Skip to main content

ମହା ଗଠବନ୍ଧନ ଝୁଣ୍ଟିଲା କାହିଁକି ?

ଗଣତନ୍ତ୍ରରେ ଜନାଦେଶ ହିଁ ସର୍ବୋପରି । ତେବେ ସବୁ ସମୟରେ ଜନାଦେଶ ପାଇଥିବା ଗୋଟିଏ ଦଳ ବା ମେଣ୍ଟ ପ୍ରତି ଯେ ଜନ ସମର୍ଥନ ରହିଛି ତାହା ଜୋର ଦେଇ କହି ହେବ ନାହିଁ । ବିହାର ବିଧାନସଭା ନିର୍ବାଚନ ଫଳାଫଳରୁ ଅନ୍ତତଃ ଜନାଦେଶ ଓ ଜନ ସମର୍ଥନ ଏକା କଥା ହୋଇ ନ ପାରେ ବୋଲି ଏକ ଧାରଣା ସୃଷ୍ଟି ହୋଇଛି । କାରଣ ସେଠାରେ ଏନଡିଏ ଓ ମହା ଗଠବନ୍ଧନ (ଏମଜିବି) ଭଳି ଯେଉଁ ଦୁଇଟି ପ୍ରମୁଖ ମେଣ୍ଟ ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା ଉଭୟଙ୍କୁ ୩୭ ପ୍ରତିଶତ ଲେଖାଏଁ ଭୋଟ ମିଳିଥିଲେ ବି ଏନଡିଏକୁ ୧୨୫ଟି ଓ ଏମଜିବିକୁ ୧୧୦ଟି ଆସନ ମିଳିଛି । ବସ୍ତୁତଃ ସମଗ୍ର ରାଜ୍ୟରେ ଏନଡିଏ ମେଣ୍ଟକୁ ସମୁଦାୟ ୧,୫୭,୦୦,୬୧୮ ଖଣ୍ଡ ଭୋଟ ମିଳିଥିବା ବେଳେ ଏମଜିବିକୁ ୧,୫୬,୧୫,୭୦୯ ଭୋଟ ମିଳିଛି, ଅର୍ଥାତ୍ ଉଭୟ ମେଣ୍ଟ ମଧ୍ୟରେ ଭୋଟ ବ୍ୟବଧାନ ମାତ୍ର ୮୪,୯୦୯ । ବିଡମ୍ୱନା ଏହି ଯେ ରାଜ୍ୟରେ ୭ ଲକ୍ଷରୁ ଅଧିକ ମତଦାତା ନୋଟାରେ ଭୋଟ ଦେଇଛନ୍ତି । ୧୧ଟି ଆସନରେ ବିଜୟୀ ପ୍ରାର୍ଥୀ ଏକ ହଜାର ଭୋଟରୁ ବି କମ ବ୍ୟବଧାନରେ ଜିତିଛନ୍ତି । ଏହି ନିର୍ବାଚନ ଫଳାଫଳକୁ ଲକ୍ଷ୍ୟ କଲେ ଏହା କୌଣସି ଗୋଟିଏ ମେଣ୍ଟ ସପକ୍ଷରେ ସ୍ପଷ୍ଟ ଭାବେ ନ ଥିବାରୁ ଏହାକୁ ଅତି ବେଶିରେ ଏକ ବିଖଣ୍ଡିତ ଜନାଦେଶ (ଫ୍ରାକଚରଡ ମେଣ୍ଡେଟ) ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଗାମୀ ଦିନରେ ନିର୍ବାଚନରେ ସାମ୍ପ୍ରଦାୟିକ, ଜାତିଗତ, ଭାଷାଗତ ଧ୍ରୁବୀକରଣ (ପୋଲାରାଇଜେସନ) ଓ ପାଲଟା ଧ୍ରୁବୀକରଣ (କାଉଣ୍ଟର ପୋଲାରାଇଜେସନ)କୁ ରାଜନୈତିକ ଦଳମାନେ ଆୟୁଧ ରୂପେ ଯେତେ ଅଧିକ ପ୍ରୟୋଗ କରିବେ, ଜନାଦେଶ ସେତେ ବେଶି ବିଖଣ୍ଡିତ ହେବ ବୋଲି ଅନ୍ତତଃ ବିହାର ନିର୍ବାଚନ ଫଳାଫଳରୁ ଆଭାସ ମିଳି ସାରିଲାଣି । ତେବେ ନୀତିଶ କୁମାରଙ୍କ ପ୍ରତି ଜନ ଅସନ୍ତୋଷ ତଥା ତେଜସ୍ୱୀ ଯାଦବଙ୍କ ନିର୍ବାଚନୀ ସଭାଗୁଡିକରେ ପ୍ରବଳ ଜନ ସମାଗମ ଓ ଏକଜିଟ ପୋଲଗୁଡିକର ଆକଳନରୁ ଏମଜିବିର ବିଜୟ ଏକ ପ୍ରକାର ସୁନିଶ୍ଚିତ ବୋଲି ଜଣା ପଡୁଥିଲା ବେଳେ କ’ଣ ଏମିତି ଘଟିଲା ଯାହା ଏମଜିବିକୁ ବିଜୟ ଦ୍ୱାରଦେଶରୁ ପରାଜୟର ସ୍ୱାଦ ଚାଖିବାକୁ ବାଧ୍ୟ କଲା ?

