‘ଥ୍ୱାହା ଫଜଲ ବନାମ ଭାରତ ସରକାର’ ମାମଲାରେ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ଅକ୍ଟୋବର ୨୮, ୨୦୨୧ରେ ୟୁଏପିଏ ଅଭିଯୁକ୍ତ ଥ୍ୱାହା ଫଜଲ ଓ ଅଲାନ ସୁଏବଙ୍କୁ ଜାମିନ ପ୍ରଦାନ କରି ଯେଉଁ ଐତିହାସିକ ଆଦେଶ ଦେଇଛନ୍ତି ତାହା ଦୀର୍ଘ ଦିନ ଧରି ଜେଲରେ ରହିଥିବା ଅନେକ ୟୁଏପିଏ ଅଭିଯୁକ୍ତଙ୍କ ପାଇଁ ଜାମିନ ପାଇବା ଲାଗି ଆଶାର ସଞ୍ଚାର କରିଥିବାରୁ ପ୍ରଣିଧାନଯୋଗ୍ୟ ।
ଅନଲଫୁଲ ଆକ୍ଟିଭିଟିଜ ପ୍ରିଭେନସନ ଆକ୍ଟ (ୟୁଏପିଏ) ବା ବେଆଇନ ଗତିବିଧି ନିରୋଧକ ଆଇନ, ୧୯୬୭ରୁ କାର୍ଯ୍ୟକାରୀ ହୋଇ ଆସୁଥିଲେ ବି ୨୦୧୪ ପରଠାରୁ ଏହି ଆଇନରେ ରୁଜ୍ଜୁ ହୋଇଥିବା ମାମଲାରେ ଅଭିଯୁକ୍ତଙ୍କ ସଂଖ୍ୟା ପ୍ରତି ବର୍ଷ ବୃଦ୍ଧି ପାଇଚାଲିଛି । ରାଷ୍ଟ୍ରଠାରେ ଏହି ଆତଙ୍କବାଦ ନିରୋଧ ଆଇନକୁ ମାଧ୍ୟମ କରି ଅଭିଯୁକ୍ତଙ୍କୁ ବିନା ବିଚାରରେ ଦୀର୍ଘ ଦିନ ଧରି ଜେଲ ଭିତରେ ଅଟକାଇ ରଖିବାର ପ୍ରବଣତା ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଛି । ଏନସିଆରବି ଦ୍ୱାରା ୨୦୨୦ରେ ପ୍ରକାଶିତ ‘ଭାରତରେ ଅପରାଧ’ ଶୀର୍ଷକ ରିପୋର୍ଟ ଅନୁଯାୟୀ ୟୁଏପିଏରେ ୨୦୧୪, ୨୦୧୫, ୨୦୧୬, ୨୦୧୭, ୨୦୧୮, ୨୦୧୯ରେ ଯଥାକ୍ରମେ ୯୭୬, ୮୯୭, ୯୨୨, ୯୦୧, ୧୧୮୨, ୧୨୨୬ଟି ମାମଲା ରୁଜ୍ଜୁ ହୋଇ ହଜାର ହଜାର ଲୋକ ଜେଲରେ ଅଟକ ରହିଛନ୍ତି । ଅବଶ୍ୟ ୨୦୨୦ରେ ଏହି ସଂଖ୍ୟା ୭୯୬କୁ କମ ହେବା ଉତ୍ସାହଜନକ ହୋଇଥିଲେ ବି ଏଥିରେ ୪୪ ଜଣ ମହିଳାଙ୍କ ସମେତ ୧୩୨୧ ଜଣଙ୍କୁ ଗିରଫ କରାଯାଇଥିଲା । ୨୦୧୪ରୁ ୨୦୨୦ ମଧ୍ୟରେ ପ୍ରାୟ ୬୯୦୦ ୟୁଏପିଏ ମାମଲା ରୁଜ୍ଜୁ ହୋଇ ୨୦୧୯ ସୁଦ୍ଧା ୩୯୦୮ଟି ମାମଲା ତଦନ୍ତ ଅପେକ୍ଷାରେ ଥିବା ବେଳେ ୨୦୨୦ରେ ସେହି ସଂଖ୍ୟା ବୃଦ୍ଧି ପାଇ ୪୦୨୧ରେ ପହଞ୍ଚିଲାଣି । ବିନା ବିଚାରରେ ହଜାର ହଜାର ସଂଖ୍ୟାରେ ୟୁଏପିଏ ଅଭିଯୁକ୍ତ ବର୍ଷ ବର୍ଷ ଧରି ଜାମିନ ନ ପାଇ ଜେଲରେ ରହିବା ବାସ୍ତବିକ ଉଦବେଗର ବିଷୟ । ଶାନ୍ତିପୂର୍ଣ୍ଣ ବିରୋଧର କଣ୍ଠରୋଧ କରି ଜନସାଧାରଣଙ୍କୁ ସେଥିରୁ ନିବୃତ୍ତ ରହିବାକୁ ଚାପ ପ୍ରୟୋଗ କରିବା ପାଇଁ ରାଷ୍ଟ୍ର ୟୁଏପିଏ ଆଇନର ଦୁରୁପଯୋଗ କରୁଛି ବୋଲି ନାଗରିକ ସମାଜର ଅଭିଯୋଗ ।
ୟୁଏପିଏ ଆଇନ, ୧୯୬୭ରେ ଜାତୀୟ ସାର୍ବଭୌମତ୍ୱ ଓ ସଂହତିକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଅଭିବ୍ୟକ୍ତିର ସ୍ୱାଧୀନତା, ବିନା ଅସ୍ତ୍ରରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ମିଳିତ ହେବାର ଅଧିକାର, ସମିତି ଓ ସଂଘ ଗଠନର ସ୍ୱାଧୀନତା ଭଳି ସାମ୍ୱିଧାନିକ ମୌଳିକ ଅଧିକାରଗୁଡିକ ଉପରେ ନ୍ୟାୟୋଚିତ ପ୍ରତିବନ୍ଧ ଲଗାଇବାର ବ୍ୟବସ୍ଥା କରାଯାଇଥିଲା । ତେବେ ୟୁପିଏ ସରକାରଙ୍କ ଅମଳରେ ୨୦୦୮ରେ ଓ ପରେ ୨୦୧୨ରେ ଏହାକୁ ଅଧିକ କଠୋର କରା ଯାଇଥିଲା । ଏହି ଆଇନରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଜାମିନ ମିଳିବା ବି ବିରଳ । ତଦନ୍ତକାରୀ ସଂସ୍ଥାଙ୍କୁ ଅନ୍ୟ ମାମଲାଗୁଡିକରେ ଅଭିଯୋଗ ପତ୍ର ଦାଖଲ କରିବାକୁ ୬୦ରୁ ୯୦ ଦିନ ସମୟ ମିଳୁଥିବା ବେଳେ ୟୁଏପିଏ ମାମଲାଗୁଡିକରେ ୧୮୦ ଦିନର ସମୟ ମିଳିଥାଏ, ଯାହା ଅଭିଯୁକ୍ତଙ୍କ ଜାମିନ ଆବେଦନ ପ୍ରକ୍ରିୟାକୁ ବିଳମ୍ୱିତ କରିଥାଏ । ୟୁଏପିଏ ଆଇନର ଜାମିନ ପ୍ରଦାନ ସଂକ୍ରାନ୍ତୀୟ ଧାରା ୪୩(ଡି)(୫)ରେ କେଉଁ କାରଣରୁ ଜାମିନ ଦିଆ ଯାଇ ପାରିବ ନାହିଁ ତାହା ବର୍ଣ୍ଣିତ । ସେହି ଧାରା ଅନୁଯାୟୀ, “ଏହି ଆଇନରେ ସ୍ଥାନିତ ଯେ କୌଣସି ପ୍ରାବଧାନ ସତ୍ତ୍ୱେ, ଏହି ଆଇନର ଅଧ୍ୟାୟ ୪ ଏବଂ ୬ ଅଧୀନରେ ଦଣ୍ଡଯୋଗ୍ୟ କୌଣସି ଅଭିଯୁକ୍ତ ବ୍ୟକ୍ତିଙ୍କୁ, ଯଦି ସେ ହାଜତରେ ଥାଆନ୍ତି, ତାଙ୍କ ମୁକ୍ତି ପାଇଁ ଆବେଦନ ଉପରେ ସରକାରୀ ଓକିଲଙ୍କୁ ଶୁଣାଣିର ସୁଯୋଗ ନ ଦେଇ ତାଙ୍କୁ ଜାମିନ ବା ବ୍ୟକ୍ତିଗତ ମୁଚାଳିକାରେ ମୁକ୍ତ କରି ହେବନାହିଁ । ଏହା ସତ୍ତ୍ୱେ ଏପରି ଅଭିଯୁକ୍ତ ବ୍ୟକ୍ତିଙ୍କୁ ଜାମିନ ବା ବ୍ୟକ୍ତିଗତ ମୁଚାଳିକାରେ ମୁକ୍ତ କରାଯିବ ନାହିଁ ଯଦି ମାମଲା ଡାଏରୀ ବା କୋଡର ଧାରା ୧୭ ଅଧୀନରେ ପ୍ରସ୍ତୁତ ରିପୋର୍ଟକୁ ଅବଲୋକନ କରି ଅଦାଲତ ଏହି ମତ ପୋଷଣ କରନ୍ତି ଯେ ଏହିପରି ବ୍ୟକ୍ତିଙ୍କ ବିରୁଦ୍ଧରେ ଥିବା ଅଭିଯୋଗ ପ୍ରାଥମିକ ଭାବେ ସତ୍ୟ ବୋଲି ବିଶ୍ୱାସ କରିବାକୁ ଯଥେଷ୍ଟ କାରଣ ରହିଛି ।” ଅଭିଯୁକ୍ତଙ୍କ ବିରୁଦ୍ଧରେ ‘ପ୍ରାଥମିକ ଭାବେ ସତ୍ୟ’ (ପ୍ରାଇମା ଫେସି ଟ୍ରୁ) ଏକ ମାମଲା ଅଛି ବୋଲି ଅଦାଲତଙ୍କର ହୃଦବୋଧ ହେଲେ ସେ ଜାମିନ ଦେବାକୁ ମନା କରି ଦେଇପାରନ୍ତି । ତେବେ ଏନଆଇଏ ବନାମ ଜହୁର ଅହମଦ ସାହା ୱାଟାଲି’ (୨୦୧୯) ମାମଲାରେ ସୁପ୍ରିମକୋର୍ଟ ଏହି ‘ପ୍ରାଥମିକ ଭାବେ ସତ୍ୟ’ର ଅର୍ଥକୁ ବ୍ୟାଖ୍ୟା କରି କହିଥିଲେ ଯେ ଅଦାଲତଗୁଡିକ ପ୍ରମାଣ ଓ ପାରିପାର୍ଶ୍ୱିକ ଅବସ୍ଥାର ବିଶ୍ଳେଷଣ ନ କରି, ବରଂ ସରକାରଙ୍କ ଦ୍ୱାରା ଉପସ୍ଥାପିତ ‘ମାମଲାଟିର ସାମଗ୍ରିକତା’ ଉପରେ ଧ୍ୟାନ ଦେବେ । ତେଣୁ ୟୁଏପିଏ ମାମଲାଗୁଡିକରେ ଜାମିନ ପ୍ରଦାନର ପ୍ରାବଧାନ ଅଭିଯୁକ୍ତଙ୍କ ଅପେକ୍ଷା ସରକାରଙ୍କ ଆଡକୁ ବେଶୀ ଢଳିଥିବାରୁ ଅଭିଯୁକ୍ତଙ୍କୁ ଜାମିନ ମିଳିବା କଷ୍ଟକର ହୋଇପଡେ । ଅର୍ଥାତ୍ ଅନ୍ୟ ମାମଲାଗୁଡିକରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ‘ରାଜସ୍ଥାନ ରାଜ୍ୟ ବନାମ ବାଲଚାନ୍ଦ ଓରଫ ବଲିୟା’ ମାମଲାରେ ସ୍ଥାପିତ ‘ବେଲ ନିୟମ ଜେଲ ବ୍ୟତିକ୍ରମ’ ସିଦ୍ଧାନ୍ତଟି ଗ୍ରହଣୀୟ ହୋଇଥିଲା ବେଳେ ୟୁଏପିଏ ମାମଲାଗୁଡିକରେ ତାହା ଗ୍ରହଣୀୟ ହୋଇ ନ ଥାଏ । ସେ କ୍ଷେତ୍ରରେ ଜାମିନ ମିଳିବା ସାଧାରଣ ନୁହେଁ ବରଂ ବ୍ୟତିକ୍ରମ ହୋଇଥାଏ । ମାତ୍ର ‘କେ ଏ ନଜିବ ବନାମ ଭାରତ ସରକାର’ ମାମଲାରେ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ଜାନୁଆରୀ ୨୦୨୧ରେ ସ୍ପଷ୍ଟ କରିଥିଲେ ଯେ ୟୁଏପିଏରେ ଜାମିନ ଏକ ବ୍ୟତିକ୍ରମ ହୋଇଥିଲେ ମଧ୍ୟ ଯଦି ଅଭିଯୁକ୍ତ ଦୀର୍ଘ ଦିନ ଧରି ଜେଲରେ ରହି ସାରିଥାଆନ୍ତି ଓ ଏକ ଯୁକ୍ତିସଙ୍ଗତ ସମୟ ସୀମା ମଧ୍ୟରେ ବିଚାର ସରିବାର ସମ୍ଭାବନା ନ ଥାଏ ତେବେ ଅଭିଯୁକ୍ତଙ୍କୁ ଜାମିନ ଦେବା କଥା ବିବେଚନା କରାଯାଇପାରେ ।
ସମ୍ପୃକ୍ତ ମାମଲାଟିର ଘଟଣା କ୍ରମର ଅବତାରଣା କରାଯାଉ । ନଭେମ୍ୱର ୧, ୨୦୧୯ର ସନ୍ଧ୍ୟାବେଳେ କେରଳର କୋଝିକୋଡ ସହରସ୍ଥିତ ମେଡିକେୟାର ଲାବୋରେଟରୀ ସମ୍ମୁଖରେ ସନ୍ଦେହଜନକ ଅବସ୍ଥାରେ ଠିଆ ହୋଇଥିବା ତିନିଜଣଙ୍କୁ ଦେଖି ପୁଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା କରିବାରୁ ସେମାନଙ୍କ ମଧ୍ୟରୁ ଜଣେ ଖସି ପଳାଇଲା । ଧରା ପଡିଲେ ଆଲାନ ସୁଏବ ନାମକ ଜଣେ ଆଇନ ଛାତ୍ର ଓ ଥ୍ୱାହା ଫଜଲ ନାମକ ଜଣେ ସାମ୍ୱାଦିକତା ଛାତ୍ର । ପ୍ରଥମ ଅଭିଯୁକ୍ତ ସୁଏବର ବ୍ୟାଗରୁ ମିଳିଥିଲା ମାଲାୟାଲମ ଭାଷାରେ କିଛି କାଗଜପତ୍ର, ଯେଉଁଥିରେ ଥିଲା ‘ପ୍ରଫେସର ମାଧବ ଗାଡଗିଲ ରିପୋର୍ଟ କାର୍ଯ୍ୟକାରୀ କର’ ଶୀର୍ଷକ ଏକ ପ୍ରଚାରପତ୍ର, ସିପିଆଇ (ମାଓବାଦୀ)ଙ୍କ ଜଣେ ମୁଖପାତ୍ରଙ୍କ ଦ୍ୱାରା ଲିଖିତ ‘ମାଓବାଦୀଙ୍କ ଶିକାର ବିରୁଦ୍ଧରେ ଲୋକମାନେ ଜାଗିବା ଜରୁରୀ’ ଶୀର୍ଷକ ଏକ କାଗଜ, ୱାଏନାଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅକ୍ଟୋବର ୨୮, ୨୯, ୩୦ରେ ହୋଇଥିବା ମହାଧାରଣା ସମ୍ପର୍କରେ ଏକ ପ୍ରଚାରପତ୍ର, ଏକ ମାସିକ ପତ୍ରିକା ଓ ଅନ୍ୟ କିଛି କାଗଜ । ଦ୍ୱିତୀୟ ଅଭିଯୁକ୍ତ ଫଜଲ ଧରିଥିବା ଏକ ଲାଲ ଫାଇଲ ଭିତରୁ ମିଳିଥିଲା ମାଲାୟାଲମ ଭାଷାରେ ଦୁଇଟି ବହି – ସିପିଆଇ (ମାଓବାଦୀ) କେନ୍ଦ୍ରୀୟ କମିଟି ଦ୍ୱାରା ପ୍ରକାଶିତ ‘ଭାରତରେ ଜାତିପ୍ରଥା – ଆମ ଦୃଷ୍ଟିକୋଣ – ମଇ ଦିବସ ୨୦୧୭’ ଓ ରୋଜା ଲକ୍ସମବର୍ଗଙ୍କ ଦ୍ୱାରା ରଚିତ ‘ସାଂଗଠନିକ ଗଣତନ୍ତ୍ର, ଲେନିନଙ୍କ ସହ ଅସହମତି’ । ତା’ପରେ ଅଭିଯୁକ୍ତ ଦୁଇଜଣଙ୍କ ଘର ଖାନତଲାସ କରି ସେଠାରୁ କିଛି ବହି, ପ୍ରଚାର କାଗଜ, ଦୁଇଟି ବ୍ୟାନର ଯେଉଁଥିରେ ମାଲାୟାଲମରେ ଲେଖା ଥିଲା ‘ଜାମ୍ମୁ କାଶ୍ମୀରର ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ କର, ଭାରତ ସରକାରଙ୍କ ଜାମ୍ମୁ କାଶ୍ମୀର ଦଖଲକୁ ବିରୋଧ କର’ ଓ ‘ହିନ୍ଦୁ ବ୍ରାହ୍ମଣବାଦୀ ଫାସିଷ୍ଟ ସରକାର ବିରୁଦ୍ଧରେ ସଂଗ୍ରାମ କର’, ଗୋଟିଏ ଲାପଟପ, ତିନିଟି ମୋବାଇଲ ଫୋନ, ସିମ କାର୍ଡ ଓ କିଛି ପେନ ଡ୍ରାଇଭ, ମେମୋରି କାର୍ଡ ଜବଦ ହୋଇଥିଲା । ପ୍ରଥମ ଅଭିଯୁକ୍ତଙ୍କ ମୋବାଇଲରୁ ମିଳିଥିଲା ‘କାଶ୍ମୀର ବ୍ଲିଡିଂ’ ଶୀର୍ଷକ ଏକ ଭିଡିଓ କ୍ଲିପିଙ୍ଗ, ଚେ ଗିଭାରା, ମାଓ ସେ ତୁଙ୍ଗ ଓ କାଶ୍ମୀରୀ ନେତା ଜିଲାନିଙ୍କ ଫଟୋ । ଏଥି ସହ କିଛି ପୋଷ୍ଟର, ସମ୍ୱିଧାନର ଧାରା ୩୭୦ ଉଚ୍ଛେଦ ସମ୍ପର୍କୀୟ କିଛି ଫାଇଲ ଓ ଅଭିଯୁକ୍ତ କୁର୍ଦ୍ଦିସ୍ତାନ ସଲିଡାରିଟି ନେଟୱାର୍କ ଦ୍ୱାରା ଆୟୋଜିତ ପ୍ରତିବାଦ ସଭାରେ ଯୋଗ ଦେଇଥିବା କିଛି ଫଟୋ । ସେହିପରି ଦ୍ୱିତୀୟ ଅଭିଯୁକ୍ତ ନିକଟରୁ ଜବଦ ହୋଇଥିବା ଉପକରଣଗୁଡିକରେ ସିପିଆଇ (ମାଓବାଦୀ)ର ପତାକା, ସିପିଆଇ (ମାଓବାଦୀ) କେନ୍ଦ୍ରୀୟ କମିଟି ସମ୍ୱିଧାନର ଫାଇଲ ଆଦି ଥିଲା । ଫେସବୁକ ଆକାଉଣ୍ଟ, ଇ-ମେଲ, କଲ ବିବରଣୀରେ କୌଣସି ଆପତ୍ତିଜନକ ପ୍ରମାଣ ନ ଥିଲା ବୋଲି ସ୍ୱତନ୍ତ୍ର ଅଦାଲତର ବିଚାରପତି ଉଲ୍ଲେଖ କରିଥିଲେ ଓ ହାଇକୋର୍ଟ ମଧ୍ୟ କୌଣସି ଆପତ୍ତିଜନକ ସାମଗ୍ରୀ ମିଳିଥିବା କଥା ଉଲ୍ଲେଖ କରି ନ ଥିଲେ । ଦ୍ୱିତୀୟ ଅଭିଯୁକ୍ତର ଘର ତଲାସ ସମୟରେ ସେ ‘ଇନକିଲାବ ଜିନ୍ଦାବାଦ’, ‘ମାଓବାଦ ଜିନ୍ଦାବାଦ’ ଆଦି ସ୍ଳୋଗାନ ଦେବା ସହ ପୁଲିସ ଗୁଳିରେ ଶହୀଦ ହୋଇଥିବା ମାଓବାଦୀ ଶହୀଦଙ୍କର ଜୟକାର କରିଥିଲା ବୋଲି ପୁଲିସର ଅଭିଯୋଗ । ଏଥିସହ ଫେରାର ହୋଇଥିବା ତୃତୀୟ ଅଭିଯୁକ୍ତ ପ୍ରଥମ ଅଭିଯୁକ୍ତ ରହୁଥିବା ସ୍ଥାନକୁ ଆସି ସଙ୍ଗଠନ ପାଇଁ ସଦସ୍ୟ ଚାନ୍ଦା ଓ ଅନ୍ୟ ରାଶି ଆଦାୟ କରିଥିବାର କିଛି କାଗଜପତ୍ର ମଧ୍ୟ ଜବଦ ହୋଇଥିଲା ।
