ଗଣତନ୍ତ୍ରରେ ଜନାଦେଶ ହିଁ ସର୍ବୋପରି । ତେବେ ସବୁ ସମୟରେ ଜନାଦେଶ ପାଇଥିବା ଗୋଟିଏ ଦଳ ବା ମେଣ୍ଟ ପ୍ରତି ଯେ ଜନ ସମର୍ଥନ ରହିଛି ତାହା ଜୋର ଦେଇ କହି ହେବ ନାହିଁ । ବିହାର ବିଧାନସଭା ନିର୍ବାଚନ ଫଳାଫଳରୁ ଅନ୍ତତଃ ଜନାଦେଶ ଓ ଜନ ସମର୍ଥନ ଏକା କଥା ହୋଇ ନ ପାରେ ବୋଲି ଏକ ଧାରଣା ସୃଷ୍ଟି ହୋଇଛି । କାରଣ ସେଠାରେ ଏନଡିଏ ଓ ମହା ଗଠବନ୍ଧନ (ଏମଜିବି) ଭଳି ଯେଉଁ ଦୁଇଟି ପ୍ରମୁଖ ମେଣ୍ଟ ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା ଉଭୟଙ୍କୁ ୩୭ ପ୍ରତିଶତ ଲେଖାଏଁ ଭୋଟ ମିଳିଥିଲେ ବି ଏନଡିଏକୁ ୧୨୫ଟି ଓ ଏମଜିବିକୁ ୧୧୦ଟି ଆସନ ମିଳିଛି । ବସ୍ତୁତଃ ସମଗ୍ର ରାଜ୍ୟରେ ଏନଡିଏ ମେଣ୍ଟକୁ ସମୁଦାୟ ୧,୫୭,୦୦,୬୧୮ ଖଣ୍ଡ ଭୋଟ ମିଳିଥିବା ବେଳେ ଏମଜିବିକୁ ୧,୫୬,୧୫,୭୦୯ ଭୋଟ ମିଳିଛି, ଅର୍ଥାତ୍ ଉଭୟ ମେଣ୍ଟ ମଧ୍ୟରେ ଭୋଟ ବ୍ୟବଧାନ ମାତ୍ର ୮୪,୯୦୯ । ବିଡମ୍ୱନା ଏହି ଯେ ରାଜ୍ୟରେ ୭ ଲକ୍ଷରୁ ଅଧିକ ମତଦାତା ନୋଟାରେ ଭୋଟ ଦେଇଛନ୍ତି । ୧୧ଟି ଆସନରେ ବିଜୟୀ ପ୍ରାର୍ଥୀ ଏକ ହଜାର ଭୋଟରୁ ବି କମ ବ୍ୟବଧାନରେ ଜିତିଛନ୍ତି । ଏହି ନିର୍ବାଚନ ଫଳାଫଳକୁ ଲକ୍ଷ୍ୟ କଲେ ଏହା କୌଣସି ଗୋଟିଏ ମେଣ୍ଟ ସପକ୍ଷରେ ସ୍ପଷ୍ଟ ଭାବେ ନ ଥିବାରୁ ଏହାକୁ ଅତି ବେଶିରେ ଏକ ବିଖଣ୍ଡିତ ଜନାଦେଶ (ଫ୍ରାକଚରଡ ମେଣ୍ଡେଟ) ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଗାମୀ ଦିନରେ ନିର୍ବାଚନରେ ସାମ୍ପ୍ରଦାୟିକ, ଜାତିଗତ, ଭାଷାଗତ ଧ୍ରୁବୀକରଣ (ପୋଲାରାଇଜେସନ) ଓ ପାଲଟା ଧ୍ରୁବୀକରଣ (କାଉଣ୍ଟର ପୋଲାରାଇଜେସନ)କୁ ରାଜନୈତିକ ଦଳମାନେ ଆୟୁଧ ରୂପେ ଯେତେ ଅଧିକ ପ୍ରୟୋଗ କରିବେ, ଜନାଦେଶ ସେତେ ବେଶି ବିଖଣ୍ଡିତ ହେବ ବୋଲି ଅନ୍ତତଃ ବିହାର ନିର୍ବାଚନ ଫଳାଫଳରୁ ଆଭାସ ମିଳି ସାରିଲାଣି । ତେବେ ନୀତିଶ କୁମାରଙ୍କ ପ୍ରତି ଜନ ଅସନ୍ତୋଷ ତଥା ତେଜସ୍ୱୀ ଯାଦବଙ୍କ ନିର୍ବାଚନୀ ସଭାଗୁଡିକରେ ପ୍ରବଳ ଜନ ସମାଗମ ଓ ଏକଜିଟ ପୋଲଗୁଡିକର ଆକଳନରୁ ଏମଜିବିର ବିଜୟ ଏକ ପ୍ରକାର ସୁନିଶ୍ଚିତ ବୋଲି ଜଣା ପଡୁଥିଲା ବେଳେ କ’ଣ ଏମିତି ଘଟିଲା ଯାହା ଏମଜିବିକୁ ବିଜୟ ଦ୍ୱାରଦେଶରୁ ପରାଜୟର ସ୍ୱାଦ ଚାଖିବାକୁ ବାଧ୍ୟ କଲା ?
