ଭାରତ ସରକାରଙ୍କ ବେସାମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଓଡିଶା ସମେତ ଦେଶର ପାଞ୍ଚଟି ରାଜ୍ୟରେ ଜଳ ବିମାନଘା଼ଟି ପ୍ରତିଷ୍ଠା କରାଯିବ ବୋଲି ନୀତିଗତ ନିଷ୍ପତ୍ତି ଘୋଷଣା ହୋଇଛି । ପ୍ରଥମ ଦଫାରେ ଓଡିଶାର ଚିଲିକା ଓ ଗୁଜରାଟର ସାବରମତି ରିଭର ଫ୍ରଣ୍ଟ ଓ ନର୍ମଦା ସରୋବର ଡ୍ୟାମରୁ ସି ପ୍ଲେନ ଉଡିବା ସ୍ଥିର ହୋଇଛି । ଚିଲିକା ହ୍ରଦ ସହ ଜୀବନ ଜୀବିକା ଜଡିତ ଲୋକ ଓ ଅନୁଷ୍ଠାନଗୁଡିକୁ ବିଶ୍ଵାସକୁ ନ ନେଇ ଏକ ତରଫା ଭାବେ ଚିଲିକାରୁ ସି ପ୍ଲେନ ଚଳାଚଳ ଘୋଷଣା ପରେ ଏହାକୁ ଅନେକେ ବିରୋଧ କରିବା ଆରମ୍ଭ କଲେଣି । କେହି କେହି ଏହାର ପରିବେଶଗତ କୁପ୍ରଭାବ ଉପରେ ପ୍ରଶ୍ନ ଉଠାଉଥିବା ବେଳେ ଅନ୍ୟ କେହି ଏହାର ପର୍ଯ୍ୟଟନ ଉପରେ ପଡିବାକୁ ଥିବା ପ୍ରତିକୂଳ ପ୍ରଭାବ ଉପରେ ସନ୍ଦେହ ବ୍ୟକ୍ତ କଲେଣି ।
ସି ପ୍ଲେନ ଅଷ୍ଟ୍ରିଆର ଉଇଲହେମ କ୍ରେସଙ୍କ ଦ୍ଵାରା ୧୮୯୮ ମସିହାରେ ଉଦ୍ଭାବନ ହୋଇଥିଲା । କ୍ରମଶଃ ଏହାର ବ୍ୟାବସାୟିକ ଉପଯୋଗ ହେବାକୁ ଲାଗିଲା । ଦ୍ଵିତୀୟ ବିଶ୍ଵଯୁଦ୍ଧ ପର୍ଯ୍ୟନ୍ତ ଏହା ବହୁଳ ଭାବେ ବ୍ୟବହୃତ ହେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବେଗ ଓ ଅନ୍ୟାନ୍ୟ କାରଣରୁ ଏହାର ଆଦୃତି କମିଲା । ଦୁର୍ଗମ ଓ ସମ୍ଵେଦନଶୀଳ ଅଞ୍ଚଳକୁ ଦ୍ରୁତ, ନିରାପଦ ଯାତାୟତର ସୁବିଧା ଯୋଗାଇ ଦେବା ପାଇଁ ସି ପ୍ଲେନଠାରୁ ଭଲ ସାଧନ ଆଉ କିଛି ନାହିଁ । ଅନୁସନ୍ଧାନକାରୀ, ଗବେଷକ, ଉଦ୍ଧାରକାରୀ ଦଳ, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା, ଆଦିଙ୍କ ପାଇଁ ଏହା ସୁବିଧାଜନକ । ଏବେ ବି ଆଲାସ୍କା ଓ କାନାଡାର ଦୁର୍ଗମ ଅଞ୍ଚଳ ତଥା କାରିବୀୟ ସାଗରର ବିଭିନ୍ନ ଦ୍ଵୀପ ମଧ୍ୟରେ ସି ପ୍ଲେନ ବ୍ୟାବସାୟିକ ଭିତ୍ତିରେ ଚଳାଚଳ କରୁଛି । ମାଲଦିଭରେ ଅନେକଗୁଡିଏ ଦ୍ଵୀପ ଦୁର୍ଗମ ଅଞ୍ଚଳରେ ଥିବାରୁ ସେଠାରେ ସି ପ୍ଲେନ ଟ୍ୟାକ୍ସି ଭଳି ଚଳାଚଳ ହେବା ଦେଖାଯାଏ ।
