Skip to main content

ପ୍ରତ୍ୟକ୍ଷ ବିଦେଶୀ ନିବେଶ ଓ ‘ମରିସସ୍ ବାଟ’

ଭାରତ ୨୦୨୦-୨୧ ଆର୍ଥିକ ବର୍ଷରେ ୮୧୭୨ କୋଟି ଡଲାରର ରେକର୍ଡ ପରିମାଣର ପ୍ରତ୍ୟକ୍ଷ ବିଦେଶୀ ନିବେଶ ବା ଫରେନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ (ଏଫଡିଆଇ) ଆକୃଷ୍ଟ କରି ପାରିଛି, ଯାହା ପୂର୍ବ ବର୍ଷର ଏଫଡିଆଇ ପ୍ରବାହ ୭୪୩୯ କୋଟି ଡଲାର ତୁଳନାରେ ପ୍ରାୟ ୧୦ ପ୍ରତିଶତ ଅଧିକ । ତନ୍ମଧ୍ୟରୁ ଅଂଶଧନ (ଇକ୍ୱିଟି) ଆକାରରେ ଆସିଥିବା ଏଫଡିଆଇର ପରିମାଣ ୫୯୬୪ କୋଟି ଡଲାର, ଯାହା ପୂର୍ବ ବର୍ଷର ୪୯୯୮ କୋଟି ଡଲାର ତୁଳନାରେ ପ୍ରାୟ ୧୯ ପ୍ରତିଶତ ଅଧିକ ହୋଇ ପ୍ରଫୁଲ୍ଲତାର କାରଣ ପାଲଟିଛି । ଯେ କୌଣସି ବିକାଶଶୀଳ ଦେଶର ନୀତି ନିର୍ଦ୍ଧାରକଙ୍କ ପାଇଁ ଏଫଡିଆଇ ଅଧିକ ଆକର୍ଷକ ହୋଇଥାଏ, କାରଣ ତାହା ବିଦେଶୀ ଋଣ ହୋଇ ନ ଥିବାରୁ ଏଫଡିଆଇ ପ୍ରବାହ ଅଧିକ ହେଲେ ଅର୍ଥନୀତି ପ୍ରାଣବନ୍ତ ହେବା ଆଶା କରାଯାଏ । ତେବେ ଭାରତକୁ ଆସୁଥିବା ଏଫଡିଆଇର ଚରିତ୍ରକୁ ଅନୁଶୀଳନ କଲେ ସେଥିରେ ଉଭୟ ପ୍ରଫୁଲ୍ଲିତ ଓ ଆଶଙ୍କିତ ହେବାର ଲକ୍ଷଣ ଦେଖା ଦେଇପାରେ ।

ସଂଯୁକ୍ତ ରାଷ୍ଟ୍ର ବ୍ୟାପାର ଓ ବିକାଶ ସମ୍ମିଳନୀ (ଅଙ୍କଟାଡ) ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଏହି କୋଭିଡ କାଳରେ ଆମେରିକା, ସିଙ୍ଗାପୁର, ବ୍ରାଜିଲ, କାନାଡା, ୟୁଏଇ ଭଳି ଉନ୍ନତ ଦେଶଙ୍କର ଏଫଡିଆଇ ପ୍ରବାହ ହ୍ରାସ ପାଇଥିବା ବେଳେ ଭାରତର ଏଫଡିଆଇ ପୂର୍ବ ବର୍ଷ ତୁଳନାରେ ୧୦ ପ୍ରତିଶତ ଅଧିକ ହେବା ବାସ୍ତବିକ ଉତ୍ସାହପ୍ରଦ । ଏ ବର୍ଷ ଭାରତକୁ ଆସିଥିବା ଏଫଡିଆଇ ମଧ୍ୟରୁ ଏଫଆଇପିବି, ଆରବିଆଇ ଓ ଅଧିଗ୍ରହଣ ମାଧ୍ୟମରେ ଅଂଶଧନ ଆକାରରେ ୫୯୬୪ କୋଟି ଡଲାର ଆସିଥିବା ବେଳେ ଅନିୟମିତ କ୍ଷେତ୍ରରେ ଅଂଶଧନ ଆକାରରେ ୧୭୯ କୋଟି ଡଲାର ଆସିଛି । ବିଗତ ବର୍ଷମାନଙ୍କରେ ଏଫଡିଆଇ ବିନିଯୋଗରୁ ହୋଇଥିବା ଆୟ, ଯାହା ସମ୍ପୃକ୍ତ ଦେଶଗୁଡିକୁ ବିଦେଶୀ ପୁଞ୍ଜି ଆକାରରେ ଚାଲି ଯାଇଥାଆନ୍ତା, ତନ୍ମଧ୍ୟରୁ ୧୬୨୧ କୋଟି ଡଲାର ପୁନର୍ବିନିଯୋଗ ହୋଇଛି । ଅନ୍ୟାନ୍ୟ ପୁଞ୍ଜି ବାବଦରେ ୪୦୮ କୋଟି ଡଲାର ଆସିଛି । ବିଦେଶୀ ପୁଞ୍ଜି ଆକର୍ଷଣ କରିବା ପାଇଁ ପ୍ରତିରକ୍ଷା, ସାର୍ବଜନିକ ଉଦ୍ୟୋଗ, ତୈଳ ବିଶୋଧନ, ଟେଲିକମ, ଶକ୍ତି, ବୀମା, ଆଦି ବିଭିନ୍ନ କ୍ଷେତ୍ରରେ ଏଫଡିଆଇର ସର୍ବୋଚ୍ଚ ସୀମାକୁ କୋହଳ କରାଯାଇଛି । ସରକାରଙ୍କ ଦ୍ୱାରା ଘୋଷିତ ଏହି ବଳିଷ୍ଠ ଏଫଡିଆଇ ନୀତି ଓ ତା’ର ସଫଳ ରୂପାୟନ ପାଇଁ ଗ୍ରହଣ କରା ଯାଇଥିବା ବିଭିନ୍ନ ନିବେଶକ ଅନୁକୂଳ ପଦକ୍ଷେପ ହିଁ ଏହି ଏଫଡିଆଇ ପ୍ରବାହ ବୃଦ୍ଧିର କାରଣ ବୋଲି ସରକାରଙ୍କ ତରଫରୁ କୁହାଯାଉଛି, ଯାହା କେତେକାଂଶରେ ଠିକ୍ । ତେବେ ଭାରତରେ ବ୍ୟବସାୟ କରିବାରେ ସୁଗମତା, ଅର୍ଥନୀତି ଅଧିକ ଡିଜିଟାଇଜ ହେବା, ଷ୍ଟାର୍ଟ ଅପଗୁଡିକ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବା ଏଫଡିଆଇ ପ୍ରବାହକୁ ଗତି ପ୍ରଦାନ କରିଛି । ଏ ବର୍ଷ ଅଂଶଧନ ଆକାରରେ ସର୍ବାଧିକ ଏଫଡିଆଇ ସିଙ୍ଗାପୁର (୨୯%)ରୁ ଆସିଥିବା ବେଳେ ତା’ ପଛକୁ ଆମେରିକା (୨୩%), ମରିସସ୍ (୯%), ୟୁଏଇ (୭%), ନେଦରଲାଣ୍ଡସ (୫%), କେମ୍ୟାନ ଦ୍ୱୀପପୁଞ୍ଜ (୫%), ବ୍ରିଟେନ (୩%), ଜାପାନ (୩%), ଜର୍ମାନୀ (୧%) ରହିଛନ୍ତି । କମ୍ପ୍ୟୁଟର ସଫ୍ଟୱେଆର ଓ ହାର୍ଡୱେଆର କ୍ଷେତ୍ର ସର୍ବାଧିକ ୪୪ ପ୍ରତିଶତ ପୁଞ୍ଜି ଆକର୍ଷିତ କରି ପାରିଥିଲା ବେଳେ ତା’ ପଛକୁ ନିର୍ମାଣ (ଭିତ୍ତିଭୂମି) ଓ ସେବା କ୍ଷେତ୍ର ରହିଛି । ଭାରତରେ ହୋଇଥିବା ପ୍ରମୁଖ ଏଫଡିଆଇ ନିବେଶ ମଧ୍ୟରେ ରହିଛି ଯାଦୁ (ଫେସବୁକର ସହାୟକ କମ୍ପାନୀ) ଦ୍ୱାରା ୫୭୦ କୋଟି ଡଲାରରେ ଜିଓ ପ୍ଲାଟଫର୍ମର ଅଧିଗ୍ରହଣ, ବ୍ରୁକଫିଲ୍ଡ (କାନାଡା) ଓ ଜିଆଇସି(ସିଙ୍ଗାପୁର) ଦ୍ୱାରା ୩୭୦ କୋଟି ଡଲାରରେ ଟାୱାର ଇନଫ୍ରାଷ୍ଟ୍ରକଚର ଟ୍ରଷ୍ଟର ଅଧିଗ୍ରହଣ, ଲାର୍ସନ ଟୁବ୍ରୋ ଇଣ୍ଡିଆର ବୈଦ୍ୟୁତିକ ଓ ଅଟୋମେସନ ଡିଭିଜନକୁ ୨୧୦ କୋଟି ଡଲାରରେ କ୍ରୟ ଆଦି । ଏଥିରୁ ସ୍ପଷ୍ଟ ଯେ ବଡ ବଡ ବିଦେଶୀ ନିବେଶ ବିଦ୍ୟମାନ ଉପକ୍ରମ ବା କମ୍ପାନୀକୁ ଅଧିଗ୍ରହଣ ବା କ୍ରୟ କରିବାରେ ବ୍ୟବହୃତ ହୋଇଛି । ଅବଶ୍ୟ ନୂଆ ଉଦ୍ୟୋଗ ପ୍ରତିଷ୍ଠାରେ ବି ଏହି ଏଫଡିଆଇର ବିନିଯୋଗ ହୋଇଛି । 

ଅପ୍ରେଲ ୨୦୦୦ରୁ ମାର୍ଚ୍ଚ ୨୦୨୧, ଅର୍ଥାତ୍ ଗତ ୨୧ ବର୍ଷ, ମଧ୍ୟରେ ଭାରତକୁ ସମୁଦାୟ ପ୍ରାୟ ୫.୩୦ ଲକ୍ଷ କୋଟି ଡଲାର ଏଫଡିଆଇ ଅଂଶଧନ (ଇକ୍ୱିଟି) ଆକାରରେ ଆସିଛି । ଏଥି ମଧ୍ୟରୁ ସର୍ବାଧିକ ପରିମାଣର ଏଫଡିଆଇ ଆସିଥିବା ଯେଉଁ ୧୦ଟି ଦେଶରୁ ୮୬ ପ୍ରତିଶତ ରାଶି ମିଳିଛି, ସେଗୁଡିକ ହେଲା ମରିସସ୍ (୨୮%), ସିଙ୍ଗାପୁର (୨୨%), ଆମେରିକା (୮%), ନେଦରଲାଣ୍ଡସ (୭%), ଜାପାନ (୭%), ବ୍ରିଟେନ (୬%), ଜର୍ମାନୀ (୨%), ୟୁଏଇ (୨%), ସାଇପ୍ରସ (୨%), କେମ୍ୟାନ ଦ୍ୱୀପପୁଞ୍ଜ (୨%) । ଅର୍ଥାତ୍ ଭାରତକୁ ଆସିଥିବା ସିଂହଭାଗର ଏଫଡିଆଇ ବଡ ଦେଶମାନଙ୍କରୁ ନ ଆସି ମରିସସ୍, ସିଙ୍ଗାପୁର, ନେଦରଲାଣ୍ଡସ, ସାଇପ୍ରସ, କେମ୍ୟାନ ଦ୍ୱୀପପୁଞ୍ଜ ଭଳି ଯଥେଷ୍ଟ କ୍ଷୁଦ୍ର ଦେଶମାନଙ୍କରୁ ଆସିବାର ଅର୍ଥ କ’ଣ ହୋଇପାରେ ତାହା ବୁଝିବାର ଆବଶ୍ୟକତା ରହିଛି ।