ଏହି ନିର୍ବାଚନରେ ୫୯.୪ ପ୍ରତିଶତ ମହିଳା ଭୋଟର ଭୋଟ ଦେଇଥିଲେ ଯାହା ପୁରୁଷଙ୍କ ଅପେକ୍ଷା ପ୍ରାୟ ୫ ପ୍ରତିଶତ ଅଧିକ । ଏହା ନିଶ୍ଚିତ ଭାବେ ଏମଜିବି ପାଇଁ ଘାତକ ସାବ୍ୟସ୍ତ ହୋଇଛି । ନୀରବ ମତଦାତା କୁହା ଯାଉଥିବା ମହିଳା ମତଦାତାମାନେ ନୀତିଶ କୁମାରଙ୍କ ମଦବିରୋଧୀ ଅଭିଯାନ ଓ ତାଙ୍କ ଶାସନରେ ଅପେକ୍ଷାକୃତ ଉନ୍ନତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ତାଙ୍କ ଉପରେ ବିଶ୍ୱାସ ସ୍ଥାପନ କରି ତାଙ୍କ ସପକ୍ଷରେ ଅଧିକ ସଂଖ୍ୟାରେ ଭୋଟ ଦେଇଥାଇ ପାରନ୍ତି, ଯାହା ନିର୍ବାଚନ ଫଳାଫଳର ଦିଗକୁ ଅନେକାଂଶରେ ପ୍ରଭାବିତ କରିଛି ।
ଜାତିଗତ ଆଧାରରେ ମତଦାନ ବିହାର ରାଜନୀତିର ଏକ ତିକ୍ତ ବାସ୍ତବତା ବୋଲି ସ୍ୱୀକାର କରିବାକୁ ହେବ । ଅଧିକାଂଶ ରାଜ୍ୟରେ ‘କାଷ୍ଟ ଇଓର ଭୋଟ’ (ଭୋଟ ଦିଅନ୍ତୁ) କୁହା ଯାଉଥିବା ବେଳେ ବିହାରରେ ‘କାଷ୍ଟ ଇଓର କାଷ୍ଟ’ (ନିଜ ଜାତିକୁ ଭୋଟ ଦିଅନ୍ତୁ) ଆପ୍ତ ବାକ୍ୟଟି ବହୁଳ ଭାବେ ପ୍ରଚଳିତ । ସେଠାରେ ଜାତିଗତ ସମୀକରଣ କିଛି ଏହି ପ୍ରକାର - ଉଚ୍ଚଜାତି ୧୫ ପ୍ରତିଶତ, ଯାଦବ ୧୪ ପ୍ରତିଶତ, ମୁସଲମାନ ୧୭ ପ୍ରତିଶତ, ଅନୁସୂଚୀତ ଜାତି ୧୬ ପ୍ରତିଶତ, ଅଣ-ଯାଦବ ଓବିସି (ଏନଓ୍ୱାଇଓବିସି) ୩୬ ପ୍ରତିଶତ, ଅନୁସୂଚୀତ ଜନଜାତି 1 ପ୍ରତିଶତ ଓ ଅନ୍ୟମାନେ ୨ ପ୍ରତିଶତ । ଏନଓ୍ୱାଇଓବିସିଙ୍କ ମଧ୍ୟରେ କୁର୍ମୀ ୪ ପ୍ରତିଶତ, କୋଏରୀ ଓ କୁଶଓ୍ୱାହା ୮ ପ୍ରତିଶତ ହୋଇଥିବା ବେଳେ ଅବଶିଷ୍ଟ ୨୪ ପ୍ରତିଶତ ଅତି ଅନଗ୍ରସର ଜାତି (ଏମବିସି) ଭାବେ ପରିଗଣିତ । ସେହିପରି ୧୬ ପ୍ରତିଶତ ଅନୁସୂଚୀତ ଜାତିଙ୍କ ମଧ୍ୟରୁ ୬ ପ୍ରତିଶତ ଦଳିତ ଓ ୧୦ ପ୍ରତିଶତ ମହାଦଳିତ । ଅନୁସୂଚୀତ ଜାତିଙ୍କ ମଧ୍ୟରେ ସାମାଜିକ ଓ ଶୈକ୍ଷିକ ଦୃଷ୍ଟିରୁ ଅନଗ୍ରସର ୧୮ରୁ ୨୨ଟି ଉପଜାତିଙ୍କୁ ନେଇ ନୀତିଶ କୁମାର ୨୦୦୯ ମସିହାରେ ‘ମହାଦଳିତ’ ବର୍ଗ ସୃଷ୍ଟି କଲେ ଯେଉଁମାନେ ପରବର୍ତ୍ତୀ ସମୟରେ ଏକ ପ୍ରକାର ନୀତିଶ କୁମାରଙ୍କ ଭୋଟ ବ୍ୟାଙ୍କରେ ପରିଣତ ହେଲେ । ଅନୁସୂଚୀତ ଜାତିଙ୍କ ମଧ୍ୟରେ କେବଳ ପାଶଓ୍ୱାନ ଉପଜାତିର ଲୋକେ ଦଳିତ ବର୍ଗରେ ରହିଲେ । ଉଲ୍ଲେଖଯୋଗ୍ୟ, ୧୯୯୦ରୁ ୨୦୦୦ ଯାଏଁ ଅନୁସୂଚୀତ ଜାତିର ଲୋକେ ଲାଲୁ ଯାଦବଙ୍କୁ ସମର୍ଥନ କରି ଆସୁଥିଲା ବେଳେ ତା’ ପରେ ରାମ ବିଲାସ ପାଶଓ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ଆଡକୁ ଢଳିଥିଲେ । ତେବେ ୨୦୦୯ ମସିହାରେ ନୀତିଶ କୁମାରଙ୍କ ମହାଦଳିତ କାର୍ଡ ଅନୁସୂଚୀତ ଜାତି ବର୍ଗକୁ ବିଭାଜିତ କରିବାକୁ ସକ୍ଷମ ହୋଇ ଏଲଜେପିର ଜନାଧାରକୁ କ୍ଷତି ପହଞ୍ଚାଇ ଥିବାରୁ ଉଭୟଙ୍କ ମଧ୍ୟରେ ଶତୃତା ବୃଦ୍ଧି ପାଇଥିଲା । ଏମବିସି, ଦଳିତ ଓ ମହାଦଳିତ ସମୁଦାୟ ଜନସଂଖ୍ୟାର ୪୦ ପ୍ରତିଶତ ଓ ଏମାନେ ଅନୁସୂଚୀତ ଜାତି ପାଇଁ ସଂରକ୍ଷିତ ୩୯ଟି ଆସନ ସମେତ ପ୍ରାୟ ୧୦୦ଟି ଆସନର ଫଳାଫଳକୁ ପ୍ରଭାବିତ କରି ଥାଆନ୍ତି । ତେଣୁ ବିହାରରେ ନିର୍ବାଚନ ଜିତିବାକୁ ହେଲେ ଜାତିଗତ ସମୀକରଣକୁ ନିଜ ମେଣ୍ଟ ସପକ୍ଷରେ ନେବା ଏକପ୍ରକାର ଅନିବାର୍ଯ୍ୟ । ଅବଶ୍ୟ ଚଳିତ ନିର୍ବାଚନରେ ଏମଜିବି ତରଫରୁ ରୋଜଗାରକୁ ମୁଖ୍ୟ ପ୍ରସଙ୍ଗ କରି ଜାତିଗତ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠିବାକୁ ପ୍ରୟାସ କରା ଯାଇଥିଲେ ବି ତାହା ଭୂପୃଷ୍ଠରେ ସମ୍ପୂର୍ଣ୍ଣ ସଫଳ ହୋଇଥିବା ପରି ଜଣା ପଡୁନାହିଁ ଓ ମତଦାତାମାନେ ପୂର୍ବ ପରି ଜାତି ଆଧାରରେ ଭୋଟ ଦେଇଛନ୍ତି । ବସ୍ତୁତଃ ଜନସଂଖ୍ୟାର ପ୍ରାୟ ୩୧ ପ୍ରତିଶତ ଥିବା ମୁସଲମାନ ଓ ଯାଦବ(ଏମଓ୍ୱାଇ)ମାନଙ୍କ ମଧ୍ୟରୁ ୭୫ ଭାଗ, ଅର୍ଥାତ୍ ସମୁଦାୟ ଜନସଂଖ୍ୟାର ପ୍ରାୟ ୨୪ ପ୍ରତିଶତ ଆରଜେଡିର ପାରମ୍ପରିକ ମତଦାତା ହୋଇଥିଲେ ମଧ୍ୟ ତାହା ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଯଥେଷ୍ଟ ନୁହେଁ । ଏ ଥର ତେଜସ୍ୱୀ ଯାଦବ ଏମଜିବିର ଜାତିଗତ ଜନାଧାରକୁ ଆଉ ଅଧିକ ବଢାଇବାକୁ ସକ୍ଷମ ହେଲେ ନାହିଁ । ଏପରିକି ଏମଜିବିରେ ସାମିଲ ଥିବା ବିକାଶଶୀଲ ଇନସାନ ପାର୍ଟି (ଭିଆଇପି) ଟିକେଟ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ଶେଷ ମୁହୂର୍ତ୍ତରେ ମେଣ୍ଟରୁ ଓହରି ଯାଇ ଏନଡିଏରେ ମିଶିବା ମେଣ୍ଟ ପାଇଁ ଘାତକ ସାବ୍ୟସ୍ତ ହେଲା । କାରଣ ନିଷାଦ (କୈବର୍ତ୍ତ) ଜାତିର ଲୋକେ ଭିଆଇପିର ସମର୍ଥକ ଓ ଏମାନଙ୍କ ସଂଖ୍ୟା ପ୍ରାୟ ୮ ପ୍ରତିଶତ । ୨୦୧୯ ଲୋକସଭା ନିର୍ବାଚନରେ ଭିଆଇପି ଏମଜିବିର ଅଂଶୀଦାର ଭାବେ ବିଜେପି ବିରୁଦ୍ଧରେ ନିର୍ବାଚନ ଲଢିଥିବାରୁ ସେହି ଦଳକୁ କୌଣସି ମତେ ଏମଜିବିରେ ରଖା ଯାଇ ପାରିଥିଲେ ଏହାର ଭୋଟ ପ୍ରତିଶତ ବଢି ପାରିଥାଆନ୍ତା । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝିଙ୍କର ହିନ୍ଦୁସ୍ତାନ ଆଓ୍ୱାମ ମୋର୍ଚ୍ଚା (ହମ) ମଧ୍ୟ ଏମଜିବିରୁ ଓହରି ଯାଇ ଏନଡିଏରେ ସାମିଲ ହେବା ଫଳରେ ମହାଦଳିତ ଭୋଟ ମଧ୍ୟ ଏନଡିଏକୁ ହସ୍ତାନ୍ତରିତ ହୋଇ ଏମଜିବିର ପ୍ରଭୁତ କ୍ଷତି ସାଧନ କଲା । ଅଣ-ଯାଦବ ଓବିସି ବର୍ଗର କୁଶଓ୍ୱାହା ଜାତିର ପ୍ରତିନିଧିତ୍ୱ କରୁଥିବା ଉପେନ୍ଦ୍ର କୁଶଓ୍ୱାହାଙ୍କ ଆରଏଲଏସପି ଦଳ ବି ଏମଜିବିରୁ ଓହରି ଯାଇ ବହୁଜନ ସମାଜ ପାର୍ଟି ଓ ଏଆଇଏମଆଇଏମ ଦଳ ସହ ମିଶି ଜିଏସଡିଏଫ ମେଣ୍ଟ ଗଠନ କଲେ । ଅବଶ୍ୟ ଭିଆଇପି, ହମ ଓ ଆରଏଲଏସପି ଏମଜିବିର ଅଂଶୀଦାର ଥିଲା ବେଳେ ଯଥାକ୍ରମେ ୩୦, ୨୦ ଓ ୩୦ଟି ଆସନ ଲାଗି ଦାବି କରିବା ସେମାନଙ୍କ ଅନାନୁପାତିକ ମହତ୍ତ୍ୱାକାଂକ୍ଷାକୁ ଦର୍ଶାଉଥିଲା, ଯାହା ପୂରଣ କରିବା ତେଜସ୍ୱୀଙ୍କ ପକ୍ଷରେ ସମ୍ଭବ ହୋଇ ନ ଥାଆନ୍ତା । ଅନ୍ୟ ପକ୍ଷରେ ନୀତିଶଙ୍କୁ ଖୋଲାଖୋଲି ବିରୋଧ କରୁଥିବା ଏଲଜେପିର ଚିରାଗ ପାଶଓ୍ୱାନଙ୍କ ସହ ସୀମିତ ଆସନରେ ଗୋପନ ବୁଝାମଣା କରିବାର ସମ୍ଭାବନାକୁ ଅନ୍ୱେଷଣ କରା ଯାଇ ପାରିଥାଆନ୍ତା । ମୋଟ ଉପରେ କହିବାକୁ ଗଲେ ଏମବିସି, ଦଳିତ ଓ ମହାଦଳିତ ବର୍ଗର ଭୋଟକୁ ଏମଜିବି ସପକ୍ଷରେ ଆଣିବା ପାଇଁ ତେଜସ୍ୱୀ ଯାଦବ ବିଧିବଦ୍ଧ ପଦକ୍ଷେପ ନେଇ ଏମଜିବିର ଜନାଧାରକୁ ବିସ୍ତାର କରିବାରେ ଅସମର୍ଥ ହେବା ଏହାର ପରାଜୟର ଅନ୍ୟତମ କାରଣ ।