ଅଭିଯୁକ୍ତଙ୍କ ବିରୁଦ୍ଧରେ ୟୁଏପିଏର ଧାରା ୨୦, ୩୮, ୩୯ରେ ଏଫଆଇଆର ଦାୟର ହୋଇଥିବା ବେଳେ ଅଭିଯୋଗ ପତ୍ର ଦାଖଲ ହେଲା ବେଳକୁ ସେଥିରୁ ଧାରା ୨୦କୁ ବାଦ ଦିଆ ଯାଇଥିଲା । ଧାରା ୨୦ ଅନୁଯାୟୀ ଅଭିଯୁକ୍ତ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ଥିବା ଏକ ଆତଙ୍କବାଦୀ ଗ୍ୟାଙ୍ଗ ବା ସଙ୍ଗଠନର ସଦସ୍ୟ ବୋଲି ପ୍ରମାଣିତ ହେଲେ ସେଥିପାଇଁ ଆଜୀବନ କାରାଦଣ୍ଡର ପ୍ରାବଧାନ ରହିଛି । ଅନ୍ୟ ପକ୍ଷରେ ଧାରା ୩୮ ଓ ୩୯ରେ ଅପରାଧୀ ହେଲେ ସର୍ବାଧିକ ୧୦ ବର୍ଷ ଲେଖାଏଁ ଜେଲ ଦଣ୍ଡ ଓ ଫାଇନର ପ୍ରାବଧାନ ରହିଛି । ଅଭିଯୋଗ ପତ୍ରରେ ଦ୍ୱିତୀୟ ଅଭିଯୁକ୍ତ ଥ୍ୱାହା ଫଜଲ ବିରୁଦ୍ଧରେ ଧାରା ୧୩ ମଧ୍ୟ ଲାଗୁ କରାଯାଇଥିଲା । ତେବେ ଧାରା ୧୩ ୟୁଏପିଏର ଅଧ୍ୟାୟ ୩ର ଅଂଶବିଶେଷ ହୋଇଥିବାରୁ ଏହା ଜାମିନ ପାଇଁ ଥିବା ଧାରା ୪୩(ଡି)(୫)ର କଠୋର ପ୍ରାବଧାନର ଅନ୍ତର୍ଭୁକ୍ତ ନୁହେଁ ଓ ଏଥିପାଇଁ ଜାମିନ ମିଳିବା ବି କଷ୍ଟକର ହୋଇ ନ ଥାଏ । ଅନ୍ୟ ପକ୍ଷରେ ଧାରା ୩୮ ଓ ୩୯ ଆଇନର ଅଧ୍ୟାୟ ୬ର ଅଂଶବିଶେଷ ହୋଇ ଜାମିନ ପାଇଁ ଧାରା ୪୩(ଡି)(୫) ଅନ୍ତର୍ଭୁକ୍ତ ହୋଇଥିବାରୁ ଏଥିରେ ଜାମିନ ମିଳିବା କଷ୍ଟକର ହୋଇଥାଏ । ମାମଲାଟିରେ ଜାମିନ ଆବେଦନକୁ ବିଚାର କରି ଏନଆଇଏ ପାଇଁ ଗଠିତ ସ୍ୱତନ୍ତ୍ର ଅଦାଲତ ସେପ୍ଟେମ୍ୱର ୯, ୨୦୨୦ରେ ଅଭିଯୁକ୍ତ ଦ୍ୱୟଙ୍କୁ ଜାମିନ ପ୍ରଦାନ କରିଥିଲେ । କିନ୍ତୁ କେରଳ ହାଇକୋର୍ଟର ଏକ ଖଣ୍ଡପୀଠ ଦିଆ ଯାଇଥିବା ଜାମିନକୁ ଖାରଜ କରି ଦେଇଥିବାରୁ ଅଭିଯୁକ୍ତ ଦ୍ୱୟ ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଏକ ଆତଙ୍କବାଦୀ ସଙ୍ଗଠନର ସଦସ୍ୟତା ସଂକ୍ରାନ୍ତୀୟ ୟୁଏପିଏ ଆଇନର ଧାରା ୩୮ ଅନୁଯାୟୀ, “ଜଣେ ବ୍ୟକ୍ତି, ଯିଏ ଏକ ଆତଙ୍କବାଦୀ ସଙ୍ଗଠନ ସହ ଏହାର ଗତିବିଧିକୁ ଆଗେଇ ନେବା ଉଦ୍ଦେଶ୍ୟରେ ସମ୍ପର୍କିତ ଥାଏ ବା ସମ୍ପର୍କିତ ବୋଲି ସ୍ୱୀକାର କରିଥାଏ, ସେ ଏକ ଆତଙ୍କବାଦୀ ସଙ୍ଗଠନର ସଦସ୍ୟତା କାରଣରୁ ଅପରାଧ କରିଥାଏ ... ... ”। ଅଦାଲତଙ୍କ ମତରେ କୌଣସି ପ୍ରତିବନ୍ଧିତ ଆତଙ୍କବାଦୀ ସଙ୍ଗଠନର କେବଳ ସଦସ୍ୟତା ପାଇଁ କାହାକୁ ଅପରାଧୀ ବୋଲି ଘୋଷଣା କରି ହେବ ନାହିଁ । ଅପରାଧ ପରିସରଭୁକ୍ତ ହେବା ଲାଗି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏହାର ଗତିବିଧିକୁ ଆଗେଇ ନେବା ଉଦ୍ଦେଶ୍ୟରେ ସକ୍ରିୟ ଭାବେ ଯୋଗଦାନ କରିଥିବା ଆବଶ୍ୟକ । ସେହିପରି ଏକ ଆତଙ୍କବାଦୀ ସଙ୍ଗଠନକୁ ସହାୟତା ପ୍ରଦାନ ସଂକ୍ରାନ୍ତୀୟ ୟୁଏପିଏ ଆଇନର ଧାରା ୩୯ ଅନୁଯାୟୀ, “ଜଣେ ବ୍ୟକ୍ତି ଏକ ଆତଙ୍କବାଦୀ ସଙ୍ଗଠନକୁ ଏହାର ଗତିବିଧିକୁ ଆଗେଇ ନେବା ଉଦ୍ଦେଶ୍ୟରେ ସହାୟତା ପ୍ରଦାନ କରିଥିଲେ ତାହା ଅପରାଧ ହୋଇଥାଏ ।” ଅଦାଲତଙ୍କ ମତରେ କୌଣସି ପ୍ରତିବନ୍ଧିତ ଆତଙ୍କବାଦୀ ସଙ୍ଗଠନକୁ କେବଳ ସହାୟତା ପ୍ରଦାନକୁ ଅପରାଧ ବୋଲି କହି ହେବ ନାହିଁ । ଅପରାଧ ପରିସରଭୁକ୍ତ ହେବା ଲାଗି ସ୍ଥାପିତ କରିବାକୁ ହେବ ଯେ ସମ୍ପୃକ୍ତ ବ୍ୟକ୍ତି ଏହାର ଗତିବିଧିକୁ ଆଗେଇ ନେବା ଉଦ୍ଦେଶ୍ୟରେ ସହାୟତା ପ୍ରଦାନ କରିଥିଲେ । ତେଣୁ ଉଭୟ ଧାରାରେ ଅପରାଧ ପରିସରଭୁକ୍ତ ହେବା ପାଇଁ ‘ଏହାର ଗତିବିଧିକୁ ଆଗେଇ ନେବାର ଉଦ୍ଦେଶ୍ୟ’ ଏକ ପ୍ରୟୋଜନୀୟ ଉପାଦାନ ଅଟେ । ଅଦାଲତଙ୍କ ମତରେ ସମ୍ପୃକ୍ତ ମାମଲାରେ ଅଭିଯୁକ୍ତଙ୍କର ସେହି ‘ଉଦ୍ଦେଶ୍ୟ’ ଥିବା ସ୍ଥାପିତ ହେଉ ନ ଥିବାରୁ ତାଙ୍କୁ ପ୍ରାଥମିକ ଭାବେ ଅପରାଧୀ ବୋଲି ଗ୍ରହଣ କରି ହେବନାହିଁ ।
ଅଭିଯୁକ୍ତଙ୍କ ନିକଟରୁ ଜବଦ ସାମଗ୍ରୀଗୁଡିକରୁ ଦୁହିଁଙ୍କର ଆତଙ୍କବାଦୀ ସଙ୍ଗଠନ ସିପିଆଇ (ମାଓବାଦୀ) ସହ ‘ସମ୍ପର୍କ’ ଥିବା ଓ ସେହି ସଙ୍ଗଠନ ପ୍ରତି ସେମାନଙ୍କର ‘ସମର୍ଥନ’ ଥିବା ଜଣାପଡୁଛି ବୋଲି ଅଦାଲତଙ୍କ ବୋଧ ହୋଇଛି । ଚାର୍ଜସିଟରେ ଥିବା ତଥ୍ୟକୁ ସତ ବୋଲି ଧରି ନିଆଗଲେ ମଧ୍ୟ ତଦନ୍ତକାରୀ ସଂସ୍ଥାକୁ ଏହା ଦର୍ଶାଇବାକୁ ହେବ ଯେ ଏହି ସମ୍ପର୍କ ଓ ସମର୍ଥନ ‘ସଙ୍ଗଠନର ଗତିବିଧିକୁ ଆଗେଇ ନେବାର ଉଦ୍ଦେଶ୍ୟ ରଖି’ ପ୍ରଦାନ କରାଯାଇଥିଲା । ଅଭିଯୁକ୍ତଙ୍କ ନିକଟରେ ଆପତ୍ତିଜନକ ବହି, ଲିଫଲେଟ, ପେନ ଡ୍ରାଇଭ, ଫଟୋ ଆଦି ଥାଇପାରେ, ସେମାନେ କୌଣସି ପ୍ରତିବାଦ ସଭା ସମିତିରେ ଭାଗ ନେଇଥିବାର ପ୍ରମାଣ ବି ଥାଇପାରେ, ତେବେ ସେଥିରୁ ସେମାନଙ୍କର ସେହି ଆତଙ୍କବାଦୀ ସଙ୍ଗଠନର ଗତିବିଧିକୁ ଆଗେଇ ନେବାର ଉଦ୍ଦେଶ୍ୟ ଥିଲା ବୋଲି କୌଣସି ନିଷ୍କର୍ଷରେ ଉପନୀତ ହେବା ପାଇଁ ଯଥେଷ୍ଟ ଉପାଦାନ ମିଳୁନାହିଁ । ଏହି ‘ଉଦ୍ଦେଶ୍ୟର ରହିବା’ ହିଁ ୟୁଏପିଏ ଆଇନର ଧାରା ୩୮ ଓ ଧାରା ୩୯ର ଏକ ପ୍ରୟୋଜନୀୟ ଉପାଦାନ । ତେଣୁ ଅଭିଯୋଗ ପତ୍ରରେ ଅଭିଯୁକ୍ତ ଦ୍ୱାରା କରାଯାଇଥିବା କୌଣସି ପ୍ରକାଶ୍ୟ କାର୍ଯ୍ୟ ସମ୍ପର୍କରେ ସ୍ପଷ୍ଟ ଅବତାରଣା ରହିବା ଆବଶ୍ୟକ, ଯଦ୍ଦ୍ୱାରା ସେ ସେହି ପ୍ରତିବନ୍ଧିତ ସଙ୍ଗଠନର ଆତଙ୍କବାଦୀ କାର୍ଯ୍ୟକଳାପକୁ ଆଗେଇ ନେବା ପାଇଁ ତାହା କରିଥିଲା ବୋଲି ନିଷ୍କର୍ଷରେ ଉପନୀତ ହେବା ଯୁକ୍ତିସଙ୍ଗତ ହେବ । ଅର୍ଥାତ୍, ଅଭିଯୁକ୍ତର ସାଧାରଣ ବ୍ୟବହାରକୁ ଆଧାର କରି ବା ତା’ ନିକଟରୁ ଜବଦ ହୋଇଥିବା ସାମଗ୍ରୀକୁ ଭିତ୍ତି କରି ଷଡଯନ୍ତ୍ରର ଅସ୍ପଷ୍ଟ ଆରୋପ କରାଯିବା ଯଥେଷ୍ଟ ହେବନାହିଁ । ଅଭିଯୋଗ ପତ୍ରରେ ସ୍ଥାପିତ କରିବାକୁ ହେବ ଯେ ଅଭିଯୁକ୍ତ ଦ୍ୱାରା ସଂଘଟିତ ପ୍ରକାଶ୍ୟ କାର୍ଯ୍ୟରୁ ‘ପ୍ରାଥମିକ ଭାବେ ସତ୍ୟ’ ତା’ର ପ୍ରୟୋଜନୀୟ ‘ଉଦ୍ଦେଶ୍ୟ’ ସନ୍ନିହିତ ଅଛି । ତାହା ହୋଇ ନ ଥିଲେ ଅଭିଯୁକ୍ତର ସଙ୍ଗଠନ ସହ କୌଣସି ପ୍ରକାର ସମ୍ପର୍କ ଥିବା କଥା ସିନା କହି ହେବ ହେଲେ ସେହି ସମ୍ପର୍କ ‘ସକ୍ରିୟ’ ଥିଲା ବୋଲି କହି ହେବନାହିଁ । ଅଦାଲତଙ୍କର ନିଷ୍କ୍ରିୟ-ସକ୍ରିୟ ସଦସ୍ୟତା ସମ୍ପର୍କୀୟ ମନ୍ତବ୍ୟ ‘ଅରୂପ ଭୂୟାଁ ବନାମ ଆସାମ ରାଜ୍ୟ’ (୨୦୧୧) ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ପର୍ଯ୍ୟବସିତ । ଅରୂପ ଭୂୟାଁ ନାମକ ବ୍ୟକ୍ତି ପ୍ରତିବନ୍ଧିତ ଉଲଫା ସଙ୍ଗଠନର ସଦସ୍ୟ ଥିବା ଅଭିଯୋଗ କରି ତା ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇଥିଲା । ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଥିଲା ଯେ କେବଳ କୌଣସି ପ୍ରତିବନ୍ଧିତ ସଙ୍ଗଠନର ସଦସ୍ୟ ହୋଇଗଲେ ଜଣକୁ ଅପରାଧୀ ବୋଲି କହି ହେବନାହିଁ ଯେ ପର୍ଯ୍ୟନ୍ତ ସେ ହିଂସାର ଆଶ୍ରୟ ନେଇ ନାହିଁ ବା ଲୋକଙ୍କୁ ହିଂସା ଆଚରଣ କରିବା ପାଇଁ ଉସୁକାଇ ନାହିଁ ବା ହିଂସା ଆଚରଣ କରି ବା ହିଂସା ପାଇଁ ପ୍ରବର୍ତ୍ତାଇ ସର୍ବସାଧାରଣରେ ବିଶୃଙ୍ଖଳା ସୃଷ୍ଟି କରିନାହିଁ । ଅର୍ଥାତ୍ ସଙ୍ଗଠନରେ ଥାଇ ବି ଜଣେ ହିଂସାତ୍ମକ ଗତିବିଧିରେ ସାମିଲ ନ ହୋଇ ନିଷ୍କ୍ରିୟ ସଦସ୍ୟ ରୂପେ କାର୍ଯ୍ୟ କରିପାରେ ବା ସାମିଲ ହୋଇ ସକ୍ରିୟ ସଦସ୍ୟ ହୋଇପାରେ । ତେଣୁ ନିଷ୍କ୍ରିୟ ସଦସ୍ୟଙ୍କୁ ଅପରାଧୀ ବୋଲି ଗ୍ରହଣ କରି ହେବନାହିଁ । ଅଭିଯୁକ୍ତ ଥ୍ୱାହା ଫଜଲ ଓ ଅଲାନ ସୁଏବଙ୍କ ନିଷ୍କ୍ରିୟ ସଦସ୍ୟତା ହିଁ ସେମାନଙ୍କ ଜାମିନ ମିଳିବାର ଅନ୍ୟତମ ମୁଖ୍ୟ କାରଣ ଥିଲା ।
ଏଥି ପୂର୍ବରୁ ‘ଅସିଫ ଇକବାଲ ତନହା ବନାମ ଦିଲ୍ଲୀ ଏନସିଟି ରାଜ୍ୟ’ ମାମଲାରେ ଦିଲ୍ଲୀ ହାଇକୋର୍ଟ ଜୁନ ୧୫, ୨୦୨୧ରେ ଦିଲ୍ଲୀ ଦଙ୍ଗାର ଅନ୍ୟତମ ଷଡଯନ୍ତ୍ରକାରୀ କୁହାଯାଉଥିବା ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ର ତଥା ଷ୍ଟୁଡେଣ୍ଟ ଇସଲାମିକ ଅର୍ଗାନାଇଜେସନର ସଦସ୍ୟ ୨୫ ବର୍ଷୀୟ ଅସିଫ ଇକବାଲ ତନହାକୁ ଅନୁରୂପ ଭାବେ ଜାମିନ ପ୍ରଦାନ କରିଥିଲେ । ଅଦାଲତ ତାଙ୍କ ଆଦେଶରେ ଉଲ୍ଲେଖ କରିଥିଲେ ଯେ ଅଭିଯୋଗ ପତ୍ରରେ ‘ଶବ୍ଦାଡମ୍ୱର’ ବ୍ୟତିରେକ ନିର୍ଦ୍ଦିଷ୍ଟ କୌଣସି ଆରୋପ ନାହିଁ । ଏ ଭଳି ମାମଲାରେ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ଅଦାଲତ ସରକାରଙ୍କୁ ଏକ ପ୍ରକାର ଭର୍ତ୍ସନା କରିଛନ୍ତି ବୋଲି କୁହାଯାଇପାରେ । ହାଇକୋର୍ଟଙ୍କ ଟିପ୍ପଣୀ ଥିଲା, “ସରକାରୀ ଓ ସଂସଦୀୟ କାର୍ଯ୍ୟ ବିରୁଦ୍ଧରେ ପ୍ରତିବାଦ ବୈଧ ଅଟେ ; ଏବଂ ସେହି ପ୍ରତିବାଦ ଶାନ୍ତିପୂର୍ଣ୍ଣ ଓ ଅହିଂସାତ୍ମକ ହେବା ଆଶା କରା ଯାଉଥିଲେ ବି, ଏହାକୁ ଆଇନ ଅନୁମୋଦିତ ସୀମା ଯାଏଁ ଝିଙ୍କିବା ପ୍ରତିବାଦକାରୀଙ୍କ ପକ୍ଷରେ କିଛି ଅସ୍ୱାଭାବିକ ନୁହେଁ ।“ ଅଦାଲତଙ୍କ ଅନ୍ୟ ଏକ ଟିପ୍ପଣୀ, “ଆମେ କ୍ଷୋଭର ସହିତ ପ୍ରକାଶ କରୁଛୁ ଯେ ମନେ ହେଉଛି ଭିନ୍ନମତକୁ ଚପାଇ ଦେବାର ବ୍ୟଗ୍ରତାରେ, ପ୍ରତିବାଦ କରିବାର ସାମ୍ୱିଧାନିକ ଅଧିକାରର ଅଙ୍ଗୀକାର ଓ ଆତଙ୍କବାଦୀ ଗତିବିଧି ମଧ୍ୟରେ ଥିବା ପାର୍ଥକ୍ୟ ଟିକକ ରାଷ୍ଟ୍ରର ମନରେ ସତେ ଯେମିତି ଅନେକଟା ଝାପସା ହୋଇଯାଇଛି ।”
‘ଇକବାଲ ଅହମଦ କବିର ଅହମଦ ବନାମ ମହାରାଷ୍ଟ୍ର ରାଜ୍ୟ’ ମାମଲାରେ ଅଗଷ୍ଟ ୧୩, ୨୦୨୧ରେ ବମ୍ୱେ ହାଇକୋର୍ଟ ଅନୁରୂପ ଭାବେ ୟୁଏପିଏ ଅଭିଯୁକ୍ତ ଇକବାଲ ଅହମଦ କବିର ଅହମଦକୁ ଜାମିନ ପ୍ରଦାନ କରିଥିଲେ । ଅଭିଯୁକ୍ତ ବିରୁଦ୍ଧରେ ଦୁଇଟି ପ୍ରମୁଖ ଆରୋପ ଥିଲା ଯେ ସେ ପ୍ରତିବନ୍ଧିତ ଆଇଏସଆଇଏସ ସଙ୍ଗଠନର ସଦସ୍ୟଙ୍କ ସହ ମିଶି ଷଡଯନ୍ତ୍ର କରୁଥିଲା ଓ ସେଥିପାଇଁ ସେ ଏକ ବିସ୍ଫୋରକ ଯନ୍ତ୍ର ନିର୍ମାଣ ପାଇଁ ସାମଗ୍ରୀ ସଂଗ୍ରହ କରିଥିଲା । ପ୍ରମାଣ ସ୍ୱରୂପ ସରକାରୀ ଓକିଲଙ୍କ ତରଫରୁ ଅଭିଯୁକ୍ତଠାରୁ ଜବଦ ହୋଇଥିବା ଅବୁ ବକର ବାଗଦାଦୀ ପ୍ରତି ଆନୁଗତ୍ୟ ପ୍ରଦର୍ଶନର ଏକ ଶପଥ ପତ୍ର, ଆଇଇଡି ସହ ସୋଲଡର ହୋଇଥିବା ଏକ ସୁଇଚବୋର୍ଡ ଓ ଇସଲାମ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ଓ ତା’ର ପ୍ରତିଶୋଧ ନେବାର ଆବଶ୍ୟକତା ସମ୍ପର୍କରେ ହେଉଥିବା ବିଭିନ୍ନ ଆଲୋଚନାମାନଙ୍କରେ ଅଭିଯୁକ୍ତ ଅଂଶଗ୍ରହଣ କରିଥିବାର