Skip to main content

ତା’ହେଲେ ଦରଦାମ ବୃଦ୍ଧି କ’ଣ ଏକ ଭ୍ରମ ?

ଦରଦାମ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଦଳଗୁଡିକ କରୁଥିବା ଦାବିକୁ ନେଇ ସଂସଦ କାର୍ୟ୍ୟ ଦୀର୍ଘ ଦିନ ଧରି ବାଧାପ୍ରାପ୍ତ ହେଲା ପରେ ଶେଷରେ ସଂସଦରେ ସେ ନେଇ ଆଲୋଚନା ହେଲା । ତେବେ ବିରୋଧୀ ଦଳର ସଦସ୍ୟମାନେ ଉଠାଇଥିବା ପ୍ରଶ୍ନଗୁଡିକର ଉତ୍ତର କେନ୍ଦ୍ର ଅର୍ଥମନ୍ତ୍ରୀ ଯେଉଁଭଳି ଢଙ୍ଗରେ ରଖିଲେ ସେଥିରୁ ପ୍ରତୀତ ହେଲା ବୋଧେ ଭାରତରେ ଦରଦାମ ବୃଦ୍ଧି ସମସ୍ୟା ଉତ୍କଟ ନୁହେଁ ବରଂ ଅନ୍ୟାନ୍ୟ ଅନେକ ଦେଶ ତୁଳନାରେ ଭାରତର ସ୍ଥିତି ଯଥେଷ୍ଟ ଭଲ । ଲୋକସଭାରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ପ୍ରାୟ ଦେଢ ଘଣ୍ଟା ଧରି ଦିଆଯାଇଥିବା ବିବୃତି ଦରଦାମ ବୃଦ୍ଧି ଅପେକ୍ଷା ଦେଶର ଅର୍ଥନୈତିକ ଅବସ୍ଥା ଉପରେ ଅଧିକ କେନ୍ଦ୍ରିତ ଥିଲା, ଯାହା ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ପ୍ରୟାସକୁ ନେଇ ସାଧାରଣ ଜନତାଙ୍କୁ ଆଶ୍ୱସ୍ତ କରିବାରେ ଅସମର୍ଥ ହୋଇଥିଲା । ତାହା ଶୁଣିଲା ପରେ କ୍ଷଣିକ ପାଇଁ ମନରେ ପ୍ରଶ୍ନଟିଏ ଉଙ୍କି ମାରିବା ସ୍ୱାଭାବିକ, ‘ତାହାହେଲେ ଦରଦାମ ବୃଦ୍ଧି ସମସ୍ୟା କ’ଣ ବାସ୍ତବ ନା ଏକ ଭ୍ରମ ?’
    ଅର୍ଥମନ୍ତ୍ରୀଙ୍କ ଅନୁଯାୟୀ କୋଭିଡ ମହାମାରୀର ଡେଲଟା ଓ ଓମିକ୍ରନ ଲହର, ରୁଷିଆ-ୟୁକ୍ରେନ ଯୁଦ୍ଧ ଓ ଚୀନରେ ଲକଡାଉନ ଆଦି କାରଣରୁ ସାରା ବିଶ୍ୱରେ ବିଭିନ୍ନ ଦେଶର ଅର୍ଥନୀତି ଏବଂ ଯୋଗାଣ ଓ ପରିବହନ ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇପଡିଛି । ଏହି ବୈଶ୍ୱିକ କାରଣଗୁଡିକ ଉପରେ ଭାରତର ନିୟନ୍ତ୍ରଣ ନ ଥିବାରୁ ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି । ଏହା କେତେକାଂଶରେ ସତ ହୋଇଥିଲେ ବି ସବୁ ଦୋଷ କେବଳ ଉପରୋକ୍ତ କାରଣଗୁଡିକ ଉପରେ ଲଦି ଦେବା ଠିକ୍ ହେବନାହିଁ । କାରଣ ଉପରୋକ୍ତ ବାହ୍ୟିକ ଘଟଣାଗୁଡିକ ସଂଘଟିତ ହେବା ପୂର୍ବରୁ ମଧ୍ୟ ଦେଶରେ ମୁଦ୍ରାସ୍ଫୀତି ହାର ଡିସେମ୍ୱର ୨୦୧୯ରେ ୭.