ପରିବେଶ ଉପରେ ସି ପ୍ଲେନ ଚଳାଚଳର କି କୁପ୍ରଭାବ ପଡିଥାଏ ସେ ସମ୍ପର୍କରେ ବେଶି ଅଧ୍ୟୟନ ଓ ମୂଲ୍ୟାୟନ ହୋଇନାହିଁ । ତେବେ ଯେଉଁ କିଛି ନିର୍ଭରଯୋଗ୍ୟ ଅଧ୍ୟୟନ ହୋଇଛି ସେଥିରୁ ୟୁଏସ କୋର ଅଫ ଇଞ୍ଜିନିୟର୍ସ ଦ୍ଵାରା କାଲିଫର୍ଣ୍ଣିଆସ୍ଥିତ ସାକ୍ରାମେଣ୍ଟୋ ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ଲେକରେ ସି ପ୍ଲେନ ଚଳାଚଳର ପରିବେଶଗତ ଅଧ୍ୟୟନର ସିଦ୍ଧାନ୍ତ ପ୍ରଣିଧାନ ଯୋଗ୍ୟ । ଅଧ୍ୟୟନ ଅନୁଯାୟୀ, ସି ପ୍ଲେନ ଚଳାଚଳ ଯୋଗୁ ବାୟୁ, ଜଳ, ମୃତ୍ତିକା ଆଦିର ଗୁଣବତ୍ତା ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡି ନଥାଏ । ସେହିପରି ବନ୍ୟଜୀବ, ମତ୍ସ୍ୟ ସମ୍ପଦା ଓ ଜଳର ବୈଶିଷ୍ଟ୍ୟ (ହାଇଡ୍ରୋଲୋଜି) ମଧ୍ୟ ଏହାଦ୍ଵାରା ପ୍ରଭାବିତ ହୋଇ ନଥାଏ । ତେବେ ଏହା କିଛିଟା ଶବ୍ଦ ପ୍ରଦୂଷଣ କରିଥାଏ, ଯାହା ଗୋଟିଏ ବଡ ସ୍ପିଡ ବୋଟ କରୁଥିବା ଶବ୍ଦ ପ୍ରଦୂଷଣ ସହ ସମାନ । ଜଳ ରାଶିରେ ଚଳାଚଳ କରୁଥିବା ବୋଟ ଓ ଅନ୍ୟ ଯନ୍ତ୍ରଚାଳିତ ଯାନ ତୁଳନାରେ ଏହାର ପ୍ରଦୂଷଣ ଯଥେଷ୍ଟ କମ । ବୋଟରୁ ନିର୍ଗତ ହେଉଥିବା ବର୍ଜ୍ୟ ଜଳରେ ଥିବା ତେଲିଆ ଅଂଶକୁ ଜଲରାଶିକୁ ଛାଡି ଦିଆଯାଇଥାଏ । ସି ପ୍ଲେନରୁ ସେମିତି କିଛି ବର୍ଜ୍ୟବସ୍ତୁ ଜଳରାଶିକୁ ଛଡା ଯାଇନଥାଏ । ବୋଟଗୁଡିକର ଜଳ ସଂସ୍ପର୍ଶରେ ଆସୁଥିବା ଅଂଶରେ ବିଷାକ୍ତ ରଙ୍ଗର ପ୍ରଲେପ ଦିଆଯାଉଥିବାରୁ ତାହା ରାସାୟନିକ କ୍ରିୟାରେ ଜଳର କ୍ଷତି ପହଞ୍ଚାଇଥାଏ । ସି ପ୍ଲେନରେ ସେଭଳି ରଙ୍ଗ ବ୍ୟବହାର ହୋଇନଥାଏ । ଅଧିକନ୍ତୁ ସି ପ୍ଲେନର ବର୍ଜ୍ୟବସ୍ତୁ ଜଳ ସ୍ତରର ଯଥେଷ୍ଟ ଉପରେ ବାୟୁମଣ୍ଡଳରେ ନିର୍ଗତ ହେଉଥିବାରୁ ଏହା ଜଳ ସଂସ୍ପର୍ଶରେ ଆସି ନଥାଏ ବା ତାହାର କୌଣସି କ୍ଷତିସାଧନ କରି ନଥାଏ । ମୋଟର ବାହନ ଓ ସାମୁଦ୍ରିକ ଯାନରେ ବ୍ୟବହୃତ ଇନ୍ଧନରେ କ୍ଷତିକାରକ ଏମଟିବିଇ ମିଶାଯାଉଥିବା ବେଳେ ବିମାନ ଇନ୍ଧନରେ ତାହା ମିଶା ଯାଉନଥିବାରୁ ସି ପ୍ଲେନ ଅପେକ୍ଷାକୃତ କମ ପ୍ରଦୂଷଣକାରୀ । ବୋଟର ଘୂର୍ଣ୍ଣିଚକ୍ର (ପ୍ରୋପେଲର) ଜଳରେ ରହୁଥିବା ବେଳେ ସି ପ୍ଲେନର ଘୂର୍ଣ୍ଣିଚକ୍ର ଜଳସ୍ତରର ଯଥେଷ୍ଟ ଉପରେ ଥାଏ । ଫଳରେ ଏହା ସିଧାସଳଖ ଜଳଜୀବମାନଙ୍କୁ ବିଚଳିତ କରି ନଥାଏ । ଏହାଦ୍ଵାରା ଅତି ବେଶିରେ ଦୁଇ ତିନି ଇଞ୍ଚ ଉଚ୍ଚତାର ଢେଉ ସୃଷ୍ଟି ହେଉଥିବାରୁ ଏହା କୂଳର ମୃତ୍ତିକା କ୍ଷୟ ବା ବାଲିଜମା (ସେଡିମେଣ୍ଟେସନ) ଆଦିର କାରଣ ହୋଇ ନଥାଏ । ବିମାନଟି ଆକାଶ ମାର୍ଗକୁ ଉଠିବା ଯାଏଁ ସି ପ୍ଲେନ ଦ୍ଵାରା ସୃଷ୍ଟ ଶବ୍ଦ ପ୍ରଦୂଷଣ ୨୦ରୁ ୬୦ ସେକେଣ୍ଡ ପର୍ଯ୍ୟନ୍ତ ରହିଥାଏ । ଯେଉଁ ଜଳରାଶିରେ ମୋଟର ବୋଟ ଚାଲିପାରୁଛି, ସେଠାରେ ପରିବେଶଗତ କାରଣରୁ ସି ପ୍ଲେନ ଚାଲିବାରେ କୌଣସି ପ୍ରତିବନ୍ଧକ ରହିବା ଉଚିତ ନୁହେଁ । ଏପରିକି ଏମିତି କେତେକ ଜଳପଥ, ଯେଉଁଠାରେ ଯନ୍ତ୍ରଚାଳିତ ବୋଟ ଚାଲିବାରେ ଅସୁବିଧା ରହିଛି, ସେଠାରେ ମଧ୍ୟ ସି ପ୍ଲେନ ଚଳାଚଳ କରିବାରେ ପ୍ରତିବନ୍ଧକ ନଥାଏ । ଉଲ୍ଲେଖନୀୟ, ତଥ୍ୟ ଓ ଜଳ ନମୁନା ସଂଗ୍ରହ କରିବା ପାଇଁ ଓ୍ଵାସିଂଟନସ୍ଥିତ ଡିପାର୍ଟମେଣ୍ଟ ଅଫ ଇକୋଲୋଜି ସି ପ୍ଲେନର ବ୍ୟବହାର କରିଥାନ୍ତି ।
ଯେ କୌଣସି ଜଳରାଶିକୁ ଜଳ ବିମାନଘାଟି ଭାବେ ବ୍ୟବହାର କରି ହେବ, ଯଦି ତାହା ଏକ ସି ପ୍ଲେନ ଅବତରଣ ପାଇଁ କେତେକ ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବାକୁ ସମର୍ଥ ହେଉଥାଏ । ସାଧାରଣତଃ କୃତ୍ରିମ ଜଳ ଭଣ୍ଡାର, ହ୍ରଦ, ନଦୀ, ସମୁଦ୍ର କୂଳ ଆଦି ଏଥିପାଇଁ ପ୍ରକୃଷ୍ଟ । ତେବେ ଅଶାନ୍ତ ସମୁଦ୍ର କୂଳରେ ଜଳ ବିମାନଘାଟୀ ସମ୍ଭବ ନୁହେଁ । ଏହି ଧରଣର ବିମାନଘାଟୀ ପାଇଁ ଜଳରାଶି ବ୍ୟତୀତ ସି ପ୍ଲେନରୁ ଯାତ୍ରୀ ଓ ମାଲ ଓହ୍ଲାଇବା ଓ ଚଢାଇବା ପାଇଁ ଏକ ଜେଟି ଆବଶ୍ୟକ ହୋଇଥାଏ । ଏ ସବୁ ସହଜରେ ଚିଲିକାରେ ହେବାର ସମ୍ଭାବନା ଥିବାରୁ ପ୍ରଥମ ଦଫାରେ ଚିଲିକାକୁ ବାଛିବା କିଛି ଅସ୍ଵାଭାବିକ ନୁହେଁ ।