ସାକ୍ଷ୍ୟପ୍ରମାଣ ଉପସ୍ଥାପନ କରିଥିଲେ । ଆଲୋଚନା (ଡିସକସନ), ପକ୍ଷ ସମର୍ଥନ କରି ପ୍ରଚାର କରିବା (ଆଡଭୋକେସି) ଓ ଉସୁକାଇବା (ଇନସାଇଟମେଣ୍ଟ) ମଧ୍ୟରେ କେବଳ ତୃତୀୟଟି ଅପରାଧ ଶ୍ରେଣୀର ହୋଇଥିବା ବେଳେ ଅନ୍ୟ ଦୁଇଟି ନୁହେଁ । ଅଭିଯୁକ୍ତ ଆଲୋଚନାରେ ଅଂଶଗ୍ରହଣ କରିବା ଅପରାଧ ହୋଇ ନ ଥିବାରୁ କୋର୍ଟ ସେହି ଯୁକ୍ତିକୁ ଗ୍ରହଣ କରି ନ ଥିଲେ । ସେହିପରି କେବଳ ପୂରଣ ହୋଇ ନ ଥିବା ଶପଥ ପତ୍ର ମିଳିବା ଆପତ୍ତିଜନକ ନୁହେଁ । ଏଥି ସହ ସୁଇଚବୋର୍ଡ କୌଣସି ବିସ୍ଫୋରକ ଉପକରଣ ପ୍ରସ୍ତୁତିରେ ବ୍ୟବହାର ହେଉଥିବାର ପ୍ରାଥମିକ ଭାବେ ପ୍ରମାଣ ନ ଥିଲା । ଅଧିକନ୍ତୁ, ଇତିମଧ୍ୟରେ ଅଭିଯୁକ୍ତ 5 ବର୍ଷ ଜେଲରେ କଟାଇ ସାରିଥିବାରୁ ଓ ଦୀର୍ଘ ସାଢେ ଚାରି ବର୍ଷ ପରେ ଅଭିଯୋଗ ପତ୍ର ଦାଖଲ ହୋଇଥିବାରୁ ହାଇକୋର୍ଟ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବାକୁ କୁଣ୍ଠା ପ୍ରକାଶ କରି ନ ଥିଲେ ।
କେବଳ ଭାରତ ନୁହେଁ ବରଂ ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରିମକୋର୍ଟ ମଧ୍ୟ ‘କ୍ଲାରେନ୍ସ ବ୍ରାଣ୍ଡେନବର୍ଗ ବନାମ ଓହାଇଓ ରାଜ୍ୟ’ ମାମଲା (୧୯୬୯)ରେ ଅନୁରୂପ ରାୟ ପ୍ରଦାନ କରିଛନ୍ତି । ଓହାଇଓ ରାଜ୍ୟର ହାମିଲଟନ କାଉଣ୍ଟିଠାରେ ‘କୁ କ୍ଲକ୍ସ କ୍ଲାନ’ ନାମକ ଏକ ଗୋଷ୍ଠୀର ସଦସ୍ୟମାନଙ୍କୁ ଉଦବୋଧନ ଦେବା ଅବସରରେ କିପରି ସରକାରଙ୍କ ହାତରେ ‘ଶ୍ୱେତ କକେସୀୟ ଜାତି’ର ଲୋକଙ୍କ ଭାଗ୍ୟ ସୁରକ୍ଷିତ ନୁହେଁ, ସେ ସମ୍ପର୍କୀୟ ବ୍ରାଣ୍ଡେନବର୍ଗଙ୍କ ବକ୍ତବ୍ୟ ପାଇଁ ଓହାଇଓ ରାଜ୍ୟର ଆଇନ ଅନୁଯାୟୀ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ମାମଲାଟିରେ ସୁପ୍ରିମକୋର୍ଟ ତାଙ୍କ ସ୍ପଷ୍ଟ ମତ ଦେଇଥିଲେ ଯେ କେବଳ ରାଜନୈତିକ ବା ଶିଳ୍ପ କ୍ଷେତ୍ରରେ ପରିବର୍ତ୍ତନ ହାସଲ ଉଦ୍ଦେଶ୍ୟରେ ହିଂସାକୁ ଏକ ମାଧ୍ୟମ ରୂପେ ବ୍ୟବହାର କରାଯିବା ନୀତିଆଦର୍ଶର ପକ୍ଷ ସମର୍ଥନ (ଆଡଭୋକେସି) ବା ଶିକ୍ଷାଦାନ, ସେ ସଂକ୍ରାନ୍ତୀୟ ବହି ବା ଆଲେଖ୍ୟ ପ୍ରକାଶନ ବା ପ୍ରସାରଣ, ସ୍ୱତଃ ଅବୈଧ ନୁହେଁ । ଏହି ପକ୍ଷ ସମର୍ଥନ ବା ଶିକ୍ଷାଦାନ ଆସନ୍ନ ଅରାଜକତା ସୃଷ୍ଟି କରିବା ବା ସେଥିପାଇଁ ଉସୁକାଇବା ଉଦ୍ଦେଶ୍ୟରେ ନିର୍ଦ୍ଦେଶିତ ହୋଇଥିଲେ ଯାଇ ତାହା ଅପରାଧ ହୋଇଥାଏ । ଅନ୍ୟଥା ତାହା ଆମେରିକୀୟ ସମ୍ୱିଧାନର ବିଲ ଅଫ ରାଇଟସ୍ ସମ୍ପର୍କିତ ପ୍ରଥମ ଓ ଚତୁର୍ଦ୍ଦଶ ସମ୍ୱିଧାନ ସଂଶୋଧନର ବିରୋଧାଚରଣ କରିଥାଏ । ଭାରତୀୟ ସମ୍ୱିଧାନରେ ସନ୍ନିବେଶିତ ମୌଳିକ ଅଧିକାର ଆମେରିକୀୟ ସମ୍ୱିଧାନର ବିଲ ଅଫ ରାଇଟସ ସହ ତୁଳନୀୟ ହୋଇଥିବାରୁ ଏ ନେଇ ସେଠାକାର ସୁପ୍ରିମକୋର୍ଟଙ୍କ ମନ୍ତବ୍ୟର ମଧ୍ୟ ଭାରତ ପରିପ୍ରେକ୍ଷୀରେ ପ୍ରାସଙ୍ଗିକତା ରହିଛି ବୋଲି ଅରୂପ ଭୂୟାଁ ମାମଲାରେ ଭାରତର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।
