ଦେଶର ଅର୍ଥନୀତି ଉପରେ ଖାଉଟିଙ୍କର କେତେ ବିଶ୍ୱାସ ରହିଛି ତାକୁ ମାପିବା ପାଇଁ ରିଜର୍ଭ ବ୍ୟାଙ୍କ ତରଫରୁ ପ୍ରତି ଦୁଇ ମାସରେ ଥରେ ଏକ ସର୍ଭେ କରାଯାଇଥାଏ । ସେପ୍ଟେମ୍ବର ୨୦୧୯ ପାଇଁ ହୋଇଥିବା ସର୍ଭେର ଫଳାଫଳ ପ୍ରକାଶ ପାଇବା ପରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଦେଶର ଅର୍ଥନୀତି ଯେ ଅଧିକ ନୈରାଶ୍ୟଜନକ ସ୍ଥିତି ଆଡକୁ ଗତିି କରିଛିି, ତାହା ବୁଝିବାକୁ ଆଉ ବାକି ନାହିଁ । ବସ୍ତୁତଃ, ଗତ ୬ ବର୍ଷ ମଧ୍ୟରେ ଖାଉଟିଙ୍କ ଏ ଭଳି ବିଶ୍ୱାସ ସଙ୍କଟ କେବେ ହେଲେ ଦେଖା ଦେଇ ନଥିଲା ବୋଲି ସର୍ଭେର ତଥ୍ୟରୁ ସ୍ପଷ୍ଟ । ଏହି ସର୍ଭେରେ ଅହମଦାବାଦ, ବେଙ୍ଗାଲୁରୁ, ଭୋପାଲ, ଚେନ୍ନାଇ, ଦିଲ୍ଲୀ, ଗୁଆହାଟୀ, ହାଇଦ୍ରାବାଦ, ଜୟପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ପାଟନା, ତିରୁବନନ୍ତପୁରମ ଭଳି ଦେଶର ୧୩ଟି ପ୍ରମୁଖ ନଗରର ୫,୧୯୨ଟି ପରିବାର ଅଂଶ ଗ୍ରହଣ କରିଥିଲେ । ଦେଶର ସାଧାରଣ ଅର୍ଥନୈତିକ ଅବସ୍ଥା, ନିଯୁକ୍ତି ପରିଦୃଶ୍ୟ, ମୋଟାମୋଟି ଭାବେ ଦରଦାମର ସ୍ଥିତି ଏବଂ ନିଜ ଆୟ ଓ ବ୍ୟୟକୁ ନେଇ ଉତ୍ତରଦାତାଙ୍କ ଅନୁଭବ ଓ ପ୍ରତ୍ୟାଶାକୁ ଆଧାର କରି ଏହି ସର୍ଭେର ଫଳାଫଳ ପ୍ରସ୍ତୁତ ହୋଇଥାଏ ।
ଖାଉଟି ବିଶ୍ୱାସ ସୂଚକାଙ୍କ ମାପିବାର ଆଧାର ହେଉଛି ଖାଉଟିମାନେ ଅର୍ଥନୀତିକୁ ନେଇ ଆଶାବାଦୀ ରହିଲେ ସେମାନେ ଅଧିକ ଦ୍ରବ୍ୟ ଓ ସେବା କ୍ରୟ କରିଥାଆନ୍ତି, ଯାହା ଫଳରେ ଚାହିଦା ବୃଦ୍ଧି ପାଇ ସାମଗ୍ରିକ ଭାବେ ଅର୍ଥନୀତି ଚଳଚଞ୍ଚଳ ହୋଇଥାଏ । ବିଶ୍ୱର ଅନେକ ଦେଶରେ ଏହି ଖାଉଟି ବିଶ୍ୱାସ ସୂଚକାଙ୍କ (ସିସିଆଇ) ମାପିବାର ପ୍ରଥା ପ୍ରଚଳନରେ ଅଛି ଓ ଅର୍ଥନୀତିର ସୁପରିଚାଳନା ପାଇଁ ଏହା ଜାଣିବା ପ୍ରାୟତଃ ଅପରିହାର୍ଯ୍ୟ ହୋଇ ପଡିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ୧୯୬୭ ମସିହାରୁ ହୋଇ ଆସୁଛି । ସେଠାରେ ଏହି