ଏଣିକି ପୁଞ୍ଜି ଆଉ କେଉଁ ନିର୍ଦ୍ଦିଷ୍ଟ ଦେଶରେ ସୀମାବଦ୍ଧ ହୋଇ ରହୁନାହିଁ । ଅନ୍ତର୍ଜାତୀୟ ନିବେଶକମାନେ ଯେଉଁଠାରେ ଅଧିକ ଆୟର ସାମାନ୍ୟତମ ସୁଯୋଗ ଦେଖନ୍ତି, ସେଠାକୁ ତୁରନ୍ତ ପୁଞ୍ଜି ନେଇଯାଆନ୍ତି ଓ ସେଠାରେ ପ୍ରତିକୂଳ ପରିସ୍ଥିତି ଉତ୍ପନ୍ନ ହେବାର ଆଭାସ ମିଳିଲେ ତୁରନ୍ତ ପୁଞ୍ଜି ପ୍ରତ୍ୟାହାର କରିବାରେ କୌଣସି ଅବହେଳା କରନ୍ତି ନାହିଁ । ତେଣୁ ଅଧିକ ଲାଭ ଆଶାରେ କିଛି ନିବେଶକ ଟିକସ ହାରକୁ ଦୃଷ୍ଟିରେ ରଖି ନିବେଶର ସୁଯୋଗ ଖୋଜୁଥିବାରୁ ବେଳେବେଳେ ଏପରି ନିବେଶ କରିଥାଆନ୍ତି, ଯାହା ଅବୈଧ ନ ହେଲେ ବି ଅନୈତିକ ହୋଇଥାଏ । ‘କ’ ନାମକ ଦେଶରୁ ବିଦେଶୀ ପୁଞ୍ଜି ଆସି ‘ଖ’ ନାମକ ଦେଶରେ ସିଧାସଳଖ ନିବେଶ ହେଲେ ତାହା ସ୍ୱାଭାବିକ ଭାବେ ଏଫଡିଆଇ ହୋଇଥାଏ । ତେବେ ସେହି ଏଫଡିଆଇ ଅନ୍ୟ ଦୁଇ ପ୍ରକାରେ ବି ଆସିପାରେ । ବିଭିନ୍ନ ଦେଶ ନିର୍ଦ୍ଦିଷ୍ଟ କିଛି ଦେଶ ସହ ଟିକସ ଚୁକ୍ତି କରିଥାଆନ୍ତି, ଯଦନୁସାରେ ସେହି ଦେଶରୁ ହୋଇଥିବା ନିବେଶ ଉପରେ ନିବେଶକଙ୍କୁ କମ ଟିକସ ଦେବାକୁ ପଡିଥାଏ ବା ଆଦୌ ଟିକସ ଦେବାକୁ  ପଡି ନ ଥାଏ । ସେହିପରି ‘ଖ’ ଓ ‘ଗ’ ଦେଶ ମଧ୍ୟରେ ଚୁକ୍ତି ହୋଇଥିଲେ ସେହି ଚୁକ୍ତିଜନିତ ଟିକସ ଲାଭ ପାଇବା ପାଇଁ ‘କ’ ଦେଶର ନିବେଶକ ‘ଗ’ ଦେଶରେ ଶେଲ୍ କମ୍ପାନୀ ଖୋଲି ତା’ ମାଧ୍ୟମରେ ‘ଖ’ ଦେଶରେ ପୁଞ୍ଜି ନିବେଶ କରି ପାରିଥାଆନ୍ତି । ଏହି ଧରଣର ଏଫଡିଆଇ ପ୍ରବାହକୁ ‘ଟ୍ରିଟି ସପିଂ’ କୁହାଯାଇଥାଏ । ଅନ୍ୟ ପକ୍ଷରେ ‘ଖ’ ଦେଶର କିଛି ଘରୋଇ ନିବେଶକ ଟିକସ ସୁବିଧା ପାଇବା ପାଇଁ ସ୍ୱଦେଶରୁ ନିଜ ପାଣ୍ଠିକୁ ଚୁକ୍ତି ଥିବା ‘ଗ’ ଦେଶକୁ ନେଇ ସେଠାରେ ଶେଲ୍ କମ୍ପାନୀ ଖୋଲନ୍ତି । ତଦ୍ଦ୍ୱାରା ଆଇନତଃ ତାହା ‘ଗ’ ଦେଶର କମ୍ପାନୀ ରୂପେ ପରିଗଣିତ ହୋଇ କର ରିହାତି ପାଇବାକୁ ଯୋଗ୍ୟ ହୋଇଥାଏ । ଶେଲ୍ କମ୍ପାନୀ ଜରିଆରେ ସେହି ଟଙ୍କା ପୁଣି ସ୍ୱଦେଶକୁ ଫେରି ଆସେ ଏଫଡିଆଇର ଛଦ୍ମ ରୂପ ନେଇ । ‘ଖ’ ଦେଶରୁ ଟଙ୍କା ଯାଇ ତାହା ‘ଗ’ ଦେଶ ମାଧ୍ୟମରେ ପୁଣି ‘ଖ’ ଦେଶକୁ ଫେରି ଆସୁଥିବାରୁ ଏହି ଧରଣର ଏଫଡିଆଇ ପ୍ରବାହକୁ ‘ରାଉଣ୍ଡ ଟ୍ରିପିଂ’ କୁହାଯାଇଥାଏ । ପ୍ରକୃତ ଅର୍ଥରେ ତାହା ଏଫଡିଆଇ ହୋଇ ନ ଥିଲେ ବି ଏଫଡିଆଇ ରୂପେ ଗଣା ଯାଇଥାଏ । ଉଭୟ ‘ଟ୍ରିଟି ସପିଂ’ ଓ ‘ରାଉଣ୍ଡ ଟ୍ରିପିଂ’ ମାଧ୍ୟମରେ ଆସୁଥିବା ଏଫଡିଆଇ ଅନୈତିକ ହୋଇଥିଲେ ବି ଅବୈଧ ନୁହେଁ । ନୂଆଦିଲ୍ଲୀସ୍ଥିତ ସେଣ୍ଟର ଫର ବଜେଟ ଆଣ୍ଡ ଗଭର୍ଣ୍ଣାନ୍ସ ଆକାଉଣ୍ନାଟେବିଲିଟି (ସିବିଜିଏ) ଦ୍ୱାରା ଭାରତକୁ ୨୦୦୪ରୁ ୨୦୧୪ ମଧ୍ୟରେ ଆସିଥିବା ଏଫଡିଆଇର ଉତ୍ସ ଦେଶ ଓ ତାହା ଆଧିକାରିକ ଭାବେ କେଉଁ ଦେଶରୁ ଆସିଛି ବୋଲି ଦର୍ଶାଯାଇଛି, ତାହା ଜାଣିବା ପାଇଁ ହୋଇଥିବା ଏକ ଅଧ୍ୟୟନରୁ ଜଣା ପଡିଥିଲା ଯେ ମରିସସ, ସିଙ୍ଗାପୁର ଓ ସାଇପ୍ରସ ଭଳି ତିନିଟି ଦେଶରୁ ଆସିଥିବା ଏଫଡିଆଇର ୯୦ ପ୍ରତିଶତରୁ ଅଧିକ ଅନ୍ୟ ଦେଶର ପୁଞ୍ଜି, ଯାହା ସେହି ଦେଶ ଦେଇ ଭାରତକୁ ଆସିଥିଲା । ୮୫ଟି ଦେଶ ସହ ଭାରତ ଦୋହରା କର ପରିହାର ଚୁକ୍ତି (ଡବଲ ଟ୍ୟାକ୍ସେସନ ଆଭଏଡାନ୍ସ ଆଗ୍ରିମେଣ୍ଟ - ଡିଟିଏଏ) ସ୍ୱାକ୍ଷର କରିଥିଲେ ବି ମରିସସ, ସିଙ୍ଗାପୁର, ସାଇପ୍ରସରେ ପୁଞ୍ଜି ଲାଭ(କ୍ୟାପିଟାଲ ଗେନ) ଉପରେ ବସ୍ତୁତଃ କୌଣସି କର ଦେବାକୁ ପଡୁ ନ ଥିବାରୁ ସେହି ଦେଶଗୁଡିକ ମାଧ୍ୟମରେ ଏଫଡିଆଇ ଭାରତରେ ପ୍ରବେଶ କରୁଥିଲା । ତେଣୁ ଅସାଧୁ ନିବେଶକଙ୍କ ପାଇଁ ମରିସସ୍ ‘ଟିକସ ସ୍ୱର୍ଗ’ରେ ପରିଣତ ହେଲା