୩୫ ପ୍ରତିଶତ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ୬.୬୨ ପ୍ରତିଶତ ହୋଇସାରିଥିଲା, ଅର୍ଥାତ୍ ୬ ପ୍ରତିଶତର ଗ୍ରହଣୀୟ ହାରଠାରୁ ଯଥେଷ୍ଟ ଅଧିକ ଥିଲା ।
    ସରକାର ଅର୍ଥନୀତିର ସୁପରିଚାଳନା କରିଥିବାରୁ ଭାରତର ମୁଦ୍ରାସ୍ଫୀତି ହାର ଅନେକ ବିକଶିତ ଦେଶ ଏପରିକି ଆମେରିକା ତୁଳନାରେ ବି ଉନ୍ନତ ରହିପାରିଛି ବୋଲି ଅର୍ଥମନ୍ତ୍ରୀ ତାଙ୍କ ବିବୃତିରେ ଦର୍ଶାଇଥିଲେ । ପ୍ରତିଟି ଦେଶର ସ୍ଥିତି ଭିନ୍ନ ହୋଇଥିବାରୁ ଅନ୍ୟ ଦେଶ ସହ ଏହାର ତୁଳନା କରିବା ସମୀଚୀନ ହୋଇ ନପାରେ । ତାଛଡା ସେହି ସବୁ ଦେଶର ଲୋକଙ୍କ କ୍ରୟ ଶକ୍ତି ତୁଳନାରେ ଭାରତର ସାଧାରଣ ଜନତାଙ୍କ କ୍ରୟଶକ୍ତି ଯଥେଷ୍ଟ କମ ହୋଇଥିବାରୁ ବର୍ଦ୍ଧିତ ମୁଦ୍ରାସ୍ଫୀତି ହାର ଯୋଗୁଁ ଭାରତୀୟମାନେ ଅଧିକ ପ୍ରଭାବିତ ହୋଇଥାଆନ୍ତି । ପୁନଶ୍ଚ, ଭାରତର ମୁଦ୍ରାସ୍ଫୀତିକୁ ଆମେରିକା ସହ ତୁଳନା କରିବା ଆତକୁ ଆମ୍ୱ ସହ ତୁଳନା କରିବା ଭଳି କଥା । ମୁଦ୍ରାସ୍ଫୀତି ହାର ନିର୍ଦ୍ଧାରିତ ହେଉଥିବା ଖାଉଟି ଦର ସୂଚକାଙ୍କ (ସିପିଆଇ)ରେ ସାମିଲ ସାମଗ୍ରୀଗୁଡିକ ଭାରତରେ ଯାହା ଆମେରିକାରେ ତାହା ନୁହେଁ । ଖାଦ୍ୟଦ୍ରବ୍ୟର ଦରବୃଦ୍ଧି ଭାରତର ମୁଦ୍ରାସ୍ଫୀତିରେ ଯେତେ ଗୁରୁତ୍ୱ ବହନ କରେ ଆମେରିକାର ମୁଦ୍ରାସ୍ଫୀତିରେ ସେତେଟା ଗୁରୁତ୍ୱ ବହନ କରି ନ ଥାଏ । ଏ କଥା ସତ ଯେ ଆମେରିକାରେ ମୁଦ୍ରାସ୍ଫୀତି ଯଥେଷ୍ଟ ବୃଦ୍ଧି ପାଇ ଜୁନ ୨୦୨୨ରେ ୯.୧ ପ୍ରତିଶତ, ଅର୍ଥାତ୍ ଗତ ୪୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏଥିପାଇଁ ମୁଖ୍ୟତଃ କୋଭିଡ ଓ ଯୋଗାଣ ବ୍ୟବସ୍ଥାର ବିପର୍ୟ୍ୟୟ ଭଳି କାରଣ ଦାୟୀ ହୋଇଥିଲେ ବି ଉଚ୍ଚ ଚାହିଦା (ହାଇ ଡିମାଣ୍ଡ) ମଧ୍ୟ ଏକ ବଡ କାରଣ ବୋଲି ଜଣାପଡିଛି । କୋଭିଡ ମହାମାରୀର ଅର୍ଥନୈତିକ ଆଘାତରୁ ପରିବାର ଓ ବ୍ୟବସାୟଗୁଡିକୁ ସୁରକ୍ଷା ପ୍ରଦାନ କରିବା ଲାଗି ସେଠିକା ସରକାର ପ୍ରାୟ ୫ ଲକ୍ଷ କୋଟି ଡଲାରର ସହାୟତା ପ୍ରଦାନ କରିଥିଲେ । ଏହି କ୍ରମରେ ପ୍ରତ୍ୟେକ ବୟସ୍କଙ୍କୁ ତିନି ଦଫାରେ ସିଧାସଳଖ ୩୨୦୦ ଡଲାରର ଚେକ ପ୍ରଦାନ କରାଯାଇଥିଲା ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ବି ଭିନ୍ନ ଭିନ୍ନ ରାଶିର ସହାୟତା ପ୍ରଦାନ କରାଯାଇଥିଲା, ଯାହାକୁ ‘ଷ୍ଟିମ୍ୟୁଲସ ଚେକ୍’ ବୋଲି କୁହାଯାଉଥିଲା । ପ୍ରଥମ ପର୍ୟ୍ୟାୟରେ ମୁଖ୍ୟତଃ ଖାଦ୍ୟପଦାର୍ଥ କ୍ରୟରେ ଏହି ସହାୟତା ରାଶି ବିନିଯୋଗ ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ଆସବାବପତ୍ର, କାର, ଇଲେକ୍ଟ୍ରୋନିକ ସାମଗ୍ରୀ ଆଦିର କ୍ରୟରେ ବିନିଯୋଗ ହୋଇ ସେ ସବୁର ଚାହିଦାରେ ଅହେତୁକ ବୃଦ୍ଧି ଘଟିଲା । କିନ୍ତୁ ଉତ୍ପାଦନ ଓ ଯୋଗାଣ ବ୍ୟବସ୍ଥାର ବିପର୍ୟ୍ୟୟ ଯୋଗୁଁ ଦର ହୁ ହୁ ହୋଇ ବଢିଚାଲିଲା । ଏକ ଆକଳନ ଅନୁସାରେ ଏହି ଆର୍ଥକ ସହାୟତା ଯୋଗୁଁ ମୁଦ୍ରାସ୍ଫୀତି ହାର ପ୍ରାୟ ୩ ପ୍ରତିଶତ ବୃଦ୍ଧି ପାଇଲା । ସେଠାରେ ଜାଳେଣି ଦର ବୃଦ୍ଧି ମଧ୍ୟ ମୁଦ୍ରାସ୍ଫୀତିର ଅନ୍ୟ ଏକ ବଡ କାରଣ ।
    ଏବର ଦରଦାମ ବୃଦ୍ଧି ୟୁପିଏ ଶାସନ କାଳରେ ହୋଇଥିବା ଦରଦାମ ବୃଦ୍ଧି ତୁଳନାରେ କମ ବୋଲି କହି ଏହା ଉତ୍କଟ ନୁହେଁ ବୋଲି ପ୍ରତିପାଦିତ କରିବାର ପ୍ରୟାସ କରାଯାଇଛି । ଅର୍ଥମନ୍ତ୍ରୀଙ୍କ ଅନୁସାରେ ୟୁପିଏ ଶାସନ ଅମଳରେ ମୁଦ୍ରାସ୍ଫୀତି ହାର ୨୨ ମାସ ୯ ପ୍ରତିଶତରୁ ଅଧିକ ଥିଲା ବେଳେ ୯ ମାସ ୧୦ ପ୍ରତିଶତରୁ ମଧ୍ୟ ଅଧିକ ସ୍ତରରେ ଥିଲା । ଏନଡିଏ ସରକାରଙ୍କ ଅମଳରେ ତାହା କେବେ ବି ୯ ପ୍ରତିଶତ ଛୁଇଁ ନାହିଁ । ଏହା ଠିକ୍ ହୋଇଥିଲେ ବି ଅର୍ଥମନ୍ତ୍ରୀଙ୍କ ବିବୃତି ଅର୍ଦ୍ଧସତ୍ୟ ଉପରେ ଆଧାରିତ । ୟୁପିଏ ଅମଳର ବର୍ଦ୍ଧିତ ମୁଦ୍ରାସ୍ଫୀତିର ଅବତାରଣା କଲା ବେଳେ ସେ ସେହି ସମୟର ଉଚ୍ଚ ବିକାଶ ଦର ସମ୍ପର୍କରେ ସୂଚନା ପ୍ରଦାନ ନ କରି ଚତୁରତାର ସହ ଏଡାଇ ଯିବାକୁ ଉଚିତ ମଣିଥିଲେ । ବାସ୍ତବତା ହେଉଛି ୟୁପିଏ-୨ ଅମଳରେ ମୁଦ୍ରାସ୍ଫୀତିର ହାର ଅଧିକ ଥିଲେ ବି ଦେଶର ବିକାଶ ଦର ହାରାହାରି ୭.୬୮ ପ୍ରତିଶତ ଥିଲା । ୨୦୦୭-୦୮ ଓ ୨୦୧୦-୧୧ରେ ତ ତାହା ୧୦ ପ୍ରତିଶତରୁ ଅଧିକ ଯଥାକ୍ରମେ ୧୦.୨୩ ଓ ୧୦.୭୮ ପ୍ରତିଶତ ଥିଲା । ମୋଦି ସରକାରଙ୍କ କାର୍ୟ୍ୟକାଳରେ ଏହା ୨୦୧୪-୧୫ରେ ୭.୪ ପ୍ରତିଶତରୁ ବଢି ୨୦୧୬-୧୭ରେ ସର୍ବାଧିକ ୮.୩ ପ୍ରତିଶତରେ ପହଞ୍ଚିଥିଲା । ତା ପରଠାରୁ ଲଗାତାର ତାହା ହ୍ରାସ ପାଇ ୨୦୨୦-୨୧ରେ (କୋଭିଡ କାଳରେ) ବିଯୁକ୍ତ ୮ ପ୍ରତିଶତରେ ପହଞ୍ଚିଯାଇଥିଲା । ଏବେ ଅବଶ୍ୟ ସ୍ଥିତିରେ ସୁଧାର ପରିଲକ୍ଷିତ ହେଉଛି । ଅର୍ଥାତ୍ ୟୁପିଏ ଅମଳରେ ବର୍ଦ୍ଧିତ ମୁଦ୍ରାସ୍ଫୀତି ସହ ବିକାଶ ଦର ଉଚ୍ଚା ଥିଲା ବେଳେ ଏନଡିଏ ଅମଳରେ ବର୍ଦ୍ଧିତ ମୁଦ୍ରାସ୍ଫୀତି ସହ ବିକାଶ ଦର ନୀଚା ରହିଛି । ୟୁପିଏ ଅମଳରେ ଉଚ୍ଚ ବିକାଶ ହାର କାରଣରୁ ଲୋକଙ୍କ ନିକଟରେ କର୍ମନିଯୁକ୍ତିର ସୁଯୋଗ ଓ ଆୟ ଅପେକ୍ଷାକୃତ ଭଲ ଥିଲା । ଫଳରେ ଲୋକଙ୍କୁ ଦରଦାମ ବୃଦ୍ଧି ସେତେଟା ବାଧୁ ନ ଥିଲା । କିନ୍ତୁ ଏବେ ବେକାରି ସମସ୍ୟା ଉତ୍କଟ ହୋଇ ୪୫ ବର୍ଷର ସର୍ବୋଚ୍ଛ ସ୍ତରରେ ଥିଲା ବେଳେ ଓ ଲୋକଙ୍କ ଆୟ ହ୍ରାସ ପାଇଥିବା ବେଳେ ଦରଦାମ ବୃଦ୍ଧି ଲୋକଙ୍କୁ ବିବ୍ରତ କରିବା ସ୍ୱାଭାବିକ । ସାରା ଦେଶରେ ୭୫.