Skip to main content

ଆଦିବାସୀ ଧର୍ମର ସ୍ୱାତନ୍ତ୍ର୍ୟ

ଫେବୃଆରୀ ୨୦୨୦ରେ ଆଦିବାସୀଙ୍କ ଧର୍ମକୁ ନେଇ ପରସ୍ପର ବିରୋଧୀ ଏପରି ଦୁଇଟି ଘଟଣା ଘଟିଲା, ଯାହାର ତରଙ୍ଗ ପ୍ରଭାବରେ ଆଗାମୀ ଦିନରେ ଆଦିବାସୀ ସମାଜରେ ଅସନ୍ତୋଷ ବୃଦ୍ଧିର ଆଶଙ୍କାକୁ ଏଡାଇ ଦେଇ ହେବନାହିଁ । ଫେବୃଆରୀ ୧୮ ତାରିଖ ଦିନ ଦିଲ୍ଲୀଠାରେ ୧୯ଟି ରାଜ୍ୟର ଆଦିବାସୀ ସଙ୍ଗଠନଗୁଡିକର ଏକ ମିଳିତ ମଞ୍ଚ ଦ୍ୱାରା ହୋଇଥିବା ପ୍ରତିବାଦ ସଭାରେ ସେମାନେ ‘ହିନ୍ଦୁ’ ନୁହନ୍ତି ଓ ସେମାନଙ୍କର ଅଲଗା ଧର୍ମ ହୋଇଥିବାରୁ ୨୦୨୧ ମସିହା ଜନଗଣନାରେ ଆଦିବାସୀଙ୍କ ଧର୍ମ ଲାଗି ଏକ ଅଲଗା କୋଡର ପ୍ରାବଧାନ କରିବା ଲାଗି ଦାବି ଉପସ୍ଥାପିତ ହେଲା । ସେହି ମାସ ଆରଏସଏସର ମୁଖ୍ୟ ମୋହନ ଭାଗବତ ଜନଗଣନା ସମୟରେ ଯେପରି ଅଧିକ ସଂଖ୍ୟକ ଆଦିବାସୀ ନିଜ ଧର୍ମ ‘ହିନ୍ଦୁ’ ବୋଲି ଘୋଷଣା କରନ୍ତି ତାହା ସୁନିଶ୍ଚିତ କରିବା ପାଇଁ ତାଙ୍କ କର୍ମୀମାନଙ୍କୁ ଆହ୍ୱାନ ଦେଲେ । ଏପରି ଉକ୍ତି ସମ୍ୱିଧାନର ଧାରା ୧୪, ୧୬ ଓ ୨୩୫ର ବିରୁଦ୍ଧାଚରଣ କରୁଛି ବୋଲି କହି କିଛି ଆଦିବାସୀ ସଙ୍ଗଠନ ମତବ୍ୟକ୍ତ କରି ତା’ର ପ୍ରତିବାଦ କଲେ । ଇତିମଧ୍ୟରେ ଅଯୋଧ୍ୟାଠାରେ ରାମ ମନ୍ଦିର ନିର୍ମାଣ ଲାଗି ବିଭିନ୍ନ ପୂଜାସ୍ଥଳୀରୁ ମାଟି ସଂଗ୍ରହ ହେଉଥିବା କ୍ରମରେ ଝାରଖଣ୍ଡର ସାରନା ସ୍ଥଳୀଗୁଡିକରୁ ମାଟି ସଂଗ୍ରହକୁ ବିରୋଧ କରି ସେଠାରେ ଆଦିବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।  ତେବେ ନିଜ ଧର୍ମକୁ ଜାହିର କରି ଆଦିବାସୀଙ୍କ ମଧ୍ୟରେ ହଠାତ୍ ଦେଖା ଦେଇଥିବା ଏହି ପୁନରୁତ୍ଥାନର ଓ ହିନ୍ଦୁ ମୌଳବାଦୀ ସଙ୍ଗଠନଙ୍କ ଦ୍ୱାରା ସେମାନଙ୍କୁ ହିନ୍ଦୁ ଧର୍ମ ଅନ୍ତର୍ଭୁକ୍ତ କରି ରଖିବା ଲାଗି ବ୍ୟଗ୍ରତାର କାରଣ ଖୋଜିବାକୁ ହେଲେ ସମଗ୍ର ପ୍ରକରଣଟିକୁ ବୁଝିବାର ଆବଶ୍ୟକତା ରହିଛି ।

