥାଏ । ବ୍ୟାଙ୍କର ପ୍ରାପ୍ୟକୁ ସରକାର ଭରଣା କରିଥାଆନ୍ତି । ଅର୍ଥାତ୍, ବ୍ୟାଙ୍କ ନିଜେ କାହାରି ଋଣଛାଡ କରି ନଥାଏ । ଅନ୍ୟ ପକ୍ଷରେ ବ୍ୟାଙ୍କର ମନ୍ଦ ଋଣକୁ ବ୍ୟାଙ୍କଖାତାରୁ ହିସାବ ବହିର୍ଭୁତ କରିବାକୁ ‘ରାଇଟ୍ ଅଫ୍’ କୁହାଯାଇଥାଏ । ବ୍ୟାଙ୍କର ବାଲାନ୍ସ ସିଟକୁ ପରିଷ୍କାର କରିବା ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ । ରାଇଟ ଅଫ୍ ପରେ ମଧ୍ୟ ଋଣଗ୍ରହୀତାର ଋଣଖାତାକୁ ବନ୍ଦ କରାଯାଇ ନ ଥାଏ ଓ ସେ ପୂର୍ବବତ୍ ବ୍ୟାଙ୍କର ଋଣୀ ହୋଇ ରହିଥାଏ । ଋଣ ଆଦାୟ କରିବା ଲାଗି ବ୍ୟାଙ୍କ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱାଧୀନ ଥାଏ । ଋଣ ପରିଶୋଧ ନ କଲେ ଋଣଗ୍ରହୀତା ଦେଇଥିବା ବନ୍ଧକକୁ ବ୍ୟାଙ୍କ ନିଲାମ କରି ପାରିଥାଏ ।

ବ୍ୟାଙ୍କ ଦେଉଥିବା ଋଣରାଶି ବ୍ୟାଙ୍କର ହିସାବଖାତାରେ ଏକ ସମ୍ପତ୍ତି (ଆସେଟ) ଭାବେ ଦର୍ଶାଯାଇଥାଏ । ଏହି ଋଣରୁ ମିଳୁଥିବା ସୁଧକୁ ସମ୍ପତ୍ତିରୁ ହେଉଥିବା ଆୟ ରୂପେ ଗ୍ରହଣ କରାଯାଇଥାଏ ।  ଆଶା କରାଯାଏ ଯେ ଋଣଗ୍ରହୀତା ଠିକ୍ ସମୟରେ ଧାର୍ୟ୍ୟ କିସ୍ତି ପରିଶୋଧ କରିଚାଲିବେ । ଋଣଗ୍ରହୀତା ଧାର୍ୟ୍ୟ ସମୟରେ କିସ୍ତି ଫେରାଇବାକୁ ଅସମର୍ଥ ହେଲେ ସେ ଋଣଖିଲାପି ହୋଇଯାଆନ୍ତି । ତେବେ କୌଣସି ଋଣ ବା ଅଗ୍ରୀମ  (ଆଡଭାନ୍ସ) ରାଶିର ମୂଳ ବା ସୁଧ ୯୦ ଦିନରୁ ଅଧିକ ସମୟ ଧରି ବକେୟା (ଓଭରଡିଉ) ପଡି ରହିଲେ ସେହି ଋଣରାଶିରୁ ସୁଧ ନ ମିଳି ତାହା କ୍ରମଶଃ ତାର ଉପାର୍ଜନ କ୍ଷମତା ହରାଉଥିବାରୁ ବ୍ୟାଙ୍କ ହିସାବଖାତାରେ ତାକୁ ଅଣ-ଉପାର୍ଜନକ୍ଷମ ସମ୍ପତ୍ତି (ଏନପିଏ) ଭାବେ ଦର୍ଶାଯାଇଥାଏ । ଋଣଗ୍ରହୀତା କିସ୍ତି ପରିଶୋଧ କଲେ ତାହା ପୁନଶ୍ଚ ଏନପିଏରୁ ମୁକୁଳି ଆସିଥାଏ । ଆଉ ଋଣଗ୍ରହୀତା ଯଦି କିସ୍ତି ନ ଫେରାନ୍ତି ତେବେ ବକେୟାର ସମୟ ଯେତିକି ଯେତିକି ଅଧିକ ହୁଏ ବ୍ୟାଙ୍କ ହିସାବଖାତାରେ ସେହି ଏନପିଏ ପ୍ରଥମେ ନିମ୍ନମାନର ସମ୍ପତ୍ତି (ସବଷ୍ଟାଣ୍ଡାର୍ଡ ଆସେଟ)), ତାପରେ ସନ୍ଦେହଜନକ ସମ୍ପତ୍ତି (ଡାଉଟଫୁଲ ଆସେଟ) ଓ ପରିଶେଷରେ କ୍ଷତି ସମ୍ପତ୍ତି (ଲସ ଆସେଟ) ଭାବେ ବର୍ଗୀକରଣ କରାଯାଇଥାଏ । ଅର୍ଥାତ୍ ସେହି ଋଣ ରୂପକ ସମ୍ପତ୍ତିରୁ ଯଦି ଋଣ ଅନାଦାୟ କାରଣରୁ ସୁଧ ରୂପକ ଆୟ ଆସିବା ବନ୍ଦ ହୋଇଯାଏ ତେବେ ସେହି କ୍ଷତିର ଆଂଶିକ ଭରଣା ପାଇଁ ବ୍ୟାଙ୍କକୁ ଏନପିଏର ବର୍ଗୀକରଣ ଆଧାରରେ ଅଲଗା ଭାବେ କିଛି ପାଣ୍ଠି (ପ୍ରୋଭିଜନ) ରଖିବାକୁ ହୋଇଥାଏ । ୩ ବର୍ଷ ବକେୟା ରହିବା ପରେ ସେହି ବକେୟା ଋଣ କ୍ଷତି ସମ୍ପତ୍ତି (ଲସ ଆସେଟ)ରେ ରୂପାନ୍ତରିତ ହୋଇଥାଏ ଯାହାକୁ ବ୍ୟାଙ୍କର ସମ୍ପତ୍ତି ତାଲିକାରୁ ବାଦ ଦେଇ ହିସାବ ବହିର୍ଭୁତ ବା ରାଇଟ ଅଫ୍ କରିବାର ଆବଶ୍ୟକତା ଉପୁଜିଥାଏ ।  ରାଇଟ ଅଫ୍ ପରେ ବି ବ୍ୟାଙ୍କ ଋଣ ଆଦାୟ କରିବାକୁ ସମସ୍ତ ଉଦ୍ୟମ ଜାରି ରଖିବା ଆବଶ୍ୟକ ଓ ସମ୍ପୃକ୍ତ ଋଣଗ୍ରହୀତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଋଣ ଆଦାୟ ନ ହେଲା ପର୍ୟ୍ୟନ୍ତ ବ୍ୟାଙ୍କର ଋଣୀ ତାଲିକାରୁ ତାଙ୍କ ନାମ କଟି ନ ଥାଏ । ସମ୍ପୃକ୍ତ ଋଣଗ୍ରହୀତା ରାଇଟ୍ ଅଫ୍ ଯୋଗୁଁ ଋଣ ପରିଶୋଧ ନ କରି ଲାଭବାନ ହୋଇଥିଲେ ବି ଋଣଖିଲାପି ଯୋଗୁଁ ତାଙ୍କର ଋଣଗ୍ରହଣ ବିଶ୍ୱସନୀୟତା (କ୍ରେଡିଟ ରେଟିଂ) ହ୍ରାସ ପାଇଥାଏ ଓ ଭବିଷ୍ୟତରେ ତାଙ୍କୁ ଋଣ ମିଳିବାରେ ଅସୁବିଧା ହୋଇଥାଏ । ସାଧାରଣତଃ ଯେଉଁ ଋଣ ଆଦାୟ କରିବା କଷ୍ଟସାଧ୍ୟ ବା ଅସମ୍ଭବ ହୋଇଥାଏ ଶେଷ ଅବଲମ୍ୱନ ସ୍ୱରୂପ ବ୍ୟାଙ୍କ ସେହି ଋଣକୁ ହିସାବଖାତାରେ ନ ରଖି ରାଇଟ୍ ଅଫ୍ କରିବାକୁ ଆଗ୍ରହ ଦେଖାଇଥାଏ । ରାଇଟ୍ ଅଫ୍ କଲାବେଳେ ବ୍ୟାଙ୍କ ଏକ ପ୍ରକାର ଧରି ନେଇଥାଏ ଯେ ଋଣଗ୍ରହୀତାଙ୍କଠାରୁ ସେହି ରାଶି ଆଉ କେବେ ଫେରସ୍ତ ଆସିବ ନାହିଁ, ଯଦିଓ ଆଇନର ଆଶ୍ରୟ ନେଇ ବା ଅନ୍ୟ ପ୍ରକାରେ ଋଣ ଆଦାୟ କରିବାର ବ୍ୟାଙ୍କର ଅଧିକାର ବଳବତ୍ତର ଥାଏ । ରାଇଟ୍ ଅଫ୍ କରିବା ଦ୍ୱାରା ବ୍ୟାଙ୍କଗୁଡିକ ସେମାନଙ୍କ ବାଲାନ୍ସ ସିଟକୁ ପରିଷ୍କାର କରିବା ସହ ଋଣ ପାଇଁ ପ୍ରୋଭିଜନ ଆକାରରେ ଥିବା ରାଶିକୁ ଅନ୍ୟ ବ୍ୟାବସାୟିକ ଉଦ୍ଦେଶ୍ୟରେ ବିନିଯୋଗ କରିପାରିଥାଆନ୍ତି । ରାଇଟ୍ ଅଫ୍ ରାଶିକୁ ବ୍ୟାଙ୍କର କ୍ଷତି ଭାବେ ଦର୍ଶାଯାଉଥିବାରୁ ବ୍ୟାଙ୍କର ଟିକସ ଦେୟ ମଧ୍ୟ କମ ହୋଇଥାଏ । ଏହାଦ୍ୱାରା ସରକାରଙ୍କ ଟିକସ ରାଜସ୍ୱ କମ ହେଉଥିଲେ ବି ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ ରାଇଟ୍ ଅଫ୍ କରିବା ଲାଗି ବ୍ୟାଙ୍କଗୁଡିକୁ ପ୍ରୋତ୍ସାହିତ କରିଥାଆନ୍ତି । କାରଣ ମନ୍ଦ ଋଣ ବ୍ୟାଙ୍କ ହିସାବ ବହିର୍ଭୁତ ହେଲେ ଯାଇ ସେମାନେ ନୂଆ ଋଣ ଦେବାକୁ ଆଗ୍ରହୀ ହୋଇଥାଆନ୍ତି ଓ ଆର୍ଥିକ ଗତିବିଧି ଚଳଚଞ୍ଚଳ ହୋଇଥାଏ । ଅଧିକନ୍ତୁ ତଦ୍ଦ୍ୱାରା ବ୍ୟାଙ୍କର ବାସ୍ତବ ଆର୍ଥିକ ସ୍ଥିତି ଜଣାପଡି ତା’ର ପୁନଃପୁଞ୍ଜିକରଣ (ରିକ୍ୟାପିଟାଲାଇଜେସନ) ଆବଶ୍ୟକତାକୁ ଜାଣିହୋଇଥାଏ । ସରକାରୀ ବ୍ୟାଙ୍କଗୁଡିକୁ ସେମାନଙ୍କ ଆର୍ଥିକ ଅବସ୍ଥାର ପୁନରୁଦ୍ଧାର ପାଇଁ ସରକାର ୨୦୧୫-୧୬ରୁ ୨୦୨୦-୨୧ ମଧ୍ୟରେ ୩.