ସୁଦର୍ଶନ ନିଉଜ ଚ୍ୟାନେଲ ଦ୍ୱାରା ‘ୟୁପିଏସସି ଜିହାଦ’ ନାମକ ଏକ କାର୍ଯ୍ୟକ୍ରମର ଚାରିଟି ଅଧ୍ୟାୟ ପ୍ରସାରିତ ହୋଇ ମୁସଲମାନମାନେ ଆଇଏଏସ, ଆଇପିଏସ ଭଳି ସିଭିଲ ସର୍ଭିସେସରେ ଅଧିକ ସଂଖ୍ୟକ ଚାକିରୀ ଦଖଲ କରିବାକୁ କିପରି ଏକ ଷଡଯନ୍ତ୍ରରେ ଲିପ୍ତ ବୋଲି ଦର୍ଶାଇବାକୁ ଚେଷ୍ଟା କରାଯାଇଥିଲା । ଏହାର ବିଷୟବସ୍ତୁ ଅତ୍ୟନ୍ତ ଆପତ୍ତିଜନକ ଓ ଘୃଣା ଉଦ୍ରେକକାରୀ ହୋଇଥିବାରୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଲା ଓ ଅଦାଲତ ମଧ୍ୟ ତାହା ଗ୍ରହଣ କରି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ଅବଶିଷ୍ଟ ଅଧ୍ୟାୟଗୁଡିକର ପ୍ରସାରଣ ଉପରେ ପ୍ରତିବନ୍ଧ ଲଗାଇଲେ । ମାମଲାର ଶୁଣାଣି ଅବସରରେ ଅଦାଲତଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ – “ଭାରତ ବିବିଧ ସଭ୍ୟତା, ସଂସ୍କୃତି, ଧର୍ମ ଓ ଭାଷାର ଏକ ମିଳନସ୍ଥଳୀ । ଅଦାଲତ ସାମ୍ୱିଧାନିକ ମୂଲ୍ୟବୋଧର ସଂରକ୍ଷକ ହୋଇଥିବାରୁ ଗୋଟିଏ ଧର୍ମୀୟ ସମ୍ପ୍ରଦାୟକୁ ତିରସ୍କାର କରିବା ଲାଗି ହେଉଥିବା ଯେ କୌଣସି ଉଦ୍ୟମକୁ ଏହା ଅନୁମୋଦନ ନ କରି ଗମ୍ଭୀରତାର ସହ ଦେଖିବ । ସାମ୍ୱିଧାନିକ ମୂଲ୍ୟବୋଧକୁ କାର୍ଯ୍ୟକାରୀ କରିବା ଲାଗି ଏହା ଉପରେ ନ୍ୟସ୍ତ ଗୁରୁ ଦାୟିତ୍ୱ, ଏହାଠାରୁ ଆଦୌ କିଛି କମ ଆଶା କରେ ନାହିଁ ।“ କହିବା ବାହୁଲ୍ୟ ଯେ ଏହା ପ୍ରକୃତରେ ଘୃଣା ଓ ବିଦ୍ୱେଷର ପ୍ରସାର କରୁଥିବା ସମସ୍ତ ନିଉଜ ଚ୍ୟାନେଲଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ଏହି ଚ୍ୟାନେଲଗୁଡିକ ଦ୍ୱାରା ପ୍ରସାରଣ କରାଯାଉଥିବା ସାମ୍ପ୍ରଦାୟିକ ବିଷର ପରିଣତି ଯେ କେତେ ଭୟାବହ ହୋଇପାରେ, ତାହା ରୁଆଣ୍ଡା ରେଡିଓର ଅନୁଭୂତିରୁ ସ୍ପଷ୍ଟ ହୋଇ ସାରିଛି ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ହିଟଲରଙ୍କ ଶାସନାଧୀନ ଜର୍ମାନୀରେ ନାଜିମାନଙ୍କ ଦ୍ୱାରା ଖବରକାଗଜ ଓ ପତ୍ରିକାଗୁଡିକରେ ଯୋଜନାବଦ୍ଧ ଓ କ୍ରମାଗତ ଭାବେ ଇହୁଦୀବିରୋଧୀ ଘୃଣା ଉଦ୍ରେକକାରୀ ଲେଖା ଓ ମନ୍ତବ୍ୟମାନ ପ୍ରକାଶ ପାଇବାକୁ ଲାଗିଲା । ଏଥିରେ ‘ଡିଅର ଷ୍ଟ୍ୟୁର୍ମର’ ସମ୍ୱାଦପତ୍ରର ସମ୍ପାଦକ ଜୁଲିଅସ ଷ୍ଟ୍ରାଇକରଙ୍କର ଅଗ୍ରଣୀ ଭୂମିକା ଥିଲା । ସେ ତାଙ୍କ ରଚନା ମାଧ୍ୟମରେ ଇହୁଦୀମାନଙ୍କ ବିରୁଦ୍ଧରେ ଘୃଣାର ମଞ୍ଜି ଏପରି ବୁଣି ଚାଲିଥିଲେ ଯେ ୧୯୩୫ ମସିହା ବେଳକୁ ସମ୍ୱାଦପତ୍ରଟିର ଗ୍ରାହକ ସଂଖ୍ୟା ବଢି ୬ ଲକ୍ଷରେ ପହଞ୍ଚି ସାରିଥିଲା । ଶେଷରେ ନାଜିମାନଙ୍କ ଦ୍ୱାରା ପ୍ରାୟ ୬୦ ଲକ୍ଷ ଇହୁଦୀଙ୍କ ହତ୍ୟା ଓ ଗଣସଂହାର ମାଧ୍ୟମରେ ସେହି ଘୃଣାର ଫସଲର ଲଜ୍ଜାଜନକ ଅମଳ ହୋଇଥିଲା । ବିଶ୍ୱଯୁଦ୍ଧର ପରିସମାପ୍ତି ପରେ ଗଠିତ ଇଣ୍ଟରନ୍ୟାସନାଲ ମିଲିଟାରୀ ଟ୍ରିବ୍ୟୁନାଲ ଯୁଦ୍ଧବନ୍ଦୀଙ୍କର ବିଚାରରେ ସମ୍ୱାଦପତ୍ରର ସମ୍ପାଦକ ଷ୍ଟ୍ରାଇକରଙ୍କୁ ମାନବତା ବିରୋଧରେ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ । ‘ଡିଅର ଷ୍ଟ୍ୟୁର୍ମର’ରେ ପ୍ରକାଶିତ ତାଙ୍କ ରଚନା ଓ ସମ୍ପାଦକୀୟ ପରୋକ୍ଷରେ ଇହୁଦୀଙ୍କ ହତ୍ୟା ଓ ଗଣସଂହାରର କାରଣ ପାଲଟିଥିଲା ବୋଲି ଟ୍ରିବ୍ୟୁନାଲ ସ୍ପଷ୍ଟ ମତ ବ୍ୟକ୍ତ କରିଥିଲେ । ଟ୍ରିବ୍ୟୁନାଲର ପ୍ରେସିଡେଣ୍ଟଙ୍କ ଅନୁସାରେ, “ସପ୍ତାହ ପରେ ସପ୍ତାହ, ମାସ ପରେ ମାସ, ସେ ତାଙ୍କ ଭାଷଣ ଓ ରଚନାରେ ଜର୍ମାନୀ ଲୋକଙ୍କ ମନକୁ ଇହୁଦୀବିଦ୍ୱେଷର ଜୀବାଣୁରେ ସଂକ୍ରମିତ କରି ଚାଲିଥିଲେ ଏବଂ ଜର୍ମାନୀର ଲୋକଙ୍କୁ ଇହୁଦୀଙ୍କୁ ଅତ୍ୟାଚାର କରିବା ପାଇଁ ଉସୁକେଇ ଚାଲିଥିଲେ ।“ ସମୁଦାୟ ଯେଉଁ ୧୨ ଜଣଙ୍କୁ ଟ୍ରିବ୍ୟୁନାଲ ଫାଶି ଦଣ୍ଡାଦେଶ ଦେଇଥିଲେ ସେମାନଙ୍କ ମଧ୍ୟରେ ଷ୍ଟ୍ରାଇକର ଥିଲେ ଏକମାତ୍ର ସାମ୍ୱାଦିକ ।