ଭାରତରେ ଥିବା ପ୍ରାୟ ୧୨ କୋଟି ଅନୁସୂଚୀତ ଜନଜାତିର ଲୋକ ବିଭିନ୍ନ ପ୍ରକାର ଆଦିବାସୀ ସମ୍ପ୍ରଦାୟର ଓ ସେମାନଙ୍କର ଅଲଗା ଅଲଗା ଧର୍ମ ବିଶ୍ୱାସ ରହିଛି । ୨୦୧୧ ଜନଗଣନା ଅନୁସାରେ ୧୦.୪୫ କୋଟି ଆଦିବାସୀଙ୍କ ମଧ୍ୟରୁ ପ୍ରାୟ ୮୯ ପ୍ରତିଶତ ହିନ୍ଦୁ, ବୌଦ୍ଧ, ସାରନା ଧର୍ମ, ସାରି ଧର୍ମ, ଦୋଲୋ ପୋଲା ଆଦି ଧର୍ମର ଅନୁଯାୟୀ ହୋଇଥିବା ବେଳେ, ୯.୩ ପ୍ରତିଶତ ଖ୍ରୀଷ୍ଟିଆନ ଓ ୧.୭  ପ୍ରତିଶତ ଜନଜାତି ଇସଲାମ ଧର୍ମାବଲମ୍ୱୀ । କେତେକ ଆଦିବାସୀ ସମ୍ପ୍ରଦାୟ ନିଜକୁ ହିନ୍ଦୁ ଭାବେ ବିବେଚନା କରି ହିନ୍ଦୁ ଦେବଦେବୀ ଓ ପୂଜାପଦ୍ଧତିର ଅନୁପାଳନ କରନ୍ତି । ଏତଦଭିନ୍ନ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକେ ପ୍ରାୟ ୮୩ ପ୍ରକାର ଧାର୍ମିକ ପରମ୍ପରାର ଅନୁସରଣ କରିଥାଆନ୍ତି । ପ୍ରତ୍ୟେକଙ୍କ ଧର୍ମୀୟ ବିଶ୍ୱାସ, ପ୍ରଥା, ମୂର୍ତ୍ତି ବା ଠାକୁର, ପୂଜା ପଦ୍ଧତି, କ୍ରିୟାକର୍ମ, ସଂସ୍କୃତି ଇତ୍ୟାଦି ଅନ୍ୟଠାରୁ ଅଲଗା ଓ ତାହା ସେମାନେ ନିଜ ବିଶ୍ୱାସ ଓ ମାନ୍ୟତା ଅନୁସାରେ କରିଥାଆନ୍ତି ।  ସେଗୁଡିକ ମଧ୍ୟରେ ପ୍ରମୁଖ କେତୋଟି ହେଲା ଗୋଣ୍ଡୀ, କୋୟା ପୁନେମ, ସାରନା, ଆଦିବାସୀ, ଆଦିଧର୍ମ, ପ୍ରଭୃତି । ଆଦିବାସୀମାନଙ୍କ ମଧ୍ୟରେ ଜନସଂଖ୍ୟା ଦୃଷ୍ଟିରୁ ସର୍ବାଧିକ ଥିବା ଗଣ୍ଡମାନେ ଗୋଣ୍ଡୀ, କୋୟା ପୁନେମ ଧର୍ମର ଅନୁସରଣ କରୁଥିବା ବେଳେ ଝାରଖଣ୍ଡ ଓ ଓଡିଶାର ଅନେକ ଆଦିବାସୀ ସମ୍ପ୍ରଦାୟ ସାରନା ଧର୍ମର ଅନୁଯାୟୀ । ଆଦିବାସୀମାନେ ମୁଖ୍ୟତଃ ପ୍ରକୃତି ଉପାସକ । ସେମାନଙ୍କ ଭିତରେ ଥିବା ଭିନ୍ନତା ସତ୍ତ୍ୱେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ସେମାନଙ୍କୁ ଜାତୀୟ ସ୍ତରରେ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମର ପରିଚୟ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି, ଯଦ୍ଦ୍ୱାରା ସେମାନଙ୍କୁ ନିଜର ଧର୍ମୀୟ ପରିଚିତି ପାଇଁ ଅନ୍ୟ କୌଣସି ଧର୍ମ ଉପରେ ଆଶ୍ରିତ ହେବାକୁ ପଡିବ ନାହିଁ ।

ଭାରତରେ ୧୮୭୧ରୁ ହୋଇ ଆସୁଥିବା ଜନଗଣନା ପ୍ରକ୍ରିୟାରେ ୧୯୪୧ ମସିହା ଜନଗଣନା ପର୍ଯ୍ୟନ୍ତ ଆଦିବାସୀଙ୍କ ଧର୍ମକୁ ‘ଅନ୍ୟ ଧର୍ମ’ ଶ୍ରେଣୀରେ ରଖା ଯାଇ ଭିନ୍ନ ଭିନ୍ନ ନାମ ପ୍ରଦାନ କରାଯାଇଥିଲା । ଯେମିତି ୧୮୭୧ ମସିହା ଜନଗଣନାରେ ଏମାନଙ୍କୁ ‘ଅନ୍ୟ ଧର୍ମ’ର ବୋଲି ଚିହ୍ନିତ କରା ଯାଇଥିବା ବେଳେ, ୧୮୮୧ ଜନଗଣନାରେ ‘ଆବଅରିଜିନାଲ’ ଭାବେ ଚିହ୍ନିତ କରା ଯାଇଥିଲା । ସେହିପରି ୧୮୯୧, ୧୯୦୧, ୧୯୧୧, ୧୯୨୧, ୧୯୩୧ ଓ ୧୯୪୧ ମସିହା ଜନଗଣନାରେ ଏମାନଙ୍କୁ  ଯଥାକ୍ରମେ ‘ଫରେଷ୍ଟ ଟ୍ରାଇବ୍’, ‘ଆନିମିଷ୍ଟ’, ‘ଟ୍ରାଇବାଲ ଆନିମିଷ୍ଟ’, ‘ହିଲ ଆଣ୍ଡ ଫରେଷ୍ଟ ଟ୍ରାଇବ୍’, ‘ଟ୍ରାଇବ୍’ ଓ ‘ଟ୍ରାଇବ୍’ ଭାବେ ଚିହ୍ନିତ କରା ଯାଇଥିଲା । ଦେଶ ସ୍ୱାଧୀନତା ପରେ ୧୯୫୧ରେ ହୋଇଥିବା ପ୍ରଥମ ଜନଗଣନା ପରଠାରୁ ଆଦିବାସୀଙ୍କ ଧର୍ମକୁ ସ୍ୱତନ୍ତ୍ର ଭାବେ ଦର୍ଶାଇ ସେମାନଙ୍କୁ ଚିହ୍ନିତ କରିବା ପ୍ରକ୍ରିୟା ବନ୍ଦ ହୋଇଗଲା । ତଥାପି ଆଦିବାସୀଙ୍କୁ ‘ଅନ୍ୟ ଧର୍ମ (ଜନଜାତି)’ ବର୍ଗରେ ରଖା ଯାଇଥିଲା । ଦେଶ ସ୍ୱାଧୀନତା ପୂର୍ବରୁ  ଓ ପରବର୍ତ୍ତୀ ସମୟରେ ଆଦିବାସୀ ବହୁଳ ଅଞ୍ଚଳଗୁଡିକରେ ମିଶନାରୀମାନଙ୍କ ଦ୍ୱାରା ଧର୍ମାନ୍ତରଣ ହେଉଥିବାର ଅଭିଯୋଗମାନ ଶୁଣିବାକୁ ମିଳୁଥିଲା, ଯାହା ସମାଲୋଚିତ ହେଉଥିଲା ମଧ୍ୟ । ଏଠାରେ ୧୯୩୯ ମସିହାରେ ଇଂରେଜ ମିଶନାରୀ ଡାଃ ଚେଷ୍ଟରନଟଙ୍କ ଆଦିବାସୀଙ୍କ ଧର୍ମାନ୍ତରଣକୁ ନେଇ ଏକ ପ୍ରଶ୍ନରେ ଗାନ୍ଧୀଜୀ ଦେଇଥିବା ଉତ୍ତରଟି ପ୍ରଣିଧାନଯୋଗ୍ୟ । ଗାନ୍ଧୀଜୀ କହିଥିଲେ, “ମୁଁ ଜାଣେ ଆଦିବାସୀମାନେ ପ୍ରକୃତି ଉପାସକ (ଆନିମିଷ୍ଟ) ଭାବେ ବର୍ଣ୍ଣିତ ହେଲେ ବି କେଉଁ ଆଦି କାଳରୁ ସେମାନେ ହିନ୍ଦୁ ଧର୍ମର ଅଂଶବିଶେଷ । ସେମାନେ ଚେରମୂଳ ଭଳି ମାଟିରେ ଥିଲେ ବି ସେଗୁଡିକର ଚେର କାହିଁ କେତେ ତଳେ ଥାଏ ।” ଆଦିବାସୀମାନଙ୍କୁ ହିନ୍ଦୁ ବୋଲି ଅଭିହିତ କରିବାରେ ସାବରକର ଓ ଗାନ୍ଧୀଙ୍କ ମଧ୍ୟରେ ମତୈକ୍ୟ ପରିଲକ୍ଷିତ ହୁଏ । ଆଦିବାସୀଙ୍କ ଧର୍ମକୁ ନେଇ ଗାନ୍ଧୀଜୀଙ୍କ ଉପରୋକ୍ତ ଦୃଷ୍ଟିଭଙ୍ଗୀ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଅନେକାଂଶରେ ପ୍ରଭାବିତ କରିଥିଲା । ତେବେ ହିନ୍ଦୁ ଧର୍ମରେ ଧର୍ମାନ୍ତରିତ ହୋଇ ଭାରତୀୟ ନାଗରିକତା ଗ୍ରହଣ କରିଥିବା ମିଶନାରୀ ତଥା ପ୍ରସିଦ୍ଧ ଇଂରେଜ ନୃତତ୍ତ୍ୱବିଦ୍ ଭେରିଅର ଏଲଓ୍ୱିନ ଆଦିବାସୀଙ୍କୁ ‘ହିନ୍ଦୁ’ ବୋଲି ଦର୍ଶାଇ ଉପସ୍ଥାପନ କରିଥିବା ବଳିଷ୍ଠ ଯୁକ୍ତି ସରକାରଙ୍କ ଦ୍ୱାରା ଗ୍ରହଣୀୟ ହୋଇଥିଲା, ଯଦ୍ଦ୍ୱାରା ୧୯୫୧ ଜନଗଣନାରୁ ଆଦିବାସୀଙ୍କ ଧର୍ମକୁ ସ୍ୱତନ୍ତ୍ର ଭାବେ ଚିହ୍ନିତ କରିବାର ପ୍ରଥା ଉଠାଇ ଦିଆଗଲା । ଦେଶରେ ଆଦିବାସୀ ଉନ୍ନୟନ ଲାଗି ପ୍ରଚଳିତ ନୀତିର ଏଲଓ୍ୱିନ ଜଣେ ପ୍ରମୁଖ ରୂପକାର ଥିଲେ ।

୧୯୬୧ ମସିହାରେ ହୋଇଥିବା ଜନଗଣନାରେ ପ୍ରଥମ ଥର ଲାଗି ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଜୈନ, ବୌଦ୍ଧ, ଶିଖ ଧର୍ମାବଲମ୍ୱୀଙ୍କ ଲାଗି ଯଥାକ୍ରମେ ଏଚ, ଏମ, ସି, ଜେ, ବି ଓ ଏସ ସଂକ୍ଷିପ୍ତ ନାମର ପ୍ରୟୋଗ କରାଗଲା ଓ ଅନ୍ୟ ଧର୍ମାବଲମ୍ୱୀଙ୍କ ଧର୍ମର ପୂରା ନାମ ଲେଖା ହେଲା । ଏହି ପଦ୍ଧତି ପରବର୍ତ୍ତୀ ତିନିଟି, ଅର୍ଥାତ୍ ୧୯୯୧, ଜନଗଣନା ଯାଏଁ ବଳବତ୍ତର ରହିଲା । ତେବେ ୨୦୦୧ ମସିହାରେ ହୋଇଥିବା ଜନଗଣନାରେ ଏହି ସଂକ୍ଷିପ୍ତ ନାମ ପ୍ରୟୋଗ ପଦ୍ଧତିକୁ ପ୍ରତ୍ୟାହାର କରି ତା’ ସ୍ଥାନରେ କେବଳ ଛଅଟି ଧର୍ମ ଯଥା, ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ ଓ ଜୈନ ଧର୍ମ ଲାଗି ଯଥାକ୍ରମେ ୧, ୨, ୩, ୪, ୫, ଓ ୬ ନମ୍ୱର କୋଡ ପ୍ରଦାନ କରାଗଲା । ‘ଅନ୍ୟ ଧର୍ମ’ଗୁଡିକ ଲାଗି ଅଲଗା ଅଲଗା କୋଡ ବା ଗୋଟିଏ ଅଲଗା କୋଡର ପ୍ରାବଧାନ ନ ଥିବାରୁ ଜନଗଣନାକାରୀ ଅନ୍ୟ ଧର୍ମାବଲମ୍ୱୀଙ୍କ ଦ୍ୱାରା ଘୋଷିତ ଧର୍ମଟିର କେବଳ ନାମ ଉଲ୍ଲେଖ କଲେ । ୨୦୧୧ ଜନଗଣନାରେ ବି ଏହି ପଦ୍ଧତି ଅନୁସୃତ ହେଲା ।

ଦେଶ ସ୍ୱାଧୀନତା ପୁର୍ବରୁ ବ୍ରିଟିଶ ପୃଷ୍ଠପୋଷକତାରେ ମିଶନାରୀଙ୍କ ଦ୍ୱାରା  ହେଉଥିବା ଧର୍ମାନ୍ତରଣର ଦୃଢ ପ୍ରତିବାଦ କରି ପାରୁ ନ ଥିବା ଆଦିବାସୀଙ୍କ ପାଇଁ ଏହାର ପ୍ରତିରୋଧ ଲାଗି ହିନ୍ଦୁତ୍ୱବାଦୀଙ୍କ ଆବିର୍ଭାବ କିଛି ମାତ୍ରାରେ ଆଶ୍ୱସ୍ତିର କାରଣ ପାଲଟିଥିଲା । ତେବେ ପରେ ହିନ୍ଦୁ ମୌଳବାଦୀ ସଙ୍ଗଠନଙ୍କ ଦ୍ୱାରା ସ୍ଥଳବିଶେଷରେ ‘ଘର ଓ୍ୱାପସୀ’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ହିନ୍ଦୁ କରିବାର ପ୍ରଚେଷ୍ଟାକୁ ମଧ୍ୟ ସେମାନେ ବିରୋଧ କରି ପାରୁ ନଥିଲେ ବି ଏ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଉଥିଲା । ସ୍ୱାଧୀନତା ପରେ ଜନଗଣନା ପ୍ରକ୍ରିୟାରେ ଆଦିବାସୀଙ୍କ ଧର୍ମକୁ ଗୁରୁତ୍ୱ ଦିଆ ଯାଇ ନ ଥିବାରୁ ଜନଗଣନାକାରୀଙ୍କ ଦ୍ୱାରା ଅନେକ ଆଦିବାସୀଙ୍କୁ ସେମାନଙ୍କ ଅଜାଣତରେ ହିନ୍ଦୁ ବୋଲି ଚିହ୍ନିତ କରା ଯାଇଥିବାର ଅଭିଯୋଗ ହୁଏ । ଆଦିବାସୀ ସଙ୍ଗଠନଗୁଡିକଙ୍କ ମତରେ, ସବୁବେଳେ ଶାସନର ଉଚ୍ଚ ସ୍ତରରେ ବ୍ରାହ୍ମଣବାଦୀ ମାନସିକତାର ହିନ୍ଦୁମାନେ ରହି ଆସିଥିବାରୁ ସେମାନେ ଆଦିବାସୀଙ୍କୁ ହିନ୍ଦୁ ଧର୍ମର ଅନ୍ତର୍ଭୁକ୍ତ କରି ନିଜ ସଂଖ୍ୟା ବୃଦ୍ଧି କରିବାର ମାନସିକତାରୁ ଉପରକୁ ନ ଉଠି ସେମାନଙ୍କୁ ନ୍ୟାଯ୍ୟ ଧର୍ମୀୟ ପରିଚୟ ପ୍ରଦାନ କରିବା ଲାଗି କୁଣ୍ଠା ପ୍ରକାଶ କରି