୩୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରଦାନ କରିଛନ୍ତି । କହିବା ବାହୁଲ୍ୟ ଯେ ଏହି ପୁଞ୍ଜି ଟିକସ ଦାତାଙ୍କ ଟିକସ ଅର୍ଥରୁ ହିଁ ଦିଆଯାଇଛି, ଯାହା ହୁଏତ ଅନ୍ୟ ବିକାଶମୂଳକ କାର୍ୟ୍ୟରେ ବିନିଯୋଗ ହୋଇପାରିଥାଆନ୍ତା । ରାଇଟ୍ ଅଫ୍ ଦ୍ୱାରା ବ୍ୟାଙ୍କର ଅନ୍ୟ ଗ୍ରାହକମାନେ ମଧ୍ୟ ପ୍ରଭାବିତ ହୋଇଥାଆନ୍ତି । କ୍ଷତିର ଭରଣା ପାଇଁ ବ୍ୟାଙ୍କ ଜମାକାରୀଙ୍କୁ ଅପେକ୍ଷାକୃତ କମ ହାରରେ ସୁଧ ଦେବା ଓ ଋଣଗ୍ରହୀତାଙ୍କଠାରୁ ଅଧିକ ହାରରେ ସୁଧ ଆଦାୟ କରିବାକୁ ଏକ ପ୍ରକାର ବାଧ୍ୟ ହୋଇଥାଏ ।    

୨୦୨୧-୨୨ ଆର୍ଥିକ ବର୍ଷରେ ଭାରତରେ ବ୍ୟାଙ୍କଗୁଡିକ ସମୁଦାୟ ୧.୫୭ ଲକ୍ଷ କୋଟି ଟଙ୍କା ରାଇଟ୍ ଅଫ୍ କରିଛନ୍ତି । ମୋଦି ସରକାରଙ୍କ ୮ ବର୍ଷର ଶାସନ କାଳରେ (୨୦୧୪-୧୫ରୁ ୨୦୨୧-୨୨) ସମୁଦାୟ ୧୨.୨୯ ଲକ୍ଷ କୋଟି ଟଙ୍କାର ଋଣ ରାଇଟ୍ ଅଫ୍ କରାହୋଇଛି, ଯାହା ବ୍ୟାଙ୍କଗୁଡିକର ସମୁଦାୟ ଅଣ-ଖାଦ୍ୟ (ନନ୍-ଫୁଡ) ଋଣ ପରିମାଣର ୧୦ ପ୍ରତିଶତରୁ ବି ଅଧିକ । ଏହି ରାଇଟ୍ ଅଫ୍ ପରିମାଣର ପ୍ରାୟ ୭୫ ପ୍ରତିଶତ ସରକାରୀ ବ୍ୟାଙ୍କଗୁଡିକ ଦ୍ୱାରା କରାଯାଇଥିଲା ବେଳେ ଏହାର ଲାଭାର୍ଥୀ ମୁଖ୍ୟତଃ କୋଟିପତି ଓ ପୁଞ୍ଜିପତିମାନେ ହୋଇଛନ୍ତି । ଏ କଥା ନୁହେଁ ଯେ ବଡବଡିଆଙ୍କୁ ବ୍ୟାଙ୍କ ଋଣ ରାଇଟ୍ ଅଫ୍ କରିବା ପ୍ରକ୍ରିୟା ଏନଡିଏ ସରକାର ଆସିବା ଆଗରୁ ନ ଥିଲା । ମାତ୍ର ତା’ର ପରିମାଣ ଯଥେଷ୍ଟ କମ ଥିଲା । ଉଦାହରଣ ସ୍ୱରୂପ, ଏପ୍ରିଲ ୨୦୧୨ରୁ ମାର୍ଚ୍ଚ ୨୦୧୫ ତିନି ବର୍ଷ ମଧ୍ୟରେ ୨୭ଟି ସରକାରୀ ବ୍ୟାଙ୍କ ସମୁଦାୟ ୧.୧୪ ଲକ୍ଷ କୋଟି ଟଙ୍କା ଋଣ ରାଇଟ ଅଫ୍ କରିଥିଲେ । ଏବେ ପ୍ରତିବର୍ଷ ଋଣ ରାଇଟ ଅଫ୍ ର ପରିମାଣ ତା’ର ପ୍ରାୟ ଦୁଇଗୁଣ ହେବା ଚିନ୍ତାର ବିଷୟ । ଅବଶ୍ୟ ବ୍ୟାଙ୍କର ସମ୍ପତ୍ତି ଗୁଣବତ୍ତା ସମୀକ୍ଷା ପାଇଁ ରିଜର୍ଭ ବ୍ୟାଙ୍କର