ଇଭିଏମ (ଇଲେକ୍ଟ୍ରୋନିକ ଭୋଟିଂ ମେସିନ) ମାଧ୍ୟମରେ ହେଉଥିବା ନିର୍ବାଚନକୁ ନେଇ ବାରମ୍ଵାର ବିବାଦ ଉଠିବା ଓ ବିରୋଧୀ ଦଳ ଏହାର ବିଶ୍ଵସନୀୟତା ଉପରେ ପ୍ରଶ୍ନ ଉଠାଇବା, ଭାରତର ନିର୍ବାଚନୀ ବ୍ୟବସ୍ଥାକୁ ଶଙ୍କାମୁକ୍ତ କରୁନାହିଁ l ବିଭିନ୍ନ ରାଜନୈତିକ ଦଳ ଇଭିଏମ ବଦଳରେ ପୁରୁଣା ବ୍ୟାଲଟ ପେପର ବ୍ୟବସ୍ଥାକୁ ଫେରିଯିବାକୁ ପୁଣି ଦାବି ଉଠାଇଲେଣି l ଅନ୍ୟ ପକ୍ଷରେ ପୁରୁଣା ଜ୍ଞାନକୌଶଳରେ ନିର୍ମିତ ଇଭିଏମକୁ ସର୍ବଶେଷ ଓ ସର୍ବଶ୍ରେଷ୍ଠ ବୋଲି ଧରି ନେଇ ନିର୍ବାଚନ କମିଶନ ଯେମିତି ସେଇଠି ଅଟକିଯିବା ପାଇଁ ଅଧିକ ପସନ୍ଦ କରୁଛନ୍ତି l ଚର୍ଚ୍ଚା କେବଳ ଇଭିଏମ ଓ ବ୍ୟାଲଟ ପେପର ମଧ୍ୟରେ କେନ୍ଦ୍ରିତ ରହୁଥିବାରୁ ଅନ୍ୟ ବିକଳ୍ପ ନେଇ ବିତର୍କର ଦରଜା ଖୋଲୁନାହିଁ l ଏହି ପରିପ୍ରେକ୍ଷୀରେ ବ୍ଲକ ଚେନ (ବ୍ଲକ ଶୃଙ୍ଖଳ) ପଦ୍ଧତିରେ ଭୋଟଗ୍ରହଣ ସଦ୍ୟତମ ବିକଳ୍ପ ଭାବେ ଉଭା ହୋଇଥିବାରୁ ଭାରତରେ ମଧ୍ୟ ତା'ର ପ୍ରୟୋଗ କଥା ବିଚାର କରାଯାଇପାରେ l
ଇଭିଏମରେ ବୋତାମ ଟିପି ମତଦାତା ଦେଉଥିବା ଭୋଟଟି ପ୍ରକୃତରେ ତା' ପସନ୍ଦର ପ୍ରାର୍ଥୀଙ୍କ ସପକ୍ଷରେ ଯାଉଛି କି ନାହିଁ ତାହା ଜାଣିବା ତା' ପକ୍ଷେ ସମ୍ଭବ ହେଉ ନଥିବାରୁ ଇଭିଏମ ସହ ଭିଭିପାଟ (ଭୋଟର ଭେରିଫାଏବଲ୍ ପେପର ଅଡିଟ ଟ୍ରେଲ) ମେସିନ ସଂଯୁକ୍ତ ହେବା କଥା ଉଠିଲା l ମତଦାତା ଇଭିଏମରେ ବୋତାମ ଟିପିଲା ପରେ ସାତ ସେକେଣ୍ଡ ପର୍ଯ୍ୟନ୍ତ ସେ ଦେଇଥିବା ଭୋଟ ଅନୁଯାୟୀ ପ୍ରାର୍ଥୀଙ୍କ ଚିହ୍ନ ଥାଇ କାଗଜଟିଏ ଭିଭିପାଟରେ ଦେଖିପାରନ୍ତି ଓ ତାପରେ କାଗଜ ଖଣ୍ଡଟି ସେଥିରେ ଗଚ୍ଛିତ ହୋଇଯାଏ l ଭାରତରେ ପ୍ରଥମ ଥର ପାଇଁ ୨୦୧୩ ମସିହା ସେପ୍ଟେମ୍ଵର ମାସ ନାଗାଲାଣ୍ଡର ନୋକସେନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପରୀକ୍ଷାମୂଳକ ଭାବେ ଭିଭିପାଟ ମେସିନର ବ୍ୟବହାର ହୋଇଥିଲା l ସୁପ୍ରିମ କୋର୍ଟରେ ଦାୟର ଏକ ମାମଲାରେ ପ୍ରତି ଇଭିଏମ ସହ ଭିଭିପାଟ ମେସିନ ସଂଯୁକ୍ତ କରି ୨୦୧୯ରେ ନିର୍ବାଚନ କରାଇବା ପାଇଁ କୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଏଥିପାଇଁ ଆବଶ୍ୟକ ୧୬.୫୦ ଲକ୍ଷ ଭିଭିପାଟ ମେସିନ ପାଇଁ ୩୧୭୩ କୋଟି ଟଙ୍କା ଖର୍ଚ୍ଚ ହେବ l ଏହି ବ୍ୟୟବହୁଳ ପଦ୍ଧତିକୁ ଗ୍ରହଣ କରି ସୁପ୍ରିମକୋର୍ଟ ଇଭିଏମରେ ଭିଭିପାଟ ମେସିନ ସଂଯୁକ୍ତ କରିବା ଉପରେ ଜୋର ଦେବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ମତଦାତାଠାରେ ପ୍ରତ୍ୟୟ ସୃଷ୍ଟି କରିବା ଯେ ସେ ଦେଇଥିବା ଭୋଟଟି ତା ପସନ୍ଦର ପ୍ରାର୍ଥୀଙ୍କ ସପକ୍ଷରେ ଯାଇଛି, ଅନ୍ୟ କାହାକୁ ନୁହେଁ, ଯାହା ଇଭିଏମ ଦ୍ଵାରା ସମ୍ଭବ ହେଉ ନଥିଲା l
୨୦୧୬ ମସିହାରେ କଲମ୍ଵିଆରେ ଶାନ୍ତିପ୍ରତିଷ୍ଠା ପାଇଁ ହୋଇଥିବା ଜନମତ ସଂଗ୍ରହ ପ୍ରକ୍ରିୟାରେ ପ୍ରଥମ ଥର ପାଇଁ ବ୍ଲକ ଚେନ ପଦ୍ଧତିକୁ ବ୍ୟବହାର କରାଯାଇଥିଲା l ତେବେ ୨୦୧୮ ମସିହା ମାର୍ଚ୍ଚ ମାସ ଆଫ୍ରିକୀୟ ଦେଶ ସିଏରା ଲିଓନିର ରାଷ୍ଟ୍ରପତି ନିର୍ବାଚନରେ ପ୍ରଚଳିତ ଭୋଟ ଗ୍ରହଣ ପଦ୍ଧତି ସହିତ ଏକ ସଙ୍ଗେ ବ୍ଳକ ଚେନ ପଦ୍ଧତିରେ ମଧ୍ୟ ଏକ ପ୍ରଦର୍ଶନ ଭୋଟ ଗ୍ରହଣ ହେଲା, ଯାହା ଏହି ପଦ୍ଧତିରେ ବିଶ୍ଵର ସର୍ବ ପ୍ରଥମ ନିର୍ବାଚନ l ଏହି ପଦ୍ଧତି ଅନୁଯାୟୀ ଜଣେ ମତଦାତା ଭୋଟଦାନ କେନ୍ଦ୍ରକୁ ନଯାଇ ମଧ୍ୟ ଘରେ ବା ଅଫିସରେ ବସି ନିଜ ମୋବାଇଲ ଫୋନ ବା କମ୍ପ୍ୟୁଟରରେ ମତଦାନ କରି ପାରିବେ l ଏଥିପାଇଁ ତାଙ୍କ ଫୋନ ବା କମ୍ପ୍ୟୁଟରରେ ଅନ୍ୟ ଯେ କୌଣସି ଆପ୍ଲିକେସନ ପରି ଭୋଟିଂ ବୁଥ ଆପ୍ଲିକେସନକୁ ଡାଉନଲୋଡ କରିବାକୁ ହୋଇଥାଏ l ତାପରେ ନିଜର ପରିଚୟ ସୂଚନା ସହ ମତଦାତା କ୍ରମିକ ସଂଖ୍ୟା ସୂଚନା ପ୍ରଦାନ କଲେ କମ୍ପ୍ୟୁଟର ଏହି ଦୁଇଟି ସୂଚନାକୁ ମେଳାଇ ମତଦାନ କରିବାକୁ ଅନୁମତି ଦେଇଥାଏ l ମତଦାତା କମ୍ପ୍ୟୁଟର ବା ମୋବାଇଲ ଫୋନରେ ମତଦାନ କରିବା ପରେ ତାଙ୍କ ଭୋଟଟି ଏକ ବ୍ଲକ ଭାବେ ବ୍ଲକ ଚେନ ଭୋଟ ବାକ୍ସରେ ଜମା ହୋଇଯାଏ l ଏହି ପଦ୍ଧତିରେ ମତଦାତାଙ୍କ ପରିଚୟ ଅଜଣା ରହିବା ସହିତ ତାଙ୍କ ମତଦାନର ଗୋପନୀୟତା ବଜାୟ ରହିଥାଏ l କେବଳ ସେତିକି ନୁହେଁ, ଭୋଟଗ୍ରହଣ ଚାଲିଥିଲା ବେଳେ ସେ ନିଜର ଭୋଟକୁ ଏକାଧିକ ଥର ବଦଳାଇ ପାରିବେ l ନିର୍ବାଚନ ମଣ୍ଡଳୀ ବାହାରେ ଥାଇ ମଧ୍ୟ ନିର୍ବାଚନରେ ଭାଗ ନେବାରେ କୌଣସି ଅସୁବିଧା ନଥାଏ l ତେଣୁ ଡାକ ଯୋଗେ ଭୋଟ ଦାନର ଆବଶ୍ୟକତା ନଥାଏ l ଯାହାଙ୍କଠାରେ କମ୍ପ୍ୟୁଟର ବା ମୋବାଇଲର ସୁବିଧା ଉପଲବ୍ଧ ନଥାଏ, ସେମାନେ ଭୋଟଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇପାରନ୍ତି l ସେଠାରେ ଅନ୍ୟ ନିର୍ବାଚନ ମଣ୍ଡଳୀର ମତଦାତା ବି ଭୋଟ ଦେଇପାରନ୍ତି l ଏହା ଦ୍ଵାରା ଅଧିକ ସଂଖ୍ୟକ ମତଦାତା ମତଦାନରେ ଅଂଶଗ୍ରହଣ କରିବାକୁ ସକ୍ଷମ ହୋଇ ମତଦାନ ହାର ବୃଦ୍ଧି ପାଇଥାଏ l ମତଦାନ କେନ୍ଦ୍ରରେ କୌଣସି ବ୍ୟାଲଟ କାଗଜ, ଭୋଟ ବାକ୍ସ ବା ଇଭିଏମ, ଭିଭିପାଟ ରହୁ ନଥିବାରୁ ସେଠାରେ ମତଦାନକୁ ନେଇ ଗଣ୍ଡଗୋଳ ହେବାର ଆଶଙ୍କା ନଥାଏ l ତେଣୁ କୌଣସି କେନ୍ଦ୍ରରେ ପୁନଃ ଭୋଟଗ୍ରହଣ ହେବାର ଆବଶ୍ୟକତା ଉପୁଜେ ନାହିଁ l ଟିପଚିହ୍ନ ବା ଅନ୍ୟ ବାୟୋମେଟ୍ରିକ ପଦ୍ଧତିରେ ମତଦାତାଙ୍କ ଚିହ୍ନଟ ହେଉଥିବାରୁ ଭୋଟଗ୍ରହଣ ପାଇଁ ଅଧିକ କର୍ମଚାରୀ ଦରକାର ହୁଅନ୍ତି ନାହିଁ l ଏହି ପଦ୍ଧତିରେ ଭୌତିକ ଭାବେ ଭୋଟ ଗଣା ଯାଉନଥିବାରୁ ଭୋଟଗଣତି କେନ୍ଦ୍ର ଦରକାର ହୁଏନାହିଁ କି ଭୋଟଗ୍ରହଣ କେନ୍ଦ୍ରରୁ ଭୋଟ ଗଣତି କେନ୍ଦ୍ର ପର୍ଯ୍ୟନ୍ତ ଇଭିଏମ, ଭିଭିପାଟ ବା ଭୋଟ ବାକ୍ସ ଆଦି ବୋହି ନେବାକୁ ହୋଇ ନଥାଏ l ଭୋଟଦାନ ସହ ଭୋଟ ଗଣତି ଚାଲୁଥିବାରୁ ଭୋଟ ଗଣତି ପାଇଁ ଅଲଗା ଭାବେ ସମୟ ଦରକାର ହୁଏନାହିଁ l ତେଣୁ ଭୋଟଗ୍ରହଣ ସମୟ ସରିବାର ଅଳ୍ପ ସମୟ ମଧ୍ୟରେ ନିର୍ବାଚନ ଫଳ ଘୋଷଣା ସମ୍ଭବ ହୋଇଥାଏ l ଏହି ପଦ୍ଧତି ଅନୁସୃତ ହେଲେ ଦେଶରେ ନିର୍ବାଚନ ପାଇଁ ହେଉଥିବା ସମୟ ଓ ହଜାର ହଜାର କୋଟି ଟଙ୍କାର ଅପଚୟକୁ ଯଥେଷ୍ଟ ହ୍ରାସ କରିହେବ l ଉଲ୍ଲେଖଯୋଗ୍ୟ, ୨୦୦୯ ଲୋକସଭା ନିର୍ବାଚନ ପାଇଁ ରାଜକୋଷରୁ ୧୪୮୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୧୪ ନିର୍ବାଚନରେ ତାହା ଦୁଇ ଗୁଣରୁ ଅଧିକ ବଢି ୩୪୨୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା l
ପ୍ରଶ୍ନ ଉଠୁଛି ଏହି ଧରଣର ଭୋଟଗ୍ରହଣ ପଦ୍ଧତି କେତେ ସୁରକ୍ଷିତ, ନିଷ୍ପକ୍ଷ ଓ ବିଶ୍ଵସନୀୟ l ଏହା ବୁଝିବା ପାଇଁ ବ୍ଲକ ଚେନ ପଦ୍ଧତିର ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ସମ୍ୟକ ଧାରଣା ଆବଶ୍ୟକ l ଏହି ଜ୍ଞାନକୌଶଳର ପ୍ରଥମ ପ୍ରୟୋଗ ୨୦୦୮ ମସିହାରେ ‘ବିଟ କଏନ’ କ୍ଷେତ୍ରରେ କରାଯାଇଥିଲା l ଇତି ମଧ୍ୟରେ ଦଶ ବର୍ଷ ବିତି ଯାଇଥିଲେ ମଧ୍ୟ ବିନା ଅଭିଯୋଗରେ ଏହା ସୁରୁଖୁରୁରେ କାମ କରିଆସିଛି l ବ୍ଳକ ଚେନ ଇଣ୍ଟରନେଟ ଜ୍ଞାନକୌଶଳ ଭଳି ହେଲେ ମଧ୍ୟ ଏହାର ଅନ୍ତର୍ନିହିତ ଶକ୍ତି ଯଥେଷ୍ଟ ଅଧିକ l ବସ୍ତୁତଃ, ଏହା ଅନେକ ବ୍ୟବହାରକାରୀ (ନୋଡ)ଙ୍କ ଏକ ଜାଲ (ନେଟଓ୍ଵାର୍କ) ସଦୃଶ l ପ୍ରତି ବ୍ୟବହାରକାରୀଙ୍କ କାରବାର (ଟ୍ରାନଜେକସନ) ବ୍ଳକ ଆକାରରେ ଜମା ହୋଇଥାଏ l କୌଣସି ଜଣକଠାରେ ଏହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହୁ ନଥିବାରୁ କେହି ଚେଷ୍ଟା କରି ମଧ୍ୟ ଶୃଙ୍ଖଳର ତଥ୍ୟକୁ ବଦଳାଇ ପାରନ୍ତି ନାହିଁ l ଅପର ପକ୍ଷରେ କୌଣସିଠାରେ ଏହା ସଠିକ କାମ ନକଲେ ମଧ୍ୟ ତାର ଶୃଙ୍ଖଳ ଉପରେ କିଛି ପ୍ରଭାବ ପଡି ନଥାଏ l କାରଣ, ସମ୍ପୂର୍ଣ୍ଣ ତଥ୍ୟ ଶୃଙ୍ଖଳର ଅନ୍ୟମାନଙ୍କଠାରେ ଉପଲବ୍ଧ ଥାଏ l ସବୁ ବ୍ୟବହାରକାରୀଙ୍କ ନିକଟରେ ସମସ୍ତଙ୍କ କାରବାରର ବିବରଣୀ ଗୋପନୀୟ (ଏନକ୍ରିପ୍ଟେଡ) ଭାବେ ରହୁଥିବାରୁ ଏହା ସମ୍ପୂର୍ଣ୍ଣ ପାରଦର୍ଶୀ ଓ ଅପରିବର୍ତ୍ତନୀୟ l ଏହି ଜ୍ଞାନକୌଶଳ ଏବେ ବ୍ୟାଙ୍କ ସେବା ପ୍ରଦାନ କ୍ଷେତ୍ରରେ ବହୁଳ ବ୍ୟବହାର ହେଉଛି ଓ ଶାସନର ବିଭିନ୍ନ କ୍ଷେତ୍ରରେ ମଧ୍ୟ ଏହାର ପ୍ରୟୋଗ ହେବା ଆରମ୍ଭ ହେଲାଣି l ତେଣୁ ବ୍ଲକ ଚେନ ପଦ୍ଧତିରେ ଥିବା ଉପରୋକ୍ତ ସୁବିଧାଗୁଡିକୁ ବ୍ୟବହାର କରି ନିର୍ବାଚନକୁ ମୁକ୍ତ, ଅବାଧ, ନିଷ୍ପକ୍ଷ ଓ ବିଶ୍ଵସନୀୟ ଢଙ୍ଗରେ କରିହେଉଛି l
ବ୍ୟାଲଟ କାଗଜରେ ହେଉ ଅଥବା ଇଭିଏମରେ, ଭୋଟଗଣତି କେନ୍ଦ୍ରିତ (ସେଣ୍ଟ୍ରାଲାଇଜଡ) ଭାବେ ହୋଇଥାଏ l ଅସାଧୁ ବ୍ୟକ୍ତିଙ୍କୁ ସୁଯୋଗ ମିଳିଲେ କାଳେ ହେରଫେର କରିବାକୁ ସକ୍ଷମ ହେବେ, ତେଣୁ ସବୁ ଭୋଟ ବାକ୍ସ ବା ଇଭିଏମକୁ ଗୋଟିଏ ସ୍ଥାନକୁ ଅଣାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥାଏ l ବ୍ଲକ ଚେନ ପଦ୍ଧତିରେ ମତଦାନର ସମସ୍ତ ହିସାବ ବଣ୍ଟିତ (ଡିଷ୍ଟ୍ରିବ୍ୟୁଟେଡ) ଭାବେ ବିଭିନ୍ନ ସ୍ଥାନ (ସର୍ଭର ବା କମ୍ପ୍ୟୁଟର)ରେ ରହୁଥିବାରୁ ସେହି ଆଶଙ୍କା ନଥାଏ l ମତଦାନ ଫଳାଫଳକୁ ଅଦଳବଦଳ କରିବାକୁ ହେଲେ ମତଦାନର ହିସାବ ଥିବା ସବୁ ସ୍ଥାନରେ ଏକକାଳୀନ ବଦଳାଇବାକୁ ହେବ, ଯାହା ସମ୍ଭବ ନୁହେଁ l