ୟୁଏପିଏର ଧାରା ୪୩(ଡି)(୫)ର ପ୍ରାବଧାନ ଯୋଗୁଁ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ନ କରିବା ଲାଗି ଅଦାଲତ ଏକ ପ୍ରକାର ବାଧ୍ୟ ହୋଇଥାଆନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଜାମିନ ଆବେଦନର ବିଚାର ସମୟରେ ଅଦାଲତ ସାଧାରଣତଃ ଯେଉଁ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇଥାଆନ୍ତି ତାହା ହେଉଛି, ଦେଶର ସାର୍ବଭୌମତ୍ୱ ଓ ସଂହତିକୁ ରକ୍ଷା କରିବା ପାଇଁ ସଂସଦ ଦ୍ୱାରା ପ୍ରଣୀତ ଆତଙ୍କବାଦ ନିରୋଧ ଆଇନର ଅନୁପାଳନ ଓ ବ୍ୟକ୍ତି ସ୍ୱାଧୀନତାର ସାମ୍ୱିଧାନିକ ମୌଳିକ ଅଧିକାରର ସୁରକ୍ଷା, ଏ ଦୁଇଟି ମଧ୍ୟରେ କିପରି ସମନ୍ୱୟ ରକ୍ଷା କରା ଯାଇପାରିବ । ତେବେ ୟୁଏପିଏ କାର୍ଯ୍ୟକାରୀ କଲା ବେଳେ ଏହାର ଦୁରୁପଯୋଗରେ ବ୍ୟକ୍ତି ସ୍ୱାଧୀନତା ବଳି ପଡୁଥିବାର ପରିଲକ୍ଷିତ ହେଉଛି । ଏ ଭଳି ମାମଲାଗୁଡିକରେ ଜାମିନ ମିଳିବା ଏକ ପ୍ରକାର ଅସମ୍ଭବ ହୋଇଥିଲା ବେଳେ ବ୍ୟକ୍ତି ସ୍ୱାଧୀନତାକୁ ସୁରକ୍ଷିତ ରଖିବା ପାଇଁ ଉପରୋକ୍ତ ଦ୍ୱନ୍ଦ୍ୱର ଊର୍ଦ୍ଧ୍ୱକୁ ଯାଇ ଥ୍ୱାହା ଫଜଲ ମାମଲାରେ ସୁପ୍ରିମକୋର୍ଟ, ଅସିଫ ଇକବାଲ ତନହା ମାମଲାରେ ଦିଲ୍ଲୀ ହାଇକୋର୍ଟ ଓ ଇକବାଲ ଅହମଦ କବିର ଅହମଦ ମାମଲାରେ ବମ୍ୱେ ହାଇକୋର୍ଟ ଯେଉଁ ଭଳି ବ୍ୟାଖ୍ୟାତ୍ମକ ଦୃଷ୍ଟିକୋଣ ଅବଲମ୍ୱନ କରି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି, ତାହା ବାସ୍ତବିକ ଜାମିନ ନ ପାଇ ବର୍ଷ ବର୍ଷ ଧରି ଜେଲରେ କାଳାତିପାତ କରୁଥିବା ଅନେକଙ୍କ ପାଇଁ ନୂତନ ଆଶାର ସଞ୍ଚାର କରିଛି । ବାଦୀ ଓକିଲଙ୍କ ପକ୍ଷରୁ ମାମଲାଟି ‘ଗମ୍ଭୀର’ ବୋଲି ଦର୍ଶାଇ ଅଦାଲତଙ୍କୁ ପ୍ରଭାବିତ କରି ଅଭିଯୁକ୍ତଙ୍କ ଜାମିନ ମିଳିବାର ବାଟ ଓଗାଳିବାର ଅପଚେଷ୍ଟା କରାଯାଇଥାଏ । ପି ଚିଦାମ୍ୱରମ ମାମଲାରେ ‘ଗମ୍ଭୀର’ ମାମଲାର ବ୍ୟାଖ୍ୟା କରିବାକୁ ଯାଇ ସୁପ୍ରିମକୋର୍ଟ ଦେଇଥିବା ଟିପ୍ପଣୀରେ ଉଲ୍ଲେଖ ଅଛି ଯେ ମାମଲାଟି ଅତି ‘ଗମ୍ଭୀର’ ବୋଲି ଆଳ ଦେଖାଇ ଅଭିଯୁକ୍ତକୁ ବିଚାର ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଜେଲରେ ଅଟକାଇ ରଖି ହେବନାହିଁ । ଉପରୋକ୍ତ ରାୟଗୁଡିକରେ ଜାମିନ ପ୍ରଦାନ ବେଳେ ଆଇନର ବ୍ୟାଖ୍ୟା ପୂର୍ବକ ଯେଉଁ ମାନବୀୟ ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି ଏକା ଭଳି ସ୍ଥିତିରେ ଥାଇ ଜାମିନ ଅପେକ୍ଷାରେ ଥିବା ଅଭିଯୁକ୍ତଙ୍କ କ୍ଷେତ୍ରରେ ଅଦାଲତଗୁଡିକ ସେହିଭଳି ଦୃଷ୍ଟିଭଙ୍ଗୀ ଗ୍ରହଣ କଲେ ବିଚାର ନ ହୋଇ ବର୍ଷ ବର୍ଷ ଧରି ଜେଲ ଭିତରେ ସଢୁଥିବା ହଜାର ହଜାର ୟୁଏପିଏ ଅଭିଯୁକ୍ତ ମୁକ୍ତିର ଆଲୋକ ଦେଖିପାରନ୍ତେ । ଅବଶ୍ୟ ଜାମିନ ଦେଲାବେଳେ ଅଭିଯୁକ୍ତକୁ ନେଇ ପ୍ରମାଣ ନଷ୍ଟ କରିବା, ସାକ୍ଷୀଙ୍କୁ ପ୍ରଭାବିତ କରିବା ଓ ଫେରାର ହେବା ଭଳି ଯେଉଁ ତିନିଟି ମୁଖ୍ୟ ଉଦବେଗ ଥାଏ, ତାକୁ ବିଚାରକୁ ନେଇ ପ୍ରୟୋଜନୀୟ ସର୍ତ୍ତଗୁଡିକୁ କଡାକଡି ଭାବେ ଲାଗୁ କରାଯାଇପାରିବ । ଗୋଟିଏ ବର୍ଷରେ ଲାଗ ଲାଗ ତିନିଟି ମାମଲାରେ ୟୁଏପିଏ ଅଭିଯୁକ୍ତଙ୍କୁ ଜାମିନ ମିଳିବାରେ ସୁପ୍ରିମକୋର୍ଟ ଓ ଦୁଇଟି ହାଇକୋର୍ଟ ଯେଉଁ ଭୂମିକା ନିର୍ବାହ କରିଛନ୍ତି ସେଥିରୁ ଆଶାର ସଞ୍ଚାର ହେଉଛି ଯେ ଆଗାମୀ ଦିନରେ ଜାମିନ ଅପେକ୍ଷାରେ ଥିବା କୌଣସି ଅଭିଯୁକ୍ତ ଅନ୍ତତଃ ଜେଲରେ ଥାଇ ଆଉ ଷ୍ଟାନ ସ୍ୱାମୀଙ୍କ ପରି ମୃତ୍ୟୁବରଣ କରିବେ ନାହିଁ ।
Published in December 1-15, 2021 issue of Samadrusti
Comments
Post a Comment