କାର୍ଯ୍ୟଟିକୁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ‘ଫେଡେରାଲ ରିଜର୍ଭ’ ନ କରି ‘ଦି କନଫରେନସ ବୋର୍ଡ’ ନାମକ ଏକ ସ୍ୱାଧୀନ ଅର୍ଥନୈତିକ ଗବେଷଣାନୁଷ୍ଠାନ କରି ଆସୁଛନ୍ତି ଓ ୫୦୦୦ ଉତ୍ତରଦାତାଙ୍କ ମତାମତକୁ ଆଧାର କରି ପ୍ରତି ମାସ ଏହି ସୂଚକାଙ୍କ ପ୍ରକାଶ କରି ଆସୁଛନ୍ତି । ଏଥିରେ ଖାଉଟିଙ୍କ ମନୋବୃତ୍ତି, କ୍ରୟ ଆଗ୍ରହ ସମ୍ପର୍କରେ ବୟସ, ଆୟ, ଅଞ୍ଚଳ ଭିତ୍ତିରେ ପଙ୍ଖାନୁପୁଙ୍ଖ ତଥ୍ୟ ଉପଲବ୍ଧ ହୋଇଥାଏ । ଫେଡେରାଲ ରିଜର୍ଭ ଏହା ପ୍ରସ୍ତୁତ କରୁ ନଥିଲେ ମଧ୍ୟ କନଫରେନସ ବୋର୍ଡ ପ୍ରସ୍ତୁତ ଏହି ସିସିଆଇକୁ ବ୍ୟାଙ୍କ ଖୁବ ଗମ୍ଭୀରତାର ସହ ବିଚାରକୁ ନେଇଥାଏ, ଯାହା ବ୍ୟାଙ୍କର ସୁଧ ହାର ପରିବର୍ତ୍ତନ ନିଷ୍ପତ୍ତିରେ ଏକ ବଡ ଭୂମିକା ଗ୍ରହଣ କରିଥାଏ । ସିସିଆଇ ସୂଚକାଙ୍କ ସେଠାକାର ସେୟାର ବଜାରର ସୂଚକାଙ୍କକୁ ଯଥେଷ୍ଟ ପ୍ରଭାବିତ କରି ଅଂଶଧନର ମୂଲ୍ୟକୁ କମ ବେଶି କରିଥାଏ । ଏହି ସୂଚକାଙ୍କରେ ସାମ୍ପ୍ରତିକ ଅବସ୍ଥାକୁ ୪୦ ପ୍ରତିଶତ ଗୁରୁତ୍ୱ ପ୍ରଦାନ କରାଯାଉଥିବା ବେଳେ ଭବିଷ୍ୟତ ଅବସ୍ଥା ପାଇଁ ଆଶା ଲାଗି ୬୦ ପ୍ରତିଶତ ଗୁରୁତ୍ୱ ଦିଆଯାଇଥାଏ । ଆମେରିକାର ମିସିଗାନ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ରିସର୍ଚ୍ଚ ଦ୍ୱାରା ପ୍ରସ୍ତୁତ ‘ମିସିଗାନ ବିଶ୍ୱବିଦ୍ୟାଳୟ ଖାଉଟି ମନୋଭାବ ସୂଚକାଙ୍କ’ ମଧ୍ୟ ଖାଉଟି ବିଶ୍ୱାସକୁ ତଉଲିବା ପାଇଁ ଅନ୍ୟ ଏକ ବହୁଳ ଆଦୃତ ମାପକାଠି । ସେହିପରି ଇଉରୋପ ୟୁନିଅନ ଦେଶମାନଙ୍କରେ ଖାଉଟି ବିଶ୍ୱାସ ମାପିବା ପାଇଁ ବ୍ୟବହୃତ ‘ଜଏଣ୍ଟ ହାରମୋନାଇଜଡ ଇୟୁ ପ୍ରୋଗ୍ରାମ’ର ଗ୍ରହଣୀୟତା ମଧ୍ୟ ଖୁବ ବେଶି । ବ୍ରାଜିଲ, ଇଣ୍ଡୋନେସିଆ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶମାନଙ୍କରେ ମଧ୍ୟ ଏହି ସୂଚକାଙ୍କ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥାଏ ।