ଏହି ନିର୍ବାଚନରେ ୫୯.୪ ପ୍ରତିଶତ ମହିଳା ଭୋଟର ଭୋଟ ଦେଇଥିଲେ ଯାହା ପୁରୁଷଙ୍କ ଅପେକ୍ଷା ପ୍ରାୟ ୫ ପ୍ରତିଶତ ଅଧିକ । ଏହା ନିଶ୍ଚିତ ଭାବେ ଏମଜିବି ପାଇଁ ଘାତକ ସାବ୍ୟସ୍ତ ହୋଇଛି । ନୀରବ ମତଦାତା କୁହା ଯାଉଥିବା ମହିଳା ମତଦାତାମାନେ ନୀତିଶ କୁମାରଙ୍କ ମଦବିରୋଧୀ ଅଭିଯାନ ଓ ତାଙ୍କ ଶାସନରେ ଅପେକ୍ଷାକୃତ ଉନ୍ନତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ତାଙ୍କ ଉପରେ ବିଶ୍ୱାସ ସ୍ଥାପନ କରି ତାଙ୍କ ସପକ୍ଷରେ ଅଧିକ ସଂଖ୍ୟାରେ ଭୋଟ ଦେଇଥାଇ ପାରନ୍ତି, ଯାହା ନିର୍ବାଚନ ଫଳାଫଳର ଦିଗକୁ ଅନେକାଂଶରେ ପ୍ରଭାବିତ କରିଛି ।

ଜାତିଗତ ଆଧାରରେ ମତଦାନ ବିହାର ରାଜନୀତିର ଏକ ତିକ୍ତ ବାସ୍ତବତା ବୋଲି ସ୍ୱୀକାର କରିବାକୁ ହେବ । ଅଧିକାଂଶ ରାଜ୍ୟରେ ‘କାଷ୍ଟ ଇଓର ଭୋଟ’ (ଭୋଟ ଦିଅନ୍ତୁ) କୁହା ଯାଉଥିବା ବେଳେ ବିହାରରେ ‘କାଷ୍ଟ ଇଓର କାଷ୍ଟ’ (ନିଜ ଜାତିକୁ ଭୋଟ ଦିଅନ୍ତୁ) ଆପ୍ତ ବାକ୍ୟଟି ବହୁଳ ଭାବେ ପ୍ରଚଳିତ । ସେଠାରେ ଜାତିଗତ ସମୀକରଣ କିଛି ଏହି ପ୍ରକାର - ଉଚ୍ଚଜାତି ୧୫ ପ୍ରତିଶତ, ଯାଦବ ୧୪ ପ୍ରତିଶତ, ମୁସଲମାନ ୧୭ ପ୍ରତିଶତ, ଅନୁସୂଚୀତ ଜାତି ୧୬ ପ୍ରତିଶତ, ଅଣ-ଯାଦବ ଓବିସି (ଏନଓ୍ୱାଇଓବିସି) ୩୬ ପ୍ରତିଶତ, ଅନୁସୂଚୀତ ଜନଜାତି 1 ପ୍ରତିଶତ ଓ ଅନ୍ୟମାନେ ୨ ପ୍ରତିଶତ । ଏନଓ୍ୱାଇଓବିସିଙ୍କ ମଧ୍ୟରେ କୁର୍ମୀ ୪ ପ୍ରତିଶତ, କୋଏରୀ ଓ କୁଶଓ୍ୱାହା ୮ ପ୍ରତିଶତ ହୋଇଥିବା ବେଳେ ଅବଶିଷ୍ଟ ୨୪ ପ୍ରତିଶତ ଅତି ଅନଗ୍ରସର ଜାତି (ଏମବିସି) ଭାବେ ପରିଗଣିତ । ସେହିପରି ୧୬ ପ୍ରତିଶତ ଅନୁସୂଚୀତ ଜାତିଙ୍କ ମଧ୍ୟରୁ ୬ ପ୍ରତିଶତ ଦଳିତ ଓ ୧୦ ପ୍ରତିଶତ ମହାଦଳିତ । ଅନୁସୂଚୀତ ଜାତିଙ୍କ ମଧ୍ୟରେ ସାମାଜିକ ଓ ଶୈକ୍ଷିକ ଦୃଷ୍ଟିରୁ ଅନଗ୍ରସର ୧୮ରୁ ୨୨ଟି ଉପଜାତିଙ୍କୁ ନେଇ ନୀତିଶ କୁମାର ୨୦୦୯ ମସିହାରେ ‘ମହାଦଳିତ’ ବର୍ଗ ସୃଷ୍ଟି କଲେ ଯେଉଁମାନେ ପରବର୍ତ୍ତୀ ସମୟରେ ଏକ ପ୍ରକାର ନୀତିଶ କୁମାରଙ୍କ ଭୋଟ ବ୍ୟାଙ୍କରେ ପରିଣତ ହେଲେ । ଅନୁସୂଚୀତ ଜାତିଙ୍କ ମଧ୍ୟରେ କେବଳ ପାଶଓ୍ୱାନ ଉପଜାତିର ଲୋକେ ଦଳିତ ବର୍ଗରେ ରହିଲେ । ଉଲ୍ଲେଖଯୋଗ୍ୟ, ୧୯୯୦ରୁ ୨୦୦୦ ଯାଏଁ ଅନୁସୂଚୀତ ଜାତିର ଲୋକେ ଲାଲୁ ଯାଦବଙ୍କୁ ସମର୍ଥନ କରି ଆସୁଥିଲା ବେଳେ ତା’ ପରେ ରାମ ବିଲାସ ପାଶଓ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ଆଡକୁ ଢଳିଥିଲେ । ତେବେ ୨୦୦୯ ମସିହାରେ ନୀତିଶ କୁମାରଙ୍କ ମହାଦଳିତ କାର୍ଡ ଅନୁସୂଚୀତ ଜାତି ବର୍ଗକୁ ବିଭାଜିତ କରିବାକୁ ସକ୍ଷମ ହୋଇ ଏଲଜେପିର ଜନାଧାରକୁ କ୍ଷତି ପହଞ୍ଚାଇ ଥିବାରୁ ଉଭୟଙ୍କ ମଧ୍ୟରେ ଶତୃତା ବୃଦ୍ଧି ପାଇଥିଲା । ଏମବିସି, ଦଳିତ ଓ ମହାଦଳିତ ସମୁଦାୟ ଜନସଂଖ୍ୟାର ୪୦ ପ୍ରତିଶତ ଓ ଏମାନେ ଅନୁସୂଚୀତ ଜାତି ପାଇଁ ସଂରକ୍ଷିତ ୩୯ଟି ଆସନ ସମେତ ପ୍ରାୟ ୧୦୦ଟି ଆସନର ଫଳାଫଳକୁ ପ୍ରଭାବିତ କରି ଥାଆନ୍ତି । ତେଣୁ ବିହାରରେ ନିର୍ବାଚନ ଜିତିବାକୁ ହେଲେ ଜାତିଗତ ସମୀକରଣକୁ ନିଜ ମେଣ୍ଟ ସପକ୍ଷରେ ନେବା ଏକପ୍ରକାର ଅନିବାର୍ଯ୍ୟ । ଅବଶ୍ୟ ଚଳିତ ନିର୍ବାଚନରେ ଏମଜିବି ତରଫରୁ ରୋଜଗାରକୁ ମୁଖ୍ୟ ପ୍ରସଙ୍ଗ କରି ଜାତିଗତ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠିବାକୁ ପ୍ରୟାସ କରା ଯାଇଥିଲେ ବି ତାହା ଭୂପୃଷ୍ଠରେ ସମ୍ପୂର୍ଣ୍ଣ ସଫଳ ହୋଇଥିବା ପରି ଜଣା ପଡୁନାହିଁ ଓ ମତଦାତାମାନେ ପୂର୍ବ ପରି ଜାତି ଆଧାରରେ ଭୋଟ ଦେଇଛନ୍ତି । ବସ୍ତୁତଃ ଜନସଂଖ୍ୟାର ପ୍ରାୟ ୩୧ ପ୍ରତିଶତ ଥିବା ମୁସଲମାନ ଓ ଯାଦବ(ଏମଓ୍ୱାଇ)ମାନଙ୍କ ମଧ୍ୟରୁ ୭୫ ଭାଗ, ଅର୍ଥାତ୍ ସମୁଦାୟ ଜନସଂଖ୍ୟାର ପ୍ରାୟ ୨୪ ପ୍ରତିଶତ ଆରଜେଡିର ପାରମ୍ପରିକ ମତଦାତା ହୋଇଥିଲେ ମଧ୍ୟ ତାହା ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଯଥେଷ୍ଟ ନୁହେଁ । ଏ ଥର ତେଜସ୍ୱୀ ଯାଦବ ଏମଜିବିର ଜାତିଗତ ଜନାଧାରକୁ ଆଉ ଅଧିକ ବଢାଇବାକୁ ସକ୍ଷମ ହେଲେ ନାହିଁ । ଏପରିକି ଏମଜିବିରେ ସାମିଲ ଥିବା ବିକାଶଶୀଲ ଇନସାନ ପାର୍ଟି (ଭିଆଇପି) ଟିକେଟ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ଶେଷ ମୁହୂର୍ତ୍ତରେ ମେଣ୍ଟରୁ ଓହରି ଯାଇ ଏନଡିଏରେ ମିଶିବା  ମେଣ୍ଟ ପାଇଁ ଘାତକ ସାବ୍ୟସ୍ତ ହେଲା । କାରଣ ନିଷାଦ (କୈବର୍ତ୍ତ) ଜାତିର ଲୋକେ ଭିଆଇପିର ସମର୍ଥକ ଓ ଏମାନଙ୍କ ସଂଖ୍ୟା ପ୍ରାୟ ୮ ପ୍ରତିଶତ । ୨୦୧୯ ଲୋକସଭା ନିର୍ବାଚନରେ ଭିଆଇପି ଏମଜିବିର ଅଂଶୀଦାର ଭାବେ ବିଜେପି ବିରୁଦ୍ଧରେ ନିର୍ବାଚନ ଲଢିଥିବାରୁ ସେହି ଦଳକୁ କୌଣସି ମତେ ଏମଜିବିରେ ରଖା ଯାଇ ପାରିଥିଲେ ଏହାର ଭୋଟ ପ୍ରତିଶତ ବଢି ପାରିଥାଆନ୍ତା । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝିଙ୍କର ହିନ୍ଦୁସ୍ତାନ ଆଓ୍ୱାମ ମୋର୍ଚ୍ଚା (ହମ) ମଧ୍ୟ ଏମଜିବିରୁ ଓହରି ଯାଇ ଏନଡିଏରେ ସାମିଲ ହେବା ଫଳରେ ମହାଦଳିତ ଭୋଟ ମଧ୍ୟ ଏନଡିଏକୁ ହସ୍ତାନ୍ତରିତ ହୋଇ ଏମଜିବିର ପ୍ରଭୁତ କ୍ଷତି ସାଧନ କଲା । ଅଣ-ଯାଦବ ଓବିସି ବର୍ଗର କୁଶଓ୍ୱାହା ଜାତିର ପ୍ରତିନିଧିତ୍ୱ କରୁଥିବା ଉପେନ୍ଦ୍ର କୁଶଓ୍ୱାହାଙ୍କ ଆରଏଲଏସପି ଦଳ ବି ଏମଜିବିରୁ ଓହରି ଯାଇ ବହୁଜନ ସମାଜ ପାର୍ଟି ଓ ଏଆଇଏମଆଇଏମ ଦଳ ସହ ମିଶି ଜିଏସଡିଏଫ ମେଣ୍ଟ ଗଠନ କଲେ । ଅବଶ୍ୟ ଭିଆଇପି, ହମ ଓ ଆରଏଲଏସପି ଏମଜିବିର ଅଂଶୀଦାର ଥିଲା ବେଳେ ଯଥାକ୍ରମେ ୩୦, ୨୦ ଓ ୩୦ଟି ଆସନ ଲାଗି ଦାବି କରିବା ସେମାନଙ୍କ ଅନାନୁପାତିକ ମହତ୍ତ୍ୱାକାଂକ୍ଷାକୁ ଦର୍ଶାଉଥିଲା, ଯାହା ପୂରଣ କରିବା ତେଜସ୍ୱୀଙ୍କ ପକ୍ଷରେ ସମ୍ଭବ ହୋଇ ନ ଥାଆନ୍ତା । ଅନ୍ୟ ପକ୍ଷରେ ନୀତିଶଙ୍କୁ ଖୋଲାଖୋଲି ବିରୋଧ କରୁଥିବା ଏଲଜେପିର ଚିରାଗ ପାଶଓ୍ୱାନଙ୍କ ସହ ସୀମିତ ଆସନରେ ଗୋପନ ବୁଝାମଣା କରିବାର ସମ୍ଭାବନାକୁ ଅନ୍ୱେଷଣ କରା ଯାଇ ପାରିଥାଆନ୍ତା । ମୋଟ ଉପରେ କହିବାକୁ ଗଲେ ଏମବିସି, ଦଳିତ ଓ ମହାଦଳିତ ବର୍ଗର ଭୋଟକୁ ଏମଜିବି ସପକ୍ଷରେ ଆଣିବା ପାଇଁ ତେଜସ୍ୱୀ ଯାଦବ ବିଧିବଦ୍ଧ ପଦକ୍ଷେପ ନେଇ ଏମଜିବିର ଜନାଧାରକୁ ବିସ୍ତାର କରିବାରେ ଅସମର୍ଥ ହେବା ଏହାର ପରାଜୟର ଅନ୍ୟତମ କାରଣ ।

ଚଳିତ ନିର୍ବାଚନରେ କଂଗ୍ରେସ ୭୦ଟି ଆସନରେ ଲଢି ମାତ୍ର ୧୯ଟିରେ ବିଜୟ ଲାଭ କରିଛି, ଯାହା ପ୍ରମୁଖ ଦଳଙ୍କ ସଫଳତା ହାର ତୁଳନାରେ ସର୍ବନିମ୍ନ । କଂଗ୍ରେସର ଏହି ବିଫଳତା ଏମଜିବିର ଆସନ ସଂଖ୍ୟା କମ ହେବାର ଏକ ବଡ କାରଣ । ୨୦୧୫ ନିର୍ବାଚନରେ କଂଗ୍ରେସ ଲଢିଥିବା ଆସନ ତୁଳନାରେ ସୁଦୃଢ ସଂଗଠନ ନ ଥାଇ ବି ଏଥର ଆହୁରି ଅଧିକ ୨୭ଟି ଆସନରେ ଲଢିବା ନିଷ୍ପତ୍ତି ହୁଏତ ଉଚିତ ନ ଥିଲା । ଏ କଥା ସତ ଯେ ପୂର୍ବେ ମୁସଲମାନ ଓ ଅନୁସୂଚୀତ ଜାତିର ମତଦାତାମାନେ କଂଗ୍ରେସକୁ ଭୋଟ ଦେବାକୁ ଆଗ୍ରହ ପ୍ରକାଶ କରୁଥିଲେ ବି ଏବେ କୌଣସି ନିର୍ଦ୍ଦିଷ୍ଟ ଜାତି ବିଶେଷ କଂଗ୍ରେସର ଉତ୍ସର୍ଗୀକୃତ ମତଦାତା ନୁହନ୍ତି । ତଥାପି ବିଜେପିର ଉଚ୍ଚ ଜାତିର ଭୋଟ ବ୍ୟାଙ୍କକୁ କାଟିବା ସହ ଏହାର ପାରମ୍ପରିକ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ହୁଏତ କଂଗ୍ରେସକୁ ଅଧିକ ଆସନ ଦିଆ ଯାଇ ଥାଇପାରେ । କଂଗ୍ରେସ ଭାଗରୁ ଆସନ ସଂଖ୍ୟା କିଛିଟା କମ କରି ଭିଆଇପି ଓ ହମ ଦଳକୁ ଦିଆ ଯାଇ ସେମାନଙ୍କୁ ଏମଜିବିରେ ରଖା ଯାଇ ପାରିଥିଲେ ଓ (ବା) ବାମପନ୍ଥୀ ଦଳଙ୍କୁ କିଛି ଅଧିକ ଆସନ ଦିଆ ଯାଇଥିଲେ ଫଳାଫଳ ନିଶ୍ଚିତ ଭାବେ ଭିନ୍ନ ହୋଇଥାଆନ୍ତା, ଏଥିରେ ସନ୍ଦେହ ନାହିଁ । ଅବଶ୍ୟ ସେ ଭଳି ସଂଗଠନ ନ ଥାଇ କଂଗ୍ରେସର ପ୍ରଦର୍ଶନ କିଛି ଖରାପ ହୋଇନାହିଁ । କଂଗ୍ରେସ ସମୁଦାୟ ପ୍ରାୟ ୪୦ ଲକ୍ଷ ଭୋଟ ପାଇବାରୁ ସୂଚୀତ ହେଉଛି ଯେ ସେଠାରେ ଦଳର ଏବେ ବି ଏକ ଉତ୍ସର୍ଗୀକୃତ ଭୋଟ ବ୍ୟାଙ୍କ ରହିଛି, ଯାହା ନେତୃତ୍ୱ ଓ ସଂଗଠନର ଅଭାବରେ କ୍ରିୟାଶୀଳ ହୋଇ ପାରୁନାହିଁ ଓ ନିର୍ବାଚନରେ ଆସନ ଦଖଲରେ ତାହା ରୂପାନ୍ତରିତ ହୋଇ ପାରୁନାହିଁ । ଆଗାମୀ ଦିନମାନଙ୍କରେ ବିଭିନ୍ନ ରାଜ୍ୟରେ ମେଣ୍ଟର ଅଂଶୀଦାର ଦଳମାନଙ୍କୁ ଆସନ ବଣ୍ଟନ ବେଳେ ଏକ ବୃହତ୍ତର ଲକ୍ଷ୍ୟ ହାସଲ କରିବା ପାଇଁ ମହତ୍ତ୍ୱାକାଂକ୍ଷାକୁ ବର୍ଜନ କରି ଅଧିକ ବ୍ୟାବହାରିକ ହେବାକୁ ହେବ । ନିଜ ଦଳକୁ କେତେ ଅଧିକ ଆସନ ମିଳିଲା ତାହା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ତାଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ ମେଣ୍ଟର କେଉଁ ଦଳକୁ କେଉଁ ଆସନ ଦିଆଗଲେ ସେଠାରେ ତାଙ୍କ ବିଜୟ ଅଧିକ ସହଜ ହେବ ଓ ଜିତି ନ ପାରିଲେ ବି ଅନ୍ତତଃ ପକ୍ଷେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ବିଜୟକୁ ପ୍ରତିହତ କରିହେବ । କାରଣ ମେଣ୍ଟର ସବୁ ଦଳଙ୍କ ମଧ୍ୟରେ ଭୋଟ ହସ୍ତାନ୍ତରଣ ସମାନ ଭାବେ ହୋଇ ନ ଥାଏ । ତାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ୨୦୧୯ ଲୋକସଭା ନିର୍ବାଚନରେ ଭୁବନେଶ୍ୱର ଆସନରୁ ବିଜେପି ପ୍ରାର୍ଥୀଙ୍କ ବିଜୟ । କଂଗ୍ରେସ ଓ ବାମ ଦଳଙ୍କ ମଧ୍ୟରେ ହୋଇଥିବା ମେଣ୍ଟରେ ଏହି ଆସନଟି ସିପିଏମକୁ ଯାଇଥିଲେ ବି କଂଗ୍ରେସର ଲକ୍ଷାଧିକ ଭୋଟ ସିପିଏମ ପ୍ରାର୍ଥୀଙ୍କୁ ହସ୍ତାନ୍ତରିତ ନ ହୋଇ ବିଜେପିକୁ ଚାଲିଗଲା ଓ ବିଜେପି ପ୍ରାର୍ଥୀ ଜିତିଗଲେ । ଏଠାରେ କଂଗ୍ରେସ ନିଜେ ପ୍ରାର୍ଥୀ ଦେଇଥିଲେ ଦଳ ଜିତି ନ ଥାଆନ୍ତା ସତ, ହେଲେ ଦଳର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀଙ୍କୁ ପରାହତ କରିବାର ଲକ୍ଷ୍ୟ ହାସଲ ହୋଇ ପାରିଥାଆନ୍ତା । ନିର୍ବାଚନରେ ନିଜ ଦଳ ବା ମେଣ୍ଟ ଜିତିବା ଯେତିକି ଗୁରୁତ୍ୱପୂର୍ଣ୍ଣ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଦଳ ହାରିବା ମଧ୍ୟ ତା’ଠାରୁ କିଛି କମ ଗୁରୁତ୍ୱପୂର୍ଣ୍ଣ ନୁହେଁ ।

ନିର୍ବାଚନରେ ‘ପ୍ରତୀୟମାନତା’ ବା ଅନୁଭବ (ପରସେପସନ) ଏକ ବଡ ଭୂମିକା ନିର୍ବାହ କରିଥାଏ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ଲାଲୁ ଯାଦବଙ୍କ ୧୫ ବର୍ଷର ଶାସନ ଏକ ନିନ୍ଦିତ ଅଧ୍ୟାୟ ଓ ଏହାକୁ ହାଇକୋର୍ଟ ଏକଦା ‘ଜଙ୍ଗଲରାଜ’ ବୋଲି ଅଭିହିତ କରିଥିଲେ । ତେଣୁ ଏ ଥର ଆରଜେଡି ତରଫରୁ ଦଳର