୮ କୋଟି ଲୋକଙ୍କୁ ୮ ମାସ ଧରି ମାଗଣା ଖାଦ୍ୟଦ୍ରବ୍ୟ ଯୋଗାଇବାକୁ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଦେଶର ଅର୍ଦ୍ଧାଧିକ ଲୋକ ଯେଉଁଠି ମାଗଣା ଖାଦ୍ୟ ପାଇବା ପାଇଁ ଅପେକ୍ଷା କରିଛନ୍ତି ସେଠାରେ ସେମାନଙ୍କ ଆର୍ଥିକ ସ୍ଥିତି ଯେ କେତେ ଦୁର୍ବଳ ତାହା ସରକାର ପରୋକ୍ଷରେ ସ୍ୱୀକାର କରୁଛନ୍ତି । ତେଣୁ ବର୍ଦ୍ଧିତ ମୁଦ୍ରାସ୍ଫୀତି ହାର ଏହି ଶ୍ରେଣୀର ଲୋକଙ୍କ ପାଇଁ ଯେ ବୋଝ ଉପରେ ନଳିତା ବିଡା ସଦୃଶ ହେଉଛି ସେଥିରେ ସନ୍ଦେହ ନାହିଁ । ତାଛଡା ୟୁପିଏ ସରକାରଙ୍କ ଅମଳରେ ଦରଦାମ ବୃଦ୍ଧି ପ୍ରତିବାଦରେ ‘ବହତ ହୁଇ ମେହଙ୍ଗାଇ କି ମାର ଅବ କି ବାର ମୋଦି ସରକାର’ ଭଳି ସ୍ଳୋଗାନ ଦେଇ ଶାସନକୁ ଆସିଥିବା ଏନଡିଏ ଏବେ ୟୁପିଏର ସେହି ଅସଫଳତାକୁ ଢାଲ କରି ନିଜ ବିଫଳତାକୁ ଲୁଚାଇବାକୁ ଚେଷ୍ଟା କରୁଛି । ସରକାରଙ୍କ ଜିଏସଟି ଆଦାୟ ରାଶି ବୃଦ୍ଧି ପାଇ କେଇ ମାସ ଧରି ଲଗାତାର ୧.୪୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଆସୁଥିଲେ ବି ସରକାର ନୂଆ ନୂଆ ଜିନିଷ ଉପରେ ଜିଏସଟି ଲଗାଇବା ବା ଟିକସ ହାରରେ ପରିବର୍ତ୍ତନ କରିବା ଦ୍ୱାରା ଦରଦାମ ଆହୁରି ବଢୁଛି ।
    ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ ମୁଦ୍ରାନୀତି ଓ ଆର୍ଥିକ ନୀତିରେ ତାଳମେଳ ରଖିବାକୁ ହୋଇଥାଏ । ଏହି ସମସ୍ୟାର ଗମ୍ଭୀରତାକୁ ଉପଲବ୍ଧି କରି ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତିରେ ପରିବର୍ତ୍ତନ କରି ଗତ ୪ ମାସ ମଧ୍ୟରେ ୩ ଦଫାରେ ରେପୋ ହାରକୁ ପ୍ରାୟ ୧.୪ ପ୍ରତିଶତ ବଢାଇସାରିଛନ୍ତି । ଫଳରେ ବାସଗୃହ ଓ ଅନ୍ୟାନ୍ୟ ବ୍ୟାଙ୍କଋଣ ମହଙ୍ଗା ହେବା ସହ ଋଣକିସ୍ତିର ପରିମାଣ ବଢି ଋଣଗ୍ରହୀତାଙ୍କ ଉପରେ ଅଧିକ ବୋଝ ପଡିବ । ଭାରତରେ ମୁଦ୍ରାସ୍ଫୀତିର ପ୍ରମୁଖ କାରଣ ଖାଦ୍ୟ ପଦାର୍ଥର ଦର ବୃଦ୍ଧି ଓ ଅଶୋଧିତ ତୈଳ ଓ ପେଟ୍ରୋଲିଅମଜାତ ପଦାର୍ଥର ଦରବୃଦ୍ଧି । ଖାଇବା ତେଲ ଓ ଡାଲି