ଭାରତର ଅର୍ଥନୀତି ଆମେରିକା ଭଳି ଅନେକଟା ଉପଭୋକ୍ତା କୈନ୍ଦ୍ରିକ । ଏଠାରେ ବ୍ୟକ୍ତିଗତ ବ୍ୟୟ ମୋଟ ଘରୋଇ ଉତ୍ପାଦର ପ୍ରାୟ ୬୦ ପ୍ରତିଶତ ହେଉଥବାରୁ ଅର୍ଥନୀତିକୁ ଗତିଶୀଳ କରିବାକୁ ହେଲେ ଏହାକୁ ଉପଭୋକ୍ତାଙ୍କ ବିଶ୍ୱାସଭାଜନ ହେବାକୁ ହୋଇଥାଏ । ଅର୍ଥନୀତିର ସ୍ଥିତି ଉପରେ ଭରସା କରିପାରିଲେ ଯାଇ ଖାଉଟି ଅଧିକରୁ ଅଧିକ କ୍ରୟ ଓ ବ୍ୟୟ କରିବାକୁ ଆଗ୍ରହ ପ୍ରଦର୍ଶନ କରିଥାଏ । ତେଣୁ, ଖାଉଟିଙ୍କ ବିଶ୍ୱାସ ଏତେ ବେଶି ଗୁରୁତ୍ୱ ବହନ କରୁଥିବାରୁ, ଏହି ବିଶ୍ୱାସକୁ ନିୟମିତ ଭାବେ ମାପିବା ନିହାତି ଜରୁରୀ ଓ ସେ କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ହେଉଥିବା ଖାଉଟି ବିଶ୍ୱାସ ସର୍ଭେ (ସିସିଏସ) ଏକ ବଡ ଭୂମିକା ନିର୍ବାହ କରିଥାଏ । ୨୦୧୦ ମସିହା ଜୁନ ମାସରୁ ରିଜର୍ଭ ବ୍ୟାଙ୍କ ପ୍ରତି ତିନି ମାସରେ ଥରେ ଏହି ସର୍ଭେ କରି ଆସୁଥିଲା । ୨୦୧୯-୨୦ରୁ ଏହା ପ୍ରତି ଦୁଇ ମାସରେ ଥରେ ପ୍ରସ୍ତୁତ ହେଉଛି । ଆମେରିକା ଭଳି ଭାରତରେ ମଧ୍ୟ ଏହି ସର୍ଭେଟିକୁ ପ୍ରତି ମାସ କରାଯାଇ ପାରିଲେ ତାହା ଅର୍ଥନୈତିକ ସୁପରିଚାଳନାରେ ସହାୟକ ହୁଅନ୍ତା । ରିଜର୍ଭ ବ୍ୟାଙ୍କର ଏହି ସର୍ଭେରେ ସାଧାରଣ ଅର୍ଥନୈତିକ ସ୍ଥିତି, ନିଯୁକ୍ତି ପରିଦୃଶ୍ୟ, ଦରଦାମ ସ୍ତର, ପରିବାରର ଆୟ, ପରିବାରର ମୋଟାମୋଟି ବ୍ୟୟ ଭଳି ପାଞ୍ଚଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଥାଏ । ଉପରୋକ୍ତ ବିଷୟଗୁଡିକରେ ଗତ ଏକ ବର୍ଷ ତୁଳନାରେ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଉତ୍ତରଦାତାଙ୍କ ଅନୁଭବକୁ ଆଧାର କରି ସାମ୍ପ୍ରତିକ ପରିସ୍ଥିତି ସୂଚକାଙ୍କ (ସିଏସଆଇ) ପ୍ରସ୍ତୁତ ହେଉଥିବା ବେଳେ ଉପରୋକ୍ତ ପ୍ରତିଟି ବିଷୟରେ ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ଉତ୍ତରଦାତାମାନେ କି ପରିବର୍ତ୍ତନ ହେବାର ଆଶା ରଖିଛନ୍ତି, ତାହା ଭବିଷ୍ୟତ ପ୍ରତ୍ୟାଶା