ଓ ଏହି ଧରଣର ଏଫଡିଆଇ ପ୍ରବାହକୁ ‘ମରିସସ୍ ବାଟ’ ଭାବେ ନାମିତ କରାଗଲା । ୨୦୧୬ରେ ଭାରତ ଉପରୋକ୍ତ ତିନିଟି ଦେଶ ସହ ସଂଶୋଧିତ ଡିଟିଏଏ ସ୍ୱାକ୍ଷର କରିବା ପରେ ଚୁକ୍ତିର ସର୍ତ୍ତ ଅନୁଯାୟୀ ୨୦୧୮-୧୯ ଆର୍ଥିକ ବର୍ଷ ପରେ ସେମାନଙ୍କ ପ୍ରତି ପ୍ରଯୁଜ୍ୟ ପସନ୍ଦଯୋଗ୍ୟ କର ସର୍ତ୍ତ ପ୍ରତ୍ୟାହୃତ ହେଲା । ଫଳରେ ସେହି ଦେଶଗୁଡିକ ମାଧ୍ୟମରେ ଏଫଡିଆଇ ନିବେଶ ଆଉ ସେତେ ବେଶି ଆକର୍ଷଣୀୟ  ହୋଇ ରହିଲା ନାହିଁ । ଏହାର ପ୍ରଭାବରେ ମରିସସ୍ ଦେଇ ଏଫଡିଆଇ ପ୍ରବାହ ହ୍ରାସ ପାଇଲା । ସାଇପ୍ରସ ଦେଇ ଏଫଡିଆଇ ଆସିବା ଯଥେଷ୍ଟ କମି ଯାଇଥିଲେ ବି ଭିନ୍ନ କାରଣରୁ ସିଙ୍ଗାପୁର ଦେଇ ଆସୁଥିବା ଏଫଡିଆଇ ପରିମାଣରେ ବୃଦ୍ଧି ଘଟିଛି । ଏବେ ଅସାଧୁ ନିବେଶକମାନେ ଭାରତ ସହ ଡିଟିଏଏରେ ଅନୁବନ୍ଧିତ ନେଦରଲାଣ୍ଡସ, ସ୍ପେନ, ଫ୍ରାନ୍ସ ପରି ଅନ୍ୟ କେତେକ ଦେଶକୁ ‘ଟ୍ରିଟି ସପିଂ’ ଓ ‘ରାଉଣ୍ଡ ଟ୍ରିପିଂ’ର ନୂଆ ଗନ୍ତବ୍ୟସ୍ଥଳୀ ରୂପେ ବ୍ୟବହାର କରିବାକୁ ଲାଗିଲେଣି । ଫଳରେ ନେଦରଲାଣ୍ଡସରୁ ଏଫଡିଆଇ ପ୍ରବାହ ବୃଦ୍ଧି ପାଇଛି । ‘ଟ୍ରିଟି ସପିଂ’ ଓ ‘ରାଉଣ୍ଡ ଟ୍ରିପିଂ’କୁ ପ୍ରତିହତ କରାଯାଇ ନ ପାରିଲେ ଭାରତ ବିପୁଳ ପରିମାଣରେ କର ରାଜସ୍ୱ ହରାଇ ଚାଲିଥିବ । ଏ ଭଳି ସ୍ଥିତିରେ ଭାରତକୁ ଆସିଥିବା ଏଫଡିଆଇରୁ କେତେ ପରିମାଣର ରାଶି ଅସଲି ଏଫଡିଆଇ ଓ କେତେ ପରିମାଣ ଭାରତୀୟ ନିବେଶକଙ୍କ ପୁଞ୍ଜି, ଯାହା ‘ରାଉଣ୍ଡ ଟ୍ରିପିଂ’ ଜରିଆରେ ଏଫଡିଆଇ ରୂପରେ ଦେଶକୁ ପ୍ରବେଶ କରୁଛି, ତାହା ଜାଣିବା ମଧ୍ୟ ନିହାତି ଆବଶ୍ୟକ । ଏଫଡିଆଇର ଉତ୍ସକୁ ଅନୁଧ୍ୟାନ କରି ଅସାଧୁ ନିବେଶକଙ୍କ ଅନୁକୂଳ ହେଉଥିବା ଗଳା ବାଟଗୁଡିକୁ ବନ୍ଦ କରିବା ଲାଗି ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ କରାଯିବା ଦରକାର । ଆବଶ୍ୟକ ସ୍ଥଳେ ଡିଟିଏଏ ଅନୁବନ୍ଧିତ ଦେଶମାନଙ୍କ ସହ ଚୁକ୍ତିରେ ସଂଶୋଧନ କରିବାକୁ ତତ୍ପରତା ପ୍ରକାଶ ପାଇବା ଉଚିତ ।

ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ନିର୍ଦ୍ଦିଷ୍ଟ କେତୋଟି ରାଜ୍ୟରେ ଏଫଡିଆଇ କେନ୍ଦ୍ରିତ ହେଉଥିବାରୁ ଅନ୍ୟ ରାଜ୍ୟ ଓ ଅଞ୍ଚଳଗୁଡିକ ବିଦେଶୀ ପୁଞ୍ଜି ନିବେଶଜନିତ ବିକାଶର ଲାଭ ପାଇ ପାରୁନାହାନ୍ତି, ଯାହା ଆଞ୍ଚଳିକ ବୈଷମ୍ୟକୁ ଉତ୍କଟ କରୁଛି । ଏ ବର୍ଷ ଅଂଶଧନ ଆକାରରେ ଆସିଥିବା ଏଫଡିଆଇର ୯୭ ପ୍ରତିଶତ ଯେଉଁ ୧୦ଟି ରାଜ୍ୟରେ ନିବେଶ ହୋଇଛି ସେଗୁଡିକ ହେଲା ଗୁଜରାଟ (୩୦%), ମହାରାଷ୍ଟ୍ର (୨୮%), କର୍ଣ୍ଣାଟକ (୧୪%), ଦିଲ୍ଲୀ (୧୧%), ତାମିଲନାଡୁ (୪%), ଝାରଖଣ୍ଡ (୩%), ହରିଆଣା (୩%), ତେଲେଙ୍ଗାନା (୨%), ପଞ୍ଜାବ (୧%), ଉତ୍ତର ପ୍ରଦେଶ (୧%) । କେବଳ ଝାରଖଣ୍ଡ ରାଜ୍ୟକୁ ବାଦ ଦେଲେ ସମଗ୍ର ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ଆଖିଦୃଶିଆ ଏଫଡିଆଇ ନିବେଶ ହୋଇନାହିଁ । ଓଡିଶାକୁ ଅଧା ପ୍ରତିଶତ ଏଫଡିଆଇ ବି ଆସୁ ନ ଥିବାରୁ ପ୍ରମୁଖ ରାଜ୍ୟଗୁଡିକ ତୁଳନାରେ ଏହାର ପ୍ରଦର୍ଶନ ନୈରାଶ୍ୟଜନକ । ତେଣୁ ରାଜ୍ୟକୁ ଏଫଡିଆଇ ନିବେଶର ଏକ ଆକର୍ଷଣୀୟ ଲକ୍ଷ୍ୟସ୍ଥଳୀରେ ପରିଣତ କରିବାକୁ ଗୁରୁତ୍ୱ ପ୍ରଦାନ କରି ଉଚିତ ପଦକ୍ଷେପ ନେବାକୁ ହେବ ।    

ଭାରତରେ ଏକ ବିଶାଳ ବଜାର, ପ୍ରାଣବନ୍ତ ଗଣତାନ୍ତ୍ରିକ ବ୍ୟବସ୍ଥା, ଦ୍ରୁତ ସହରୀକରଣ, ଗ୍ରାମାଞ୍ଚଳ ଲୋକଙ୍କ ଆୟ ଓ ଖର୍ଚ୍ଚ ସ୍ତରରେ ବୃଦ୍ଧି ଆଦି ନିବେଶକ ଅନୁକୂଳ ପରିବେଶ ଥିବାରୁ ସ୍ୱାଭାବିକ ଭାବେ ଏହା ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିଥାଏ । ତେବେ କୋଭିଡର ସଫଳ ମୁକାବିଲା କରି ଭାରତ କେତେ ଶୀଘ୍ର ତା’ର ଅର୍ଥନୀତିରେ ସ୍ଥିରତା ଆଣି ପାରୁଛି, ତା’ ଉପରେ ଅନ୍ତର୍ଜାତୀୟ ନିବେଶକଙ୍କ ଦୃଷ୍ଟି ନିବଦ୍ଧ ରହିଛି । ଇତିମଧ୍ୟରେ ଫୋର୍ଡ ମୋଟର କମ୍ପାନୀ ଭଳି ଏକ ନାମୀ ବିଦେଶୀ କମ୍ପାନୀ କ୍ଷତି ହେଉଥିବା ଦର୍ଶାଇ ଭାରତ ଛାଡି ଯିବା ନିଷ୍ପତ୍ତି ଘୋଷଣା କରିବା ଏଫଡିଆଇ ପ୍ରବାହ ବୃଦ୍ଧି ପାଇଁ ଆଦୌ ଶୁଭ ସଙ୍କେତ ନୁହେଁ । କେନ୍ଦ୍ର ସରକାର ଏଫଡିଆଇ ନୀତିକୁ ଏପରି ସଂଶୋଧନ କରିବା ଆବଶ୍ୟକ ଯଦ୍ଦ୍ୱାରା ଏଫଡିଆଇ ପ୍ରବାହ ନିର୍ଦ୍ଦିଷ୍ଟ କେତୋଟି ରାଜ୍ୟରେ କେନ୍ଦ୍ରିତ ନ ହୋଇ ସବୁ ରାଜ୍ୟକୁ ହେବ । ଏଫଡିଆଇ ପୁଞ୍ଜି କମ୍ପାନୀ ବା ଉପକ୍ରମ ଅଧିଗ୍ରହଣରେ ବିନିଯୋଗ ହେବା ଅପେକ୍ଷା ନୂଆ ଉଦ୍ୟୋଗ ବା ଉପକ୍ରମ ପ୍ରତିଷ୍ଠାରେ ଅଧିକ ବିନିଯୋଗ ହେଲେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ଭାରତର ଅର୍ଥନୀତିକୁ ଗତିଶୀଳ କରିବାରେ ସହାୟକ ହୁଅନ୍ତା ।


Published in Sambad on December 14, 2021 

 

Comments

  1. Excellent description in your all posts. Thanks Saral Das Babu. Keep it up, we are fully endorse these posts. But, a request to take up the Housing / Affordable Housing Scheme in Bhubaneswar by the Government (GoO & GoI) which will be very beneficial to the Middle and Lower Middle Class.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