ଚଳିତ ନିର୍ବାଚନରେ କଂଗ୍ରେସ ୭୦ଟି ଆସନରେ ଲଢି ମାତ୍ର ୧୯ଟିରେ ବିଜୟ ଲାଭ କରିଛି, ଯାହା ପ୍ରମୁଖ ଦଳଙ୍କ ସଫଳତା ହାର ତୁଳନାରେ ସର୍ବନିମ୍ନ । କଂଗ୍ରେସର ଏହି ବିଫଳତା ଏମଜିବିର ଆସନ ସଂଖ୍ୟା କମ ହେବାର ଏକ ବଡ କାରଣ । ୨୦୧୫ ନିର୍ବାଚନରେ କଂଗ୍ରେସ ଲଢିଥିବା ଆସନ ତୁଳନାରେ ସୁଦୃଢ ସଂଗଠନ ନ ଥାଇ ବି ଏଥର ଆହୁରି ଅଧିକ ୨୭ଟି ଆସନରେ ଲଢିବା ନିଷ୍ପତ୍ତି ହୁଏତ ଉଚିତ ନ ଥିଲା । ଏ କଥା ସତ ଯେ ପୂର୍ବେ ମୁସଲମାନ ଓ ଅନୁସୂଚୀତ ଜାତିର ମତଦାତାମାନେ କଂଗ୍ରେସକୁ ଭୋଟ ଦେବାକୁ ଆଗ୍ରହ ପ୍ରକାଶ କରୁଥିଲେ ବି ଏବେ କୌଣସି ନିର୍ଦ୍ଦିଷ୍ଟ ଜାତି ବିଶେଷ କଂଗ୍ରେସର ଉତ୍ସର୍ଗୀକୃତ ମତଦାତା ନୁହନ୍ତି । ତଥାପି ବିଜେପିର ଉଚ୍ଚ ଜାତିର ଭୋଟ ବ୍ୟାଙ୍କକୁ କାଟିବା ସହ ଏହାର ପାରମ୍ପରିକ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ହୁଏତ କଂଗ୍ରେସକୁ ଅଧିକ ଆସନ ଦିଆ ଯାଇ ଥାଇପାରେ । କଂଗ୍ରେସ ଭାଗରୁ ଆସନ ସଂଖ୍ୟା କିଛିଟା କମ କରି ଭିଆଇପି ଓ ହମ ଦଳକୁ ଦିଆ ଯାଇ ସେମାନଙ୍କୁ ଏମଜିବିରେ ରଖା ଯାଇ ପାରିଥିଲେ ଓ (ବା) ବାମପନ୍ଥୀ ଦଳଙ୍କୁ କିଛି ଅଧିକ ଆସନ ଦିଆ ଯାଇଥିଲେ ଫଳାଫଳ ନିଶ୍ଚିତ ଭାବେ ଭିନ୍ନ ହୋଇଥାଆନ୍ତା, ଏଥିରେ ସନ୍ଦେହ ନାହିଁ । ଅବଶ୍ୟ ସେ ଭଳି ସଂଗଠନ ନ ଥାଇ କଂଗ୍ରେସର ପ୍ରଦର୍ଶନ କିଛି ଖରାପ ହୋଇନାହିଁ । କଂଗ୍ରେସ ସମୁଦାୟ ପ୍ରାୟ ୪୦ ଲକ୍ଷ ଭୋଟ ପାଇବାରୁ ସୂଚୀତ ହେଉଛି ଯେ ସେଠାରେ ଦଳର ଏବେ ବି ଏକ ଉତ୍ସର୍ଗୀକୃତ ଭୋଟ ବ୍ୟାଙ୍କ ରହିଛି, ଯାହା ନେତୃତ୍ୱ ଓ ସଂଗଠନର ଅଭାବରେ କ୍ରିୟାଶୀଳ ହୋଇ ପାରୁନାହିଁ ଓ ନିର୍ବାଚନରେ ଆସନ ଦଖଲରେ ତାହା ରୂପାନ୍ତରିତ ହୋଇ ପାରୁନାହିଁ । ଆଗାମୀ ଦିନମାନଙ୍କରେ ବିଭିନ୍ନ ରାଜ୍ୟରେ ମେଣ୍ଟର ଅଂଶୀଦାର ଦଳମାନଙ୍କୁ ଆସନ ବଣ୍ଟନ ବେଳେ ଏକ ବୃହତ୍ତର ଲକ୍ଷ୍ୟ ହାସଲ କରିବା