ସୂଚକାଙ୍କ (ଏଫଇଆଇ)ରେ ସ୍ଥାନ ପାଇଥାଏ । ଉଲ୍ଲେଖଯୋଗ୍ୟ, ଖାଉଟିଙ୍କ ଅତ୍ୟଧିକ ନିରାଶା ଯୋଗୁ ସେପ୍ଟେମ୍ବର ୨୦୧୯ରେ ପ୍ରକାଶିତ ଖାଉଟି ବିଶ୍ୱାସ ସର୍ଭେରେ ଉଭୟ ସାମ୍ପ୍ରତିକ ପରିସ୍ଥିତି ସୂଚକାଙ୍କ ଓ ଭବିଷ୍ୟତ ପ୍ରତ୍ୟାଶା ସୂଚକାଙ୍କ ହ୍ରାସ ପାଇଛି । ସାମ୍ପ୍ରତିକ ପରିସ୍ଥିତି ସୂଚକାଙ୍କ ୧୦୦ରୁ ଊର୍ଦ୍ଧ୍ୱରେ ରହିଲେ ଉପଭୋକ୍ତାମାନେ ଅର୍ଥନୀତିର ଅଭିବୃଦ୍ଧିକୁ ନେଇ ଆଶାବାଦୀ ବୋଲି ଜଣା ପଡୁଥିବା ବେଳେ ସୂଚକାଙ୍କ ତା ତଳକୁ ଗଲେ ସେମାନେ ନିରାଶାବାଦୀ ବୋଲି ମନେ ହୋଇଥାନ୍ତି । ସେପ୍ଟେମ୍ବର ୨୦୧୩ରେ, ୟୁପିଏ ଶାସନ କାଳର ଶେଷ ସମୟରେ ଅର୍ଥନୀତିକୁ ନେଇ ଏତେ ବେଶି ନିରାଶା ଦେଖା ଦେଇଥିଲା ଯେ ଏହି ସୂଚକାଙ୍କ ୮୮ରେ ପହଂଚି ଯାଇଥିଲା । ମୋଦି ସରକାର ଦାୟିତ୍ୱ ଗ୍ରହଣ କଲା ପରେ ସେପ୍ଟେମ୍ବର ୨୦୧୪ରେ ଏହା ୧୦୩.୧ରେ ପହଞ୍ଚି ଅର୍ଥନୀତିକୁ ନେଇ ଲୋକେ ଆଶାବାଦୀ ହୋଇ ଉଠିଥିଲେ ଏବଂ ସେହି ଆଶା ଡିସେମ୍ବର ୨୦୧୬ (୧୦୨) ଯାଏଁ ବଳବତ୍ତର ଥିଲା । ତେବେ ବିମୁଦ୍ରାକରଣ ପରଠାରୁ ଦେଶରେ ଖାଉଟି ବିଶ୍ୱାସ କ୍ରମାଗତ ଭାବେ ତଳ ସ୍ତରରେ ରହିବାକୁ ଲାଗିଲା । ୨୦୧୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଖାଉଟିମାନେ ଅର୍ଥନୀତିକୁ ନେଇ ଆଶାବାଦୀ ହୋଇ ଉଠିଲେ ଓ ପୁନର୍ବାର ଏହି ସୂଚକାଙ୍କ ମାର୍ଚ୍ଚ ୨୦୧୯ରେ ହଠାତ୍ ୧୦୪.୬ ସ୍ତରକୁ ବଢି ଯାଇଥିଲା । ହେଲେ ଅର୍ଥନୀତି ଅଭିବୃଦ୍ଧିକୁ ନେଇ ଏହି ଆଶା କ୍ଷଣସ୍ଥାୟୀ ସାବ୍ୟସ୍ତ ହେଲା, କାରଣ ତା’ ପରଠାରୁ ଏହା କ୍ରମାଗତ ଭାବେ ମେ ୨୦୧୯ରେ ୯୭.୩ ଓ ଜୁଲାଇ ୨୦୧୯ରେ ୯୫.୭କୁ ଖସି ଆସିଥିବା ବେଳେ ସେପ୍ଟେମ୍ବର ୨୦୧୯ରେ ତାହା ୮୯.୪କୁ ଖସି ଉଦବେଗର କାରଣ ପାଲଟିଛି ।
ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତି ଗତ ବର୍ଷ ତୁଳନାରେ ଅଧିକ ଖରାପ ହୋଇଛି ବୋଲି ୪୮ ପ୍ରତିଶତ ଉତ୍ତରଦାତା ମତ ପ୍ରକାଶ କରିଥିବା ବେଳେ ମାତ୍ର ୩୪ ପ୍ରତିଶତ ଏଥିରେ ଉନ୍ନତି ହୋଇଛି ବୋଲି ଜଣାଇଛନ୍ତି । ତେବେ ଆଗାମୀ ଏକ ବର୍ଷ ମଧ୍ୟରେ ସ୍ଥିତିରେ ଉନ୍ନତି ଆସିପାରେ ବୋଲି ୫୩ ପ୍ରତିଶତ ଆଶାବାଦୀ । ବର୍ଷକ ମଧ୍ୟରେ ନିଯୁକ୍ତି ସମସ୍ୟା ଉତ୍କଟ ହୋଇଛି ବୋଲି ୫୩ ପ୍ରତିଶତଙ୍କ ମତ । ତେବେ ଏବେ ମଧ୍ୟ ୫୧ ପ୍ରତିଶତ ଉତ୍ତରଦାତା ଆଗାମୀ ବର୍ଷକ ମଧ୍ୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ସ୍ଥିତିରେ ପରିବର୍ତ୍ତନ ହୋଇପାରେ ବୋଲି ଆଶା ବାନ୍ଧିଛନ୍ତି, ଯାହା ସେପ୍ଟେମ୍ବର ୨୦୧୮ରେ ହୋଇଥିବା ସର୍ଭେ ତୁଳନାରେ ପ୍ରାୟ ୩ ପ୍ରତିଶତ କମ । ଗତ ବର୍ଷକ ମଧ୍ୟରେ ଦରଦାମ ବୃଦ୍ଧି ପାଇଛି ବୋଲି ୮୬ ପ୍ରତିଶତ ଉତ୍ତରଦାତା ମତ ପ୍ରକାଶ କରିଥିବା ବେଳେ ମାତ୍ର ୩ ପ୍ରତିଶତ ଏହା କମ ହୋଇଛି ବୋଲି କହିଛନ୍ତି । କେବଳ ସେତିକି ନୁହେଁ, ଆଗାମୀ ବର୍ଷ ମଧ୍ୟ ଦରଦାମ ବୃଦ୍ଧି ଅବ୍ୟାହତ ରହିବ ବୋଲି ପ୍ରାୟ ୮୦ ପ୍ରତିଶତ ମତ ବ୍ୟକ୍ତ କରିଛନ୍ତି । ବ୍ୟକ୍ତିଗତ ସ୍ତରରେ ୪୮ ପ୍ରତିଶତ ଉତ୍ତରଦାତାଙ୍କ ଆୟ ଅପରିବର୍ତ୍ତିତ ଥିବା ବେଳେ ୨୭ ପ୍ରତିଶତଙ୍କର କମିଛି ଓ ୨୫ ପ୍ରତିଶତଙ୍କର ଆୟରେ ବୃଦ୍ଧି ଘଟିଛି । ଅର୍ଥାତ, ପ୍ରାୟ ତିନି-ଚତୁର୍ଥାଂଶ ଉତ୍ତରଦାତାଙ୍କ ଆୟ ବଢି ନଥିବାରୁ ସେମାନେ ବିଭିନ୍ନ ସାମଗ୍ରୀ ଓ ସେବା କ୍ରୟ କରିବାକୁ ଅସମର୍ଥ ହେଉଛନ୍ତି । ତେବେ ଆଗାମୀ ବର୍ଷକ ମଧ୍ୟରେ ସେମାନଙ୍କ ଆୟରେ ବୃଦ୍ଧି ଘଟିବ ବୋଲି ୫୩ ପ୍ରତିଶତ ଉତ୍ତରଦାତା ଆଶାବାଦୀ । ବ୍ୟକ୍ତିଗତ ସ୍ତରରେ ୭୪ ପ୍ରତିଶତ ଉତ୍ତରଦାତାଙ୍କ ଖର୍ଚ୍ଚ ବଢିଥିବା ବେଳେ ୪ ପ୍ରତିଶତଙ୍କର କମିଛି ଓ ୨୨ ପ୍ରତିଶତଙ୍କର ଅପରିବର୍ତ୍ତିତ ରହିଛି । ବର୍ଷକ ତଳେ ହୋଇଥିବା ସର୍ଭେରେ ୭୮ ପ୍ରତିଶତ ଲୋକ ସେମାନଙ୍କ ବ୍ୟୟ ବଢିଥିବା ଦର୍ଶାଇଥିଲେ । ଆଗାମୀ ବର୍ଷକ ମଧ୍ୟରେ ପୁନଶ୍ଚ ୭୭ ପ୍ରତିଶତ ଲୋକଙ୍କ ବ୍ୟୟ ବଢିପାରେ ବୋଲି ସେମାନେ ଆଶାୟୀ । ହେଲେ ୮୪ ପ୍ରତିଶତ ଉତ୍ତରଦାତା ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ସେବା ବାବଦରେ ଗତ ବର୍ଷ ତୁଳନାରେ ଏ ବର୍ଷ ଅଧିକ ବ୍ୟୟ କରିଛନ୍ତି ଓ ଆଗାମୀ ବର୍ଷ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି ସେମାନଙ୍କ ବିଶ୍ୱାସ । ଅନ୍ୟ ପକ୍ଷରେ ଯେଉଁ ଜିନିଷଗୁଡିକ ନ କିଣିଲେ ବା ପରେ କିଣିଲେ ଚଳିବ ଲୋକେ ସେହି ଧରଣର ଜିନିଷ କିଣିବା କମାଇ ଦେଇଛନ୍ତି । ୩୦ ପ୍ରତିଶତ ଉତ୍ତରଦାତା ଏହି ଧରଣର ସାମଗ୍ରୀ କିଣିବାରେ ଅଧିକ ବ୍ୟୟ କରିଥିବା ବେଳେ ବର୍ଷକ ତଳେ ଏମାନେ ୪୪ ପ୍ରତିଶତ ଥିଲେ । ୪୦ ପ୍ରତିଶତ ଉତ୍ତରଦାତାଙ୍କ କ୍ଷେତ୍ରରେ ଏହି ଧରଣ ସାମଗ୍ରୀ କିଣିବାରେ ସ୍ଥିତି ଅପରିବର୍ତ୍ତିତ ଥିବା ବେଳେ ଅବଶିଷ୍ଟ ୩୦ ପ୍ରତିଶତଙ୍କ କ୍ଷେତ୍ରରେ ଏହା କମ ହୋଇଛି । ଅର୍ଥାତ, ଏହି ଧରଣର ଜିନିଷ କିଣିବା ଲାଗି ପ୍ରାୟ ୭୦ ପ୍ରତିଶତ ଉତ୍ତରଦାତା ଆଗ୍ରହ ପ୍ରକାଶ କରି ନାହାନ୍ତି ବା ସେମାନଙ୍କ ନିକଟରେ ସାମର୍ଥ୍ୟ ନାହିଁ । ଉଲ୍ଲେଖଯୋଗ୍ୟ, ଏହି ସର୍ଭେଟି କେବଳ ଅଳ୍ପ କେତୋଟି ବଡ ବଡ ନଗରରେ ଥିବା ଖାଉଟିମାନଙ୍କୁ ନେଇ ହୋଇଥିବା ବେଳେ, ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ସ୍ଥିତି ଅଧିକ ଦୁର୍ବଳ ହୋଇଥିବାରୁ, ଏଥିରେ ଗ୍ରାମାଞ୍ଚଳର ଖାଉଟିଙ୍କୁ ସାମିଲ କରାଯାଇଥିଲେ ବାସ୍ତବିକ ସ୍ଥିତି ଆହୁରି ଗମ୍ଭୀର ବୋଲି ଜଣା ପଡିଥାନ୍ତା ।
ନିଯୁକ୍ତି ସୁଯୋଗ ସୃଷ୍ଟି ହ୍ରାସ ହେବା ସହ ଓ ଅନେକେ ଚାକିରୀ ଏବଂ କର୍ମ ସଂସ୍ଥାନ ହରାଇ ବେକାରୀ ହାର ଗତ ୪୫ ବର୍ଷର ସର୍ବୋଚ୍ଚ ସ୍ତରକୁ ଚାଲିଯିବା ଦ୍ୱାରା ଖାଉଟିମାନେ ନିରାଶାର ସମ୍ମୁଖୀନ ହୋଇଛନ୍ତି । ଡଲାର ତୁଳନାରେ ଟଙ୍କା ଲଗାତର ଭାବେ ଦୁର୍ବଳ ହେବା, ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣରେ ନ ରହିବା, ଦରଦାମ ବୃଦ୍ଧି, ବର୍ଦ୍ଧିଷ୍ଣୁ ମନ୍ଦ ଋଣ ଭଳି ଭାରତର ସମଷ୍ଟି-ଅର୍ଥନୀତି (ମାକ୍ରୋ ଇକୋନୋମିକସ)ର ମୌଳିକ ବିଷୟଗୁଡିକ ଖାଉଟି ବିଶ୍ୱାସକୁ ହ୍ରାସ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ସରକାରଙ୍କ ଅର୍ଥନୀତି ପରିଚାଳନାରେ ଲୋକେ କେତେ ଖୁସି ବା ସନ୍ତୁଷ୍ଟ, ତାହା ଏହି ସୂଚକାଙ୍କ ଦର୍ଶାଉଥିବାରୁ, ବର୍ତ୍ତମାନ ଏହା ନିମ୍ନାଭିମୁଖୀ ହେବା ଦ୍ୱାରା ସରକାର ସେମାନଙ୍କଠାରେ ଅର୍ଥନୀତିର ଅଭିବୃଦ୍ଧିକୁ ନେଇ ଆଶା ସଞ୍ଚାର କରିବାରେ ବିଫଳ ହୋଇଛନ୍ତି ବୋଲି ବୁଝିବାକୁ ହେବ । ଖାଉଟିଙ୍କ ମଧ୍ୟରେ ଅର୍ଥନୀତିକୁ ନେଇ ନୈରାଶ୍ୟଜନକ ମନୋଭାବ ଥିବାରୁ ସ୍ଥିତି ସାମାନ୍ୟ ନ ହେବା ପର୍ଯ୍ୟନ୍ତ ଉଭୟ ବିଦେଶୀ ଓ ଦେଶ ଭିତରର ପୁଞ୍ଜି ନିବେଶକମାନେ ଭାରତରେ ନିବେଶ କରିବାକୁ ଆଗ୍ରହ ପ୍ରଦର୍ଶନ କରିବାର ଆଶଙ୍କା ଦେଖା ଦେବ, ଯାହା ଅର୍ଥନୀତିକୁ ଅଧିକ କ୍ଷତି ପହଞ୍ଚାଇବ । ଏହି ସୂଚକାଙ୍କ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତିକୁ ପ୍ରଭାବିତ କରୁଥିବାରୁ ନିକଟରେ ରିଜର୍ଭ ବ୍ୟାଙ୍କ ରେପୋ ଦର ହ୍ରାସ କରିବା ନିଷ୍ପତ୍ତି ଗ୍ରହଣରେ ଏହା ଅନ୍ୟତମ କାରଣ ହୋଇ ଥାଇପାରେ । ଖାଉଟିଙ୍କ ମଧ୍ୟରେ ବିଶ୍ୱାସ ଫେରାଇ ଆଣିବା ପାଇଁ ଲୋକଙ୍କ ନିକଟରେ ଅଧିକ ନଗଦ ରାଶି (ଲିକୁଇଡିଟି) ପହଞ୍ଚାଇ ଚାହିଦା ବୃଦ୍ଧି ମାଧ୍ୟମରେ ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଏହା ଏକ ପ୍ରୟାସ ହୋଇପାରେ । ତେବେ ଯେ ପର୍ଯ୍ୟନ୍ତ ଦେଶର କୃଷିଜୀବୀ, ଶ୍ରମଜୀବୀ, ଚାକିରୀଜୀବୀ ଓ ଆତ୍ମ ନିଯୁକ୍ତ ସଂଖ୍ୟାଧିକ ଲୋକଙ୍କ ରୋଜଗାର ବଢି ହାତକୁ ଦୁଇ ପଇସା ଅଧିକ ନ ଆସିଛି, ସେ ଯାଏଁ ଖାଉଟି ବିଶ୍ୱାସ ସୂଚକାଙ୍କ ବୃଦ୍ଧିର ଆଶା କ୍ଷୀଣ ହୋଇଥିବାରୁ ସରକାର ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଅଧିକ ଯୁକ୍ତିଯୁକ୍ତ ମନେ ହୁଏ ।
Published in Samadrushti,
Comments
Post a Comment