ରାଜନୈତିକ ନେତା ଓ କେତେକ ଗଣମାଧ୍ୟମ କିଭଳି ଭୟାବହ ଘୃଣାର ପ୍ରସାର କରି ବୀଭତ୍ସ ଗଣସଂହାରମାନ ସମ୍ଭବ କରାଇ ଥାଆନ୍ତି, ତାର ସଦ୍ୟତମ ଉଦାହରଣ ମିଳିଥିଲା ୧୯୯୪ ମସିହାରେ, ରୁଆଣ୍ଡାରେ । ମଧ୍ୟ ଆଫ୍ରିକୀୟ ଦେଶ ରୁଆଣ୍ଡା ଏକ ଛୋଟ ଦେଶ ଓ ଏହାର ଜନସଂଖ୍ୟାର ପ୍ରାୟ ୮୦ ପ୍ରତିଶତ ହୁଟୁ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ପ୍ରାୟ ୧୪ ପ୍ରତିଶତ ଟୁଟି ଆଦିବାସୀ ସମ୍ପ୍ରଦାୟର । ୧୯୫୯ ମସିହାରୁ ସଙ୍କୀର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ବିଭିନ୍ନ ସମୟରେ ହୁଟୁ ସମ୍ପ୍ରଦାୟର କିଛି ରାଜନୈତିକ ନେତା ଟୁଟି ବିରୋଧୀ ମନ୍ତବ୍ୟମାନ ଦେଇ ଆସୁଥିଲେ । ତେବେ ନବେ ଦଶକର ଆରମ୍ଭରୁ କିଛି ଗଣମାଧ୍ୟମ ବି ଟୁଟି ବିରୋଧୀ ଅଭିଯାନରେ ସାମିଲ ହୋଇଗଲେ, ଯେଉଁମାନଙ୍କ ମଧ୍ୟରେ ଥିଲେ ‘କାଙ୍ଗୁରା’ ସମ୍ୱାଦପତ୍ରର ସମ୍ପାଦକ ହାସନ ଏନଜିଇଜି । ତେବେ ଏହି ‘ଘୃଣା ଗଣମାଧ୍ୟମ’ର କେତେ ମାରାତ୍ମକ ହୋଇପାରେ, ତା’ର ଉଦାହରଣ ମିଳିଥିଲା ‘ଆରଟିଏଲଏମ’ ନାମକ ଏକ ଘରୋଇ ରେଡିଓ ଷ୍ଟେସନରୁ । କୁହାଯାଏ ସରକାରଙ୍କ ଘୃଣାର ରାଜନୀତିକୁ ପ୍ରଚାର କରିବା ପାଇଁ ସରକାରଙ୍କ ପରୋକ୍ଷ ସମର୍ଥନରେ ଏହି ରେଡିଓ ଷ୍ଟେସନର ପ୍ରତିଷ୍ଠା ହୋଇଥିଲା । ଏହି ରେଡିଓ ଷ୍ଟେସନ ମାଧ୍ୟମରେ ଟୁଟିମାନଙ୍କ ପ୍ରତି ଇନେଞ୍ଜି (ଅସରପା) ଓ ଇଞ୍ଜୋକା (ସାପ) ଭଳି ଅପଶବ୍ଦ ପ୍ରଯୋଗ କରି ସେମାନଙ୍କୁ ନିପାତ କରିବା ପାଇଁ ଆହ୍ୱାନ ଦିଆଗଲା । ଟୁଟିମାନେ ଅପେକ୍ଷାକୃତ ଡେଙ୍ଗା ହୋଇଥିବାରୁ ‘ଡେଙ୍ଗା ଗଛଗୁଡିକୁ କାଟି ପକାଅ’ ଭଳି ଘୋଷଣା ରେଡିଓରୁ ଶୁଣିବାକୁ ମିଳିଲା । ଆରଟିଏଲଏମ ରେଡିଓର ସବୁଠାରୁ ବଡ ଉପଲବ୍ଧି ଥିଲା ସେ ପର୍ଯ୍ୟନ୍ତ ଉଦାରବାଦୀ ଥିବା ହୁଟୁମାନଙ୍କ ମଧ୍ୟରେ ବିଷାକ୍ତ ଓ ଆକ୍ରମଣକାରୀ ଶବ୍ଦ ପ୍ରୟୋଗ ମାଧ୍ୟମରେ ସେମାନଙ୍କ ମଧ୍ୟରେ ଘୃଣାର ବିଷ ସଞ୍ଚରଣ କରିବାକୁ ସମର୍ଥ ହେବା । ଗଣସଂହାରର ଠିକ୍ ମାସକ ପୂର୍ବରୁ ରେଡିଓରେ ଗଣସଂହାରର ପୂର୍ବ ସୂଚନା କିଛି ଏମିତି ଦିଆ ଯାଇଥିଲା, “ଯେଉଁ ଦିନ ଲୋକେ ଜାଗି ଉଠିବେ ଓ ଟୁଟିମାନଙ୍କୁ ଆଉ ଦେଖିବାକୁ ଚାହିଁବେ ନାହିଁ, ଯେବେ ସେମାନେ ଏକଜୁଟ ହୋଇ ସେମାନଙ୍କ ହୃଦୟରୁ ତମକୁ ଘୃଣା କରି ବସିବେ ... ମୁଁ ଭାବୁଛି ତମେମାନେ କେମିତି ଖସି ଯାଇପାରିବ ।“ ଦେଶରେ ଘୃଣାର ବାତାବରଣ ଚରମରେ ଥିବା ବେଳେ ସରକାର ନୀରବ ରହି ପରୋକ୍ଷରେ ଏହାକୁ ସମର୍ଥନ କରୁଥିଲେ । ଏହି ସମୟରେ ରୁଆଣ୍ଡାର ତତକାଳୀନ ରାଷ୍ଟ୍ରପତି ଜୁଭେନଲ ହବିୟୋରୁମାନାଙ୍କର ସନ୍ଦେହଜନକ ଭାବେ ଏକ ବିମାନରେ ପରଲୋକ ହେଲା । ତାହା ହୁଟୁମାନଙ୍କୁ ଏ ଭଳି ଉତକ୍ଷିପ୍ତ କଲା ଯେ ସେମାନେ ହଜାର ହଜାର ସଂଖ୍ୟାରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଟୁଟିମାନଙ୍କ ଉପରେ କୁଦି ପଡିଲେ । ଟୁଟି ସମ୍ପ୍ରଦାୟ ପ୍ରତି ଆରମ୍ଭ ହୋଇଥିବା ଅମାନବୀୟ ଶବ୍ଦପ୍ରୟୋଗ ଶେଷରେ ବୀଭତ୍ସ ରକ୍ତପାତରେ ପରିସମାପ୍ତ ହେଲା ଓ ପ୍ରାୟ ୧୦ ଲକ୍ଷ ଲୋକ ହତ୍ୟା ଓ ଗଣସଂହାରର ଶିକାର ହେଲେ ଯହିଁରେ ୮ ଲକ୍ଷ ଥିଲେ ଟୁଟି ସମ୍ପ୍ରଦାୟର । ଜାତିସଂଘ ଦ୍ୱାରା ଗଠିତ ଇଣ୍ଟରନ୍ୟାସନାଲ କ୍ରିମିନାଲ ଟ୍ରିବ୍ୟୁନାଲ ଫର ରୁଆଣ୍ଡା (ଆଇସିଟିଆର) ‘ଆରଟିଏଲଏମ’ ରେଡିଓର ପ୍ରତିଷ୍ଠାତା ଫର୍ଡିନାଣ୍ଡ ନାହିମାନ ଓ ‘କାଙ୍ଗୁରା’ର ସମ୍ପାଦକ ଏନଜିଇଜିଙ୍କୁ ଗଣସଂହାର ଓ ମାନବତା ବିରୁଦ୍ଧରେ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା ।
୧୯୨୭ ମସିହା ମଇ ମାସରେ ଲାହୋରଠାରେ ସଂଘଟିତ ଏକ ଦଙ୍ଗା ପରେ ଭଗତ ସିଂହ ବ୍ୟଥିତ ହୋଇ ପଞ୍ଜାବୀ ଭାଷାରେ ପ୍ରକାଶ ପାଉଥିବା ‘କିରତୀ’ ପତ୍ରିକାର ଜୁନ ସଂଖ୍ୟାରେ ଲେଖିଥିବା ‘ଧର୍ମବାର ଫସାଦ ତେ ଉନହା ଦେ ଇଲାଜ’ ( ସାମ୍ପ୍ରଦାୟିକ ଦଙ୍ଗା ଓ ତାହାର ନିରାକରଣ) ପ୍ରବନ୍ଧର କିୟଦଂଶ ଏଠାରେ ଉଦ୍ଧାର କରା ଯାଇପାରେ । ସେତେବେଳେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ପାଇଁ କିଛି ସମ୍ୱାଦପତ୍ର ଯେଉଁ ଭଳି ଭୂମିକା ନିର୍ବାହ କରୁଥିଲେ ସେଥିରେ ଦୁଃଖ ପ୍ରକାଶ କରି ଭଗତ ସିଂହ ଲେଖିଥିଲେ, “ସାମ୍ପ୍ରଦାୟିକ ହିଂସାକୁ ଉସୁକାଇବା ଦିଗରେ ଖବରକାଗଜ ମଧ୍ୟ ଅନ୍ୟତମ ଆୟୁଧ ଭାବେ କାମ କରିଥାଆନ୍ତି । ଏକଦା ଅତି ମହାନ ବୋଲି ବିବେଚିତ ହେଉଥିବା ସାମ୍ୱାଦିକତାର ବୃତ୍ତି ଏଣିକି ନୀଚ ଓ ମଇଳା ହେବାକୁ ଲାଗିଲାଣି । ଏମାନେ ବଡ ବଡ ଅକ୍ଷରର ଶୀର୍ଷଲେଖ ସହ ଉତ୍ତେଜନା ସୃଷ୍ଟିକାରୀ କାହାଣୀମାନ ଛାପନ୍ତି, ଯାହା ବିଭିନ୍ନ ସମ୍ପ୍ରଦାୟଙ୍କ ଭିତରେ ନିରନ୍ତର ଘୃଣାର ମନୋଭାବ ସୃଷ୍ଟି କରି ଚାଲିଥାଏ । ପ୍ରକୃତରେ ଏପରି ଅନେକ ଉଦାହରଣ ରହିଛି ଯେଉଁଠି ଖବରକାଗଜରେ ଏ ଭଳି ଉତ୍ତେଜକ ଲେଖା ପ୍ରକାଶ ପାଇ ଦଙ୍ଗା ହୋଇଛି । ଏପରି ଅଶାନ୍ତ ସମୟରେ ଖୁବ କମ ସାମ୍ୱାଦିକ ହଲପ କରି କହି ପାରିବେ ଯେ ସେମାନେ ସେମାନଙ୍କ ମନ ଓ ହୃଦୟ ମଧ୍ୟରେ ସନ୍ତୁଳନ ରକ୍ଷା କରି ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି । ଲୋକଙ୍କୁ ଶିକ୍ଷିତ କରିବା, ସେମାନଙ୍କ ମନକୁ ସଙ୍କୀର୍ଣ୍ଣ ସାମ୍ପ୍ରଦାୟିକ ବିଚାରରୁ ମୁକ୍ତ କରିବା, ସାମ୍ପ୍ରଦାୟିକ ମନୋଭାବକୁ ଦୂର କରିବା ଓ ଏକ ‘ସାଧାରଣ ଜାତୀୟତାବାଦ’କୁ ଆଗକୁ ନେବା ଲାଗି ସେମାନଙ୍କ ଭିତରେ ପ୍ରକୃତ ସମ୍ପ୍ରୀତି ସୃଷ୍ଟି କରିବା ଦିଗରେ କାମ କରିବା ଖବରକାଗଜଗୁଡିକର କର୍ତ୍ତବ୍ୟ ହୋଇଥିଲେ ବି ସେମାନେ ଠିକ ତା’ର ବିପରୀତଟି କରୁଛନ୍ତି, ଯଦ୍ଦ୍ୱାରା ‘ସାଧାରଣ ଜାତୀୟତାବାଦ’ର ଲକ୍ଷ୍ୟ ଭାଗ ଭାଗ ହେଉଛି । ମୋ’ ଆଖିରୁ ଲହୁର ଲୁହ ବହିବାର ମୁଖ୍ୟ କାରଣ ହେଉଛି ମୁଁ ଯେତେବେଳେ ମୋ’ ଏବର ଭାରତ କଥା ଭାବେ ଓ ବିସ୍ମିତ ହୁଏ ‘ଭାରତର କ’ଣ ହେବ’ ?” ବାସ୍ତବରେ ୧୯ ବର୍ଷର ଯୁବକ ଭଗତ ସିଂହଙ୍କ ଦ୍ୱାରା ୯୩ ବର୍ଷ ତଳେ ଲେଖା ହୋଇଥିବା ଏଇ ଧାଡିଗୁଡିକ ଆଜି ବି କେତେ ପ୍ରାସଙ୍ଗିକ !
ଗଲା କିଛି ଦିନ ଧରି ଭାରତରେ କିଛି ନିଉଜ ଚ୍ୟାନେଲ ଟିଭି ଆଲୋଚନାକୁ ଯେଉଁ ଭଳି ଯୋଜନାବଦ୍ଧ ଢଙ୍ଗରେ ହିନ୍ଦୁ-ମୁସଲମାନ ବିଷୟବସ୍ତୁ ଉପରେ କେନ୍ଦ୍ରିତ କରି ରଖିବାରେ ସଫଳ ହୋଇଛନ୍ତି, ତାହା ଉଭୟ ସମ୍ପ୍ରଦାୟଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି କରି ସମ୍ପ୍ରୀତି ଭଙ୍ଗ କରିବା ସହ ସାଧାରଣ ଜନତାଙ୍କ ଜୀବନ-ଜୀବିକାର ପ୍ରସଙ୍ଗଗୁଡିକୁ ଆଲୋଚନା କରାଇ ନ ଦେଇ ଗୌଣ କରି ଦେଉଛି । ଆଲୋଚନାରେ ଅଂଶ ଗ୍ରହଣକାରୀମାନେ ପରସ୍ପରକୁ ଆକ୍ଷେପ କରି ଯେଉଁ ଭଳି ଅଶାଳୀନ ଭାଷାର ପ୍ରୟୋଗ କରନ୍ତି, ତାହା ଅଧିକାଂଶ ସମୟରେ ଆଲୋଚନାର ସ୍ତରକୁ ତଳକୁ ନେଇ ଯାଇଥାଏ ଓ ତାହା ଉତ୍ତେଜନା ବୃଦ୍ଧି ସହ ପରିବେଶକୁ କଳୁଷିତ କରିଥାଏ । ଫଳରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ବୃଦ୍ଧି ପାଇ ସମ୍ପର୍କରେ ଖାଇ ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଥାଏ, ଯାହାର ସୁଦୂର ପ୍ରସାରୀ ମନ୍ଦ ପ୍ରଭାବ ରହିଛି । ସମାଜରେ ଘୃଣା ଓ ବିଦ୍ୱେଷର ବାତାବରଣ ସୃଷ୍ଟି କରୁଥିବା ଗଣମାଧ୍ୟମଗୁଡିକୁ ନିୟନ୍ତ୍ରିତ କରିବା ଦାୟିତ୍ୱ ସରକାରଙ୍କର । କିନ୍ତୁ ତା’ର ଅଭାବରେ ଏ ଭଳି ଚ୍ୟାନେଲଗୁଡିକ ନିଜକୁ ଅମିତ ଶକ୍ତିଶାଳୀ ବୋଲି ମନେ କରି ଅଭିବ୍ୟକ୍ତିର ସ୍ୱତନ୍ତ୍ରତାକୁ ଦ୍ୱାହି ଦେଇ ଅଧିକ ଘୃଣା ଓ ବିଦ୍ୱେଷ ପ୍ରସାରଣ କରି ଚାଲନ୍ତି । ଅବଶ୍ୟ ଇତି ମଧ୍ୟରେ ବଜାଜ ଅଟୋ, ପାର୍ଲେ ଜି ଭଳି କିଛି କମ୍ପାନୀ ଘୃଣା ଓ ବିଦ୍ୱେଷର ପ୍ରସାର କରୁଥିବା ସମ୍ୱାଦ ଚ୍ୟାନେଲଗୁଡିକୁ ବିଜ୍ଞାପନ ନ ଦେବା ଲାଗି ଘୋଷଣା କରି ସାରିଲେଣି । ବିଜ୍ଞାପନରୁ ଆୟ ଏହି ଚ୍ୟାନେଲଗୁଡିକର ଆୟର ଏକ ମୁଖ୍ୟ ଉତ୍ସ ହୋଇଥିବାରୁ ହୁଏତ କିଛି ଚ୍ୟାନେଲ ଏହା ଦ୍ୱାରା ପ୍ରଭାବିତ ହୋଇପାରନ୍ତି । କିନ୍ତୁ ଏପରି କିଛି ଚ୍ୟାନେଲ ଅଛନ୍ତି ଯେଉଁମାନେ ଦର୍ଶକଙ୍କୁ ଘୃଣା ଓ ବିଦ୍ୱେଷର ପ୍ରଚାର ଲାଗି ଏ ଭଳି ପ୍ରତିବନ୍ଧକୁ ଖାତିର କରନ୍ତି ନାହିଁ ଓ ସେମାନଙ୍କ ଆୟର ଉତ୍ସ ମଧ୍ୟ ଭିନ୍ନ ହୋଇଥାଏ । ତେଣୁ ଏ ଭଳି ଘୃଣାର ପ୍ରସାର କରୁଥିବା ଚ୍ୟାନେଲଗୁଡିକଠାରୁ ଦୂରେଇ ରହି ଏକ ଘୃଣା ଓ ବିଦ୍ୱେଷରହିତ ଭାରତର ନିର୍ମାଣ ପାଇଁ ସାଧାରଣ ଜନତା କେବଳ ସଜାଗ ରହିବା ଯଥେଷ୍ଟ ହେବ ନାହିଁ ବରଂ ଏ ଭଳି ଚ୍ୟାନେଲଗୁଡିକର ଅଭିସନ୍ଧିକୁ ବୁଝି ଏଗୁଡିକୁ ଦେଖିବାରୁ ବିରତ ରହିବା ଉଚିତ । ବ୍ୟକ୍ତିଗତ ସ୍ତରରେ ଏହି ଧରଣର ପେଡ (ପଇସା ଦିଆ) ଚ୍ୟାନେଲଗୁଡିକୁ ତୁରନ୍ତ ନିଜ ପସନ୍ଦ ତାଲିକାରୁ ବାଦ ଦେବା ଓ ମାଗଣା ଚ୍ୟାନେଲଗୁଡିକୁ ନ ଦେଖିବା ଆବଶ୍ୟକ । ମାଗଣା ଚ୍ୟାନେଲଗୁଡିକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖା ଦେଇପାରେ କାରଣ ରିମୋଟ ସୁଇଚରେ ଚ୍ୟାନେଲ ବଦଳି ଯାଉଥିବାରୁ ନିଜ ଅଜାଣତରେ ବି ସୁଇଚ ଟିପି ହୋଇ ସେହି ଭଳି ଚ୍ୟାନେଲ ଆସି ଯାଇପାରେ । ବର୍ତ୍ତମାନର ବ୍ୟବସ୍ଥାରେ କେବଳ ପଇସା ଦିଆ ଚ୍ୟାନେଲର ନିର୍ବାଚନ ଗ୍ରାହକ ନିଜେ କରୁଥିବା ବେଳେ ମାଗଣା ଚ୍ୟାନେଲଗୁଡିକ ଡିସ ଟିଭି, ଟାଟା ସ୍କାଏ ଆଦି ସେବା ପ୍ରଦାନକାରୀ ସଂସ୍ଥାମାନେ ସ୍ଥିର କରିଥାଆନ୍ତି, ଯେଉଁଥିରେ ଗ୍ରାହକର କୌଣସି ସ୍ୱାଧୀନତା ନ ଥାଏ । ପେଡ ଚ୍ୟାନେଲ ଭଳି ମାଗଣା ଚ୍ୟାନେଲ ରଖିବା ବା ବାଦ ଦେବାର ସ୍ୱାଧୀନତା ଗ୍ରାହକଠାରେ ନ୍ୟସ୍ତ ହେବା ଉଚିତ । ଏହି ବ୍ୟବସ୍ଥାର ପ୍ରଚଳନ ହେଲେ ଗ୍ରାହକଠାରେ ଚ୍ୟାନେଲ ବର୍ଜନ କରିବାର କ୍ଷମତା ରହୁଥିବାରୁ ସେହି ଭଳି ଚ୍ୟାନେଲ ତାକୁ ଆଉ ହାଲୁକାରେ ଗ୍ରହଣ ନ କରି ଉଚ୍ଚ ମାନର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ଚେଷ୍ଟିତ ହୋଇ ପାରନ୍ତି । ପ୍ରତି ସେବା ପ୍ରଦାନକାରୀ ସଂସ୍ଥା ତାଙ୍କ ନିକଟରେ କେଉଁ ଚ୍ୟାନେଲକୁ କେତେ ଜଣ ଗ୍ରାହକ ସବସ୍କ୍ରାଇବ କରିଛନ୍ତି, ତାହା ପ୍ରତି ମାସ ଜଣାଇବା ଅନିବାର୍ଯ୍ୟ ହେବା ଉଚିତ, ଯାହାର ଜାତୀୟ ସ୍ତରରେ ଏକ ନିୟାମକ ସଂସ୍ଥା ଦ୍ୱାରା ସମଷ୍ଟି ପ୍ରସ୍ତୁତ କରା ଯାଇପାରିବ । ଏହି ବ୍ୟବସ୍ଥାରେ ଚ୍ୟାନେଲଓ୍ୱାରି ଗ୍ରାହକ ସଂଖ୍ୟା ଜଣା ପଡୁଥିବାରୁ ଏହା ଅଧିକ ବିଶ୍ୱସନୀୟ ହୋଇପାରିବ ଓ ଟିଆରପି ବ୍ୟବସ୍ଥାର ପରିପୂରକ ଭାବେ କାର୍ଯ୍ୟ କରି ପାରିବ ।
ରୁଆଣ୍ଡା ଗଣମାଧ୍ୟମ ମାମଲାରେ ରାୟ ଶୁଣାଇ ଆଇସିଟିଆରର ବିଚାରପତି ଜଜ ପିଲେ ମନ୍ତବ୍ୟ ଦେଇଥିଲେ, “ମାନବ ମୂଲ୍ୟବୋଧର ସୃଷ୍ଟି ଓ ବିଧ୍ୱଂସ କରିବାରେ ଗଣମାଧ୍ୟମ ଯେଉଁ ଅଖଣ୍ଡ କ୍ଷମତା ଉପଭୋଗ କରେ ତା’ ପଛରେ ଥାଏ ଏକ ମହାନ ଦାୟିତ୍ୱବୋଧ । ଯେଉଁମାନେ ଏହି ଗଣମାଧ୍ୟମକୁ ନିୟନ୍ତ୍ରଣ କରନ୍ତି, ସେମାନେ ହିଁ ପରିଣତି ପାଇଁ ଉତ୍ତରଦାୟୀ ।“ ଗଣମାଧ୍ୟମର ନିୟନ୍ତ୍ରକମାନଙ୍କୁ ମନେ ରଖିବାକୁ ହେବ ଯେ ଘୃଣାର ମଞ୍ଜି ବୁଣି ନିଜ ସ୍ୱାର୍ଥକୁ ହୁଏତ ସାମୟିକ ଭାବେ ହାସଲ କରା ଯାଇପାରେ, ହେଲେ ଘୃଣାର ଫସଲ ଏତେ ଭୟଙ୍କର ହୋଇଥାଏ ଯେ ତାକୁ ଅମଳ କରିବାର ଅନିଚ୍ଛା ସତ୍ତ୍ୱେ ଗତ୍ୟନ୍ତର ବି ନ ଥାଏ, ଆଉ ସେଥିପାଇଁ ଶେଷରେ କେବଳ ସେମାନଙ୍କୁ ନୁହେଁ ବରଂ ସମଗ୍ର ମାନବ ଜାତିକୁ ଆଶାତୀତ ମୂଲ୍ୟ ଦେବାକୁ ପଡିଥାଏ । ଅନ୍ୟ ପକ୍ଷରେ ସବୁ ପ୍ରସଙ୍ଗରେ ପ୍ରଶ୍ନ ପଚାରିବାର କ୍ଷମତା ରଖୁଥିବା ଗଣମାଧ୍ୟମ ଯଦି ନିଜର ଶକ୍ତିକୁ ଉପଯୋଗ କରି ଜାତି ଓ ସମ୍ପ୍ରଦାୟଙ୍କ ମଧ୍ୟରେ ଘୃଣା ଉତ୍ପନ୍ନର କାରଣ ପାଲଟେ ତେବେ ସରକାର ତତ୍ପରତା ଦେଖାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଓ ଜନତା ତାଙ୍କୁ ପ୍ରଶ୍ନ ପଚାରି କାଠଗଡାରେ ଛିଡା ନ କଲେ ଦେଶକୁ ରୁଆଣ୍ଡା ଭଳି ଚରମ ବିପତ୍ତିର ସମ୍ମୁଖୀନ ହେବାକୁ ହୋଇଥାଏ ।
Published in Sambad on October 29, 2020
Very relevant now.
ReplyDeleteThanks Raja Bhai
DeleteVery relevent. The irony is such activities r state sponsored. Reaping rich political dividend is the only aim...'desh jaaye bhhad me'
ReplyDeleteThanks for your opinion.
Delete