ପାଇଁ ମହତ୍ତ୍ୱାକାଂକ୍ଷାକୁ ବର୍ଜନ କରି ଅଧିକ ବ୍ୟାବହାରିକ ହେବାକୁ ହେବ । ନିଜ ଦଳକୁ କେତେ ଅଧିକ ଆସନ ମିଳିଲା ତାହା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ତାଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ ମେଣ୍ଟର କେଉଁ ଦଳକୁ କେଉଁ ଆସନ ଦିଆଗଲେ ସେଠାରେ ତାଙ୍କ ବିଜୟ ଅଧିକ ସହଜ ହେବ ଓ ଜିତି ନ ପାରିଲେ ବି ଅନ୍ତତଃ ପକ୍ଷେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ବିଜୟକୁ ପ୍ରତିହତ କରିହେବ । କାରଣ ମେଣ୍ଟର ସବୁ ଦଳଙ୍କ ମଧ୍ୟରେ ଭୋଟ ହସ୍ତାନ୍ତରଣ ସମାନ ଭାବେ ହୋଇ ନ ଥାଏ । ତାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ୨୦୧୯ ଲୋକସଭା ନିର୍ବାଚନରେ ଭୁବନେଶ୍ୱର ଆସନରୁ ବିଜେପି ପ୍ରାର୍ଥୀଙ୍କ ବିଜୟ । କଂଗ୍ରେସ ଓ ବାମ ଦଳଙ୍କ ମଧ୍ୟରେ ହୋଇଥିବା ମେଣ୍ଟରେ ଏହି ଆସନଟି ସିପିଏମକୁ ଯାଇଥିଲେ ବି କଂଗ୍ରେସର ଲକ୍ଷାଧିକ ଭୋଟ ସିପିଏମ ପ୍ରାର୍ଥୀଙ୍କୁ ହସ୍ତାନ୍ତରିତ ନ ହୋଇ ବିଜେପିକୁ ଚାଲିଗଲା ଓ ବିଜେପି ପ୍ରାର୍ଥୀ ଜିତିଗଲେ । ଏଠାରେ କଂଗ୍ରେସ ନିଜେ ପ୍ରାର୍ଥୀ ଦେଇଥିଲେ ଦଳ ଜିତି ନ ଥାଆନ୍ତା ସତ, ହେଲେ ଦଳର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀଙ୍କୁ ପରାହତ କରିବାର ଲକ୍ଷ୍ୟ ହାସଲ ହୋଇ ପାରିଥାଆନ୍ତା । ନିର୍ବାଚନରେ ନିଜ ଦଳ ବା ମେଣ୍ଟ ଜିତିବା ଯେତିକି ଗୁରୁତ୍ୱପୂର୍ଣ୍ଣ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଦଳ ହାରିବା ମଧ୍ୟ ତା’ଠାରୁ କିଛି କମ ଗୁରୁତ୍ୱପୂର୍ଣ୍ଣ ନୁହେଁ ।
ନିର୍ବାଚନରେ ‘ପ୍ରତୀୟମାନତା’ ବା ଅନୁଭବ (ପରସେପସନ) ଏକ ବଡ ଭୂମିକା ନିର୍ବାହ କରିଥାଏ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ଲାଲୁ ଯାଦବଙ୍କ ୧୫ ବର୍ଷର ଶାସନ ଏକ ନିନ୍ଦିତ ଅଧ୍ୟାୟ ଓ ଏହାକୁ ହାଇକୋର୍ଟ ଏକଦା ‘ଜଙ୍ଗଲରାଜ’ ବୋଲି ଅଭିହିତ କରିଥିଲେ । ତେଣୁ ଏ ଥର ଆରଜେଡି ତରଫରୁ ଦଳର ସବୁ ପ୍ରଚାର ସାମଗ୍ରୀରୁ ଯୋଜନାବଦ୍ଧ ଭାବେ ଲାଲୁ ଯାଦବ ଓ ରାବିଡି ଦେବୀଙ୍କ ଫଟୋକୁ ବାଦ ଦିଆ ଯାଇଥିଲା । ତେବେ ଏନଡିଏ ତରଫରୁ ଏମଜିବି ଶାସନ ଆସିଲେ ଜଙ୍ଗଲରାଜ ଫେରିବ କହି ମତଦାତାଙ୍କ ମନରେ ‘ଜଙ୍ଗଲରାଜ’ର ଭୟକୁ ରୋପଣ କରିବା ଲାଗି ଶେଷ ମୁହୂର୍ତ୍ତ ଯାଏଁ ବାରମ୍ୱାର ପ୍ରୟାସ ଜାରି ରହିଥିଲା ଓ ସେଥିରେ ସେମାନେ ସଫଳ ହୋଇଥିଲେ ମଧ୍ୟ । ଅନ୍ତତଃ ମହିଳା ଓ ବୟସ୍କ ମତଦାତାଙ୍କ ମଧ୍ୟରୁ ଅନେକେ ଏହି ପ୍ରଚାରକୁ ବିଶ୍ୱାସ କରି ମତଦାନ କରିଥିବାର ଆଭାସ ମିଳୁଛି ।
ତିନି ପର୍ଯ୍ୟାୟ ବିଶିଷ୍ଟ ଏହି ନିର୍ବାଚନକୁ ଅନୁଧ୍ୟାନ କଲେ ଜଣା ପଡେ ଯେ ପ୍ରଥମ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ୧୬୫ଟି ଆସନର ନିର୍ବାଚନରେ ଏମଜିବି ଏନଡିଏଠାରୁ ୧୬ଟି ଅଧିକ ଆସନ ପାଇଥିଲା । ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ୭8ଟି ଆସନ ପାଇଁ ନିର୍ବାଚନ ସୀମାଞ୍ଚଳ ଓ ଅନ୍ୟାନ୍ୟ କେତେକ ସ୍ଥାନରେ ହୋଇଥିଲା ଯେଉଁଥିରୁ ପ୍ରାୟ ୪୬ଟି ଆସନ ମୁସଲମାନ ବହୁଳ । ଏହା ଏମଜିବିର ଗଡ ସଦୃଶ ହୋଇଥିବାରୁ ମେଣ୍ଟ ଏଠାରେ ବିଜୟ ନେଇ ଆଶ୍ୱସ୍ତ ରହିବା ସହ ପ୍ରତିଦ୍ୱନ୍ଦ୍ୱିତାକୁ କିଛିଟା ହାଲୁକା ଭାବେ ଗ୍ରହଣ କରିଥିବା ପରି ମନେହୁଏ । ଏହି ଅଞ୍ଚଳରେ ହିଁ ଏନଡିଏ ସର୍ବାଧିକ ୫୨ଟି ଆସନ ଦଖଲ କରି ନିର୍ବାଚନୀ ଗଣିତକୁ ନିଜ ସପକ୍ଷରେ ନେବାରେ ସକ୍ଷମ ହେଲା । ଏଠାରେ ମୁସଲମାନ ଭୋଟକୁ ଧ୍ରୁବୀକରଣ କରିବା ପାଇଁ ହୋଇଥିବା ପ୍ରଚେଷ୍ଚା ଯୋଗୁ ହିନ୍ଦୁ ଭୋଟର ‘ପାଲଟା ଧ୍ରୁବୀକରଣ’ ହୋଇ ତାହା ଏନଡିଏ ସପକ୍ଷରେ ଗଲା ବୋଲି କୁହାଯାଏ । ଅନ୍ୟ ପକ୍ଷରେ ଏଠାରେ ଆଶାଉଦ୍ଦିନ ଓଓ୍ୱେସିଙ୍କ ଏଆଇଏମଆଇଏମ ଦଳ ପ୍ରାର୍ଥୀ ଦେଇଥିବାରୁ ମୁସଲମାନ ଭୋଟ ବିଭାଜିତ ହୋଇ ଏମଜିବି ଅନେକାଂଶରେ କ୍ଷତିଗ୍ରସ୍ତ ହେଲା । ଏଆଇଏମଆଇଏମକୁ ଭୋଟକଟା ଦଳ ବୋଲି କୁହା ଯାଉଥିଲେ ବି ଶେଷରେ ସେହି ଦଳ ୫ଟି ଆସନ ଅକ୍ତିଆର କରିବାକୁ ସଫଳ ହୋଇଥିବାରୁ ତା ସହ ବୁଝାମଣା କରା ଯାଇ ପାରିଥିଲେ ଏମଜିବି ପାଇଁ ଫଳ ଭିନ୍ନ ହୋଇଥାଆନ୍ତା ।