ଗଣତନ୍ତ୍ରରେ ନିର୍ବାଚନ ଜରିଆରେ ଜନମତ ପରିପ୍ରକାଶ ହେଉଥିବାରୁ ନିର୍ବାଚନ ହିଁ ଗଣତନ୍ତ୍ରର ହୃଦୟ l ତେଣୁ ନିର୍ବାଚନ ପରିଚାଳନା କରୁଥିବା ସଂସ୍ଥା ପ୍ରଚଳିତ ପଦ୍ଧତି ସ୍ଥାନରେ ନୂଆ ପଦ୍ଧତି ଆପଣେଇବାକୁ ଅନିଚ୍ଛା ପ୍ରକାଶ କରିବା ସ୍ଵାଭାବିକ l ଭିଭିପାଟ ମେସିନର ପ୍ରଚଳନ ପାଇଁ ମଧ୍ୟ ନିର୍ବାଚନ କମିଶନ ପ୍ରଥମେ ଅମଙ୍ଗ ହେଉଥିଲେ l ଭାରତରେ ସ୍ମାର୍ଟ ଫୋନ ଓ କମ୍ପ୍ୟୁଟରର ସାନ୍ଧ୍ରତା ତଥା ଇଣ୍ଟରନେଟ ଯୋଗାଯୋଗ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିଥିବାରୁ ବ୍ଲକ ଚେନ ପଦ୍ଧତିରେ ପରୀକ୍ଷାମୂଳକ ଭାବେ କିଛି ସ୍ଥାନରେ ନିର୍ବାଚନ କରାଯାଇପାରେ l ଏହା ଏକ ପରୀକ୍ଷିତ ଜ୍ଞାନକୌଶଳ ହୋଇଥିଲେ ମଧ୍ୟ ନିର୍ବାଚନରେ ଏହାର ପ୍ରୟୋଗ ଅପେକ୍ଷାକୃତ ନୂଆ l ତେଣୁ ଆଶାନୁରୂପ ସଫଳତା ମିଳିଲେ ଯାଇ ତାହା ସର୍ବତ୍ର ବ୍ୟବହାରରେ ଅଣା ଯାଇପାରେ l ତାହାହେଲେ ହୁଏତ ଆଗାମୀ ଦିନରେ ଇଭିଏମ ପ୍ରତ୍ୟାହାର ହୋଇ ବ୍ଳକ ଚେନ ପଦ୍ଧତିରେ ନିର୍ବାଚନ ହେବ, କାରଣ ଏହାଦ୍ଵାରା ଦେଶ, ରାଜନୈତିକ ଦଳ ଓ ଲୋକଙ୍କର ହଜାର ହଜାର କୋଟି ଟଙ୍କା ସହ ବହୁମୂଲ୍ୟ ସମୟ ସଞ୍ଚୟ ହୋଇପାରିବ l ତା' ଛଡା ବୈଷୟିକ ଜ୍ଞାନକୌଶଳକୁ ଆଧାର କରି ଯଦି ନିର୍ବାଚନ ପରିଚାଳିତ ହେବା ସ୍ଥିର, ତେବେ ପୁରୁଣା ଜ୍ଞାନକୌଶଳକୁ ଧରି ରଖିବା ଅପେକ୍ଷା ଭବିଷ୍ୟତର ଜ୍ଞାନକୌଶଳକୁ ଆପଣେଇବା ଅଧିକ ସମୀଚୀନ ନୁହେଁ କି ?
Published in Sambad on August 13, 2018
Comments
Post a Comment