ଚିଲିକାକୁ କେବଳ ଏକ ସାଧରଣ ଜଳରାଶି ଭାବେ ଗ୍ରହଣ କରି ହେବନାହିଁ । ଏଗାର ଶହ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଚିଲିକା ସମୁଦ୍ରକୂଳରେ ଅବସ୍ଥିତ ଭାରତର ସର୍ବବୃହତ ଓ ବିଶ୍ଵର ଦ୍ଵିତୀୟ ସର୍ବବୃହତ ଲବଣାକ୍ତ ହ୍ରଦ । ଏହା ରାମଜର ସମ୍ମିଳନୀ ଅନୁଯାୟୀ ଭାରତର ପ୍ରଥମ ଆନ୍ତର୍ଜାତିକ ଗୁରୁତ୍ଵ ସମ୍ପନ୍ନ ଆର୍ଦ୍ରଭୂମି ଭାବେ ଚିହ୍ନିତ । ଏଠାରେ ଥିବା ବିଶାଳ ମତ୍ସ୍ୟ ସମ୍ପଦର ଭଣ୍ଡାର ଉପରେ ପ୍ରାୟ ଦେଢ ଲକ୍ଷରୁ ଊର୍ଦ୍ଧ୍ଵ ମତ୍ସ୍ୟଜୀବୀ ନିର୍ଭର କରିଥାନ୍ତି । ଇରାଓ୍ଵାଡି ପ୍ରଜାତିର ଡଲଫିନଙ୍କଠାରୁ ଆରମ୍ଭ କରି ୧୬୦ ପ୍ରଜାତିର ଦେଶୀ ଓ ବହିରାଗତ ପକ୍ଷୀଙ୍କୁ ଚିଲିକା ଆତିଥ୍ୟ ପ୍ରଦାନ କରିଥାଏ । ଏ ସବୁକୁ କେନ୍ଦ୍ର କରି ଗଢି ଉଠିଛି ଚିଲିକାର ପର୍ଯ୍ୟଟନ ଶିଳ୍ପ । ତେଣୁ ପ୍ରସ୍ତାବିତ ସି ପ୍ଲେନ ଚଳାଚଳ ଦ୍ଵାରା ଚିଲିକାର ପରିବେଶ, ଜୈବ ବିବିଧତା ଓ ପର୍ଯ୍ୟଟନ ଶିଳ୍ପ ଉପରେ କି ପ୍ରଭାବ ପଡିପାରେ ତାହା ଉପରେ ସ୍ଵଳ୍ପ ସମୟ ମଧ୍ୟରେ ଏକ ବିଶେଷ ଅଧ୍ୟୟନର ଆବଶ୍ୟକତା ରହିଛି, କାରଣ ପୂର୍ବୋକ୍ତ ଅଧ୍ୟୟନ ଏକ ସାଧାରଣ ଜଳରାଶି ଉପରେ କେନ୍ଦ୍ରିତ ଥିଲା । ଚିଲିକାରୁ ସି ପ୍ଲେନ ଚଳାଚଳର ନିଷ୍ପତ୍ତି ଘୋଷଣା କରି ସାରିଥିବାରୁ ଏହି ଅଧ୍ୟୟନ କରିବା ପାଇଁ ହୁଏତ କେନ୍ଦ୍ର ସରକାର ତତ୍ପରତା ଦେଖାଇ ନପାରନ୍ତି । ସେ କ୍ଷେତ୍ରରେ ରାଜ୍ୟ ହିତକୁ ଆଖିରେ ରଖି ରାଜ୍ୟ ସରକାର ତୁରନ୍ତ ଏକ ଅଧ୍ୟୟନ କରାଇବା ପାଇଁ ପଦକ୍ଷେପ ନେବା ବାଞ୍ଛନୀୟ । ଅଧ୍ୟୟନର ନିଷ୍କର୍ଷ ସବୁ ହିତାଧିକାରୀ (ଷ୍ଟେକହୋଲଡର)ଙ୍କ ମଧ୍ୟରେ ବିଚାର ବିମର୍ଶ କରାଇ ସମସ୍ତଙ୍କର ଉତ୍କଣ୍ଠାକୁ ପ୍ରଶମିତ କରିବା ଦିଗରେ ଉଦ୍ୟମ ହେବା ଆବଶ୍ୟକ ।
ଗତ ଗୁଜରାଟ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ନିର୍ବାଚନୀ ପ୍ରଚାର ବେଳେ ସି ପ୍ଲେନର ଉପଯୋଗ ଅନେକଙ୍କୁ ଚକିତ କରିଥିବାରୁ ଏହାର ପ୍ରସାରକୁ କେହି କେହି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ମନେ କରୁଛନ୍ତି । ତେବେ ସି ପ୍ଲେନ ଚଳାଚଳ କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟର ମାନ୍ୟତା ପାଉ ଥିବାରୁ ଜଳ ବିମାନ ଘାଟି ଓ ସି ପ୍ଲେନ ଚଳାଚଳକୁ ସ୍ଵାଗତ କରିବା ପାଇଁ ତତ୍ପରତା ଦେଖାଇବା ଉଚିତ । ପରିବେଶଗତ କାରଣରୁ ଯଦି ଚିଲିକାରୁ ସି ପ୍ଲେନ ଚଳାଚଳରେ ପ୍ରତିବନ୍ଧକ ଥାଏ, ତେବେ କଟକର ଜୋବ୍ରା ବା ନରାଜରୁ ଚଳାଚଳ କରିବା କଥା ଚିନ୍ତା କରାଯାଇପାରେ । ପରବର୍ତ୍ତୀ ସମୟରେ ହୀରାକୁଦ ଜଳଭଣ୍ଡାର, ଭିତରକନିକା ଆଦି ଜଳାଶୟ ଥିବା ବିଭିନ୍ନ ସ୍ଥାନକୁ ମଧ୍ୟ ଏହାର ଚଳାଚଳ କଥା ଚିନ୍ତା କରି ପର୍ଯ୍ୟଟନ ଶିଳ୍ପର ବିକାଶକୁ ଗତି ଦେଇ ହେବ । ସି ପ୍ଲେନ ଯାତ୍ରା ମୋଟର ଯାନ ତୁଳନାରେ ବ୍ୟୟବହୁଳ ହୋଇଥିଲେ ମଧ୍ୟ ହେଲିକପ୍ଟର ତୁଳନାରେ ଶସ୍ତା ହେଇଥିବାରୁ ହୁଏତ ଭବିଷ୍ୟତରେ ଏହାର ଆଦୃତି ବଢିପାରେ । ଗମନାଗମନ କ୍ଷେତ୍ରରେ ଯେ କୌଣସି ବିକାଶ ସ୍ଵାଗତଯୋଗ୍ୟ ହୋଇଥିବାରୁ, ଓଡିଶାର ସ୍ଵାର୍ଥକୁ ଆଖିରେ ରଖି କେବଳ ରାଜନୈତିକ ଦୃଷ୍ଟିରୁ ବିରୋଧ କରିବା ପାଇଁ ଏହାକୁ ବିରୋଧ କରା ନଯାଉ ।
Published in Prajatantra, Matrubhasha, Swadhikar, Sanchar, Odisha Express, Amruta Dunia, Halchal News, Samanya Kathan between 22 August 2018 and 02 September 2018
Comments
Post a Comment