ଜାତୀୟ ଶସ୍ୟ ବହୁଳ ଭାବେ ବିଦେଶରୁ ଆମଦାନୀ ହେଉଥିବାରୁ ଦର କମାଇବା ପାଇଁ ସରକାର ସେଗୁଡିକ ମଧ୍ୟରୁ କେତୋଟିର ଆମଦାନୀ ଉପରେ ଉତ୍ପାଦନ ଶୁଳ୍କ ଅତିମାତ୍ରାରେ ହ୍ରାସ କରିଛନ୍ତି ବୋଲି କୁହାଗଲା । ଉଦାହରଣ ସ୍ୱରୂପ ଅଶୋଧିତ ପାମ ତେଲ ଉପରେ ଆମଦାନୀ ଶୁଳ୍କକୁ ୩୫.୭୫ ପ୍ରତିଶତରୁ କମ କରି ୮,୨୫ ପ୍ରତିଶତ ଓ ଏବେ ୫.୫ ପ୍ରତିଶତ କରାଯାଇଛି ଏବଂ ସୂର୍ୟ୍ୟମୁଖୀ ଓ ସୋୟାବିନ ତେଲ ଉପରେ ୩୮.୫ ପ୍ରତିଶତରୁ ୫.୫ ପ୍ରତିଶତକୁ କମାଯାଇଛି । ବିବୃତିରୁ ପ୍ରତୀତ ହେଲା ସତେ ଯେମିତି ଆମଦାନୀ ଶୁଳ୍କ ଏବେ ଏବେ କମ କରାଯାଇଛି । ବାସ୍ତବତା ହେଉଛି ସୂର୍ୟ୍ୟମୁଖୀ ଓ ସୋୟାବିନ ତେଲ ଉପରେ ଆମଦାନୀ ଶୁଳ୍କ ନଭେମ୍ୱର ୫, ୨୦୨୧ରୁ ୫.୫ ପ୍ରତିଶତ ଥିବା ବେଳେ ପାମ ତେଲ କ୍ଷେତ୍ରରେ ତାହା ଫେବୃଆରୀ ୧୩, ୨୦୨୨ରୁ ୫.୫ ପ୍ରତିଶତ ହୋଇସାରିଛି । ଫଳରେ ପାମ ତେଲ ଦର ୧୮ ପ୍ରତିଶତ ହ୍ରାସ ପାଇଛି ବୋଲି ଅର୍ଥମନ୍ତ୍ରୀ କହିଥିବା ବେଳେ ତାହା ବାସ୍ତବରେ କେତେ କମିଛି ତାହା ଖାଉଟି ହିଁ କହିବେ । ସେହିପରି ବିବୃତିରେ ମସୁର ଡାଲି ଉପରେ ଆମଦାନୀ ଶୁଳ୍କ ୩୦ ପ୍ରତିଶତରୁ କମ କରି ଶୂନ ପ୍ରତିଶତ କରାଯାଇଛି ବୋଲି ଯାହା କୁହାଗଲା, ତାହା ଗତ ବର୍ଷ ଜୁଲାଇ ମାସରେ କରାଯାଇଥିଲା । ଅର୍ଥାତ୍, ଖାଦ୍ୟ ପଦାର୍ଥର ଦରଦାମ ବୃଦ୍ଧିକୁ ହ୍ରାସ କରିବା ପାଇଁ ସରକାର ଅନ୍ତତଃ ନିକଟ ଅତୀତରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରି ନାହାନ୍ତି ବୋଲି ସ୍ପଷ୍ଟ ହେଲା । ୬ ମାସରୁ ଅଧିକ ସମୟ ଧରି ଆମଦାନୀ ଶୁଳ୍କ କମ ହୋଇଥିଲେ ବି ତାହା ଦାମ କମାଇବାରେ ସେତେ ଫଳପ୍ରଦ ହୋଇ ନଥିବାରୁ ସରକାରଙ୍କ ତରଫରୁ ସ୍ଥିତିର ସମୀକ୍ଷା କରି ଅଧିକ କିଛି ପଦକ୍ଷେପ ନିଆଯିବା ଆବଶ୍ୟକ । ଖାଇବା ତେଲ ଓ ଡାଲିର ଆବଶ୍ୟକତା ପୂରଣ ଲାଗି ଯେ ପର୍ୟ୍ୟନ୍ତ ଆମଦାନୀ ନିର୍ଭରଶୀଳତା ଲାଗି ରହିଥିବ ଖାଦ୍ୟପଦାର୍ଥର ମୁଦ୍ରସ୍ଫୀତିକୁ ନିୟନ୍ତ୍ରଣ କରିବା କଷ୍ଟକର ହେଉଥିବ । ତେଣୁ ଆମଦାନୀ ଶୁଳ୍କକୁ ହ୍ରାସ କରି ଦରଦାମ ନିୟନ୍ତ୍ରଣ କରିବା ହୁଏତ ଏକ ସ୍ୱଳ୍ପ ମିଆଦି ଲକ୍ଷ୍ୟ ହୋଇପାରେ, କିନ୍ତୁ ତୈଳବୀଜ ଓ ଡାଲିଜାତୀୟ ଶସ୍ୟର ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଏକ ଦୀର୍ଘ ମିଆଦି ଓ ପ୍ରଭାବଶାଳୀ ଲକ୍ଷ୍ୟ ହେବ ।
    ଦରଦାମ ବୃଦ୍ଧି ସମସ୍ୟା ସେତେ ଗମ୍ଭୀର ନୁହେଁ ବୋଲି ସରକାର ହୁଏତ ଏକ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରୁଥାଇପାରନ୍ତି । ‘ମୋ ସାର୍ଟ ତମ ସାର୍ଟଠାରୁ ବେଶି ସଫା’ ବିତଣ୍ଡାକୁ ଆଧାର କରି ସରକାର ‘ଆମ ମୁଦ୍ରାସ୍ଫୀତି ହାର ଅନ୍ୟ ଦେଶର ମୁଦ୍ରାସ୍ଫୀତି ହାର ତୁଳନାରେ କମ’ ବୋଲି ଯୁକ୍ତି ଉପସ୍ଥାପନ କରି ନିଜେ ନିଜ ପିଠି ଥାପୁଡାଇପାରନ୍ତି ଓ ପରୋକ୍ଷରେ ଦରଦାମ ବୃଦ୍ଧି ସମସ୍ୟା ‘ବାସ୍ତବ ଓ ଉତ୍କଟ ନୁହେଁ’ର ଇଙ୍ଗିତ ଦେଇପାରନ୍ତି । ହେଲେ ଦରଦାମ ବୃଦ୍ଧିରେ ଅତିଷ୍ଠ ମଧ୍ୟବିତ୍ତ ଓ ନିମ୍ନ ବର୍ଗର ପ୍ରତିଟି ଗୃହିଣୀ ଓ ଗୃହକର୍ତ୍ତାଙ୍କୁ ପଚାରିଲେ ସେମାନେ ଦରଦାମ ବୃଦ୍ଧି ଭ୍ରମ ନୁହେଁ ଏକ ବାସ୍ତବତା ଏବଂ ଘର ଚଳାଇବା ସେମାନଙ୍କ ପାଇଁ କେତେ ଦୁର୍ବିସହ ହୋଇପଡିଲାଣି ତାହା ହଲପ କରି କହିବେ । ଜନତାଙ୍କ ସମ୍ମୁଖରେ ସରକାର ଦେଶ ଅର୍ଥନୀତିର ଏକ ଉଜ୍ଜ୍ୱଳ ଚିତ୍ର ଆଙ୍କି ସବୁ କିଛି ଠିକଠାକ୍ ଅଛି ବୋଲି ଜଣାଇବାକୁ ଚାହିଁଲେ ମଧ୍ୟ ସାଧାରଣ ଜନତାଙ୍କ ମନରେ ଗୋଟିଏ ପ୍ରଶ୍ନ – “ଆମକୁ ଇଆଡୁ ସିଆଡୁ କଥା କହି ଭୁଲାଇବା ଦରକାର ନାହିଁ । ଆମକୁ ଖାଲି ଏତିକି କୁହ ଦରଦାମ କେବେ କମିବ ?”

Published in Sambad on August 09, 2022

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