ସବୁ ପ୍ରଚାର ସାମଗ୍ରୀରୁ ଯୋଜନାବଦ୍ଧ ଭାବେ ଲାଲୁ ଯାଦବ ଓ ରାବିଡି ଦେବୀଙ୍କ ଫଟୋକୁ ବାଦ ଦିଆ ଯାଇଥିଲା । ତେବେ ଏନଡିଏ ତରଫରୁ ଏମଜିବି ଶାସନ ଆସିଲେ ଜଙ୍ଗଲରାଜ ଫେରିବ କହି ମତଦାତାଙ୍କ ମନରେ ‘ଜଙ୍ଗଲରାଜ’ର ଭୟକୁ ରୋପଣ କରିବା ଲାଗି ଶେଷ ମୁହୂର୍ତ୍ତ ଯାଏଁ ବାରମ୍ୱାର ପ୍ରୟାସ ଜାରି ରହିଥିଲା ଓ ସେଥିରେ ସେମାନେ ସଫଳ ହୋଇଥିଲେ ମଧ୍ୟ । ଅନ୍ତତଃ ମହିଳା ଓ ବୟସ୍କ ମତଦାତାଙ୍କ ମଧ୍ୟରୁ ଅନେକେ ଏହି ପ୍ରଚାରକୁ ବିଶ୍ୱାସ କରି ମତଦାନ କରିଥିବାର ଆଭାସ ମିଳୁଛି ।

ତିନି ପର୍ଯ୍ୟାୟ ବିଶିଷ୍ଟ ଏହି ନିର୍ବାଚନକୁ ଅନୁଧ୍ୟାନ କଲେ ଜଣା ପଡେ ଯେ ପ୍ରଥମ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ୧୬୫ଟି ଆସନର ନିର୍ବାଚନରେ ଏମଜିବି ଏନଡିଏଠାରୁ ୧୬ଟି ଅଧିକ ଆସନ ପାଇଥିଲା । ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ୭8ଟି ଆସନ ପାଇଁ ନିର୍ବାଚନ ସୀମାଞ୍ଚଳ ଓ ଅନ୍ୟାନ୍ୟ କେତେକ ସ୍ଥାନରେ ହୋଇଥିଲା ଯେଉଁଥିରୁ ପ୍ରାୟ ୪୬ଟି ଆସନ ମୁସଲମାନ ବହୁଳ । ଏହା ଏମଜିବିର ଗଡ ସଦୃଶ ହୋଇଥିବାରୁ ମେଣ୍ଟ ଏଠାରେ ବିଜୟ ନେଇ ଆଶ୍ୱସ୍ତ ରହିବା ସହ ପ୍ରତିଦ୍ୱନ୍ଦ୍ୱିତାକୁ କିଛିଟା ହାଲୁକା ଭାବେ ଗ୍ରହଣ କରିଥିବା ପରି ମନେହୁଏ । ଏହି ଅଞ୍ଚଳରେ ହିଁ ଏନଡିଏ ସର୍ବାଧିକ ୫୨ଟି ଆସନ ଦଖଲ କରି ନିର୍ବାଚନୀ ଗଣିତକୁ ନିଜ ସପକ୍ଷରେ ନେବାରେ ସକ୍ଷମ ହେଲା । ଏଠାରେ ମୁସଲମାନ ଭୋଟକୁ ଧ୍ରୁବୀକରଣ କରିବା ପାଇଁ ହୋଇଥିବା ପ୍ରଚେଷ୍ଚା ଯୋଗୁ ହିନ୍ଦୁ ଭୋଟର ‘ପାଲଟା ଧ୍ରୁବୀକରଣ’ ହୋଇ ତାହା ଏନଡିଏ ସପକ୍ଷରେ ଗଲା ବୋଲି କୁହାଯାଏ । ଅନ୍ୟ ପକ୍ଷରେ ଏଠାରେ ଆଶାଉଦ୍ଦିନ ଓଓ୍ୱେସିଙ୍କ ଏଆଇଏମଆଇଏମ ଦଳ ପ୍ରାର୍ଥୀ ଦେଇଥିବାରୁ ମୁସଲମାନ ଭୋଟ ବିଭାଜିତ ହୋଇ ଏମଜିବି ଅନେକାଂଶରେ କ୍ଷତିଗ୍ରସ୍ତ ହେଲା । ଏଆଇଏମଆଇଏମକୁ ଭୋଟକଟା ଦଳ ବୋଲି କୁହା ଯାଉଥିଲେ ବି ଶେଷରେ ସେହି ଦଳ ୫ଟି ଆସନ ଅକ୍ତିଆର କରିବାକୁ ସଫଳ ହୋଇଥିବାରୁ ତା ସହ ବୁଝାମଣା କରା ଯାଇ ପାରିଥିଲେ ଏମଜିବି ପାଇଁ ଫଳ ଭିନ୍ନ ହୋଇଥାଆନ୍ତା ।