ଆସିଛନ୍ତି । ସେମାନଙ୍କର ବିଶ୍ୱାସ, ଆଦିବାସୀଙ୍କ ଧର୍ମ ଓ ହିନ୍ଦୁ ଧର୍ମ ମଧ୍ୟରେ ତିନୋଟି ମୁଖ୍ୟ ପ୍ରଭେଦ ରହିଛି । ଆଦିବାସୀମାନେ ହିନ୍ଦୁଙ୍କ ପରି ମୂର୍ତ୍ତି ପୂଜା ନ କରି ପ୍ରକୃତି ଉପାସନା କରିଥାଆନ୍ତି । ପୂଜା କରିବା ପାଇଁ ସେମାନେ ହିନ୍ଦୁଙ୍କ ପରି ବ୍ରାହ୍ମଣଙ୍କ ସହାୟତା ନେଇ ନ ଥାଆନ୍ତି । ଜନ୍ମ, ବିବାହ, ମୃତ୍ୟୁ ଆଦି ଅନୁଷ୍ଠାନଗୁଡିକରେ ହେଉଥିବା କ୍ରିୟାକର୍ମ ହିନ୍ଦୁମାନଙ୍କ କ୍ରିୟାକର୍ମଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଆଦିବାସୀ ଅଧିକାର କର୍ମୀମାନଙ୍କ ମତରେ ଭାରତୀୟ ସମ୍ୱିଧାନ ଅନୁସାରେ ଆଦିବାସୀମାନେ ସେମାନଙ୍କ ପ୍ରଥାସିଦ୍ଧ ଆଇନଗୁଡିକ (କଷ୍ଟମାରୀ ଲ’) ଦ୍ୱାରା ପରିଚାଳିତ । ହିନ୍ଦୁ ବିବାହ ଆଇନ, ୧୯୫୫ର ଧାରା ୨ ଅନୁସାରେ ଏହି ଆଇନ ଆଦିବାସୀଙ୍କ ପ୍ରତି ପ୍ରଯୁଜ୍ୟ ନୁହେଁ । ସେହିପରି ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ପାଇଁ ସଂରକ୍ଷଣ ଆଇନରେ ମଧ୍ୟ ପାର୍ଥକ୍ୟ ରହିଛି । ଆଦିବାସୀମାନଙ୍କ ମଧ୍ୟରେ ସାକ୍ଷରତା ଓ ଶିକ୍ଷା ହାର କମ ଥିବା ଯୋଗୁ ଜନଗଣନା ବେଳେ ନିଜ ଧର୍ମକୁ ଠିକ ରୂପେ ସୂଚୀତ କରିବାକୁ ଅସମର୍ଥ ହୋଇ ଅତୀତରେ ଅନେକେ ହିନ୍ଦୁ ବୋଲି ଗଣା ହୋଇଛନ୍ତି । ସେମାନଙ୍କ ଧର୍ମ ଲାଗି ଅଲଗା କୋଡ ନ ଥିବାରୁ ସ୍ଥଳ ବିଶେଷରେ ଜନଗଣନାକାରୀମାନେ ସେମାନଙ୍କ ସମ୍ପ୍ରଦାୟକୁ ଏକ ଜାତି ବୋଲି ଉଲ୍ଲେଖ କରି ସେମାନଙ୍କ ଧର୍ମ ହିନ୍ଦୁ ଲେଖୁଛନ୍ତି ବୋଲି ଅଭିଯୋଗ ହେଉଛି । ତେଣୁ ୨୦୨୧ ଜନଗଣନାରେ ଆଦିବାସୀଙ୍କ ଧର୍ମ ଲାଗି ‘ଟ୍ରାଇବାଲ’ ବା ‘ଅନ୍ୟ ଧର୍ମ’ ନାମକ ଏକ ଧର୍ମର ସ୍ୱତନ୍ତ୍ର କୋଡର ପ୍ରାବଧାନ ହେଉ ବୋଲି ଦାବି ଜୋର ଧରିଲାଣି ।

