Skip to main content

ଖାଉଟିଙ୍କ ବିଶ୍ୱାସରେ ଭଟ୍ଟା

ଦେଶର ଅର୍ଥନୀତି ଉପରେ ଖାଉଟିଙ୍କର କେତେ ବିଶ୍ୱାସ ରହିଛି ତାକୁ ମାପିବା ପାଇଁ ରିଜର୍ଭ ବ୍ୟାଙ୍କ ତରଫରୁ ପ୍ରତି ଦୁଇ ମାସରେ ଥରେ ଏକ ସର୍ଭେ କରାଯାଇଥାଏ । ସେପ୍ଟେମ୍ବର ୨୦୧୯ ପାଇଁ ହୋଇଥିବା ସର୍ଭେର ଫଳାଫଳ ପ୍ରକାଶ ପାଇବା ପରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଦେଶର ଅର୍ଥନୀତି ଯେ ଅଧିକ ନୈରାଶ୍ୟଜନକ ସ୍ଥିତି ଆଡକୁ ଗତିି କରିଛିି, ତାହା ବୁଝିବାକୁ ଆଉ ବାକି ନାହିଁ । ବସ୍ତୁତଃ, ଗତ ୬ ବର୍ଷ ମଧ୍ୟରେ ଖାଉଟିଙ୍କ ଏ ଭଳି ବିଶ୍ୱାସ ସଙ୍କଟ କେବେ ହେଲେ ଦେଖା ଦେଇ ନଥିଲା ବୋଲି ସର୍ଭେର ତଥ୍ୟରୁ ସ୍ପଷ୍ଟ । ଏହି ସର୍ଭେରେ ଅହମଦାବାଦ, ବେଙ୍ଗାଲୁରୁ, ଭୋପାଲ, ଚେନ୍ନାଇ, ଦିଲ୍ଲୀ, ଗୁଆହାଟୀ, ହାଇଦ୍ରାବାଦ, ଜୟପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ପାଟନା, ତିରୁବନନ୍ତପୁରମ ଭଳି ଦେଶର ୧୩ଟି ପ୍ରମୁଖ ନଗରର ୫,୧୯୨ଟି ପରିବାର ଅଂଶ ଗ୍ରହଣ କରିଥିଲେ । ଦେଶର ସାଧାରଣ ଅର୍ଥନୈତିକ ଅବସ୍ଥା, ନିଯୁକ୍ତି ପରିଦୃଶ୍ୟ, ମୋଟାମୋଟି ଭାବେ ଦରଦାମର ସ୍ଥିତି ଏବଂ ନିଜ ଆୟ ଓ ବ୍ୟୟକୁ ନେଇ ଉତ୍ତରଦାତାଙ୍କ ଅନୁଭବ ଓ ପ୍ରତ୍ୟାଶାକୁ ଆଧାର କରି ଏହି ସର୍ଭେର ଫଳାଫଳ ପ୍ରସ୍ତୁତ ହୋଇଥାଏ ।

ଖାଉଟି ବିଶ୍ୱାସ ସୂଚକାଙ୍କ ମାପିବାର ଆଧାର ହେଉଛି ଖାଉଟିମାନେ ଅର୍ଥନୀତିକୁ ନେଇ ଆଶାବାଦୀ ରହିଲେ ସେମାନେ ଅଧିକ ଦ୍ରବ୍ୟ ଓ ସେବା କ୍ରୟ କରିଥାଆନ୍ତି, ଯାହା ଫଳରେ ଚାହିଦା ବୃଦ୍ଧି ପାଇ ସାମଗ୍ରିକ ଭାବେ ଅର୍ଥନୀତି ଚଳଚଞ୍ଚଳ ହୋଇଥାଏ । ବିଶ୍ୱର ଅନେକ ଦେଶରେ ଏହି ଖାଉଟି ବିଶ୍ୱାସ ସୂଚକାଙ୍କ (ସିସିଆଇ) ମାପିବାର ପ୍ରଥା ପ୍ରଚଳନରେ ଅଛି ଓ ଅର୍ଥନୀତିର ସୁପରିଚାଳନା ପାଇଁ ଏହା ଜାଣିବା ପ୍ରାୟତଃ ଅପରିହାର୍ଯ୍ୟ ହୋଇ ପଡିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ୧୯୬୭ ମସିହାରୁ ହୋଇ ଆସୁଛି । ସେଠାରେ ଏହି କାର୍ଯ୍ୟଟିକୁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ‘ଫେଡେରାଲ ରିଜର୍ଭ’ ନ କରି ‘ଦି କନଫରେନସ ବୋର୍ଡ’ ନାମକ ଏକ ସ୍ୱାଧୀନ ଅର୍ଥନୈତିକ ଗବେଷଣାନୁଷ୍ଠାନ କରି ଆସୁଛନ୍ତି ଓ ୫୦୦୦ ଉତ୍ତରଦାତାଙ୍କ ମତାମତକୁ ଆଧାର କରି ପ୍ରତି ମାସ ଏହି ସୂଚକାଙ୍କ ପ୍ରକାଶ କରି ଆସୁଛନ୍ତି । ଏଥିରେ ଖାଉଟିଙ୍କ ମନୋବୃତ୍ତି, କ୍ରୟ ଆଗ୍ରହ ସମ୍ପର୍କରେ ବୟସ, ଆୟ, ଅଞ୍ଚଳ ଭିତ୍ତିରେ ପଙ୍ଖାନୁପୁଙ୍ଖ ତଥ୍ୟ ଉପଲବ୍ଧ ହୋଇଥାଏ । ଫେଡେରାଲ ରିଜର୍ଭ ଏହା ପ୍ରସ୍ତୁତ କରୁ ନଥିଲେ ମଧ୍ୟ କନଫରେନସ ବୋର୍ଡ ପ୍ରସ୍ତୁତ ଏହି ସିସିଆଇକୁ ବ୍ୟାଙ୍କ ଖୁବ ଗମ୍ଭୀରତାର ସହ ବିଚାରକୁ ନେଇଥାଏ, ଯାହା ବ୍ୟାଙ୍କର ସୁଧ ହାର ପରିବର୍ତ୍ତନ ନିଷ୍ପତ୍ତିରେ ଏକ ବଡ ଭୂମିକା ଗ୍ରହଣ କରିଥାଏ । ସିସିଆଇ ସୂଚକାଙ୍କ ସେଠାକାର ସେୟାର ବଜାରର ସୂଚକାଙ୍କକୁ ଯଥେଷ୍ଟ ପ୍ରଭାବିତ କରି ଅଂଶଧନର ମୂଲ୍ୟକୁ କମ ବେଶି କରିଥାଏ । ଏହି ସୂଚକାଙ୍କରେ ସାମ୍ପ୍ରତିକ ଅବସ୍ଥାକୁ ୪୦ ପ୍ରତିଶତ ଗୁରୁତ୍ୱ ପ୍ରଦାନ କରାଯାଉଥିବା ବେଳେ ଭବିଷ୍ୟତ ଅବସ୍ଥା ପାଇଁ ଆଶା ଲାଗି ୬୦ ପ୍ରତିଶତ ଗୁରୁତ୍ୱ ଦିଆଯାଇଥାଏ । ଆମେରିକାର ମିସିଗାନ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ରିସର୍ଚ୍ଚ ଦ୍ୱାରା ପ୍ରସ୍ତୁତ ‘ମିସିଗାନ ବିଶ୍ୱବିଦ୍ୟାଳୟ ଖାଉଟି ମନୋଭାବ ସୂଚକାଙ୍କ’ ମଧ୍ୟ ଖାଉଟି ବିଶ୍ୱାସକୁ ତଉଲିବା ପାଇଁ ଅନ୍ୟ ଏକ ବହୁଳ ଆଦୃତ ମାପକାଠି । ସେହିପରି ଇଉରୋପ ୟୁନିଅନ ଦେଶମାନଙ୍କରେ ଖାଉଟି ବିଶ୍ୱାସ ମାପିବା ପାଇଁ ବ୍ୟବହୃତ ‘ଜଏଣ୍ଟ ହାରମୋନାଇଜଡ ଇୟୁ ପ୍ରୋଗ୍ରାମ’ର ଗ୍ରହଣୀୟତା ମଧ୍ୟ ଖୁବ ବେଶି । ବ୍ରାଜିଲ, ଇଣ୍ଡୋନେସିଆ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶମାନଙ୍କରେ ମଧ୍ୟ ଏହି ସୂଚକାଙ୍କ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥାଏ ।