ନିର୍ବାଚନ ପରେ ‘ଯଦି’ ଓ ‘କିନ୍ତୁ’ର ସ୍ଥାନ ନାହିଁ । ତେବେ ଏଥିରୁ ଶିକ୍ଷା ଗ୍ରହଣ କରି ଭବିଷ୍ୟତରେ କାର୍ଯ୍ୟରେ ଲଗା ଯାଇ ପାରେ । ବିହାର ବିଧାନସଭା ନିର୍ବାଚନରୁ ସେମିତି କିଛି ଶିକ୍ଷା ମିଳିଛି । ଜନ ଆକାଂକ୍ଷାକୁ ପୂରଣ କରିବାକୁ ଅସମର୍ଥ ହେଲେ ଶାସକଙ୍କୁ ଜନ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡିଥାଏ । ସାଧାରଣ ସମୟରେ ଅର୍ଥ, ସୁଦୃଢ ସଂଗଠନ ନିର୍ବାଚନ ଜିତିବାରେ ସହାୟକ ହୋଇପାରେ, ହେଲେ ତାହା ଜନ ଆକ୍ରୋଶ ଆଗରେ କାମ ଦେଇ ନ ଥାଏ । ଜନ ଆକ୍ରୋଶକୁ ବିଜୟରେ ରୂପାନ୍ତରିତ କରିବା ଲାଗି ବିରୋଧୀ ଦଳରେ ବିଶ୍ୱସନୀୟ ନେତୃତ୍ୱ ଓ ସୁଦୃଢ ସଂଗଠନ ଅନିବାର୍ଯ୍ୟ । ବାମଦଳଗୁଡିକର ସଂଗଠନ ସୁଦୃଢ ଥିବାରୁ ସେମାନେ ଜନ ଆକ୍ରୋଶକୁ ଅପେକ୍ଷାକୃତ ସହଜ ଭାବେ ଭୋଟରେ ରୂପାନ୍ତରିତ କରି ପାରିଲେ । ବାମଦଳଗୁଡିକଙ୍କଠାରେ ପ୍ରତ୍ୟାବର୍ତ୍ତନ କରିବାର କ୍ଷମତା ରହିଥିବାରୁ ସେମାନଙ୍କୁ ଭାରତୀୟ ରାଜନୀତିରୁ ଖାରଜ କରି ହେବନାହିଁ । କ୍ଷମତା, ଅର୍ଥ ଓ ସଂଗଠନ ଯେ ଦଳର ବିସ୍ତାରକୁ ସୁନିଶ୍ଚିତ କରି ପାରିବ, ତାହା ଠିକ ହୋଇ ନ ପାରେ । ଦୀର୍ଘ ପ୍ରାୟ ୧୫ ବର୍ଷ କ୍ଷମତାରେ ରହି ସୁଦୃଢ ସଂଗଠନ ଓ ଅର୍ଥବଳ ଥିବା ସତ୍ତ୍ୱେ ବିଜେପି ଦଳର ଭୋଟ ୧୯ ପ୍ରତିଶତରେ ସୀମିତ ରହିବା ତା’ର ଏକ ପ୍ରମାଣ । ତେଣୁ ସ୍ଥଳ ବିଶେଷରେ ନିର୍ବାଚନ ଜିତିବା ପାଇଁ ଦଳୀୟ ବିସ୍ତାର ଅପେକ୍ଷା ଏକ ବିଜୟୀ ମେଣ୍ଟ ଗଠନ ପାଇଁ ଉପଯୁକ୍ତ ରଣ କୌଶଳ ପ୍ରସ୍ତୁତି ଅଧିକ ଗୁରୁତ୍ୱପୂର୍ଣ୍ଣ ।

Published in Sambad on November 17, 2020

Comments

  1. ଭିନ୍ନ ଭିନ୍ନ ଦୃଷ୍ଟି କୋଣରୁ ଆଲୋକପାତ କରାଯାଇଥିବାରୁ ଆଲେଖ୍ୟ ଟି ପାଠକ ଙ୍କ ମଧ୍ୟରେ ଆଦୃତ ହୋଇଥିବ l

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...