ନିର୍ବାଚନ ପରେ ‘ଯଦି’ ଓ ‘କିନ୍ତୁ’ର ସ୍ଥାନ ନାହିଁ । ତେବେ ଏଥିରୁ ଶିକ୍ଷା ଗ୍ରହଣ କରି ଭବିଷ୍ୟତରେ କାର୍ଯ୍ୟରେ ଲଗା ଯାଇ ପାରେ । ବିହାର ବିଧାନସଭା ନିର୍ବାଚନରୁ ସେମିତି କିଛି ଶିକ୍ଷା ମିଳିଛି । ଜନ ଆକାଂକ୍ଷାକୁ ପୂରଣ କରିବାକୁ ଅସମର୍ଥ ହେଲେ ଶାସକଙ୍କୁ ଜନ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡିଥାଏ । ସାଧାରଣ ସମୟରେ ଅର୍ଥ, ସୁଦୃଢ ସଂଗଠନ ନିର୍ବାଚନ ଜିତିବାରେ ସହାୟକ ହୋଇପାରେ, ହେଲେ ତାହା ଜନ ଆକ୍ରୋଶ ଆଗରେ କାମ ଦେଇ ନ ଥାଏ । ଜନ ଆକ୍ରୋଶକୁ ବିଜୟରେ ରୂପାନ୍ତରିତ କରିବା ଲାଗି ବିରୋଧୀ ଦଳରେ ବିଶ୍ୱସନୀୟ ନେତୃତ୍ୱ ଓ ସୁଦୃଢ ସଂଗଠନ ଅନିବାର୍ଯ୍ୟ । ବାମଦଳଗୁଡିକର ସଂଗଠନ ସୁଦୃଢ ଥିବାରୁ ସେମାନେ ଜନ ଆକ୍ରୋଶକୁ ଅପେକ୍ଷାକୃତ ସହଜ ଭାବେ ଭୋଟରେ ରୂପାନ୍ତରିତ କରି ପାରିଲେ । ବାମଦଳଗୁଡିକଙ୍କଠାରେ ପ୍ରତ୍ୟାବର୍ତ୍ତନ କରିବାର କ୍ଷମତା ରହିଥିବାରୁ ସେମାନଙ୍କୁ ଭାରତୀୟ ରାଜନୀତିରୁ ଖାରଜ କରି ହେବନାହିଁ । କ୍ଷମତା, ଅର୍ଥ ଓ ସଂଗଠନ ଯେ ଦଳର ବିସ୍ତାରକୁ ସୁନିଶ୍ଚିତ କରି ପାରିବ, ତାହା ଠିକ ହୋଇ ନ ପାରେ । ଦୀର୍ଘ ପ୍ରାୟ ୧୫ ବର୍ଷ କ୍ଷମତାରେ ରହି ସୁଦୃଢ ସଂଗଠନ ଓ ଅର୍ଥବଳ ଥିବା ସତ୍ତ୍ୱେ ବିଜେପି ଦଳର ଭୋଟ ୧୯ ପ୍ରତିଶତରେ ସୀମିତ ରହିବା ତା’ର ଏକ ପ୍ରମାଣ । ତେଣୁ ସ୍ଥଳ ବିଶେଷରେ ନିର୍ବାଚନ ଜିତିବା ପାଇଁ ଦଳୀୟ ବିସ୍ତାର ଅପେକ୍ଷା ଏକ ବିଜୟୀ ମେଣ୍ଟ ଗଠନ ପାଇଁ ଉପଯୁକ୍ତ ରଣ କୌଶଳ ପ୍ରସ୍ତୁତି ଅଧିକ ଗୁରୁତ୍ୱପୂର୍ଣ୍ଣ ।
Published in Sambad on November 17, 2020
ଭିନ୍ନ ଭିନ୍ନ ଦୃଷ୍ଟି କୋଣରୁ ଆଲୋକପାତ କରାଯାଇଥିବାରୁ ଆଲେଖ୍ୟ ଟି ପାଠକ ଙ୍କ ମଧ୍ୟରେ ଆଦୃତ ହୋଇଥିବ l
ReplyDeleteଧନ୍ୟବାଦ
Delete