ହିନ୍ଦୁ ଧର୍ମ ଏକ ଏକେଶ୍ୱରବାଦୀ ଧର୍ମ ହୋଇ ନ ଥିବାରୁ ଓ ଏହାର ଅନେକ ମାର୍ଗ ଥିବାରୁ ଆଦିବାସୀଙ୍କ ପ୍ରକ଼ୃତି ଉପାସନାକୁ ମଧ୍ୟ ସେହିପରି ଏକ ଭିନ୍ନ ପୂଜା ପଦ୍ଧତି ବୋଲି ମନେ କରି ଏହାକୁ ହିନ୍ଦୁ ଧର୍ମର ଅଂଶବିଶେଷ ରୂପେ ଗ୍ରହଣ କରା ଯାଇପାରେ । ତଦନୁସାରେ ଜନଗଣନାରେ ଆଦିବାସୀଙ୍କ ଧର୍ମ ଲାଗି କୌଣସି ଅଲଗା କୋଡ ନ କରି ସେମାନଙ୍କୁ ହିନ୍ଦୁ ଭାବେ ଚିହ୍ନିତ କରାଯାଉ ବୋଲି ହିନ୍ଦୁ ମୌଳବାଦୀଙ୍କ ଯୁକ୍ତି । ତେଣୁ ସେମାନେ ଅନୁସୂଚୀତ ଜନଜାତିର ଲୋକଙ୍କୁ ହିନ୍ଦୁ ମଣି ସେମାନଙ୍କୁ ‘ଆଦିବାସୀ’ ନ କହି ‘ବନବାସୀ’ କହିବା ଉପରେ ଜୋର ଦେଇଥାଆନ୍ତି । ଆଦିବାସୀଙ୍କୁ ହିନ୍ଦୁ ଧର୍ମ ଭିତରେ ରଖିବା ପାଇଁ ବ୍ୟଗ୍ରତା ପଛର ଏକ ବଡ କାରଣ ହେଉଛି ୧୯୯୧ ଜନଗଣନାରେ ସମଗ୍ର ଜନସଂଖ୍ୟାର ୮୧.୫ ପ୍ରତିଶତ ହିନ୍ଦୁ ଥିବା ବେଳେ ସେହି ପ୍ରତିଶତ ୨୦୦୧ରେ ୮୦.୫ ଓ ୨୦୧୧ରେ ୭୯.୮ ପ୍ରତିଶତକୁ କମି ଆସିଛି । ଏହା ହ୍ରାସ ପାଇବାର ଅନ୍ୟତମ କାରଣ ହେଉଛି ଏଣିକି କିଛି ଆଦିବାସୀ ନିଜକୁ ହିନ୍ଦୁ ବୋଲି ପରିଚୟ ଦେବାକୁ ପ୍ରସ୍ତୁତ ନୁହନ୍ତି । ୧୯୯୧ମସିହାରେ କୌଣସି ଧର୍ମ ଦର୍ଶାଇ ନ ଥିବା ଲୋକଙ୍କ ସମେତ ଅନ୍ୟ ଧର୍ମ ବିଶ୍ୱାସୀଙ୍କ ପ୍ରତିଶତ ୦.୫ ଥିବା ବେଳେ ତାହା ୨୦୦୧ ଓ ୨୦୧୧ ଜନଗଣନାରେ ଯଥାକ୍ରମେ ୦,୭ ଓ ୦.୯ ପ୍ରତିଶତକୁ ବୃଦ୍ଧି ପାଇଛି । ଆଦିବାସୀଙ୍କ ମଧ୍ୟରେ ପ୍ରାୟ ୮୫ ପ୍ରତିଶତରୁ ଊର୍ଦ୍ଧ୍ୱ (ପ୍ରାୟ ୯ କୋଟି) ହିନ୍ଦୁ ଭାବେ ଚିହ୍ନିତ । ୨୦୧୧ ଜନଗଣନାରେ କେବଳ ଝାରଖଣ୍ଡ ରାଜ୍ୟରେ ୪୨ ଲକ୍ଷ ଆଦିବାସୀ ସେମାନଙ୍କ ଧର୍ମ ‘ସାରନା’ ବୋଲି ଘୋଷଣା କରିବା ପରେ ତାହାର ସିଧାସଳଖ ପ୍ରଭାବ ପଡି ହିନ୍ଦୁଙ୍କ ପ୍ରତିଶତ ହ୍ରାସ ପାଇଥିଲା । ୨୦୨୧ ଜନଗଣନାରେ ଆଦିବାସୀଙ୍କ ଧର୍ମ ପାଇଁ ଏକ ସ୍ୱତନ୍ତ୍ର କୋଡର ପ୍ରାବଧାନ କରାଗଲେ ଏମାନଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୁ ଧର୍ମରୁ ଓହରି ଯାଇ ସେହି ସ୍ୱତନ୍ତ୍ର ଧର୍ମ ଅନ୍ତର୍ଭୁକ୍ତ ହୋଇପାରନ୍ତି, ଯଦ୍ଦ୍ୱାରା ସମଗ୍ର ଜନସଂଖ୍ୟାରେ ହିନ୍ଦୁଙ୍କ ପ୍ରତିଶତ ଯଥେଷ୍ଟ ହ୍ରାସ ପାଇବାର ଆଶଙ୍କା ଦେଖା ଦେଇପାରେ । ଏହା ହିଁ ହିନ୍ଦୁ ମୌଳବାଦୀଙ୍କ ଉତ୍କଣ୍ଠାର କାରଣ । 

‘ହିନ୍ଦୁତ୍ୱ’ର ପ୍ରବର୍ତ୍ତକ ସାବରକର ତାଙ୍କ ‘ଏସେନସିଆଲସ ଅଫ ହିନ୍ଦୁତ୍ୱ’ ପୁସ୍ତକରେ ଲେଖିଛନ୍ତି ଯେ ଭାରତଭୂମିକୁ ଉଭୟ ପିତୃଭୂମି ଓ ପୁଣ୍ୟଭୂମି ବୋଲି ଗ୍ରହଣ କରୁଥିବା ସବୁ ଧର୍ମର ଅନୁଯାୟୀ ହିନ୍ଦୁ ଧର୍ମ ଅନ୍ତର୍ଭୁକ୍ତ ଓ ସେମାନଙ୍କୁ ହିନ୍ଦୁ କହି ହେବ । ସେହି ତର୍କରେ ଆଦିବାସୀଙ୍କ ସମେତ ବୌଦ୍ଧ, ଜୈନ, ଶିଖ ଧର୍ମାବଲମ୍ୱୀଙ୍କୁ ମଧ୍ୟ ହିନ୍ଦୁ କହି ହେବ । ତେବେ ହିନ୍ଦୁମାନେ ସେପରି ଗ୍ରହଣ କଲେ ବି ଅନ୍ୟ ଧର୍ମାବଲମ୍ୱୀ, ଯେଉଁମାନଙ୍କ ଉଦ୍ଦେଶ୍ୟରେ ଏହି ବିଚାର ଉପସ୍ଥାପିତ ହେଉଛି, ସେମାନେ ଏହି ତର୍କକୁ ଗ୍ରହଣ କରି ନିଜେ ହିନ୍ଦୁ ଭାବେ ପରିଚିତ ହେବାକୁ ଆଗ୍ରହୀ କି ? ଯଦି ଆଗ୍ରହୀ, ତେବେ କୌଣସି ସମସ୍ୟା ନାହିଁ, ଆଉ ଯଦି ସେମାନେ ଏଥିରେ ସହମତ ନୁହନ୍ତି ତେବେ କୌଣସି ଧର୍ମାବଲମ୍ୱୀ ନିଜ ବିଚାରଧାରାକୁ ଅନ୍ୟ ଉପରେ ଥୋପିବାର ଅପଚେଷ୍ଟା କରିବା କେବଳ ବେଆଇନ ନୁହେଁ, ଅସାମ୍ୱିଧାନିକ ମଧ୍ୟ । ଉପରୋକ୍ତ ତର୍କ କେତେକ ଆଦିବାସୀ ସଂଗଠନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ସାରିଥିବାରୁ ସେମାନଙ୍କ ଧର୍ମ ଲାଗି ଅଲଗା କୋଡର ଦାବିକୁ ସହୃଦୟତାର ସହ ବିଚାର କରିବାର ଅବକାଶ ରହିଛି, ଯଦ୍ଦ୍ୱାରା ସମାଜର ଏକ ନିଷ୍ପେଷିତ ବର୍ଗର ଆକାଂକ୍ଷାର ପରିପୂରଣ ସହ ସାମାଜିକ ଅସ୍ଥିରତାକୁ ଏଡାଇ ଦେଇ ହେବ ।


Published in Sambad on October 8, 2020 


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