ଭାରତର ଅର୍ଥନୀତି ଆମେରିକା ଭଳି ଅନେକଟା ଉପଭୋକ୍ତା କୈନ୍ଦ୍ରିକ । ଏଠାରେ ବ୍ୟକ୍ତିଗତ ବ୍ୟୟ ମୋଟ ଘରୋଇ ଉତ୍ପାଦର ପ୍ରାୟ ୬୦ ପ୍ରତିଶତ ହେଉଥବାରୁ ଅର୍ଥନୀତିକୁ ଗତିଶୀଳ କରିବାକୁ ହେଲେ ଏହାକୁ ଉପଭୋକ୍ତାଙ୍କ ବିଶ୍ୱାସଭାଜନ ହେବାକୁ ହୋଇଥାଏ । ଅର୍ଥନୀତିର ସ୍ଥିତି ଉପରେ ଭରସା କରିପାରିଲେ ଯାଇ ଖାଉଟି ଅଧିକରୁ ଅଧିକ କ୍ରୟ ଓ ବ୍ୟୟ କରିବାକୁ ଆଗ୍ରହ ପ୍ରଦର୍ଶନ କରିଥାଏ । ତେଣୁ, ଖାଉଟିଙ୍କ ବିଶ୍ୱାସ ଏତେ ବେଶି ଗୁରୁତ୍ୱ ବହନ କରୁଥିବାରୁ, ଏହି ବିଶ୍ୱାସକୁ ନିୟମିତ ଭାବେ ମାପିବା ନିହାତି ଜରୁରୀ ଓ ସେ କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ହେଉଥିବା ଖାଉଟି ବିଶ୍ୱାସ ସର୍ଭେ (ସିସିଏସ) ଏକ ବଡ ଭୂମିକା ନିର୍ବାହ କରିଥାଏ । ୨୦୧୦ ମସିହା ଜୁନ ମାସରୁ ରିଜର୍ଭ ବ୍ୟାଙ୍କ ପ୍ରତି ତିନି ମାସରେ ଥରେ ଏହି ସର୍ଭେ କରି ଆସୁଥିଲା । ୨୦୧୯-୨୦ରୁ ଏହା ପ୍ରତି ଦୁଇ ମାସରେ ଥରେ ପ୍ରସ୍ତୁତ ହେଉଛି । ଆମେରିକା ଭଳି ଭାରତରେ ମଧ୍ୟ ଏହି ସର୍ଭେଟିକୁ ପ୍ରତି ମାସ କରାଯାଇ ପାରିଲେ ତାହା ଅର୍ଥନୈତିକ ସୁପରିଚାଳନାରେ ସହାୟକ ହୁଅନ୍ତା । ରିଜର୍ଭ ବ୍ୟାଙ୍କର ଏହି ସର୍ଭେରେ ସାଧାରଣ ଅର୍ଥନୈତିକ ସ୍ଥିତି, ନିଯୁକ୍ତି ପରିଦୃଶ୍ୟ, ଦରଦାମ ସ୍ତର, ପରିବାରର ଆୟ, ପରିବାରର ମୋଟାମୋଟି ବ୍ୟୟ ଭଳି ପାଞ୍ଚଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଥାଏ । ଉପରୋକ୍ତ ବିଷୟଗୁଡିକରେ ଗତ ଏକ ବର୍ଷ ତୁଳନାରେ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଉତ୍ତରଦାତାଙ୍କ ଅନୁଭବକୁ ଆଧାର କରି ସାମ୍ପ୍ରତିକ ପରିସ୍ଥିତି ସୂଚକାଙ୍କ (ସିଏସଆଇ) ପ୍ରସ୍ତୁତ ହେଉଥିବା ବେଳେ ଉପରୋକ୍ତ ପ୍ରତିଟି ବିଷୟରେ ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ଉତ୍ତରଦାତାମାନେ କି ପରିବର୍ତ୍ତନ ହେବାର ଆଶା ରଖିଛନ୍ତି, ତାହା ଭବିଷ୍ୟତ ପ୍ରତ୍ୟାଶା ସୂଚକାଙ୍କ (ଏଫଇଆଇ)ରେ ସ୍ଥାନ ପାଇଥାଏ । ଉଲ୍ଲେଖଯୋଗ୍ୟ, ଖାଉଟିଙ୍କ ଅତ୍ୟଧିକ ନିରାଶା ଯୋଗୁ ସେପ୍ଟେମ୍ବର ୨୦୧୯ରେ ପ୍ରକାଶିତ ଖାଉଟି ବିଶ୍ୱାସ ସର୍ଭେରେ ଉଭୟ ସାମ୍ପ୍ରତିକ ପରିସ୍ଥିତି ସୂଚକାଙ୍କ ଓ ଭବିଷ୍ୟତ ପ୍ରତ୍ୟାଶା ସୂଚକାଙ୍କ ହ୍ରାସ ପାଇଛି । ସାମ୍ପ୍ରତିକ ପରିସ୍ଥିତି ସୂଚକାଙ୍କ ୧୦୦ରୁ ଊର୍ଦ୍ଧ୍ୱରେ ରହିଲେ ଉପଭୋକ୍ତାମାନେ ଅର୍ଥନୀତିର ଅଭିବୃଦ୍ଧିକୁ ନେଇ ଆଶାବାଦୀ ବୋଲି ଜଣା ପଡୁଥିବା ବେଳେ ସୂଚକାଙ୍କ ତା ତଳକୁ ଗଲେ ସେମାନେ ନିରାଶାବାଦୀ ବୋଲି ମନେ ହୋଇଥାନ୍ତି । ସେପ୍ଟେମ୍ବର ୨୦୧୩ରେ, ୟୁପିଏ ଶାସନ କାଳର ଶେଷ ସମୟରେ ଅର୍ଥନୀତିକୁ ନେଇ ଏତେ ବେଶି ନିରାଶା ଦେଖା ଦେଇଥିଲା ଯେ ଏହି ସୂଚକାଙ୍କ ୮୮ରେ ପହଂଚି ଯାଇଥିଲା । ମୋଦି ସରକାର ଦାୟିତ୍ୱ ଗ୍ରହଣ କଲା ପରେ ସେପ୍ଟେମ୍ବର ୨୦୧୪ରେ ଏହା ୧୦୩.୧ରେ ପହଞ୍ଚି ଅର୍ଥନୀତିକୁ ନେଇ ଲୋକେ ଆଶାବାଦୀ ହୋଇ ଉଠିଥିଲେ ଏବଂ ସେହି ଆଶା ଡିସେମ୍ବର ୨୦୧୬ (୧୦୨) ଯାଏଁ ବଳବତ୍ତର ଥିଲା । ତେବେ ବିମୁଦ୍ରାକରଣ ପରଠାରୁ ଦେଶରେ ଖାଉଟି ବିଶ୍ୱାସ କ୍ରମାଗତ ଭାବେ ତଳ ସ୍ତରରେ ରହିବାକୁ ଲାଗିଲା । ୨୦୧୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଖାଉଟିମାନେ ଅର୍ଥନୀତିକୁ ନେଇ ଆଶାବାଦୀ ହୋଇ ଉଠିଲେ ଓ ପୁନର୍ବାର ଏହି ସୂଚକାଙ୍କ ମାର୍ଚ୍ଚ ୨୦୧୯ରେ ହଠାତ୍ ୧୦୪.୬ ସ୍ତରକୁ ବଢି ଯାଇଥିଲା । ହେଲେ ଅର୍ଥନୀତି ଅଭିବୃଦ୍ଧିକୁ ନେଇ ଏହି ଆଶା କ୍ଷଣସ୍ଥାୟୀ ସାବ୍ୟସ୍ତ ହେଲା, କାରଣ ତା’ ପରଠାରୁ ଏହା କ୍ରମାଗତ ଭାବେ ମେ ୨୦୧୯ରେ ୯୭.୩ ଓ ଜୁଲାଇ ୨୦୧୯ରେ ୯୫.୭କୁ ଖସି ଆସିଥିବା ବେଳେ ସେପ୍ଟେମ୍ବର ୨୦୧୯ରେ ତାହା ୮୯.୪କୁ ଖସି ଉଦବେଗର କାରଣ ପାଲଟିଛି ।

ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତି ଗତ ବର୍ଷ ତୁଳନାରେ ଅଧିକ ଖରାପ ହୋଇଛି ବୋଲି ୪୮ ପ୍ରତିଶତ ଉତ୍ତରଦାତା ମତ ପ୍ରକାଶ କରିଥିବା ବେଳେ ମାତ୍ର ୩୪ ପ୍ରତିଶତ ଏଥିରେ ଉନ୍ନତି ହୋଇଛି ବୋଲି ଜଣାଇଛନ୍ତି । ତେବେ ଆଗାମୀ ଏକ ବର୍ଷ ମଧ୍ୟରେ ସ୍ଥିତିରେ ଉନ୍ନତି ଆସିପାରେ ବୋଲି ୫୩ ପ୍ରତିଶତ ଆଶାବାଦୀ । ବର୍ଷକ ମଧ୍ୟରେ ନିଯୁକ୍ତି ସମସ୍ୟା ଉତ୍କଟ ହୋଇଛି ବୋଲି ୫୩ ପ୍ରତିଶତଙ୍କ ମତ । ତେବେ ଏବେ ମଧ୍ୟ ୫୧ ପ୍ରତିଶତ ଉତ୍ତରଦାତା ଆଗାମୀ ବର୍ଷକ ମଧ୍ୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ସ୍ଥିତିରେ ପରିବର୍ତ୍ତନ ହୋଇପାରେ ବୋଲି ଆଶା ବାନ୍ଧିଛନ୍ତି, ଯାହା ସେପ୍ଟେମ୍ବର ୨୦୧୮ରେ ହୋଇଥିବା ସର୍ଭେ ତୁଳନାରେ ପ୍ରାୟ ୩ ପ୍ରତିଶତ କମ । ଗତ ବର୍ଷକ ମଧ୍ୟରେ ଦରଦାମ ବୃଦ୍ଧି ପାଇଛି ବୋଲି ୮୬ ପ୍ରତିଶତ ଉତ୍ତରଦାତା ମତ ପ୍ରକାଶ କରିଥିବା ବେଳେ ମାତ୍ର ୩ ପ୍ରତିଶତ ଏହା କମ ହୋଇଛି ବୋଲି କହିଛନ୍ତି । କେବଳ ସେତିକି ନୁହେଁ, ଆଗାମୀ ବର୍ଷ ମଧ୍ୟ ଦରଦାମ ବୃଦ୍ଧି ଅବ୍ୟାହତ ରହିବ ବୋଲି ପ୍ରାୟ ୮୦ ପ୍ରତିଶତ ମତ ବ୍ୟକ୍ତ କରିଛନ୍ତି । ବ୍ୟକ୍ତିଗତ ସ୍ତରରେ ୪୮ ପ୍ରତିଶତ ଉତ୍ତରଦାତାଙ୍କ ଆୟ ଅପରିବର୍ତ୍ତିତ ଥିବା ବେଳେ ୨୭ ପ୍ରତିଶତଙ୍କର କମିଛି ଓ ୨୫ ପ୍ରତିଶତଙ୍କର ଆୟରେ ବୃଦ୍ଧି ଘଟିଛି । ଅର୍ଥାତ, ପ୍ରାୟ ତିନି-ଚତୁର୍ଥାଂଶ ଉତ୍ତରଦାତାଙ୍କ ଆୟ ବଢି ନଥିବାରୁ ସେମାନେ ବିଭିନ୍ନ ସାମଗ୍ରୀ ଓ ସେବା କ୍ରୟ କରିବାକୁ ଅସମର୍ଥ ହେଉଛନ୍ତି । ତେବେ ଆଗାମୀ ବର୍ଷକ ମଧ୍ୟରେ ସେମାନଙ୍କ ଆୟରେ ବୃଦ୍ଧି ଘଟିବ ବୋଲି ୫୩ ପ୍ରତିଶତ ଉତ୍ତରଦାତା ଆଶାବାଦୀ । ବ୍ୟକ୍ତିଗତ ସ୍ତରରେ ୭୪ ପ୍ରତିଶତ ଉତ୍ତରଦାତାଙ୍କ ଖର୍ଚ୍ଚ ବଢିଥିବା ବେଳେ ୪ ପ୍ରତିଶତଙ୍କର କମିଛି ଓ ୨୨ ପ୍ରତିଶତଙ୍କର ଅପରିବର୍ତ୍ତିତ ରହିଛି । ବର୍ଷକ ତଳେ ହୋଇଥିବା ସର୍ଭେରେ ୭୮ ପ୍ରତିଶତ ଲୋକ ସେମାନଙ୍କ ବ୍ୟୟ ବଢିଥିବା ଦର୍ଶାଇଥିଲେ । ଆଗାମୀ ବର୍ଷକ ମଧ୍ୟରେ ପୁନଶ୍ଚ ୭୭ ପ୍ରତିଶତ ଲୋକଙ୍କ ବ୍ୟୟ ବଢିପାରେ ବୋଲି ସେମାନେ ଆଶାୟୀ । ହେଲେ ୮୪ ପ୍ରତିଶତ ଉତ୍ତରଦାତା ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ସେବା ବାବଦରେ ଗତ ବର୍ଷ ତୁଳନାରେ ଏ ବର୍ଷ ଅଧିକ ବ୍ୟୟ କରିଛନ୍ତି ଓ ଆଗାମୀ ବର୍ଷ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି ସେମାନଙ୍କ ବିଶ୍ୱାସ । ଅନ୍ୟ ପକ୍ଷରେ ଯେଉଁ ଜିନିଷଗୁଡିକ ନ କିଣିଲେ ବା ପରେ କିଣିଲେ ଚଳିବ ଲୋକେ ସେହି ଧରଣର ଜିନିଷ କିଣିବା କମାଇ ଦେଇଛନ୍ତି । ୩୦ ପ୍ରତିଶତ ଉତ୍ତରଦାତା ଏହି ଧରଣର ସାମଗ୍ରୀ କିଣିବାରେ ଅଧିକ ବ୍ୟୟ କରିଥିବା ବେଳେ ବର୍ଷକ ତଳେ ଏମାନେ ୪୪ ପ୍ରତିଶତ ଥିଲେ । ୪୦ ପ୍ରତିଶତ ଉତ୍ତରଦାତାଙ୍କ କ୍ଷେତ୍ରରେ ଏହି ଧରଣ ସାମଗ୍ରୀ କିଣିବାରେ ସ୍ଥିତି ଅପରିବର୍ତ୍ତିତ ଥିବା ବେଳେ ଅବଶିଷ୍ଟ ୩୦ ପ୍ରତିଶତଙ୍କ କ୍ଷେତ୍ରରେ ଏହା କମ ହୋଇଛି । ଅର୍ଥାତ, ଏହି ଧରଣର ଜିନିଷ କିଣିବା ଲାଗି ପ୍ରାୟ ୭୦ ପ୍ରତିଶତ ଉତ୍ତରଦାତା ଆଗ୍ରହ ପ୍ରକାଶ କରି ନାହାନ୍ତି ବା ସେମାନଙ୍କ ନିକଟରେ ସାମର୍ଥ୍ୟ ନାହିଁ । ଉଲ୍ଲେଖଯୋଗ୍ୟ, ଏହି ସର୍ଭେଟି କେବଳ ଅଳ୍ପ କେତୋଟି ବଡ ବଡ ନଗରରେ ଥିବା ଖାଉଟିମାନଙ୍କୁ ନେଇ ହୋଇଥିବା ବେଳେ, ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ସ୍ଥିତି ଅଧିକ ଦୁର୍ବଳ ହୋଇଥିବାରୁ, ଏଥିରେ ଗ୍ରାମାଞ୍ଚଳର ଖାଉଟିଙ୍କୁ ସାମିଲ କରାଯାଇଥିଲେ ବାସ୍ତବିକ ସ୍ଥିତି ଆହୁରି ଗମ୍ଭୀର ବୋଲି ଜଣା ପଡିଥାନ୍ତା ।

ନିଯୁକ୍ତି ସୁଯୋଗ ସୃଷ୍ଟି ହ୍ରାସ ହେବା ସହ ଓ ଅନେକେ ଚାକିରୀ ଏବଂ କର୍ମ ସଂସ୍ଥାନ ହରାଇ ବେକାରୀ ହାର ଗତ ୪୫ ବର୍ଷର ସର୍ବୋଚ୍ଚ ସ୍ତରକୁ ଚାଲିଯିବା ଦ୍ୱାରା ଖାଉଟିମାନେ ନିରାଶାର ସମ୍ମୁଖୀନ ହୋଇଛନ୍ତି । ଡଲାର ତୁଳନାରେ ଟଙ୍କା ଲଗାତର ଭାବେ ଦୁର୍ବଳ ହେବା, ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣରେ ନ ରହିବା, ଦରଦାମ ବୃଦ୍ଧି, ବର୍ଦ୍ଧିଷ୍ଣୁ ମନ୍ଦ ଋଣ ଭଳି ଭାରତର ସମଷ୍ଟି-ଅର୍ଥନୀତି (ମାକ୍ରୋ ଇକୋନୋମିକସ)ର ମୌଳିକ ବିଷୟଗୁଡିକ ଖାଉଟି ବିଶ୍ୱାସକୁ ହ୍ରାସ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ସରକାରଙ୍କ ଅର୍ଥନୀତି ପରିଚାଳନାରେ ଲୋକେ କେତେ ଖୁସି ବା ସନ୍ତୁଷ୍ଟ, ତାହା ଏହି ସୂଚକାଙ୍କ ଦର୍ଶାଉଥିବାରୁ, ବର୍ତ୍ତମାନ ଏହା ନିମ୍ନାଭିମୁଖୀ ହେବା ଦ୍ୱାରା ସରକାର ସେମାନଙ୍କଠାରେ ଅର୍ଥନୀତିର ଅଭିବୃଦ୍ଧିକୁ ନେଇ ଆଶା ସଞ୍ଚାର କରିବାରେ ବିଫଳ ହୋଇଛନ୍ତି ବୋଲି ବୁଝିବାକୁ ହେବ । ଖାଉଟିଙ୍କ ମଧ୍ୟରେ ଅର୍ଥନୀତିକୁ ନେଇ ନୈରାଶ୍ୟଜନକ ମନୋଭାବ ଥିବାରୁ ସ୍ଥିତି ସାମାନ୍ୟ ନ ହେବା ପର୍ଯ୍ୟନ୍ତ ଉଭୟ ବିଦେଶୀ ଓ ଦେଶ ଭିତରର ପୁଞ୍ଜି ନିବେଶକମାନେ ଭାରତରେ ନିବେଶ କରିବାକୁ ଆଗ୍ରହ ପ୍ରଦର୍ଶନ କରିବାର ଆଶଙ୍କା ଦେଖା ଦେବ, ଯାହା ଅର୍ଥନୀତିକୁ ଅଧିକ କ୍ଷତି ପହଞ୍ଚାଇବ । ଏହି ସୂଚକାଙ୍କ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତିକୁ ପ୍ରଭାବିତ କରୁଥିବାରୁ ନିକଟରେ ରିଜର୍ଭ ବ୍ୟାଙ୍କ ରେପୋ ଦର ହ୍ରାସ କରିବା ନିଷ୍ପତ୍ତି ଗ୍ରହଣରେ ଏହା ଅନ୍ୟତମ କାରଣ ହୋଇ ଥାଇପାରେ । ଖାଉଟିଙ୍କ ମଧ୍ୟରେ ବିଶ୍ୱାସ ଫେରାଇ ଆଣିବା ପାଇଁ ଲୋକଙ୍କ ନିକଟରେ ଅଧିକ ନଗଦ ରାଶି (ଲିକୁଇଡିଟି) ପହଞ୍ଚାଇ ଚାହିଦା ବୃଦ୍ଧି ମାଧ୍ୟମରେ ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଏହା ଏକ ପ୍ରୟାସ ହୋଇପାରେ । ତେବେ ଯେ ପର୍ଯ୍ୟନ୍ତ ଦେଶର କୃଷିଜୀବୀ, ଶ୍ରମଜୀବୀ, ଚାକିରୀଜୀବୀ ଓ ଆତ୍ମ ନିଯୁକ୍ତ ସଂଖ୍ୟାଧିକ ଲୋକଙ୍କ ରୋଜଗାର ବଢି ହାତକୁ ଦୁଇ ପଇସା ଅଧିକ ନ ଆସିଛି, ସେ ଯାଏଁ ଖାଉଟି ବିଶ୍ୱାସ ସୂଚକାଙ୍କ ବୃଦ୍ଧିର ଆଶା କ୍ଷୀଣ ହୋଇଥିବାରୁ ସରକାର ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଅଧିକ ଯୁକ୍ତିଯୁକ୍ତ ମନେ ହୁଏ ।

Published in Samadrushti,

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...