ପ୍ରାକ୍ତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ନିର୍ଦ୍ଦେଶ ପରେ ଏହି ରାଇଟ ଅଫ୍ ପରିମାଣ ବୃଦ୍ଧି ପାଇବାକୁ ଲାଗିଲା । ଏଥିରୁ କୋଟିପତି ପୁଞ୍ଜିପତିଙ୍କୁ ଋଣ ଦିଆଗଲା ବେଳେ, ନିର୍ଦ୍ଧାରିତ ସମସ୍ତ ନିୟମ ଓ ଆବଶ୍ୟକ ସତର୍କତାର ଯେ କଡାକଡି ଅନୁପାଳନ କରାଯାଉ ନାହିଁ ତାହା ମଧ୍ୟ ଜଣାପଡୁଛି । 

ସଂସଦରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଡିସେମ୍ୱର ୩୧, ୨୦୨୧ ସୁଦ୍ଧା ୫ କୋଟି ଟଙ୍କାରୁ ଅଧିକ ଟଙ୍କାର ଋଣ ନେଇ ଏନପିଏ ବା ମନ୍ଦ ଋଣରେ ପରିଣତ କରିଥିବା କମ୍ପାନୀଙ୍କ ସଂଖ୍ୟା ୫୨୩୧ । ୨୦୨୧-୨୨ରେ ଦେଶରେ ପ୍ରାୟ ୨୭୦୦ ଇଚ୍ଛାକୃତ ଖିଲାପି (ଉଇଲଫୁଲ ଡିଫଲଟର) ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ କେବଳ ସର୍ବାଧିକ ଖିଲାପ କରିଥିବା ୨୫ ଜଣଙ୍କ ଋଣ ଖିଲାପିର ପରିମାଣ ପ୍ରାୟ ୫୯ ହଜାର କୋଟି ଟଙ୍କା । ଏମାନଙ୍କ ମଧ୍ୟରେ ମେହୁଲ ଚୋକ୍ସିଙ୍କ ଗୀତାଞ୍ଜଳି ଜେମସ ୭୧୧୦ କୋଟି ଟଙ୍କା ସହ ପ୍ରଥମ ସ୍ଥାନରେ ଥିଲା ବେଳେ ଇରା ଇନଫ୍ରା ଇଞ୍ଜିନିଅରିଂ ଓ କନକାଷ୍ଟ ଷ୍ଟିଲ ଆଣ୍ଡ ପାୱାର ଯଥାକ୍ରମେ ୫୮୭୯ କୋଟି ଓ ୪୧୦୭ କୋଟି ଟଙ୍କା ଖିଲାପି ସହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ବିଡମ୍ୱନାର ବିଷୟ ଯେ ୟୁପିଏ ଅମଳରେ ୨୦୦୮ରେ ଯେଉଁ କୃଷି ଋଣ ଛାଡ ପାଇଁ ହୋହଲ୍ଲା ହୋଇଥିଲା ତା’ର ସମୁଦାୟ ପରିମାଣ ଥିଲା ୭୧,୬୮୦ କୋଟି ଟଙ୍କା ଯେଉଁଥିରେ ପ୍ରାୟ ୩କୋଟି ଚାଷୀ ଉପକୃତ ହୋଇଥିଲେ । ଅର୍ଥାତ୍ ଦେଶରେ ବ୍ୟାଙ୍କଗୁଡିକର ଏନପିଏ ସମସ୍ୟାର ଏକ ବଡ କାରଣ ଏହି କୋଟିପତି ପୁଞ୍ଜିପତିଙ୍କୁ ପ୍ରଦତ୍ତ ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ, ଯାହା ଅନାଦାୟ ହୋଇ ପଡିରହିଛି । ଡରାଇ ଧମକାଇ ହେଉ ବା ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରି ହେଉ ବ୍ୟାଙ୍କଗୁଡିକ ଅପେକ୍ଷାକୃତ କ୍ଷୁଦ୍ର ଋଣଗ୍ରହୀତାଙ୍କଠାରୁ ଦକ୍ଷତାର ସହ ଋଣ ଆଦାୟ କରିଥାଆନ୍ତି । ହେଲେ ଅଧିକାଂଶ କୋଟିପତି ଋଣଖିଲାପିଙ୍କଠାରୁ ଋଣ ଆଦାୟ ବେଳେ ସେମାନଙ୍କ ସେହି ଦକ୍ଷତା ଅନୁଭୂତ ହୁଏନାହିଁ । ସ୍ଥଳ ବିଶେଷରେ ଶାସକ ଓ ପ୍ରଶାସକଙ୍କ ଚାପରେ ଋଣ ଦିଆଯାଇ ମନ୍ଦ ଋଣରେ ପରିଣତ ହୋଇଥିବା କୋଟିପତି ଖିଲାପିଙ୍କ ଉପରେ କୌଣସି ଚାପ ପ୍ରୟୋଗ କରି ହୁଏନାହିଁ ବା କୌଣସି ଚାପ କାମ ଦିଏନାହିଁ । ଫଳରେ ଖିଲାପି ଋଣର କୁପ୍ରଭାବ ବ୍ୟାଙ୍କଗୁଡିକର ଆର୍ଥିକ ସ୍ୱାସ୍ଥ୍ୟ ଉପରେ ପଡିବା ସଙ୍ଗେସଙ୍ଗେ ଏହାଦ୍ୱାରା ସେଗୁଡିକର ଋଣପ୍ରଦାନ କ୍ଷମତା ଅତିମାତ୍ରାରେ ସଙ୍କୁଚିତ ହେଉଛି, ଯଦ୍ଦ୍ୱାରା ଋଣ-ସଂଯୁକ୍ତ ଗତିବିଧି ମନ୍ଥର ହେବାକୁ ବାଧ୍ୟ ହୋଇ ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହେଉଛି । ଋଣ ରାଇଟ୍ ଅଫ୍ କରିବା ଦ୍ୱାରା ମନ୍ଦ ଋଣକୁ ହିସାବ ବହିର୍ଭୁତ କରି ବ୍ୟାଙ୍କଗୁଡିକ ହୁଏତ ସାମୟିକ ଭାବେ ଲାଭବାନ ହୋଇପାରନ୍ତି, ହେଲେ ଏହା ଋଣ ଖିଲାପି ମାନସିକତାକୁ ପ୍ରତିରୋଧ କରିବା ଲାଗି ଏକ ସ୍ଥାୟୀ ନିଦାନ ନୁହେଁ । ତା’ଛଡା ରାଇଟ୍ ଅଫ୍ ବ୍ୟାଙ୍କ ପାଇଁ ଶେଷ ଅବଲମ୍ୱନ ଭାବେ ଗୃହୀତ ହେଉଥିଲେ ବି ଏହାର ବ୍ୟାପକ ଉପଯୋଗ ଯୋଗୁଁ ପରୋକ୍ଷରେ ଋଣ ଆଦାୟ ଲାଗି ଆଗ୍ରହ ହ୍ରାସ ପାଉଥିବାର ପରିଲକ୍ଷିତ ହେଉଛି । ପୁନଶ୍ଚ, ରାଇଟ୍ ଅଫ୍ ବ୍ୟବସ୍ଥା ବିଧି ସମ୍ମତ ହୋଇଥିଲେ ବି ବ୍ୟାଙ୍କର ମୁଖ୍ୟାଳୟଗୁଡିକ ଦ୍ୱାରା କରାଯାଉଥିବା ‘ଟେକନିକାଲ ରାଇଟ୍ ଅଫ’ ସମ୍ପୂର୍ଣ୍ଣ ଭାବେ ଅସ୍ୱଚ୍ଛ । କ୍ଷୁଦ୍ର ଋଣଗ୍ରହୀତା ପ୍ରାୟତଃ ଏହି ରାଇଟ ଅଫ୍ ଦ୍ୱାରା ଲାଭାନ୍ୱିତ ହୋଇ ନ ଥାଆନ୍ତି । ରିଜର୍ଭ ବ୍ୟାଙ୍କର ପ୍ରାକ୍ତନ ଡେପୁଟି ଗଭର୍ଣ୍ଣର କେ ସି ଚକ୍ରବର୍ତ୍ତୀଙ୍କ ଅନୁୟାୟୀ, “ଭାରତୀୟ ବ୍ୟାଙ୍କଗୁଡିକ ଦ୍ୱାରା କରାଯାଉଥିବା ଟେକନିକାଲ ରାଇଟ ଅଫ୍ ପକ୍ଷପାତପୂର୍ଣ୍ଣ ଅଟେ ଓ ଏହା ବନ୍ଦ ହେବା ଦରକାର । ଏହା ଏକ ବଡ ଧରଣର କେଳେଙ୍କାରି । ଛୋଟ ଛୋଟ ଋଣକୁ କ୍ୱଚିତ ରାଇଟ ଅଫ୍ କରାଯାଇଥାଏ ।” ପାଠ ଦୃଷ୍ଟିରୁ ରାଇଟ୍ ଅଫ୍ ଋଣଛାଡ ହୋଇ ନଥିଲେ ବି ବାସ୍ତବତାରେ ସ୍ୱଚ୍ଛତା ଅଭାବରୁ ଏହା କୋଟିପତିଙ୍କ ଲାଗି ଋଣଛାଡର ଗଳାବାଟ ପାଲଟିଛି । କାରଣ ରାଇଟ୍ ଅଫ୍ ହୋଇଥିବା ବକେୟା ଋଣରାଶିରୁ ମାତ୍ର ୧୫-୨୦ ପ୍ରତିଶତ ଆଦାୟ ହୋଇପାରୁଥିବାରୁ ଅବଶିଷ୍ଟ ରାଶି ଏକପ୍ରକାର ଛାଡ ହୋଇଯାଉଛି । ତେଣୁ ଦୀର୍ଘ କାଳ ଧରି ଚାଲି ଆସିଥିବା ଏହି ପକ୍ଷପାତପୂର୍ଣ୍ଣ ରାଇଟ୍ ଅଫ୍ ବ୍ୟବସ୍ଥାର ପୁନଃସମୀକ୍ଷା କରାଯିବା ଉଚିତ ।


Published in Sambad on August 23, 2022

 

Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ମୁଁ କେବଳ ଗପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରସ୍ତୁତ କରିବି । ଗପଗୁଡ଼ିକ ସମ୍ପର୍କରେ ମୋର କୌଣସି ବ୍ୟକ୍ତିଗତ ମତ ସ୍ଥାନିତ ହେବନାହିଁ । ପଢ଼ିଥିଲେ ଗପ ସମ୍ପର୍କରେ ଆପଣମାନଙ୍କ ମୂଲ୍ୟବାନ ମତାମତ ଜଣାଇବାକୁ ଅନୁରୋଧ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 2 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସ...