ଗାନ୍ଧୀଜୀ ତାଙ୍କ ପ୍ରାରମ୍ଭିକ ଜୀବନକାଳରେ ଅନେକ ଥର ଅପମାନର ଶିକାର ହୋଇଥିଲେ, ଏକାଧିକ ଥର ତ ବିଦେଶୀଙ୍କ ଦ୍ୱାରା । ଦକ୍ଷିଣ ଆଫ୍ରିକାରେ ଏକ ପ୍ରଥମ ଶ୍ରେଣୀ ଡବାରେ ରେଳ ଯାତ୍ରା କରୁଥିବା ବେଳେ ଜୁନ ୭, ୧୮୯୩ ରାତିରେ ଜଣେ ବର୍ଣ୍ଣବୈଷମ୍ୟବାଦୀ ଟିଟିଇ କିପରି ତାଙ୍କୁ ଅପମାନିତ କରି ଡବାରୁ ତଡି ଦେଇ ପ୍ଲାଟଫର୍ମକୁ ଠେଲି ଦେଇଥିଲେ, ସେହି ପ୍ରସଙ୍ଗଟି ବହୁ ଚର୍ଚ୍ଚିତ । ତେବେ ତା’ର ପ୍ରାୟ ବର୍ଷେ ତଳେ ଗାନ୍ଧୀଜୀ ଜଣେ ବ୍ରିଟିଶ ଅଧିକାରୀଙ୍କ ଦ୍ୱାରା ଭାରତରେ ଅନୁରୂପ ଭାବେ ଅପମାନିତ ହୋଇଥିଲେ, ଯାହା ତାଙ୍କ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା । ଗାନ୍ଧୀଜୀ ତାଙ୍କ ଆତ୍ମଜୀବନୀରେ ଏହି ଘଟଣାଟି ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ବି ତାହା ପୂର୍ବ ଘଟଣାଟି ଭଳି ସେତେ ଅଧିକ ଚର୍ଚ୍ଚିତ ନୁହେଁ ।
ମୋହନଦାସ ଇଂଲଣ୍ଡରୁ ଓକିଲାତି ପଢା ଶେଷ କରି ୧୮୯୧ରେ ଭାରତକୁ ଫେରିଲେ । ପ୍ରାୟ ଛଅ ମାସ ଧରି ସେ ବମ୍ୱେରେ ରହି ଓକିଲାତି କରିବା ପାଇଁ ଚେଷ୍ଟା କରିଥିଲେ । ପ୍ରତିଦିନ ସକାଳେ ବମ୍ୱେ ହାଇକୋର୍ଟକୁ ଯିବା ଓ ସନ୍ଧ୍ୟା ବେଳକୁ ଖାଲି ହାତରେ ଘରକୁ ଫେରିବା ଯେମିତି ତାଙ୍କର ଦୈନନ୍ଦିନ ଅଭ୍ୟାସରେ ପରିଣତ ହୋଇ ଯାଇଥିଲା । ବମ୍ୱେରେ ଓକିଲ ଭାବେ ତାଙ୍କୁ ସଫଳତା ମିଳୁ ନ ଥିବାରୁ ସେ ହତୋତ୍ସାହିତ ହୋଇ ପଡିଥିଲେ । ଏତିକି ବେଳେ ତାଙ୍କ ବଡଭାଇ ଲକ୍ଷ୍ମୀଦାସଙ୍କ ଜିଦ୍ ଯୋଗୁ ତାଙ୍କୁ ବମ୍ୱେ ଛାଡି ରାଜକୋଟକୁ ଫେରି ଆସିବାକୁ ହୋଇଥିଲା । ବାପାଙ୍କ ମୃତ୍ୟୁ ପରେ ଲକ୍ଷ୍ମୀଦାସ ଗାନ୍ଧୀ ପରିବାରର ମୁଖ୍ୟ ଥିଲେ । ମୋହନଦାସ ତାଙ୍କ ସହ ଏକାନ୍ନବର୍ତ୍ତୀ ପରିବାରର ଜଣେ ସଦସ୍ୟ ଭାବେ ରହିଲେ । ସେଠାରେ ଲକ୍ଷ୍ମୀଦାସ ଓ ତାଙ୍କ ଜଣେ ଓକିଲ ବନ୍ଧୁ ମିଶି ଲ’ ଫାର୍ମଟିଏ କରିଥିଲେ । ରାଜକୋଟରେ ମୋହନଦାସ ଜଣେ ଅର୍ଜି ଓ ଦାବା ଲେଖକ (ପିଟିସନ ରାଇଟର) ଭାବେ କାମ ଆରମ୍ଭ କରି ମାସିକ ପ୍ରାୟ ୩୦୦ ଟଙ୍କାର ଭଲ ରୋଜଗାର କରିବାକୁ ସକ୍ଷମ ହେଲେ ।
ମୋହନଦାସ ରାଜକୋଟକୁ ଆସିବା ପୂର୍ବରୁ ଲକ୍ଷ୍ମୀଦାସ ରାଜ୍ୟ କୋଷାଗାରରୁ ରାଜାଙ୍କ ଦ୍ୱାରା ସମ୍ପତ୍ତି ସ୍ଥାନାନ୍ତରଣକୁ ନେଇ ଉପୁଜିଥିବା ଏକ ବିବାଦରେ ଛନ୍ଦି ହୋଇ ପଡି କାଠିଆଓ୍ୱାଡର ପଲିଟିକାଲ ଏଜେଣ୍ଟଙ୍କ ରୋଷର ଶିକାର ହୋଇଥିଲେ । ବ୍ରିଟିଶ ସରକାରଙ୍କ ଦ୍ୱାରା ୧୯୩ଟି କରଦ ରାଜ୍ୟର ପରିଚାଳନା ପାଇଁ ଗଠିତ କାଠିଆଓ୍ୱାଡ ଏଜେନ୍ସିର କାର୍ଯ୍ୟାଳୟ ରାଜକୋଟଠାରେ ଥିଲା ଓ ସେଠାରେ ଜଣେ ପଲିଟିକାଲ ଏଜେଣ୍ଟ ଅବସ୍ଥାପିତ ହୋଇଥିଲେ । ଏଜେନ୍ସିରେ ଥିବା ଅନ୍ୟତମ ପ୍ରଥମ ଶ୍ରେଣୀ ରାଜ୍ୟ ପୋରବନ୍ଦରରେ ମୋହନଦାସଙ୍କ ଜେଜେବାପା ଉତ୍ତମଚାନ୍ଦ ଗାନ୍ଧୀ, ବାପା କରମଚାନ୍ଦ ଗାନ୍ଧୀ ଓ ଦାଦା ତୁଳସୀଦାସ ଗାନ୍ଧୀ ଦେଓ୍ୱାନ ରୂପେ କାର୍ଯ୍ୟ କରି ଆସିଥିଲେ । ରାଜା ରାଣା ଭାବସିଂହ ସିଂହାସନରେ ବସିବା ପରେ ଲକ୍ଷ୍ମୀଦାସ ତାଙ୍କର ସଚିବ ଓ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିଲେ । ସିଂହାସନ ଆରୋହଣ କରିବା ପୂର୍ବରୁ ସେ ଲକ୍ଷ୍ମୀଦାସଙ୍କ ମନ୍ତ୍ରଣା କ୍ରମେ ରାଜ୍ୟ କୋଷାଗାରରୁ ଅନେକ ସୁନାଗହଣା ଓ ବହୁ ମୂଲ୍ୟବାନ ପଥର କାଢି ନେଇଥିବାର ଅଭିଯୋଗ ହେଉଥିଲା । ଏ କଥା ପଲିଟିକାଲ ଏଜେଣ୍ଟଙ୍କ କାନରେ ପଡିବା ପରେ ସେ ଲକ୍ଷ୍ମୀଦାସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତତ୍ପର ହେଲେ । ପଲିଟିକାଲ ଏଜେଣ୍ଟଙ୍କର ତାଙ୍କ ଉପରେ ଥିବା ଧାରଣାଟି ଦୂର ହୋଇ ମାମଲାଟି ରଫାଦଫା ହୋଇ ପାରିଲେ ବିଲାତ ଫେରନ୍ତା ମୋହନଦାସଙ୍କ ସମେତ ତାଙ୍କ ପାଇଁ କାଠିଆଓ୍ୱାଡ ଏଜେନ୍ସିର କୌଣସି ରାଜ୍ୟରେ ଦେଓ୍ୱାନ ଭାବେ ନିଯୁକ୍ତି ମିଳିବାର ପଥ ସୁଗମ ହେବ ବୋଲି ଲକ୍ଷ୍ମୀଦାସ ଭାବୁଥିଲେ । ଏତିକିବେଳେ ଓଲିଭାଣ୍ଟ କାଠିଆଓ୍ୱାଡର ପଲିଟିକାଲ ଏଜେଣ୍ଟ ଭାବେ ଅବସ୍ଥାପିତ ଥିଲେ । ମୋହନଦାସ ବିଲାତରେ ପଢୁଥିବା ବେଳେ ଥରେ ଓଲିଭାଣ୍ଟ ଛୁଟିରେ ଭାରତରୁ ଇଂଲଣ୍ଡକୁ ଯାଇଥିଲେ । କୌଣସି ସୂତ୍ରରେ ଉଭୟ ଓଲିଭାଣ୍ଟ ଓ ମୋହନଦାସ ପରସ୍ପରର ନିକଟତର ହୋଇ ସେମାନଙ୍କ ଭିତରେ ଏକ ପ୍ରକାର ଘନିଷ୍ଠ ବନ୍ଧୁତା ସ୍ଥାପନ ହୋଇ ଯାଇଥିଲା । ଏ ସମ୍ପର୍କରେ ଲକ୍ଷ୍ମୀଦାସ ଅବଗତ ଥିଲେ । ସେ ଏହାକୁ ତାଙ୍କ ଈପସିତ ଲକ୍ଷ୍ୟ ହାସଲ ପାଇଁ ଏକ ସୁଯୋଗ ବୋଲି ମନେ କଲେ ।
ମୋହନଦାସ ଓଲିଭାଣ୍ଟଙ୍କୁ ସାକ୍ଷାତ କରି ଭାଇଙ୍କ ଅପରାଧର ଭ୍ରାନ୍ତ ଧାରଣାକୁ ଦୂର କରିବାର ପ୍ରୟାସ କରିବା ପାଇଁ ଲକ୍ଷ୍ମୀଦାସ ସାନଭାଇ ଉପରେ କ୍ରମାଗତ ଭାବେ ଚାପ ପକାଇବାକୁ ଲାଗିଲେ । ‘ତୋ ପାଇଁ ଯାହା କରିବା କଥା ମୁଁ ସବୁ କରିଛି । ଏବେ ଭାଇ ଯେତେବେଳେ ଅସୁବିଧାରେ ପଡିଛି ସେତେବେଳେ ତୋର କିଛି କର୍ତ୍ତବ୍ୟ ରହିଛି’ ବୋଲି ସାନଭାଇ ଉପରେ ଚାପ ପଡିବାକୁ ଲାଗିଲା । ଓକିଲାତି ପଢିବାକୁ ବିଲାତ ଯିବା ବେଳେ ବି ଲକ୍ଷ୍ମୀଦାସ ତାଙ୍କୁ ଆର୍ଥିକ ସହାୟତା କରିଥିଲେ । ତେବେ ତାଙ୍କ ପୁରୁଣା ସମ୍ପର୍କର ଉପଯୋଗରେ ଓଲିଭାଣ୍ଟଙ୍କୁ ସାକ୍ଷାତ କରି ଭାଇଙ୍କ ସପକ୍ଷରେ ଏହି କାମଟିକୁ କରିବା ଲାଗି ମୋହନଦାସଙ୍କ ବିବେକ ତାଙ୍କୁ ବାଧା ଦେଇଥିଲା । ବଡଭାଇ ଯଦି ପ୍ରକୃତରେ ଦୋଷୀ ତେବେ ତାଙ୍କ ସୁପାରିଶ କରିବାର କିଛି ଅର୍ଥ ହେବ ନାହିଁ । ଆଉ ସେ ଯଦି ନିର୍ଦୋଷ, ତେବେ ବିଧିବଦ୍ଧ ଭାବେ ପ୍ରାର୍ଥନା-ପତ୍ରଟିଏ ଦାଖଲ କରି ନିଜ ନିର୍ଦୋଷପଣିଆ ଉପରେ ଭରସା ରଖିବା ଉଚିତ ବୋଲି ସେ ମନେ କରୁଥିଲେ । ବଡଭାଇ ତାଙ୍କର ଏହି ମତକୁ ଗ୍ରହଣ କରି ପାରିଲେ ନାହିଁ । ବରଂ ସେ ମୋହନହାସଙ୍କୁ ଆକ୍ଷେପ କରି କହିଲେ, “ତୁ କାଠିଆଓ୍ୱାଡକୁ ଜାଣିନୁ, ଦୁନିଆକୁ ବି ଚିହ୍ନିନୁ । ଏଠି ତ କେବଳ ଚିହ୍ନା ପରିଚୟ, ପ୍ରଭାବରେ ହିଁ ସବୁ କାମ ହୋଇଥାଏ । ତା’ ଛଡା ତୁ ଜଣକୁ ଯାହାକୁ ଚିହ୍ନିଛୁ ତାକୁ ପଦେ କହିବାକୁ ଅମଙ୍ଗ ହୋଇ ତୋ’ ନିଜ କର୍ତ୍ତବ୍ୟ ନିର୍ବାହରୁ ଓହରି ଯିବା ପାଇଁ ଚାହୁଁଛୁ ।” ବଡଭାଇଙ୍କୁ ସେ ସିଧା ସଳଖ ନା କହି ପରିଲେନି । ଇଆଡେ ସେ ଭଲ କରି ଜାଣିଥିଲେ ଯେ ପଲିଟିକାଲ ଏଜେଣ୍ଟଙ୍କ ନିକଟକୁ ଯାଇ ଭାଇଙ୍କ ସପକ୍ଷରେ କହିବାର ତାଙ୍କର କୌଣସି ଅଧିକାର ନାହିଁ । ସେ ଧର୍ମସଙ୍କଟରେ ପଡିଗଲେ । ନିଜ ବିବେକର ଶୁଣିବେ ନା ପରିବାର ପ୍ରତି ତାଙ୍କ କର୍ତ୍ତବ୍ୟର ନିର୍ବାହ କରିବେ । ଶେଷରେ ସେ ବିବେକର ଡାକରାକୁ ଅଣଦେଖା କରି ବଡଭାଇଙ୍କ କଥା ରକ୍ଷା କରି ଓଲିଭାଣ୍ଟଙ୍କ ନିକଟକୁ ଯିବା ପାଇଁ ଏକ ପ୍ରକାର ବାଧ୍ୟ ଓ ରାଜି ହୋଇଗଲେ ।
ଏଡଓ୍ୱାର୍ଡ ଚାର୍ଲସ କେଇଲ ଓଲିଭାଣ୍ଟ, ବ୍ରିଟିଶ ସରକାରଙ୍କର ଜଣେ ବରିଷ୍ଠ ଆଇ.ସି.ଏସ ଅଫିସର ଥିଲେ । ସେ ୧୮୮୧ରୁ ୧୮୯୦ ଯାଏଁ ବମ୍ୱେ ମ୍ୟୁନିସିପାଲ କମିଶନର ଭାବେ କାର୍ଯ୍ୟ କରିଥିବା ବେଳେ ୧୮୯୦ରୁ ୧୮୯୫ ଯାଏଁ କାଠିଆଓ୍ୱାଡରେ ପଲିଟିକାଲ ଏଜେଣ୍ଟ ଓ ଷ୍ଟାମ୍ପ ରେଭିନ୍ୟୁ କଲେକ୍ଟର ଭାବେ ଅବସ୍ଥାପିତ ଥିଲେ । ଏହି ସମୟରେ ମେ ୨୫, ୧୮୯୨ରେ ତାଙ୍କୁ ବ୍ରିଟିଶ ସରକାରଙ୍କ ତରଫରୁ ସମ୍ମାନଜନକ କେ.ସି.ଆଇ.ଇ. ଉପାଧିରେ ଭୂଷିତ କରା ଯାଇଥିଲା ।
ମୋହନଦାସ ଓଲିଭାଣ୍ଟଙ୍କ ସହ ତାଙ୍କ ପୁରୁଣା ସମ୍ପର୍କକୁ ସ୍ମରଣ କରି ଆତ୍ମବିଶ୍ୱାସର ସହିତ ତାଙ୍କୁ ସାକ୍ଷାତ କରିବା ପାଇଁ ଗଲେ । ଓଲିଭାଣ୍ଟ ମଧ୍ୟ ତୁରନ୍ତ ତାଙ୍କୁ କକ୍ଷ ଭିତରକୁ ଡାକିଲେ । ହେଲେ ମୋହନଦାସଙ୍କ ହାତରେ ଫାଇଲଟିଏ ଦେଖି ତାଙ୍କ ମୁଖ ଭଙ୍ଗୀରେ ପରିବର୍ତ୍ତନ ଦେଖା ଦେଲା ।
“ଗୁଡ ମର୍ଣ୍ଣିଂ, ଆପଣ ବୋଧେ ମୋତେ ଚିହ୍ନି ପାରୁନାହାନ୍ତି । ମୁଁ ଏମ.କେ.ଗାନ୍ଧୀ ।”
“ମୋର ବେଶ ଭଲ ଭାବେ ମନେ ଅଛି ।”
ଏହା ଶୁଣି ମୋହନଦାସଙ୍କ ମନରେ ଆଶାର ସଞ୍ଚାର ହେଲା । ତଥାପି ଓଲିଭାଣ୍ଟ ତାଙ୍କୁ ବସିବାକୁ କହିଲେ ନାହିଁ । ସେ ମୋହନଦାସଙ୍କ ଉଦ୍ଦେଶ୍ୟରେ କହିଲେ, “ମୁଁ ନିଶ୍ଚିତ ଯେ ଆପଣ ଆମ ପୁରୁଣା ସମ୍ପର୍କର ଅପବ୍ୟବହାର କରିବାକୁ ଏଠିକି ଆସି ନାହାନ୍ତି ।” ଏହା ପରେ ତାଙ୍କ ଆଡକୁ ଧ୍ୟାନ ନ ଦେଇ ସେ ଅଫିସ କାମ କରି ଚାଲିଲେ ।
ମୋହନଦାସଙ୍କୁ ବାଧ୍ୟ ହୋଇ କହିବାକୁ ପଡିଲା, “ସାର୍, ମୋ’ ବଡ ଭାଇ ମି.ଏଲ.କେ.ଗାନ୍ଧୀ ରାଣା ଭାବସିଂହଙ୍କର ସଚିବ ଓ ପରାମର୍ଶଦାତା ଥିଲେ ।”
ଏଇ ପଦକ ଶୁଣି ଓଲିଭାଣ୍ଟ ଚିହିଁକି ଉଠିଲେ ଓ ତାଙ୍କ ଭାଇ ଜଣେ ଧପ୍ପାବାଦ, ସେ ଭାଇଙ୍କ ସମ୍ପର୍କରେ ତାଙ୍କଠାରୁ ଆଉ ଅଧିକ କିଛି ଶୁଣିବାକୁ ଚାହାନ୍ତି ନାହିଁ ଓ ତାଙ୍କ ଭାଇଙ୍କର ଯଦି କିଛି କହିବାର ଅଛି ତେବେ ଉଟିତ ମାର୍ଗରେ ଯାଇ କହନ୍ତୁ ବୋଲି କହିଲେ । ଏଥି ସହ ବସିବା ଜାଗାରୁ ଉଠି ପଡି କହିଲେ, “ଆପଣ ଏବେ ଆସି ପାରନ୍ତି ।”
କିନ୍ତୁ ନଛୋଡବନ୍ଧା ମୋହନଦାସ ତାଙ୍କ ଭାଇଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରି ବୁଝାଇବା ପାଇଁ ଏତେ ବ୍ୟାକୁଳ ଓ ବ୍ୟଗ୍ର ହୋଇ ପଡିଥିଲେ ଯେ ସେ ସାହେବଙ୍କ ମନୋଭାବ ପ୍ରତି ଧ୍ୟାନ ନ ଦେଇ ତାଙ୍କ ବକ୍ତବ୍ୟ ଜାରି ରଖିଲେ । ଏଥିରେ ଉତକ୍ଷିପ୍ତ ହୋଇ ସାହେବ ଘଣ୍ଟି ବଜାଇ ଚପରାଶିକୁ ଡାକି ମୋହନଦାସଙ୍କୁ ଦରଜା ଦେଖାଇ ଦେବାକୁ ଇଙ୍ଗିତ କଲେ । ଚପରାଶି ବି ମୋହନଦାସଙ୍କ କାନ୍ଧ ଉପରେ ହାତ ରଖି ତାଙ୍କୁ ମୃଦୁ ଧକ୍କାଟିଏ ଦେଇଥିଲା । ମୋହନଦାସ ପଡି ଯାଉ ଯାଉ ରହିଗଲେ ।
ଗାନ୍ଧୀଜୀ ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରରେ ଏତେ ବିଚଳିତ ହୋଇ ପଡିଥିଲେ ଯେ ସେ କାଣ୍ଡ ଜ୍ଞାନ ହରାଇ ତୁରନ୍ତ ଗୋଟେ କାଗଜରେ ଓଲିଭାଣ୍ଟଙ୍କ ନିକଟକୁ ଲେଖିଲେ ।
“ମି. ଓଲିଭାଣ୍ଟ,
ଆପଣ ଚପରାସି ଦ୍ୱାରା ଧକ୍କା ଦେଇ ମୋତେ ଅପମାନିତ କରିଛନ୍ତି । ଆପଣ ଏଥି ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ, ନ ହେଲେ ମୁଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବି ।
ଏମ.କେ.ଗାନ୍ଧୀ”
ଚପରାଶି କାଗଜ ଖଣ୍ଡିକୁ ସାହେବଙ୍କୁ ଆଣି ଦେଲା । ସଦ୍ୟ ସରକାରଙ୍କ ଦ୍ୱାରା କେସିଆଇଇ ଉପାଧିରେ ଭୂଷିତ ଓଲିଭାଣ୍ଟ ମନେ ମନେ ହସି ତୁରନ୍ତ ସେହି କାଗଜ ଉପରେ ଲେଖି ଦେଲେ,
“ଏହାଛଡା ମୋ’ ପାଖରେ ଅନ୍ୟ କୌଣସି ବାଟ ନ ଥିଲା । ଆପଣ ଅଭଦ୍ରାମି କରିବା ଆରମ୍ଭ କରି ଦେଇଥିଲେ । ତେବେ ଆପଣଙ୍କର ଯାହା ଇଚ୍ଛା ତାହା କରିବାକୁ ଆପଣ ସ୍ୱତନ୍ତ୍ର ।“
ଚପରାଶି ଆଣିଥିବା କାଗଜଟିରେ ଲେଖା ହୋଇଥିବା ବାକ୍ୟକୁ ପଢିବା ମାତ୍ରେ ମୋହନଦାସଙ୍କ ମୁଣ୍ଡକୁ ପିତ୍ତ ଚଢିଗଲା । ଘରକୁ ଫେରି ସେ ପୂରା ଘଟଣାଟିକୁ ଲକ୍ଷ୍ମୀଦାସଙ୍କ ଆଗରେ ବଖାଣିବାରୁ ସେ ବି ଖୁବ ଦୁଃଖ ପ୍ରକାଶ କଲେ । ହେଲେ ୨୩ ବର୍ଷର ତରୁଣ ମୋହନଦାସ ଏହି ଅପମାନକୁ ସହଜରେ ହଜମ କରିବାକୁ ପ୍ରସ୍ତୁତ ନ ଥିଲେ । ଓଲିଭାଣ୍ଟଙ୍କ ବିରୁଦ୍ଧରେ ମାମଲା ଦାୟର କରିବା ନେଇ ସେ ସେଠାକାର କିଛି ଓକିଲବନ୍ଧୁଙ୍କ ସହ ଆଲୋଚନା ମଧ୍ୟ କରୁଥିଲେ । ସେତିକିବେଳେ କୌଣସି ଏକ ଅଦାଲତ ମାମଲାରେ ବମ୍ୱେର ବିଖ୍ୟାତ ଓକିଲ ଫିରୋଜଶାହ ମେହଟା ରାଜକୋଟକୁ ଆସୁଥିବାରୁ ମୋହନଦାସ ଏ ସମ୍ପର୍କରେ ତାଙ୍କର ପରାମର୍ଶ ନେବା ଉଚିତ ହେବ ବୋଲି କେତେକଙ୍କ ମତ ଥିଲା ।
ସେହି ସମୟରେ ଫିରୋଜଶାହ ମେରଓ୍ୱାନଜୀ ମେହଟା ବମ୍ୱେର କେବଳ ଜଣେ ପ୍ରତିଷ୍ଟିତ ବାରିଷ୍ଟର ନ ଥିଲେ ବରଂ ସେ ଜଣେ ରାଜନେତା ମଧ୍ୟ ଥିଲେ । ସେ ଜାତୀୟ କଂଗ୍ରେସର ଜଣେ ପ୍ରତିଷ୍ଠାତା ସଦସ୍ୟ ଓ ୧୮୯୦ ମସିହାରେ ଏହାର ସଭାପତି ପଦ ଅଳଙ୍କୃତ କରି ସାରିଥିଲେ । ୧୮୭୨ମସିହାରେ ସେ ହିଁ ବମ୍ୱେ ମ୍ୟୁନିସିପାଲ ଆଇନର ଚିଠା ପ୍ରସ୍ତୁତ କରିବା ସହ ୧୮୭୩ରେ ବମ୍ୱେ ମ୍ୟୁନିସିପାଲ କମିଶନର ଭାବେ ନିଯୁକ୍ତ ହୋଇଥିଲେ । ବମ୍ୱେ ମ୍ୟୁନିସିପାଲିଟି ପ୍ରତି ତାଙ୍କ ଅମୂଲ୍ୟ ଅବଦାନ ପାଇଁ ତାଙ୍କୁ ‘ବମ୍ୱେ ମ୍ୟୁନିସିପାଲିଟିର ପିତା’ ଭାବେ ଗ୍ରହଣ କରା ଯାଇଥାଏ । ଉଲ୍ଲେଖଯୋଗ୍ୟ, ଓଲିଭାଣ୍ଟ ବମ୍ୱେ ମ୍ୟୁନିସିପାଲ କମିଶନର ଥିବା ବେଳେ ୧୮୮୪ ଓ ୧୮୮୫ ମସିହାରେ ଫିରୋଜଶାହ ଏହାର ଅଧ୍ୟକ୍ଷ ପଦ ମଣ୍ଡନ କରିଥିଲେ । ତେଣୁ ଉଭୟ ଉଭୟଙ୍କୁ ବେଶ ଭଲ ଭାବେ ଜାଣିଥିଲେ ।
ଫିରୋଜଶାହ ଏତେ ବଡ ଓକିଲ ଥିଲେ ଯେ ମୋହନଦାସଙ୍କ ପକ୍ଷରେ ତାଙ୍କୁ ସିଧା ସଳଖ ସାକ୍ଷାତ କରିବା ସମ୍ଭବ ହୋଇ ନ ଥିଲେ ବି ତାଙ୍କୁ ଡକାଇଥିବା ଓକିଲଙ୍କ ମାଧ୍ୟମରେ ଓଲିଭାଣ୍ଟଙ୍କ ମନ୍ତବ୍ୟ ସମ୍ୱଳିତ କାଗଜ ଖଣ୍ଡିକ ତାଙ୍କ ନିକଟରେ ପହଞ୍ଚାଇବାରେ ଅସୁବିଧା ହୋଇ ନ ଥିଲା । ପ୍ରଚଳିତ ବ୍ୟବସ୍ଥା ଓ ଭାରତରେ ବ୍ରିଟିଶ ଅଧିକାରୀମାନଙ୍କ ଅମାପ କ୍ଷମତା ସମ୍ପର୍କରେ ସମ୍ପୂର୍ଣ୍ଣ ଅଭିଜ୍ଞ ଫିରୋଜଶାହ କାଗଜଟିକୁ ପଢି ମତ ଦେଲେ, “ମୋହନଦାସକୁ କହି ଦିଅ, ଅଧିକାଂଶ ଓକିଲଙ୍କର ତ ଏମିତି ଅନୁଭବ ଥିବ । ସେ ମୁଣ୍ଡ ଗରମ କରିବା ଛାଡି ଦେଉ । ସେ ବିଲାତରୁ ନୂଆ ନୂଆ ଫେରିଛି । ଏ ଯାଏଁ ଜୀବନ କ’ଣ, ଦୁନିଆ କ’ଣ କିଛି ଜାଣେନି । ସେ ବ୍ରିଟିଶ ଅଧିକାରୀମାନଙ୍କୁ ଚିହ୍ନିନି । ସେ ଯଦି ରାଜକୋଟରେ ଶାନ୍ତିରେ ରହି ଦୁଇ ପଇସା ରୋଜଗାର କରିବା କଥା ଚିନ୍ତା କରୁଥାଏ, ତାହାହେଲେ ଅପମାନକୁ ହଜମ କରି ଘଟଣାଟିକୁ ପୂରାପୂରି ଭୁଲି ଯାଉ । କାଗଜ ଖଣ୍ଡିକୁ ଚିରି ଦେଉ । ମାମଲାକୁ ଆଗକୁ ବଢାଇଲେ ତା’ର କିଛି ଲାଭ ହେବା ତ ଦୂରର କଥା ବରଂ ସେ ତଳିତଳାନ୍ତ ହେବା କିଛି ବିଚିତ୍ର ନୁହେଁ ।”
ଫିରୋଜଶାହଙ୍କ ପରାମର୍ଶ ବିଷ ସଦୃଶ ହୋଇଥିଲେ ବି ମୋହନଦାସ ତାକୁ ପିଇ ଯାଇଥିଲେ । କାଗଜ ଖଣ୍ଡିକୁ ଚିରିଥିଲେ କି ନାହିଁ ଜଣା ନାହିଁ, ତେବେ ସାହେବଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ଗ୍ରହଣ କରିବା କଥା ମନରୁ ପୋଛି ଦେଇଥିଲେ, କାରଣ ସେ ବୁଝି ଯାଇଥିଲେ ଯେ ତାଙ୍କ ଲଢେଇ ବ୍ୟକ୍ତି ବିରୁଦ୍ଧରେ ନୁହେଁ ବରଂ ବ୍ୟକ୍ତିର ଅହଙ୍କାର ବିରୁଦ୍ଧରେ । ଅବଶ୍ୟ ତା’ ପଛର କାରଣ ନ ଥିଲା ରାଜକୋଟରେ ଶାନ୍ତିରେ ରହି ଜୀବିକାର୍ଜନ କରିବା । ମୋହନଦାସ ଜାଣିଥିଲେ ଯେ ସେ ବିଲାତ ଫେରନ୍ତା ହୋଇଥିବାରୁ ତାଙ୍କୁ ସହଜରେ ସେଠାକାର କୌଣସି ରାଜ୍ୟର ଦେଓ୍ୱାନ ଭାବେ ନିଯୁକ୍ତି ମିଳି ଯାଇପାରିବ । କିନ୍ତୁ ତାହା ହେଲେ ତାଙ୍କୁ ବାରମ୍ୱାର ଓଲିଭାଣ୍ଟଙ୍କ ମୁହାଁମୁହିଁ ହେବାକୁ ହେବ । ସେହିପରି ଓଲିଭାଣ୍ଟ ମାଜିଷ୍ଟ୍ରେଟ ଥିବାରୁ ସେଠାରେ ଓକିଲାତି କଲେ ତାଙ୍କୁ ବାରମ୍ୱାର ତାଙ୍କର ସାମନା କରିବାକୁ ହେବ । କୌଣସି ପରିସ୍ଥିତିରେ ଆଉ ଓଲିଭାଣ୍ଟଙ୍କ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ନ ଥିବା ଓ ଭାରତରେ କାମ କରିବା ପାଇଁ ଆବଶ୍ୟକ ହେଉଥିବା ଫନ୍ଦିଫିକରରେ ଅତିଷ୍ଠ ମୋହନଦାସ ଶେଷରେ ରାଜକୋଟ ଛାଡି ଅନ୍ୟ ଦେଶକୁ ଜୀବିକାର୍ଜନ ଲାଗି ଯିବାକୁ ସୁଯୋଗ ଖୋଜୁଥିଲେ । ଭାଗ୍ୟକୁ ଅଳ୍ପ ଦିନ ଭିତରେ ତାଙ୍କୁ ଦକ୍ଷିଣ ଆଫ୍ରିକାରେ ଓକିଲାତି କରିବା ପାଇଁ ସେହି ସୁଯୋଗ ମିଳିଗଲା ଓ ସେ ତାକୁ ଗ୍ରହଣ କରି ରାଜକୋଟ ଛାଡିଥିଲେ ।
ଏହି ଘଟଣା ପରେ ଗାନ୍ଧୀଜୀ ଏକ ବଡ ନିଷ୍ପତ୍ତି ନେଇଥିଲେ । ସେ ଶପଥ କରିଥିଲେ ଯେ ଜୀବନରେ ଆଉ କେବେ ନିଜକୁ ଏପରି ଅପ୍ରୀତିକର ପରିସ୍ଥିତିରେ ପକାଇବେ ନାହିଁ ଓ ନିଜର ଓ ଜ୍ଞାତିଜନଙ୍କ ସ୍ୱାର୍ଥ ପାଇଁ କେବେ ବି ବନ୍ଧୁତାର ଏ ଭଳି ଅପବ୍ୟବହାର କରିବେ ନାହିଁ । ଅର୍ଥାତ୍, ସେ ଆଉ କେବେ ସୁପାରିଶ କରିବେନି । ଏହି ଘଟଣା ପରେ ସାର୍ବଜନୀନ ଜୀବନରେ ପରିବାର ପ୍ରତି କର୍ତ୍ତବ୍ୟକୁ ଗୌଣ କରି ନୈର୍ବ୍ୟକ୍ତିକ ହେବା ଅଧିକ ଆବଶ୍ୟକ ବୋଲି ତାଙ୍କର ଥିବା ବିଶ୍ୱାସ ଅଧିକ ସୁଦୃଢ ହୋଇଥିଲା, ଯାହା ତାଙ୍କ ଜୀବନରେ ଅନେକ ଥର କାର୍ଯ୍ୟରେ ପ୍ରତିଫଳିତ ହୋଇଥିଲା । ସାର୍ବଜନୀନ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ‘ପ୍ରିୟାପ୍ରୀତି ତୋଷଣ’ କରିବା ହୁଏତ ଏବର ରାଜନେତା ଓ ଅମଲାତନ୍ତ୍ର ପାଇଁ ସାଧାରଣ ହୋଇଯାଇ ଥାଇପାରେ । ହେଲେ ସାର୍ବଜନୀନ ଦାୟିତ୍ୱ ନିର୍ବାହ ବେଳେ ବ୍ୟକ୍ତିଗତ ବା ପାରିବାରିକ ସ୍ୱାର୍ଥ ସହ ଦ୍ୱନ୍ଦ୍ୱ ଉପୁଜିଲେ ଗାନ୍ଧୀ ସବୁବେଳେ ବ୍ୟକ୍ତିଗତ ଓ ପାରିବାରିକ ସ୍ୱାର୍ଥକୁ ଅଣଦେଖା କରୁଥିଲେ ।
ଗାନ୍ଧୀଜୀଙ୍କ ଜୀବନରେ ଏଭଳି ଏକ ଘଟଣା ଘଟି ସେ ଅପମାନିତ ହୋଇ ନ ଥିଲେ ବୋଧେ କାଠିଆଓ୍ୱାଡର କେଉଁ ଏକ କରଦ ରାଜ୍ୟର ଦେଓ୍ୱାନ ଭାବେ ନିଯୁକ୍ତି ପାଇ ତାଙ୍କ ଅବଶିଷ୍ଟ ଜୀବନ ଅନ୍ୟ ଅନେକଙ୍କ ପରି ସାଧାରଣ ଭାବେ ସୁଖରେ ଅତିବାହିତ ହୋଇ ଯାଇଥାଆନ୍ତା । ତାଙ୍କୁ ଦକ୍ଷିଣ ଆଫ୍ରିକାକୁ ଯିବାକୁ ପଡି ନ ଥାଆନ୍ତା କି ତାଙ୍କ ପାଇଁ ଭାରତରେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣର ଅବକାଶ ନ ଥାଆନ୍ତା । ଅବସର ଗ୍ରହଣ କଲା ପରେ ଓଲିଭାଣ୍ଟଙ୍କର ୧୯୨୮ରେ ଇଂଲଣ୍ଡରେ ଦେହାନ୍ତ ହୋଇଥିଲା । ତାଙ୍କ ସହ ଗାନ୍ଧୀଜୀଙ୍କର ଆଉ କେବେ ସାକ୍ଷାତ ହୋଇଥିଲା କି ନାହିଁ, ସେ ସମ୍ପର୍କରେ କୌଣସିଠାରେ ଉଲ୍ଲେଖ ନାହିଁ । ତେବେ ୧୮୯୨ରେ ରାଜକୋଟଠାରେ ତାଙ୍କ ସହ ସେହି ଗୋଟିଏ ସାକ୍ଷାତ ଯେ ମୋହନଦାସଙ୍କ ଜୀବନର ଗତିପଥକୁ ବଦଳାଇ ତାଙ୍କୁ ମହାତ୍ମା କରିବାରେ ଏକ ବଡ ଭୂମିକା ନିର୍ବାହ କରିଥିଲା, ତାହା ନିଃସନ୍ଦେହ । ଜୀବନର ଶେଷ ପର୍ଯ୍ୟନ୍ତ ଗାନ୍ଧୀଜୀ ତାଙ୍କର ‘ଆଉ କେବେ ସୁପାରିଶ କରିବିନି’ ନିଷ୍ପତ୍ତିରେ ଅଟଳ ରହିଥିଲେ ।
Published in October 2020 issue of Paurusha.
Liked.Very readable article.
ReplyDeleteThank you sir.
Delete